Categories
ଆଜିର ଖବର ଆଞ୍ଚଳିକ ରାଜ୍ୟ ଖବର

ମଣିଜଙ୍ଗା ଏମ୍.ସି.ଆଇ.ଆଇ ବିଭାଗର ମହାଦୁର୍ନୀତି: ଜିଲ୍ଲାପାଳ ଓ ଫାଇବ୍ ଟିର ଦ୍ୱାରସ୍ଥ ହେଲେ ଗ୍ରାମବାସୀ

ରମେଶ ମହାନ୍ତି
ଜଗତସିଂହପୁର: ଗ୍ରାମାଞ୍ଚଳରେ ଚାଷକାର୍ଯ୍ୟର ଉନ୍ନତି ପାଇଁ ଜଳସେଚନର ସୁବିଧା ନିମନ୍ତେ ସରକାରଙ୍କ ପକ୍ଷରୁ ବିପୁଳ ପରିମାଣର ଅର୍ଥ ବ୍ୟୟ କରାଯାଉଛି। ହେଲେ କିଛି ଅସାଧୁ ଯନ୍ତ୍ରୀ ଓ ଠିକାଦାର ମଧୁଚନ୍ଦ୍ରିକାରେ କୋଟି କୋଟି ଟଙ୍କାର ଅର୍ଥ ଚଳୁ କରାଯାଉଥିବା ବେଳେ ବିକାଶ କେବଳ କାଗଜପତ୍ରରେ ଚାଲିଛି ବୋଲି କୁହାଯାଉଛି। ଏମିତି ଏକ ଘଟଣା ଦେଖିବାକୁ ମିଳିଛି ତିର୍ତ୍ତୋଲ ବ୍ଳକ ଅଞ୍ଚଳରେ।

ମଣିଜଙ୍ଗା ମହାନଦୀ ଚିତ୍ରୋତ୍ପଳା ଆଇଲାଣ୍ଡ ଇରିକେସନ (ଏମ୍.ସି.ଆଇ.ଆଇ) ବିଭାଗର ମଣିଜଙ୍ଗା ସ୍ଥିତ କାର୍ଯ୍ୟାଳୟ ଅଧିନରେ ଚାଲୁଥିବା କୋଟି କୋଟି ଟଙ୍କାର କାର୍ଯ୍ୟରେ ମହାଦୁର୍ନୀତି ହୋଇଥିବା ଅଭିଯୋଗ ହୋଇଛି। ସମ୍ପୃକ୍ତ ପ୍ରଭାବଶାଳୀ ଠିକାଦାର ଜଣକ କିଛି ଅସାଧୁ ବିଭାଗୀୟ ଉଚ୍ଚପଦସ୍ଥ ଅଧିକାରୀଙ୍କୁ କରାୟତ କରି କୋଟି କୋଟି ଟଙ୍କାର ଅର୍ଥକୁ ଆତ୍ମସାତ୍ କରିବାକୁ ଯୋରଦାର ଉଦ୍ୟମ ଚଲାଇଥିବା କୁହାଯାଉଥିବା ବେଳେ ଏନେଇ ସ୍ଥାନୀୟ ଗ୍ରାମବାସୀ ମାନଙ୍କ ପକ୍ଷରୁ ଜଗତସିଂହପୁର ଜିଲ୍ଲାପାଳ ଓ ଫାଇବ୍ ଟି କୁ ଅଭିଯୋଗ କରାଯାଇଛି।

ଏମିତିକି ଉକ୍ତ କାର୍ଯ୍ୟ ସମ୍ପର୍କରେ ପ୍ରଶାସନକୁ ଲିଖିତ ଅଭିଯୋଗ କରିଥିବା ସ୍ଥାନୀୟ ବାସିନ୍ଦାଙ୍କୁ ସଂପୃକ୍ତ ଠିକାଦାର କିଛି ପ୍ରଭାବଶାଳୀ ବ୍ୟକ୍ତିଙ୍କ ମାଧ୍ୟମରେ ଧମକ ଚମକ ଦେଉଥିବା ଚର୍ଚ୍ଚା ହେଉଛି। ଆଗାମୀ ଦିନରେ ଦେଖିବାକୁ ବାକି ରହିଲା ସ୍ଥାନୀୟ ବାସିନ୍ଦାଙ୍କ ପକ୍ଷରୁ କରାଯାଇଥିବା ଏହି ଅଭିଯୋଗର ନିରପେକ୍ଷ ତଦନ୍ତ କରାଯିବ ନା ପ୍ରଭାବଶାଳୀ ଠିକାଦାରର ଚାପରେ ଅଭିଯୋଗକୁ ଫାଇଲ୍ ତଳେ ଚାପି ଦିଆଯିବ ବୋଲି ବୁଦ୍ଧିଜୀବୀ ମହଲରେ ଚର୍ଚ୍ଚା ହେଉଛି।

