Categories
ଆଜିର ଖବର ରାଜ୍ୟ ଖବର

ଓଡିଶା ଗ୍ରାମ୍ୟ କୃଷି କର୍ମଚାରୀ ସଂଘର କାର୍ଯ୍ୟ ବନ୍ଦ ଆନ୍ଦୋଳନ: ପ୍ରଭାବିତ ହେବେ ଚାଷିକୂଳ

ଭୁବନେଶ୍ଵର: ଓଡିଶା ଗ୍ରାମ୍ୟ କୃଷି କର୍ମଚାରୀ ସଂଘର କ୍ୟାଡର ପୁନର୍ଗଠନ, ଗ୍ରେଡ ପେ ଆଦି ଦାବିକୁ ନେଇ କାର୍ଯ୍ୟ ବନ୍ଦ ଆନ୍ଦୋଳନର ଆରମ୍ଭରେ ଅତ୍ୟନ୍ତ ବିନମ୍ରତାର ସହ ଜଣାଉ ଅଛୁ ଯେ, ଦୀର୍ଘ ୫୦ ବର୍ଷରୁ ଊର୍ଦ୍ଧ୍ଵ ସମୟ ଧରି କୃଷି ବିଭାଗର ମୂଳ ମେରୁଦଣ୍ଡ ଭାବରେ କାମ କରୁଥିବା ଓଡିଶା ଗ୍ରାମ୍ୟ କୃଷି କର୍ମଚାରୀମାନଙ୍କର ମୁଖ୍ୟ ଦାବି କ୍ୟାଡର ପୁନର୍ଗଠନ, ଗ୍ରେଡ ପେ ଆଦି ଅନ୍ୟାନ୍ୟ ଦାବୀର ବିଚାର କରାଗଲା ନାହିଁ। ଦୀର୍ଘ ଏକ ବର୍ଷ ଧରି ସଂଘ ପକ୍ଷରୁ ଶତାଧିକ ପତ୍ର ମାଧ୍ୟମରେ ଅନୁନୟ ବିନୟ କରାଯାଇ ଆସୁଥିଲେ ମଧ୍ୟ କର୍ତ୍ତୁପକ୍ଷ ଏ ଦିଗରେ ସଂପୂର୍ଣ୍ଣ ଉଦାସୀନ ରହି ଆସୁଛନ୍ତି। ଏପରିକି ଆଲୋଚନା ମାଧ୍ୟମରେ ସଂଘ ପକ୍ଷରୁ ଆଗତ କ୍ୟାଡର ପୁନର୍ଗଠନ ପ୍ରସ୍ତାବ ଉପରେ ସାମାନ୍ୟ ଆଲୋଚନା କରି ପରବର୍ତ୍ତୀ କାର୍ଯ୍ୟାନୁଷ୍ଠାନ ଗ୍ରହଣ କରାଗଲା ନାହିଁ। ଏପରିକି ଆନ୍ତମନ୍ତ୍ରୀ ମଣ୍ଡଳ କମିଟିକୁ କ୍ୟାଡର ପୁନର୍ଗଠନ ପ୍ରସ୍ତାବ ର ସବିଶେଷ ତଥ୍ୟ ପ୍ରଦାନ କରାଗଲା ନାହିଁ।

ଆଉ ମାତ୍ର ଅଳ୍ପ ଦିନ ବ୍ୟବଧାନରେ ସାଧାରଣ ନିର୍ବାଚନ ଓ ଏଥିପାଇଁ ଆଦର୍ଶ ଆଚରଣ ବିଧି ମୁଖ୍ୟ ନିର୍ବାଚନ ଆୟୁକ୍ତଙ୍କ ଦ୍ଵାରା ଜାରିହେବ। ଦୀର୍ଘ ଏକ ବର୍ଷ ଧରି ଏ ଦିଗରେ ସାମାନ୍ୟ ପଦକ୍ଷେପ ଗ୍ରହଣ କରାନଯାଇ ଆମଭଳି ସ୍ୱଳ୍ପ ଦରମାରେ ଦିନରାତି ଅକ୍ଲାନ୍ତ ପରିଶ୍ରମ କରୁଥିବା ଗ୍ରାମ୍ୟ କୃଷି କର୍ମଚାରୀଙ୍କ ପ୍ରତି ବିଭାଗୀୟ ହେୟଜ୍ଞାନ , ଅବହେଳା ତଥା ନିଷ୍ଠୁରତା କୁ କୃଷି କର୍ମଚାରୀ ମାନେ ଅଧିକ ଦିନ ବରଦାସ୍ତ କରିବାକୁ ଉଚିତ ମାନେ କରୁ ନାହାନ୍ତି।

ଏଣୁ ବାଧ୍ୟ ହୋଇ ନିଜ ପେଟ ପାଟଣା ଓ ଭବିଷ୍ୟତ ର ସୁରକ୍ଷା ଦୃଷ୍ଟିରୁ ସାରା ରାଜ୍ୟର ସମସ୍ତ ଗ୍ରାମ୍ୟ କୃଷି କର୍ମଚାରୀ ଫେବୃୟାରୀ ୮ ତାରିଖ ଠାରୁ ୧୨ ତାରିଖ ପର୍ଯ୍ୟନ୍ତ ବ୍ୟକ୍ତିଗତ ମୋବାଇଲକୁ କୌଣସି ସରକାରୀ ସେବା ନିମନ୍ତେ ଆମେ ବ୍ୟବହାର କରି ନାହୁଁ ଓ ଅଧିକାରୀଙ୍କ ଦ୍ଵାରା ଗଠିତ ଗ୍ରୁପ / ଆପ ରୁ ଓହରି ଆସିଛୁ। ଏହା ସତ୍ତ୍ୱେ କର୍ତ୍ତୁପକ୍ଷ ତଥାପି ଆମ ଦାବି ପୁରଣରେ ଉଦାସୀନ ରହିଛନ୍ତି। ତେଣୁ ଆସନ୍ତା ୧୩ ତାରିଖରୁ ୧୯ ତାରିଖ ପର୍ଯ୍ୟନ୍ତ ସମ୍ପୃକ୍ତ ଜିଲ୍ଲାର ଗ୍ରାମ୍ୟ କୃଷି କର୍ମଚାରୀ ଜିଲ୍ଲା ମୁଖ୍ୟ କୃଷି ଅଧିକାରୀଙ୍କ ସରକାରୀ ଦପ୍ତର ସମ୍ମୁଖରେ ସାମୁହିକ ଶାନ୍ତି ପୂର୍ଣ୍ଣ ଧାରଣା ଦିଆଯିବ।

ଏହା ସତ୍ତ୍ୱେ କର୍ତ୍ତୁପକ୍ଷ ତଥାପି ଆମ ଦାବି ପୁରଣରେ ଯଦି ଉଦାସୀନ ରହନ୍ତି, ତେବେ ଆସନ୍ତା ୨୦ ତାରିଖ ଠାରୁ ଦାବି ପୂରଣ ପର୍ଯ୍ୟନ୍ତ କୃଷି ଭବନ, ଭୁବନେଶ୍ଵର ଠାରେ ଶାନ୍ତି ପୂର୍ଣ୍ଣ ଭାବେ ଅନିର୍ଦ୍ଧିଷ୍ଠ କାଳ ପର୍ଯ୍ୟନ୍ତ ଧାରଣାରେ ବସିରହିବୁ।

ଏହି କାର୍ଯ୍ୟକ୍ରମ ପାଇଁ ଯଦି କୃଷି ଓ କୃଷକଙ୍କ ସ୍ଵାର୍ଥରେ ହାନି ଘଟେ ସେଥିପାଇଁ ବିଭାଗ ବା ସରକାର ଦାୟୀ ରହିବେ। କୃଷି ବିଭାଗର ଏହି ଅବହେଳିତ କର୍ମଚାରୀଙ୍କ ପ୍ରତି ନ୍ୟାୟ ପ୍ରଦାନ ନିମନ୍ତେ ସଦୟ ଦୃଷ୍ଠି ଦେବା ସହ ଆମର ବାଞ୍ଛିତ ଓ ପ୍ରତିଖିତ ନ୍ୟାୟୋଚିତ ଦାବି ପୂରଣ ନିମନ୍ତେ କର୍ତ୍ତୁପକ୍ଷ ବଳିଷ୍ଠ ଓ ତତ୍କାଳୀନ କାର୍ଯ୍ୟନୁଷ୍ଠାନ ଗ୍ରହଣ କରିବେ ବୋଲି ଓଡିଶା ଗ୍ରାମ୍ୟ କୃଷି କର୍ମଚାରୀ ସଂଘ ଆଶା ପ୍ରକଟ କରିଛି।

Categories
ଆଜିର ଖବର ରାଜ୍ୟ ଖବର

ଆନ୍ଦୋଳନରୁ ଓହରିଲା ଓଡ଼ିଶା ପରିବହନ କର୍ମଚାରୀ ମହାସଂଘ

ଭୁବନେଶ୍ୱର: ପରିବହନ କର୍ମଚାରୀଙ୍କ ଆନ୍ଦୋଳନକୁ ନେଇ ଏକ ବଡ ଖବର ଆସିଛି। ପ୍ରତ୍ୟାହୃତ ହୋଇଛି। ଆନ୍ଦୋଳନ ପ୍ରତ୍ୟାହାର କରିବାକୁ ଓଡ଼ିଶା ପରିବହନ କର୍ମଚାରୀ ମହାସଂଘ ନିଷ୍ପତ୍ତି ନେଇଥିବା ଜଣାପଡିଛି। ପରିବହନ କର୍ମଚାରୀ ଓ ମୁଖ୍ୟ ଶାସନ ସଚିବଙ୍କ ଆଲୋଚନା ପରେ ଧର୍ମଘଟ ପ୍ରତ୍ୟାହୃତ ହୋଇଛି। ଏନେଇ ମହାସଂଘର ସଭାପତି ଜନାର୍ଦ୍ଧନ ପତି ସୂଚନା ଦେଇଛନ୍ତି।

Categories
ଆଞ୍ଚଳିକ

ଗଙ୍ଗାଧରପୁର ଉପ ଡାକଘର ସମ୍ମୁଖରେ ଗ୍ରାମୀଣ ଡାକ ସେବକଙ୍କ ଅନିର୍ଦ୍ଦିଷ୍ଟ କାଳ ଆନ୍ଦୋଳନ

ନାଚୁଣୀ (ସୀତାରାମ ଅଗ୍ରୱାଲ): ଚିଲିକା ବ୍ଲକର ଗଙ୍ଗାଧରପୁର ଉପ ଡାକଘର ସମ୍ମୁଖରେ ଗ୍ରାମୀଣ ଶାଖା ଡାକ ଘର ଡାକପାଳଙ୍କ ପକ୍ଷରୁ ଆଜି ଠାରୁ ଅନିର୍ଦ୍ଦିଷ୍ଟ କାଳ ଯାଏ ଆନ୍ଦୋଳନ ଆରମ୍ଭ ହୋଇଛି। ଏଥିରେ ମୋଟ ୮ ଟି ଗ୍ରାମୀଣ ଶାଖା ଡାକ ଘର ଯଥା ନଇରୀ, ଵଉଳାବନ୍ଧ, ନାଚୁଣୀ, ସୁନାଖଳା, ସଲପଡିହ, କୁଲେଇ, ହରିକୁଣ୍ଡ ଵରଡିହ ସାମିଲ ହୋଇଛନ୍ତି। ଫଳରେ ଗଙ୍ଗାଧର ପୁର ଉପଡାକ ଘର ସମେତ ଉପରୋକ୍ତ ଶାଖା ଡାକ ଘରର ଡାକ ସେବା ବ୍ୟାହତ ହୋଇଯାଇଛି।

ସ°ପୃକ୍ତ ଗ୍ରାମୀଣ ଶାଖା ଡାକଘରର ଡାକପାଳ ଯଥା ଦୁର୍ଗା ପ୍ରସାଦ ଜେନା, ଲକ୍ଷ୍ମୀକାନ୍ତ ଘଡେ଼ଇ, ପ୍ରଶାନ୍ତ ବେହେରା, ହୁସନାରା ଵେଗମ, ଅପରାଜିତା କହଁର, ମୋହିନୀ ହେମ୍ବ୍ରମ, ସୈ।ମିତ୍ରୀ ରାଉତରାୟ, ଖଗେଶ୍ବର ବାରିକ, ରମେଶ ଚନ୍ଦ୍ର ସାମନ୍ତରାୟ, ଶୁଭଶ୍ରୀ ବେହେରା ସାମିଲ ହୋଇ ଆନ୍ଦୋଳନ ଓ ଧାରଣାରେ ବସିଥିବା ପ୍ରକାଶ।

ସୂଚନା ଅନୁସାରେ ଗ୍ରାମୀଣ ଶାଖା ଡାକ ଘରର ଡାକପାଳଙ୍କ ୧୦ ଦଫା ଦାବି ପୁରଣ ନହେଲେ ଆଗକୁ ଏହି ଆନ୍ଦୋଳନ ଅନିର୍ଦ୍ଦିଷ୍ଟ କାଳ ପର୍ଯ୍ୟନ୍ତ ଚାଲିବ ବୋଲି ଆନ୍ଦୋଳନ କାରୀଙ୍କ ସୂତ୍ରରୁ ପ୍ରକାଶ।

Categories
ଆଜିର ଖବର ଜାତୀୟ ଖବର ବ୍ୟବସାୟ

ନମୋ ଆପରେ ସ୍ୱଦେଶୀ ଉତ୍ପାଦ ସହ ସେଲଫି ସେୟାର କରିବାକୁ ନାଗରିକଙ୍କୁ ଅନୁରୋଧ କଲେ ପ୍ରଧାନମନ୍ତ୍ରୀ

ନୂଆଦିଲ୍ଲୀ: ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦୀ ସ୍ଥାନୀୟ ଉତ୍ପାଦଗୁଡ଼ିକର ପ୍ରଚାର ପ୍ରସାର ଉପରେ ଏକ ପ୍ରେରଣାଦାୟୀ ଭିଡିଓ ସେୟାର କରି କହିଛନ୍ତି ଯେ ଭୋକାଲ୍ ଫର୍ ଲୋକାଲ୍ ଅଭିଯାନ ସମଗ୍ର ଦେଶରେ ଦ୍ରୁତ ଗତିରେ ଚାଲିଛି। ନମୋ ଆପରେ ସ୍ୱଦେଶୀ ଉତ୍ପାଦ ସହ ସେଲ୍ଫି ସେୟାର କରିବା ଏବଂ ୟୁପିଆଇ ମାଧ୍ୟମରେ ଦେୟ ପଇଠ କରିବାକୁ ଶ୍ରୀ ମୋଦୀ ନାଗରିକମାନଙ୍କୁ ଅନୁରୋଧ କରିଛନ୍ତି।

ପ୍ରଧାନମନ୍ତ୍ରୀ ଏକ୍ସରେ ପୋଷ୍ଟ କରି କହିଛନ୍ତି ଯେ, ‘‘ସାରା ଦେଶରେ ଭୋକାଲ୍ ଫର୍ ଲୋକାଲ ଆନ୍ଦୋଳନ ଜୋର ଧରିଛି ।’’

Categories
ବିଶେଷ ଖବର ରାଜ୍ୟ ଖବର

ଆୟୁଷ ଛାତ୍ରଛାତ୍ରୀଙ୍କ ଆନ୍ଦୋଳନ ପ୍ରତ୍ୟାହୃତ, ଦାବୀ ପୂରଣ ପାଇଁ ସମୟ ନେଲେ ସରକାର

ଭୁବନେଶ୍ବର: ଦୀର୍ଘ ଏକ ମାସ ଧରି ନିଜର ହକ ପାଇଁ ଦାବୀ କରି ଆସୁଥିବା ଓ ପାଞ୍ଚ ଦିନ ଧରି ବିଧାନସଭା ଆଗରେ ନିଜର ଦାବୀ ନେଇ ଧାରଣା ଓ ପ୍ରତିବାଦ କରୁଥିବା ଆୟୁଷ ଡାକ୍ତରୀ ଛାତ୍ରଛାତ୍ରୀ ଙ୍କ ଆକ୍ରୋସ ପରେ ପୋଲିସ ସହିତ ସେମାନଙ୍କ ମତାନ୍ତର ହେବାରୁ ଶେଷରେ ପୁନଶ୍ଚ ରାଜ୍ୟ ସରକାର ଆଲୋଚନା କରିବା ପାଇଁ ଡାକିଥିଲେ ଏଠାରେ ସ୍ୱାସ୍ଥ୍ୟ ବିଭାଗ ସଚିବ ଶାଳୀନ ପଣ୍ଡିତ,ଉପସଚିବ ସୁମିତ୍ରା ସେନାପତି, ଅନ୍ୟାନ୍ୟ ପ୍ରଶାସନିକ ଅଧିକାରୀ ପ୍ରମୁଖ ଯୋଗ ଦେଇ ଆନ୍ଦୋଳନ ରତ ଆୟୁଷ ଡ଼ାକ୍ତରୀ ଛାତ୍ର ଛାତ୍ରୀ ଙ୍କ ଦାବୀ ପୂରଣ ନେଇ ମହଲତ ମାଗିଥିଲେ।

ବିଧାନସଭା ପରେ ଆନ୍ତଃ ମନ୍ତ୍ରୀ ସ୍ତରୀୟ ବୈଠକରେ ତୁରନ୍ତ ସେମାନଙ୍କ ଦାବୀ ପୂରଣ କରାଯିବ ବୋଲି ପ୍ରତିଶ୍ରୁତି ଦେଇ ତୁରନ୍ତ ଆନ୍ଦୋଳନ ପ୍ରତ୍ୟାହୃତ କରିବାକୁ ଅନୁରୋଧ କରିଥିଲେ। ପରେ ଆନ୍ଦୋଳନ ରତ ଛାତ୍ର ଛାତ୍ରୀ ଆନ୍ତଃ ମନ୍ତ୍ରୀ ସ୍ତରୀୟ କମିଟି ମେମ୍ବର ଓ ଅନ୍ୟାନ୍ୟ ବିଧାୟକ ଙ୍କ ସହିତ ଯୋଗାଯୋଗ କରି ବିଧାନସଭା ପରେ ଆନ୍ତଃ ମନ୍ତ୍ରୀ ସ୍ତରୀୟ ବୈଠକରେ ଆଲୋଚନା କରି ଏମାନଙ୍କ ଦାବୀ ପୂରଣ ପାଇଁ ପ୍ରତିଶ୍ରୁତି ଦେବାପରେ ଆଜି ଆୟୁଷ ଡ଼ାକ୍ତରୀ ଛାତ୍ର ଛାତ୍ରୀ ଆନ୍ଦୋଳନ ପ୍ରତ୍ୟାହୃତ କରିବା ପାଇଁ ନିଷ୍ପତ୍ତି ନେଇଛନ୍ତି।

ଗତ ମାସ୨୫ତାରିଖ ରୁ ଦୀର୍ଘ ଏକ ମାସ ରୁ ଅଧିକ ଦିନ ଧରି ରାଜ୍ୟର ସାତୋଟି ସରକାରୀ ଆୟୁଷ ଡାକ୍ତରୀ ଛାତ୍ରଛାତ୍ରୀ ଙ୍କ ପକ୍ଷ ରୁ ଆନ୍ଦୋଳନ ଜାରି ରହିଥିଲା।ରାଜ୍ୟରେ ମୋଟ ୧୧୮୧ଟି ଆୟୁଷ ଡ଼ିସ୍ପେନସାରି ଥିବା ବେଳେ ଦୀର୍ଘ ୨୧ବର୍ଷ ଧରି ରାଜ୍ୟରେ ନୂତନ ଭାବେ ଆୟୁଷ ଦିସ୍ପେନସାରି ଖୋଲାଯାଇନଥିବା ଦୁର୍ଭାଗ୍ୟ ର ବିଷୟ ବୋଲି ଆୟୁଷ ସଂଘ କହିଛି।

