Categories
ଆଜିର ଖବର ରାଜ୍ୟ ଖବର

ଆନ୍ଦୋଳନରେ କନିଷ୍ଠ ଶିକ୍ଷକ ଆଶାୟୀ: ମନ୍ତ୍ରୀଙ୍କ ଘର ସାମ୍ନାରେ ଧାରଣା ବେଳେ ଉଠାଇ ନେଲା ପୋଲିସ୍‌

ହେମାଙ୍ଗ ପ୍ରସାଦ ରାଉଳ
ଭୁବନେଶ୍ୱର/ବ୍ରହ୍ମପୁର: ଆଜି ୪ ଦଫା ଦାବି ନେଇ କନିଷ୍ଠ ଶିକ୍ଷକ ଆଶାୟୀ ସଂଘ ପକ୍ଷରୁ ଭୁବନେଶ୍ୱର ଲୋୟର ପିଏମ୍‌ଜିରେ ଧାରଣା ଦିଆଯିବା ସହ ଦାବି ପୂରଣ ପାଇଁ ମନ୍ତ୍ରୀଙ୍କ ବାସ ଭବନ ସମ୍ମୁଖରେ ଆଶାୟୀମାନେ ଧାରଣା ଦେଇଥିଲେ।

ଆଶାୟୀମାନେ ଏକ୍‌ଜିଦ୍‌ରେ ମନ୍ତ୍ରୀ ସହ ସାକ୍ଷାତ କରି ନିର୍ଭର ପ୍ରତିଶ୍ରୁତି ପାଇଲା ପରେ ଧାରଣାରୁ ହଟିବେ ବୋଲି କହିଥିଲେ। କିନ୍ତୁ ଏହି ସମୟରେ କମିଶନରେଟ ପୋଲିସ୍ ପକ୍ଷରୁ ଶିକ୍ଷାମନ୍ତ୍ରୀ ସମୀର ଦାସଙ୍କ ବାସଭବନରୁ ଆଶାୟୀମାନଙ୍କୁ ଉଠାଇ ନିଆଯାଇଥିଲା। ପରେ ସେମାନଙ୍କୁ ପୁଣିଥରେ ଧାରଣାସ୍ଥଳ ପିଏମ୍‌ଜି ଛକ ନିକଟରେ ଛାଡ଼ି ଦିଆଯାଇଥିବା ସୂଚନା ମିଳିଛି। ଗତ ୧୪ ତାରିଖରୁ ପିଏମ୍‌ଜି ଛକ ନିକଟରେ ଆରମ୍ଭ ହୋଇଥିବା ଶାନ୍ତିପୂର୍ଣ୍ଣ ଧାରଣାରେ ବହୁ ଶିକ୍ଷକ ଆଶାୟୀ ଯୋଗଦେଇ ନିଜ ଦାବି ଜଣାଇଥିଲେ। କନିଷ୍ଠ ଶିକ୍ଷକ ସଂଘର ଦାବିଗୁଡ଼ିକ ମଧ୍ୟରେ ତୁରନ୍ତ କନିଷ୍ଠ ଶିକ୍ଷକ ନିଯୁକ୍ତି ନିମନ୍ତେ ବିଜ୍ଞପ୍ତି ପ୍ରକାଶ, ସରକାରୀ ସ୍କୁଲ ବନ୍ଦ ନିଷ୍ପତ୍ତି ପ୍ରତ୍ୟାହାର, କନିଷ୍ଠ ଶିକ୍ଷକ ନିଯୁକ୍ତି ବୟସସୀମା ୩୨ରୁ ୪୨ କରିବା ଏବଂ ବେଆଇନ ଭାବେ ବିନା ଏନ୍‌ଓସି/ସିଓଆର୍‌ରେ ଚାଲୁôଥିବା ବେସରକାରୀ ସ୍କୁଲ ବନ୍ଦ କରିବା।

