Categories
ଆଜିର ଖବର ରାଜ୍ୟ ଖବର

୨୧ରେ ଅନୁଷ୍ଠିତ ବାଚସ୍ପତି ନିର୍ବାଚନରେ ଯୋଗଦେଇ ପାରିବେ ନାହିଁ କଂଗ୍ରେସ ବିଧାୟକ

ଭୁବନେଶ୍ୱର: ଆସନ୍ତା ତା. ୨୧.୦୯.୨୦୨୩ ରିଖ ଦିନ ଓଡ଼ିଶାର ବାଚସ୍ପତି ପଦ ନିମନ୍ତେ ନିର୍ବାଚନ ଅନୁଷ୍ଠିତ ହେବାକୁ ଯାଉଛି। ଏଥିନିମନ୍ତେ ୧୮ ତାରିଖରେ ପ୍ରାର୍ଥୀପତ୍ର ଦାଖଲର ଦିନ ଧାର୍ଯ୍ୟ ହୋଇଛି।

ଏଠାରେ ଉଲ୍ଲେଖଯୋଗ୍ୟ ଯେ ୨୦ ତାରିଖ ଦିନ ପଶ୍ଚିମ ଓଡ଼ିଶାର ଗଣପର୍ବ ନୂଆଖାଇ ପାଳନ ହେବାକୁ ଯାଉଅଛି ଏବଂ ୨୧ ତାରିଖ ଦିନ ନୂଆଖାଇ ଭେଟଘାଟ କାର୍ଯ୍ୟକ୍ରମ ଅନୁଷ୍ଠିତ ହେବ। ସାଧାରଣତଃ ଏହି ଗଣପର୍ବରେ ପଶ୍ଚିମ ଓଡ଼ିଶାର ଅଧିବାସୀ ସମସ୍ତ କାର୍ଯ୍ୟକୁ ପଛରେ ପକାଇ ସପରିବାର ନବାନ୍ନ ଭକ୍ଷଣ କରିଥାନ୍ତି।

ଏହି ଉତ୍ସବ ବିଶେଷକରି ପଶ୍ଚିମ ଓଡ଼ିଶାବାସୀଙ୍କ ପାଇଁ ଆବେଗପୂର୍ଣ୍ଣ ହୋଇଥିବାରୁ ଏଥିନିମନ୍ତେ ସାଧାରଣତଃ ସରକାର ୨ଦିନ ସରକାରୀ ଛୁଟି ଘୋଷଣା କରିଥାନ୍ତି, ମାତ୍ର ଚଳିତବର୍ଷ ସରକାର ଗୋଟିଏ ଦିନ ଛୁଟି ଘୋଷଣା କରିଛନ୍ତି। ସୁତରାଂ ଏହି ଗଣପର୍ବ ପାଇଁ କଂଗ୍ରେସ ବିଧାୟକଗଣ ନିଜ ଅଂଚଳରେ ଉପସ୍ଥିତ ରହୁଥିବାରୁ ଆଗାମୀ ବାଚସ୍ପତି ନିର୍ବାଚନରେ ଅଂଶଗ୍ରହଣ କରିପାରିବେ ନାହିଁ।

