Categories
ଆଜିର ଖବର ନିର୍ବାଚନ ଖବର ରାଜ୍ୟ ଖବର

ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକ ଯେଉଁଠୁ ଛିଡା ହେବେ ମୁଁ ସେହିଠାରୁ ପ୍ରାର୍ଥୀ ହେବି: ଅକ୍ଷୟ କୁମାର

ଭୁବନେଶ୍ବର: ମୁଖ୍ୟମନ୍ତ୍ରୀ ତଥା ବିଜେଡି ସଭାପତି ଯେଉଁ ଆସନରୁ ପ୍ରାର୍ଥୀ ହେବେ ମୁଁ ସେହି ଆସନରୁ ଛିଡା ହେବି। ତାଙ୍କ ବିରୋଧରେ ମୁଁ ପ୍ରାର୍ଥୀ ହେବି। ଏପରି ଏକ ଘୋଷଣା କରିଛନ୍ତି ନବ ନିର୍ମାଣ କୃଷକ ସଂଗଠନର ରାଷ୍ଟ୍ରୀୟ ସଂଯୋଜକ ଅକ୍ଷୟ କୁମାର। ଆଜି ତାଙ୍କ କାର୍ଯ୍ୟାଳୟରେ ଏକ ସାମ୍ବାଦିକ ସମ୍ମିଳନୀ କରି ଅକ୍ଷୟ କୁମାର ଏହି ଘୋଷଣା କରିଛନ୍ତି।

ସେ କହିଛନ୍ତି ରାଜ୍ୟର ସବୁ ବର୍ଗର ଲୋକଙ୍କୁ ବିଭିନ୍ନ ସୁବିଧା ଘୋଷଣା କଲେ ନବୀନ ପଟ୍ଟନାୟକ। ହେଲେ ରାଜ୍ୟର ଚାଷୀଙ୍କ ପାଇଁ କୌଣସି ଘୋଷଣା କଲେ ନାହିଁ। ସେଥିପାଇଁ ନବନିର୍ମାଣ କୃଷକ ସଂଗଠନ ତାଙ୍କ ବିରୋଧରେ ଲଢେଇ କରିବ ବୋଲି ଅକ୍ଷୟ କୁମାର କହିଛନ୍ତି। ଅକ୍ଷୟ କୁମାର କିଛିଦିନ ତଳେ କେତେକ ବିଧାନସଭା ପାଇଁ ପ୍ରାର୍ଥୀ ଘୋଷଣା ମଧ୍ୟ କରିଛନ୍ତି। ଏଥର ପ୍ରଥମ ଥର ପାଇଁ ନବ ନିର୍ମାଣ କୃଷକ ସଂଗଠନ ରାଜନୈତିକ ମଇଦାନକୁ ଓହ୍ଲାଇଛି।

Categories
ଆଜିର ଖବର ରାଜ୍ୟ ଖବର

ରୁଷ୍‌, ୟୁକ୍ରେନ ଯୁଦ୍ଧ ସମାପ୍ତି ପାଇଁ ରାଜଧାନୀରେ ନବନିର୍ମାଣ କୃଷକ ସଂଗଠନର ଶାନ୍ତି ଶୋଭାଯାତ୍ରା

ଭୁବନେଶ୍ୱର: ଯୁଦ୍ଧ କମ୍ବା ହିଂସା କୌଣସି ପରିସ୍ଥିତିରେ ସମସ୍ୟାର ସମାଧାନ ନୁହେଁ । ଯୁଦ୍ଧ ଓ ହିଂସା ସବୁବେଳେ ସାରା ମାନବସମାଜ ଓ ପୃଥିବୀ ପାଇଁ ବିପଦ। ଏଣୁ ଯୁଦ୍ଧ ପରିସ୍ଥିତିକୁ କେତେବେଳେ ବି ବରଦାସ୍ତ କରାଯାଇ ପାରିବ ନାହିଁ। ଏହି ବିଶ୍ୱ ଦୁଇ ଦୁଇଟି ବିଶ୍ୱଯୁଦ୍ଧ ଦେଖିଛି ଓ ତା’ର ରକ୍ତକ୍ଷୟି ସଂଗ୍ରାମର କୁଫଳ ଭୋଗିଛି।

ତେଣୁ ମାନବ ସଭ୍ୟତା ବିକାଶର ଚରମ ସୋପାନ ଆଡ଼କୁ ଗତି କରୁଥିବା ବେଳେ ଯୁଦ୍ଧ କରି ଲକ୍ଷ ଲକ୍ଷ ନରନାରୀଙ୍କୁ ମୃତ୍ୟୁ ମୁହଁକୁ ଠେଲିଦେବା ଓ ସାରା ବିଶ୍ୱକୁ ଯୁଦ୍ଧର ଆତଙ୍କ ଭିତରକୁ ଠେଲିଦେବାକୁ ନବନିର୍ମାଣ କୃଷକ ସଂଗଠନ ବିରୋଧ କରିଛି। ଆମେ ଯୁଦ୍ଧ ନୁହଁ, ଶାନ୍ତି ଚାହୁଁ। ସମାଧାନର ରାସ୍ତା ଯୁଦ୍ଧ ନୁହେଁ, ସ୍ଥାୟୀ ବିଶ୍ୱଶାନ୍ତି ଆମର ଦାବି, ବିଶ୍ୱକୁ ଯୁଦ୍ଧ ମୁହଁକୁ ଠେଲିବା ବନ୍ଦ କର ସ୍ଲୋଗାନମାନ ଦେଇ ନବନିର୍ମାଣ କୃଷକ ସଂଗଠନ କର୍ମକର୍ତ୍ତାମାନେ ଭୁବନେଶ୍ୱର ମାଷ୍ଟର କ୍ୟାଣ୍ଟିନରୁ ପିଏମ୍‌ଜି ଆଡ଼କୁ ଶୋଭାଯାତ୍ରାରେ ଯାଇଥିଲେ।

