Categories
ଅନ୍ତରାଷ୍ଟ୍ରୀୟ ଆଜିର ଖବର ଖେଳ

ଆଗାମୀ ବିଶ୍ୱକପ ପାଇଁ ଯୋଜନା ବଦଳାଇଲା ଫିଫା, ବର୍ତ୍ତମାନ ହେବ ୧୨ ଟି ଗ୍ରୁପ, ଜାଣନ୍ତୁ ପୂର୍ଣ୍ଣ ଫର୍ମାଟ୍

ନୂଆଦିଲ୍ଲୀ: ଉତ୍ତର ଆମେରିକାରେ ଅନୁଷ୍ଠିତ ହେବାକୁ ଥିବା ଫିଫା ବିଶ୍ୱକପ ୨୦୨୬ ଯୋଜନାରେ ଏକ ବଡ଼ ପରିବର୍ତ୍ତନ ହୋଇଛି। ଆସନ୍ତା ବିଶ୍ୱକପ୍‌ରେ ୪-୪ ଟିମର ୧୨ ଟି ଗ୍ରୁପ ହେବ ବୋଲି ଫିଫା ମଙ୍ଗଳବାର ଦିନ ପ୍ରକାଶ କରିଛି। ପୂର୍ବରୁ ୩-୩ ଟିମର ୧୬ ଟି ଗ୍ରୁପ ଗଠନ କରିବାର ଯୋଜନା ଥିଲା। ଫିଫା ଏକ ବିବୃତ୍ତିରେ କହିଛି, ‘ନୂତନ ଫର୍ମାଟ୍ ନିଶ୍ଚିତ କରେ ଯେ ପ୍ରତ୍ୟେକ ଦଳ ବିଶ୍ୱକପ୍‌ରେ ଅତି କମରେ ତିନିଟି ମ୍ୟାଚ୍ ଖେଳିବାର ସୁଯୋଗ ପାଇବେ ଏବଂ ଏହି ମ୍ୟାଚ୍ ଗୁଡିକ ଯଥେଷ୍ଟ ବିରତି ସହିତ ଅଛି।

ଉଲ୍ଲେଖନୀୟ କଥା ହେଉଛି, ଫିଫା ବିଶ୍ୱକପ ୨୦୨୬ ରେ ପ୍ରଥମ ଥର ପାଇଁ ୪୮ ଟି ଦଳ ଅଂଶଗ୍ରହଣ କରିବେ। ବର୍ତ୍ତମାନ ପର୍ଯ୍ୟନ୍ତ କେବଳ ୩୨ ଟି ଦଳ କ୍ରୀଡ଼ା ଜଗତର ଏହି ବୃହତ ଟୁର୍ଣ୍ଣାମେଣ୍ଟରେ ଅଂଶଗ୍ରହଣ କରୁଥିଲେ, ଯାହାକୁ ୮ ଟି ଦଳରେ ବିଭକ୍ତ କରାଯାଇଥିଲା। ପ୍ରତ୍ୟେକ ଗ୍ରୁପରେ ଚାରୋଟି ଦଳ ରହିଥିଲେ ଏବଂ ଦଳର ଶ୍ରେଷ୍ଠ ଦୁଇ ଦଳ ନକ୍ ଆଉଟ୍ ପର୍ଯ୍ୟାୟକୁ ଉନ୍ନୀତ ହୋଇଥିଲେ।

ବର୍ତ୍ତମାନ ଫର୍ମାଟ୍ ଏହିପରି ହେବ:

