Categories
ଆଜିର ଖବର ଜାତୀୟ ଖବର ଜୀବନ ଶୈଳୀ

“ପ୍ରେମ କାହାକୁ କୁହନ୍ତି?”, ଜାଣନ୍ତୁ ଏଭଳି ଏକ ପ୍ରଶ୍ନରେ କ’ଣ ଉତ୍ତର ରଖିଲେ ରାଜକୁମାର

ଉପେନ୍ଦ୍ର ବଳିୟାରସିଂହ

ବୃକ୍ଷର ଶାଖାରେ ହସୁଥିବା ସୁନ୍ଦର ପୁଷ୍ପକୁ ଦେଖି ରାଜକୁମାର ଜଣଙ୍କ କହିଲେ, “ତୁମେ ମୋ ନିକଟକୁ ଚାଲି ଆସୁନ?” ପୁଷ୍ପ ଉତ୍ତର ଦେଲା, ”କାହିଁକି?” ରାଜକୁମାର କହିଲେ, “କାରଣ, ମୁଁ ତୁମକୁ ପ୍ରେମ କରେ।” ପୁଷ୍ପ ଉତ୍ତର ଦେଲା, “ପ୍ରେମ କାହାକୁ କୁହନ୍ତି?”

ରାଜକୁମାର ଉତ୍ତର ଦେଲେ, “ଯେଉଁଠାରେ ପ୍ରମାଦ ନଥାଏ।” ପୁଷ୍ପଟି କହିଲା, ”ତୁମେ ସେହି ପକ୍ଷୀମାନଙ୍କ କଳରବ ଶୁଣି ପାରୁଛ?” ରାଜକୁମାର କହିଲେ, “ଅବଶ୍ୟ!” ପୁଷ୍ପ ପଚାରିଲା ସେମାନଙ୍କର ପ୍ରେମ କେମିତି?” ରାଜକୁମାର ଉତ୍ତର ଦେଲେ, “ମୂର୍ଖ ପକ୍ଷୀମାନେ ପ୍ରେମର ମହତ୍ତ୍ଵ କଣ ବୁଝିବେ?” ପୁଷ୍ପଟି ଗର୍ଜ୍ଜନ କରି କହିଲା, “ସେ ଯଦି ପ୍ରେମ ଜାଣିନଥାନ୍ତେ, ତାହେଲେ ଆତ୍ମ ବିଜୟର ଏ ଆନନ୍ଦ କେଉଁଠୁ ଆସନ୍ତା?” ରାଜକୁମାର କହିଲେ, “ସେମାନେ ସେମାନଙ୍କର କଳରବ ଦ୍ଵାରା ଭଗବାନ ଭୁବନ ଭାସ୍କରଙ୍କୁ ସ୍ଵାଗତ କରୁଛନ୍ତି। ପୁଷ୍ପଟି କହିଲା, “ସେ ତାଙ୍କ ଠାରୁ କେତେ ଦୂରରେ ଅଛନ୍ତି?” ରାଜାକୁମାର କହିଲେ ପ୍ରାୟ ୯ କୋଟି ମାଇଲ।”

ପୁଷ୍ପ ପୁଣି ପଚାରିଲା, “ତୁମେ ମୋଠୁ କେତେ ଦୂରରେ ଅଛ?” ରାଜକୁମାର କହିଲେ, “ଏଇ ପନ୍ଦର କୋଡିଏ ହାତ।” ପୁଷ୍ପଟି କହିଲା, “ପକ୍ଷୀମାନେ ଏତେ ଦୂରରେ ଥାଇ ସଚ୍ଚା ଆନନ୍ଦ ଉପଭୋଗ କରୁଛନ୍ତି। ତୁମେ ନିକଟରେ ଥାଇ ଏତେ ବ୍ୟଗ୍ର କାହିଁକି ହେଉଛ?” ରାଜକୁମାର ଲଜ୍ଜିତ ହୋଇ କହିଲେ, “ମୁଁ ତୁମକୁ ହୃଦୟରେ ଲଗାଇବା ପାଇଁ ଚାହେଁ।” ପୁଷ୍ପ କହିଲା, “ପ୍ରକୃତରେ ତୁମେ ମୋତେ ପ୍ରେମ କରୁଛ?” ରାଜକୁମାର କହିଲେ, “ମୁଁ ଆଗରୁ କହିସାରିଛି।” ପୁଷ୍ପଟି କହିଲା, “ପ୍ରେମରେ ବ୍ୟବଧାନ ନଥାଏ।” ରାଜକୁମାର ଅସନ୍ତୋଷ ପ୍ରକାଶ କରି କହିଲେ, “ତୁମର କଳେବର କେବଳ କୋମଳ ଅଟେ, କିନ୍ତୁ ହୃଦୟ ଅତ୍ୟନ୍ତ କଠୋର।”

ପୁଷ୍ପ ସ୍ନେହପୂର୍ଣ୍ଣ ଦୃଷ୍ଟିରେ ରାଜକୁମାରଙ୍କ ଆଡକୁ ଅନାଇ କହିଲା, “ବହୁତ ଦୂରରେ ଥିବା ମରୀଚିମାଳି ଭୁବନ ଭାସ୍କରଙ୍କୁ ରାତ୍ରୀକାଳୀନ ଦୁଃଖରେ ସଙ୍କୁଚିତ ହୋଇଥିବା କମଳ ଦୁଃଖ ଜଣାଇବାକୁ ତାଙ୍କ ନିକଟକୁ ଯାଏ ନାହିଁ। ବିନା କୁହାରେ କମଳ ବନ୍ଧୁ ଦିବାକର ତା’ ଦୁଃଖ ଦୂର କରି ପ୍ରଭାତରେ ବିକଶିତ କରିଦିଅନ୍ତି।