ଶୋଭାଯାତ୍ରାକାରୀଙ୍କୁ ଉଦ୍‌ବୋଧନ ଦେଇ ସଂଗଠନର ରାଷ୍ଟ୍ରୀୟ ସଂଯୋଜକ ଅକ୍ଷୟ କୁମାର କହିଥିଲେ ଯେ, ଯୁଦ୍ଧ ବିରୁଦ୍ଧରେ ତମାମ ଦୁନିଆରେ ଜନମତ ସଂଗଠିତ ହେବା ଦରକାର। ଶାନ୍ତି ସପକ୍ଷରେ ଜନମତ ଅଧିକ ସଂଗଠିତ ହେଲେ ରୁଷ୍ ଉପରେ ନୈତିକ ଚାପ ପଡ଼ିବ। ସେହିଭଳି ନାଟୋ ଠାରୁ ୟୁଏନ୍‌ଏ ପର୍ଯ୍ୟନ୍ତ ସମସ୍ତେ ଯୁଦ୍ଧ ବିରତି ପାଇଁ ତତ୍ପର ହେବାର ଆବଶ୍ୟକତା ଅଛି। ଭାରତର ଭୂମିକା ନେଇ ରାଜ୍ୟପାଳଙ୍କ ମାଧ୍ୟମରେ ଭାରତର ରାଷ୍ଟ୍ରପତିଙ୍କୁ ଏକ ସ୍ମାରକ ପତ୍ର ପ୍ରଦାନ କରାଯାଇଛି।

ଏହି ସ୍ମାରକପତ୍ରରେ ଦର୍ଶାଯାଇଛି ଯେ, ପ୍ରଧାନମନ୍ତ୍ରୀ ଯୁଦ୍ଧ ବିରତି ପାଇଁ ସକରାତ୍ମକ ଭୂମିକା ନିଭାଇବାକୁ ଅନୁରୋଧ କରାଯାଇଛି। ରୁଷିଆର ୟୁକ୍ରେନ ଉପରେ ଆକ୍ରମଣ ଓ ୟୁକ୍ରେନରେ ନାଟୋ, ଆମେରିକାର କୁଟନୀତି କ୍ଷତି କରୁଛି, ରୁଷିଆ ତୁରନ୍ତ ଯୁଦ୍ଧ ବନ୍ଦ କରୁ, ନାଟୋ ଓ ଆମେରିକା ୟୁକ୍ରେନକୁ ନେଇ ରାଜନୈତିକ କୁଟନୀତି ବନ୍ଦ କରନ୍ତୁ, ୟୁକ୍ରେନର ସାର୍ବଭୌମ ଓ ବ୍ୟକ୍ତି ସ୍ୱାଧୀନତା ରକ୍ଷା କରାଯାଉ, ଯୁଦ୍ଧ ସମାଧାନର ମାଧ୍ୟମ ନୁହେଁ। ସମାଧାନର ଏକମାତ୍ର ରାସ୍ତା ଶାନ୍ତି ଓ ଅହିଂସା। ଅହିଂସା ରାସ୍ତାରେ ଭାରତର ଅବଦାନ ମହତ୍ତ୍ୱପୂର୍ଣ୍ଣ ହୋଇଥିବାରୁ ରୁଷିଆ ଉପରେ କିଭଳି ଚାପ ପ୍ରୟୋଗ କରାଯିବ, ସେଥିପାଇଁ ପ୍ରଧାନମନ୍ତ୍ରୀ ଗୁରୁତ୍ତ୍ୱପୂର୍ଣ୍ଣ ଭମିକା ଗ୍ରହଣ କରନ୍ତୁ।

ଆଜିର ଶୋଭାଯାତ୍ରାରେ ଅନ୍ୟମାନଙ୍କ ମଧ୍ୟରେ ନବନିର୍ମାଣ କୃଷକ ସଂଗଠନ ରାଜ୍ୟ ସଂଯୋଜକ ଶେଷଦେବ ନନ୍ଦ, ସହ ସଂଯୋଜକ ଉମାକାନ୍ତ ଭାରତ, ନିମାଇଁ ରାୟ, ଯୁବଛାତ୍ର ସଂଯୋଜକ ମନୱର ଅଲ୍ଲୀ, ଦୀନେଶ ଦାସ ପ୍ରମୁଖ ଯୋଗ ଦେଇଥିଲେ।