ନୂତନ ଭାବେ ରାଜ୍ୟ ସରକାର ୫୦୦ଟି ହୋମିଓପ୍ୟାଥିକ ଓ ୫୦୦ଟି ଆୟୁର୍ବେଦିକ ଦିସ୍ପେନସାରି ଖୋଲିବା ଆୟୁଷ ଡ଼ାକ୍ତରୀ ଛାତ୍ର ଛାତ୍ରୀ ଙ୍କ ମୁଖ୍ୟ ଦାବୀ ରହିଛି। ଏଥି ସହିତ ସାତୋଟି ସରକାରୀ ଆୟୁଷ ଭେଷଜ ମହାବିଦ୍ୟାଳୟ ର ଭିତ୍ତିଭୂମି ଓ ମାନଵ ସମ୍ବଳ ର ବିକାଶ, ସମସ୍ତ କଲେଜ ରେ ପିଜି ସିଟ ବୃଦ୍ଧି, ହାଉସ ସର୍ଜନ ଙ୍କ ଭତ୍ତା ବୃଦ୍ଧି,ଆଦି ଦାବି ମଧ୍ୟ ଅନ୍ୟତ୍ତମ। ଆଜି ପର୍ଯ୍ୟନ୍ତ ଏଲୋପାଠୀକ ଡାକ୍ତର ଓ ପ୍ରାଣୀ ଚିକିତ୍ସକ ଙ୍କୁ କ୍ୟାଡର କରି ରାଜ୍ୟ ସରକାର ସେମାନଙ୍କୁ କ୍ଲାସ ୱାନ ଅଫିସର ଘୋଷଣା କରିଥିବା ବେଳେ ଏମାନଙ୍କ ଦାବୀ ପ୍ରତି ଆନ୍ତରିକତା ଦେଖାଉ ନ ଥିବା ସଂଘ କହିଛି।

ଏମାନଙ୍କ ଦାବୀ ସମ୍ପର୍କରେ ସ୍ୱାସ୍ଥ୍ୟ ସଚିବ, ସ୍ୱାସ୍ଥ୍ୟ ମନ୍ତ୍ରୀ ଆୟୁଷ ପ୍ରତିନିଧି ଦଳ ଙ୍କ ସହିତ ଆଲୋଚନା କରି ଆନ୍ତଃ ମନ୍ତ୍ରୀ ସ୍ତରୀୟ କମିଟି କୁ ପ୍ରସ୍ତାବ ପ୍ରେରଣ କରି ଚୁପ ରହିବା କାରଣରୁ ଆୟୁଷ ଛାତ୍ର ଛାତ୍ରୀ ବାଧ୍ୟ ହୋଇ ବିଧାନସଭା ଆଗରେ ଧାରଣା ଦେଇଥିଲେ।

ଆୟୁଷ ଡ଼ାକ୍ତରୀ ଛାତ୍ର ସଂଗଠନ ପକ୍ଷରୁ ରାଜ୍ୟ ସରକାରଙ୍କ ସହିତ ଆଲୋଚନା କରିବା ପାଇଁ ପ୍ରସ୍ତୁତି କରାଯାଉଥିବା ବେଳେ ପୋଲିସ ଲଗାଇ ଆନ୍ଦୋଳନ ସ୍ଥଳରେ ତାଙ୍କୁ ତାଙ୍କୁ ଦମନ କରିବା ପାଇଁ ଯେଉଁ ସବୁ ଯୋଜନା କରାଗଲା ତାକୁ ରାଜ୍ୟର ସମସ୍ତ ଆୟୁଷ ଡାକ୍ତର ସଂଘ ଓ ଆୟୁଷ ଛାତ୍ର ଛାତ୍ରୀ ନିନ୍ଦା କରିଛନ୍ତି।

ରାଜ୍ୟ ସରକାର ଆୟୁଷ ଛାତ୍ର ଛାତ୍ରୀ ଙ୍କ ଦାବୀ ତୁରନ୍ତ ପୂରଣ କରିବା ପାଇଁ ଅନୁରୋଧ କରିବା ସହିତ ଆୟୁଷ ପ୍ରତି ଥିବା ହୀନ ମାନ୍ୟତା ଓ କୁଛିତ ଚିନ୍ତା ଧାରା କୁ ପରିବର୍ତ୍ତନ ନ କଲେ ଆଗକୁ ବହୁମୂଲ୍ୟ ଦେବାକୁ ପଡିବ ବୋଲି ଅଲ ଓଡ଼ିଶା ଆୟୁଷ ଡ଼ାକ୍ତରୀ ସଂଘ କହିଛନ୍ତି।

ଓଡ଼ିଶା ଆୟୁଷ ବିକାଶ ପରିଷଦ ପକ୍ଷରୁ ଡା ତ୍ରୈଲୋକ୍ୟ ନାଥ ମହାରଣା ଓଡ଼ିଶା ଆୟୁଷ ନିର୍ଦେଶକ ଙ୍କ କାର୍ଯ୍ୟାଳୟ କୁ ପରିବର୍ଦ୍ଧିତ କରିବାକୁ ରାଜ୍ୟ ସରକାରଙ୍କୁ ଅନୁରୋଧ କରିଛନ୍ତି।ଜଣେ ସଚିବ ସ୍ତରୀୟ ଆଇ ଏ ଏସ ସ୍ତରୀୟ ଅଫିସର ଙ୍କୁ କାର୍ଯ୍ୟାଳୟ ଦାଇତ୍ୱ ଦେବା ସହିତ ଆୟୁର୍ବେଦ ପାଇଁ ଜଣେ ଉପସଚିବ ଓ ହୋମିଓପ୍ୟାଥିକ ପାଇଁ ଜଣେ ଉପସଚିବ ପଦ ରେ ଦୁଇଟି ଓ ଏ ଏସ ସ୍ତରୀୟ ଅଫିସର ନିଯୁକ୍ତି ପାଇଁ ଅନୁରୋଧ କରିଛନ୍ତି।

Categories
ଆଜିର ଖବର ରାଜ୍ୟ ଖବର

ତୀବ୍ର ହେଲା ପ୍ରାଥମିକ ଶିକ୍ଷକଙ୍କ ଆନ୍ଦୋଳନ: ଆଜିଠୁ ସମୂହ ଛୁଟିରେ ଗଲେ ସମସ୍ତ ଶିକ୍ଷକ ଶିକ୍ଷୟିତ୍ରୀ

ରଣପୁର: ପ୍ରାଥମିକ ଶିକ୍ଷକଙ୍କ ଆନ୍ଦୋଳନ ଏବେ ତୀବ୍ର ରୂପ ନେଇଛି। କେବେ ରାଜଧାନୀର ରାଜରାସ୍ତାରେ ତ କେବେ କେବେ ଖରା ବର୍ଷାରେ ବସି ରହିଛନ୍ତି ଶିକ୍ଷକ। ନିଖିଳ ଉତ୍କଳ ପ୍ରାଥମିକ ଶିକ୍ଷକ ସଂଘ ତରଫରୁ ରାଜ୍ୟ ବ୍ୟାପି ୩ ଦଫା ଦାବୀ ନେଇ ମଣ୍ଡଳ ଶିକ୍ଷା ଅଧିକାରୀଙ୍କ କାର୍ୟ୍ୟାଳୟ ସମ୍ମୁଖରେ ଧାରଣା ଚାଲିଥିବା ବେଳେ ନୟାଗଡ ରଣପୁର ବ୍ଲକ ମଣ୍ଡଳ ଶିକ୍ଷା ଅଧିକାରୀଙ୍କ ଅଫିସ ସମ୍ମୁଖରେ ଶିକ୍ଷକ ସମୂହ ଛୁଟିରେ ଆସି ଧାରଣା ଦେଇଥିବା ଦେଖିବାକୁ ମିଳିଛି।

Categories
ଆଜିର ଖବର ଜାତୀୟ ଖବର

ଗୁରୁ ଦିବସରେ ହେବ ବଡ ଆନ୍ଦୋଳନ, ଗାନ୍ଧୀ ମାର୍ଗରେ ଶୋଇବେ ଶିକ୍ଷୟିତ୍ରୀ, ଶିକ୍ଷକ: ଓଷ୍ଟା

ଭୁବନେଶ୍ୱର: ଓଡ଼ିଶା ମାଧ୍ୟମିକ ସ୍କୁଲ ଶିକ୍ଷକ ସଂଘ (ଓଷ୍ଟା)ର ଆହ୍ୱାନରେ ଗାନ୍ଧିମାର୍ଗରେ ଚାଲିଥିବା ଅହୋରାତ୍ର ଗଣଧାରଣାର ଆଜି ତୃତୀୟ ଦିବସ। ଏହି ଦିନ ପୁଣି ହଜାର ହଜାର ଶିକ୍ଷକ ବର୍ଷାକୁ ଖାତିରି ନକରି ଜମା ହୋଇଥିଲେ। ମାଷ୍ଟର କ୍ୟାଣ୍ଟିନ୍ ଛକଠାରୁ ପିଏମଜି ପର୍ଯ୍ୟନ୍ତ ଶିକ୍ଷକମୟ ହୋଇଯାଇଥିଲା। ଗୁରୁ ଗର୍ଜନରେ ପ୍ରକମ୍ପିତ ହୋଇଥିଲା ଗାନ୍ଧୀମାର୍ଗ। ଅନୁଦାନ ଯୋଗ୍ୟ ବିଦ୍ୟାଳୟକୁ ଅନୁଦାନ ନଦେଲେ, ସପ୍ତମ ବେତନ କମିଶନ ପାଇବାରୁ ବଞ୍ଚିତ ବିଦ୍ୟାଳୟ ଗୁଡ଼ିକ ପାଇଁ ଏହା ଲାଗୁ ନହେଲେ, ସମସ୍ତ ନୂତନ ଅନୁଦାନ ପ୍ରାପ୍ତ ବିଦ୍ୟାଳୟରେ କାର୍ଯ୍ୟରତ ଶିକ୍ଷକ ଓ ଶିକ୍ଷା କର୍ମଚାରୀଙ୍କୁ ପେନସନ୍ ତଥା ଚାକିରି ସର୍ତ୍ତାବଳୀ ନଦେଲେ, ସମସ୍ତ ପୂର୍ଣ୍ଣ ଅନୁଦାନ ପ୍ରାପ୍ତ ବିଦ୍ୟାଳୟ ଗୁଡ଼ିକୁ ସରକାରୀକରଣ ନକଲେ, ୨୦୦୪ ରୁ  ୨୦୧୩ ମଧ୍ୟରେ ନିଯୁକ୍ତ ସମସ୍ତ ଚୁକ୍ତି ଭିତ୍ତିକ ଶିକ୍ଷକଙ୍କୁ ଛଅଟି ଇନକ୍ରିମେଣ୍ଟ ଦେବା ସହିତ ବରିଷ୍ଠତା ପ୍ରଦାନ ନକଲେ, ୧୧୦ ବାଳିକା ବିଦ୍ୟାଳୟ ଏବଂ ହିନ୍ଦୀ, ସଂସ୍କୃତ, ଖେଳ ଶିକ୍ଷକ ଓ କିରାଣୀ ମାନଙ୍କ ପ୍ରତି କରାଯାଇଥିବା ଅନ୍ୟାୟର ସୁବିଚାର କରାଯିବା ସହିତ ଆର୍‌ସିପି ପ୍ରଦାନ କ୍ଷେତ୍ରରେ ସର୍ବୋଚ୍ଚ ନ୍ୟାୟାଳୟର ନିର୍ଦ୍ଦେଶକୁ ପାଳନ କରା ନଗଲେ ଏହି ଆନ୍ଦୋଳନ ଚାଲିବ ବୋଲି ଓଷ୍ଟାର ସଭାପତି ଅକ୍ଷୟ କୁମାର ମିଶ୍ର କହିଛନ୍ତି । ଏହି ଆନ୍ଦୋଳନ ଭୁବନେଶ୍ୱରରେ ଚାଲିବ କି ପ୍ରତି ଗାଁ, ପଞ୍ଚାୟତରେ ହେବ ସଂଗଠନର କାର୍ଯ୍ୟକାରୀ କମିଟିରେ ନିଷ୍ପତ୍ତି ହେବ। କିନ୍ତୁ ଆବଶ୍ୟକ ପଡ଼ିଲେ ସରକାର ଯେଉଁ ଶିକ୍ଷା ଓ ଶିକ୍ଷକ ମାରଣ ନୀତି ଆପଣେଇଛନ୍ତି ତା ବିରୋଧରେ ଗଳି କନ୍ଦି ସର୍ବତ୍ର ଶିକ୍ଷା ରଥ ବୁଲିବ। ଗୀତ ବାଜିବ। ଆମ ଛାତ୍ରଛାତ୍ରୀଙ୍କ ପ୍ରତି ଆମର ଯେମିତି ଉତ୍ତରଦାୟିତ୍ୱ ଅଛି ରାଜ୍ୟର ଶିକ୍ଷା ବ୍ୟବସ୍ଥାକୁ ସଜାଡ଼ିବା ମଧ୍ୟ ଆମର ଦାୟିତ୍ୱ। ଏଥିରୁ ସଂଗଠନ ହଟିବ ନାହିଁ ବୋଲି ଯୁଗ୍ମସାଧାରଣ ସଂପାଦକ ବ୍ରଜ କିଶୋର ବିଶ୍ୱାଳ କହିଛନ୍ତି।

ଦିବସର ଶେଷାର୍ଦ୍ଧରେ ସରକାରଙ୍କ ତରଫରୁ ଆଲୋଚନା ପାଇଁ ଡ଼ାକରା ଆସିବା ପରେ ସଂଗଠନର ସଭାପତି, କାର୍ଯ୍ୟକାରୀ ସଭାପତି, ସାଧାରଣ ସଂପାଦକ, ଯୁଗ୍ମ ସାଧାରଣ ସଂପାଦକ, କୋଷାଧ୍ୟକ୍ଷ ଯାଇଥିଲେ। ମୁଖ୍ୟ ଶାସନ ସଚିବ ଏବଂ ବିଭାଗୀୟ ସଚିବଙ୍କ ସହିତ ପୃଥକ୍ ପୃଥକ୍ ଭାବେ ଆଲୋଚନା ହୋଇଥିଲା। ଯଦିଓ ଆଲୋଚନାକୁ ସମ୍ମାନ ଜଣାଇ ଆନ୍ଦୋଳନକୁ ସ୍ଥଗିତ ରଖାଯାଇଛି, କିନ୍ତୁ ଶିକ୍ଷକମାନଙ୍କ ମଧ୍ୟରେ ସଂଶୟ ଅଛି। ପୂର୍ବରୁ ସରକାର ବାରମ୍ବାର ଠକି ଚାଲିଛନ୍ତି, ପ୍ରତିଶ୍ରୁତି ପ୍ରଚାରରେ ପରିଣତ ହୋଇଛି। ବହୁ ଶିକ୍ଷକଙ୍କ ଭିତରେ ସରକାରଙ୍କ ପ୍ରତି ଅବିଶ୍ୱାସ ଅଛି। ଏଥର ବି ସରକାର ଠକେଇ ଦେବେନି ତ? ଏଭଳି ପ୍ରଶ୍ନର ଯଥାର୍ଥତା ଥିଲେ ମଧ୍ୟ ସଂଗଠନ ପୁନର୍ବାର ସରକାରଙ୍କ ଉପରେ ବିଶ୍ୱାସ ରଖି ଆନ୍ଦୋଳନ ସ୍ଥଗିତ ରହିଛି ବୋଲି ସାଧାରଣ ସଂପାଦକ ରଞ୍ଜନ କୁମାର ଦାଶ ବିବୃତି ଦେଇଛନ୍ତି। ଏହା ମଧ୍ୟ କହିଥାନ୍ତି ସରକାର ଦେଇଥିବା ପ୍ରତିଶ୍ରୁତି ଅନୁଯାୟୀ ସେପ୍ଟେମ୍ବର  ୪ ତାରିଖ ପୂର୍ବରୁ ଆନ୍ତଃ ମନ୍ତ୍ରୀ ସ୍ତରୀୟ ବୈଠକ ବସି ଠୋସ୍ ନିଷ୍ପତ୍ତି ନିଆ ନଯାଏ ଏବଂ ଦାବୀ ପୂରଣ ନହୁଏ  ତେବେ ଦ୍ୱିଗୁଣ ଶକ୍ତି ଓ ଉତ୍ସାହ ନେଇ ଗୁରୁ ଦିବସ ଦିନ ପୁଣି ଆନ୍ଦୋଳନ ଆରମ୍ଭ କରାଯିବ। ପବିତ୍ର ଗୁରୁ ଦିବସରେ ରାଜଧାନୀର ରାଜରାସ୍ତାରେ ଗୁରୁଦିବସ ପାଳନ ହେବ କି? ମାନ୍ୟବର ମୁଖ୍ୟମନ୍ତ୍ରୀଙ୍କ ବାସଭବନ ସମ୍ମୁଖରେ ପାଳନ ହେବ ତାର ନିଷ୍ପତ୍ତି ଓଷ୍ଟାର କାର୍ଯ୍ୟକାରୀ କମିଟିରେ ନିଷ୍ପତ୍ତି ହେବ। କିନ୍ତୁ ସେହି ଦିନଠାରୁ ପଚାଶ ହଜାରରୁ ଉର୍ଦ୍ଧ୍ୱ ଶିକ୍ଷୟିତ୍ରୀ, ଶିକ୍ଷକ ଓ ଶିକ୍ଷାକର୍ମଚାରୀ ଶୋଇବେ ଗାନ୍ଧୀମାର୍ଗରେ। ସରକାର ଯଦି ଉଦାସୀନ ରୁହନ୍ତି ତେବେ କୌଣସି ବିଧାୟକ ମନ୍ତ୍ରୀଙ୍କୁ ବିଧାନ ସଭା ଭିତରକୁ ଛଡ଼ାଯିବ ନାହିଁ ବୋଲି ସଂଘର କର୍ମକର୍ତ୍ତା ସର୍ବଶ୍ରୀ  ନୀଳମଣୀ ପୁରୋହିତ, ଅଶୋକ କୁମାର ମହାପାତ୍ର, ମାଣିକେଶ୍ୱର ସ୍ୱାଇଁ, ପ୍ରଣବ ଜେନା, ରମାକାନ୍ତ ମହାପାତ୍ର, ଅଜୟ ଆଚାର୍ଯ୍ୟ, ମଧୁସୁଦନ ଦେ, ବିନାୟକ ପରିଡ଼ା, ବିଜୟ ଛତ୍ର ପ୍ରମୁଖ ଚେତାବନୀ ଦେଇଛନ୍ତି ।

Categories
ଆଜିର ଖବର ରାଜ୍ୟ ଖବର

ଗ୍ରାମ୍ୟ କୃଷି କର୍ମଚାରୀ ସଂଘଙ୍କ ଚେତାବନୀ: ଦାବି ପୂରଣ ନହେଲେ ବିଶାଳ ଆନ୍ଦୋଳନକୁ ଓହ୍ଲାଇବ ସଂଘ