କୁମୁଦୁନିର ଅବଗୁଣ୍ଠିତ କଳିକାକୁ କଳାନାଥ ଶଶଧର ସ୍ଵୟଂ ପ୍ରସ୍ଫୁଟିତ କରିଦିଅନ୍ତି। ବିନା ଯାଚନାରେ ମେଘ ନିଜର ସଂପୂର୍ଣ୍ଣ ଜଳକୁ ପ୍ରାଣୀମାନଙ୍କର କଲ୍ୟାଣାର୍ଥେ ବର୍ଷା ରୂପରେ ଅଜାଡି ଦିଅନ୍ତି। ଏଥିରେ ଦୂରତା ତ ବାଧା ଦିଏ ନାହିଁ। ତୁମ ଠାରେ ଭୋଗ ଲିପ୍ସା ନିହିତ ଅଛି। ତାହାହିଁ ହେଉଛି, ତୁମ ଅଧଃ ପତନର କାରଣ।”

ରାଜକୁମାର ଶୀତଳ ଶ୍ଵାସ ନେଇ ପ୍ରସ୍ଥାନ କଲେ।

ପ୍ରେମରେ ଭୋଗ ନୁହେଁ ତ୍ୟାଗ ହେଉଛି ମୁଖ୍ୟ।

ଉପେନ୍ଦ୍ର ବଳିୟାରସିଂହ (ଭଗବତ ଚିନ୍ତକ), ବୋରିଗାଁ, ବାଣପୁର, ଖୋର୍ଦ୍ଧା। 

ଯୋଗାଯୋଗ ସଂଖ୍ୟା- ୯୩୩ ୭୨୫୮ ୩୯୮

Categories
ଆଜିର ଖବର ରାଜ୍ୟ ଖବର ସିନେମା

ଭିନ୍ନସ୍ବାଦର ଏକ ପ୍ରେମ କାହାଣୀ ନେଇ ଆସୁଛି ନୂଆ ଓଡ଼ିଆ ସିନେମା ‘ତିତଲି’

ଭୁବନେଶ୍ଵର: ଭିନ୍ନ ସ୍ବାଦର ପ୍ରେମ କାହାଣୀ ସହ ମୌଳିକ ଓଡ଼ିଆ କାହାଣୀ ନେଇ ଆସୁଛି ନୂଆ ଓଡ଼ିଆ ସିନେମା ‘ତିତଲି’। ଅଞ୍ଜନେୟ ମିଡିଆ ପ୍ରାଇଭେଟ ଲିମିଟେଡ ପ୍ରଡକ୍ସନର ଏହା ପଞ୍ଚମ ଅବଦାନ ହୋଇଥିବା ବେଳେ ସିନେମାର ଗୀତ ଗୁଡିକ ବେଶ ମନଛୁଆଁ ହୋଇଛି। ପୂର୍ବରୁ ଏହି ପ୍ରଡକ୍ସନ ବ୍ୟାନରରେ ନିର୍ମିତ ବ୍ୟାଡଗାର୍ଲ, ଧର୍ମ, ଭୈରବ, ଦେବଦାସ ଭଳି ସିନେମା ଦର୍ଶକଙ୍କ ମନକୁ ଛୁଇଁଥିବା ବେଳେ ‘ତିତଲି’ ମଧ୍ୟ ଦମଦାର ହେବ ବୋଲି ପ୍ରଯୋଜନା ସଂସ୍ଥା ଆଶା ରଖିଛି।

ପ୍ରଭାତ କୁମାର ପ୍ରଧାନ ଓ ଶିଶିର ଚନ୍ଦ୍ର ଦାସଙ୍କପ୍ରଯୋଜିତ ଏହି ସିନେମାରେ ନିର୍ଦ୍ଦେଶନା ଦେଇଛନ୍ତି। ଏସ କେ ମୁରଲୀଧରନ ଏବଂ ଦେବିଦତ୍ତ ମହାନ୍ତି ‘ତିତଲି’ର କାହାଣୀ ଲେଖିଛନ୍ତି। ଦିବ୍ୟା, ତୁଷାର, ମିହିର ଦାସ, ପ୍ରତିଭା ପଣ୍ଡା, ପ୍ରୀତିରାଜ, ହାଡୁ, ଜୀବନ ପଣ୍ଡା ପ୍ରମୁଖ ଏହି ସିନେମାରେ ନଜର ଆସିଛନ୍ତି।

ପ୍ରେମ୍ ଆନନ୍ଦଙ୍କ ସଂଗୀତ ନିର୍ଦ୍ଦେଶନାରେ ‘ତିତଲି’ରେ ରହିଛି ମୋଟ ୫ଟି ଗୀତ। ଯେଉଁଥିରେ ଦିସ୍ତୀରେଖା, ସବିଶେଷ, ଅନନ୍ୟା, ଗୌରବ, ଆଶୁତୋଷ, ପ୍ରଜ୍ଞା ଏବଂ ସମୀକ୍ଷା ପ୍ରମୁଖ କଣ୍ଠଦାନ କରିଛନ୍ତି।

ବସନ୍ତରାଜ ସାମଲଙ୍କ ରଚିତ ଗୀତ ଗୁଡିକ ବେଶଚିତାକର୍ଷକ ହୋଇଛି। ବସନ୍ତରାଜ-ପ୍ରେମ୍ ଆନନ୍ଦ୍ ଯୋଡିରେ ପ୍ରସ୍ତୁତ ଗୀତଗୁଡିକ ସିନେମାକୁ ଆହୁରି ହୃଦୟଛୁଆଁ କରିଛି।