ସୂଚନାଯୋଗ୍ୟ ଗତ ଡ଼ିସେମ୍ବର ୨୦୧୬ ମସିହାଠାରୁ କନିଷ୍ଠ ଶିକ୍ଷକ ନିଯୁକ୍ତି ବାହାରିନାହିଁ । ଫଳରେ ରାଜ୍ୟ ସରକାରଙ୍କ ଦ୍ୱାରା ପ୍ରଦତ୍ତ ଟ୍ରେନିଂ ପାଇ ପ୍ରାୟ ୭୦ ହଜାରରୁ ଉର୍ଦ୍ଧ୍ୱ ସିଟି, ବି.ଇଡ଼ି. ଓଟିଇଟି ପାସ୍ କରି ଆଶାୟୀମାନେ ବେକାର ହୋଇ ଘରେ ବସିଛନ୍ତି । ଏନେଇ ପୂର୍ବରୁ ଓଡ଼ିଶା କନିଷ୍ଠ ଶିକ୍ଷକ ଆଶାୟୀ ସଂଘ, ଭୁବନେଶ୍ୱର ତରଫରୁ ୠତ ୧୧.୧୧.୨୦୧୯, ୨୯.୧୧.୨୦୧୯, ୧୨.୨.୨୦୨୦, ୧୭.୨.୨୦୨୦, ୧୫.୧.୨୦୨୧ ତାରିଖରେ ବିଧାନସଭା ସମ୍ମୁଖ ଗାନ୍ଧିମାର୍ଗରେ ବିଶାଳ ଗଣଧାରଣାମାନ ଅନୁଷ୍ଠିତ ହୋଇଥିଲା । ଏଥିରେ ହଜାର ହଜାର କନିଷ୍ଠ ଶିକ୍ଷକ ଆଶାୟୀମାନେ ଯୋଗ ଦେଇଥିଲେ।

ଉକ୍ତ ଦିନମାନଙ୍କରେ ସଂଘର ପ୍ରତିନିଧି ଦଳ ଲୋକସେବା ଭବନରେ ବିଭାଗୀୟ ଗଣଶିକ୍ଷା ମନ୍ତ୍ରୀ, ସଚିବଙ୍କୁ ଭେଟି ଦାବି ସଂପର୍କରେ ଆଲୋଚନା କରିଥିଲେ। ମନ୍ତ୍ରୀ ଓ ସଚିବ ମଧ୍ୟ ସଂଘର ଦାବି ଉପରେ ବିଚାର କରି ପଦକ୍ଷେପ ନେବେ ବୋଲି ଆଶ୍ୱାସନା ଦେଇଥିଲେ। କିନ୍ତୁ ସରକାର ଏଯାଏଁ ସଂଘର ଦାବି ପୂରଣ ନିମନ୍ତେ କୌଣସି ଦିଗରେ ଅଗ୍ରସର ହେଉନାହାନ୍ତି। ଏପଟେ ଗୁଣାତ୍ମକ ଶିକ୍ଷାର ନାରା ଦେଉଥିବା ସରକାର ସ୍କୁଲରେ ଶିକ୍ଷକ ଅଭାବରୁ ତାଙ୍କର ସ୍ୱପ୍ନକୁ ସାକାର କରିପାରୁନାହାନ୍ତି।