ସୂଚନାନୁଯାୟୀ ଜଗତସିଂହପୁର ଜିଲ୍ଲା ତିର୍ତ୍ତୋଲ ବ୍ଳକ ଅନ୍ତର୍ଗତ ଆମ୍ବେରୀ ପଞ୍ଚାୟତ ଠାରୁ ସାମନ୍ତରାପୁର ପଞ୍ଚାୟତ ସ୍ଥିତ ବିଳାସପୁର ଛକଦେଇ ଯାଇଥିବା ୧୦.ଡି ମାଇନର କେନାଲ କାର୍ଯ୍ୟ କରୁଥିବା ଠିକାଦାର ଯେନତେନ ପ୍ରକାରେ ଅତ୍ୟନ୍ତ ନିମ୍ନମାନର କାର୍ଯ୍ୟ କରି ଚମ୍ପଟ୍ ମାରିଥିବା ଅଭିଯୋଗ ହୋଇଛି। ଏହି କେନାଲ କାର୍ଯ୍ୟ ନିମନ୍ତେ ୩କୋଟିରୁ ଉର୍ଦ୍ଧ ଅର୍ଥ ବ୍ୟୟ ବରାଦ ହୋଇଥିବା କୁହାଯାଉଥିବା ବେଳେ ବିଭାଗୀୟ ଏମ୍.ସି.ଆଇ ଯନ୍ତ୍ରୀଙ୍କ ଠିକାଦାର ପ୍ରୀତି ଯୋଗୁଁ ସମ୍ପୃକ୍ତ ଠିକାଦାର ଉକ୍ତ କୋଟି କୋଟି ଟଙ୍କାର ଅର୍ଥ ହଡ଼ପ କରିବାକୁ ଯୋରଦାର ଭିତିରି ଉଦ୍ୟମ ଚଲାଇଛି ବୋଲି କୁହାଯାଉଛି।

ଏମିତିକି ସୂଚନା ଅଧିକାର ଆଇନ ବଳରେ ଏହି କାର୍ଯ୍ୟ ସମ୍ବନ୍ଧୀୟ ତଥ୍ୟ ମଗାଯିବାର ଦୀର୍ଘ ୪ମାସ ବିତିଯାଇଥିଲେ ମଧ୍ୟ ବିଭାଗୀୟ ଅଧିକାରୀ ମାନେ ତଥ୍ୟ ଦେଉନାହାଁନ୍ତି କାହିଁକି ? ସମ୍ପୃକ୍ତ ଠିକାଦାରକୁ ବିଭାଗୀୟ ଅଧିକାରୀମାନେ ଘଣ୍ଟ ଘୋଡାଇବାକୁ ଚେଷ୍ଟା କରୁନାହାଁନ୍ତି ତ, ଏନେଇ ସାଧାରଣରେ ପ୍ରଶ୍ନବାଚୀ ସୃଷ୍ଟି ହୋଇଛି। ବିଭାଗୀୟ ଅଧିକାରୀଙ୍କ ସହ ଠିକାଦାରର କିଭଳି ମଧୁଚନ୍ଦ୍ରିକା ଏଥିରୁ ସ୍ପଷ୍ଟ ବାରି ହୋଇପଡୁଛି ବୋଲି କୁହାଯାଉଛି। କିଛି ଅସାଧୁ ବିଭାଗୀୟ ଅଧିକାରୀଙ୍କ ଏଭଳି ଠିକାଦାର ପ୍ରୀତି ଯୋଗୁଁ ସରକାରଙ୍କ ପକ୍ଷରୁ ଗ୍ରାମାଞ୍ଚଳର ଉନ୍ନତିକରଣ ନିମନ୍ତେ ଆସୁଥିବା କୋଟି କୋଟି ଟଙ୍କାର ଅର୍ଥ ସଠିକ୍ କାର୍ଯ୍ୟରେ ଲାଗିବା ପରିବର୍ତ୍ତେ ଠିକାଦାର ଚଳୁ କରିଦେଉଛି ବୋଲି ସ୍ଥାନୀୟ ବୁଦ୍ଧିଜୀବୀ ମହଲରେ ଚର୍ଚ୍ଚାର ବିଷୟ ପାଲଟିଛି।

