ପୁରୁଣା ପେନସନ ଦାବିରେ ଡ଼ିସେମ୍ବର ୨୩ରେ ପ୍ରାଥମିକ ଶିକ୍ଷକମାନଙ୍କ ଆନ୍ଦୋଳନ

Published: Dec 16, 2021, 7:12 pm IST

ଭୁବନେଶ୍ୱର: ରାଜ୍ୟ ସରକାର ରାଜ୍ୟରେ ଶିକ୍ଷକ-କର୍ମଚାରୀ ମାରଣ ନୀତି ଜାରି ରଖିଛନ୍ତି। ୬ ବର୍ଷ ଠିକା ଓ ଚୁକ୍ତିରେ ବିଦ୍ୟାଳୟରେ କାର୍ଯ୍ୟ କରାଇ ଉଚ୍ଚଶିକ୍ଷିତ ଯୁବକଯୁବତୀମାନଙ୍କୁ ଶୋଷଣ କରୁଛନ୍ତି। ୬ ବର୍ଷ କାଳ ଶିକ୍ଷକମାନଙ୍କୁ କମ୍ ଦରମା ଦେଉଛନ୍ତି। ଦେଶର ପ୍ରାୟ ସମସ୍ତ ରାଜ୍ୟରେ ଶିକ୍ଷକମାନଙ୍କୁ ସପ୍ତମ ବେତନ କମିଶନରେ ୪୨୦୦ଟଙ୍କା ଗ୍ରେଡ୍ ପେ ଦେଇ ଦରମା ସଂଶୋଧନ କରିଥିବା ବେଳେ ଆମ ରାଜ୍ୟରେ ପ୍ରାଥମିକ ଶିକ୍ଷକମାନଙ୍କୁ ଦରମା ସପ୍ତମ ବେତନ କମିଶନରେ ଗ୍ରେଡ୍ ପେ ୨୨୦୦ ଟଙ୍କା ଦରମା ସଂଶୋଧନ କରିଥିବାରୁ ଅନ୍ୟ ରାଜ୍ୟ ଶିକ୍ଷକମାନଙ୍କ ଦରମା ଠାରୁ ସର୍ବନିମ୍ନ ଦରମା ହୋଇଛି।

ସର୍ବୋଚ୍ଚ ଅଦାଲତ ସମାନ କାମକୁ ସମାନ ଦରମା ଦେବା ପାଇଁ କହିଥିବା ବେଳେ ରାଜ୍ୟ ସରକାର ତାହାକୁ ମାନୁନାହାଁନ୍ତି। ଶିକ୍ଷା ଅଧିକାର ଆଇନରେ ସମସ୍ତ ଶିକ୍ଷକମାନଙ୍କୁ ପେନସନ, ଗ୍ରାଚୁଇଟି, ମେଡ଼ିକାଲ ଭତ୍ତା, ଭବିଷ୍ୟନିଧି ପାଣ୍ଠି, ଡ଼ାକ୍ତରୀ ସୁବିଧା, ସ୍ୱାସ୍ଥ୍ୟବୀମା ଓ ଅବସରକାଳୀନ ସୁବିଧା ସୁଯୋଗ ଦେବା ପାଇଁ ରାଜ୍ୟ ସରକାର ଆଇନ କରିଥିବା ବେଳେ ତାହାକୁ ନିଜେ ଉଲଂଘନ କରୁଛନ୍ତି। ଶିକ୍ଷକମାନେ ୩୦ରୁ ୩୫ବର୍ଷ କାର୍ଯ୍ୟ କରିବା ପରେ ସେମାନଙ୍କୁ ଖାଲି ହାତରେ ଅବସର ନେବାକୁ ପଡ଼ୁଛି । ଜଗତୀକରଣ ଓ ଉଦାରୀକରଣ ଅର୍ଥନୀତିର ଚାପରେ ରାଜ୍ୟ ଓ କେନ୍ଦ୍ର ସରକାର ପୁରୁଣା ପେନସନ ବ୍ୟବସ୍ଥାକୁ ବନ୍ଦ କରି ଯେଉଁ ନୂତନ ପେନସନ ବ୍ୟବସ୍ଥା ୨୦୦୫ ମସିହା ଠାରୁ ପ୍ରଚଳନ କରିଛନ୍ତି ସେଥିରେ କିଛି ବିଶେଷ ସୁବିଧା ସୁଯୋଗ ଶିକ୍ଷକ କର୍ମଚାରୀଙ୍କୁ ମିଳୁନାହିଁ। ଜଣେ ଶିକ୍ଷକ ଅବସର ନେଲେ ନୂତନ ପେନସନ ନିୟମ ଅନୁଯାୟୀ ସେମାନଙ୍କୁ ୫୦୦ରୁ ୧୦୦୦ ଟଙ୍କା ପର୍ଯ୍ୟନ୍ତ ପେନସନ ମିଳୁଛି।