ଭୁବନେଶ୍ୱର: ଓଡ଼ିଶା ଭଳି ଏକ କୃଷିପ୍ରଧାନ ରାଜ୍ୟରେ କୃଷକ ଓ କୃଷିର ବିକାଶ ନିମନ୍ତେ ଅକ୍ଲାନ୍ତ ପରିଶ୍ରମ କରୁଥିବା ୩୦୦୦ ଗ୍ରାମ୍ୟ କୃଷି କର୍ମଚାରୀଙ୍କ ନ୍ୟାୟେଚିତ ଦାବି ପୂରଣରେ ରାଜ୍ୟ ସରକାରଙ୍କ ଅବହେଳା ପାଇଁ ସାରା ଓଡ଼ିଶାର ଗ୍ରାମ୍ୟ କୃଷି କର୍ମଚାରୀ ସଂଘ ଅସନ୍ତୋଷ ବ୍ୟକ୍ତ କରିଛି। ନ୍ୟାୟୋଚିତ ଦାବି ପୂରଣରେ ଅଯଥା କାଳକ୍ଷେପଣ ଓ ପାତର ଅନ୍ତର ତଥା ହେୟ ମନୋଭାବକୁ ପରିହାର କରି ଆଲୋଚନା ମାଧ୍ୟମରେ ଦାବି ପୂରଣ ନକଲେ ଆସନ୍ତା ଜୁଲାଇ ୧୪ ତାରିଖରୁ ୨୦ ତାରିଖ ପର୍ଯ୍ୟନ୍ତ ସମଗ୍ର ରାଜ୍ୟରେ ଶାନ୍ତପୂର୍ଣ୍ଣ ଭାବରେ କଳାବ୍ୟାଜ୍ ପରିଧାନ କରାଯିବ ଏବଂ ତା ୨୩.୭.୨୩ରେ ସମସ୍ତ ଜିଲ୍ଲା ମୁଖ୍ୟ କୃଷି ଅଧିକାରୀଙ୍କୁ ଦାବି ପତ୍ର ପ୍ରଦାନ କରାଯିବ। ତଥାପି ଯଦି ସରକାର ସଂଘର ଦାବି ପୂରଣ ନ କରନ୍ତି, ତେବେ ଆସନ୍ତା ୧.୮.୨୩ରୁ ସମଗ୍ର ରାଜ୍ୟରେ ଶାନ୍ତିପୂର୍ଣ୍ଣ ଭାବେ କାର୍ଯ୍ୟବନ୍ଦ ଆନ୍ଦୋଳନ ସହିତ ସଂଘର ସମସ୍ତ କର୍ମଚାରୀ ସମୂହ ଛୁଟିରେ ଯିବେ ବୋଲି କର୍ମକର୍ତ୍ତାମାନେ ସରକାରଙ୍କୁ ଜଣାଇଛନ୍ତି।

ଆଜି ଓଡ଼ିଶା ଗ୍ରାମ୍ୟ କୃଷି କର୍ମଚାରୀ ସଂଘ ପକ୍ଷରୁ ଆୟୋଜିତ ଏକ ସାମ୍ବାଦିକ ସମ୍ମିଳନୀରେ ସଂଘର ଆବାହକ ପ୍ରଦୀପ କୁମାର ପ୍ରଧାନ କହିଲେ ଯେ, ଗ୍ରାମ୍ୟ କୃଷି କର୍ମଚାରୀମାନେ କ୍ଷେତ୍ର ପରିଦର୍ଶନ, ଚାଷୀଙ୍କୁ ଚାଷକାର୍ଯ୍ୟରେ ଆଧୁନିକ ଜ୍ଞାନକୌଶଳର ବ୍ୟବହାର, ସାର ଓ କୀଟନାଶକ ଔଷଧର ପ୍ରୟୋଗ ସମେତ ବିଭିନ୍ନ ସର୍ଭେ ଇତ୍ୟାଦି କମ୍ପୁଟରବେଷ୍ଟ କାର୍ଯ୍ୟ କରୁଥିଲା ବେଳେ ଗ୍ରାମ୍ୟ କୃଷି କର୍ମଚାରୀଙ୍କ ଚାକିରିରେ ଯୋଗଦେବାର ମୂଳ ଶିକ୍ଷାଗତ ଯୋଗ୍ୟତା ଇଣ୍ଟର ମିଡ଼ିଏଟ ସାଇନ୍ସ ବଦଳରେ ସାଇନ୍ସ ଡିଗ୍ରୀ ରଖିବ, ଗ୍ରାମ୍ୟ କୃଷି କର୍ମଚାରୀ ପଦବୀର ନାମ ପରିବର୍ତ୍ତନ ସହ ଗ୍ରେଡ଼ ପେ ୨୦୦୦ ଟଙ୍କା ବଦଳରେ ୪୨୦୦ ଟଙ୍କା ରଖିବା, ଚାକିରି କାଳ ମଧ୍ୟରେ ସର୍ବନିମ୍ନ ୩ ଗୋଟି ପଦୋନ୍ନତି ଦେବା ଓ ସର୍ବୋପରି ବହୁ ପ୍ରତୀକ୍ଷିତ କ୍ୟାଡ଼ର ପୁନର୍ଗଠ ପ୍ରଭୃତି ମୁଖ୍ୟ ଦାବି ସମେତ ୨୦୧୩ ମସିହାରେ ରାଜ୍ୟ ସାଧାରଣ ପ୍ରଶାସନ ବିଭାଗର ଚୁକ୍ତିଭିତ୍ତିକ ବ୍ୟବସ୍ଥା ଉଚ୍ଛେଦ ପରେ ତା ପୂର୍ବରୁ ବିଭାଗ ପ୍ରଣୟନ କରିଥିବା ଚୁକ୍ତିଭିତ୍ତିକ ନିଯୁକ୍ତି ସମୟକୁ ଚାକିରିକାଳ ଭାବେ ଗଣନା କରି ୬ଟି ନୋସନାଲ ଇନକ୍ରିମେଣ୍ଟ ପ୍ରଦାନ କରିବା ଆଦି ଦାବିକୁ ରାଜ୍ୟ ସରକାର, କୃଷି ବିଭାଗକୁ ବହୁ ଆବେଦନ ନିବେଦନ କରାଯାଇଛି। କିନ୍ତୁ ଦୁଃଖ ଓ ଦୁର୍ଭାଗ୍ୟର ବିଷୟ ଯେ ଦାବି ପୂରଣ ତ ଦୂରର କଥା, ଆଲୋଚନାକୁ ଡାକି ଦାବି ଗୁଡ଼ିକର ବୈଧତା ଓ ଯୁକ୍ତିସଙ୍ଗତ ଦିଗ ସମ୍ପର୍କରେ ଶୁଣୁ ବି ନାହାଁନ୍ତି। ଅଧିକନ୍ତୁ ଜିଲ୍ଲାସ୍ତରରେ କେହି ଯଦି କୌଣସି କଥା ନେଇ ପାଟି ଖୋଲିଲା ତାକୁ ବଦଳି ସମେତ ନାନା ହଇରାଣ ହରକତର ଧମକ ମଧ୍ୟ ଦିଆଯାଉଛି। କୃଷି ଓ କୃଷକମାନଙ୍କ ସେବା ପାଇଁ ନିଷ୍ଠାପର ଭାବରେ ପଞ୍ଚାୟତସ୍ତରରୁ କାମ କରୁଥିବା ଅସହାୟ କୃଷି କର୍ମଚାରୀମାନଙ୍କ ଆର୍ôଥକ ଓ ସାମାଜିକ ଅବସ୍ଥା ଦିନକୁ ଦିନ ଶୋଚନୀୟ ହୋଇ ପଡୁଥିଲା ବେଳେ ସରକାରୀ ଅବହେଳା ଗ୍ରାମ୍ୟ କୃଷି କର୍ମଚାରୀଙ୍କ ମନରେ ନୈରାଶ୍ୟ ଓ ହତାଶା ଖେଳାଇ ଦେଇଛି ବୋଲି ଶ୍ରୀ ପ୍ରଧାନ ଗଭୀର କ୍ଷୋଭ ପ୍ରକାଶ କରିଛନ୍ତି।

ଗୋଟିଏ ଶୃଙ୍ଖଳିତ, ଉତ୍ତରଦାୟୀ କର୍ମଚାରୀ ସଂଘ ଭାବେ ଗ୍ରାମ୍ୟ କୃଷି କର୍ମଚାରୀ ଓ ସେମାନଙ୍କର ସଂଘ ଯଥେଷ୍ଟ ସଂଯମତା ଅବଲମ୍ବନ କରି ସରକାରଙ୍କୁ ସହଯୋଗ କରିଆସୁଛନ୍ତି। କୌଣସି ଆନ୍ଦୋଳନ ବା ସମସ୍ୟା ସୃଷ୍ଟି କରି ଚାଷୀ ବା କୃଷିକୁ ଗୁରୁତବ ଦେଉଥିବା ରାଜ୍ୟ ସରକାରଙ୍କୁ କେବେ ବି ଅସୁବିଧାରେ ପକେଇ ନାହାଁନ୍ତି। କିନ୍ତୁ ଏଭଳି ସଞ୍ଜମତାପୂର୍ଣ୍ଣ ଆଚରଣକୁ ଯଦି ଏହା ଆମ ଦୁର୍ବଳତା ବୋଲି ସରକାର ଭାବୁଥାନ୍ତି ତେବେ ତାହା ସମ୍ପୂର୍ଣ୍ଣ ଭୁଲ ବୋଲି ଜାଣିବାକୁ ହେବ। ସମସ୍ୟା ଉପରେ ସମସ୍ୟା ଲଦି ଦିଆଯାଉଛି, କିନ୍ତୁ କ୍ଷେତ୍ର ବାସ୍ତବତାକୁ ବିଚାରକୁ ନେଇ ସମସ୍ୟାର ସମାଧାନ ପାଇଁ କୌଣସିି ଅଧିକାରୀ ସକ୍ଷମ ନୁହଁନ୍ତି କି ଆଗ୍ରହ ମଧ୍ୟ ପ୍ରକାଶ କରୁନାହାଁନ୍ତି। ଏଥିଯୋଗୁ କର୍ମଚାରୀଙ୍କ ମଧ୍ୟରେ ବ୍ୟାପକ ଅସନ୍ତୋଷ ସୃଷ୍ଟି ହୋଇଛି।

ଚଳିତମାସ ୮ ତାରିଖରେ ଅନୁଷ୍ଠିତ ସାଧାରଣ ବୈଠକରେ ପ୍ରତ୍ୟେକ ଜିଲ୍ଲାରୁ ଆସିଥିବା ହଜାର ହଜାର ଗ୍ରାମ୍ୟ କୃଷି କର୍ମଚାରୀ ଏ ଦିଗରେ ସରକାର ତୁରନ୍ତ ବିଚାର ନକଲେ ସାରା ରାଜ୍ୟରେ ଆନ୍ଦୋଳନ ଜୋରଦାର ହେବ ଓ ଏଥିପାଇଁ ରାଜ୍ୟ ସରକାରୀ ଦାୟୀ ରହିବେ ବୋଲି ମତ ପ୍ରକାଶ କରିଥିଲେ ଓ ରାଜ୍ୟ ସରକାରଙ୍କୁ ଏ ସମ୍ପର୍କିତ ଦାବିପତ୍ର ପ୍ରଦାନ କରାଯିବ ବୋଲି କର୍ମକର୍ତ୍ତାମାନେ ପ୍ରକାଶ କରିଛନ୍ତି।

ଏହି ସାମ୍ବାଦିକ ସମ୍ମିଳନୀରେ ମୁଖ୍ୟ ଉପଦେଷ୍ଟା ପ୍ରଭାତ ମହାନ୍ତି ଏବଂ ଅନ୍ୟ କର୍ମକର୍ତ୍ତା ପ୍ରକାଶ ସାମଲ, ବିଶ୍ୱରଞ୍ଜନ ଦାଶ, ପ୍ରତାପ ସାହୁ, ସାଗର ପୁହାଣ, ଭୂପେଶ ଷଡ଼ଙ୍ଗୀ, ବୈରାଗୀ ସ୍ୱାଇଁ, ହରିହର ମନ୍ତ୍ରୀ, ଶିବ ନାରାୟଣ ପାଣି, ଶମ୍ଭୁନାଥ ନାୟକ, ଭକ୍ତ ମୀର୍ଦ୍ଧା, ଗୋବିନ୍ଦ ମାଝୀ, ଶୁବାଶିଷ ଶତପଥୀ, ସୁଶାନ୍ତ ବେହେରା, କୁଳଦୀପ ପାଣ୍ଡେ, ଅରୁଣ କୁମାର ପ୍ରଧାନ, ଲକ୍ଷ୍ମୀପ୍ରିୟା ମହାପାତ୍ର, ରୂପାଲି ପଣ୍ଡା, ଦୁବଲି ଜୟଶ୍ରୀ ବାଗ ପ୍ରମୁଖଙ୍କ ସମେତ ସମସ୍ତ ଜିଲ୍ଲାର ପ୍ରତିନିଧି ଓ ସାଧାରଣ କୃଷି କର୍ମଚାରୀମାନେ ଯୋଗ ଦେଇଥିଲେ।

Categories
ଆଜିର ଖବର ରାଜ୍ୟ ଖବର

ଖୋର୍ଦ୍ଧାରେ ଜିଲ୍ଲା ସ୍ତରୀୟ ମିଳିତ ଅମଲା ମଞ୍ଚର ବୈଠକ: ଆନ୍ଦୋଳନ ପାଇଁ ଦେଲେ ଚେତାବନୀ

ଖୋର୍ଦ୍ଧା: ରାଜ୍ୟ ପ୍ରଶାସନର ମୌଳିକ ସେବା ପ୍ରଦାନରେ ଜିଲ୍ଲା ସ୍ତରୀୟ ଅମଲା ମାନଙ୍କର ଭୂମିକା ଗୁରୁତ୍ବପୂର୍ଣ୍ଣ। କିନ୍ତୁ ପରିତାପର ବିଷୟ, ଜନସାଧାରଣଙ୍କ ସେବାରେ ଅହରହ ନିଯୁକ୍ତ ଏହି ବର୍ଗର କର୍ମଚାରୀମାନେ ସରକାରୀ ଅବହେଳାର ଚରମ ଶିକାର। ଏହାକୁ ବିରୋଧ କରି ରାଜ୍ୟ ସ୍ତରରେ ଏକ ଜିଲ୍ଲା ସ୍ତରୀୟ ମିଳିତ ଅମଲା ମଞ୍ଚ ସମସ୍ତ ଅମଲାମାନଙ୍କୁ ନେଇ ଗଠନ କରାଯାଇଅଛି। ଏଥିରେ ଓଡିଶା ଅମଲା ସଂଘ, ଓଡିଶା ରାଜସ୍ୱ ଅମଲା ସଂଘ, ନିଖିଳ ଓଡିଶା ଟ୍ରେଜରି ଅମଲା ସଂଘ, ଓଡିଶା ଉପନିବନ୍ଧକ ଅମଲା ସଂଘ ପ୍ରଭୃତି ବିଭିନ୍ନ ସଂଘ ଏକତ୍ରିତ ହୋଇ ଅମଲାମାନଙ୍କ ନ୍ୟାର୍ଯ୍ୟ ଦାବୀ ହାସଲ କରିବା ନିମନ୍ତେ ସରକାରଙ୍କ ଉପରେ ଚାପ ସୃଷ୍ଟି କରିବା ପାଇଁ ମିଳିତ ମଞ୍ଚ ଗଠନ କରାଯାଇଅଛି। ରାଜ୍ୟ ଜିଲ୍ଲା ସ୍ତରୀୟ ମିଳିତ ଅମଲା ମଞ୍ଚର ନିର୍ଦ୍ଦେଶକ୍ରମେ ଆଜି ଖୋର୍ଦ୍ଧା DRDA ସମିଳନୀ କକ୍ଷରେ ଖୋର୍ଦ୍ଧା ଜିଲ୍ଲାର ଓଡିଶା ଅମଲା ସଂଘ, ଓଡିଶା ରାଜସ୍ୱ ଅମଲା ସଂଘ, ନିଖିଳ ଓଡିଶା ଟ୍ରେଜରି ଅମଲା ସଂଘ, ଓଡିଶା ଉପନିବନ୍ଧକ ଅମଲା ସଂଘର ସମସ୍ତ ସଦସ୍ୟ ଉପସ୍ଥିତ ହୋଇ ଏହି ସଭାରେ ଅଂଶ ଗ୍ରହଣ କରିଥିଲେ।

ଉକ୍ତ ସଭାରେ ନାରାୟଣ ଦାଶ ରାଜ୍ୟ ମିଳିତ ଅମଲା ମଞ୍ଚର ଅଧ୍ୟକ୍ଷ ଉପସ୍ଥିତ ରହି ଉକ୍ତ ସଭାକୁ ସମ୍ବୋଧିତ କରିଥିଲେ। ଶାସନ ବ୍ୟବସ୍ଥା ମଧ୍ୟରେ ଜିଲ୍ଲାସ୍ତରୀୟ ଅମଲାମାନେ କିଭଳି ନିର୍ଯ୍ଯାତିତ ଭାବେ କାଳତିପାତ କରୁଛନ୍ତି, ତାହାକୁ ଉଦାହରଣ ମାଧ୍ୟମରେ ବୁଝାଇବା ସହିତ କନିଷ୍ଠ ସହାୟକ ମାନଙ୍କର ଦରମା ଲେବୁଲ୍-୯ ନହେବା ପର୍ଯ୍ୟନ୍ତ ଜିଲ୍ଲା ସ୍ତରୀୟ ଅମଲା ମାନେ ସେମାନକର ଦାବୀକୁ ଶାଣିତ କରିବା ନିମନ୍ତେ ପରାମର୍ଶ ଦେଇଥିଲେ ଏବଂ ସମସ୍ତେ ଏକତ୍ରିତ ହୋଇ ଆମର ନ୍ୟାର୍ଯ୍ୟ ଦାବୀକୁ ହାସଲ କରିବା ନିମନ୍ତେ ଆହ୍ଵାନ ଦେଇଥିଲେ।

ଏହି ବୈଠକରେ ଓଡିଶା ଅମଲା ସଂଘର ସଭାପତି ସର୍ବେଶ୍ଵର ସାହୁ, ସାଧାରଣ ସମ୍ପାଦକ ଅଶୋକ କୁମାର ପଣ୍ଡା, ଓଡିଶା ରାଜସ୍ୱ ଅମଲା ସଂଘର ସଭାପତି ତ୍ରିନାଥ ଦଳେଇ, ସାଧାରଣ ସମ୍ପାଦକ ସୌମ୍ୟ ରଞ୍ଜନ ପ୍ରଧାନ, ନିଖିଳ ଓଡିଶା ଟ୍ରେଜରି ଅମଲା ସଂଘର ସାଧାରଣ ସମ୍ପାଦକ ଗୋବର୍ଦ୍ଧନ ପରିଡା, ଓଡିଶା ଉପନିବନ୍ଧକ ଅମଲା ସଂଘର ବିକ୍ରମ ପୃଷ୍ଟୀ ପ୍ରମୁଖ ଅଂଶ ଗ୍ରହଣ କରିଥିଲେ।