ଅନ୍ୟପକ୍ଷରେ ସୂଚନାନୁଯାୟୀ ନିକଟସ୍ଥ ଚାଷୀଙ୍କ ସୁବିଧା ପାଇଁ ଚାଷଜମି ଗୁଡିକୁ ପାଣି ଯୋଗାଇବା ନିମନ୍ତେ ନିର୍ମାଣ କରାଯାଉଥିବା ଉକ୍ତ କେନାଲଟି କେତେକ ଚାଷୀଙ୍କ ବ୍ୟକ୍ତିଗତ ଚାଷଜମି ଭିତରକୁ ମାଡି କରାଯାଇଥିବା ଅଭିଯୋଗ ହେଉଛି। ସୂଚନାନୁଯାୟୀ ଉକ୍ତ କେନାଲ ନିର୍ମାଣ ନିମନ୍ତେ କରାଯାଇଥିବା ଲ୍ୟାଣ୍ଡମାର୍କକୁ ନେଇ ପ୍ରଶ୍ନବାଚୀ ସୃଷ୍ଟି ହୋଇଛି। କେନାଲ ନିର୍ମାଣ ନିମନ୍ତେ କରାଯାଇଥିବା ମାପ ପୂର୍ବରୁ କେତେକ ଚାଷୀଙ୍କୁ ସେଠାରେ ଉପସ୍ଥିତ ରହିବା ପାଇଁ ନୋଟିସ୍ କରାଯାଇ ନଥିବା ବେଳେ ଉକ୍ତ ଚାଷୀ ମାନଙ୍କର ବ୍ୟକ୍ତିଗତ ଜମିକୁ ଜବରଦଖଲ କରି ଉକ୍ତ କେନାଲ୍ ନିର୍ମାଣ ହୋଇଛି ବୋଲି ଅଭିଯୋଗ ହେଉଛି।

ଏଥିସହିତ ସାମନ୍ତରାପୁର ପଞ୍ଚାୟତର କେତେକ ସ୍ଥାନରେ ଅନାବାଦି ଓ ଗ୍ରାମ୍ୟ ସଂରକ୍ଷିତ ଗୋଜର ଯାଗା ଉପରକୁ ମାଡି ଉକ୍ତ କେନାଲଟି ନିର୍ମାଣ କରାଯାଇଛି ବୋଲି ସ୍ଥାନୀୟ ଅଞ୍ଚଳରୁ ଏପରି ଅଭିଯୋଗ ଶୁଣିବାକୁ ମିଳୁଛି। ଉକ୍ତ କେନାଲ କାର୍ଯ୍ୟର ନିରପେକ୍ଷ ତଦନ୍ତ କରାଯିବା ନିମନ୍ତେ ସ୍ଥାନୀୟ ବାସିନ୍ଦାଙ୍କ ପକ୍ଷରୁ ମୋ ସରକାର (ଫାଇବ୍ ଟି) ଓ ଜଗତସିଂହପୁର ଜିଲ୍ଲାପାଳଙ୍କୁ ଲିଖିତ ଅଭିଯୋଗ କରାଯାଇଛି।

Categories
ଆଜିର ଖବର ଆଞ୍ଚଳିକ ରାଜ୍ୟ ଖବର

ଜଗତସିଂହପୁର ଜିଲ୍ଲାରେ ‘ଫାଇବ୍ ଟି’ କୁ ଉପହାସ କରୁଛନ୍ତି ବ୍ଲକ୍ ପ୍ରଶାସନ, ସରୁନି ପଞ୍ଚାୟତସ୍ତରୀୟ କ୍ୟାସବୁକ୍ ଲେଖା