Categories
ଆଞ୍ଚଳିକ

ପୌର ନିର୍ବାଚନ: ଆଜି ବାଲୁଗାଁ ଏନଏସିରେ ପ୍ରାର୍ଥୀପତ୍ର ଦାଖଲ କଲେ ୨ ଅଧ୍ୟକ୍ଷା, ୧୧ କାଉନସିଲର

ସୀତାରାମ ଅଗ୍ରୱାଲ

ବାଲୁଗାଁ: ପୌର ନିର୍ବାଚନ ନିମନ୍ତେ ବାଲୁଗାଁ ଏନଏସି ଅଧ୍ୟକ୍ଷା ଏବଂ ୧୧ଟି ୱାର୍ଡ କାଉନସିଲର ପଦବୀ ପାଇଁ ରବିବାର ପୂର୍ବାହ୍ନରେ ବିଜେପି ପକ୍ଷରୁ ପ୍ରାର୍ଥୀ ପତ୍ର ଦାଖଲ କରାଯାଇଛି। ଆଜି ପ୍ରାର୍ଥୀମାନେ ସେମାନଙ୍କ ଶତାଧିକ ସମର୍ଥକମାନଙ୍କ ଗହଣରେ ସ୍ଥାନୀୟ ବିଜେପି କାର୍ଯ୍ୟାଳୟରୁ ପଦଯାତ୍ରାରେ ଆସି ବାଲୁଗାଁ ଏନଏସି ନିର୍ବାଚନ ଅଧିକାରୀଙ୍କ ନିକଟରେ ୧୩ ଜଣ ପ୍ରାର୍ଥୀ ପତ୍ର ଦାଖଲ କରିଛନ୍ତି।

ଚଳିତ ପୌର ନିର୍ବାଚନ ପରିପ୍ରେକ୍ଷୀରେ ବାଲୁଗାଁ ଏନଏସିରେ ଶାସକ ବିଜେଡି ଓ କଂଗ୍ରେସ ଦଳ ପକ୍ଷରୁ ବର୍ତ୍ତମାନ ସୁଦ୍ଧା କୌଣସି ନାମାଙ୍କନ ପତ୍ର ଦାଖଲ କରାଯାଇନଥିବା ବେଳେ ଆଜି ବିଜେପି ପକ୍ଷରୁ ଅଧ୍ୟକ୍ଷା ପଦବୀ ପାଇଁ ସ୍ୱପ୍ନା ବଡ଼ଜେନା ଏବଂ ମମତା ବଡ଼ଜେନାଙ୍କ ନାମାଙ୍କନ ପତ୍ର ଦାଖଲ କରାଯାଇଛି। କାଉନସିଲର ପଦବୀ ପାଇଁ ୧ନଂ ୱାର୍ଡରୁ ଭୋବନା ଦାସ, ୨ନଂ ୱାର୍ଡରୁ ବିକାଶ ବେହେରା, ୩ନଂ ୱାର୍ଡରୁ ସୁନିତା ମହାରଣା, ୪ନଂ ୱାର୍ଡରୁ ମିନତୀ ତରାଇ, ୫ନଂ ୱାର୍ଡରୁ ପ୍ରଶାନ୍ତ କୁମାର ବେହେରା, ୬ନଂ ୱାର୍ଡରୁ ମିନତୀ ବେହେରା, ୭ନଂ ୱାର୍ଡରୁ ରୁନୁ ବେହେରା, ୮ନଂ ୱାର୍ଡରୁ ମୀରାରାମ ନାଗବଂଶୀ ମୁଣ୍ଡା, ୯ନଂ ୱାର୍ଡରୁ ବିପ୍ଲବୀ ରବିଶଙ୍କର ସାହୁ, ୧୦ନଂ ୱାର୍ଡରୁ କାଜଲ ପ୍ରଧାନ ଓ ୧୧ନଂ ୱାର୍ଡରୁ ତନ୍ମୟ କୁମାର ସାହୁ ନାମାନଙ୍କ ପତ୍ର ଦାଖଲ କରିଛନ୍ତି।

୧୧ ୱାର୍ଡ ବିଶିଷ୍ଟ ବାଲୁଗାଁ ଏନଏସିରେ ମତଦାତା ସଂଖ୍ୟା ୧୨,୯୧୩। ତନ୍ମଧ୍ୟରୁ ୬,୮୬୨ ଜଣ ପୁରୁଷ ମତଦାତା ହୋଇଥିବା ବେଳେ ୬,୦୫୦ ଜଣ ମହିଳା ମତଦାତା ଓ ଜଣେ ତୃତୀୟ ଲିଙ୍ଗୀ ମତଦାତା ରହିଛନ୍ତି। ଆଗାମି ୨୪ ତାରିଖରେ ୧୬ଟି ବୁଥରେ ମତଦାନ ଅନୁଷ୍ଠିତ ହେବ।