ଖୋର୍ଦ୍ଧା ଜିଲ୍ଲାରେ ମିଳିତ ଅମଲା ମଞ୍ଚ ଗଠନ କରାଯାଇ ମିଳିତ ଭାବେ ସମସ୍ତ ଅମଲା ରାଜ୍ୟ ମିଳିତ ଅମଲା ମଞ୍ଚର ନିର୍ଦ୍ଦେଶକୁ ଅକ୍ଷରେ ଅକ୍ଷରେ ପାଳନ କରିବା ନିମନ୍ତେ ପ୍ରତିଶ୍ରୁତି ଦେଇଥିଲେ। ସରକାର ଯଦି କନିଷ୍ଠ ସହାୟକ ମାନଙ୍କର ଦରମା ଲେବୁଲ୍-୯କୁ ଉନ୍ନୀତ କରିବା ପାଇଁ ପଦକ୍ଷେପ ନ ନିଅନ୍ତି ତେବେ ଶାନ୍ତିପ୍ରିୟ ଅମଲା ରାଜରାସ୍ତାକୁ ଓଲ୍ଲାଇବାକୁ ବାଧ୍ୟ ହେବ ଏବଂ ଯେଉଁ ଅପ୍ରୀତିକର ପରିସ୍ଥିତି ସୃଷ୍ଟି ହେବ ସେଥିପାଇଁ ସରକାର ଦାୟୀ ରହିବେ ବୋଲି ଚେତାବନୀ ଦିଆଯାଇଥିଲା।

ସର୍ବସମତି କ୍ରମେ ଅଶୋକ କୁମାର ପଣ୍ଡା ଜିଲ୍ଲା ସ୍ତରୀୟ ମିଳିତ ଅମଲା ମଞ୍ଚ, ଖୋର୍ଦ୍ଧା ଜିଲ୍ଲାର ଅଧ୍ୟକ୍ଷ ସନ୍ତୋଷ କୁମାର ନିସଙ୍କ ଆବାହକ ଭାବେ ନିର୍ବାଚିତ ହେଲେ। ପରବର୍ତ୍ତୀ ପଦକ୍ଷେପ ରାଜ୍ୟ ଜିଲ୍ଲା ସ୍ତରୀୟ ମିଳିତ ଅମଲା ମଞ୍ଚର ଆହ୍ଵାନ କ୍ରମେ ନିଆଯିବା ପାଇଁ ନିଷ୍ପତ୍ତି ଗ୍ରହଣ କରାଗଲା।

Categories
ଆଜିର ଖବର ରାଜ୍ୟ ଖବର

ନିୟମିତ ଦାବି ନେଇ ୧୧ ଦିନ ଧରି ଆନ୍ଦୋଳନରେ ବସିଛି ଚୁକ୍ତିଭିତ୍ତିକ ଶିକ୍ଷକ ସଂଘ

ଭୁବନେଶ୍ୱର: ହଜାର ହଜାର ଚୁକ୍ତିଭିତ୍ତିକ ଶିକ୍ଷକ ଶିକ୍ଷୟତ୍ରୀ ନିଜର ଚାକିରୀ ନିୟମିତ କରିବା ପାଇଁ ଗାନ୍ଧୀ ମାର୍ଗରେ ୧୧ ଧରି ଆନ୍ଦୋଳନରେ ବସିଛନ୍ତି। ସଂଘର ସଭାପତି ପଞ୍ଚାନନ ଜେନାଙ୍କ କହିବାନୁସାରେ, ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକ ଗତ ଅକ୍ଟୋବର ମାସ ୧୫ ତାରିଖରେ ଗଣମାଧ୍ୟମରେ ନିଜର ଜନ୍ମ ଦିନରେ, ଭିଡ଼ିଓ ବାର୍ତ୍ତାରେ ଓଡିଶା ମାଟିରୁ ସଂପୂର୍ଣ୍ଣ ଭାବରେ ଚୁକ୍ତିଭିତ୍ତିକ ପ୍ରଥାକୁ ବିଲୋପ କଲେ ବୋଲି ଘୋଷଣା କରିଥିଲେ। ତଦଅନୁଯାଇ ସାଧାରଣ ଓ ପ୍ରଶାସନିକ ବିଭାଗ ଗତ ବର୍ଷ ଅକ୍ଟୋବର ମାସ ୧୬ ତାରିଖରେ ଏକ ନୋଟିଫିକେସନ ପ୍ରକାଶ କରି ସମସ୍ତ ଚୁକ୍ତିଭିତ୍ତିକ ପଦବୀକୁ ନିୟମିତ କରି ୬ ଗୋଟି ଇନ୍କ୍ରିମେଣ୍ଟ ଦେବା ପାଇଁ ଚିଠିରେ ପରିପ୍ରକାଶ କଲେ।

ଏହି ଖବରଟି ପ୍ରଥମେ ସମସ୍ତ ଚୁକ୍ତିଭିତ୍ତିକ ଶିକ୍ଷକଙ୍କ ମନରେ ଖୁସିର ବାର୍ତ୍ତା ବୁଣିଦେଇଥିଲା।  କିନ୍ତୁ ନିୟମକୁ ଗଣଶିକ୍ଷା ବିଭାଗ କାର୍ଯ୍ୟକାରୀ ନ କରିନଥିଲା। ଗଣଶିକ୍ଷା ବିଭଗର ଅଭିଯୋଗ ପ୍ରକୋଷ୍ଠରେ ଏନେଇ ସଂଘ ବାରମ୍ବାର ଅଭିଯୋଗ କରିଥିଲା। ଯାହାପରେ ବିଭାଗର ବରିଷ୍ଠ ଅଧିକାରୀ ମତ ରଖିଥିଲେ ଯେ, ଏକ ଉଚ୍ଚ ସ୍ତରୀୟ ଆଲୋଚନା କରି ନିୟମିତ କରିବା ଉପରେ ନିଷ୍ପତ୍ତି ନିଆଯିବ।

କିନ୍ତୁ କିଛି ପଦକ୍ଷେପ ନେଇନଥିବାରୁ ଗତ ଡିସେମ୍ବର ୭ ତାରିଖରେ ସଂଘ ଆନ୍ଦୋଳନ କରିଥିଲା ଓ ଗଣଶିକ୍ଷା ସଚିବ ୨୦୦୪ ରୁ ୨୦୧୩ ନିଯୁକ୍ତି ପାଇଥିବା ଶିକ୍ଷକ ମାନଙ୍କ ବରିଷ୍ଠତା ଓ କନିଷ୍ଟତା ସମସ୍ୟା ଉପରେ ନିଷ୍ପତ୍ତି ନେଇ, ୧୫ ଦିନ ଭିତରେ ସମସ୍ତ ଚୁକ୍ତିଭିତ୍ତିକ ଶିକ୍ଷକ ମାନଙ୍କୁ ନିୟମିତ କରିବା ପାଇଁ ପ୍ରତିଶୃତି ଦେଇଥିଲେ। କିନ୍ତୁ ପ୍ରତିଶୃତି ଦେବାର ୪ ମାସ ବିତିଯାଇଥିଲେ ବି ସମସ୍ୟାକୁ ଦୂର ନ କରି ଜାଣିଶୁଣି ୨୦୧୬ ରୁ ୨୦୨୨ ମଧ୍ୟରେ ନିଯୁକ୍ତି ପାଇଥିବା ୧୮୦୦୦ ଚୁକ୍ତିଭିତ୍ତିକ ଶିକ୍ଷକ ଶିକ୍ଷୟତ୍ରୀଙ୍କୁ ନିୟମିତରୁ ବଂଚିତ କରୁଛନ୍ତି।

ଏହିପରି ଯେଉଁ ଚୁକ୍ତିଭିତ୍ତିକ ଶିକ୍ଷକ ମାନେ ୬ ବର୍ଷ ଚୁକ୍ତି ଅବଧି ପୂରଣ କରିଥିବେ ସେମାନଙ୍କୁ ନିୟମିତ କରିବା ପାଇଁ ୨୦୧୧ ମସିହାରେ ଗଣଶିକ୍ଷା ବିଭାଗ ନିୟମ କରିଥିଲେ। ସେହି ଆଧାରରେ ପୂର୍ବରୁ ବିଭିନ୍ନ ବ୍ୟାଚର ହାରାହାରି ୧୨୦୦୦ ଚୁକ୍ତିଭିତ୍ତିକ ଶିକ୍ଷକ ନିୟମିତ ହୋଇସାରିଛନ୍ତି। କିନ୍ତୁ ୨୦୧୬ ବ୍ୟାଚର ୩୨୦୦ ଚୁକ୍ତିଭିତ୍ତିକ ଶିକ୍ଷକଙ୍କ ନିୟମିତ ଫାଇଲ ଦୀର୍ଘ ୭ ମାସ ହେବ ବିଭାଗର ଅର୍ଥ ପରାମର୍ଶ ଦାତାଙ୍କ ପାଖରେ ପଡିରହିଛି। ସେମାନେ ୭ ବର୍ଷ ପରେ ବି ନିୟମିତ ହୋଇପାରୁନାହାନ୍ତି। ସଚିବ ସବୁ ଜାଣି ବି ନିରବଦ୍ରଷ୍ଠା ସାଜିଛନ୍ତି।

ନାରୀକୁ ସମ୍ମାନ କଥା କହୁଥିବା ମୁଖ୍ୟମନ୍ତ୍ରୀ କେତେ ଶିକ୍ଷୟତ୍ରୀଙ୍କୁ ସମ୍ମାନ ଦେଉଛନ୍ତି ସଂଘ ପ୍ରଶ୍ନ କରିଛି। ଗତ ମାସରେ ଝାରସୁଗୁଡାର ଜଣେ ବିଧବା ମା ତଥା ଚୁକ୍ତିଭିତ୍ତିକ ଶିକ୍ଷୟତ୍ରୀ ସୋସିଆଲ ମିଡ଼ିଆରେ କାନ୍ଦି କାନ୍ଦି ନିୟମିତ କର ବୋଲି ମୁଖ୍ୟମନ୍ତ୍ରୀଙ୍କୁ ଅନୁରୋଧ କରିଥିଲେ। କିନ୍ତୁ ସରକାର ଶୁଣିଲେନି, ଏ ସରକାର ନାରୀକୁ ସମ୍ମାନ ଦିଅନ୍ତି ନାହିଁ ଓ ୫ ଟି ନାଁରେ ମିଛ ସରକାର ଚାଲିଛି ବୋଲି ସର୍ବସାଧାରଣ କହୁଥିବା କଥା ସତ ପାଲଟିଛି। କାରଣ ୫ ଗୋଟି ଟି ମଧ୍ୟରୁ ଗୋଟିଏ ଟି ହେଲା ଟାଇମ, ଅର୍ଥାତ୍ ଠିକ୍ ସମୟରେ କାର୍ଯ୍ୟ ସରିବା କଥା। କିନ୍ତୁ ଗଣଶିକ୍ଷା ବିଭାଗ ୫ ଟି ଅଧୀନରେ ଆସୁଥିଲେ ବି ଦୀର୍ଘ ୭ ମାସ ପରେ ବି ଚୁକ୍ତିଭିତ୍ତିକ ଶିକ୍ଷକ ମାନଙ୍କୁ ବିଭାଗ ନିୟମିତ କରୁନାହାନ୍ତି।

ଚୁକ୍ତିଭିତ୍ତିକ ଶିକ୍ଷକ ମାନଙ୍କ ପ୍ରତି ସରକାରଙ୍କ ବୈମାତୃକ ମନଭାବ, ମାତ୍ରାଧିକ ନିର୍ଯାତନା ଓ ନିୟମିତ କରିନଥିବାରୁ, ସଂଘ ଏପ୍ରିଲ ୧ ଠାରୁ ନିୟମିତ ଚିଠି ବାହାରିବା ଯାଏଁ ଅନିର୍ଦ୍ଧିଷ୍ଟ ସମୟ ପାଇଁ ଗାନ୍ଧୀ ମାର୍ଗରେ ଆନ୍ଦୋଳନରେ ବସିଅଛି। ଏହା ମଧ୍ୟରେ ବିଭାଗ ସଂଘ ସହ ଆଲୋଚନା କରିଥିଲେ ସୁଦ୍ଧା ନିୟମିତ ଚିଠି ବାହାର କରିନାହାନ୍ତି। ସଂଘର ବର୍ତ୍ତମାନ୍ ମତ ହେଉଛି ଆଲୋଚନା ନୁହଁ ଚିଠି ଦରକାର।

ନିୟମିତ ଚିଠି ବାହାରିବା ପରେ ଆନ୍ଦୋଳନରୁ ହଟିବୁ ବୋଲି ସଂଘର ସମ୍ପାଦକ ସତ୍ୟ ଭୂଷଣ ତରାଇ ସରକାରଙ୍କୁ ଚେତାବନୀ ଦେଇଛନ୍ତି। ଏହି ସମୟରେ ମାଧ୍ୟମିକ ଶିକ୍ଷା କ୍ଷେତ୍ରରେ, ଛାତ୍ର ଛାତ୍ରୀଙ୍କ ଶିକ୍ଷା ବାଧା ପ୍ରାପ୍ତ ହୋଇପାରେ। ଏଥିପାଇଁ ସରକାର ନିଜେ ଦାୟୀ ରହିବେ ବୋଲି ସଙ୍ଘର ଉପଦେଷ୍ଟା ବିଶ୍ୱଜିତ ବିଶ୍ୱାଳ ସରକାରଙ୍କୁ ଅବଗତ କରାଇଛନ୍ତି।

ସରକାରଙ୍କ ଶିକ୍ଷକ ମାରଣାନୀତି ପ୍ରତିବାଦରେ ସଂଘର କୋଷାଧକ୍ଷ ଅକ୍ଷୟ ସତନାମୀ, ଉପସଭାପତି ବିନୋଦ ମିଶ୍ର, ପ୍ରତାପ ସାମଲ, ଦାମୋଦର ମହାନନ୍ଦ, ବସନ୍ତ କୌଶଲ୍ୟ , ଶାନ୍ତନୁ ଦାସ, ମାନସ ବେହେରା, ପ୍ରଭାକର ଜୟ ସିଂହ, ସାଇ ପ୍ରିତମ ସେନାପତି, ହବିଲ କିସାନ ପ୍ରମୁଖ ରାଜ ରାସ୍ତାରେ ନିଜର ଅସନ୍ତୋଷ ପରିପ୍ରକାଶ କରିଥିଲେ।

Categories
ଆଜିର ଖବର ରାଜ୍ୟ ଖବର

ଆଜିଠୁ ଅନିର୍ଦ୍ଧିଷ୍ଟ କାଳ ପାଇଁ ଆନ୍ଦୋଳନରେ ବସିଲା ଓଡିଶା ସରକାରୀ ହାଇସ୍କୁଲ ଚୁକ୍ତିଭିତ୍ତିକ ସଂଘ

ଭୁବନେଶ୍ୱର: ହଜାର ହଜାର ଚୁକ୍ତିଭିତ୍ତିକ ଶିକ୍ଷକ ଶିକ୍ଷୟତ୍ରୀ ନିଜର ଚାକିରୀ ନିୟମିତ କରିବା ପାଇଁ ଗାନ୍ଧୀ ମାର୍ଗରେ ଆନ୍ଦୋଳନ କରିଛନ୍ତି। ସଂଘର ସଭାପତି ପଞ୍ଚାନନ ଜେନାଙ୍କ କହିବାନୁସାରେ, ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକ ଗତ ନଭେମ୍ବର ମାସ ୧୫ ତାରିଖରେ ଗଣମାଧ୍ୟମରେ ନିଜର ଜନ୍ମ ଦିନରେ, ଭିଡ଼ିଓ ବାର୍ତ୍ତାରେ ଓଡିଶା ମାଟିରୁ ସଂପୂର୍ଣ୍ଣ ଭାବରେ ଚୁକ୍ତିଭିତ୍ତିକ ପ୍ରଥାକୁ ବିଲୋପ କଲେ ବୋଲି ଘୋଷଣା କଲେ। ତଦଅନୁଯାୟୀ ସାଧାରଣ ଓ ପ୍ରଶାସନିକ ବିଭାଗ ଗତ ବର୍ଷ ସେପ୍ଟେମ୍ବର ମାସ ୧୬ ତାରିଖରେ ଏକ ନୋଟିଫିକେସନ ପ୍ରକାଶ କରି ସମସ୍ତ ଚୁକ୍ତିଭିତ୍ତିକ ପଦବୀକୁ ନିୟମିତ କରି ୬ ଗୋଟି ଇନ୍କ୍ରିମେଣ୍ଟ ଦେବା ପାଇଁ ଚିଠିରେ ପରିପ୍ରକାଶ କଲେ।

ଏହି ଖବରଟି ପ୍ରଥମେ ସମସ୍ତ ଚୁକ୍ତିଭିତ୍ତିକ ଶିକ୍ଷକଙ୍କ ମନରେ ଖୁସିର ବାର୍ତ୍ତା ବୁଣିଦେଇଥିଲା।  କିନ୍ତୁ ନିୟମକୁ ଗଣଶିକ୍ଷା ବିଭାଗ କାର୍ଯ୍ୟକାରୀ ନ କରିବାରୁ ଗଣଶିକ୍ଷା ବିଭଗର ଅଭିଯୋଗ ପ୍ରକୋଷ୍ଠରେ ସଂଘ ବାରମ୍ବାର ଅଭିଯୋଗ କରିଆସୁଛନ୍ତି। ଯାହାଫଳରେ ଏକ ଉଚ୍ଚ ସ୍ତରୀୟ ଆଲୋଚନା କରି ନିଷ୍ପତ୍ତି ନେଇ ନିୟମିତ କରିବା ପାଇଁ ବିଭାଗର ବରିଷ୍ଠ ଅଧିକାରୀ ମତ ରଖିଥିଲେ।

କିନ୍ତୁ କିଛି ପଦକ୍ଷେପ ନେଇନଥିବାରୁ ଗତ ଡିସେମ୍ବର ୭ ତାରିଖରେ ସଂଘ ଆନ୍ଦୋଳନ କରିଥିଲା ଓ ଗଣଶିକ୍ଷା ସଚିବ ୨୦୦୪ ରୁ ୨୦୧୩ ନିଯୁକ୍ତି ପାଇଥିବା ଶିକ୍ଷକ ମାନଙ୍କ ବରିଷ୍ଠତା ଓ କନିଷ୍ଟତା ସମସ୍ୟା ଉପରେ ନିଷ୍ପତ୍ତି ନେଇ, ୧୫ ଦିନ ଭିତରେ ସମସ୍ତ ଚୁକ୍ତିଭିତ୍ତିକ ଶିକ୍ଷକ ମାନଙ୍କୁ ନିୟମିତ କରିବା ପାଇଁ ପ୍ରତିଶୃତି ଦେଇଥିଲେ। କିନ୍ତୁ ପ୍ରତିଶୃତି ଦେବାର ୪ ମାସ ବିତିଯାଇଥିଲେ ବି ସମସ୍ୟାକୁ ଦୂର ନ କରି ଜାଣିଶୁଣି ୨୦୧୬ ରୁ ୨୦୨୨ ମଧ୍ୟରେ ନିଯୁକ୍ତି ପାଇଥିବା ୧୮୦୦୦ ଚୁକ୍ତିଭିତ୍ତିକ ଶିକ୍ଷକ ଶିକ୍ଷୟତ୍ରୀଙ୍କୁ ନିୟମିତରୁ ବଂଚିତ କରୁଛନ୍ତି।

ଏହିପରି ଯେଉଁ ଚୁକ୍ତିଭିତ୍ତିକ ଶିକ୍ଷକ ମାନେ ୬ ବର୍ଷ ଚୁକ୍ତି ଅବଧି ପୂରଣ କରିଥିବେ ସେମାନଙ୍କୁ ନିୟମିତ କରିବା ପାଇଁ ୨୦୧୧ ମସିହାରେ ଗଣଶିକ୍ଷା ବିଭାଗ ନିୟମ କରିଥିଲେ, ସେହି ଆଧାରରେ ପୂର୍ବରୁ ବିଭିନ୍ନ ବ୍ୟାଚର ହାରାହାରି ୧୨୦୦୦ ଚୁକ୍ତିଭିତ୍ତିକ ଶିକ୍ଷକ ନିୟମିତ ହୋଇସାରିଛନ୍ତି। କିନ୍ତୁ ୨୦୧୬ ବ୍ୟାଚର ୩୨୦୦ ଚୁକ୍ତିଭିତ୍ତିକ ଶିକ୍ଷକଙ୍କ ନିୟମିତ ଫାଇଲ ଦୀର୍ଘ ୭ ମାସ ହେବ, ବିଭାଗର ଅର୍ଥ ପରାମର୍ଶ ଦାତାଙ୍କ ପାଖରେ ପଡିରହିଛି, ସେମାନେ ୭ ବର୍ଷ ପରେ ବି ନିୟମିତ ହୋଇପାରୁନାହାନ୍ତି। ସଚିବ ସବୁ ଜାଣି ବି ନିରବଦ୍ରଷ୍ଠା ସାଜିଛନ୍ତି।

