Categories
ଆଜିର ଖବର ଜାତୀୟ ଖବର ରାଜ୍ୟ ଖବର

ପୁରୁଣା ପେନ୍‌ସନ୍ ପାଇଁ ନଭେମ୍ବରରେ ମହାଆନ୍ଦୋଳନ ଡାକରା

ଭୁବନେଶ୍ବର: ନୂତନ ପେନ୍‌ସନ୍ ବ୍ୟବସ୍ଥା ଉଚ୍ଛେଦ କରି ପୁରୁଣା ପେନ୍‌ସନ୍ ଲାଗୁ କରିବା ନିମନ୍ତେ ଅଦ୍ୟ ତା୧୫.୧୦.୨୦୨୩ରିଖ ରବିବାର ଦିବା ୨ ଘଟିକା ସମୟରେ “ଉତ୍କଳ ମଣ୍ଡପ”ଭୁବନେଶ୍ୱର ଠାରେ “ପୁରୁଣା ପେନ୍‌ସନ୍ ପାଇଁ ଜାତୀୟ ଆନ୍ଦୋଳନ” (ଏନ୍‌.ଏମ୍‌.ଓ.ପି.ଏସ୍‌.), ଓଡ଼ିଶା ରାଜ୍ୟଶାଖା ପକ୍ଷରୁ ଏକ ଗୁରୁତ୍ୱପୂର୍ଣ୍ଣ ପୁରୁଣା ପେନସନ୍ ମହାସମାବେଶ ଅନୁଷ୍ଠିତ ହୋଇଯାଇଛି ।

ଏହି ବୈଠକରେ ମୁଖ୍ୟ ଅତିଥି ରୂପେ ବିଶିଷ୍ଟ କର୍ମଚାରୀ ନେତା ଶ୍ରୀ ପ୍ରଭାତ ମହାନ୍ତି, ମୁଖ୍ୟବକ୍ତା ଭାବେ ବରିଷ୍ଠ ସାମ୍ବାଦିକ ରବି ଦାସ, ସମ୍ମାନୀୟ ଅତିଥି ଭାବେ ବାସୁଦେବ ଭଟ୍ଟ ଓ ପ୍ରସନ୍ନ ବିଶୋଇ ଯୋଗଦେଇ ତାଙ୍କ ବକ୍ତବ୍ୟରେ କହିଥିଲେ ସରକାର ପୁରୁଣା ପେନ୍‌ସନ୍ ତୁରନ୍ତ ଲାଗୁ କରନ୍ତୁ ବୋଲି ମତ ଦେଇଥିଲେ ।

ଅନ୍ୟମାନଙ୍କ ମଧ୍ୟରେ ଏନ୍‌.ଏମ୍‌.ଓ.ପି.ଏସ୍‌. ଓଡ଼ିଶାର ସମସ୍ତ କର୍ମକର୍ତ୍ତା ତଥା ରାଜ୍ୟର ସମସ୍ତ ସଂଗଠନର ସଭାପତି, ସମ୍ପାଦକ ତଥା ଜିଲ୍ଲା, ବ୍ଲକ ନେତୃତ୍ୱ ଓ ବିଭାଗର ମୁଖ୍ୟମାନେ ଯୋଗଦେଇ ସରକାରଙ୍କର ନୂତନ ପେନ୍‌ସନ୍ ବ୍ୟବସ୍ଥାକୁ ତୀବ୍ର ବିରୋଧ କରିଥିଲେ ଏବଂ ଏଠାରେ ସୂଚନାଯୋଗ୍ୟ ଯେ କର୍ମଚାରୀମାନଙ୍କର ଅଂଶଧନକୁ ସରକାର ଅସ୍ଥିର ସେୟାର ମାର୍କେଟ୍‌ରେ ବିନିଯୋଗ କରି କର୍ମଚାରୀଙ୍କ ଶେଷ ଜୀବନକୁ ଦୁର୍ବିସହ ଅବସ୍ଥାକୁ ଠେଲି ଦେଇଛନ୍ତି । ରାଜ୍ୟରେ କାର୍ଯ୍ୟରତ ସମସ୍ତ କର୍ମଚାରୀମାନଙ୍କୁ ଅବିକଳ ପୁରୁଣା ପେନ୍‌ସନ୍ ବ୍ୟବସ୍ଥା ଲାଗୁ କରେଇବା ପାଇଁ ସରକାରଙ୍କ ନିକଟରେ ଦାବିପତ୍ର ଉପସ୍ଥାପନ କରିଥିଲେ ।

