Categories
ଆଞ୍ଚଳିକ

ବାଣପୁର: ପ୍ରାଥମିକ ଶିକ୍ଷକମାନଙ୍କ ଧାରଣା ସ୍ଥଳରେ ପହଞ୍ଚିଲେ ପୃଥ୍ୱୀରାଜ ହରିଚନ୍ଦନ, ରାଜ୍ୟ ସରକାରଙ୍କୁ କଲେ ଟାର୍ଗେଟ

ବାଣପୁର (ସୀତାରାମ ଅଗ୍ରୱାଲ): ଖୋର୍ଦ୍ଧା ଜିଲ୍ଲା ବାଣପୁର ବ୍ଲକର ପ୍ରଥମରୁ ଅଷ୍ଟମ ଶ୍ରେଣୀ ପର୍ଯ୍ୟନ୍ତ ସମସ୍ତ ଶିକ୍ଷକ ଛୁଟିରେ ଅଛନ୍ତି। ସ୍କୁଲ ଗୁଡିକରେ ତାଲା ଝୁଲୁଛି। ସମସ୍ତ ୧୨୭ ଟି ସ୍କୁଲର ଶିକ୍ଷକ ଗତ ୮ ତାରିଖରୁ ବ୍ଲକ ଶିକ୍ଷଧିକାରୀଙ୍କ କାର୍ଯ୍ୟାଳୟ ସମ୍ମୁଖରେ ଧାରଣାରେ ବସିରହିଛନ୍ତି।

ପ୍ରାଥମିକ ଶିକ୍ଷା ବର୍ଗରେ ଠିକା ନିଯୁକ୍ତି ଉଚ୍ଛେଦ ସହ ବିଭନ୍ନ ଦାବୀ ନେଇ ଆନ୍ଦୋଳନ ରାଜ୍ୟ ବ୍ୟାପି ଚାଲିଥିବା ବେଳେ ବାଣପୁର ବ୍ଲକର ସଭାପତି ବିଭୁତି ଭୂଷଣ ସ୍ୱାଇଁ ଓ ସମ୍ପାଦକ ବିଭୁତି ଭୂଷଣ ଦାସଙ୍କ ନେତୃତ୍ୱରେ ୧୦୮ ଟି ସ୍କୁଲର ୪୬୦ ଜଣ ଶିକ୍ଷକ ଶିକ୍ଷୟିତ୍ରୀ ଉକ୍ତ ଆନ୍ଦୋଳନରେ ସାମିଲ ହୋଇଛନ୍ତି।

ଏହି ପରିପ୍ରେକ୍ଷୀରେ ଆଜି ବରିଷ୍ଠ ବିଜେପି ନେତା ପୃଥ୍ୱୀରାଜ ହରିଚନ୍ଦନ, ବ୍ଲକ ଅଧ୍ୟକ୍ଷ ଅମରେନ୍ଦ୍ର ରଣସିଂହ, ସମାଜସେବୀ ଜିତେନ୍ଦ୍ର ନାଥ ଭୋଳ, ଭେଟେଶ୍ୱର ସରପଞ୍ଚ ସାବିତ୍ରୀ ଭୋଳଙ୍କ ସମେତ ବହୁ ବିଜେପି ନେତୃତ୍ୱ ଧାରଣା ସ୍ଥଳରେ ପହଞ୍ଚି ଶିକ୍ଷକ ମାନଙ୍କ ଆନ୍ଦୋଳନକୁ ନୈତିକ ସମର୍ଥନ ଜଣାଇଥିଲେ। ପୃଥ୍ୱୀରାଜ ହରିଚନ୍ଦନ ଶିକ୍ଷକମାନଙ୍କୁ ଉଦବୋଧନ ଦେଇ ରାଜ୍ୟ ସରକାରଙ୍କ ଠିକା ନିଯୁକ୍ତିକୁ ନା ପସନ୍ଦ କରିବା ସହ ସରକାର ଯଥାଶୀଘ୍ର ଶିକ୍ଷକମାନଙ୍କର ଦାବିଗୁଡ଼ିକୁ ଗ୍ରହଣ କରିବାକୁ ଦାବୀ କରିଛନ୍ତି।