Categories
ଆଜିର ଖବର ରାଜ୍ୟ ଖବର

ମଣ୍ଡି ଚଳାଉଛନ୍ତି ଧାନ ବ୍ୟବସାୟୀ, ମିଲରଙ୍କ ଏଜେଣ୍ଟ ଓ ଗୁଣ୍ଡା: ନବନିର୍ମାଣ କୃଷକ ସଂଗଠନ

ଭୁବନେଶ୍ୱର: ରାଜ୍ୟରେ ଗୋଟିଏ ନିର୍ବାଚିତ ସରକାର ଅଛି ଓ ବିଭିନ୍ନ ବିଭାଗର ବିଭାଗୀୟ ମନ୍ତ୍ରୀ ଅଛନ୍ତି ଏମିତି ଏବେ ଅନୁଭବ କରିହେଉନି। କାରଣ ରାଜ୍ୟରେ ଏବେ ଆଇନ୍‌ର ଶାସନ ଚାଲୁନାହିଁ, ସରକାରୀ କଳ ପୁରା ଅକାମୀ। ଅନ୍ୟ ବିଭାଗ କଥା ଛାଡ଼, ଖୋଦ କୃଷି, ଯୋଗାଣ, ସମବାୟ ବିଭାଗର ହାଲ୍ ଏମିତି। ଧାନ ମଣ୍ଡି ଓ ଧାନ କିଣା ଚରମ ଅବ୍ୟବସ୍ଥାରୁ ଏକଥା ଜଳ ଜଳ ଦେଖାଯାଉଛି। ଫନି, ଫାଇଲିନ୍‌, ହୁଡ୍‌ହୁଡ୍ ଓ ଜୱାଦ ଚାଷୀଙ୍କ ପାଇଁ ଯେତେ ବିପର୍ଯ୍ୟୟ ଡ଼ାକିଆଣୁଛି, ତାଠାରୁ ବେଶୀ ସମସ୍ୟା ମଣ୍ଡିରେ ମିଲରଙ୍କ ବେଆଇନ ଏଜେଣ୍ଟ ଓ ଧାନ ବ୍ୟବସାୟୀ ଓ ତାଙ୍କ ସମର୍ଥିତ ଗୁଣ୍ଡାଙ୍କ ଉତ୍ପାତ। ଦୁଇଦିନ ଧରି ନବନିର୍ମାଣ ରାଜ୍ୟ ସଂଯୋଜକ ଶେଷଦେବ ନନ୍ଦଙ୍କ କଟକ ଓ ଖୋର୍ଦ୍ଧା ଜିଲ୍ଲାର ବିଭିନ୍ନ ମଣ୍ଡି ପରିଦର୍ଶନ ସମୟରେ ଏଭଳି ଦୃଶ୍ୟ ଦେଖିବାକୁ ମିଳିଥିଲା।

ଖୋର୍ଦ୍ଧା ଜିଲ୍ଲାର ବାଲିଅନ୍ତା ଓ ବାଲିପାଟଣା ଅଞ୍ଚଳର କାକରୁଦ୍ରପୁର ଓ ପ୍ରତାପରୁଦ୍ରପୁର ପଞ୍ଚାୟତର ମଣ୍ଡି ପୁରା ବ୍ୟବସାୟୀ ଓ ମାଫିଆଙ୍କ କବଜାରେ। ଅଧିକ ଧାନ କଟନି ଛଟନି ପାଇଁ ସନ୍ତୁଲିଆ ମିଲର ମୂଲଚାଲ କରିବା ପରେ ବରଗଡ଼ ମିଲର ଆସିଛନ୍ତି, କିନ୍ତୁ ଯଥାପୂର୍ବ ତଥା ପରଂ ସ୍ଥିତି। ସବୁଠାରୁ ବଡ଼ କଥା ହେଲା ଯେ, ଅଧିକାଂଶ ମଣ୍ଡିରେ ସମବାୟ ସମିତି ସମ୍ପାଦକ ପୁରା ବେପରବାୟ, ପୁରା ମିଲରଙ୍କ ଏଜେଣ୍ଟ ଓ ଧାନର ବ୍ୟବସାୟୀଙ୍କୁ ମଣ୍ଡିର ଦାୟିତ୍ୱ ଛାଡ଼ିଦେଇଛନ୍ତି। ଏଭଳି ଘଟଣା କଟକ ସଦର ଅଞ୍ଚଳରେ ମଧ୍ୟ ଦେଖିବାକୁ ମିଳିଥିଲା।

ବାଲିପାଟଣା, ବାଲିଅନ୍ତାର ପାଖ ବ୍ଲକ ନିଆଳି, କଣ୍ଟାପଡ଼ରେ କାଟ ଦୁଇରୁ ତିିନିକେଜି ଥିଲାବେଳେ ବାଲିପାଟଣା, ବାଲିଅନ୍ତାରେ ୮ରୁ ୧୦କେଜି। ସବୁଠୁ ଲଜ୍ଜାର କଥା ଯେ, ଏଆରସିଏସ୍‌, ସିଏସ୍‌ଓ କିମ୍ବା ଉପଜିଲ୍ଲାପାଳ ଧାନ ମଣ୍ଡିରେ ଚାଷୀଙ୍କ ସ୍ଥିତି କଣ, ଏ ନେଇ ଆଦୌ ବ୍ୟସ୍ତ ନାହାଁନ୍ତି। ଯଦି କଟ୍‌ନି ଛଟ୍‌ନି କଥା କେହି ପଚାରୁଛି, ତେବେ ଧାନ ବ୍ୟବସାୟୀଙ୍କ ସମର୍ôଥତ ଗୁଣ୍ଡା ଝପଟି ଆସୁଛନ୍ତି।

ସେମାନେ କହୁଛନ୍ତି ଆମେ ମିଲରଙ୍କୁ ଡ଼ାକି ଆଣିଛୁ, ଅଲବଦ କଟା ହେବ। ଅତଏବ ସବୁ ଧାନ ମଣ୍ଡିରେ ଧାନ ବ୍ୟବସାୟୀ ହାଉଯାଉ। ସେମାନେ ହ୍ୱାଟସ୍‌ଆପରେ ଦେଖାଉଛନ୍ତି ଅନ୍ୟ ମଣ୍ଡିରେ ଏତେକେଜି କାଟ, ଏଠି ହେଲେ କ’ଣ କ୍ଷତି? ସବୁଠୁ ଦୁର୍ଭାଗ୍ୟର କଥା ଯେ, କିଛି ଚାଷୀଙ୍କ ଖରାପ ଧାନ ବାହାନାରେ ଭଲ ଚାଷୀଙ୍କ ସଫା, ଶୁଖିଲା ଧାନ ଉପରୁ ମଧ୍ୟ କୁଇଣ୍ଟାଲ ପିଛା ୫/୭ କେଜି କଟାଯିବା ଦୁର୍ଭାଗ୍ୟଜନକ। ମଣ୍ଡିରେ ମିଲରଙ୍କ କଟ୍‌ନି ଛଟ୍‌ନି ଠାରୁ ଆହୁରି ଦୁର୍ଭାଗ୍ୟ ଯେ, ଟୋକନ ଅବଧି ଭିତରେ ମିଲରମାନେ ମଣ୍ଡିକୁ ଗାଡ଼ି ପଠାଉ ନାହାଁନ୍ତି କିମ୍ବା ଧାନ ଉଠାଉନାହାଁନ୍ତି। ଏହା ଭିତରେ ଟୋକନ ଅବଧି ସମାପ୍ତ ହୋଇଛି।

