Categories
ଅପରାଧ ଆଜିର ଖବର ରାଜ୍ୟ ଖବର

ଗୁଣିଗାରେଡ଼ି ସନ୍ଦେହରେ ଫୁଟିଲା ଗୁଳି: ଅଳ୍ପକେ ବର୍ତ୍ତିଲେ ପାଳକ

ମୋହନା: ଗଜପତି ଜିଲ୍ଲାର ମୋହନା ବ୍ଳକ ଅନ୍ତର୍ଗତ ଅଡବା ଥାନା ଅଞ୍ଚଳରେ ଗୁଣିଗାରେଡି ସନ୍ଦେହରେ ଗୁଳି ଫୁଟିଛି। ଅଳ୍ପକେ ମରଣ ମୁହଁରୁ ବଞ୍ଚିଯାଇଛନ୍ତି ପାଳକ( ପାଷ୍ଟର)। ଏଭଳି ଏକ ଘଟଣା ଘଟିଛି ଅଡ୍‌ବା ଥାନା ଅଞ୍ଚଳରେ।

ଜୁଡ଼ୁଙ୍ଗ ଗ୍ରାମର ପାଷ୍ଟର ଡମ୍ବରୁଧର ମାଝୀ(୩୩) ନିଜ ଗ୍ରାମରୁ ନିକଟସ୍ଥ କରଡାବାଡି ଚର୍ଚ୍ଚକୁ ପ୍ରାର୍ଥନା କରିବା ପାଇଁ ଯାଉଥିବାବେଳେ ଆଗରୁ ସାରୁମେରା ନିକଟରେ ଛପି ରହିଥିବା ୩ ଜଣ ଯୁବକ ତାଙ୍କ ଉପରକୁ ଗୁଳି ଫୁଟାଇଥିଲେ। କିନ୍ତୁ ଗୁଳି ତାଙ୍କୁ ନ ବାଜି ତାଙ୍କ ବାଇକରେ ବାଜିଥିଲା। ସେ ଗାତି ଛାଡ଼ି ପ୍ରାଣ ବିକଳରେ ଜୀବନ ବଞ୍ଚାଇବା ପାଇଁ ବୌଡ଼ିଥିଲେ। ଦୁଇ ଜଣ ତାଙ୍କୁ ଧରିବା ପାଇଁ ଚେଷ୍ଟା କରିଥିଲେ କିନ୍ତୁ ଧରି ନପାରି ତାଙ୍କ ମୁଣ୍ଡକୁ ପଥର ମାରିଥିଲେ। ସେ ଆହତ ହୋଇ ମଧ୍ୟ ବ୍ରାହ୍ମଣୀଗାଁ ସ୍ୱାସ୍ଥ୍ୟକେନ୍ଦ୍ରରେ ଚିକିତ୍ସା ପାଇଁ ଯାଇଥିଲେ।

ସେଠାରୁ ଫେରି ଅଡବା ଥାନାରେ ଲିଖିତ ଅଭିଯୋଗ କରିବାପରେ ଥାନା ଅଧିକାରୀ ଆନନ୍ଦ ଚନ୍ଦ୍ର ପାତ୍ର ଓ ପୁଲିସ ଦଳ ଘଟଣା ସ୍ଥଳରୁ ଯାଇ ସେଠାରୁ ୨ଟି ଗୁଳିର ଖୋକା, ବାଇକ ଜବତ କରିବା ସହ ମାମଲା ରୁଜ୍ଜୁ କରିଛି। ତମ୍ବୁରୁଙ୍କ ଅଭିଯୋଗ ପ୍ରକାରେ ସେ ଚର୍ଚ୍ଚକୁ ଯିବା ସମୟରେ ତାଙ୍କ ଗ୍ରାମର ପ୍ରମୋଦ ଆଲିସ, ସାଗର ମାଝୀ ଓ ତାଙ୍କ ସହ ଅନ୍ୟ ଦୁଇଜଣ ମିଶି ତାଙ୍କ ଉପରକୁ ଗୁଳି ଫୁଟାଇଥିଲେ।

ସୂଚନା ଥାଉ କି ଅଭିଯୁକ୍ତ ସାଗର ମାଝୀଙ୍କ ୯ ମାସର ପୁଅ ୨୦୨୦ ମସିହା ଅଗଷ୍ଟ ମାସ ୨୭ ତାରିଖରେ ଦେହ ଅସୁସ୍ଥ ହୋଇ ମରିଯାଇଥିଲେ। କିନ୍ତୁ ତମ୍ବରୁଧର ଓ ତାଙ୍କ ବାପା ଗୁଣିଗାରେଡ଼ି କରି ସାଗରର ପୁଅକୁ ମାରିଦେଇଥିବା ସନ୍ଦେହ କରି ସାଗର ମନରେ କ୍ରୋଧ ଜାତ ହୋଇଥିଲା। ଏ ବିଷୟକୁ ନେଇ ଗ୍ରାମସଭା ଅନୁଷ୍ଠିତ ହୋଇଥିଲା। ସଭାରେ ଭୋଜିଭାତ ଦେବା ପାଇଁ ଡ୍‌ମ୍ବରୁ ଘର ପରିବାରଙ୍କୁ କୁହାଯାଇଥିଲା। ପରେ ଗ୍ରାମବାରୀ ଏହାକୁ ବାରଣ କରିଥିଲେ।

ଗୁଣିଗାରେଡିକୁ ସନ୍ଦେହ କରି ତମ୍ବୁରୁକୁ ଜୀବନରେ ମାରିଦେବା ପାଇଁ ସାଗର ବନ୍ଧୁକ ଫୁଟାଇଥିଲେ। କିନ୍ତୁ ମରୁମରୁ ଅଳ୍ପକେ ବର୍ତ୍ତି ଗଲେ ପାଳକ ଡମ୍ବରୁ। ଅଭିଯୁକ୍ତମାନେ ସେଠାରୁ ଫେର।ର ହୋଇ ଯାଇଛନ୍ତି। ସେମାନଙ୍କୁ ଯଥାଶୀଘ୍ର ଗିରଫ କରାଯିବା ବୋଲି ଅଡବା ଆଇଆଇସି ଶ୍ରୀ ପାତ୍ର ସୂଚନା ଦେଇଛନ୍ତି।