ବିଜେପି ଆପଣମାନଙ୍କ ଆନ୍ଦୋଳନରେ ସମ୍ପୂର୍ଣ୍ଣ ସହଯୋଗ କରିବା ସହ ପଥର ଭଳି ଛିଡା ହୋଇଥିବାର ମତ ରଖିଥିଲେ ଶ୍ରୀ ହରିଚନ୍ଦନ। ତେଣୁ ଶିକ୍ଷକ ମାନଙ୍କର ଆନ୍ଦୋଳନ ଦ୍ୱାରା ପିଲା ମାନଙ୍କର ପାଠ ପଢ଼ାରେ ବ୍ୟାଘାତ ସୃଷ୍ଟି ହେଉଥିବାରୁ ରାଜ୍ୟ ସରକାରଙ୍କୁ ଦୃଢ ନିନ୍ଦା କରିଥିଲେ ଶ୍ରୀ ହରିଚନ୍ଦନ।

ଉକ୍ତ ଆନ୍ଦୋଳନକୁ ଚିଲକା ବିଜେପି ସମର୍ଥନ କରିଥିବାରୁ ସଭାପତି ଶ୍ରୀ ସ୍ୱାଇଁ ଓ ସମ୍ପାଦକ ଶ୍ରୀ ଦାସ ଶିକ୍ଷକମାନଙ୍କ ତରଫରୁ ଶ୍ରୀ ହରିଚନ୍ଦନଙ୍କୁ ଧନ୍ୟବାଦ ଦେଇଥିଲେ।

ପରିଶେଷରେ ଶ୍ରୀ ହରିଚନ୍ଦନ ବାଣପୁର ଗୋଷ୍ଠୀ ସ୍ୱାସ୍ଥ୍ୟ କେନ୍ଦ୍ର ପରିଦର୍ଶନ କରି ବିଭିନ୍ନ ରୋଗୀଙ୍କ ସ୍ୱାସ୍ଥ୍ୟବସ୍ଥା ପଚାରିବୁଝିଥିଲେ।

Categories
ଆଜିର ଖବର ରାଜ୍ୟ ଖବର

ତୀବ୍ର ହେଲା ପ୍ରାଥମିକ ଶିକ୍ଷକଙ୍କ ଆନ୍ଦୋଳନ: ଆଜିଠୁ ସମୂହ ଛୁଟିରେ ଗଲେ ସମସ୍ତ ଶିକ୍ଷକ ଶିକ୍ଷୟିତ୍ରୀ

ରଣପୁର: ପ୍ରାଥମିକ ଶିକ୍ଷକଙ୍କ ଆନ୍ଦୋଳନ ଏବେ ତୀବ୍ର ରୂପ ନେଇଛି। କେବେ ରାଜଧାନୀର ରାଜରାସ୍ତାରେ ତ କେବେ କେବେ ଖରା ବର୍ଷାରେ ବସି ରହିଛନ୍ତି ଶିକ୍ଷକ। ନିଖିଳ ଉତ୍କଳ ପ୍ରାଥମିକ ଶିକ୍ଷକ ସଂଘ ତରଫରୁ ରାଜ୍ୟ ବ୍ୟାପି ୩ ଦଫା ଦାବୀ ନେଇ ମଣ୍ଡଳ ଶିକ୍ଷା ଅଧିକାରୀଙ୍କ କାର୍ୟ୍ୟାଳୟ ସମ୍ମୁଖରେ ଧାରଣା ଚାଲିଥିବା ବେଳେ ନୟାଗଡ ରଣପୁର ବ୍ଲକ ମଣ୍ଡଳ ଶିକ୍ଷା ଅଧିକାରୀଙ୍କ ଅଫିସ ସମ୍ମୁଖରେ ଶିକ୍ଷକ ସମୂହ ଛୁଟିରେ ଆସି ଧାରଣା ଦେଇଥିବା ଦେଖିବାକୁ ମିଳିଛି।

