Categories
ଅନ୍ତରାଷ୍ଟ୍ରୀୟ ଜାତୀୟ ଖବର ବିଶେଷ ଖବର ବ୍ୟବସାୟ

ଧକ୍କା ଖାଇଲା ଆମାଜନ୍, ଫ୍ୟୁଚର ଗ୍ରୁପକୁ କିଣିବ ରିଲାଏନ୍ସ, ୨୪ହଜାର ୭ ଶହ ୧୩ କୋଟିର କାରବାର

ମୁମ୍ବାଇ/ଭୁବନେଶ୍ବର, ଭାରତୀୟ ପ୍ରତିଭୂତି ଏବଂ ବିନିମୟ ବୋର୍ଡ ବା ସେବି, ଫ୍ୟୁଚର ଗ୍ରୁପ୍‌ର ବ୍ୟବସାୟିକ ସମ୍ପତ୍ତି ରିଲାଏନ୍ସକୁ ବିକ୍ରି ପ୍ରକ୍ରିୟାକୁ ଅନୁମୋଦନ ପ୍ରଦାନ କରିଛି । ଏହାଦ୍ୱାରା ଆମାଜନ୍‌କୁ ଶକ୍ତ ଧକ୍କା ଲାଗିଛି । ୨୪,୭୧୩ କୋଟି ଟଙ୍କାର ଏହି କାରବାରକୁ ସେବିର ମଞ୍ଜୁରି ମିଳିବା ଦ୍ୱାରା ରିଲାଏନ୍ସ ଓ ଫ୍ୟୁଚର ଗ୍ରୁପ୍‌କୁ ବଡ ଆଶ୍ୱସ୍ତି ମିଳିଛି ।

ଆମେରିକୀୟ ଇ-କମର୍ସ କମ୍ପାନୀ ଆମାଜନ୍ ରିଲାଏନ୍ସ-ଫ୍ୟୁଚର କାରବାରକୁ ଲଗାତର ବିରୋଧ କରିଆସୁଛି । ଏହି କାରବାର ବିରୋଧରେ ଆମାଜନ୍ ପକ୍ଷରୁ ସେବି, ଷ୍ଟକ ଏକ୍ସଚେଞ୍ଜ ଏବଂ ଅନ୍ୟ ନିୟାମକ ସଂସ୍ଥାକୁ ବାରମ୍ବାର ପତ୍ର ଲେଖାଯାଇଥିଲା । ଉକ୍ତ ପତ୍ରରେ ରିଲାଏନ୍ସ-ଫ୍ୟୁଚର କାରବାରକୁ ଅନୁମତି ପ୍ରଦାନ ନକରିବାକୁ ଆମାଜନ୍ ଅନୁରୋଧ କରିଥିଲା। ଆମାଜନ୍‌ର ଉକ୍ତ ଅନୁରୋଧକୁ ଅଣଦେଖା କରି ସେବି କିଛି ସର୍ତ୍ତ ସହିତ ଏହି କାରବାରକୁ ମଞ୍ଜୁରି ପ୍ରଦାନ କରିଛି ।

ଭାରତୀୟ ପ୍ରତିସ୍ପର୍ଦ୍ଧା ଆୟୋଗ (ସିସିଆଇ) ପୂର୍ବରୁ ଏହି କାରବାରକୁ ମଞ୍ଜୁରି ପ୍ରଦାନ କରିସାରିଛି । ଏବେ ସେବିର ମଞ୍ଜୁରି ମିଳିବା ପରେ ଏହି କାରବାର ସମ୍ପୂର୍ଣ୍ଣ ହେବା ପାଇଁ କେବଳ ଏନସିଏଲଟିର ମଞ୍ଜୁରି ମିଳିବା ବାକି ରହିଛି । ଏହି କାରବାର ସମ୍ପର୍କରେ ଫ୍ୟୁଚର ଏବଂ ରିଲାଏନ୍ସର ସମସ୍ତ ଅଂଶୀଦାରମାନଙ୍କୁ ସମ୍ପୂର୍ଣ୍ଣ ତଥ୍ୟ ଅବଗତ କରାଇବାକୁ ସେବି ନିର୍ଦ୍ଦେଶ ଦେଇଛି । ଫ୍ୟୁଚର-ରିଲାଏନ୍ସ ଗ୍ରୁପ୍‌ର ଏହି କାରବାରକୁ ସେବିର ଅନୁମତି ଅଦାଲତରେ ଚାଲିଥିବା ମାମଲାଗୁଡିକର ଫଳାଫଳ ଉପରେ ନିର୍ଭର କରିବ ।