ନାରୀକୁ ସମ୍ମାନ କଥା କହୁଥିବା ମାନ୍ୟବର ମୁଖ୍ୟମନ୍ତ୍ରୀ କେତେ ଶିକ୍ଷୟତ୍ରୀଙ୍କୁ ସମ୍ମାନ ଦେଉଛନ୍ତି ସଂଘ ପ୍ରଶ୍ନ କରିଛି। ଗତ ମାସରେ ଝାରସୁଗୁଡାର ଜଣେ ବିଧବା ମା ତଥା ଚୁକ୍ତିଭିତ୍ତିକ ଶିକ୍ଷୟତ୍ରୀ ସୋସିଆଲ ମିଡ଼ିଆରେ କାନ୍ଦି କାନ୍ଦି ନିୟମିତ କର ବୋଲି ମୁଖ୍ୟମନ୍ତ୍ରୀଙ୍କୁ ଅନୁରୋଧ କରିଥିଲା। କିନ୍ତୁ ସରକାର ଶୁଣିଲେନି, ଏ ସରକାର ନାରୀକୁ ସମ୍ମାନ ଦିଅନ୍ତି ନାହିଁ ଓ ୫ ଟି ନାଁରେ ମିଛ ସରକାର ଚାଲିଛି ବୋଲି ସର୍ବସାଧାରଣ କହୁଥିବା କଥା ସତ ପାଲଟିଛି।  କାରଣ ୫ ଗୋଟି ଟି ମଧ୍ୟରୁ ଗୋଟିଏ ଟି ହେଲା ଟାଇମ, ଅର୍ଥାତ୍ ଠିକ୍ ସମୟରେ କାର୍ଯ୍ୟ ସରିବା କଥା। କିନ୍ତୁ ଗଣଶିକ୍ଷା ବିଭାଗ ୫ ଟି ଅଧୀନରେ ଆସୁଥିଲେ ବି ଦୀର୍ଘ ୭ ମାସ ପରେ ବି ଚୁକ୍ତିଭିତ୍ତିକ ଶିକ୍ଷକ ମାନଙ୍କୁ ବିଭାଗ ନିୟମିତ କରୁନାହାନ୍ତି।

ଚୁକ୍ତିଭିତ୍ତିକ ଶିକ୍ଷକ ମାନଙ୍କ ପ୍ରତି ସରକାରଙ୍କ ବୈମାତୃକ ମନଭାବ, ମାତ୍ରାଧିକ ନିର୍ଯାତନା ଓ ନିୟମିତ କରିନଥିବାରୁ, ସଂଘ ଏପ୍ରିଲ ୧ ଠାରୁ ନିୟମିତ ଚିଠି ବାହାରିବା ଯାଏଁ ଅନିର୍ଦ୍ଧିଷ୍ଟ ସମୟ ପାଇଁ ଗାନ୍ଧୀ ମାର୍ଗରେ ଆନ୍ଦୋଳନରେ ବସିଅଛି। ସରକାର ଆଲୋଚନା ପାଇଁ ଡାକିଥିଲେ ବି ସଂଘ ସଫା ସଫା ମନାକରିଦେଇଥିଲେ। ସଂଘ ମତ ହେଉଛି ଆଲୋଚନା ନୁହଁ ଚିଠି ଦରକାର, ନିୟମିତ ଚିଠି ବାହାରିବା ପରେ ଆନ୍ଦୋଳନରୁ ହଟିବ ବୋଲି ସଂଘର ସମ୍ପାଦକ ସତ୍ୟ ଭୂଷଣ ତରାଇ ସରକାରଙ୍କୁ ଚେତାବନୀ ଦେଇଛନ୍ତି।

ଏହି ସମୟରେ ମାଧ୍ୟମିକ ଶିକ୍ଷା କ୍ଷେତ୍ରରେ, ଛାତ୍ର ଛାତ୍ରୀଙ୍କ ଶିକ୍ଷା ବାଧା ପ୍ରାପ୍ତ ହୋଇପାରେ, ଏଥିପାଇଁ ସରକାର ନିଜେ ଦାୟୀ ରହିବେ ବୋଲି ସଙ୍ଘର ଉପଦେଷ୍ଟା ବିଶ୍ୱଜିତ ବିଶ୍ୱାଳ ସରକାରଙ୍କୁ ଅବଗତ କରାଇଛନ୍ତି। ସରକାରଙ୍କ ଶିକ୍ଷକ ମାରଣାନୀତି ପ୍ରତିବାଦରେ ସଂଘର କୋଷାଧକ୍ଷ ଅକ୍ଷୟ ସତନାମୀ, ଉପସଭାପତି ବିନୋଦ ମିଶ୍ର, ପ୍ରତାପ ସାମଲ, ଦାମୋଦର ମହାନନ୍ଦ, ବସନ୍ତ କୌଶଲ୍ୟ , ଶାନ୍ତନୁ ଦାସ, ମାନସ ବେହେରା, ସାଇ ପ୍ରିତମ ସେନାପତି, ହବିଲ କିସାନ ପ୍ରମୁଖ ରାଜ ରାସ୍ତାରେ ନିଜର ଅସନ୍ତୋଷ ପରିପ୍ରକାଶ କରିଥିଲେ।

Categories
ଆଜିର ଖବର ରାଜ୍ୟ ଖବର

ଚିଲିକା: ନୂଆ ରେଳ ଲାଇନ ସର୍ଭେକୁ ନେଇ ଜନ ଅସନ୍ତୋଷ, ଆନ୍ଦୋଳନର ମିଳୁଛି ଆଭାସ

ସୀତାରାମ ଅଗ୍ରୱାଲ

ଚିଲିକା: ଖୋର୍ଦ୍ଧା ଜିଲ୍ଲା ଚିଲିକାରେ ନୂଆ ରେଳ ଲାଇନ ସର୍ଭେକୁ ନେଇ ଜନ ଅସନ୍ତୋଷ ଦେଖିବାକୁ ମିଳିଛି। ଆଜି ବଡ଼କୁଳ ଠାରେ ଥିବା ଶ୍ରୀ ଶ୍ରୀ ରାମେଶ୍ୱର ମନ୍ଦିରରେ ଜିଲ୍ଲା ପରିଷଦ ପ୍ରତିନିଧି ବୁଟା ସୁନ୍ଦରାୟଙ୍କ ଆବାହକତ୍ଵରେ ପ୍ରାୟ ୪ଟି ପଂଚାୟତର ସରପଞ୍ଚଙ୍କ ସମେତ ବହୁ ଲୋକ ଏକାଠି ହୋଇଥିଲେ।

ଖବରରୁ ଜଣାଯାଇଛି ବାଲୁଗାଁ ନିକଟ ଦେଇ ଦକ୍ଷିଣ ପୂର୍ବ ରେଳପଥ ଯାଇଥିବା ବେଳେ କେନ୍ଦ୍ର ସରକାରଙ୍କ ନିଷ୍ପତ୍ତି କ୍ରମେ କେବଳ ମାଲବାହୀ ଟ୍ରେନ ଗମନା ଗମନ ପାଇଁ କଲିକତା ଠାରୁ ବିଜୟୱାଡା ପର୍ଯ୍ୟନ୍ତ ନୂଆକରି ଏକ ଟ୍ରେନ ଲାଇନ ନିର୍ମାଣ ପାଇଁ ଯୋଜନା ହୋଇଛି। ଯାହା ଫଳରେ ବିଭିନ୍ନ ସର୍ବେକ୍ଷଣ ସଂସ୍ଥା ଦ୍ୱାରା ସରକାର ସର୍ଭେ କରୁଥିବାର ଗ୍ରାମବାସୀ ମାନେ ଅଭିଯୋଗ କରିଛନ୍ତି। କିନ୍ତୁ ସର୍ବେକ୍ଷଣ କେତେଦୂର ଅଗ୍ରଗତି ହୋଇଛି, କେଉଁ କେଉଁ ରାଜସ୍ୱ ମୌଜ଼ାର ଲୋକ କ୍ଷତିଗ୍ରସ୍ତ ହେଉଛନ୍ତି, କେଉଁ କେଉଁ ଗ୍ରାମ ତାହାର ସତ୍ତା ହରାଇବାକୁ ଯାଉଛି, ଏ ସମ୍ପର୍କରେ କାହା ପାଖରେ ସଠିକ ତଥ୍ୟ ନଥିବା ଜଣାଯାଇଛି।

ଅନୁସନ୍ଧାନରୁ ଏହାର ସତ୍ୟତା ଥିବା ଜଣାଯାଇଛି ଯେ, ୧୦/୦୮/୨୦୨୨ ତାରିଖରେ ପତ୍ର ସଂଖ୍ୟା ୧୨୪୭୨ ଅନୁଯାୟୀ ଖୋର୍ଦ୍ଧା ଜିଲ୍ଲାପାଳଙ୍କ ଅଫିସ ତରଫରୁ ବେଗୁନିଆ, ଟାଙ୍ଗି, ଚିଲିକା ଓ ବାଣପୁର ତହସିଲଦାର/ବିଡ଼ିଓ ଙ୍କୁ ଜମି ଅଧିଗ୍ରହଣ ଅଧିକାରୀ ଚିଠି ପ୍ରେରଣ କରିଛନ୍ତି। ଯାହାଫଳରେ ଚିଲିକାର ବଡ଼କୁଳ, ଅଠର ବାଟିଆ, ନିମିକ୍ଷେତା ଏବଂ ନନ୍ଦପୁର ଗ୍ରାମପଂଚାୟତ ଗୁଡିକ ଏହି ରେଳ ପ୍ରକଳ୍ପ ଦ୍ୱାରା କ୍ଷତିଗ୍ରସ୍ତ ହେବାର ସମ୍ଭାବନା ଅଛି।

ଏହି ପରିପ୍ରେକ୍ଷୀରେ ସମବେତ ପଂଚାୟତବାସୀ ଏକ କମିଟି ଗଠନ କରିଛନ୍ତି। କମିଟି ଜିଲ୍ଲାପାଳ ଏବଂ ରେଳ ବିଭାଗର ଉଚ୍ଚ ପଦସ୍ଥ କର୍ମଚାରୀମାନଙ୍କ ସାଥିରେ ଆଲୋଚନା କରି କେଉଁ କେଉଁ ମୌଜାର ଜମି ଓ ଗ୍ରାମ କ୍ଷତିଗ୍ରସ୍ତ ହେଉଛି ଏବଂ ଏହାର କଣ ସତ୍ୟତା ଅଛି ତାହାକୁ ଲୋକମାନଙ୍କୁ ଅବଗତ କରିବେ। କମିଟି ଅବଗତ କଲାପରେ ପରବର୍ତ୍ତୀ କାର୍ଯ୍ୟପନ୍ଥା ବୈଠକ କରାଯାଇ ନିର୍ଦ୍ଧାରଣ କରାଯିବ ବୋଲି ସଭାରେ ସହମତି ପ୍ରକାଶ ପାଇଛି।

ଉକ୍ତ ଘଟଣାକୁ ନେଇ ସାଧାରଣରେ ତୀବ୍ର ଅସନ୍ତୋଷ ଲାଗିରହିଥିବା ବେଳେ ନିଜର ଜମି ଚାଲିଯିବା ଓ ଭିଟାମାଟି ଚାଲିଯିବା ଭୟରେ ଉପରୋକ୍ତ ପଂଚାୟତବାସୀ ଭୀତତ୍ରସ୍ତ ଅବସ୍ଥାରେ ଅଛନ୍ତି। ଏହାକୁ ନେଇ ଏକ ଜୋରଦାର ଆନ୍ଦୋଳନର ଆଭାସ ମିଳୁଛି। ତେଣୁ ପ୍ରଶାସନ ଏହାକୁ ଗୁରୁତର ସହ ନେଇ ଲୋକମାନଙ୍କ ସାଥିରେ ଆଲୋଚନା କରିବାକୁ ସାଧାରଣରେ ଦୃଢ଼ ଦାବି ହେଉଛି।

Categories
ଆଜିର ଖବର ରାଜ୍ୟ ଖବର

ଆନ୍ଦୋଳନକୁ ଓହ୍ଲାଇବ ମିଳିତ ସାମ୍ବାଦିକ ସଂଘ ମହାମଞ୍ଚ

ଭୁବନେଶ୍ୱର: ବାଲେଶ୍ୱର ଜିଲ୍ଲା ନୀଳଗିରି ଥାନାରେ କର୍ତ୍ତବ୍ୟରତ ସାମ୍ବାଦିକ ଲୋକନାଥ ଦଳେଇଙ୍କ ନାମରେ ମିଥ୍ୟା ମାମଲା ରୁଜୁ ସହିତ ତାଙ୍କୁ ଆକ୍ରୋଶମୂଳକ ଭାବେ ଗିରଫ କରାଯାଇ ଥାନାରେ ଶାରୀରିକ ଓ ମାନସିକ ନିର୍ଯ୍ୟାତନା ଦିଆଯାଇଛି। ପୋଲିସ୍ ନିର୍ଯ୍ୟାତନା ଯୋଗୁ ଅସୁସ୍ଥ ହୋଇପଡ଼ିଥିବା ଲୋକନାଥଙ୍କୁ ଚିକିତ୍ସାଧୀନ ଅବସ୍ଥାରେ ତଳେ ଶୁଆଇ ଗୋଡ଼ରେ ବେଡ଼ି ପକାଇ ଦିଆଯାଇଥିବା ଘଟଣା ଅତ୍ୟନ୍ତ ବର୍ବୋରଚିତ। ଏହି ପରିପ୍ରେକ୍ଷୀରେ ସମ୍ପୃକ୍ତ ନୀଳଗିରି ଥାନା ଅଧିକାରୀ ଓ ତଦନ୍ତ ଅଧିକାରୀଙ୍କ ବିରୁଦ୍ଧରେ ଦୃଢ କାର୍ଯ୍ୟାନୁଷ୍ଠାନ ଦାବି ପୂର୍ବକ ସମଗ୍ର ରାଜ୍ୟରେ ସାମ୍ବାଦିକମାନେ ତୀବ୍ର ପ୍ରତିବାଦ ଜଣାଇଥିଲେ।

ଏଥିସହିତ ସାମ୍ବାଦିକ ସଂଗଠନ ମାନଙ୍କ ପକ୍ଷରୁ ଥାନା ଅଧିକାରୀ ଓ ତଦନ୍ତ ଅଧିକାରୀଙ୍କ ନିଲମ୍ବନ ଦାବିରେ ମୁଖ୍ୟମନ୍ତ୍ରୀ ଓ ପୋଲିସ୍ ମହାନିର୍ଦ୍ଦେଶକଙ୍କୁ ସ୍ମାରକ ପତ୍ର ପ୍ରଦାନ କରାଯାଇଥିଲା। ଉତ୍କଳ ସାମ୍ବାଦିକ ସଂଘ ପକ୍ଷରୁ ଡ଼ିଜିଙ୍କ ସହିତ ଆଲୋଚନା କାଳରେ ସମ୍ପୃକ୍ତ ଅଧିକାରୀମାନଙ୍କ ବିରୁଦ୍ଧରେ ଯଥାଶୀଘ୍ର ତଦନ୍ତ କରାଯାଇ କାର୍ଯ୍ୟାନୁଷ୍ଠାନ ଗ୍ରହଣ କରାଯିବ ବୋଲି ଡ଼ିଜି ପ୍ରତିଶ୍ରୁତି ଦେଇଥିଲେ ମଧ୍ୟ ଅଦ୍ୟାବଧି ସମ୍ପୃକ୍ତ ଅଧିକାରୀମାନଙ୍କ ବିରୁଦ୍ଧରେ ବଦଳି ବ୍ୟତିରକେ କୌଣସି କାର୍ଯ୍ୟାନୁଷ୍ଠାନ ଗ୍ରହଣ କରାଯାଇ ନାହିଁ।

ଏହି ପରିପ୍ରେକ୍ଷୀରେ ମିଳିତ ସାମ୍ବାଦିକ ସଂଘ ମହାମଞ୍ଚ ପକ୍ଷରୁ ରାଜ୍ୟର ୯ଗୋଟି ସାମ୍ବାଦିକ ସଂଘ ଏକ ବୈଠକରେ ସମ୍ମିଳିତ ହୋଇ ଘଟଣାର କ୍ଷୋଭ ପ୍ରକାଶ କରିଛନ୍ତି।

ଆଲୋଚନାକାଳରେ ନିଷ୍ପତ୍ତି ନିଆଯାଇଥିଲା କି ସମ୍ପୃକ୍ତ ଅଧିକାରୀଦ୍ୱୟଙ୍କୁ ଆଗାମୀ ୭ ଦିନ ମଧ୍ୟରେ ନିଲମ୍ବନ, ଲୋକନାଥଙ୍କ ବିରୁଦ୍ଧରେ ହୋଇଥିବା ମିଥ୍ୟା ମାମଲା ପ୍ରତ୍ୟାହାର ଓ ୧୫ ଲକ୍ଷ ଟଙ୍କାର କ୍ଷତିପୂରଣ ଦାବି କରାଯାଇଛି।

ଅନ୍ୟପକ୍ଷରେ ରାଜ୍ୟରେ କ୍ରମାଗତଭାବେ ବୃଦ୍ଧି ପାଉଥିବା ସମ୍ବାଦିକଙ୍କ ଉପରେ ଆକ୍ରମଣ ଘଟଣାରେ ବୈଠକରେ ଉଦ୍‌ବେଗ ପ୍ରକାଶ ପାଇବା ସହିତ ତୁରନ୍ତ ସାମ୍ବାଦିକ ସୁରକ୍ଷା ଆଇନ୍ ପ୍ରଣୟନ ପାଇଁ ମହାମଞ୍ଚ ପକ୍ଷରୁ ଦୃଢ ଦାବି କରାଯାଇଛି। ତେବେ ଦାବି ପ୍ରତି ବିଭାଗୀୟ ମୁଖ୍ୟ ଯଦି ଉଦାସୀନ ମନୋଭାବ ପୋଷଣ ପୂର୍ବକ କାର୍ଯ୍ୟାନୁଷ୍ଠାନ ଗ୍ରହଣ ନକରନ୍ତି, ସଂଘ ଗୁଡ଼ିକ ସମ୍ମିଳିତ ଭାବେ ଜିଲ୍ଲା ସଦର ମହକୁମା ଠାରୁ ରାଜଧାନୀ ପର୍ଯ୍ୟନ୍ତ ଆନ୍ଦୋଳନକୁ ତୀବ୍ରତର କରିବେ ବୋଲି ଘୋଷଣା କରିଛନ୍ତି।

