ଗ୍ରାମବାସୀଙ୍କ ଦାବୀକୁ ମାନିଲା ପ୍ରଶାସନ: ବଦଳିଲେ ଶିକ୍ଷୟତ୍ରୀ, ୭ ଦିନ ପରେ ବିଦ୍ୟାଳୟରୁ ଖୋଲିଲେ ତାଲା

Published: Feb 7, 2023, 9:03 pm IST

କନ୍ଦର୍ପ ବେହେରା
ରେଢ଼ାଖୋଲ: ନାକଟିଦେଉଳ ବ୍ଲକ ଘୋଷରାମାଳ ପଞ୍ଚାୟତ ଅନ୍ତର୍ଗତ ବ୍ରାହ୍ମଣୀ ଗ୍ରାମର ପ୍ରାଥମିକ ବିଦ୍ୟାଳୟରେ କାର୍ଯ୍ୟରତ ଶିକ୍ଷୟତ୍ରୀ ଶୈଳେନ୍ଦ୍ରୀ ପ୍ରଧାନ ଉକ୍ତ ବିଦ୍ୟାଳୟର ଛାତ୍ରଛାତ୍ରୀଙ୍କୁ ପାଠ ପଢାଇବାରେ ଅବହେଳା ଓ ଦୁର୍ନୀତିରେ ଜଡିତ ଥିବା ନେଇ ଗ୍ରାମବାସୀ, ଅବିଭାବକମାନେ ଅଭିଯୋଗ କରି ଓ ଶିକ୍ଷୟତ୍ରୀଙ୍କୁ ଅନ୍ୟତ୍ର ବିଦ୍ୟାଳୟକୁ ବଦଳି ଦାବି ନେଇ ଗତ ଫେବୃଆରୀ ୧ ତାରିଖ ଠାରୁ ବିଦ୍ୟାଳୟ ମୁଖ୍ୟ ଫାଟକରେ ତାଲା ପକାଇ ଧାରଣା ଦେଇ ଥିଲେ। ହେଲେ ବିଦ୍ୟାଳୟରେ ତାଲା ପଡିବା ଖବର ପାଇ ନାକଟିଦେଉଳ ବିଇଓ ବିଜୟ କୁମାର ପାତ୍ର ପ୍ରମୂଖ ବିଦ୍ୟାଳୟକୁ ଆସି ଘଟଣାର ତଦନ୍ତ କରିଥିଲେ।

ବିଇଓ ତଦନ୍ତ ବେଳେ ଗ୍ରାମବାସୀ ଓ ଅବିଭାବକ ମାନଙ୍କ ଅଭିଯୋଗ ଅନୁଯାୟୀ ମତ ନେଇ ପରେ ବ୍ରାହ୍ମଣୀ ବିଦ୍ୟାଳୟର ଶିକ୍ଷୟିତ୍ରୀ ଶୈଳେନ୍ଦ୍ରୀ ପ୍ରଧାନଙ୍କୁ ଅନ୍ୟତ୍ର ବଦଳି କରିବାକୁ ନେଇ ଗ୍ରାମବାସୀଙ୍କ ଆଗରେ ପ୍ରକାଶ କରିଥିଲେ। ଏ ନେଇ ନାକଟିଦେଉଳ ବ୍ଲକ ଶିକ୍ଷା ବିଭାଗର ଅଧିକାରୀଙ୍କ ପତ୍ର ସଂଖ୍ୟା ୧୭୦ ରେ ଗତ ୪ ତା ରିଖ ରେ ଚିଠି କରି ବ୍ରାହ୍ମଣୀ ପ୍ରାଥମିକ ବିଦ୍ୟାଳୟର ଶିକ୍ଷୟତ୍ରୀ ଶୈଳେନ୍ଦ୍ରୀ ପ୍ରଧାନଙ୍କୁ ଲୁସୁରା ପ୍ରାଥମିକ ବିଦ୍ୟାଳୟକୁ ଡେପୁଟେସନରେ ବଦଳି କରା ଯାଇ ଥିବା ବେଳେ ଲୁସୁରା ପ୍ରାଥମିକ ବିଦ୍ୟାଳୟରେ କାର୍ଯ୍ୟରତ ଥିବା ଶିକ୍ଷୟତ୍ରୀ ମଞ୍ଜୁଳା କୁଜୁରଙ୍କୁ ବ୍ରାହ୍ମଣୀ ବିଦ୍ୟାଳୟ ଡେପୁଟେସନ ବଦଳି ହୋଇଛି।

ହେଲେ ଡେପୁଟେସନ ବଦଳି ଚିଠି ହେବା ପରେ ବ୍ରାହ୍ମଣୀ ବିଦ୍ୟାଳୟକୁ ଡେପୁଟେସନ ବଦଳିରେ ଆସି ଥିବା ଶିକ୍ଷୟତ୍ରୀ ମଙ୍ଗଳବାର ବ୍ରାହ୍ମଣୀ ବିଦ୍ୟାଳୟରେ କାର୍ଯ୍ୟରେ ଯୋଗ ଦେଇଛନ୍ତି। ଶିକ୍ଷୟତ୍ରୀ ମଞ୍ଜୁଳା କୁଜୁର ବିଦ୍ୟାଳୟରେ କାର୍ଯ୍ୟରେ ଯୋଗ ଦେବା ପରେ ଗ୍ରାମବାସୀ ଓ ଅବିଭାବକ ମାନେ ବିଦ୍ୟାଳୟ ମୁଖ୍ୟ ଫାଟକରୁ ୭ ଦିନରେ ତାଲା ଖୋଲିଛନ୍ତି। ଏହାକୁ ନେଇ ଗ୍ରାମବାସୀ, ଅବିଭାବକ ଙ୍କ ମଧ୍ୟରେ ଆନନ୍ଦର ଲହରୀ ଖେଳି ଯାଇଛି।

Related posts