ରମେଶ ମହାନ୍ତି

ଜଗତସିଂହପୁର: ବିଗତ ଦିନରେ କ୍ୟାସ୍‌ବୁକ୍‌ ଅଡିଟ୍‌ ଯୋଗୁଁ ଜଗତସିଂହପୁର ବ୍ଲକରେ ହୋଇଥିବା ୨୦ ଲକ୍ଷ ଟଙ୍କାର ହେରଫେର ଲୋକଲୋଚନକୁ ଆସିପାରିଥିଲା, ତଥାପି ଏପରି ଏକ ଗୁରୁତ୍ବପୂର୍ଣ୍ଣ କାର୍ଯ୍ୟକୁ ଜଗତସିଂହପୁର ଜିଲ୍ଲାର ବ୍ଲକ ଅଧିକାରୀମାନେ ପୁନଶ୍ଚ ଏହି କାର୍ଯ୍ୟକୁ ବିଳମ୍ବ କରିବାକୁ ନେଇ ପ୍ରଶ୍ନବାଚୀ ସୃଷ୍ଟି ହୋଇଛି।

ସୂଚନାନୁଯାୟୀ ଭାରତ ସରକାରଙ୍କର ଇ ଗ୍ରାମ ସ୍ୱରାଜ ଅନଲାଇନ୍ ପୋର୍ଟାଲ ତଥ୍ୟରୁ ଜାଣିବାକୁ ମିଳିଛି ଯେ ଜଗତସିଂହପୁର ଜିଲ୍ଲାରେ ଥିବା ୧୯୮ଟି ଗ୍ରାମପଞ୍ଚାୟତ ମଧ୍ୟରୁ ପ୍ରାୟ ୧୮୦ଟି ଗ୍ରାମପଞ୍ଚାୟତରେ କେବଳ ୨୦୧୯-୨୦ ଆର୍ଥିକ ବର୍ଷର କ୍ୟାସ୍ ବୁକ୍ ଲେଖା ସମ୍ପୂର୍ଣ୍ଣ ହୋଇଥିବା ବେଳେ ଜଗତସିଂହପୁର ଜିଲ୍ଲାରେ ଥିବା ୮ଟି ବ୍ଲକରେ ଏପର୍ଯ୍ୟନ୍ତ ଲେଖା ସରିନଥିବା ଜଣାପଡିଛି। କୁଜଙ୍ଗ, ରଘୁନାଥପୁର ଓ ଏରସମା ବ୍ଲକକୁ ଛାଡିଦେଲେ ଅନ୍ୟ ବ୍ଲକରେ ଏହି କ୍ୟାସବୁକ୍ ଲେଖା ଅତି ମନ୍ଥର ଗତିରେ ଚାଲୁଥିବା ଜଣାପଡିଛି।

ଏଠି ପ୍ରଶ୍ନ ଉଠୁଛି ଭୟଙ୍କର କରୋନା ଯୁଦ୍ଧରେ ଆଗ ଧାଡିରେ ଥିବା ପଞ୍ଚାୟତ ଅଧିକାରୀମାନେ ଯଦି ୯୦ ପ୍ରତିଶତ କ୍ୟାସବୁକ୍ ଲେଖା ସମ୍ପୂର୍ଣ୍ଣ କରିପାରିଲେ ତାହାଲେ ବ୍ଲକ୍ ପ୍ରଶାସନ ଏଥିରେ ପଛରେ ପଡିଗଲେ କିପରି ? ବିଗତ ବର୍ଷରେ ଜିଲ୍ଲାରେ କାମ କରୁଥିବା ୫୦ ପ୍ରତିଶତ ବ୍ଲକ୍ ଅଧିକାରୀ ଏବେ ଅନ୍ୟ ଜିଲ୍ଲାକୁ ବଦଳି ହୋଇଯାଇଥିବା ବେଳେ ଏପରି ସ୍ଥଳେ ବାକିଥିବା କ୍ୟାସବୁକ୍ ଲେଖା ସମ୍ପୂର୍ଣ୍ଣ ହେବାକୁ ଆଉ କେତେଦିନ ଲାଗିବ ତାହା ଏବେ ପ୍ରଶ୍ନବାଚୀ ହୋଇଉଠିଛି।ଓଡିଶା ସରକାରଙ୍କ ପଞ୍ଚାୟତିରାଜ ଆକାଉଣ୍ଟିଙ୍ଗ୍ ରୁଲ୍ ୨୦୦୨ ଅନୁଯାୟୀ କ୍ୟାସବୁକ୍ ଦୈନଦିନ ଧାରାରେ ସମ୍ପୂର୍ଣ୍ଣ ହେବାକଥା କିନ୍ତୁ ଜଗତସିଂହପୁର ଜିଲ୍ଲାରେ ଏହାର ସମ୍ପୁର୍ଣ୍ଣ ଉଲଂଘନ ହେଉଥିବା ଜଣାପଡିଛି। ଗୋଟିଏ ପଟେ ଜିଲ୍ଲାପାଳ ଇ ଅଫିସ୍ ମାଧ୍ୟମରେ ସରକାରୀ ସେବାକୁ ସ୍ୱଚ୍ଛ ଓ ଲୋକାଭିମୁଖୀ କରିବାକୁ ଅନବରତ ଚେଷ୍ଟିତ ଥିବା ବେଳେ ଅନ୍ୟପକ୍ଷରେ ତାଙ୍କ ଅଧିନରେ ଥିବା ବ୍ଲକ୍ ଅଧିକାରୀମାନେ ସେତିକି ପରିମାଣର ତତ୍ପରତା ଦେଖାଉ ନଥିବା ଜଣାପଡିଛି।ରାଜ୍ୟ ସରକାରଙ୍କ ଫାଇବ୍ ଟି ଯୋଜନାର ସମୟାନୂବର୍ତ୍ତିତା , ସହଯୋଗିତା ଭାବନାକୁ ସତେ ଯେମିତି ବ୍ଲକ୍ ପ୍ରଶାସନ ଅଧିକାରୀମାନେ ଉପହାସ କରୁଛନ୍ତି।