ଆମେରିକା, କାନାଡା ଏବଂ ମେକ୍ସିକୋରେ ଅନୁଷ୍ଠିତ ହେବାକୁ ଥିବା ଏହି ବିଶ୍ୱକପ ପାଇଁ ଫିଫା ପ୍ରଥମେ ୩-୩ ଟିମ ଦଳ ଗଠନ କରିବାକୁ ନିଷ୍ପତ୍ତି ନେଇଥିଲା। ସେଥିମଧ୍ୟରୁ ପ୍ରତ୍ୟେକ ଗୋଷ୍ଠୀର ଦୁଇଟି ଦଳ ନକ୍ ଆଉଟ୍ ପର୍ଯ୍ୟାୟରେ ପହଞ୍ଚିବେ। ମଙ୍ଗଳବାର ରୁୱାଣ୍ଡାର ରାଜଧାନୀ କିଗାଲୀରେ ଅନୁଷ୍ଠିତ ବୈଠକ ପରେ ୪-୪ ଟିମକୁ ଗ୍ରୁପରେ ରଖାଯିବ ବୋଲି ନିଷ୍ପତ୍ତି ନିଆଯାଇଛି। ଏଭଳି ପରିସ୍ଥିତିରେ, ଟପ୍-୨ ଦଳ ସହିତ ଶ୍ରେଷ୍ଠ -୮, ତୃତୀୟ ସ୍ଥାନ ଦଳ ଶେଷ -୩୨ ରାଉଣ୍ଡରେ ପହଞ୍ଚିବେ, ଯେଉଁଠାରୁ ନକ୍ ଆଉଟ୍ ପର୍ଯ୍ୟାୟ ଆରମ୍ଭ ହେବ।

ନୂତନ ଫର୍ମାଟ୍ ଅନୁଯାୟୀ ବର୍ତ୍ତମାନ ଫିଫା ବିଶ୍ୱକପ୍‌ରେ ମୋଟ ୧୦୪ ଟି ମ୍ୟାଚ୍ ଖେଳାଯିବ। ଯେଉଁ ଦଳ ସେମିଫାଇନାଲ ଏବଂ ଫାଇନାଲରେ ପହଞ୍ଚିବେ, ସେମାନେ ୮-୮ ମ୍ୟାଚ୍ ଖେଳିବେ। ପ୍ରକାଶ ଯେ, ବର୍ତ୍ତମାନ ପର୍ଯ୍ୟନ୍ତ ଫିଫା ବିଶ୍ୱକପରେ ୬୪ ଟି ମ୍ୟାଚ୍ ଖେଳାଯାଇଥିଲା। ୧୯୯୮ ପରଠାରୁ ୩୨ ଟି ଦଳ ଏହି ଟୁର୍ଣ୍ଣାମେଣ୍ଟରେ ଭାଗ ନେଉଥିଲେ। ୧୯୯୮ ପୂର୍ବରୁ ୨୪ ଟି ଦଳ ଫିଫା ବିଶ୍ୱକପରେ ଅଂଶଗ୍ରହଣ କରୁଥିଲେ।

Categories
ଖେଳ ଜାତୀୟ ଖବର ବିଶେଷ ଖବର

‘ଫୁଟବଲ୍ ଫର୍ ସ୍କୁଲ’ ପାଇଁ ଏମଓୟୁ, ୨ କୋଟି ୫୦ ଲକ୍ଷ ସ୍କୁଲ ପିଲା ଏହି ଖେଳ ସହ ଯୋଡି ହେବେ

ମୁମ୍ବାଇ/ଭୁବନେଶ୍ୱର: ଦେଶରେ ‘ଫୁଟବଲ୍ ଫର୍ ସ୍କୁଲ’ କାର‌୍ୟ୍ୟକ୍ରମକୁ ଆରମ୍ଭ କରିବା ପାଇଁ ରବିବାର ମୁମ୍ବାଇର ଯଶୋବନ୍ତ ରାଓ ଚୌହ୍ୱାନ ଫୁଟବଲ୍ ଷ୍ଟାଡ଼ିୟମରେ ଶିକ୍ଷା ମନ୍ତ୍ରଣାଳୟ, ଫିଫା ଏବଂ ସର୍ବଭାରତୀୟ ଫୁଟବଲ୍ ସଂଘ(ଏଆଇଏଫଏଫ) ମଧ୍ୟରେ ଏକ ବୁଝାମଣା ପତ୍ର(ଏମଓୟୁ) ସ୍ୱାକ୍ଷରିତ ହୋଇଯାଇଛି । କେନ୍ଦ୍ର ଶିକ୍ଷା ଓ ଦକ୍ଷତା ବିକାଶ ମନ୍ତ୍ରୀ ଧର୍ମେନ୍ଦ୍ର ପ୍ରଧାନ, ଫିଫାର ସଭାପତି ଜିଆନି ଇନଫାନଟିନୋ ଏବଂ ଏଆଇଏଫଏଫର ସଭାପତି କଲ୍ୟାଣ ଚୌବେ ଏହି ଏମଓୟୁରେ ସ୍ୱାକ୍ଷର କରିଛନ୍ତି।