Categories
ଆଜିର ଖବର ରାଜ୍ୟ ଖବର

ପୁରୁଣା ପେନସନ ଦାବିରେ ଡ଼ିସେମ୍ବର ୨୩ରେ ପ୍ରାଥମିକ ଶିକ୍ଷକମାନଙ୍କ ଆନ୍ଦୋଳନ

ଭୁବନେଶ୍ୱର: ରାଜ୍ୟ ସରକାର ରାଜ୍ୟରେ ଶିକ୍ଷକ-କର୍ମଚାରୀ ମାରଣ ନୀତି ଜାରି ରଖିଛନ୍ତି। ୬ ବର୍ଷ ଠିକା ଓ ଚୁକ୍ତିରେ ବିଦ୍ୟାଳୟରେ କାର୍ଯ୍ୟ କରାଇ ଉଚ୍ଚଶିକ୍ଷିତ ଯୁବକଯୁବତୀମାନଙ୍କୁ ଶୋଷଣ କରୁଛନ୍ତି। ୬ ବର୍ଷ କାଳ ଶିକ୍ଷକମାନଙ୍କୁ କମ୍ ଦରମା ଦେଉଛନ୍ତି। ଦେଶର ପ୍ରାୟ ସମସ୍ତ ରାଜ୍ୟରେ ଶିକ୍ଷକମାନଙ୍କୁ ସପ୍ତମ ବେତନ କମିଶନରେ ୪୨୦୦ଟଙ୍କା ଗ୍ରେଡ୍ ପେ ଦେଇ ଦରମା ସଂଶୋଧନ କରିଥିବା ବେଳେ ଆମ ରାଜ୍ୟରେ ପ୍ରାଥମିକ ଶିକ୍ଷକମାନଙ୍କୁ ଦରମା ସପ୍ତମ ବେତନ କମିଶନରେ ଗ୍ରେଡ୍ ପେ ୨୨୦୦ ଟଙ୍କା ଦରମା ସଂଶୋଧନ କରିଥିବାରୁ ଅନ୍ୟ ରାଜ୍ୟ ଶିକ୍ଷକମାନଙ୍କ ଦରମା ଠାରୁ ସର୍ବନିମ୍ନ ଦରମା ହୋଇଛି।

ସର୍ବୋଚ୍ଚ ଅଦାଲତ ସମାନ କାମକୁ ସମାନ ଦରମା ଦେବା ପାଇଁ କହିଥିବା ବେଳେ ରାଜ୍ୟ ସରକାର ତାହାକୁ ମାନୁନାହାଁନ୍ତି। ଶିକ୍ଷା ଅଧିକାର ଆଇନରେ ସମସ୍ତ ଶିକ୍ଷକମାନଙ୍କୁ ପେନସନ, ଗ୍ରାଚୁଇଟି, ମେଡ଼ିକାଲ ଭତ୍ତା, ଭବିଷ୍ୟନିଧି ପାଣ୍ଠି, ଡ଼ାକ୍ତରୀ ସୁବିଧା, ସ୍ୱାସ୍ଥ୍ୟବୀମା ଓ ଅବସରକାଳୀନ ସୁବିଧା ସୁଯୋଗ ଦେବା ପାଇଁ ରାଜ୍ୟ ସରକାର ଆଇନ କରିଥିବା ବେଳେ ତାହାକୁ ନିଜେ ଉଲଂଘନ କରୁଛନ୍ତି। ଶିକ୍ଷକମାନେ ୩୦ରୁ ୩୫ବର୍ଷ କାର୍ଯ୍ୟ କରିବା ପରେ ସେମାନଙ୍କୁ ଖାଲି ହାତରେ ଅବସର ନେବାକୁ ପଡ଼ୁଛି । ଜଗତୀକରଣ ଓ ଉଦାରୀକରଣ ଅର୍ଥନୀତିର ଚାପରେ ରାଜ୍ୟ ଓ କେନ୍ଦ୍ର ସରକାର ପୁରୁଣା ପେନସନ ବ୍ୟବସ୍ଥାକୁ ବନ୍ଦ କରି ଯେଉଁ ନୂତନ ପେନସନ ବ୍ୟବସ୍ଥା ୨୦୦୫ ମସିହା ଠାରୁ ପ୍ରଚଳନ କରିଛନ୍ତି ସେଥିରେ କିଛି ବିଶେଷ ସୁବିଧା ସୁଯୋଗ ଶିକ୍ଷକ କର୍ମଚାରୀଙ୍କୁ ମିଳୁନାହିଁ। ଜଣେ ଶିକ୍ଷକ ଅବସର ନେଲେ ନୂତନ ପେନସନ ନିୟମ ଅନୁଯାୟୀ ସେମାନଙ୍କୁ ୫୦୦ରୁ ୧୦୦୦ ଟଙ୍କା ପର୍ଯ୍ୟନ୍ତ ପେନସନ ମିଳୁଛି।