ଫ୍ୟୁଚରର କମ୍ପାନୀ ବୋର୍ଡ ତାହାର ସମ୍ପତ୍ତି ରିଲାଏନ୍ସ ରିଟେଲକୁ ୨୪,୭୧୩ କୋଟି ଟଙ୍କାରେ ବିକ୍ରି କରିବା ପ୍ରସ୍ତାବକୁ ମଞ୍ଜୁରି ଦେଇଥିଲା, ଯାହାକୁ ଦିଲ୍ଲୀ ଉଚ୍ଚ ନ୍ୟାୟାଳୟ ଡିସେମ୍ବର ୨୧ରେ ଦେଇଥିବା ଆଦେଶରେ ବୈଧ ବୋଲି କହିଥିଲେ । ମାନ୍ୟବର ଉଚ୍ଚ ନ୍ୟାୟାଳୟ ଫ୍ୟୁଚର ରିଟେଲ ଏବଂ ରିଲାଏନ୍ସ ରିଟେଲ ମଧ୍ୟରେ କାରବାରକୁ ପ୍ରାଥମିକ ଦୃଷ୍ଟିରୁ ଆଇନତଃ ଠିକ୍ ବୋଲି ଦର୍ଶାଇଥିଲେ ।

ଆମାଜନ୍ ୨୦୧୯ରେ ଫ୍ୟୁଚର ଗ୍ରୁପ୍‌ର ଅଣପଂଜିକୃତ ସହଯୋଗୀ କମ୍ପାନୀ ଫ୍ୟୁଚର କୁପନ୍‌ର ୪୯% ଅଂଶ କ୍ରୟ କରିଥିଲା । ଉକ୍ତ କାରବାରରେ ଏକ ସର୍ତ୍ତ ରଖାଯାଇଥିଲା ଯେ ଅନ୍ୟ କୌଣସି କମ୍ପାନୀ ସହିତ କାରବାର କରିବା ପୂର୍ବରୁ ଫ୍ୟୁଚରକୁ ପ୍ରଥମେ ତାହା ଆମାଜନ୍‌କୁ ଜଣାଇବାକୁ ହେବ । ଆମାଜନ୍ ବାରଣ କଲେ ଫ୍ୟୁଚର ଅନ୍ୟ କୌଣସି କମ୍ପାନୀକୁ ହୋଲ୍‌ଡିଂ ବିକ୍ରି କରିପାରିବ ନାହିଁ ।

ଫ୍ୟୁଚର ସହିତ ହୋଇଥିବା ଏହି ଚୁକ୍ତିରେ ଆମାଜନ୍ ମୋଟ ତିନିଟି ବୁଝାମଣା କରିଥିଲା ଯାହା ଉପରେ ଦିଲ୍ଲୀ ହାଇକୋର୍ଟ ଏଫ୍‌ଡିଆଇ ନୀତି ତର୍ଜମା କରି କହିଥିଲେ ଯେ ଏହି ରାଜିନାମା ଫ୍ୟୁଚର ରିଟେଲ ଉପରେ ନିୟନ୍ତ୍ରଣ ଜାହିର କରିବା ଉଦ୍ଦେଶ୍ୟରେ ବ୍ୟବହାର କରିବାକୁ ହୋଇଥିବା ମନେହେଉଛି ଏବଂ ଏହା ସରକାରଙ୍କର ବିନା ଅନୁମୋଦନରେ କରାଯାଇଛି, ଯାହା ଫେମା-ଏଫଡିଆଇ ନିୟମର ବିରୁଦ୍ଧାଚରଣ କରୁଛି ।

ଫ୍ୟୁଚର-ରିଲାଏନ୍ସ ଚୁକ୍ତି ବିରୁଦ୍ଧରେ ଆମାଜନ୍ ସିଙ୍ଗାପୁର ଇଣ୍ଟରନ୍ୟାସନାଲ ଆର୍ବିଟ୍ରେସନ ସେଣ୍ଟରରେ ଯାଚିକା ଦାଏର କରିଥିଲା । ଆର୍ବିଟ୍ରେସନ ସେଣ୍ଟର ଗତବର୍ଷ ଅକ୍ଟୋବର ୨୫ରେ ଫ୍ୟୁଚର-ରିଲାଏନ୍ସ ଚୁକ୍ତି ଉପରେ ସାମୟିକ ରହିତାଦେଶ ଜାରି କରିଥିଲେ, କିନ୍ତୁ ଆର୍ବିଟ୍ରେସନ ସେଣ୍ଟରର ରାୟ ତାହା ପାଇଁ ପ୍ରଯୁଜ୍ୟ ନୁହେଁ ବୋଲି ଫ୍ୟୁଚର୍ ଗ୍ରୁପ୍ ପକ୍ଷରୁ ପ୍ରକାଶ କରାଯାଇଥିଲା ।