ସେହିଭଳି ପଞ୍ଚାୟତ ନିର୍ବାଚନ ସମାପ୍ତ ହୋଇଥିବାରୁ ସମସ୍ତ ବିଡ଼ିଓ, ତହସିଲଦାର ଯେଉଁମାନେ ମଣ୍ଡି ସୁପରଭାଇଜ ପାଇଁ ନୋଡ଼ାଲ ଅଫିସର ଭାବେ ରହିଛନ୍ତି, ସେମାନେ ମଣ୍ଡି ନିୟମିତ ପରିଦର୍ଶନ କରିବାକୁ ନବନିର୍ମାଣ କୃଷକ ସଂଗଠନର ରାଜ୍ୟ ସଂଯୋଜକ ଶେଷଦେବ ନନ୍ଦ ସରକାରଙ୍କ ନିକଟରେ ଦାବି କରିବା ସହ ଅନ୍ତତଃ ପକ୍ଷେ ମାର୍ଚ୍ଚ ୩୧ ତାରିଖ ପର୍ଯ୍ୟନ୍ତ ସମସ୍ତ ଟୋକନର ଅବଧି ବଢାଇବାକୁ ଚେତାବନୀ ଦେଇଛନ୍ତି। ସେହିଭଳି ଯୋଗାଣ ମନ୍ତ୍ରୀ ଓ ବିଭାଗୀୟ ସଚିବ ଧାନ ସଂଗ୍ରହର ଚିତ୍ର ନେଇ ତୁରନ୍ତ ସଚିବାଳୟରେ ବୈଠକ ଡ଼କାଇବାକୁ ସଂଗଠନ ପକ୍ଷରୁ ଶ୍ରୀ ନନ୍ଦ ଆହ୍ୱାନ ଦେଇଛନ୍ତି।

Categories
ଆଜିର ଖବର ରାଜ୍ୟ ଖବର

ଟୀକାକରଣକୁ କରିପାରିବେ ନାହିଁ ବାଧ୍ୟତାମୂଳକ, ମୃତ୍ୟୁ ପାଇଁ କ୍ଷତିପୂରଣ ଦିଅନ୍ତୁ ସରକାର 

ଭୁବନେଶ୍ୱର: ଇନ୍‌ଷ୍ଟିଚ୍ୟୁଟ୍ ଅଫ ଇଞ୍ଜିନିୟର୍ସ ଠାରେ ନବନିର୍ମାଣ କୃଷକ ସଂଗଠନ ତରଫରୁ କରୋନା ଟୀକାକରଣର ସତ୍ୟତା ଓ ଏହାର ବାସ୍ତବତାକୁ ନେଇ ଏକ ଆଲୋଚନଚକ୍ର ଅନୁଷ୍ଠିତ ହୋଇଯାଇଛି। ନବନିର୍ମାଣ କୃଷକ ସଂଗଠନର ରାଷ୍ଟ୍ରୀୟ ସଂଯୋଜକ ଅକ୍ଷୟ କୁମାରଙ୍କ ଅଧ୍ୟକ୍ଷତାରେ ଅନୁଷ୍ଠିତ ଏହି ଆଲୋଚନା ଚକ୍ରରେ ମୁମ୍ବାଇ ହାଇକୋର୍ଟ ଓ ସୁପ୍ରିମ କୋର୍ଟର ଓକିଲ ନିଲେଶ ଓଝା ମୁଖ୍ୟବକ୍ତା ଭାବରେ ଯୋଗଦେଇ କହିଲେ ଯେ, ସୁପ୍ରିମ କୋର୍ଟ କହିଛନ୍ତି ଟୀକାକରଣକୁ ବାଧ୍ୟତାମୂଳକ କରାଯାଇ ପାରିବ ନାହିଁ। ଯଦି ଲୋକଙ୍କ ଟିକସ ଅର୍ଥରେ କୋଟି କୋଟି ଟଙ୍କା ଖର୍ଚ୍ଚ କରାଯାଇ ଅନାବଶ୍ୟକ ଭାବେ ଲୋକଙ୍କୁ ଟୀକା ଦିଆଯାଇ ମୃତ୍ୟୁମୁଖକୁ ଠେଲାଯାଉଛି, ତେବେ ସରକାର ଏଥିପାଇଁ କ୍ଷତିପୂରଣ ଦେବେ ନା ନାହିଁ। ଆମେରିକା ଭଳି ଉନ୍ନତ ଦେଶରେ ଟୀକାକରଣ ଜନିତ ମୃତ୍ୟୁ ପାଇଁ କୋଟି କୋଟି ଟଙ୍କା କ୍ଷତିପୂରଣ ଦିଆଯାଉଛି। ଆମ ଦେଶରେ ଟୀକାକରଣ ଯୋଗୁ ପାଶ୍ୱର୍ପ୍ରତିକ୍ରିୟା ହୋଇ ଯେଉଁମାନଙ୍କ ମୃତ୍ୟୁ ଘଟୁଛି ସେମାନଙ୍କୁ କ୍ଷତିପୂରଣ ପାଇଁ ଅଦାଲତରେ ଆବେଦନ କରାଯାଇଛି।