ଯାହାଦ୍ୱାରା ଅବସର ନେଉଥିବା ଶିକ୍ଷକ କର୍ମଚାରୀମାନଙ୍କ ଚାକିରୀର ଅବଶିଷ୍ଟ ଜୀବନକାଳ ଦୁଃଖକଷ୍ଟରେ ଅତିବାହିତ କରିବାକୁ ପଡୁଛି। ୨୦୦୫ ମସିହା ପୂର୍ବ ପ୍ରଚଳିତ ପେନସନ ବ୍ୟବସ୍ଥା ସମସ୍ତଙ୍କ ପାଇଁ ଉଚ୍ଛେଦ କରାଯାଇଥିଲେ ମଧ୍ୟ ମାନ୍ୟବର ବିଧାୟକ ଓ ସାଂସଦମାନଙ୍କୁ କାହିଁକି ଦିଆଯାଉଛି ବୋଲି ସଂଘର ସଭାପତି ବ୍ରହ୍ମାନନ୍ଦ ମହାରଣା ଅଭିଯୋଗ କରିଛନ୍ତି। ନିୟମ ଯଦି ସମସ୍ତଙ୍କ ପାଇଁ ସମାନ ଲାଗୁ କରାଯାଇଛି, ତବେ ବିଧାୟକ ଓ ସାଂସଦମାନେ କାହିଁକି ପୁରୁଣା ପେନସନ ଉପଭୋଗ କରୁଛନ୍ତି? ତେଣୁ ଶିକ୍ଷକ କର୍ମଚାରୀମାନଙ୍କୁ ୨୦୦୫ ମସିହା ପୂର୍ବ ପ୍ରଚଳିତ ପେନସନ ବ୍ୟବସ୍ଥା ଲାଗୁ କରିବାକୁ ଶିକ୍ଷକ ସଂଘ ଦାବି କରିଛି। ରାଜ୍ୟ ସରକାର ସମସ୍ତଙ୍କୁ ବିଜୁ ସ୍ୱାସ୍ଥ୍ୟ କାର୍ଡ଼ ଦେଉଥିବା ବେଳେ ଶିକ୍ଷକମାନଙ୍କୁ ସ୍ୱାସ୍ଥ୍ୟବୀମାରେ ଅନ୍ତର୍ଭୁକ୍ତ କରୁନାହାଁନ୍ତି।

ଶିକ୍ଷକମାନଙ୍କୁ କେନ୍ଦ୍ରୀୟ ହାରରେ ଦରମା ଓ ଶିକ୍ଷା ସହାୟକ କାର୍ଯ୍ୟକାଳକୁ ଚାକିରୀରେ ଗଣନା କରିବା, ଶିକ୍ଷକମାନଙ୍କୁ ସ୍ୱାସ୍ଥ୍ୟବୀମାରେ ସାମିଲ୍ କରିବାକୁ ପ୍ରାଥମିକ ବିଦ୍ୟାଳୟ ଶିକ୍ଷକ ସଂଘର ସାଧାରଣ ସମ୍ପାଦକ ବିଭୁ ପ୍ରସାଦ ସାହୁ ଦାବି କରିଛନ୍ତି। ବାରମ୍ବାର ଦାବି ସତ୍ତ୍ୱେ ସରକାର ଶିକ୍ଷକମାନଙ୍କର ନ୍ୟାୟୋଚିତ ଦାବିକୁ କାର୍ଯ୍ୟକାରୀ କରୁନଥିବାରୁ ପ୍ରାଥମିକ ବିଦ୍ୟାଳୟ ଶିକ୍ଷକ ସଂଘ, ଓଡ଼ିଶା ବାଧ୍ୟ ହୋଇ ଆସନ୍ତା ଡ଼ିସେମ୍ବର ୨୩ ତାରିଖରେ ଏକ ବିଶାଳ ଆନ୍ଦୋଳନର ଆୟୋଜନ କରିବାକୁ ଯାଉଛି ବୋଲି ସଂଘର ନେତୃବୃନ୍ଦ ମିଳିତ ଭାବେ ଏକ ପ୍ରେସ୍ ବିବୃତ୍ତିରେ ପ୍ରକାଶ କରିଛନ୍ତି।