କେନ୍ଦ୍ର ସରକାର ୧.୧.୨୦୦୪ ମସିହାରେ ଓ ରାଜ୍ୟ ସରକାର ୧.୧.୨୦୦୫ ମସିହାରେ ପୁରୁଣା ପେନ୍‌ସନ୍ ଉଚ୍ଛେଦ କରି ନୂତନ ପେନ୍‌ସନ୍ ବ୍ୟବସ୍ଥା ଲାଗୁ କରିଥିଲେ । ଫଳରେ ହଜାର ହଜାର ସରକାରୀ କର୍ମଚାରୀ ୨୫ ରୁ ୩୦ ବର୍ଷ ଚାକିରୀ କରି ଅବସର ପରେ ମାତ୍ର ୧୦୦୦ ଟଙ୍କା ରୁ ୨୦୦୦ ଟଙ୍କା ପର୍ଯ୍ୟନ୍ତ ପେନ୍‌ସନ୍ ପାଇ ଅତି ଦୁର୍ଦ୍ଦିନରେ ଦିନ କାଟୁଛନ୍ତି । ଯେତେବେଳେ କି ବିଧାୟକ ଓ ସାଂସଦଙ୍କର ପୁରୁଣା ପେନ୍‌ସନ୍ ପୂର୍ବପରି ପାଉଛନ୍ତି ।

ସୂଚନାଯୋଗ୍ୟ କି କେନ୍ଦ୍ର ଅର୍ଥ ସଚିବଙ୍କ ଅଧ୍ୟକ୍ଷତାରେ ଏକ କମିଟି ଗଠନ ହୋଇ ନୂତନ ପେନ୍‌ସନ୍ ଉପରେ ଅନୁଧ୍ୟାନ କରାଯାଉଛି, ଏହାକୁ ସଂଗଠନ ତରଫରୁ ଦୃଢ ବିରୋଧ କରିବା ସହ ନୂତନ ପେନ୍‌ସନ୍ ପରିବର୍ତ୍ତେ ଅବିକଳ ପୁରୁଣା ପେନ୍‌ସନ୍ ଲାଗୁ କରାଇବା ପାଇଁ ଦାବି ଉପସ୍ଥାପନ କରିଥିଲେ । ଏଥିମଧ୍ୟରେ ବିଭିନ୍ନ ରାଜ୍ୟ ଯଥା ଛତିଶଗଡ଼, ରାଜସ୍ଥାନ, ଝାଡ଼ଖଣ୍ଡ, ପଞ୍ଜାବ ଓ ହିମାଚଳ ପ୍ରଦେଶ ରାଜ୍ୟ କର୍ମଚାରୀମାନଙ୍କର ଗୁରୁତର ସ୍ୱାର୍ଥକୁ ଦୃଷ୍ଟିରେ ରଖି ପୁରୁଣା ପେନ୍‌ସନ୍ ଲାଗୁ କରିଛନ୍ତି ।

ଏଠାରେ ସୂଚନାଯୋଗ ଯେ, ତା୧.୧.୨୦୦୪ରିଖରେ କେନ୍ଦ୍ର ସରକାର ପୁରୁଣା ପେନ୍‌ସନ୍ ବ୍ୟବସ୍ଥାକୁ ଉଚ୍ଛେଦ କରି ଜାତୀୟ ପେନ୍‌ସନ୍ ବ୍ୟବସ୍ଥା ଲାଗୁ କରାଇବା ପାଇଁ ରାଜ୍ୟମାନଙ୍କୁ ପରାମର୍ଶ ଦେଇଥିଲେ ମଧ୍ୟ ପଶ୍ଚିମବଙ୍ଗ ସରକାର ଏହାକୁ ଭୃକ୍ଷେପ ନକରି ପୂର୍ବଭଳି ଏପର୍ଯ୍ୟନ୍ତ ପୁରୁଣା ପେନ୍‌ସନ୍ ବ୍ୟବସ୍ଥା ଚାଲୁ ରଖିଛନ୍ତି ।