ସମ୍ମାନିତ ବକ୍ତା ଭାବେ ଡଃ ବିଶ୍ୱରୂପ ରାୟଚୌଧୁରୀ ଯୋଗଦେଇ କହିଲେ ଯେ, ମୋ ଦେଶରେ ତିନି ତିନୋଟି କୋଭିଡ଼ କେନ୍ଦ୍ର ଚାଲିଛି। ଏହି କୋଭିଡ଼ ସେଣ୍ଟରରେ ନା ମାସ୍କ ବ୍ୟବହାର ହୁଏ ନା ଶାରୀରିକ ଦୂରତା ରକ୍ଷା କରାଯାଏ। ବିନା ମାସ୍କ ଓ ଶାରୀରିକ ଦୂରତାରେ ଆମେ ୬୦ ହଜାର ରୋଗୀଙ୍କୁ ଚିକିତ୍ସା କରି ଭଲ କରିଛୁ। ଏମ୍ସର ଡ଼ାକ୍ତର ଡଃ ସଞ୍ଜୟ ରାୟ ଯୋଗଦେଇ କହିଲେ ଯେ, ୮୦ ପ୍ରତିଶତ ଲୋକଙ୍କ ଦେହରେ ରୋଗ ପ୍ରତିରୋଧକ ଶକ୍ତି ତିଆରି ହେଲା ପରେ ଆଉ ସେମାନଙ୍କୁ ଟୀକାକରଣ ଆବଶ୍ୟକତା ନାହିଁ। ଟୀକାକରଣ କବେ ସଂକ୍ରମଣକୁ ରୋକିପାରିବ ନାହିଁ, ଏହା ମୃତ୍ୟୁସଂଖ୍ୟାକୁ କମାଇପାରେ। ‘ବ୍ୟାଙ୍କୋକା ମାୟାଜାଲ’ ପୁସ୍ତକର ଲେଖକ ରବି କୋହଡ଼ ଯୋଗଦେଇ କହିଲେ ଯେ, କରୋନା ସମୟରେ ସମସ୍ତଙ୍କ ରୋଜଗାର ମାନ୍ଦା ଅବସ୍ଥାର ଶିକାର ହୋଇଥିବା ବେଳେ ଫାଇଜର ଭଳି ଟୀକା କମ୍ପାନୀ ପ୍ରତି ସେକେଣ୍ଡରେ ୭୦ ହଜାର ଟଙ୍କା ରୋଜକାର କରୁଛି। ଟୀକା କମ୍ପାନୀମାନେ ବ୍ୟବସାୟ ଦୃଷ୍ଟିରୁ ସ୍ୱାସ୍ଥ୍ୟସେବାକୁ ବିଭ୍ରାନ୍ତ କରୁଛନ୍ତି।

ଏହି ଆଲୋଚନାରେ ଅନ୍ୟମାନଙ୍କ ମଧ୍ୟରେ ଏମ୍ସର ପୂର୍ବତନ ନିର୍ଦ୍ଦେଶକ ଅଶୋକ ମହାପାତ୍ର, ସରକାରଙ୍କ କୋଭିଡ଼ ନିର୍ଦ୍ଦେଶକ ଡଃ ନିରୋଦ ମିଶ୍ର, ଡଃ ଭଗବାନ ପ୍ରକାଶ, ବରିଷ୍ଠ ସାମ୍ବାଦିକ ରବି ଦାସ, ବିଶିଷ୍ଟ ଆଇନଜୀବୀ ଶିବାନନ୍ଦ ରାୟ, ଓମ୍‌ସାର ପୂର୍ବତନ ସଭାପତି ମଧୁସୂଦନ ମିଶ୍ର, ଓଡ଼ିଶା ସୂଚନା ଅଭିଯାନର ଆବାହକ ପ୍ରଦୀପ ପ୍ରଧାନ, ବିନୋବା ସେବା ପ୍ରତିଷ୍ଠାନର ଅଧ୍ୟକ୍ଷ ମନୋଜ ଜେନା, ସର୍ବୋଦୟ ନେତା ରମାକାନ୍ତ ମଣ୍ଡଳ, ଚିଟ୍‌ଫଣ୍ଡ ଆନ୍ଦୋଳନର ମଧୁସୂଦନ ବିଶ୍ୱାଳ, ଏକତା ପରିଷଦର ବିଜୟ ପ୍ରଧାନ ଓ ଡ଼ଲି ଅପା ପ୍ରମୁଖ ଉପସ୍ଥିତ ଥିଲେ। ଶେଷରେ ନବନିର୍ମାଣ କୃଷକ ସଂଗଠନର ରାଜ୍ୟ ସଂଯୋଜକ ଶେଷଦେବ ନନ୍ଦ ଧନ୍ୟବାଦ ଅର୍ପଣ କରିଥିଲେ।

Categories
ଆଜିର ଖବର ରାଜ୍ୟ ଖବର

ବର୍ଦ୍ଧିତ ଆନ୍ଧ୍ର ଭତ୍ତା ଓ ଛତିଶଗଡ଼ ଧାନ ଦର ପ୍ରସଙ୍ଗରେ ବିଜେଡ଼ିକୁ ଘେରିବ ନବନିର୍ମାଣ କୃଷକ ସଂଗଠନ

