ଲକଡ଼ାଉନରେ ଲୋକଙ୍କୁ ଜୀବିକା ସୁରକ୍ଷା ଭତ୍ତା ଯୋଗାଇ ଦିଅ ନଚେତ ହେବ ଆନ୍ଦୋଳନ: ନବନିର୍ମାଣ କୃଷକ ସଂଗଠନ

Published: Jul 8, 2021, 9:16 pm IST

ଭୁବନେଶ୍ୱର: କରୋନା ଠାରୁ ଲକଡ଼ାଉନ ଅତ୍ୟନ୍ତ ଭୟଙ୍କର। କରୋନା କିଛି ଲୋକଙ୍କ ଜୀବନ ନେଇଛି ଓ ଆଉ କେତେକଙ୍କ ମଧ୍ୟରେ ଭୟ ସଞ୍ଚାର କରୁଛି। ହେଲେ ଲକଡ଼ାଉନ ସବୁକିଛି ଉଜାଡ଼ି ଥିଲାବାଲା ଲୋକଙ୍କୁ ବି ଦରିଦ୍ର କରି ଦାଣ୍ଡର ଭିକାରୀ କରିସାରିଲାଣି। ଯଦି ଲକଡ଼ାଉନ ଓ ସଟଡ଼ାଉନ ଏକମାତ୍ର ବିକଳ୍ପ, ତେବେ ଧାରା ୨୧ ଅନୁସାରେ ଲୋକଙ୍କ ଜୀବିକା ସୁରକ୍ଷା ଭତ୍ତା ଦିଆଯିବ ନାହିଁ କାହିଁକି?

ଜର୍ମାନ, ଆମେରିକା ଭଳି ଦେଶରେ ଲକଡ଼ାଉନ, ସଟଡ଼ାଉନ କ୍ଷତିଗ୍ରସ୍ତଙ୍କୁ ବିଶେଷକରି ସବୁବର୍ଗଙ୍କୁ ଟଙ୍କା ବଣ୍ଟାଯାଇଛି। ହେଲେ ଏଠି କେବଳ ଲୋକଙ୍କୁ ଭିକାରୀ ପରି ଚାଉଳ ଗଣ୍ଡେ ଫିଙ୍ଗିଦେଇ ସରକାର ତାଙ୍କ ନୈତିକ ଦାୟିତ୍ୱ ଶେଷ କରିଦେଉଛନ୍ତି। ଗତ ଦେଢବର୍ଷରୁ ଉର୍ଦ୍ଧ୍ୱ କରୋନା କାଳରେ ସେଲୁନ, ସ୍ପା, କ୍ଷୁଦ୍ର ବ୍ୟବସାୟୀ, ମଟର ସଂଘ, ଚାଷୀ, କଳାକାର ସମସ୍ତେ ନାହିଁ ନଥିବା ଅକଥନୀୟ ଦୁର୍ଦ୍ଦଶାର ଶିକାର ହେଉଛନ୍ତି।

ରୋଜଗାରକ୍ଷମବର୍ଗ ଦିନମଜୁରିଆଙ୍କ ହାତ ସରକାର ଗୋଟେପଟେ ବାନ୍ଧି ଦେଇଥିଲା ବେଳେ ନିତ୍ୟ ବ୍ୟବହାର୍ଯ୍ୟ ଜିନିଷର ଦର ଦୁଇଗୁଣା ବଢିଛି। ପେଟ୍ରୋଲ, ଡ଼ିଜେଲ, ଖାଇବା ତେଲ ଓ ଡ଼ାଲି ସବୁର ଅହେତୁକ ଦର ବୃଦ୍ଧି ଘଟିଛି। ଚାଷକ୍ଷେତ୍ର ଅଧିକ କ୍ଷତିଗ୍ରସ୍ତ ହୋଇଛି। କରୋନା ନାମରେ ମଣ୍ଡି ବନ୍ଦ ହୋଇଗଲା। ପରିବା ବିକ୍ରି ପାଇଁ ହାଟ ବଜାରରେ ସୁବିଧା ପାଇଲେନି ଚାଷୀ। ସେଲୁନ, ସ୍ପା, ରେଡିମେଡ଼ ଦୋକାନ ଏମାନେ କର୍ମଚାରୀଙ୍କୁ ଦରମା ଦେବା ତ ଛାଡ଼, ନିଜକୁ ଚଳାଇବାକୁ ଅନେକ ମାଲିକ ଅକ୍ଷମ। ଏ ନେଇ ସରକାର କେତେ ଆର୍ôଥକ ସମୀକ୍ଷା କରୁଛନ୍ତି।