ଯଦି ସ୍କୁଲରେ ବିଷୟଭିତ୍ତିକ ଶିକ୍ଷକ ରହିବେ ନାହିଁ ତେବେ ଗୁଣାତ୍ମକ ଶିକ୍ଷା ସାତସପନ ହୋଇଯିବ। ଦୀର୍ଘଦିନ ଧରି ନିଯୁକ୍ତି ନ ବାହାରିବାରୁ ପିଲାମାନଙ୍କ ବୟସ ମଧ୍ୟ ଅତିକ୍ରାନ୍ତ ହେବାକୁ ବସିଲାଣି। ତେଣୁ ତୁରନ୍ତ ନିଯୁକ୍ତି ନେଇ ବିଜ୍ଞାପନ ପ୍ରକାଶ କରିବାକୁ ସଂଘର ସଭାପତି ଜୀବନବନ୍ଧୁ ଭୋଇ ଏବଂ ସଂପାଦକ ସୁବ୍ରତ କୁମାର ପଣ୍ଡା ଦାବି କରିଛନ୍ତି । ଖବର ଲେଖା ହେବା ପର୍ଯ୍ୟନ୍ତ ଆଶାୟୀ ଶିକ୍ଷକମାନେ ଧାରଣା ଦେଇଥିବାବେଳେ ଯେତେ ସମୟ ପର୍ଯ୍ୟନ୍ତ ସରକାର ସେମାନଙ୍କ ଦାବି ପୂରଣ ପାଇଁ ନିର୍ଭର ପ୍ରତିଶ୍ରୁତି ଦେବେ ନାହିଁ ସେମାନେ ଧାରଣାରତ ରହିବା ସହ ଆଗକୁ ଆମରଣ ଅନଶନ କରିବେ ବୋଲି କହିଛନ୍ତି।

Categories
ଆଞ୍ଚଳିକ

ଚାଏ ପେ ଚର୍ଚ୍ଚା: ଗୃହଟିକସ ବୃଦ୍ଧି ପ୍ରତ୍ୟାହାର ନକଲେ ଆନ୍ଦୋଳନ କରିବ ବିଜେପି

ହେମାଙ୍ଗ ପ୍ରସାଦ ରାଉଳ
ବ୍ରହ୍ମପୁର: ବ୍ରହ୍ମପୁର ମହାନଗର ନିଗମ ପକ୍ଷରୁ ଅହେତୁକ ଭାବେ ଘର ଟିକସ ବୃଦ୍ଧି କରାଯାଉଛି। ଯାହାକୁ ନେଇ ଜନଅସନ୍ତୋଷ ବଢ଼ିବାରେ ଲାଗିଛି। ଦୀର୍ଘଦିନ ଧରି ବ୍ରହ୍ମପୁର ମହାନଗରର ନିର୍ବାଚିତ ପ୍ରତିନିଧିଙ୍କର କାର୍ଯ୍ୟକାଳ ସରିଯାଇଥିଲେ ମଧ୍ୟ ରାଜ୍ୟ ସରକାରଙ୍କ ଟାଳଟୁଳ ନୀତି ଯୋଗୁଁ ଆଜି ପର୍ଯ୍ୟନ୍ତ ନିର୍ବାଚନ ହୋଇପାରୁନାହିଁ। ଯାହାର ସୁଯୋଗ ନେଇ ପ୍ରଶାସନିକ ଅଧିକାରୀ ମାନେ ନିଜର ଇଚ୍ଛା ମୁତାବକ କାର୍ଯ୍ୟ କରିବାକୁ ପଛାଉ ନଥିବା ଅଭିଯୋଗ କରିଛି ବିଜେପି।

କରୋନାର ପ୍ରକୋପ ଯୋଗୁଁ ଆଜି ପର୍ଯ୍ୟନ୍ତ ଜନସାଧାରଣ ନିଜର ଜୀବନ ଜୀବିକା ପାଇଁ ସଂଘର୍ଷ କରୁଥିବାବେଳେ ବିଏମ୍‌ସିରେ ଲୋକଙ୍କର ମତକୁ ଅଗ୍ରାଧିକାର ଦିଆଯାଇଥିବା ବେଳେ ବର୍ତ୍ତମାନ ପ୍ରାଶାସନିକ ଅଧିକାରୀମାନେ କୌଣସି କଥାକୁ ଭ୍ରୁକ୍ଷେପ ନକରି ବିନା ଜନଶୁଣାଣିରେ ନିଜ ଇଚ୍ଛା ମୁତବାକ ଲୋକଙ୍କ ଉପରେ ଟିକସ ଭାର ଲଦି ଦେଇଛନ୍ତି। ତେବେ ରାଜସ୍ୱ ଆଦାୟ ଆଳରେ ବିଏମ୍‌ସି ଏଭଳି ପଦକ୍ଷେପ ନେଇଥିବା ଉପରେ ଟିକସ ଭାର ଲଦିଦେଇଛନ୍ତି।