ଭୁବନେଶ୍ୱର: ବାହାରକୁ ଲାଗୁଛି ନବୀନ ସରକାର ରାଜ୍ୟବାସୀଙ୍କୁ ଘିଅ ମହୁରେ ଭସାଇ ଦେଲେଣି। କେଉଁ ବର୍ଗଙ୍କୁ ଅସୁବିଧାରେ ରଖିନାହାଁନ୍ତି। ପ୍ରାୟ ସମସ୍ତେ ସନ୍ତୁଷ୍ଟ। ପୁଣି ସ୍ମାର୍ଟ ସ୍ୱାସ୍ଥ୍ୟକାର୍ଡ଼ର ଯେଉଁ ତୁମ୍ଭିତୋଫାନ ପ୍ରଚାର, ସେଥିରେ ଯେକେହି ଭାସିଯିବେ। ଏଭଳି ଏକ ବାତାବରଣ ଭିତରେ ନିର୍ବାଚନ ଲଢିବାକୁ ଯାଉଛି ବିଜେଡ଼ି, ଯେତେବେଳେ କି ସାଧାରଣରେ ଧାରଣା ହେଉଛି ଯେ, ବିଜେଡ଼ି ବିରୁଦ୍ଧରେ କିଛି ଅଭିଯୋଗ କିମ୍ବା ଆରୋପ ନାହିଁ। ହେଲେ ବାହାର ପ୍ରଚାର ସହ ତଳ ବାସ୍ତବତାର ସମ୍ପର୍କ ଶୂନ। ସରକାର ଗାଁ ଗାଁରେ କଲ୍ୟାଣ ମଣ୍ଡପ, ତାସ୍‌ଖେଳ ଘର, ପୋଖରୀରେ ଗାଧୁଆ ତୁଠ, ମଶାଣୀଗୃହ ସବୁକିଛି କରିଛନ୍ତି। ହେଲେ ମୌଳିକ ଆବଶ୍ୟକତା କିଛି ବି କରିନାହାଁନ୍ତି। ଧାନ ବିକ୍ରି ପାଇଁ ଗୋଦାମ ଘର କିମ୍ବା ମଣ୍ଡି କଥା ଉଠିଲେ ସରକାରଙ୍କ ମୁଖା ଖସିପଡ଼ିବ।

ପଡ଼ୋଶୀ ଛତିଶଗଡ଼ରେ ଚାଷୀ ଧାନ କୁଇଣ୍ଟାଲ ୨୫୦୦ରେ ମଣ୍ଡିରେ ବ୍ୟବସ୍ଥିତ ଢଙ୍ଗରେ ଧାନ ବିକୁଥିଲା ବେଳେ ଆମ ଚାଷୀ ମଣ୍ଡିରେ ଧାନକୁ ଖୋଲା ଆକାଶ ତଳେ କାକର ଓ ବର୍ଷାରେ ଭିଜାଇ ଆଖିରୁ ଲୁହ ଗଡ଼ାଉଛି। ମିଲରଙ୍କ ବ୍ଲାକମେଲିଂ ଓ ମର୍ଜିରେ ଧାନ ବିକିବାକୁ ପଡୁଛି, ହେଲେ ସରକାରଙ୍କ ଦେଖା ନାହିଁ। ମିଲର କଟ୍‌ନି ଛଟନି କଲେ ବନ୍ଧା ହେବେ କହି ଯୋଗାଣମନ୍ତ୍ରୀ ଚୁପ୍। ଷଣ୍ଢ, ମାଙ୍କଡ଼, ବାରାହା, ହାତୀ ସମସ୍ୟାଠାରୁ ଆରମ୍ଭ କରି ରିଲିଫ କୋଡ୍ ସଂଶୋଧନ, ଜଳସେଚନ ଓ ଜଳ ନିଷ୍କାସନ କୌଣସି ସମ୍ୟାକୁ ସମାଧାନ କରିବାରେ ସରକାରଙ୍କ ଆଗ୍ରହ ନାହିଁ। ଶୀତଳ ଭଣ୍ଡାର, ଗୋଦାମଘର ପ୍ରତିଷ୍ଠା, ଖାଦ୍ୟ ପ୍ରକ୍ରିୟାକରଣ ଶିଳ୍ପ ଏଥିରେ ସରକାର ଆଜି ପର୍ଯ୍ୟନ୍ତ ଆଗ୍ରହ ରଖୁନାହାଁନ୍ତି। ଚାଷୀ ପେନସନ କିମ୍ବା ବୋନସ ଏହା ସରକାରଙ୍କୁ ଶ୍ରୁତିକଟୁ ଲାଗେ। ଏଭଳି ସମସ୍ୟାରେ ଚାଷୀ ଘାଣ୍ଟି ହେଉଥିବା ବେଳେ ଛତିଶଗଡ଼ରେ ଧାନ ଦର ୨୫୦୦ ଟଙ୍କା। ଅନେକ ଦିନ ହେଲା ସେମାନେ ଏହି ଦର ପାଉଛନ୍ତି।

ନୂଆବର୍ଷରୁ ଆନ୍ଧ୍ରର ଭତ୍ତାଧାରୀମାନେ ୨୫୦୦ ଟଙ୍କା ଲେଖାଏ ମାସିକ ପେନସନ ପାଉଛନ୍ତି। ଏହାକୁ ନେଇ ଆନ୍ଧ୍ରକୁ ଓଡ଼ିଶାରୁ କିଛି ଲୋକ ଆନ୍ଧ୍ର ଭୋଟର ତାଲିକାରେ ନାମ ଚଢାଇଲେଣି। ତା ସତ୍ତ୍ୱେ ସରକାରଙ୍କ ନିଦ ଭାଙ୍ଗୁନାହିଁ। ଛତିଶଗଡ଼ରେ ଚାଷୀ ୨୫୦୦ରେ ଧାନ ବିକୁଥିଲା ବେଳେ ଆମ ଚାଷୀ ତାର ଅଧା ୧୨୦୦/୧୩୦୦ ଟଙ୍କାରେ ଧାନ ବିକୁଛନ୍ତି। ଅତଏବ ପଡ଼ୋଶୀ ରାଜ୍ୟର ଚାଷୀମାନେ ଆମଠାରୁ ଦୁଇଗୁଣା ଲାଭ ପାଉଛନ୍ତି। ଏହି ଦୁଇ ପ୍ରସଙ୍ଗରେ ବିଜେପି ଏବଂ କଂଗ୍ରେସ, ବିଜେଡ଼ିକୁ ଯେତିକି ଘେରିନାହାଁନ୍ତି, ତା’ଠାରୁ ଅଧିକ ଶାଣିତ ଆକ୍ରମଣ କରିଛି ନବନିର୍ମାଣ କୃଷକ ସଂଗଠନ।