ମହାମଞ୍ଚର ଆବାହକ ବିଭୂତି ଭୂଷଣ କରଙ୍କ ନେତୃତ୍ୱରେ ଆୟୋଜିତ ସାମ୍ବାଦିକ ସମ୍ମିଳନୀରେ ଏସ୍‌ୟୁଜେର ସାଧାରଣ ସମ୍ପାଦକ କୈଳସ ଚନ୍ଦ୍ର ନାୟକ, ଓୟୁଡବ୍ଲୁଜେର ସାଧାରଣ ସମ୍ପାଦକ ନିରଞ୍ଜନ ବିଶ୍ୱାଳ, ପତ୍ରକାର ସଂଘର ସଭାପତି ଅବିନାଶ ମିଶ୍ର, ଓୟୁଜେର ସଭାପତି ଶିଶୁଭୂଷଣ ଗ୍ରହରାଜ, ଓଡ଼ିଶା ୟୁନିୟନ ଅଫ ୱାର୍କିଂ ଜର୍ଣ୍ଣାଲିଷ୍ଟର ସଭାପତି ସୁଜ୍ଞାନ ଚୌଧୁରୀ, ଉତ୍କଳ ସାମ୍ବାଦିକ ସଂଘର ସାଧାରଣ ସମ୍ପାଦକ ପୂର୍ଣ୍ଣଚନ୍ଦ୍ର ନାୟକ, ଓୟୁଡବ୍ଲୁଜେର ସଭାପତି ସଞ୍ଜୟ ଦାସ, ଆଇଓୟୁଡବ୍ଲୁଜେର ସଭାପତି ଭାଗବତ ତ୍ରିପାଠୀ, କଳିଙ୍ଗ ସାମ୍ବାଦିକ ସଂଘର ସମ୍ପାଦକ ନିରଞ୍ଜନ ରେଡି ପ୍ରମୁଖ ବୈଠକରେ ଉପସ୍ଥିତ ଥିଲେ।

Categories
ଆଜିର ଖବର ଜାତୀୟ ଖବର

ଜାନୁୟାରୀ ୩୧ ରୁ ପୁନର୍ବାର ଆରମ୍ଭ ହେବ ଆନ୍ଦୋଳନ!: କୃଷକ ନେତା ରାକେଶ ଟିକାଏତ

ଲକ୍ଷ୍ନୌ: ଉତ୍ତରପ୍ରଦେଶର ଲକ୍ଷ୍ନୌରେ ପହଞ୍ଚିଥିବା କୃଷକ ନେତା ରାକେଶ ଟିକାଏତ ସରକାରଙ୍କ ଉପରେ ଏକ ବଡ ଆକ୍ରମଣ କରିଛନ୍ତି। ସରକାର ଉପରେ ଜନସାଧାରଣ କ୍ରୋଧିତ ଥିବା ସେ କହିଛନ୍ତି। ପାଞ୍ଚରୁ ସାତ ବର୍ଷ ବିତିଗଲାଣି କିନ୍ତୁ ସରକାର ଲୋକଙ୍କ ପାଇଁ କିଛି କରି ନାହିଁ। ଜାନୁୟାରୀ ୩୧ ତାରିଖରୁ ପୁନର୍ବାର ଆନ୍ଦୋଳନ ଆରମ୍ଭ କରିବା ବିଷୟରେ ଟିକେଏତ କହିଛନ୍ତି। ସେ ଅଭିଯୋଗ କରିଛନ୍ତି ଯେ, ଦିଲ୍ଲୀରେ ସରକାର ଦେଇଥିବା ପ୍ରତିଶ୍ରୁତି ଏପର୍ଯ୍ୟନ୍ତ ପୂରଣ ହୋଇନାହିଁ।

Categories
ଆଜିର ଖବର

ଓଡ଼ିଶା ଟେଲିକମ୍ ମାଇକ୍ରୋୱେଭ ମଜଦୁର ସଂଘ କର୍ମଚାରୀମାନଙ୍କ ଅନିର୍ଦ୍ଦିଷ୍ଟ କାଳ ପର୍ଯ୍ୟନ୍ତ ଆନ୍ଦୋଳନ

ଭୁବନେଶ୍ୱର: ବି.ଏସ୍‌.ଏନ୍‌.ଏଲ୍ କର୍ମଚାରୀ କାଜୁଆଲ ମଜଦୁର ସଂଘ ସେମାନଙ୍କର ୯ ଦଫା ଦାବି ନେଇ ଆଜି ବି.ଏସ୍‌.ଏନ୍‌.ଏଲ୍ କାର୍ଯ୍ୟାଳୟ ସମ୍ମୁଖରେ ବିକ୍ଷୋଭ ପ୍ରଦର୍ଶନ କରିଥିଲେ ଏବଂ ଏହି ବିକ୍ଷୋଭ ଦାବି ପୂରଣ ପର୍ଯ୍ୟନ୍ତ ଚାଲୁ ରହିବ ବୋଲି ସେମାନେ ଘୋଷଣା କରିଥିଲେ।

ବି.ଏସ୍‌.ଏନ୍‌.ଏଲ୍‌ର ଉଚ୍ଚ କର୍ତ୍ତୃପକ୍ଷ ସେମାନଙ୍କ ଦାବି ଏବଂ ସମସ୍ୟା ନେଇ ବର୍ଷ ବର୍ଷ ଧରି କର୍ଣ୍ଣପାତ କରୁନଥିବାରୁ ଏବଂ କୋର୍ଟରେ କେସ୍ ଥିବାର ବାହାନା ଦେଖାଇ ସେମାନଙ୍କ ଦାବି ପ୍ରତି ଅଣଦେଖା କରୁଥିବାରୁ କର୍ମଚାରୀମାନେ ନିଜର ଘୋର ଅସନ୍ତୋଷ ପ୍ରକାଶ କରିବା ସଙ୍ଗେ ସଙ୍ଗେ ସେମାନଙ୍କ ଭବିଷ୍ୟତକୁ ବି.ଏସ୍‌.ଏନ୍‌.ଏଲ୍ କର୍ତ୍ତୃପକ୍ଷ ଅନ୍ଧାରକୁ ଠେଲି ଦେଇଛନ୍ତି ବୋଲି ଅଭିଯୋଗ କରିଛନ୍ତି। ଟି.ଏସ୍‌.ଏମ୍ ମାନଙ୍କୁ ନିର୍ଦ୍ଦିଷ୍ଟ ସ୍କିମ୍‌ରେ ଅନ୍ତର୍ଭୁକ୍ତ କରିବା ସହ ଚାକିରୀ ନିୟମିତ କରିବା, ଟି.ଏସ୍‌.ଏମ୍ ମାନଙ୍କୁ ସପ୍ତମ ବେତନ କମିଶନ ଆଧାରରେ ଦରମା ପ୍ରଦାନ କରିବା, ଟି.ଏସ୍‌.ଏମ୍ ମାନଙ୍କୁ ଅବସରକାଳୀନ ଭତ୍ତା, ମେଡ଼ିକାଲ ସୁବିଧା ଏବଂ ଗ୍ରାଚୁଇଟି ପ୍ରଦାନ କରିବା, ୨୦୨୧ ଜୁଲାଇ ଠାରୁ ଟି.ଏସ୍‌.ଏମ୍ ମାନଙ୍କୁ ବକେୟା ମହଙ୍ଗାଭତ୍ତା ପ୍ରଦାନ କରିବା, କୋଭିଡ଼ରେ ମୃତ୍ୟୁବରଣ କରିଥିବା କର୍ମଚାରୀମାନଙ୍କୁ ବିଭାଗ ତରଫରୁ ଆର୍ôଥକ ସାହାଯ୍ୟ ପ୍ରଦାନ କରିବା, ମହାସଂଘର ସାଧାରଣ ସମ୍ପାଦକଙ୍କୁ ମୁଖ୍ୟ କାର୍ଯ୍ୟାଳୟକୁ ବଦଳି କରି ଆଣିବା, ଫୋନ୍ ମେକାନିକାଲ ପରୀକ୍ଷାର ଫଳ ତୁରନ୍ତ ପ୍ରକାଶ କରିବା, ଆଉଟଡ଼ୋର୍‌ରେ କାମ କରୁଥିବା ଟି.ଏସ୍‌୍‌.ଏମ୍ ମାନଙ୍କୁ ବିଭାଗ ତରଫରୁ ସେଲ୍ ଫୋନ୍ ଓ ନେଟ୍‌ପ୍ୟାକ ପ୍ରଦାନ କରିବା ଭଳି ପ୍ରମୁଖ ଦାବିଗୁଡ଼ିକୁ କର୍ତ୍ତୃପକ୍ଷ ମାନି ନେବା ପାଇଁ ଆନ୍ଦୋଳନ କରିଛନ୍ତି।

ଏପରିକି ସୁପ୍ରିମକୋର୍ଟଙ୍କ ରାୟ ଅନୁସାରେ ୨୦୦୯ରେ କର୍ମଚାରୀମାନଙ୍କୁ ନିୟମିତ କରିବା ପାଇଁ ନିର୍ଦ୍ଦେଶ ଦେଇଥିଲେ ମଧ୍ୟ ବିଭାଗୀୟ କର୍ତ୍ତୃପକ୍ଷ ଅନ୍ୟାନ୍ୟ କୋର୍ଟରେ କେସ୍ ଚାଲିଛି ବୋଲି କହି ଅଣଦେଖା କରି ଆସୁଛନ୍ତି। ଏଠାରେ ଉଲ୍ଲେଖଥାଉକି, ଇଷ୍ଟର୍ଣ୍ଣ ଟେଲିକମ୍ ରିଜନରେ କାର୍ଯ୍ୟ କରୁଥିବା ଟେମ୍ପୋରାରୀ ଷ୍ଟାଟସ ମଜଦୁର (ଟି.ଏସ୍‌.ଏମ୍‌) ସଂଘ ଓ ଇଷ୍ଟର୍ଣ୍ଣ ଟେଲିକମ୍ ପ୍ରୋଜେକ୍ଟରେ ଓଡ଼ିଶାରେ କାର୍ଯ୍ୟ କରୁଥିବା ମୋଟ ୪୪୧ଜଣ କର୍ମଚାରୀ ସେମାନଙ୍କ ଉକ୍ତ ଦାବିଗୁଡ଼ିକ ପୂରଣ ନହେବା ପର୍ଯ୍ୟନ୍ତ ଆନ୍ଦୋଳନ ଅନିର୍ଦ୍ଦିଷ୍ଟ କାଳ ଚାଲୁ ରହିବ ବୋଲି ସଂଘର ସଭାପତି ଜନାର୍ଦ୍ଦନ ରଣସିଂ ଏବଂ ସାଧାରଣ ସମ୍ପାଦକ ଲଡୁକିଶୋର ଗୌଡ଼ ଏକ ପ୍ରେସ୍ ବିବୃତ୍ତିରେ ଜଣାଇଛନ୍ତି।

Categories
ଆଜିର ଖବର ରାଜ୍ୟ ଖବର

ପୁରୁଣା ପେନସନ ଦାବିରେ ଡ଼ିସେମ୍ବର ୨୩ରେ ପ୍ରାଥମିକ ଶିକ୍ଷକମାନଙ୍କ ଆନ୍ଦୋଳନ

ଭୁବନେଶ୍ୱର: ରାଜ୍ୟ ସରକାର ରାଜ୍ୟରେ ଶିକ୍ଷକ-କର୍ମଚାରୀ ମାରଣ ନୀତି ଜାରି ରଖିଛନ୍ତି। ୬ ବର୍ଷ ଠିକା ଓ ଚୁକ୍ତିରେ ବିଦ୍ୟାଳୟରେ କାର୍ଯ୍ୟ କରାଇ ଉଚ୍ଚଶିକ୍ଷିତ ଯୁବକଯୁବତୀମାନଙ୍କୁ ଶୋଷଣ କରୁଛନ୍ତି। ୬ ବର୍ଷ କାଳ ଶିକ୍ଷକମାନଙ୍କୁ କମ୍ ଦରମା ଦେଉଛନ୍ତି। ଦେଶର ପ୍ରାୟ ସମସ୍ତ ରାଜ୍ୟରେ ଶିକ୍ଷକମାନଙ୍କୁ ସପ୍ତମ ବେତନ କମିଶନରେ ୪୨୦୦ଟଙ୍କା ଗ୍ରେଡ୍ ପେ ଦେଇ ଦରମା ସଂଶୋଧନ କରିଥିବା ବେଳେ ଆମ ରାଜ୍ୟରେ ପ୍ରାଥମିକ ଶିକ୍ଷକମାନଙ୍କୁ ଦରମା ସପ୍ତମ ବେତନ କମିଶନରେ ଗ୍ରେଡ୍ ପେ ୨୨୦୦ ଟଙ୍କା ଦରମା ସଂଶୋଧନ କରିଥିବାରୁ ଅନ୍ୟ ରାଜ୍ୟ ଶିକ୍ଷକମାନଙ୍କ ଦରମା ଠାରୁ ସର୍ବନିମ୍ନ ଦରମା ହୋଇଛି।

ସର୍ବୋଚ୍ଚ ଅଦାଲତ ସମାନ କାମକୁ ସମାନ ଦରମା ଦେବା ପାଇଁ କହିଥିବା ବେଳେ ରାଜ୍ୟ ସରକାର ତାହାକୁ ମାନୁନାହାଁନ୍ତି। ଶିକ୍ଷା ଅଧିକାର ଆଇନରେ ସମସ୍ତ ଶିକ୍ଷକମାନଙ୍କୁ ପେନସନ, ଗ୍ରାଚୁଇଟି, ମେଡ଼ିକାଲ ଭତ୍ତା, ଭବିଷ୍ୟନିଧି ପାଣ୍ଠି, ଡ଼ାକ୍ତରୀ ସୁବିଧା, ସ୍ୱାସ୍ଥ୍ୟବୀମା ଓ ଅବସରକାଳୀନ ସୁବିଧା ସୁଯୋଗ ଦେବା ପାଇଁ ରାଜ୍ୟ ସରକାର ଆଇନ କରିଥିବା ବେଳେ ତାହାକୁ ନିଜେ ଉଲଂଘନ କରୁଛନ୍ତି। ଶିକ୍ଷକମାନେ ୩୦ରୁ ୩୫ବର୍ଷ କାର୍ଯ୍ୟ କରିବା ପରେ ସେମାନଙ୍କୁ ଖାଲି ହାତରେ ଅବସର ନେବାକୁ ପଡ଼ୁଛି । ଜଗତୀକରଣ ଓ ଉଦାରୀକରଣ ଅର୍ଥନୀତିର ଚାପରେ ରାଜ୍ୟ ଓ କେନ୍ଦ୍ର ସରକାର ପୁରୁଣା ପେନସନ ବ୍ୟବସ୍ଥାକୁ ବନ୍ଦ କରି ଯେଉଁ ନୂତନ ପେନସନ ବ୍ୟବସ୍ଥା ୨୦୦୫ ମସିହା ଠାରୁ ପ୍ରଚଳନ କରିଛନ୍ତି ସେଥିରେ କିଛି ବିଶେଷ ସୁବିଧା ସୁଯୋଗ ଶିକ୍ଷକ କର୍ମଚାରୀଙ୍କୁ ମିଳୁନାହିଁ। ଜଣେ ଶିକ୍ଷକ ଅବସର ନେଲେ ନୂତନ ପେନସନ ନିୟମ ଅନୁଯାୟୀ ସେମାନଙ୍କୁ ୫୦୦ରୁ ୧୦୦୦ ଟଙ୍କା ପର୍ଯ୍ୟନ୍ତ ପେନସନ ମିଳୁଛି।

ଯାହାଦ୍ୱାରା ଅବସର ନେଉଥିବା ଶିକ୍ଷକ କର୍ମଚାରୀମାନଙ୍କ ଚାକିରୀର ଅବଶିଷ୍ଟ ଜୀବନକାଳ ଦୁଃଖକଷ୍ଟରେ ଅତିବାହିତ କରିବାକୁ ପଡୁଛି। ୨୦୦୫ ମସିହା ପୂର୍ବ ପ୍ରଚଳିତ ପେନସନ ବ୍ୟବସ୍ଥା ସମସ୍ତଙ୍କ ପାଇଁ ଉଚ୍ଛେଦ କରାଯାଇଥିଲେ ମଧ୍ୟ ମାନ୍ୟବର ବିଧାୟକ ଓ ସାଂସଦମାନଙ୍କୁ କାହିଁକି ଦିଆଯାଉଛି ବୋଲି ସଂଘର ସଭାପତି ବ୍ରହ୍ମାନନ୍ଦ ମହାରଣା ଅଭିଯୋଗ କରିଛନ୍ତି। ନିୟମ ଯଦି ସମସ୍ତଙ୍କ ପାଇଁ ସମାନ ଲାଗୁ କରାଯାଇଛି, ତବେ ବିଧାୟକ ଓ ସାଂସଦମାନେ କାହିଁକି ପୁରୁଣା ପେନସନ ଉପଭୋଗ କରୁଛନ୍ତି? ତେଣୁ ଶିକ୍ଷକ କର୍ମଚାରୀମାନଙ୍କୁ ୨୦୦୫ ମସିହା ପୂର୍ବ ପ୍ରଚଳିତ ପେନସନ ବ୍ୟବସ୍ଥା ଲାଗୁ କରିବାକୁ ଶିକ୍ଷକ ସଂଘ ଦାବି କରିଛି। ରାଜ୍ୟ ସରକାର ସମସ୍ତଙ୍କୁ ବିଜୁ ସ୍ୱାସ୍ଥ୍ୟ କାର୍ଡ଼ ଦେଉଥିବା ବେଳେ ଶିକ୍ଷକମାନଙ୍କୁ ସ୍ୱାସ୍ଥ୍ୟବୀମାରେ ଅନ୍ତର୍ଭୁକ୍ତ କରୁନାହାଁନ୍ତି।

ଶିକ୍ଷକମାନଙ୍କୁ କେନ୍ଦ୍ରୀୟ ହାରରେ ଦରମା ଓ ଶିକ୍ଷା ସହାୟକ କାର୍ଯ୍ୟକାଳକୁ ଚାକିରୀରେ ଗଣନା କରିବା, ଶିକ୍ଷକମାନଙ୍କୁ ସ୍ୱାସ୍ଥ୍ୟବୀମାରେ ସାମିଲ୍ କରିବାକୁ ପ୍ରାଥମିକ ବିଦ୍ୟାଳୟ ଶିକ୍ଷକ ସଂଘର ସାଧାରଣ ସମ୍ପାଦକ ବିଭୁ ପ୍ରସାଦ ସାହୁ ଦାବି କରିଛନ୍ତି। ବାରମ୍ବାର ଦାବି ସତ୍ତ୍ୱେ ସରକାର ଶିକ୍ଷକମାନଙ୍କର ନ୍ୟାୟୋଚିତ ଦାବିକୁ କାର୍ଯ୍ୟକାରୀ କରୁନଥିବାରୁ ପ୍ରାଥମିକ ବିଦ୍ୟାଳୟ ଶିକ୍ଷକ ସଂଘ, ଓଡ଼ିଶା ବାଧ୍ୟ ହୋଇ ଆସନ୍ତା ଡ଼ିସେମ୍ବର ୨୩ ତାରିଖରେ ଏକ ବିଶାଳ ଆନ୍ଦୋଳନର ଆୟୋଜନ କରିବାକୁ ଯାଉଛି ବୋଲି ସଂଘର ନେତୃବୃନ୍ଦ ମିଳିତ ଭାବେ ଏକ ପ୍ରେସ୍ ବିବୃତ୍ତିରେ ପ୍ରକାଶ କରିଛନ୍ତି।