ଏହି ଅବସରରେ ଶ୍ରୀ ପ୍ରଧାନ କହିଛନ୍ତି ଯେ ଫୁଟବଲ ହେଉଛି ଏକ ଲୋକପ୍ରିୟ ଖେଳ। ମୁଁ ପିଲାବେଳେ ଫୁଟବଲ୍ ଖେଳୁଥିଲି। ଆଜି ଦେଶରେ ଫୁଟବଲକୁ ପ୍ରାଥମିକତା ଦିଆଯାଉଥିବା ବେଳେ ‘ଫୁଟବଲ୍ ଫର୍ ସ୍କୁଲ’ କାର‌୍ୟ୍ୟକ୍ରମ ମୋତେ ବ୍ୟକ୍ତିଗତ ଭାବେ ଆନନ୍ଦ ଦେଇଛି।

ଆଗାମୀ ୪ ବର୍ଷ ମଧ୍ୟରେରେ ଫିଫା ଓ ଏଆଇଏଫଏଫ ସହଯୋଗରେ ଦେଶର ୭୦୦ରୁ ଅଧିକ ଜିଲ୍ଲାରେ ଭାରତ ସରକାରଙ୍କ ଦ୍ୱାରା ପରିଚାଳିତ ସ୍କୁଲରେ ‘ଫୁଟବଲ ଫର୍ ସ୍କୁଲ’ କାର‌୍ୟ୍ୟକ୍ରମକୁ ଯୋଡାଯିବ। ଦେଶର ୨ କୋଟି ୫୦ ଲକ୍ଷ ସ୍କୁଲ ଛାତ୍ରଛାତ୍ରୀଙ୍କୁ ଫୁଟବଲ କ୍ରୀଡା ସହ ଯୋଡାଯିବାର ଯୋଜନା ରହିଛି।

ପିଲାଙ୍କୁ ଶାରୀରିକ ରୂପେ ସୁସ୍ଥ ରଖିବା ଜାତୀୟ ଶିକ୍ଷା ନୀତିର ଉଦ୍ଦେଶ୍ୟ ରହିଥିବା ବେଳେ ଶିକ୍ଷାକୁ ସର୍ବସ୍ପର୍ଶୀ କରିବା, ଛାତ୍ରଛାତ୍ରୀଙ୍କ ସାମଗ୍ରିକ ବିକାଶକୁ ସୁନିଶ୍ଚିତ କରିବା ପାଇଁ ଫୁଟବଲ କ୍ରୀଡାକୁ ସକାରାତ୍ମକ ମାଧ୍ୟମ ଭାବେ ବ୍ୟବହାର କରାଯାଉଛି। ଏହାବ୍ୟତିତ ଦେଶରେ ନୂଆ କ୍ରେଡିଟ ଫ୍ରେମଓ୍ୱାର୍କର ପ୍ରଣୟନ କରାଯାଉଛି।

ଆଗାମୀ ଦିନରେ କ୍ରୀଡ଼ାକୁ କ୍ରେଡିଟ ଫ୍ରେମଓ୍ୱାର୍କର ରୂପାନ୍ତରଣ କରାଯିବ। ଦେଶର ପ୍ରଥମେ ପାଠ ପଢୁ ନଥିବା ପିଲା ଅଧିକ ଖେଳଖେଳି କରନ୍ତି ବୋଲି ଧାରଣା ଥିଲା। ମାତ୍ର ଏହି ଧାରଣା ଏବେ ଦୂର ହେଉଛି। ଏବେ ମୋଦି ସରକାର ଖେଳକୁ ହିଁ ପାଠପଢାର ମାନ୍ୟତା ଦେଉଛନ୍ତି। ଆସନ୍ତା ଦିନ ମାନଙ୍କରେ ପିଲାଙ୍କ ପାଠ୍ୟ ପୁସ୍ତକରେ ଫୁଟବଲ ଭଳି ଶାରିରୀକ କ୍ରୀଡାକୁ ଗୁରୁତ୍ୱ ଦିଆଯିବ ବୋଲି ଶ୍ରୀ ପ୍ରଧାନ କହିଛନ୍ତି।