Categories
ବିଶେଷ ଖବର ରାଜ୍ୟ ଖବର

ପ୍ରାର୍ଥୀପତ୍ର ଦାଖଲ ବେଳେ କୋଭିଡ ନିୟମ ଉଲ୍ଲଂଘନ, କାର୍ଯ୍ୟାନୁଷ୍ଠାନ ଚେତାବନୀ ଦେଲେ ନିର୍ବାଚନ କମିଶନର

ଭୁବନେଶ୍ୱର: ତ୍ରିସ୍ତରୀୟ ପଞ୍ଚାୟତ ନିର୍ବାଚନରେ ଅଂଶଗ୍ରହଣ ନିମନ୍ତେ ରାଜ୍ୟର ବିଭିନ୍ନ ସ୍ଥାନରେ ପ୍ରାର୍ଥୀ/ପ୍ରାର୍ଥିନୀମାନେ ସେମାନଙ୍କର ନାମାଙ୍କନ ପତ୍ର ଦାଖଲ ସମୟରେ କୋଭିଡ୍‌-୧୯ ନିୟମାବଳୀ ଉଲ୍ଲଂଘନ ସହ ପ୍ରବଳ ଜନଗହଳି ହେଉଥିବା ରାଜ୍ୟ ନିର୍ବାଚନ କମିଶନଙ୍କ ନଜରକୁ ଆସିଛି ।

ନିର୍ବାଚନ କମିଶନ ଗତ ୧୫ ତାରିଖରେ ଅନୁଷ୍ଠିତ ହୋଇଥିବା ଜିଲ୍ଲାପାଳ-ଆରକ୍ଷୀ ଅଧୀକ୍ଷକ ସମ୍ମିଳନୀରେ ସ୍ପଷ୍ଟ ଭାବେ ଉଲ୍ଲେଖ କରିଥିଲେ ଯେ ଜଣେ ଡି.ଏସ୍‌.ପି ପାହ୍ୟାର ପୁଲିସ ଅଧିକାରୀଙ୍କୁ କୋଭିଡ଼୍‌ ପର୍ଯ୍ୟବେକ୍ଷକ ଭାବେ ନିଯୁକ୍ତି ଦିଆଯିବ ଓ ପ୍ରାର୍ଥୀ/ପ୍ରାର୍ଥିନୀମାନଙ୍କର ନାମାଙ୍କନ ପତ୍ର ଦାଖଲ ଓ ନିର୍ବାଚନୀ ବୈଠକ ସମୟରେ ହେଉଥିବା ଭିଡ଼କୁ ନିୟନ୍ତ୍ରଣ ସହ କଡ଼ାକଡ଼ି ଭାବେ କୋଭିଡ୍‌-୧୯ ନିୟମାବଳୀର ଅନୁପାଳନ କରାଯିବା ନିମନ୍ତେ ନିର୍ଦ୍ଦେଶ ଦେଇଥିଲେ ।

ଆସନ୍ତାକାଲି ନାମାଙ୍କନ ଦାଖଲର ଶେଷ ଦିନ ହେଉଥିବାରୁ ନାମାଙ୍କନ ପତ୍ର ଦାଖଲବେଳେ ପ୍ରବଳ ଜନଗହଳି ହେବାର ଆଶଙ୍କା କରାଯାଉଛି । ଏହି ମର୍ମରେ ଆଜି ନିର୍ବାଚନ କମିଶନ ନାମାଙ୍କନ ପତ୍ର ଦାଖଲ ସମୟରେ ହେଉଥିବା ଭିଡ଼ ନିୟନ୍ତ୍ରଣ ସହ କୋଭିଡ୍‌-୧୯ ନିର୍ଦ୍ଦେଶାବଳୀର କଡ଼ାକଡ଼ି ଅନୁପାଳନ ନିମନ୍ତେ ରାଜ୍ୟ ପୁଲିସ ମହାନିର୍ଦ୍ଦେଶକଙ୍କୁ ବିହିତ କାର୍ଯ୍ୟାନୁଷ୍ଠାନ ନିମନ୍ତେ ନିର୍ଦ୍ଦେଶ ଦେଇଛନ୍ତି ।