ଏହି ସାମ୍ବାଦିକ ସମ୍ମିଳନୀରେ କୋଷାଧ୍ୟକ୍ଷ ଗୋପାଳ କିଶୋର ସେନ, ଟୁଲୁ ଦେଇ, ସୁଶିଲ କୁମାର ସେଠୀ, ସମରେଶ ବେହେରା, ସୁଶାନ୍ତ ମଲ୍ଲିକ ଓ ଜିତେନ୍ଦ୍ର କୁମାର ନାୟକ ପ୍ରମୁଖ ଉପସ୍ଥିତ ଥିଲେ।

Categories
ଆଜିର ଖବର ଆଞ୍ଚଳିକ ରାଜ୍ୟ ଖବର

ଊମାମହେଶ୍ୱର ମନ୍ଦିର ପରିଚାଳନା କମିଟିକୁ ବିରୋଧ: ଆନ୍ଦୋଳନ ଲାଗି ଏକାଠି ହେଲେ ଶତାଧିକ ଜନତା

ସୀତାରାମ ଅଗ୍ରୱାଲ

ଚିଲିକା: ଆଜି ଅପରାହ୍ନରେ ବାଲୁଗାଁ ଉମାମହେଶ୍ୱର ବଣିକ ସଙ୍ଘ ପରିସରରେ ଅଠର ଖଣ୍ଡ ମୌଜାର ଶତାଧିକ ଜନତା ଶ୍ରୀ ଶ୍ରୀ ଉମାମହେଶ୍ୱର ଦେବଙ୍କ ସୁରକ୍ଷା ନେଇ ବିଶାଳ ଜନ ଆନ୍ଦୋଳନ କରିଛନ୍ତି। ଏଥିନିମନ୍ତେ ସମାଜସେବୀ ପ୍ରସାଦ କୁମାର ପ୍ରଧାନଙ୍କ ଅଧ୍ୟକ୍ଷତାରେ ଏହି ଅଠର ଖଣ୍ଡ ମୌଜା ତଥା ଏନ୍ଏସିର ପୁରୁଖା ବ୍ୟକ୍ତି ବିଶେଷଙ୍କୁ ନେଇ ଏକ ବୈଠକ ଅନୁଷ୍ଠିତ ହୋଇଯାଇଛି।

ସୂଚନା ମୁତାବକ ଗତ ୧୧ ତାରିଖରେ ନୂଆ ପରିଚାଳନା କମିଟି ଗଠନ ପାଇଁ ନିର୍ଦ୍ଦେଶ ଥିବା ଯୋଗୁଁ ସେଠାରେ ନୂତନ କରି ୯ ଜଣିଆ କମିଟି ଗଠନ ହୋଇଥିଲା। ଉକ୍ତ କମିଟିରେ ୯ ଜଣ କମିଟି ମେମ୍ବର ଥିବାବେଳେ ଚିଲିକା ବିଧାୟକ ପ୍ରଶାନ୍ତ ଜଗଦ୍ଦେବଙ୍କୁ ସଭାପତି ଭାବେ ମନୋନୀତ କରାଯାଇଥିଲା। ମାତ୍ର ସାଧାରଣ ଜନତା ତଥା ବୁଦ୍ଧିଜୀବୀ ମହଲ ଏହି କମିଟିକୁ ଗ୍ରହଣ କରିପାରୁନଥିବାରୁ ମନ୍ଦିର ପରିସରରେ ଅପ୍ରୀତିକର ପରିସ୍ଥିତି ସୃଷ୍ଟି ହେଇଥିଲା।ଏପରିକି ଆଗକୁ କୌଣସି ଅପ୍ରୀତିକର ପରିସ୍ଥିତି ହେବାର ଆଶଙ୍କା କରି ପୋଲିସ ୧୪୪ ଧାରା ଲାଗୁ କରିଥିଲା। ଯାହାଫଳରେ ମନ୍ଦିର ପ୍ରାଙ୍ଗଣରେ ୫ ଜଣ ରୁ ଅଧିକ ଭକ୍ତଙ୍କ ସମାଗମ ଉପରେ ରୋକ ଲାଗିବା ସହ ଅଦ୍ୟାବଧି ୧୪୪ ଧାରା ବଳବତ୍ତର ରହିଛି।ଯେଉଁଥିପାଇଁ ଶ୍ରଦ୍ଧାଳୁମାନେ ନାନାଦି ଅସୁବିଧାର ସମ୍ମୁଖୀନ ହେଉଛନ୍ତି।

ତେବେ ଏହାକୁ ନେଇ ଆଜି ବାଲୁଗାଁ ସଚେତନ ନାଗରିକ ମଞ୍ଚର ଆହ୍ୱାନ କ୍ରମେ ଅଠର ଖଣ୍ଡ ମୌଜାର ସାଧାରଣ ଜନତା ଦୃଢ଼ ବିରୋଧ କରିଛନ୍ତି ଏବଂ “ଶ୍ରୀ ଶ୍ରୀ ଉମାମହେଶ୍ୱରଦେବ ସୁରକ୍ଷା ମଞ୍ଚ” ଗଠନ କରାଯାଇ ଏହା ମାଧ୍ୟମରେ ଆନ୍ଦୋଳନକୁ ତୀବ୍ର କରିବାକୁ ନିଷ୍ପତ୍ତି ନେଇଛନ୍ତି। ନିକଟ ଭବିଷ୍ୟତରେ ଏହି ନୂତନ କମିଟିକୁ ରଦ୍ଦ କରି ସୁରକ୍ଷା ମଞ୍ଚ ପରାମର୍ଶରେ ଏକ ନୂତନ ପରିଚାଳନା କମିଟି ଗଠନ କରିବା ପାଇଁ ଦେବୋତ୍ତର କମିଶନରଙ୍କୁ ଅନୁରୋଧ କରାଯିବାକୁ ସ୍ଥିରିକୃତ କରାଯାଇଥିବା ବେଳେ ଆଗାମି ଦିନରେ କିପରି ମନ୍ଦିର ପରିଚାଳନା ସୁରୁଖୁରୁରେ ହେବ ତାହାକୁ ନେଇ ବିସ୍ତ୍ରୁତ ଆଲୋଚନା କରାଯାଇଛି।

Categories
ବିଶେଷ ଖବର ରାଜ୍ୟ ଖବର

ଶାନ୍ତି ପ୍ରିୟ ରାଜ୍ୟରେ ନିଆଁଲଗା ରାଜନୀତି, ସ୍ଥିତି ଜାହିର ପାଇଁ ବିରୋଧୀ ଦଳର ହୀନ ପ୍ରୟାସ

ଭୁବନେଶ୍ବର: ବର୍ତ୍ତମାନ ଓଡିଶାରେ ଚାଲିଛି ନିଆଁଲଗା ରାଜନୀତି। ଆଉ ଏହି ରାଜନୀତିର ଅନୁଭବ ଭୁବନେଶ୍ବରରେ ହେଉଛି ସର୍ବାଧିକ। କାରଣ ହେଲା ବିଧାନସଭା ଚାଲିଥିବାରୁ ବିରୋଧୀ ଦଳ ନିଜର ସ୍ଥିତି ଜାହିର କରିବା ପାଇଁ ବର୍ତ୍ତମାନ ଚଲାଇଛନ୍ତି ହୀନ ପ୍ରୟାସ। ଗଣମାଧ୍ୟମରେ ଲୋକଙ୍କ ଦୃଷ୍ଟି ଆକର୍ଷଣ କରିବା ପାଇଁ ଉଭୟ ବିଜେପି ଆଉ କଂଗ୍ରେସ ମଧ୍ୟରେ ଚାଲିଛି ଏକ ପ୍ରତିଯୋଗୀତା। କିଏ କେତେ ଗଣ୍ଡଗୋଳ କରି, ରକ୍ତାତ ହୋଇ ଲୋକଙ୍କ ପ୍ରିୟଭାଜନ ହୋଇପାରିବ ସେଥିପାଇଁ ଚାଲିଛି ନାଟକ।

ତେବେ ଏ ସବୁ ନାଟ କରିବାର ମୁଖ୍ୟ ଉଦ୍ଦେଶ୍ୟ ହେଉଛି ଆଗାମୀ ପଞ୍ଚାୟତ ନିର୍ବାଚନ। ବର୍ତ୍ତମାନ ଓଡିଶାର ରାଜନୈତିକ ସ୍ଥିତି ଯାହା ସେଥିରେ ବିଜେଡିକୁ ଛାଡିଦେଲେ ବିଜେପି ଓ କଂଗ୍ରେସର ସ୍ଥିତି ମଜବୁତ ନାହିଁ। ଭଲରେ ହେଉ କି ଭେଲରେ, ସେମାନେ ଚର୍ଚ୍ଚାରେ ରହିବା ପାଇଁ ଦିନରାତି ଲାଗିପଡିଛନ୍ତି। ରାଜଧାନୀ ଛାତିରେ ହାଙ୍ଗାମା କଲେ ଗାଁ ଗଣ୍ଡାରେ ତାଙ୍କର ମାରପିଟକୁ ନେଇ ଆଲୋଚନା ହେବ। ଫଳରେ ଲୋକେ ବିଜେଡିକୁ ଭୁଲିଯାଇ ତାଙ୍କ ପ୍ରତି ଆକର୍ଷିତ ହେବେ। ଏହି ଧାରଣ ବିରୋଧୀ ଦଳର ନେତାମାନଙ୍କର ରହିଛି।

ଏବେ ନୁହେଁ ଗତ 2019 ନିର୍ବାଚନରେ ମଧ୍ୟ ଏପରି ନିଆଁଲଗା ରାଜନୀତିକୁ ଲୋକମାନେ ପ୍ରତ୍ୟାଖାନ କରିଛନ୍ତି। ପ୍ରାୟତଃ 2014 ପରଠାରୁ ଶାନ୍ତିପ୍ରିୟ ଓଡିଶା ଲୋକେ ବିରୋଧୀଙ୍କୁ ଏଇଥିପାଇଁ ବାରମ୍ବାର ପ୍ରତ୍ୟାଖାନ କରିବାରେ ଲାଗିଛନ୍ତି। ତଥାପି ବିରୋଧୀଙ୍କ ମୁଣ୍ଡରେ ଚିନ୍ତା ପଶୁ ନାହିଁ। ସେମାନଙ୍କ ରଣନୀତିରେ କରିପାରୁ ନାହାଁନ୍ତି ପରିବର୍ତ୍ତନ। ଅନେକ ବିରୋଧୀ ନେତା ଏସବୁକୁ ହୃଦୟର ସହ ପସନ୍ଦ କରୁ ନ ଥିଲେ ମଧ୍ୟ ଦଳର ମୁଖିଆଙ୍କ ନିର୍ଦ୍ଦେଶ। ତାଙ୍କ ନିର୍ଦ୍ଦେଶ ମାନି କାମ କରିବାକୁ ପଡିବ।

ରାଜରାସ୍ତାରେ ଯେତେ ଉତପାତ୍ ହେବେ ମୁଖିଆ ସେତେ ଖୁସି ହେବେ। ମୁଖିଆ ଯେତେ ଖୁସି ହେଲେ ତାଙ୍କୁ ସେତିକି ଭଲ ପଦବୀ ମିଳିବ। ତେଣୁ ମୁଖିଆଙ୍କ ଗୋଟିଏ ଫୋନ କଲରେ ସେମାନେ ରାଜରାସ୍ତାକୁ ଓହ୍ଲାଇ ଜିନ୍ଦାବାଦ ମୁର୍ଦ୍ଦାବାଦ କରିବାକୁ ଆଗ୍ରହ ପ୍ରକାଶ କରିବାରେ ଲାଗିଛନ୍ତି। ପୋଲିସକୁ ବାଡେଇବାକୁ ପଛଘୁଞ୍ଚା ଦେଉ ନାହାଁନ୍ତି। ପୋଲିସ ଗାଡି ପୋଡିବାକୁ ମଧ୍ୟ ସେମାନେ ହୀନ ଉଦ୍ୟମ କରିବାରେ ଲାଗିଛନ୍ତି।

ବିଲେଇ ମୁଣ୍ଡ ଉପରେ ଶିକା ଛିଣ୍ଡିବା ପରି ପଞ୍ଚାୟତ ନିର୍ବାଚନ ପାଖେଇବା ବେଳକୁ ଆସିଯାଇଛି ମମିତା ମେହେର ହତ୍ୟାକାଣ୍ଡ। ମନ୍ତ୍ରୀ ଦିବ୍ୟଶଙ୍କର ମିଶ୍ରଙ୍କ ଇସ୍ତଫା ରାଜନୀତି। ବିରୋଧୀଙ୍କୁ ରାଜନୀତି କରିବା ପାଇଁ ଏକ ବଡ ଅସ୍ତ୍ର ମିଳିଯାଇଛି। ଏହି ଘଟଣାକୁ ନେଇ ବିଜେପି ଓ କଂଗ୍ରେସ ତରଫରୁ ଦୀର୍ଘ ଦିନ ଧରି ଆନ୍ଦୋଳନ, ବିକ୍ଷୋଭ, ଘେରାଉ ହେବାରେ ଲାଗିଛି। ବିଧାନାସଭାରେ ହୁଲୁସ୍ତୁଲ ମଧ୍ୟ କରିଛନ୍ତି। ସେଥିରେ ମଧ୍ୟ ସେମାନେ ସନ୍ତୁଷ୍ଠ ହେଲେ ନାହିଁ। ଫଳରେ ଉଭୟ ଦଳ ଯୁବ ଆଉ ଛାତ୍ର ଗୋଷ୍ଠୀଙ୍କୁ ଛିନ୍ନଛତ୍ର କରିବା ପାଇଁ ଲଗାଇ ଦେଲେ। ଟୋକା ନେତା, ରାଜରାସ୍ତାରେ ଦୁମଦୁମ କରିଦେବେ। ତାହା ହିଁ ହେଲା। ଯୁବଛାତ୍ର ନେତାମାନେ ହନୁମାନଙ୍କ ଲଙ୍କାକାଣ୍ଡ ପରି ବିଭିନ୍ନ କାଣ୍ଡ ସୃଷ୍ଟି କଲେ।

ହେଲେ ବିଡମ୍ବନାର ବିଷୟ ଯେ, ଆନ୍ଦୋଳନ ସରିବା ପରେ ଦଳର ଲାଭ ହେଲା ନା କ୍ଷତି, ତାହାର ହିସାବ କେହି ରଖନ୍ତି ନାହିଁ। ଛିନଛତ୍ର କରିବା ପରେ ମୁଖିଆ ଯଦି ଫୋନ କରି ଧନ୍ୟବାଦଟିଏ ଦେଇଦେଲେ ତେବେ ତାହା ହିଁ ହେଉଛି ପଦ୍ମଶ୍ରୀ ପୁରସ୍କାର। କିନ୍ତୁ ସେମାନେ କେହି ବି ଭାବନ୍ତି ନାହିଁ ଯେ ଓଡିଶାର ଲୋକେ କୌଣସି ନିଆଁଲଗା ରାଜନୀତିକୁ ପସନ୍ଦ କରନ୍ତି ନାହିଁ।

ରାଜନୈତିକ ଦଳଗୁଡିକ ଜାଣିରଖିବା ଉଚିତ ଯେ, ଓଡିଶାର ଲୋକେ କେବଳ ଶାନ୍ତିପ୍ରିୟ ରାଜନୀତିକୁ ଅଧିକ ପସନ୍ଦ କରନ୍ତି। ଯାହାକୁ ଭଲଭାବରେ ହୃଦୟଙ୍ଗମ କରିଛି ବିଜେଡି ଆଉ ତାଙ୍କ ନେତା ନବୀନ ପଟ୍ଟନାୟକ। ବିଜେଡିର ରଣନୀତି ଆଗରେ ବିରୋଧୀ ଦଳଗୁଡିକ କେବଳ ଲୋକହସା ହେବାରେ ଲାଗିଛନ୍ତି। ବାରମ୍ବାର ନିର୍ବାଚନ ହାରିବାରେ ଲାଗିଛନ୍ତି। ଅନ୍ୟପକ୍ଷରେ ବିରୋଧୀଙ୍କ ଏହି ନିଆଁଲଗା ରାଜନୀତି, ବିଜେଡିକୁ ଆହୁରି ସୁଦୃଢ ହେବା ପାଇଁ ରାସ୍ତା ସ୍ବଚ୍ଛ କରିବାରେ ଲାଗିଛି। ଯେ ପର୍ଯ୍ୟନ୍ତ ଓଡିଶାରେ ବିରୋଧୀ ଦଳ ଶାନ୍ତିପ୍ରିୟ ରାଜନୀତି ନ କରିଛନ୍ତି ସେ ପର୍ଯ୍ୟନ୍ତ ସେମାନଙ୍କ ପାଇଁ ହାରିବା ହିଁ ଶ୍ରେୟ ହେବ।

Categories
ଆଜିର ଖବର ଜାତୀୟ ଖବର

ଆନ୍ଦୋଳନରେ ନିହତ ହୋଇଥିବା ୭୦୨ ଚାଷୀଙ୍କ ନାମ କେନ୍ଦ୍ରକୁ ପଠାଇଲା କୃଷକ ସଂଗଠନ

ନୂଆଦିଲ୍ଲୀ: କୃଷି ଆଇନ ପ୍ରତ୍ୟାହାର ପରେ ଏମଏସପି ସମେତ ଅନ୍ୟାନ୍ୟ ଦାବି ଉପରେ ସଂଯୁକ୍ତ କିଷାନ ମୋର୍ଚ୍ଚାର ବୈଠକ ଚାଲିଛି। ବହୁ ବରିଷ୍ଠ କୃଷକ ନେତା ଏହି ସଭାରେ ଭାଗ ନେବାକୁ ଆସିଛନ୍ତି। ଏହି ବୈଠକ ଉପରେ ଭାରତୀୟ କିଷାନ ମୋର୍ଚ୍ଚାର ମୁଖପାତ୍ର ରାକେଶ ଟିକାଏତ କହିଛନ୍ତି ଯେ, ଆଜିର ବୈଠକରେ ଏମଏସପି, କେନ୍ଦ୍ର ମନ୍ତ୍ରୀ ଅଜୟ ମିଶ୍ର ଟେନିଙ୍କ ଇସ୍ତଫା, ଚାଷୀଙ୍କ ବିରୋଧରେ ମାମଲା ପ୍ରତ୍ୟାହାର ଏବଂ ଚାଷୀଙ୍କୁ କ୍ଷତିପୂରଣ ପ୍ରଦାନ ଦାବି ରହିଛି। ବୈଠକ ଶେଷ କରିବା ବିଷୟରେ ରାକେଶ ଟିକାଏତ କହିଛନ୍ତି ଯେପର୍ଯ୍ୟନ୍ତ ଭାରତ ସରକାର ଚାହିଁବେ ଏହି ଆନ୍ଦୋଳନ ଜାରି ରହିବ। ଆଜି ଚାଲିଥିବା ବୈଠକରେ ଏହି ଆନ୍ଦୋଳନ ସମାପ୍ତ ହେବା ଉଚିତ କି ଏହାକୁ ଆଗକୁ ନିଆଯିବା ଉଚିତ ବୋଲି ଆଲୋଚନା ହେଉଛି।

ସଂଯୁକ୍ତ କିଷାନ୍ ମୋର୍ଚ୍ଚା ପକ୍ଷରୁ କୃଷକମାନଙ୍କ ଆନ୍ଦୋଳନରେ ମୃତ୍ୟୁବରଣ କରିଥିବା ୭୦୨ ଜଣ କୃଷକଙ୍କ ନାମ କେନ୍ଦ୍ର ସରକାରଙ୍କ ନିକଟକୁ ପଠାଯାଇଛି। ମୃତ କୃଷକଙ୍କ ତାଲିକା କିଷାନ ମୋର୍ଚ୍ଚା ଆଜି କୃଷି ସଚିବଙ୍କ ନିକଟକୁ ପଠାଯାଇଛି। ଏହାପୂର୍ବରୁ ସରକାର ସଂସଦରେ କହିଥିଲେ ଯେ, ଏଥିରେ ଆନ୍ଦୋଳନ ସମୟରେ ମୃତ୍ୟୁବରଣ କରିଥିବା ଚାଷୀଙ୍କ ତଥ୍ୟ ନାହିଁ।