ଏହି କାର‌୍ୟ୍ୟକ୍ରମରେ କ୍ରୀଡା ରାଷ୍ଟ୍ର ମନ୍ତ୍ରୀ ନିଶିଥ ପରମାଣିକ, ମହାରାଷ୍ଟ୍ରର ସ୍କୁଲ ଶିକ୍ଷା ମନ୍ତ୍ରୀ ଦୀପକ କେସରକର, ଫୁଟବଲ ଫର୍ ସ୍କୁଲର ନିର୍ଦ୍ଦେଶିକା ଫତିମା ସିଦିବେ ଓ ଭାରତୀୟ ଫୁଟବଲ ଟିମର ଅଧିକାରୀମାନେ ପ୍ରମୁଖ ଉପସ୍ଥିତ ଥିଲେ।

Categories
ଆଜିର ଖବର ଖେଳ ରାଜ୍ୟ ଖବର

ଖୋର୍ଦ୍ଧା ଜିଲ୍ଳା ସ୍ତରୀୟ ଫିଫା ଫୁଟବଲ ଟୁର୍ଣ୍ଣାମେଣ୍ଟ ଉଦ୍‌ଘାଟିତ

ଖୋର୍ଦ୍ଧା: ଆନ୍ତଃଜାର୍ତୀୟ ଫୁଟବଲ ଫେଡ଼େରେସନ୍ ସଂଗଠନ (ଫିଫା) ଦ୍ୱାରା ଆୟୋଜିତ ଫିଫା ମହିଳା ଫୁଟବଲ ବିଶ୍ୱକପ୍ ଚଳିତ ବର୍ଷ ଭାରତରେ ଅନୁଷ୍ଠିତ ହେଉଥିବା ପରିପ୍ରେକ୍ଷୀରେ ଓଡ଼ିଶାର ୩୦ ଗୋଟି ଜିଲ୍ଳାରେ ବିଦ୍ୟାଳୟ ସ୍ତରୀୟ ୧୭ ବର୍ଷରୁ କମ୍ ବାଳକ ଓ ବାଳିକା ଫୁଟବଲ ଟୁର୍ଣ୍ଣାମେଣ୍ଟ ଆୟୋଜନ କରାଯାଇଛି। ଖୋର୍ଦ୍ଧା ଜିଲ୍ଳାରେ ଖୋର୍ଦ୍ଧା ଷ୍ଟାଡ଼ିୟମ୍‌ରେ ଆଜି ଫିଫା ଫୁଟବଲ ଟୁର୍ଣ୍ଣାମେଣ୍ଟ ଜିଲ୍ଲାପାଳ କେ. ସୁଦର୍ଶନ ଚକ୍ରବର୍ତ୍ତୀଙ୍କ ଦ୍ୱାରା ଉଦ୍‌ଘାଟିତ ହୋଇଯାଇଅଛି।

ଜିଲ୍ଳା ଶିକ୍ଷାଧିକାରୀ ବିଶ୍ୱନାଥ ତରାଇଙ୍କ ଅଧ୍ୟକ୍ଷତାରେ ଅନୁଷ୍ଠିତ ଏହି କାର୍ଯ୍ୟକ୍ରମରେ ସମ୍ମାନସ୍ପଦ ଅତିଥି ଭାବେ ଖୋର୍ଦ୍ଧାର ବିଧାୟକ ଜ୍ୟୋତିରୀନ୍ଦ୍ରନାଥ ମିତ୍ର, ବ୍ରହ୍ମପୁର ବିଶ୍ୱବିଦ୍ୟାଳୟର ପ୍ରାକ୍ତନ କୁଳପତି ପ୍ରଫେସର ଡ଼ଃ ନାରାୟଣ ରାଓ, ଅତିରିକ୍ତ ଜିଲ୍ଳା ଶିକ୍ଷାଧିକାରୀ ଡ଼ଃ ଅମୃତ ପ୍ରୀତିନନ୍ଦା, ସ୍ନିଗ୍ଧା ମିଶ୍ର, ଗୋଷ୍ଠୀ ଶିକ୍ଷାଧିକାରୀ ଡ଼ଃ ନିରଂଜନ ମହାନ୍ତି, ସନାତନ ଜାଲି, ନଳିନୀକାନ୍ତ ମହାନ୍ତି, ସଧ୍ୟାରାଣୀ ରାଉତ, ରଶ୍ମିବାଳା ପରିଡ଼ା ଯୋଗ ଦେଇ ଖେଳାଳୀମାନଙ୍କୁ ଉତ୍ସାହିତ କରିଥିଲେ। ବି.ଜେ.ବି ହାଇସ୍କୁଲର ପ୍ରଧାନ ଶିକ୍ଷକ ସେକ୍ ଗୋହର ଅଲ୍ଲୀ ଓ ଜିଲ୍ଳା ଶାରୀରିକ ଶିକ୍ଷା ନିରୀକ୍ଷକ ପଠାଣି ଆଗ୍ରାସିଂହ, ସହ ଗୋଷ୍ଠୀ ଶିକ୍ଷାଧିକାରୀ ଭରତ ଚନ୍ଦ୍ର ପ୍ରଧାନ କାର୍ଯ୍ୟକ୍ରମ ପରିଚାଳନା କରିଥିଲେ।