ଗତ ଅକ୍ଟୋବର ୧ରେ ଦିଲ୍ଲୀର ରାମଲୀଳା ମଇଦାନଠାରେ ସବୁ ରାଜ୍ୟର ପ୍ରାୟ ୫ଲକ୍ଷରୁ ଊର୍ଦ୍ଧ୍ୱ କର୍ମଚାରୀମାନେ ଏକତ୍ର ହୋଇ କେନ୍ଦ୍ର ସରକାରଙ୍କୁ ପୁରୁଣା ପେନସନ୍ ଲାଗୁ କରିବାକୁ ଅନୁରୋଧ କରିଥିଲେ । ଏନ୍‌.ଏମ୍‌.ଓ.ପି.ଏସ୍‌. ଓଡ଼ିଶା ରାଜ୍ୟ ଶାଖା ତରଫରୁ ମୁଖ୍ୟମନ୍ତ୍ରୀ ଓ ୫-ଟି’ ସଚିବଙ୍କୁ ଚାରିଲକ୍ଷ କର୍ମଚାରୀ ଓ ସେମାନଙ୍କ ପରିବାର ସର୍ବମୋଟ୍ ୪୦ଲକ୍ଷ ଲୋକଙ୍କର ଗୁରୁତର ସ୍ୱାର୍ଥକୁ ଦୃଷ୍ଟିରେ ରଖି ନୂତନ ପେନ୍‌ସନ୍ ବ୍ୟବସ୍ଥା ଉଚ୍ଛେଦ କରି ଅବିକଳ ପୁରୁଣା ପେନ୍‌ସନ୍ ବ୍ୟବସ୍ଥା ଲାଗୁ କରିବାକୁ ସଂଘର ରାଜ୍ୟ ସଭାପତି ବିଜୟ ମଲ୍ଲ ଓ ରାଜ୍ୟ ସାଧାରଣ ସମ୍ପାଦକ ପ୍ରଯତ୍ନ ବରାଳ ପ୍ରମୁଖ ରାଜ୍ୟ ସରକାରଙ୍କୁ ଅନୁରୋଧ କରିଛନ୍ତି ।

Categories
ଆଜିର ଖବର ରାଜ୍ୟ ଖବର

ପୁରୁଣା ପେନସନ ଦାବିରେ ଡ଼ିସେମ୍ବର ୨୩ରେ ପ୍ରାଥମିକ ଶିକ୍ଷକମାନଙ୍କ ଆନ୍ଦୋଳନ

ଭୁବନେଶ୍ୱର: ରାଜ୍ୟ ସରକାର ରାଜ୍ୟରେ ଶିକ୍ଷକ-କର୍ମଚାରୀ ମାରଣ ନୀତି ଜାରି ରଖିଛନ୍ତି। ୬ ବର୍ଷ ଠିକା ଓ ଚୁକ୍ତିରେ ବିଦ୍ୟାଳୟରେ କାର୍ଯ୍ୟ କରାଇ ଉଚ୍ଚଶିକ୍ଷିତ ଯୁବକଯୁବତୀମାନଙ୍କୁ ଶୋଷଣ କରୁଛନ୍ତି। ୬ ବର୍ଷ କାଳ ଶିକ୍ଷକମାନଙ୍କୁ କମ୍ ଦରମା ଦେଉଛନ୍ତି। ଦେଶର ପ୍ରାୟ ସମସ୍ତ ରାଜ୍ୟରେ ଶିକ୍ଷକମାନଙ୍କୁ ସପ୍ତମ ବେତନ କମିଶନରେ ୪୨୦୦ଟଙ୍କା ଗ୍ରେଡ୍ ପେ ଦେଇ ଦରମା ସଂଶୋଧନ କରିଥିବା ବେଳେ ଆମ ରାଜ୍ୟରେ ପ୍ରାଥମିକ ଶିକ୍ଷକମାନଙ୍କୁ ଦରମା ସପ୍ତମ ବେତନ କମିଶନରେ ଗ୍ରେଡ୍ ପେ ୨୨୦୦ ଟଙ୍କା ଦରମା ସଂଶୋଧନ କରିଥିବାରୁ ଅନ୍ୟ ରାଜ୍ୟ ଶିକ୍ଷକମାନଙ୍କ ଦରମା ଠାରୁ ସର୍ବନିମ୍ନ ଦରମା ହୋଇଛି।