ତେବେ ରାଜସ୍ୱ ଆଦାୟ ଆଳରେ ବିଏମ୍‌ସି ଏଭଳି ପଦକ୍ଷେପ ନେଉଥିବାବେଳେ ଯାହାକି ଅମାନବୀୟ ସ୍ୱେଚ୍ଛାଚାରିତାର ନିଚ୍ଛକ ଉଦାହରଣ ବୋଲି ବିଜେପି ନେତା କାହ୍ନୁଚରଣ ପତି ମତ ରଖିଛନ୍ତି ଏବଂ ସେ କହିଛନ୍ତି ଯେ ବିଏମ୍‌ସିର ଅଧିକାରୀ ବଦଳିଲେ ନିୟମ ମଧ୍ୟ ବଦଳୁଛି। ସହରର ଉନ୍ନତି ସକାଶେ ବିଏମ୍‌ସି ପକ୍ଷରୁ ପ୍ରତିଘରୁ ଟିକସ ଆଦାୟ କରାଯାଉଥିବାବେଳେ ସହରରେ ସେହିଭଳି କିଛି ଆଖି ଦୃଷ୍ଟିଆ ଉନ୍ନତି ପରିଲକ୍ଷିତ ହେଉନି ଏବଂ ଯାହା ସବୁ ହୋଇଛି ତାହାକୁ ଖତ ଖାଇବାକୁ ବସିଲାଣି।

ଆଜି ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦିଙ୍କ ପ୍ରିୟ କାର୍ଯ୍ୟକ୍ରମ ଚାଏ ପେ ଚର୍ଚ୍ଚାର ପଞ୍ଚମ ଦିନରେ ବଡ଼ବଜାର ସ୍ଥିତ ଖାସ୍ପା ସାହି ଜଗନ୍ନାଥ ମନ୍ଦିର ନିକଟରେ ଆୟୋଜିତ ଚା ଖଟିରେ ସାଧାରଣ ଲୋକେ ସାମିଲ ହୋଇ ବ୍ରହ୍ମପୁରରେ ଗୃହ ଟିକସ ବୃଦ୍ଧିକୁ ପ୍ରତ୍ୟାହାର କରିବା ପାଇଁ ଦାବି କରିବାକୁ ବିଜେପି ନେତା ଶ୍ରୀ ପତିଙ୍କୁ ଅନୁରୋଧ କରିଥିଲେ। ତେବେ ଆଗାମୀ ଦିନରେ ଗୃହ ଟିକସ ବୃଦ୍ଧି ପ୍ରତ୍ୟାହାର ନହେଲେ ଏନେଇ ବିଏମ୍‌ସି କାର୍ଯ୍ୟାଳୟ ଘେରାଉ କରାଯିବ ବୋଲି ଶ୍ରୀ ପତି ଜନସାଧାରଣଙ୍କୁ ପ୍ରତିଶ୍ରୁତି ଦେଇଥିଲେ।