କାର୍ଯ୍ୟକ୍ରମ ଉଦ୍‌ଘାଟନପରେ ଫିପା ସଂଗଠନ ଦ୍ୱାରା ପ୍ରଦତ୍ତ ୧୩୮୦ ଗୋଟି ଫୁଟବଲ ଜିଲ୍ଳାପାଳ, ବିଧାୟକ ଓ ଜିଲ୍ଳା ଶିକ୍ଷାଧିକାରୀଙ୍କ ଦ୍ୱାରା ହାଇସ୍କୁଲ ସମୂହଙ୍କୁ ବଣ୍ଟନ କରାଯାଇଥିଲା। ଆଜିର ପ୍ରତିଯୋଗିତାରେ ଭୁବନେଶ୍ୱର ମହାନଗର ନିଗମର ଉଭୟ ବାଳକ ଓ ବାଳିକା ଦଳ ବାଣପୁର ବ୍ଲକର ବାଳକ ଓ ବାଳିକାଦଳଙ୍କୁ ପରାସ୍ତ କରି ବିଜୟୀ ହୋଇଥିଲେ। ସେହିପରି ଅପରାହ୍ନରେ ଅନୁଷ୍ଠିତ ହୋଇଥିବା ପ୍ରତିଯୋଗିତାରେ ଉଭୟ ଜଟଣୀର ବାଳକ ଓ ବାଳିକା ଦଳ ଚିଲିକା ବ୍ଲକର ଉଭୟ ବାଳକ ଓ ବାଳିକା ଦଳଙ୍କୁ ପରାସ୍ତ କରି ବିଜୟୀ ହୋଇଥିଲେ।

ଆସନ୍ତା କାଲି ଟାଙ୍ଗି ବ୍ଲକର ଉଭୟ ବାଳକ ଓ ବାଳିକା ଦଳ ବାଲିଅନ୍ତା ବ୍ଲକର ଉଭୟ ବାଳକ ଓ ବାଳିକା ଦଳଙ୍କୁ ସମ୍ମୁଖୀନ ହେବେ। ସେହିପରି ଅପରାହ୍ଣରେ ବାଲିପାଟଣା ବ୍ଲକର ଉଭୟ ବାଳକ ଓ ବାଳିକା ଦଳ ଖୋରଧା ବ୍ଲକର ବାଳକ ଓ ବାଳିକା ଦଳଙ୍କୁ ସମ୍ମୁଖୀନ ହେବେ।
ଆସନ୍ତା ତା ୧୬.୧୦.୨୦୨୨ ରିଖ ଦିନ ଟୁର୍ଣ୍ଣାମେଣ୍ଟର ଫାଇନାଲ ରାଉଣ୍ଡ ଅନୁଷ୍ଠିତ ହୋଇ ଉଭୟ ବାଳକ ଓ ବାଳିକା ବିଜୟୀ ଦଳଙ୍କୁ ଚମ୍ପିୟାନ୍ ସିଲ୍ ଓ ରନରସ୍ ଅପ୍ କପ୍ ପ୍ରଦାନ କରାଯିବ ।