ଏହି କ୍ୟାସବୁକ୍ ଲେଖା ବାବଦରେ ଚଳିତ ବର୍ଷ ବିରିଡ଼ି ବ୍ଲକର ବିଡିଓ କମ୍ପ୍ୟୁଟର ପ୍ରୋଗ୍ରାମର ଉପରେ ଭୀଷଣ ବିରକ୍ତ ହୋଇଥିବା ଶୁଣିବାକୁ ମିଳିଥିଲା। ନବରଙ୍ଗପୁର, ମାଲକାନଗିରି ପରି ପଛୁଆ ଜିଲ୍ଲା ମାନଙ୍କରେ ପାଖାପାଖି ୫୦ ପ୍ରତିଶତରୁ ଉର୍ଦ୍ଧ୍ଵ ବ୍ଲକରେ ଯଦି ୨୦୧୯-୨୦ ବର୍ଷର କ୍ୟାସବୁକ୍ କାମ ସମ୍ପୂର୍ଣ୍ଣ ହୋଇପାରୁଛି ତାହାଲେ ଜଗତସିଂହପୁର ଜିଲ୍ଲାର ବ୍ଲକ୍ ଅଧିକାରୀମାନେ ଏତେ ପଛରେ ପଡିଯିବାର ରହସ୍ୟ କ’ଣ ହୋଇପାରେ ଏନେଇ ପ୍ରଶ୍ନବାଚୀ ସୃଷ୍ଟି ହୋଇଛି।ଏମିତିକି ବ୍ଲକ୍ ପ୍ରଶାସନମାନେ କିଛି ରହସ୍ୟକୁ ଘଣ୍ଟଘୋଡାଇବାକୁ ଚେଷ୍ଟା କରୁନାହାନ୍ତି ତ ,ଏହିପରି ବିଭିନ୍ନ କଥା ବୁଦ୍ଧିଜୀବୀ ମହଲରେ ଆଲୋଚନା ହେଉଥିବା ଶୁଣିବାକୁ ମିଳୁଛି। ସୂଚନାନୁଯାୟୀ ଯେତେବେଳେ ଉପର ମହଲରୁ ଚାପ ଆସିବ ସେତେବେଳେ ତରବରିଆ ଭାବରେ ଏହି କ୍ୟାସବୁକ୍ କାର୍ଯ୍ୟକୁ ଏଭଳି ଭାବରେ ବନ୍ଦକରି ଦିଆଯିବ ଯେ ପୁଣି ଜଗତସିଂହପୁର ବ୍ଲକ ପରି ଆର୍ଥିକ ଅନିୟମିତତା ପରିସ୍ଥିତି ସୃଷ୍ଟି ହେବାର ସମ୍ଭାବନାକୁ ଏଡାଇ ଦିଆଯାଇ ନପାରେ। ଏଥିପ୍ରତି ଜିଲ୍ଲାପାଳ ଦୃଷ୍ଟି ଦେବାକୁ ବୁଦ୍ଧିଜୀବୀ ମହଲରେ ଦାବୀ ହେଉଛି।