ସଂଗଠନର ରାଜ୍ୟ ସଂଯୋଜକ ଶେଷଦେବ ନନ୍ଦ କହିଛନ୍ତି ଯେ, ଯେଉଁ କାଳିଆ ଯୋଜନା କରି ନବୀନ ପଟ୍ଟନାୟକ ଗତ ବିଧାନସଭା ନିର୍ବାଚନ ବୈତରଣୀ ପାର୍ ହେଲେ, ସେହି ଯୋଜନାରେ ନବୀନଙ୍କୁ ଘେରାଯିବ। କାରଣ ନବୀନ କାଳିଆ ଯୋଜନା ଘୋଷଣା କଲାବେଳେ କହିଥିଲେ ଯେ, ଏହି ଯୋଜନା ୩ ବର୍ଷ ଚାଲିବ, ଏହାକୁ କେହି ଅଟକାଇ ପାରିବେ ନାହିଁ। ଅଥଚ ଅଧାରୁ ଏହି ଯୋଜନା ଅର୍ଥକୁ ୬୦ଭାଗ କମାଇଦେଲେ। ଏହି ପ୍ରସଙ୍ଗରେ ଚାଷୀମାନଙ୍କୁ ନିବେଦନ କରାଯିବ ଯେ, ବିଜେଡ଼ି କାଳିଆ ପ୍ରସଙ୍ଗରେ ଆମକୁ ଯେଭଳି ଧୋକ୍କା ଦେଇଛି, ଆମେ ସେଭଳି ସେମାନଙ୍କୁ ପଞ୍ଚାୟତ ନିର୍ବାଚନରେ ଜବାବ ଦେବାକୁ ଚାଷୀମାନଙ୍କୁ ଆହ୍ୱାନ ଜଣାଇଛନ୍ତି।

Categories
ଆଜିର ଖବର ରାଜ୍ୟ ଖବର

ଲକଡ଼ାଉନରେ ଲୋକଙ୍କୁ ଜୀବିକା ସୁରକ୍ଷା ଭତ୍ତା ଯୋଗାଇ ଦିଅ ନଚେତ ହେବ ଆନ୍ଦୋଳନ: ନବନିର୍ମାଣ କୃଷକ ସଂଗଠନ

ଭୁବନେଶ୍ୱର: କରୋନା ଠାରୁ ଲକଡ଼ାଉନ ଅତ୍ୟନ୍ତ ଭୟଙ୍କର। କରୋନା କିଛି ଲୋକଙ୍କ ଜୀବନ ନେଇଛି ଓ ଆଉ କେତେକଙ୍କ ମଧ୍ୟରେ ଭୟ ସଞ୍ଚାର କରୁଛି। ହେଲେ ଲକଡ଼ାଉନ ସବୁକିଛି ଉଜାଡ଼ି ଥିଲାବାଲା ଲୋକଙ୍କୁ ବି ଦରିଦ୍ର କରି ଦାଣ୍ଡର ଭିକାରୀ କରିସାରିଲାଣି। ଯଦି ଲକଡ଼ାଉନ ଓ ସଟଡ଼ାଉନ ଏକମାତ୍ର ବିକଳ୍ପ, ତେବେ ଧାରା ୨୧ ଅନୁସାରେ ଲୋକଙ୍କ ଜୀବିକା ସୁରକ୍ଷା ଭତ୍ତା ଦିଆଯିବ ନାହିଁ କାହିଁକି?

ଜର୍ମାନ, ଆମେରିକା ଭଳି ଦେଶରେ ଲକଡ଼ାଉନ, ସଟଡ଼ାଉନ କ୍ଷତିଗ୍ରସ୍ତଙ୍କୁ ବିଶେଷକରି ସବୁବର୍ଗଙ୍କୁ ଟଙ୍କା ବଣ୍ଟାଯାଇଛି। ହେଲେ ଏଠି କେବଳ ଲୋକଙ୍କୁ ଭିକାରୀ ପରି ଚାଉଳ ଗଣ୍ଡେ ଫିଙ୍ଗିଦେଇ ସରକାର ତାଙ୍କ ନୈତିକ ଦାୟିତ୍ୱ ଶେଷ କରିଦେଉଛନ୍ତି। ଗତ ଦେଢବର୍ଷରୁ ଉର୍ଦ୍ଧ୍ୱ କରୋନା କାଳରେ ସେଲୁନ, ସ୍ପା, କ୍ଷୁଦ୍ର ବ୍ୟବସାୟୀ, ମଟର ସଂଘ, ଚାଷୀ, କଳାକାର ସମସ୍ତେ ନାହିଁ ନଥିବା ଅକଥନୀୟ ଦୁର୍ଦ୍ଦଶାର ଶିକାର ହେଉଛନ୍ତି।