Categories
ଅନ୍ତରାଷ୍ଟ୍ରୀୟ ଆଜିର ଖବର ଖେଳ ଜାତୀୟ ଖବର

ଭାରତରେ ଅନୁଷ୍ଠିତ ହେବ ୧୭ ବର୍ଷରୁ କମ୍‌ ମହିଳା ଫୁଟବଲ ବିଶ୍ୱକପ

ନୂଆଦିଲ୍ଲୀ: ଅନ୍ତର୍ଜାତୀୟ ଫୁଟବଲ ମହାସଂଘ (ଫିଫା)ର ୧୭ ବର୍ଷରୁ କମ୍‌ ମହିଳା ବିଶ୍ୱ କପ୍‌ ୨୦୨୨ ଭାରତରେ ଆୟୋଜିତ ହେବ। ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦୀଙ୍କ ଅଧ୍ୟକ୍ଷତାରେ ଅନୁଷ୍ଠିତ କେନ୍ଦ୍ର କ୍ୟାବିନେଟ ବୈଠକରେ ଏହି ପ୍ରତିଯୋଗିତା ଆୟୋଜନ ପାଇଁ ଗ୍ୟାରେଣ୍ଟିରେ ସ୍ୱାକ୍ଷର ପ୍ରସ୍ତାବକୁ ମଞ୍ଜୁରି ମିଳିଛି।

୧୭ ବର୍ଷରୁ କମ ମହିଳା ଫୁଟବଲ ବିଶ୍ୱ କପ ୧୧ରୁ ୩୦ ଅକ୍ଟୋବର ୨୦୨୨ରେ ଭାରତରେ ଅନୁଷ୍ଠିତ ହେବ। ଏହି ଦ୍ୱିବାର୍ଷିକ ଯୁବ ପ୍ରତିଯୋଗିତାର ସପ୍ତମ ସଂସ୍କରଣ ପ୍ରଥମ ଥର ପାଇଁ ଭାରତରେ ଆୟୋଜନ କରାଯାଉଛି। ଏହା ହେବ ଭାରତରେ ଆୟୋଜିତ ଫିଫାର ସର୍ବପ୍ରଥମ ମହିଳା ବିଶ୍ୱ ପ୍ରତିଯୋଗିତା। ଏଥିପୂର୍ବରୁ ୧୭ ବର୍ଷରୁ କମ ପୁରୁଷ ଫିଫା ବିଶ୍ୱକପ ୨୦୧୭ ମସିହାରେ ଭାରତରେ ଅନୁଷ୍ଠିତ ହୋଇଥିଲା। ଏହି ପରମ୍ପରାକୁ ଆଗେଇ ନେଇ ମହିଳା ଫୁଟବଲର ସମ୍ମାନଜନକ ପ୍ରତିଯୋଗିତା ବିଶ୍ୱ କପ ଆୟୋଜନ ପାଇଁ ଦେଶ ପ୍ରସ୍ତୁତ ହେଉଛି। ଏଥିରେ ବିଶ୍ୱର ଶ୍ରେଷ୍ଠ ମହିଳା ଫୁଟବଲ ପ୍ରତିଭାମାନେ ସେମାନଙ୍କର କୌଶଳ ପ୍ରଦର୍ଶନ କରି ଏହି ସମ୍ମାନଜନକ ଟ୍ରଫି ପାଇଁ ପରସ୍ପର ସହ ମୁକାବିଲା କରିବେ।

ଆର୍ଥିକ ବ୍ୟୟ:

ଖେଳପଡ଼ିଆ ରକ୍ଷଣାବେକ୍ଷଣ, ଷ୍ଟାଡିୟମ କ୍ଷମତା ବିକାଶ, ବିଦ୍ୟୁତ ସଂଯୋଗ ଓ କେବଲିଂ, ଷ୍ଟାଡିୟମ ଏବଂ ପ୍ରଶିକ୍ଷଣ କ୍ଷେତ୍ରର ବିକାଶ ଆଦି ପାଇଁ ସର୍ବଭାରତୀୟ ପୁଟବଲ ମହାସଂଘ (ଏଆଇଏଫଏଫ)କୁ ୧୦ କୋଟି ଟଙ୍କାର ଆର୍ଥିକ ସହାୟତା ଦିଆଯିବାକୁ ନିଷ୍ପତ୍ତି ହୋଇଛି। ଜାତୀୟ କ୍ରୀଡ଼ା ସଂଘମାନଙ୍କୁ ସହାୟତା ଯୋଜନା ପାଇଁ ଆବଣ୍ଟିତ ବଜେଟକୁ ଏହି ଅର୍ଥ ବରାଦ କରାଯାଇଛି।