ଏହି ସାମ୍ବାଦିକ ସମ୍ମିଳନୀରେ କୋଷାଧ୍ୟକ୍ଷ ଗୋପାଳ କିଶୋର ସେନ, ଟୁଲୁ ଦେଇ, ସୁଶିଲ କୁମାର ସେଠୀ, ସମରେଶ ବେହେରା, ସୁଶାନ୍ତ ମଲ୍ଲିକ ଓ ଜିତେନ୍ଦ୍ର କୁମାର ନାୟକ ପ୍ରମୁଖ ଉପସ୍ଥିତ ଥିଲେ।

Categories
ଆଜିର ଖବର ରାଜ୍ୟ ଖବର

ଏକାଥରେ ୪୦ ହଜାର ଶିକ୍ଷକଙ୍କୁ ପଦୋନ୍ନତି କଲେ ରାଜ୍ୟ ସରକାର

ଭୁବନେଶ୍ୱର :  ମୁଖ୍ୟମନ୍ତ୍ରୀଙ୍କ ନିର୍ଦ୍ଦେଶକ୍ରମେ ବିଦ୍ୟାଳୟ ଓ ଗଣଶିକ୍ଷା ବିଭାଗର ମୋଟ ୪୦ ହଜାର ୫୨ ଜଣ ପ୍ରାଥମିକ ଶିକ୍ଷକଙ୍କୁ ପଦୋନ୍ନତି ପ୍ରଦାନ କରାଯାଇଛି । ସେଥି ମଧ୍ୟରୁ ଲେବୁଲ-୫ରେ ୧୭ ହଜାର ୨୨୯ ଜଣ ଶିକ୍ଷକ ପଦୋନ୍ନତି ପାଇଥିବାବେଳେ ଲେବୁଲ୍‌-୪ରେ ୨୨ ହଜାର ୧୬୮ ଏବଂ ଲେବୁଲ୍‌-୩ରେ ୬୫୫ ଜଣ ଶିକ୍ଷକଶିକ୍ଷୟିତ୍ରୀ ପଦୋନ୍ନତି ପାଇଛନ୍ତି । ଏହାକୁ ନେଇ ଶିକ୍ଷକ ମହଲରେ ଆନନ୍ଦ ପ୍ରକାଶ ପାଇଛି ଏବଂ ଶିକ୍ଷକଶିକ୍ଷୟିତ୍ରୀମାନେ ମୁଖ୍ୟମନ୍ତ୍ରୀଙ୍କ ପ୍ରତି କୃତଜ୍ଞତା ଜ୍ଞାପନ କରିଛନ୍ତି ।

Categories
ବିଶେଷ ଖବର ରାଜ୍ୟ ଖବର

ରେସିଡେନ୍ସି ପିରିଅଡ କମିଲା: ରାଜ୍ୟର ୬୩ ହଜାରରୁ ଉର୍ଦ୍ଧ୍ଵ ପ୍ରାଥମିକ ଶିକ୍ଷକ ପାଇବେ ପଦୋନ୍ନତି

ଭୁବନେଶ୍ଵର: ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକଙ୍କ ନିର୍ଦ୍ଦେଶକ୍ରମେ ରାଜ୍ୟର ପ୍ରାଥମିକ ବିଦ୍ୟାଳୟ ଗୁଡିକର ଶିକ୍ଷକ ମାନଙ୍କ ପଦୋନ୍ନତି ପାଇଁ ଆବଶ୍ୟକ ରେସିଡେନ୍ସି ପିରିଅଡକୁ କମ କରାଯାଇଛି।