Categories
ଆଜିର ଖବର ରାଜ୍ୟ ଖବର

ଧାନ ବିକ୍ରିରେ ସମସ୍ୟା ନେଇ କୃଷକ ସଭାର ଆନ୍ଦୋଳନ ପାଇଁ ସଜବାଜ

ହେମାଙ୍ଗ ପ୍ରସାଦ ରାଉଳ
ବ୍ରହ୍ମପୁର: ଅଖିଳ ଭାରତ କୃଷକ ସଭା ଗଂଜାମ ଜିଲ୍ଲା ପରିଷଦର ନୈତିକ ବ୍ରହ୍ମପୁର ପାର୍କସାହିଠାରେ ଜିଲ୍ଲା ସଭାପତି ଶ୍ରୀହର୍ଷ ରଥଙ୍କ ସଭାପତିତ୍ୱରେ ଅନୁଷ୍ଠିତ ହୋଇଯାଇଛି। ବୈଠକରେ ଗଂଜାମ ଜିଲ୍ଲାରେ ଧାନ ସଂଗ୍ରହ ନେଇ ଚାଲିଥିବା ଅହେତୁକ ବିଳମ୍ବ ନେଇ ଉଦ୍‌ବେଗ ପ୍ରକାଶ ପାଇଛି।

ଟୋକେନ୍ ଯୋଗାଣରେ ବିଳମ୍ବ, ମିଲରଙ୍କ ଅନିଶ୍ଚିତତା ସହ ଉଠାଯାଉଥିବା ଧାନର ପରିବର୍ତ୍ତନ ଖର୍ଚ୍ଚ ଓ ବୋଝେଇ ହେଉଥିବା ଅଖାର ଦାମ ନେଇ ସମଗ୍ର ଜିଲ୍ଲାରେ ଚାଷି ଅସନ୍ତୋଷ ଦେଖାଦେଇଛି। ଏ ନେଇ ଜିଲ୍ଲା ଯୋଗାଣ ଅଧିକାରୀଙ୍କ କାର୍ଯ୍ୟାଳୟଠାରେ ଧାରଣା ଓ ଏଥିପୂର୍ବରୁ କୃଷକସଭାର ଏକ ପ୍ରତିନିଧି ମଣ୍ଡଳୀ ସଂପୃକ୍ତ ଅଧିକାରୀଙ୍କ ସହ ଆଲୋଚନା କରିବା ସ୍ଥିର ହୋଇଛି। ଅନ୍ୟାନ୍ୟ ନିଷ୍ପତ୍ତି ମଧ୍ୟରେ ଦିଲ୍ଲୀଠାରେ ଚାଲିଥିବା କୃଷକ ଆନ୍ଦୋଳନକୁ ସମସ୍ତ ନୈତିକ ସମର୍ଥନ ଜଣାଇବା ସହ ଚାଷି ବିରୋଧୀ କଳା ଆଇନ୍‌ର ପ୍ରତିହାର ନିମନ୍ତେ ପୁନଃ ଦାବି କରାଯାଇଛି। ଆସନ୍ତା ଫେବୃୟାରୀ ଶେଷ ସୁଦ୍ଧା ସଭ୍ୟପଦ ଚୂଡ଼ାନ୍ତ କରି, ମାର୍ଚ୍ଚ ଦ୍ୱିତୀୟ ସପ୍ତାହ ମଧ୍ୟରେ ବ୍ଲକ୍‌/ଜୋନ୍ ସମ୍ମିଳନୀ ଶେଷ କରାଯିବା ନିଷ୍ପତ୍ତି ନିଆଯାଇଛି।

ବୈଠକରେ ବିଭିନ୍ନ ସମସ୍ୟା ନେଇ ଜିଲ୍ଲା ସଂପାଦକ ରାଜୀବ ଲୋଚନ ପଣ୍ଡା, ରଙ୍କନାଥ ସ୍ୱାଇଁ, ସୁଦର୍ଶନ ସ୍ୱାଇଁ, ଲକ୍ଷ୍ମୀଚରଣ ପାଣିଗ୍ରାହୀ, ଅନନ୍ତ ମହାଙ୍କୁଡ଼, ଭଗବାନ ରାଉତ, କ୍ରିଷ୍ଣା ରେଡ଼ି, ଦଣ୍ଡପାଣି ରେଡ଼ି, ବିଦେଶୀ ନାହାକ, ଗୋପାଳ ଭୂୟାଁ, ଶରତ ଚନ୍ଦ୍ର ପଟ୍ଟନାୟକ, ମୂଷା ବେହେରା ପ୍ରମୁଖ ଆଲୋଚନା କରିଥିଲେ। ଅତିଥି ଭାବେ ସିପିଆଇ ଜିଲ୍ଲା ସଂପାଦକ ପ୍ରକାଶ ପାତ୍ର, ରାଜ୍ୟ ଯୁବ ସଂଘ ନେତା କାମଦେବ ନାହାକ ଯୋଗ ଦେଇଥିଲେ।