ଯୋଜନାର ଉଦ୍ଦେଶ୍ୟ

  • ଭାରତରେ ଫିଫା ୧୭ ବର୍ଷରୁ କମ ମହିଳା ବିଶ୍ୱକପ ୨୦୨୨ ଆୟୋଜନ ହେବା ଦ୍ୱାରା ଦେଶରେ ମହିଳା ଫୁଟବଲ କ୍ଷେତ୍ରରେ ରହିଥିବା ସମ୍ଭାବନା ସୁଦୃଢ଼ ହେବ।
  • ଏଥିପୂର୍ବରୁ ୧୭ ବର୍ଷରୁ କମ ପୁରୁଷ ଫିଫା ବିଶ୍ୱକପ ୨୦୧୭ ମସିହାରେ ଭାରତରେ ଅନୁଷ୍ଠିତ ହୋଇଥିଲା। ଏହି ପରମ୍ପରାକୁ ଆଗେଇ ନେଇ ମହିଳା ଫୁଟବଲର ଏହି ସମ୍ମାନଜନକ ପ୍ରତିଯୋଗିତା ଆୟୋଜନ ପାଇଁ ଦେଶ ପ୍ରସ୍ତୁତ ହେଉଛି। ଏଥିରେ ବିଶ୍ୱର ଶ୍ରେଷ୍ଠ ମହିଳା ଫୁଟବଲ ପ୍ରତିଭାମାନେ ସେମାନଙ୍କର କୌଶଳ ପ୍ରଦର୍ଶନ କରି ଏହି ସମ୍ମାନଜନକ ଟ୍ରଫି ପାଇଁ ପରସ୍ପର ସହ ମୁକାବିଲା କରିବେ। ଭବିଷ୍ୟତ ପାଇଁ ଏକ ସକାରାତ୍ମକ ପରମ୍ପରା ଛାଡ଼ିଯିବା ଲାଗି ନିମ୍ନ ଲକ୍ଷ୍ୟଗୁଡ଼ିକ ନିର୍ଦ୍ଧାରଣ କରାଯାଇଛି:
  1. ଫୁଟବଲ ନେତୃତ୍ବ ଏବଂ ନୀତି ନିର୍ଦ୍ଧାରକ ସଂସ୍ଥାରେ ମହିଳାମାନଙ୍କର ପ୍ରତିନିଧିତ୍ବ ବୃଦ୍ଧି କରିବା
  2. ଭାରତରେ ଫୁଟବଲ ଖେଳିବା ଲାଗି ଅଧିକ ଝିଅମାନଙ୍କୁ ଅନୁପ୍ରାଣିତ କରିବା
  • ଯୁବାବସ୍ଥାରେ ସମାନ କ୍ରୀଡ଼ାର ଅବଧାରଣାକୁ ସ୍ୱାଭାବିକ କରି ଲିଙ୍ଗ ସମାବେଶୀ ଅଂଶଗ୍ରହଣକୁ ପ୍ରୋତ୍ସାହିତ କରିବା
  1. ଭାରତରେ ମହିଳାମାନଙ୍କ ପାଇଁ ଫୁଟବଲର ଗୁଣବତ୍ତାରେ ସୁଧାର ଆଣିବା ଲାଗି ସୁଯୋଗ ସୃଷ୍ଟି କରିବା
  2. ମହିଳାଙ୍କ କ୍ରୀଡ଼ାରେ ବାଣିଜ୍ୟିକ ମୂଲ୍ୟରେ ସୁଧାର ଆଣିବା।

ଔଚିତ୍ୟ:

ଫିଫା ୧୭ ବର୍ଷରୁ କମ୍‌ ମହିଳା ଫୁଟବଲ ବିଶ୍ୱକପ ଏକ ସମ୍ମାନଜନକ କ୍ରୀଡ଼ା ପ୍ରତିଯୋଗିତା ଏବଂ ଏହା ପ୍ରଥମ ଥର ପାଇଁ ଭାରତରେ ଆୟୋଜିତ ହେବାକୁ ଯାଉଛି। ଏହା କ୍ରୀଡ଼ା କ୍ଷେତ୍ରକୁ ଆସିବା ଲାଗି ଯୁବପିଢ଼ିଙ୍କୁ ଅଧିକ ଅନୁପ୍ରାଣିତ କରିବ ଏବଂ ଭାରତରେ ଫୁଟବଲ ଖେଳର ବିକାଶ ପାଇଁ ସହାୟକ ହେବ। ଏହି ପ୍ରତିଯୋଗିତା ଫୁଟବଲକୁ ଏକ କ୍ରୀଡ଼ା ଭାବେ ଗ୍ରହଣ କରିବା ଲାଗି ଭାରତୀୟ ବାଳିକାମାନଙ୍କୁ ଅନୁପ୍ରାଣିତ କରିବ। ଖାଲି ସେତିକି ନୁହେଁ, ଦୀର୍ଘସ୍ଥାୟୀ ଭିତ୍ତିରେ ଏହା ଦେଶର ଝିଅ ଓ ମହିଳାମାନଙ୍କୁ ଫୁଟବଲ ଏବଂ କ୍ରୀଡ଼ାକୁ ଆପଣାଇବା ପାଇଁ ପ୍ରୋତ୍ସାହିତ କରିବ।