ଏହାଦ୍ବାରା ରାଜ୍ୟର ୬୩,୩୦୩ ଜଣ ପ୍ରାଥମିକ ଶିକ୍ଷକ ପଦୋନ୍ନତି ପାଇପାରିବେ। ତା ସହିତ ଉଚ୍ଚପ୍ରାଥମିକ ସ୍ତରରେ ବିଭିନ୍ନ ବିଷୟ ପାଇଁ ଶିକ୍ଷକ ପଦବୀ ପୂରଣ ହେବ ଏବଂ ପ୍ରାଥମିକ ଓ ଉଚ୍ଚପ୍ରାଥମିକ ସ୍ତରରେ ପ୍ରଧାନ ଶିକ୍ଷକ ପଦବୀ ଗୁଡିକ ମଧ୍ୟ ପୂରଣ ହୋଇପାରିବ। ପ୍ରାଥମିକ ଶିକ୍ଷା କ୍ଷେତ୍ରରେ ବିଭିନ୍ନ ସ୍ତରରେ ଶିକ୍ଷକ ଅଭାବ ପୂରଣ ହେବା ଦ୍ବାରା ପ୍ରାଥମିକ ବିଦ୍ୟାଳୟ ଗୁଡିକର ପରିଚାଳନାରେ ଉନ୍ନତି ଆସିବା ସହିତ ଶୈକ୍ଷିକ ପରିବେଶରେ ମଧ୍ୟ ଉନ୍ନତି ଆସିପାରିବ ବୋଲି ମୁଖ୍ୟମନ୍ତ୍ରୀ ଆଶାପ୍ରକାଶ କରିଛନ୍ତି।

ଏହି ପ୍ରସ୍ତାବ କାର୍ଯ୍ୟକାରୀ ହେବା ଦ୍ବାରା ୫(ଏ) ସ୍ତରରେ ଥିବା ୨୯,୭୫୯ ଜଣ ସହକାରୀ ଶିକ୍ଷକ ୫(ବି) ସ୍ତରକୁ ପଦୋନ୍ନତି ପାଇବେ ଏବଂ ୫(ବି) ସ୍ତରରେ ଥିବା ୨୯,୭୫୯ ଜଣ ବରିଷ୍ଠ ଶିକ୍ଷକ ତୁରନ୍ତ ଲେଭେଲ-୪ କୁ ପଦୋନ୍ନତି ପାଇବେ। ଏହାସହିତ ଲେଭେଲ-୪ରେ ଥିବା ୩୭୮୫ ଜଣ ପ୍ରଧାନ ଶିକ୍ଷକ ସେପ୍ଟେମ୍ବର ମାସ ସୁଦ୍ଧା ଲେଭେଲ-୩ କୁ ପଦୋନ୍ନତି ପାଇବେ। ଲେଭେଲ ୫(ବି) ରେ ଥିବା ସହକାରୀ ଶିକ୍ଷକ ମାନଙ୍କ ପାଇଁ ରେସିଡେସନ୍‌ସି ପିରିଅଡକୁ ଏକ ବର୍ଷରୁ ୬ ମାସ କରାଯାଇଥିବା ବେଳେ, ଲେଭେଲ-୪ ରୁ ଲେଭେଲ-୩ କୁ ପଦୋନ୍ନତି ପାଇବା ପାଇଁ ରେସିଡ଼େନସି ପିରିଅଡର ସୀମା ୨ ବର୍ଷରୁ ୧ ବର୍ଷ କରାଯାଇଛି।

ସୂଚନାଯୋଗ୍ୟ ଯେ ୨୦୧୯ରେ ପ୍ରାଥମିକ ଶିକ୍ଷକ ମାନଙ୍କ କ୍ୟାଡରର ପୁନର୍ଗଠନ କରାଯାଇ ଲେଭେଲ-୪ ରେ ୨୧,୪୬୩ ଶିକ୍ଷକ ପଦବୀ ସ୍ଥାନରେ ୫୧,୧୬୪ ଟି ପଦବୀ ସୃଷ୍ଟି କରାଯାଇଥିଲା ଏବଂ ଲେଭେଲ-୩ ରେ ଥିବା ୯୩୦୫ ଟି ପଦବୀ ସ୍ଥାନରେ ୧୮,୭୬୯ ଶିକ୍ଷକ ପଦବୀ ସୃଷ୍ଟି କରାଯାଇଥିଲା।

ଏହି ଅବସରରେ ମୁଖ୍ୟମନ୍ତ୍ରୀନବୀନ ପଟ୍ଟନାୟକ ପଦୋନ୍ନତି ପାଇବାକୁ ଯାଉଥିବା ସବୁ ଶିକ୍ଷକ ମାନଙ୍କୁ ଅଭିନନ୍ଦନ ଜଣାଇବା ସହ ଗୁଣାତ୍ମକ ଶିକ୍ଷାଦାନ ଦିଗରେ ରାଜ୍ୟ ସରକାରଙ୍କ ଉଦ୍ୟମର ସଫଳତା ରେ ସମସ୍ତ ଙ୍କ ସହଯୋଗ କାମନା କରିଛନ୍ତି।