ସଂଯୁକ୍ତ କିଷାନ୍ ମୋର୍ଚ୍ଚାଙ୍କ ସଭାରେ କ’ଣ ହୋଇପାରେ?:

୧- ଆଜିର ବୈଠକରେ ଏମଏସପି କମିଟି ପାଇଁ କୃଷକ ସଂଗଠନ ଦ୍ଵାରା ପାଞ୍ଚଟି ନାମ ସ୍ଥିର କରାଯାଇପାରେ।

୨- ବିକ୍ଷୋଭକାରୀଙ୍କ ବିରୋଧରେ ବିଚାରାଧୀନ ମାମଲା ଏବଂ ସରକାରଙ୍କ ପ୍ରସ୍ତାବ ଉପରେ ଆଲୋଚନା ହେବ।

୩- ମୃତ ଚାଷୀଙ୍କ କ୍ଷତିପୂରଣ ବାବଦରେ ଚାହିଦା ବୃଦ୍ଧି କରାଯାଇପାରେ।

Categories
ଆଜିର ଖବର ରାଜ୍ୟ ଖବର

ଲକଡ଼ାଉନରେ ଲୋକଙ୍କୁ ଜୀବିକା ସୁରକ୍ଷା ଭତ୍ତା ଯୋଗାଇ ଦିଅ ନଚେତ ହେବ ଆନ୍ଦୋଳନ: ନବନିର୍ମାଣ କୃଷକ ସଂଗଠନ

ଭୁବନେଶ୍ୱର: କରୋନା ଠାରୁ ଲକଡ଼ାଉନ ଅତ୍ୟନ୍ତ ଭୟଙ୍କର। କରୋନା କିଛି ଲୋକଙ୍କ ଜୀବନ ନେଇଛି ଓ ଆଉ କେତେକଙ୍କ ମଧ୍ୟରେ ଭୟ ସଞ୍ଚାର କରୁଛି। ହେଲେ ଲକଡ଼ାଉନ ସବୁକିଛି ଉଜାଡ଼ି ଥିଲାବାଲା ଲୋକଙ୍କୁ ବି ଦରିଦ୍ର କରି ଦାଣ୍ଡର ଭିକାରୀ କରିସାରିଲାଣି। ଯଦି ଲକଡ଼ାଉନ ଓ ସଟଡ଼ାଉନ ଏକମାତ୍ର ବିକଳ୍ପ, ତେବେ ଧାରା ୨୧ ଅନୁସାରେ ଲୋକଙ୍କ ଜୀବିକା ସୁରକ୍ଷା ଭତ୍ତା ଦିଆଯିବ ନାହିଁ କାହିଁକି?

ଜର୍ମାନ, ଆମେରିକା ଭଳି ଦେଶରେ ଲକଡ଼ାଉନ, ସଟଡ଼ାଉନ କ୍ଷତିଗ୍ରସ୍ତଙ୍କୁ ବିଶେଷକରି ସବୁବର୍ଗଙ୍କୁ ଟଙ୍କା ବଣ୍ଟାଯାଇଛି। ହେଲେ ଏଠି କେବଳ ଲୋକଙ୍କୁ ଭିକାରୀ ପରି ଚାଉଳ ଗଣ୍ଡେ ଫିଙ୍ଗିଦେଇ ସରକାର ତାଙ୍କ ନୈତିକ ଦାୟିତ୍ୱ ଶେଷ କରିଦେଉଛନ୍ତି। ଗତ ଦେଢବର୍ଷରୁ ଉର୍ଦ୍ଧ୍ୱ କରୋନା କାଳରେ ସେଲୁନ, ସ୍ପା, କ୍ଷୁଦ୍ର ବ୍ୟବସାୟୀ, ମଟର ସଂଘ, ଚାଷୀ, କଳାକାର ସମସ୍ତେ ନାହିଁ ନଥିବା ଅକଥନୀୟ ଦୁର୍ଦ୍ଦଶାର ଶିକାର ହେଉଛନ୍ତି।

ରୋଜଗାରକ୍ଷମବର୍ଗ ଦିନମଜୁରିଆଙ୍କ ହାତ ସରକାର ଗୋଟେପଟେ ବାନ୍ଧି ଦେଇଥିଲା ବେଳେ ନିତ୍ୟ ବ୍ୟବହାର୍ଯ୍ୟ ଜିନିଷର ଦର ଦୁଇଗୁଣା ବଢିଛି। ପେଟ୍ରୋଲ, ଡ଼ିଜେଲ, ଖାଇବା ତେଲ ଓ ଡ଼ାଲି ସବୁର ଅହେତୁକ ଦର ବୃଦ୍ଧି ଘଟିଛି। ଚାଷକ୍ଷେତ୍ର ଅଧିକ କ୍ଷତିଗ୍ରସ୍ତ ହୋଇଛି। କରୋନା ନାମରେ ମଣ୍ଡି ବନ୍ଦ ହୋଇଗଲା। ପରିବା ବିକ୍ରି ପାଇଁ ହାଟ ବଜାରରେ ସୁବିଧା ପାଇଲେନି ଚାଷୀ। ସେଲୁନ, ସ୍ପା, ରେଡିମେଡ଼ ଦୋକାନ ଏମାନେ କର୍ମଚାରୀଙ୍କୁ ଦରମା ଦେବା ତ ଛାଡ଼, ନିଜକୁ ଚଳାଇବାକୁ ଅନେକ ମାଲିକ ଅକ୍ଷମ। ଏ ନେଇ ସରକାର କେତେ ଆର୍ôଥକ ସମୀକ୍ଷା କରୁଛନ୍ତି।

ଆଜି ଲୋୟର ପିଏମ୍‌ଜିରେ ଚାଷୀ ସଂଗଠନ ଯୋଗାଯୋଗରେ ସମସ୍ତ ବର୍ଗର ଆନ୍ଦୋଳନକୁ ଭାଷଣ ଦେଇ ଏ ବକ୍ତବ୍ୟ ରଖିଛନ୍ତି ନବନିର୍ମାଣ କୃଷକ ସଂଗଠନର କେନ୍ଦ୍ରୀୟ ସଂଯୋଜକ ଅକ୍ଷୟ କୁମାର। ସେ କହିଛନ୍ତି ଯେ, ଦେଶ ଓ ରାଜ୍ୟ କହିଲେ ଦେଶବାସୀ ଓ ରାଜ୍ୟବାସୀଙ୍କୁ ବୁଝାଏ। ହେଲେ ଏଠି ହାତଗଣତି କର୍ମଚାରୀଙ୍କୁ ଦାୟିତ୍ୱ ନିଭାଇ ସରକାର ବସି ଯାଉଛନ୍ତି। ପ୍ରଥମ ଲକଡ଼ାଉନରେ ଲୋକେ ସଞ୍ôଚତ ପାଣ୍ଠି ଖର୍ଚ୍ଚ କରୁଥିଲେ, ଏଥର ଅବସ୍ଥା ଅସମ୍ଭାଳ।

କଳାକାର ସଂଘ, ଜିମ୍ ସଂଗଠନ, ବିୟୁଟିପାର୍ଲର ସଂଗଠନ ଓ ପରିବହନ ସଂଗଠନ ନେତା ପ୍ରମୁଖ ନିଜ ନିଜ ବ୍ୟବସାୟର ଦୁଃଖ ବର୍ଣ୍ଣନା କରି ସେମାନେ ଦୈନନ୍ଦିନ ଜୀବନରେ ନିଜକୁ ଚଳାଇବାର କିଭଳି ତୀବ୍ର ସଙ୍କଟର ସମ୍ମୁଖୀନ ହେଉଛନ୍ତି ସେ କଥା ଆଲୋଚନା କରିବା ସହିତ ସରକାର ଯଦି ସାମ୍ବିଧାନିକ ଦାୟିତ୍ୱ ଦୃଷ୍ଟିରୁ ରୋଗ ସହ ଭୋକ କଥା ନବୁଝନ୍ତି, ତେବେ ଗଣବିଦ୍ରୋହ ହେବ ବୋଲି ଘୋଷଣା କରିଥିଲେ।

ଜିମ୍ ସଂଘର ଅମ୍ରିତା ମିଶ୍ର, ଯାତ୍ରା କଳାକାର କର୍ମଚାରୀ ସଂଘର ସଭାପତି ଦୈତାରୀ ପଣ୍ଡା, ଉପଦେଷ୍ଟା ବାପି ପଣ୍ଡା, ସମ୍ପାଦକ ଆର.କେ. ହୀରାଲାଲ, ମ୍ୟାଜିକ ସଂଘର ମହେନ୍ଦ୍ର ହରିଚନ୍ଦନ, ଶୋବିତା ନିଉଲି, ବୈଶାଳୀ ମହାପାତ୍ର, ଶୋଭା ଅପା, ଭୁବନେଶ୍ୱର ବସ୍ ଆସୋସିଏସନର ବରଦା ଆଚାର୍ଯ୍ୟ ଓ କୋଚିଂ ସେଣ୍ଟରର କର୍ମକର୍ତ୍ତା ବକ୍ତବ୍ୟ ରଖିଥିଲେ।

ଆଜିର କାର୍ଯ୍ୟକ୍ରମରେ ସଂଗଠନର ରାଜ୍ୟ ସଂଯୋଜକ ଶେଷଦେବ ନନ୍ଦ, ରଶ୍ମିରଞ୍ଜନ ସ୍ୱାଇଁ, ନିମାଇଁ ରାୟ, ଯୁବଛାତ୍ର ସଂଯୋଜକ ମନୱର ଅଲ୍ଲୀ ଓ ଅନ୍ୟମାନେ ଉପସ୍ଥିତ ଥିଲେ । ସମ୍ପୂର୍ଣ୍ଣ କୋଭିଡ଼ କଟକଣା ମାନି, ସାମାଜିକ ଦୂରତା ରଖି ସଂଗଠନ ପକ୍ଷରୁ ଶାନ୍ତିପୂର୍ଣ୍ଣ ବିକ୍ଷୋଭ କରାଯାଇଥିଲା।

Categories
ଆଜିର ଖବର ଆଞ୍ଚଳିକ ରାଜ୍ୟ ଖବର

ଲକଡାଉନରେ ଅଘୋଷିତ ବିଦ୍ୟୁତ କାଟ୍ ଯୋଗୁଁ ଲୋକେ ହନ୍ତସନ୍ତ: ଚିଲିକାରେ ଆନ୍ଦୋଳନ ପାଇଁ ଚେତାବନୀ

ସୀତାରାମ ଅଗ୍ରୱାଲ

ଚିଲିକା: ବର୍ତ୍ତମାନ ସାରା ରାଜ୍ୟରେ ଲକ ଡାଉନ ଜାରି ରହିଛି। ଲକଡାଉନ ସମୟରେ ଦିନତମାମ ଲୋକେ ଘରେ ରହୁଥିବା ବେଳେ ଯୁକ୍ତ ୨ ଛାତ୍ରଛାତ୍ରୀମାନେ ମଧ୍ୟ ପରୀକ୍ଷା ପାଇଁ ପ୍ରସ୍ତୁତ ହେଉଛନ୍ତି। ଏଥିପାଇଁ ଚବିଶ ଘଣ୍ଟା ବିଦ୍ୟୁତ ସରବରାହ ଜାରି ରଖିବା ପାଇଁ ରାଜ୍ୟ ସରକାରଙ୍କ କଡା ନିର୍ଦ୍ଦେଶ ରହିଛି।

ହେଲେ ଚିଲିକାରେ ଏହାର ଘୋର ବ୍ୟତିକ୍ରମ ଦେଖିବାକୁ ମିଳୁଛି। ପ୍ରତିଦିନ ବାଣପୁର ବାଲୁଗାଁ ଅଞ୍ଚଳରେ ଘଣ୍ଟା ଘଣ୍ଟା ଧରି ଅଘୋଷିତ ବିଦ୍ୟୁତ କାଟ ହେଉଛି। ବିଦ୍ୟୁତ କାଟ ପାଇଁ ମଧ୍ୟ କୌଣସି ନିର୍ଦ୍ଦିଷ୍ଟ ସମୟ ନାହିଁ।  ଦିନ ନାଇଁ କି ରାତି ନାହିଁ, କେତେବେଳେ ରାତ୍ରିରେ ତ କେତେବେଳ ଦିନ ଦ୍ବିପ୍ରହରର ଅସହ୍ୟ ଗରମ ସମୟରେ ମଧ୍ୟ ବିଦ୍ୟୁତ କାଟ୍ ହେଉଛି।

ତେବେ ଏଠି ଟିପିସିଓଡ଼ିଏଲର ପାରିବାପଣିଆ ଉପରେ ପ୍ରଶ୍ନ ଉଠୁଛି। ପ୍ରତି ମାସରେ ବିଦ୍ୟୁତ ବିଭାଗ ରକ୍ଷଣାବେକ୍ଷଣ ନାମରେ ଅନ୍ତତଃ ଗୋଟାଏ ଦିନ ପାୱାର କଟ୍ କରୁଛି। କିନ୍ତୁ ସେତିକିରେ ବି ସେମାନଙ୍କୁ ସମୟ ଅଭାବ ହେଉଛି। ଅଞ୍ଚଳରେ ସାମାନ୍ୟ ପବନ ଟିକେ ହେଲେ ଘଣ୍ଟା ଘଣ୍ଟା ଧରି ବିଦ୍ୟୁତ ସରବରାହ ବନ୍ଦ ରହୁଛି। ଆଉ ଯେଉଁଦିନ ବର୍ଷା ହେଲା ସେଦିନ କଥା ନକହିବା ଭଲ। ଏପରିକି କଙ୍କଡାକୁ ଗୋଳି ପାଣି ସୁହାଇଲା ପରି ବର୍ଷା ପବନ ବିଦ୍ୟୁତ ବିଭାଗକୁ ସୁହାଉଛି ବୋଲି ସାଧାରଣରେ ଚର୍ଚ୍ଚା ଜୋର ଧରିଛି।

ନିୟମ ଅନୁଯାୟୀ ଯଦି ବିଦ୍ୟୁତ କାଟ କରାଯିବ ତେବେ ଲୋକଙ୍କୁ ପୂର୍ବରୁ ସୂଚନା ଦିଆଯିବ।  ହେଲେ ତାହା ସେଠାରେ ଦେଖିବାକୁ ମିଳୁନି। କରୋନା ମହାମାରୀ ସମୟରେ ମଣିଷ ପ୍ରତି ମୁହୂର୍ତ୍ତରେ ଜୀବନ ଏବଂ ମୃତ୍ୟୁ ସହ ସଂଗ୍ରାମ ଜାରି ରଖିଥିବା ବେଳେ ଅଘୋଷିତ ବିଦ୍ୟୁତ କାଟ ନିଆଁରେ ଘିଅ ଢାଳିଲା ପରି କାର୍ଯ୍ୟ କରୁଛି।

ସେପଟେ ସ୍ଥାନୀୟ ପ୍ରଶାସନ କଟକଣାକୁ କଡାକଡି କରି ଲୋକଙ୍କୁ ଘରେ ରହିବାକୁ ବାଧ୍ୟ କରୁଛି। ହେଲେ ଅସହ୍ୟ ଗରମ ଯୋଗୁଁ ଲୋକେ ଘରୁ ବାହାରି ଏଣେତେଣେ ବୁଲୁଥିବା ବେଳେ ସ୍ଥାନୀୟ ପ୍ରଶାସନର ହାବୁଡରେ ମଧ୍ୟ ପଡ଼ୁଛନ୍ତି। ସେଥିପାଇଁ ଲୋକଙ୍କୁ ଜରିମାନା ମଧ୍ୟ ଦେବାକୁ ପଡୁଛି। ଏହାକୁ ନେଇ ସ୍ଥାନୀୟ ପ୍ରଶାସନ ଉପରେ ଲୋକେ ମଧ୍ୟ ପ୍ରଶ୍ନ ଉଠାଇଛନ୍ତି। ଜରିମାନା ଆଦାୟ ପାଇଁ ସ୍ପୃହା ରଖୁଥିବା ତହସିଲଦାର, ଏନଏସି କାର୍ଯ୍ୟ ନିର୍ବାହୀ ଅଧିକାରୀ ଏବଂ ପୋଲିସ କାହିଁକି ଏହା ଉପରେ ଦୃଷ୍ଟି ଦେଉନାହିଁ ସେମାନେ ପ୍ରଶ୍ନ କରୁଛନ୍ତି।

ଆଉ ଏକ ଅଶୋଭନୀୟ ଘଟଣା ହେଲା ଟିପିସିଓଡ଼ିଏଲ ପକ୍ଷରୁ ଚିଲିକାରେ ଜନସାଧାରଣଙ୍କୁ ଅଭିଯୋଗ ନମ୍ବର ପ୍ରଦାନ କରାଯାଉନାହିଁ କିମ୍ବା ବାଲୁଗାଁ ବାଣପୁରରେ ଅଭିଯୋଗ ନିମନ୍ତେ ନିର୍ଦ୍ଦିଷ୍ଟ ପ୍ରକୋଷ୍ଠ ଖୋଲାଯାଉନାହିଁ। ଯାହାଦ୍ୱାରା ଜନସାଧାରଣ ମାନେ ଅଘୋଷିତ ବିଦ୍ୟୁତ କାଟର କାରଣ ଜାଣିବା ହେଉ କିମ୍ବା ଅନ୍ୟ ସମସ୍ୟା ପାଇଁ ଯୋଗାଯୋଗ କରିପାରୁନାହାନ୍ତି।

ତେବେ ଏ ସମସ୍ୟା ନେଇ ଆମ ପ୍ରତିନିଧି ଟିପିସିଓଡ଼ିଏଲ ବାଲୁଗାଁ କାର୍ଯ୍ୟନିର୍ବାହୀ ଅଧିକାରୀ ଶିବ ପ୍ରସାଦ ବଳିୟାରସିଂଙ୍କୁ ଯୋଗାଯୋଗ କରିବାରୁ ସେ ଏହାର ସନ୍ତୋଷଜନକ ଉତ୍ତର ଦେଇପାରିନଥିଲେ। ଆଗକୁ ଲକଡାଉନ ଆହୁରି ବଢିବାର ସମ୍ଭାବନା ଥିବା ବେଳେ ଯଦି ବିଦ୍ୟୁତ ବିଭାଗ ବେଳ ଥାଉ ଥାଉ ବେଣୀ ନବାନ୍ଧେ ତେବେ ଚିଲିକା ନିର୍ବାଚନମଣ୍ଡଳୀର ଜନସାଧାରଣ ମାନେ ଆନ୍ଦୋଳନାତ୍ମକ ପନ୍ଥା ଅବଲମ୍ବନ କରିବେ ବୋଲି ଚେତାବନୀ ଦେଇଛନ୍ତି। ଏବଂ ଯଦି କିଛି ଅପ୍ରିତିକର ପରିସ୍ଥିତି ସୃଷ୍ଟି ହୁଏ ତେବେ ତାହାପାଇଁ କେଉଁଠିନା କେଉଁଠି ସ୍ଥାନୀୟ ଏବଂ ପୋଲିସ ପ୍ରଶାସନ ଦାୟୀ ରହିବ ବୋଲି ଜନସାଧାରଣମାନେ କହିଛନ୍ତି।