ସର୍ବୋଚ୍ଚ ଅଦାଲତ ସମାନ କାମକୁ ସମାନ ଦରମା ଦେବା ପାଇଁ କହିଥିବା ବେଳେ ରାଜ୍ୟ ସରକାର ତାହାକୁ ମାନୁନାହାଁନ୍ତି। ଶିକ୍ଷା ଅଧିକାର ଆଇନରେ ସମସ୍ତ ଶିକ୍ଷକମାନଙ୍କୁ ପେନସନ, ଗ୍ରାଚୁଇଟି, ମେଡ଼ିକାଲ ଭତ୍ତା, ଭବିଷ୍ୟନିଧି ପାଣ୍ଠି, ଡ଼ାକ୍ତରୀ ସୁବିଧା, ସ୍ୱାସ୍ଥ୍ୟବୀମା ଓ ଅବସରକାଳୀନ ସୁବିଧା ସୁଯୋଗ ଦେବା ପାଇଁ ରାଜ୍ୟ ସରକାର ଆଇନ କରିଥିବା ବେଳେ ତାହାକୁ ନିଜେ ଉଲଂଘନ କରୁଛନ୍ତି। ଶିକ୍ଷକମାନେ ୩୦ରୁ ୩୫ବର୍ଷ କାର୍ଯ୍ୟ କରିବା ପରେ ସେମାନଙ୍କୁ ଖାଲି ହାତରେ ଅବସର ନେବାକୁ ପଡ଼ୁଛି । ଜଗତୀକରଣ ଓ ଉଦାରୀକରଣ ଅର୍ଥନୀତିର ଚାପରେ ରାଜ୍ୟ ଓ କେନ୍ଦ୍ର ସରକାର ପୁରୁଣା ପେନସନ ବ୍ୟବସ୍ଥାକୁ ବନ୍ଦ କରି ଯେଉଁ ନୂତନ ପେନସନ ବ୍ୟବସ୍ଥା ୨୦୦୫ ମସିହା ଠାରୁ ପ୍ରଚଳନ କରିଛନ୍ତି ସେଥିରେ କିଛି ବିଶେଷ ସୁବିଧା ସୁଯୋଗ ଶିକ୍ଷକ କର୍ମଚାରୀଙ୍କୁ ମିଳୁନାହିଁ। ଜଣେ ଶିକ୍ଷକ ଅବସର ନେଲେ ନୂତନ ପେନସନ ନିୟମ ଅନୁଯାୟୀ ସେମାନଙ୍କୁ ୫୦୦ରୁ ୧୦୦୦ ଟଙ୍କା ପର୍ଯ୍ୟନ୍ତ ପେନସନ ମିଳୁଛି।