Categories
ଆଜିର ଖବର ଜାତୀୟ ଖବର

ଦିଲ୍ଲୀ ସୀମାରେ ବହୁ ସଂଖ୍ୟାରେ ପୋଲିସ: କୌଣସି ମୁହୂର୍ତ୍ତରେ ହୋଇପାରେ ଆକ୍ସନ

ଗାଜିପୁର: ଦିଲ୍ଲୀ-ଉତ୍ତରପ୍ରଦେଶ ସୀମାରେ ଆନ୍ଦୋଳନ କରୁଥିବା କୃଷକମାଙ୍କ ଉପରେ ପୋଲିସ କାର୍ଯ୍ୟାନୁଷ୍ଠାନ ନେବାକୁ ପ୍ରସ୍ତୁତ ହେଉଛି। ବହୁ ସଂଖ୍ୟାରେ ପୋଲିସ, ଆରଏଏଫ ଏବଂ ବଜ୍ର ଗାଡିକୁ ଦେଖି ସ୍ପଷ୍ଟ ହୋଇଯାଉଛି। ସମଗ୍ର ଦେଶର ନଜର ବର୍ତ୍ତମାନ ଗାଜିପୁର ସୀମା ଉପରେ ରହିଛି। ବହୁ ସଂଖ୍ୟାରେ ପୋଲିସ ଫୋର୍ସଙ୍କୁ ଦେଖି କୃଷକ ନେତା ମଧ୍ୟ ସତର୍କ ରହିଛନ୍ତି। ୨୬ ଜାନୁୟାରୀରେ ଟ୍ରାକ୍ଟର ପରେଡ଼ ସମୟରେ ହିଂସାକୁ ନେଇ ସୀମାରେ ହଲଚଲ ବଢିଯାଇଛି।

ଯୋଗୀ ସରକାର ସୀମାରେ ଧାରଣାସ୍ଥଳ ଖାଲି କରିବାକୁ ନିର୍ଦ୍ଦେଶ ଦେଇଛି। ସୀମାରେ ଆନ୍ଦୋଳନରତ ଚାଷିମାନଙ୍କୁ ମଧ୍ୟ ଧାରା ୧୩୩ ଅନୁଯାୟୀ ନୋଟିସ ହୋଇଛି। ସେଠାରେ ୧୪୪ ଧାରା ମଧ୍ୟ ଲଗାଯାଇଛି। ଏପରିକି ପ୍ରଦର୍ଶନକାରୀଙ୍କୁ ଧାରଣସ୍ଥଳରୁ ଉଠାଇବା ପାଇଁ ଗାଡ଼ିର ବ୍ୟବସ୍ଥା ମଧ୍ୟ ହୋଇଛି। ଗାଜିପୁର ସୀମାକୁ ଦୁଇ ପାର୍ଶ୍ଵରୁ ବନ୍ଦ କରିଦିଆଯାଇଛି। ଏହା ପୂର୍ବରୁ ସେଠାରେ ସବୁ ପ୍ରକାର ସୁବିଧା ଯଥା ପାଣି, ଆଲୋକ ବ୍ୟବସ୍ଥାକୁ ମଧ୍ୟ ହଟାଇ ଦିଆଯାଇଛି।