ପୃଷ୍ଠଭୂମି:

୧୭ ବର୍ଷରୁ କମ ଫିଫା ମହିଳା ବିଶ୍ୱକପ ହେଉଛି ୧୭ ବର୍ଷରୁ କମ ଝିଅମାନଙ୍କ ପାଇଁ ଏକ ବିଶ୍ୱସ୍ତରୀୟ ଫୁଟବଲ ପ୍ରତିଯୋଗିତା, ଯାହାକି ଫିଫା ଦ୍ୱାରା ଆୟୋଜିତ ହୋଇଥାଏ। ଏହି ପ୍ରତିଯୋଗିତାର ଆୟୋଜନ ୨୦୦୮ରେ ଆରମ୍ଭ ହୋଇଥିଲା ଏବଂ ପାରମ୍ପରିକ ଭାବେ ପ୍ରତି ଯୁଗ୍ମ ସଂଖ୍ୟା ବିଶିଷ୍ଟ ବର୍ଷରେ ଏହା ଆୟୋଜିତ ହୋଇଥାଏ। ପ୍ରତିଯୋଗିତାର ଷଷ୍ଠ ସଂସ୍କରଣ ୧୩ ନଭେମ୍ବର ଠାରୁ ୧ ଡିସେମ୍ବର, ୨୦୧୮ ପର୍ଯ୍ୟନ୍ତ ଉରୁଗୁଏ ଠାରେ ଅନୁଷ୍ଠିତ ହୋଇଥିଲା। ଏହି ସଂସ୍କରଣରେ ସ୍ପେନ ଚାମ୍ପିଅନ ହୋଇଥିଲା। ଭାରତରେ ଆୟୋଜିତ ହେଉଥିବା ଫିଫା ୧୭ ବର୍ଷରୁ କମ ମହିଳା ବିଶ୍ୱ କପରେ ଭାରତ ସମେତ ମୋଟ ୧୬ଟି ଦଳ ଭାଗ ନେବେ। ଏଆଇଏଫଏଫ ତିନୋଟି ସ୍ଥାନରେ ପ୍ରତିଯୋଗିତାର ମ୍ୟାଚ୍‌ଗୁଡ଼ିକ ଆୟୋଜନ କରିବା ଲାଗି କାର୍ଯ୍ୟକ୍ରମ ପ୍ରସ୍ତୁତ କରିଛି। ଏହି ସ୍ଥାନଗୁଡ଼ିକ ହେଲା- ଭୁବନେଶ୍ୱର, ନଭୀ ମୁମ୍ବାଇ ଏବଂ ଗୋଆ। ଏଥିପୂର୍ବରୁ ୨୦୧୭ରେ ଭାରତ ୧୭ ବର୍ଷରୁ କମ ଫିଫା ପୁରୁଷ ଫୁଟବଲ ବିଶ୍ୱକପ-୨୦୧୭ ସଫଳତା ପୂର୍ବକ ଆୟୋଜନ କରିଥିଲା । ୬ରୁ ୨୮ ଅକ୍ଟୋବର, ୨୦୧୭ରେ ଏହି ପ୍ରତିଯୋଗିତା ଦେଶର ଛଅଟି ସ୍ଥାନ ଯଥା: ନୂଆଦିଲ୍ଲୀ, ଗୌହାଟୀ, ମୁମ୍ବାଇ, ଗୋଆ, କୋଚି ଏବଂ କୋଲକାତାରେ ଆୟୋଜନ କରାଯାଇଥିଲା।