ଯାହାଦ୍ୱାରା ଅବସର ନେଉଥିବା ଶିକ୍ଷକ କର୍ମଚାରୀମାନଙ୍କ ଚାକିରୀର ଅବଶିଷ୍ଟ ଜୀବନକାଳ ଦୁଃଖକଷ୍ଟରେ ଅତିବାହିତ କରିବାକୁ ପଡୁଛି। ୨୦୦୫ ମସିହା ପୂର୍ବ ପ୍ରଚଳିତ ପେନସନ ବ୍ୟବସ୍ଥା ସମସ୍ତଙ୍କ ପାଇଁ ଉଚ୍ଛେଦ କରାଯାଇଥିଲେ ମଧ୍ୟ ମାନ୍ୟବର ବିଧାୟକ ଓ ସାଂସଦମାନଙ୍କୁ କାହିଁକି ଦିଆଯାଉଛି ବୋଲି ସଂଘର ସଭାପତି ବ୍ରହ୍ମାନନ୍ଦ ମହାରଣା ଅଭିଯୋଗ କରିଛନ୍ତି। ନିୟମ ଯଦି ସମସ୍ତଙ୍କ ପାଇଁ ସମାନ ଲାଗୁ କରାଯାଇଛି, ତବେ ବିଧାୟକ ଓ ସାଂସଦମାନେ କାହିଁକି ପୁରୁଣା ପେନସନ ଉପଭୋଗ କରୁଛନ୍ତି? ତେଣୁ ଶିକ୍ଷକ କର୍ମଚାରୀମାନଙ୍କୁ ୨୦୦୫ ମସିହା ପୂର୍ବ ପ୍ରଚଳିତ ପେନସନ ବ୍ୟବସ୍ଥା ଲାଗୁ କରିବାକୁ ଶିକ୍ଷକ ସଂଘ ଦାବି କରିଛି। ରାଜ୍ୟ ସରକାର ସମସ୍ତଙ୍କୁ ବିଜୁ ସ୍ୱାସ୍ଥ୍ୟ କାର୍ଡ଼ ଦେଉଥିବା ବେଳେ ଶିକ୍ଷକମାନଙ୍କୁ ସ୍ୱାସ୍ଥ୍ୟବୀମାରେ ଅନ୍ତର୍ଭୁକ୍ତ କରୁନାହାଁନ୍ତି।

ଶିକ୍ଷକମାନଙ୍କୁ କେନ୍ଦ୍ରୀୟ ହାରରେ ଦରମା ଓ ଶିକ୍ଷା ସହାୟକ କାର୍ଯ୍ୟକାଳକୁ ଚାକିରୀରେ ଗଣନା କରିବା, ଶିକ୍ଷକମାନଙ୍କୁ ସ୍ୱାସ୍ଥ୍ୟବୀମାରେ ସାମିଲ୍ କରିବାକୁ ପ୍ରାଥମିକ ବିଦ୍ୟାଳୟ ଶିକ୍ଷକ ସଂଘର ସାଧାରଣ ସମ୍ପାଦକ ବିଭୁ ପ୍ରସାଦ ସାହୁ ଦାବି କରିଛନ୍ତି। ବାରମ୍ବାର ଦାବି ସତ୍ତ୍ୱେ ସରକାର ଶିକ୍ଷକମାନଙ୍କର ନ୍ୟାୟୋଚିତ ଦାବିକୁ କାର୍ଯ୍ୟକାରୀ କରୁନଥିବାରୁ ପ୍ରାଥମିକ ବିଦ୍ୟାଳୟ ଶିକ୍ଷକ ସଂଘ, ଓଡ଼ିଶା ବାଧ୍ୟ ହୋଇ ଆସନ୍ତା ଡ଼ିସେମ୍ବର ୨୩ ତାରିଖରେ ଏକ ବିଶାଳ ଆନ୍ଦୋଳନର ଆୟୋଜନ କରିବାକୁ ଯାଉଛି ବୋଲି ସଂଘର ନେତୃବୃନ୍ଦ ମିଳିତ ଭାବେ ଏକ ପ୍ରେସ୍ ବିବୃତ୍ତିରେ ପ୍ରକାଶ କରିଛନ୍ତି।

ଏହି ସାମ୍ବାଦିକ ସମ୍ମିଳନୀରେ କୋଷାଧ୍ୟକ୍ଷ ଗୋପାଳ କିଶୋର ସେନ, ଟୁଲୁ ଦେଇ, ସୁଶିଲ କୁମାର ସେଠୀ, ସମରେଶ ବେହେରା, ସୁଶାନ୍ତ ମଲ୍ଲିକ ଓ ଜିତେନ୍ଦ୍ର କୁମାର ନାୟକ ପ୍ରମୁଖ ଉପସ୍ଥିତ ଥିଲେ।