ଆଜି ଲୋୟର ପିଏମ୍‌ଜିରେ ଚାଷୀ ସଂଗଠନ ଯୋଗାଯୋଗରେ ସମସ୍ତ ବର୍ଗର ଆନ୍ଦୋଳନକୁ ଭାଷଣ ଦେଇ ଏ ବକ୍ତବ୍ୟ ରଖିଛନ୍ତି ନବନିର୍ମାଣ କୃଷକ ସଂଗଠନର କେନ୍ଦ୍ରୀୟ ସଂଯୋଜକ ଅକ୍ଷୟ କୁମାର। ସେ କହିଛନ୍ତି ଯେ, ଦେଶ ଓ ରାଜ୍ୟ କହିଲେ ଦେଶବାସୀ ଓ ରାଜ୍ୟବାସୀଙ୍କୁ ବୁଝାଏ। ହେଲେ ଏଠି ହାତଗଣତି କର୍ମଚାରୀଙ୍କୁ ଦାୟିତ୍ୱ ନିଭାଇ ସରକାର ବସି ଯାଉଛନ୍ତି। ପ୍ରଥମ ଲକଡ଼ାଉନରେ ଲୋକେ ସଞ୍ôଚତ ପାଣ୍ଠି ଖର୍ଚ୍ଚ କରୁଥିଲେ, ଏଥର ଅବସ୍ଥା ଅସମ୍ଭାଳ।

କଳାକାର ସଂଘ, ଜିମ୍ ସଂଗଠନ, ବିୟୁଟିପାର୍ଲର ସଂଗଠନ ଓ ପରିବହନ ସଂଗଠନ ନେତା ପ୍ରମୁଖ ନିଜ ନିଜ ବ୍ୟବସାୟର ଦୁଃଖ ବର୍ଣ୍ଣନା କରି ସେମାନେ ଦୈନନ୍ଦିନ ଜୀବନରେ ନିଜକୁ ଚଳାଇବାର କିଭଳି ତୀବ୍ର ସଙ୍କଟର ସମ୍ମୁଖୀନ ହେଉଛନ୍ତି ସେ କଥା ଆଲୋଚନା କରିବା ସହିତ ସରକାର ଯଦି ସାମ୍ବିଧାନିକ ଦାୟିତ୍ୱ ଦୃଷ୍ଟିରୁ ରୋଗ ସହ ଭୋକ କଥା ନବୁଝନ୍ତି, ତେବେ ଗଣବିଦ୍ରୋହ ହେବ ବୋଲି ଘୋଷଣା କରିଥିଲେ।

ଜିମ୍ ସଂଘର ଅମ୍ରିତା ମିଶ୍ର, ଯାତ୍ରା କଳାକାର କର୍ମଚାରୀ ସଂଘର ସଭାପତି ଦୈତାରୀ ପଣ୍ଡା, ଉପଦେଷ୍ଟା ବାପି ପଣ୍ଡା, ସମ୍ପାଦକ ଆର.କେ. ହୀରାଲାଲ, ମ୍ୟାଜିକ ସଂଘର ମହେନ୍ଦ୍ର ହରିଚନ୍ଦନ, ଶୋବିତା ନିଉଲି, ବୈଶାଳୀ ମହାପାତ୍ର, ଶୋଭା ଅପା, ଭୁବନେଶ୍ୱର ବସ୍ ଆସୋସିଏସନର ବରଦା ଆଚାର୍ଯ୍ୟ ଓ କୋଚିଂ ସେଣ୍ଟରର କର୍ମକର୍ତ୍ତା ବକ୍ତବ୍ୟ ରଖିଥିଲେ।

ଆଜିର କାର୍ଯ୍ୟକ୍ରମରେ ସଂଗଠନର ରାଜ୍ୟ ସଂଯୋଜକ ଶେଷଦେବ ନନ୍ଦ, ରଶ୍ମିରଞ୍ଜନ ସ୍ୱାଇଁ, ନିମାଇଁ ରାୟ, ଯୁବଛାତ୍ର ସଂଯୋଜକ ମନୱର ଅଲ୍ଲୀ ଓ ଅନ୍ୟମାନେ ଉପସ୍ଥିତ ଥିଲେ । ସମ୍ପୂର୍ଣ୍ଣ କୋଭିଡ଼ କଟକଣା ମାନି, ସାମାଜିକ ଦୂରତା ରଖି ସଂଗଠନ ପକ୍ଷରୁ ଶାନ୍ତିପୂର୍ଣ୍ଣ ବିକ୍ଷୋଭ କରାଯାଇଥିଲା।

Related posts