ଯାହାଦ୍ୱାରା ଅବସର ନେଉଥିବା ଶିକ୍ଷକ କର୍ମଚାରୀମାନଙ୍କ ଚାକିରୀର ଅବଶିଷ୍ଟ ଜୀବନକାଳ ଦୁଃଖକଷ୍ଟରେ ଅତିବାହିତ କରିବାକୁ ପଡୁଛି। ୨୦୦୫ ମସିହା ପୂର୍ବ ପ୍ରଚଳିତ ପେନସନ ବ୍ୟବସ୍ଥା ସମସ୍ତଙ୍କ ପାଇଁ ଉଚ୍ଛେଦ କରାଯାଇଥିଲେ ମଧ୍ୟ ମାନ୍ୟବର ବିଧାୟକ ଓ ସାଂସଦମାନଙ୍କୁ କାହିଁକି ଦିଆଯାଉଛି ବୋଲି ସଂଘର ସଭାପତି ବ୍ରହ୍ମାନନ୍ଦ ମହାରଣା ଅଭିଯୋଗ କରିଛନ୍ତି। ନିୟମ ଯଦି ସମସ୍ତଙ୍କ ପାଇଁ ସମାନ ଲାଗୁ କରାଯାଇଛି, ତବେ ବିଧାୟକ ଓ ସାଂସଦମାନେ କାହିଁକି ପୁରୁଣା ପେନସନ ଉପଭୋଗ କରୁଛନ୍ତି? ତେଣୁ ଶିକ୍ଷକ କର୍ମଚାରୀମାନଙ୍କୁ ୨୦୦୫ ମସିହା ପୂର୍ବ ପ୍ରଚଳିତ ପେନସନ ବ୍ୟବସ୍ଥା ଲାଗୁ କରିବାକୁ ଶିକ୍ଷକ ସଂଘ ଦାବି କରିଛି। ରାଜ୍ୟ ସରକାର ସମସ୍ତଙ୍କୁ ବିଜୁ ସ୍ୱାସ୍ଥ୍ୟ କାର୍ଡ଼ ଦେଉଥିବା ବେଳେ ଶିକ୍ଷକମାନଙ୍କୁ ସ୍ୱାସ୍ଥ୍ୟବୀମାରେ ଅନ୍ତର୍ଭୁକ୍ତ କରୁନାହାଁନ୍ତି।

ଶିକ୍ଷକମାନଙ୍କୁ କେନ୍ଦ୍ରୀୟ ହାରରେ ଦରମା ଓ ଶିକ୍ଷା ସହାୟକ କାର୍ଯ୍ୟକାଳକୁ ଚାକିରୀରେ ଗଣନା କରିବା, ଶିକ୍ଷକମାନଙ୍କୁ ସ୍ୱାସ୍ଥ୍ୟବୀମାରେ ସାମିଲ୍ କରିବାକୁ ପ୍ରାଥମିକ ବିଦ୍ୟାଳୟ ଶିକ୍ଷକ ସଂଘର ସାଧାରଣ ସମ୍ପାଦକ ବିଭୁ ପ୍ରସାଦ ସାହୁ ଦାବି କରିଛନ୍ତି। ବାରମ୍ବାର ଦାବି ସତ୍ତ୍ୱେ ସରକାର ଶିକ୍ଷକମାନଙ୍କର ନ୍ୟାୟୋଚିତ ଦାବିକୁ କାର୍ଯ୍ୟକାରୀ କରୁନଥିବାରୁ ପ୍ରାଥମିକ ବିଦ୍ୟାଳୟ ଶିକ୍ଷକ ସଂଘ, ଓଡ଼ିଶା ବାଧ୍ୟ ହୋଇ ଆସନ୍ତା ଡ଼ିସେମ୍ବର ୨୩ ତାରିଖରେ ଏକ ବିଶାଳ ଆନ୍ଦୋଳନର ଆୟୋଜନ କରିବାକୁ ଯାଉଛି ବୋଲି ସଂଘର ନେତୃବୃନ୍ଦ ମିଳିତ ଭାବେ ଏକ ପ୍ରେସ୍ ବିବୃତ୍ତିରେ ପ୍ରକାଶ କରିଛନ୍ତି।

ଏହି ସାମ୍ବାଦିକ ସମ୍ମିଳନୀରେ କୋଷାଧ୍ୟକ୍ଷ ଗୋପାଳ କିଶୋର ସେନ, ଟୁଲୁ ଦେଇ, ସୁଶିଲ କୁମାର ସେଠୀ, ସମରେଶ ବେହେରା, ସୁଶାନ୍ତ ମଲ୍ଲିକ ଓ ଜିତେନ୍ଦ୍ର କୁମାର ନାୟକ ପ୍ରମୁଖ ଉପସ୍ଥିତ ଥିଲେ।

Related posts