Categories
ଆଜିର ଖବର ଆଞ୍ଚଳିକ ରାଜ୍ୟ ଖବର

ଗଂଜାମ ଜିଲ୍ଲା ଓକିଲ ସଂଘ ନିର୍ବାଚନ ନେଇ ପ୍ରାର୍ଥୀପତ୍ର ଦାଖଲ

ହେମାଙ୍ଗ ପ୍ରସାଦ ରାଉଳ
ବ୍ରହ୍ମପୁର: ଓଡ଼ିଶା ରାଜ୍ୟ ବାର୍ କାଉନ୍‌ସିଲର ପକ୍ଷରୁ ନିର୍ଦ୍ଦେଶ ତଥା ବିଜ୍ଞପ୍ତି ପ୍ରକାଶ ପାଇବା ପରେ ଆଜି ଗଂଜାମ ଜିଲ୍ଲା ଓକିଲ ସଂଘ ନିର୍ବାଚନ ପାଇଁ ପ୍ରାର୍ଥୀପତ୍ର ଦାଖଲ ପ୍ରକ୍ରିୟା ଆରମ୍ଭ ହୋଇଛି। ବିଜ୍ଞପ୍ତି ଅନୁଯାୟୀ ୨୪ ଏବଂ ୨୫ ତାରିଖ ଦୁଇଦିନ ନାମାଙ୍କନ ପତ୍ର ଦାଖଲ ହେବ। ୨୬ ତାରିଖରେ ନାମାଙ୍କନ ପତ୍ର ଯାଞ୍ଚ, ୨୭ ତାରିଖରେ ପ୍ରାର୍ଥୀଙ୍କ ନାମ ପ୍ରକାଶ କରାଯିବ। ୨୮ ତାରିଖ ୩ଟା ସୁଦ୍ଧା ପ୍ରାର୍ଥୀମାନେ ପ୍ରାର୍ଥୀପତ୍ର ପ୍ରତ୍ୟାହାର କରିପାରିବେ। ୨୮ ତାରିଖ ସନ୍ଧ୍ୟା ସୁଦ୍ଧା ସମସ୍ତ ଯୋଗ୍ୟ ପ୍ରାର୍ଥୀଙ୍କ ନାମ ଘୋଷଣା କରାଯିବ। ଡ଼ିସେମ୍ବର ୧୨ ତାରିଖରେ ସକାଳ ୮ ଘଣ୍ଟାରୁ ଅପରାହ୍ନ ୪ ଘଣ୍ଟା ପର୍ଯ୍ୟନ୍ତ ଭୋଟଗ୍ରହଣ ହୋଇ ସନ୍ଧ୍ୟାରେ ଭୋଟଗଣନା କରାଯାଇ ବିଜୟୀ ପ୍ରାର୍ଥୀଙ୍କ ନାମ ଘୋଷଣା କରାଯିବ। ଏହିକ୍ରମରେ ଆଜି ପ୍ରଥମ ଦିନରେ ସଭାପତି ପଦବୀ ପାଇଁ କପିଳେଶ୍ୱର ପଟ୍ଟନାୟକ ଏବଂ ବଂଶୀଧର ପାଳ ନାମାଙ୍କନ ଦାଖଲ କରିଥିବାବେଳେ ଉପସଭାପତି ପଦବି ପାଇଁ କୃଷ୍ଣଚନ୍ଦ୍ର ପଣ୍ଡା, ବସନ୍ତ ରାଉତ ପ୍ରାର୍ଥୀପତ୍ର ଦାଖଲ କରିଛନ୍ତି। ସେହିପରି ସଂପାଦକ ପଦବୀ ପାଇଁ ପ୍ରତାପ ବେହେରା ଏବଂ ଯୁଗ୍ମ ସଂପାଦକ ପଦବୀ ପାଇଁ ହେମନ୍ତ ପଣ୍ଡା, ସୋମନାଥ ମହାରଣା ନିଜ ପ୍ରାର୍ଥୀପତ୍ର ଦାଖଲ କରିଛନ୍ତି। ଆସନ୍ତାକାଲି ଅନ୍ୟ କେତେଜଣ ପ୍ରାର୍ଥୀପତ୍ର ଦାଖଲ କରିବାର ସମ୍ଭାବନା ରହିଛି।