ଏହାସହିତ କୃଷକମାନଙ୍କୁ ସେହି ସ୍ଥାନରୁ ହଟି ଘରକୁ ଯିବା ପାଇଁ ନିବେଦନ କରୁଥିବା ଦେଖାଯାଇଛି। ସୂଚନା ଅନୁଯାୟୀ, ଯଦି ସେମାନେ ଧାରଣସ୍ଥଳରୁ ନ ହଟନ୍ତି, କୌଣସି ମୁହୂର୍ତ୍ତରେ ବଳପୂର୍ବକ ହଟାଇବା ଲାଗି ପୋଲିସ ପ୍ରୟାସ କରିବେ ବୋଲି ଖବର ମିଳୁଛି।

Categories
ଆଜିର ଖବର ରାଜ୍ୟ ଖବର

ପରୀ ହତ୍ୟା ଘଟଣା: ପୀଡ଼ିତାଙ୍କ ପରିବାରକୁ ଭେଟିଲେ ଉଭୟ କଂଗ୍ରେସ ଏବଂ ବିଜେପି ଦଳର ନେତା

ନୟାଗଡ଼: ବହୁ ଚର୍ଚ୍ଚିତ ପରି ହତ୍ୟା ଘଟଣାରେ ସାରା ରାଜ୍ୟରେ ଆନ୍ଦୋଳନ ଜାରି ରହିଛି। ଏହି ଘଟଣାକୁ ନେଇ ବିଭିନ୍ନ ଦଳର ନେତାମାନେ ସରକାର ବିରୋଧରେ ପ୍ରତିବାଦ କରିବା ସହ ପୀଡ଼ିତାଙ୍କ ପରିବାରକୁ ଭେଟୁଛନ୍ତି। ତେବେ ଆଜି ରାଜ୍ୟର ଦୁଇ ପ୍ରମୁଖ ଦଳ କଂଗ୍ରେସ ଏବଂ ବିଜେପି ଦଳର ନେତାମାନେ ପରୀର ପରିବାରକୁ ଭେଟିଛନ୍ତି।

ପ୍ରଥମେ ରାଜ୍ୟ କଂଗ୍ରେସ ପ୍ରଭାରୀ ଚେଲ୍ଲା କୁମାର ପରୀ ଗ୍ରାମକୁ ଆସି ଘଟଣା ସମ୍ପର୍କରେ ତଦାରଖ କରିବା ସହ ପରିବାରକୁ ଭେଟିଥିଲେ। ସେହିପରି ବିଜେପି ପ୍ରବକ୍ତା ତଥା ପୁରୀ ଲୋକସଭା ସାଂସଦ ପ୍ରାର୍ଥୀ ସମ୍ବିତ ପାତ୍ର ପରୀର ପରୀର ବାପା ଅଶୋକ ସାହୁ ଓ ମାଆ ସୌଦାମିନିଙ୍କୁ ଭେଟି ଘଟଣା ସମ୍ପର୍କରେ ଆଲୋଚନା କରିଛନ୍ତି। ତେବେ ବିଜେପି ଏହି ମାମଲାରେ ସିବିଆଇ ତଦନ୍ତ ଦାବି କରୁଛି।

ଏହା ସହିତ ଅଭିଯୁକ୍ତଙ୍କୁ ସୁରକ୍ଷା ଦେଇଥିବାର ଅଭିଯୋଗ କରି ବିଜେପି ପକ୍ଷରୁ ମନ୍ତ୍ରୀ ଅରୁଣ ସାହୁଙ୍କ ଇସ୍ତଫା ଦାବି କରାଯାଉଛି। ଏନେଇ  ନୟାଗଡ଼ ଜିଲ୍ଲା ବିଜେପି ପକ୍ଷରୁ ଆଜି ଠାରୁ ଜିଲ୍ଲାପାଳଙ୍କ କାର୍ଯ୍ୟାଳୟ ନିକଟସ୍ଥ ଦୁର୍ଗାପୂଜା ମଣ୍ଡପରେ ଏହି ପ୍ରତିବାଦ କରାଯାଉଛି।