ରୋଜଗାରକ୍ଷମବର୍ଗ ଦିନମଜୁରିଆଙ୍କ ହାତ ସରକାର ଗୋଟେପଟେ ବାନ୍ଧି ଦେଇଥିଲା ବେଳେ ନିତ୍ୟ ବ୍ୟବହାର୍ଯ୍ୟ ଜିନିଷର ଦର ଦୁଇଗୁଣା ବଢିଛି। ପେଟ୍ରୋଲ, ଡ଼ିଜେଲ, ଖାଇବା ତେଲ ଓ ଡ଼ାଲି ସବୁର ଅହେତୁକ ଦର ବୃଦ୍ଧି ଘଟିଛି। ଚାଷକ୍ଷେତ୍ର ଅଧିକ କ୍ଷତିଗ୍ରସ୍ତ ହୋଇଛି। କରୋନା ନାମରେ ମଣ୍ଡି ବନ୍ଦ ହୋଇଗଲା। ପରିବା ବିକ୍ରି ପାଇଁ ହାଟ ବଜାରରେ ସୁବିଧା ପାଇଲେନି ଚାଷୀ। ସେଲୁନ, ସ୍ପା, ରେଡିମେଡ଼ ଦୋକାନ ଏମାନେ କର୍ମଚାରୀଙ୍କୁ ଦରମା ଦେବା ତ ଛାଡ଼, ନିଜକୁ ଚଳାଇବାକୁ ଅନେକ ମାଲିକ ଅକ୍ଷମ। ଏ ନେଇ ସରକାର କେତେ ଆର୍ôଥକ ସମୀକ୍ଷା କରୁଛନ୍ତି।

ଆଜି ଲୋୟର ପିଏମ୍‌ଜିରେ ଚାଷୀ ସଂଗଠନ ଯୋଗାଯୋଗରେ ସମସ୍ତ ବର୍ଗର ଆନ୍ଦୋଳନକୁ ଭାଷଣ ଦେଇ ଏ ବକ୍ତବ୍ୟ ରଖିଛନ୍ତି ନବନିର୍ମାଣ କୃଷକ ସଂଗଠନର କେନ୍ଦ୍ରୀୟ ସଂଯୋଜକ ଅକ୍ଷୟ କୁମାର। ସେ କହିଛନ୍ତି ଯେ, ଦେଶ ଓ ରାଜ୍ୟ କହିଲେ ଦେଶବାସୀ ଓ ରାଜ୍ୟବାସୀଙ୍କୁ ବୁଝାଏ। ହେଲେ ଏଠି ହାତଗଣତି କର୍ମଚାରୀଙ୍କୁ ଦାୟିତ୍ୱ ନିଭାଇ ସରକାର ବସି ଯାଉଛନ୍ତି। ପ୍ରଥମ ଲକଡ଼ାଉନରେ ଲୋକେ ସଞ୍ôଚତ ପାଣ୍ଠି ଖର୍ଚ୍ଚ କରୁଥିଲେ, ଏଥର ଅବସ୍ଥା ଅସମ୍ଭାଳ।

କଳାକାର ସଂଘ, ଜିମ୍ ସଂଗଠନ, ବିୟୁଟିପାର୍ଲର ସଂଗଠନ ଓ ପରିବହନ ସଂଗଠନ ନେତା ପ୍ରମୁଖ ନିଜ ନିଜ ବ୍ୟବସାୟର ଦୁଃଖ ବର୍ଣ୍ଣନା କରି ସେମାନେ ଦୈନନ୍ଦିନ ଜୀବନରେ ନିଜକୁ ଚଳାଇବାର କିଭଳି ତୀବ୍ର ସଙ୍କଟର ସମ୍ମୁଖୀନ ହେଉଛନ୍ତି ସେ କଥା ଆଲୋଚନା କରିବା ସହିତ ସରକାର ଯଦି ସାମ୍ବିଧାନିକ ଦାୟିତ୍ୱ ଦୃଷ୍ଟିରୁ ରୋଗ ସହ ଭୋକ କଥା ନବୁଝନ୍ତି, ତେବେ ଗଣବିଦ୍ରୋହ ହେବ ବୋଲି ଘୋଷଣା କରିଥିଲେ।

ଜିମ୍ ସଂଘର ଅମ୍ରିତା ମିଶ୍ର, ଯାତ୍ରା କଳାକାର କର୍ମଚାରୀ ସଂଘର ସଭାପତି ଦୈତାରୀ ପଣ୍ଡା, ଉପଦେଷ୍ଟା ବାପି ପଣ୍ଡା, ସମ୍ପାଦକ ଆର.କେ. ହୀରାଲାଲ, ମ୍ୟାଜିକ ସଂଘର ମହେନ୍ଦ୍ର ହରିଚନ୍ଦନ, ଶୋବିତା ନିଉଲି, ବୈଶାଳୀ ମହାପାତ୍ର, ଶୋଭା ଅପା, ଭୁବନେଶ୍ୱର ବସ୍ ଆସୋସିଏସନର ବରଦା ଆଚାର୍ଯ୍ୟ ଓ କୋଚିଂ ସେଣ୍ଟରର କର୍ମକର୍ତ୍ତା ବକ୍ତବ୍ୟ ରଖିଥିଲେ।

ଆଜିର କାର୍ଯ୍ୟକ୍ରମରେ ସଂଗଠନର ରାଜ୍ୟ ସଂଯୋଜକ ଶେଷଦେବ ନନ୍ଦ, ରଶ୍ମିରଞ୍ଜନ ସ୍ୱାଇଁ, ନିମାଇଁ ରାୟ, ଯୁବଛାତ୍ର ସଂଯୋଜକ ମନୱର ଅଲ୍ଲୀ ଓ ଅନ୍ୟମାନେ ଉପସ୍ଥିତ ଥିଲେ । ସମ୍ପୂର୍ଣ୍ଣ କୋଭିଡ଼ କଟକଣା ମାନି, ସାମାଜିକ ଦୂରତା ରଖି ସଂଗଠନ ପକ୍ଷରୁ ଶାନ୍ତିପୂର୍ଣ୍ଣ ବିକ୍ଷୋଭ କରାଯାଇଥିଲା।