ରିଲାଏନ୍ସ ଇଣ୍ଡଷ୍ଟ୍ରିଜର ସହଯୋଗୀ କମ୍ପାନୀ ରିଲାଏନ୍ସ ରିଟେଲ ଭେଞ୍ଚର୍ସ ଲିମିଟେଡ (ଆରଆରଭିଏଲ୍‌) ୨୦୨୦ ଅଗଷ୍ଟରେ ଫ୍ୟୁଚର ଗ୍ରୁପ୍‌ର ରିଟେଲ ଏବଂ ହୋଲ୍‌ସେଲ ବ୍ୟବସାୟ ତଥା ଲଜିଷ୍ଟିକ୍ସ ଓ ଓୟାରହାଉସିଂ ବ୍ୟବସାୟ ଅଧିଗ୍ରହଣ କରିବା ନେଇ ଘୋଷଣା କରିଥିଲା । ୨୪,୭୧୩ କୋଟି ଟଙ୍କାରେ ଚୂଡାନ୍ତ ହୋଇଥିବା ଏହି ଚୁକ୍ତି ପରେ ଫ୍ୟୁଚର ଗ୍ରୁପର ୪୨୦ ସହରରେ ବିସ୍ତାରିତ ଭାବେ ରହିଥିବା ୧୮୦୦ରୁ ଅଧିକ ଷ୍ଟୋର ରିଲାଏନ୍ସ ନିୟନ୍ତ୍ରଣକୁ ଆସିବାର ଥିଲା ।

Categories
ଆଜିର ଖବର ଜାତୀୟ ଖବର ବ୍ୟବସାୟ

ଫ୍ୟୁଚର ଗ୍ରୁପ୍‌ର ମୁଖ୍ୟ ବ୍ୟବସାୟକୁ ୨୪ ହଜାର ୭ ଶହ କୋଟି ଟଙ୍କାରେ କିଣିବ ରିଲାଏନ୍ସ ରିଟେଲ୍‌

ମୁମ୍ବାଇ: ରିଲାଏନ୍ସ ଇଣ୍ଡଷ୍ଟ୍ରିଜ ଲିମିଟେଡର ସହଯୋଗୀ ସଂସ୍ଥା ରିଲାଏନ୍ସ ରିଟେଲ ଭେଞ୍ଚର୍‌ସ ଲିମିଟେଡ (ଆରଆରଭିଏଲ) ଫ୍ୟୁଚର ଗ୍ରୁପ୍‌ର ଖୁଚୁରା ଓ ପାଇକାରୀ (ହୋଲ୍‌ସେଲ୍‌) ବ୍ୟବସାୟ ଏବଂ ଲଜିଷ୍ଟିକ୍‌ସ ଓ ୱେୟାରହାଉସିଂ ବ୍ୟବସାୟକୁ ଗ୍ରୁପ୍‌ର ସମସ୍ତ ବ୍ୟବସାୟିକ ସଂସ୍ଥା ବିକ୍ରି ଭିତ୍ତିରେ ଏକକାଳୀନ ୨୪,୭୧୩ କୋଟି ଟଙ୍କାରେ ଅଧିଗ୍ରହଣ କରୁଥିବା ସଂପର୍କରେ ଶନିବାର ଘୋଷଣା କରିଛି। ସମ୍ମିଳିତ ବୁଝାମଣାରେ ଉଲ୍ଲିଖିତ ବ୍ୟବସ୍ଥା ଅନୁଯାୟୀ ଏହି ଅଧିଗ୍ରହଣ ସମ୍ପନ୍ନ କରାଯିବ।

ଏହି ଅଧିଗ୍ରହଣ ଯୋଜନାର ଅଂଶ ଭାବରେ ଫ୍ୟୁଚର ଗ୍ରୁପ୍ ବ୍ୟବସାୟ ପରିଚାଳନା କରୁଥିବା କେତେକ କମ୍ପାନୀକୁ ଫ୍ୟୁଚର ଏଣ୍ଟରପ୍ରାଇଜେସ୍ ଲିମିଟେଡ (ଏଫଇଏଲ)ରେ ମିଶ୍ରଣ କରୁଛି ସେହି ସମାନ ଯୋଜନାର ଅଂଶସ୍ୱରୂପ ଖୁଚୁରା ଓ ପାଇକାରୀ ବ୍ୟବସାୟ ସଂସ୍ଥାକୁ ରିଲାଏନ୍ସ ରିଟେଲ୍ (ଆରଆରଭିଏଲ୍‌) ର ପୂର୍ଣ୍ଣ ମାଲିକାନାଧୀନ ସହଯୋଗୀ କମ୍ପାନୀ ରିଲାଏନ୍ସ ରିଟେଲ ଆଣ୍ଡ ଫ୍ୟାଶନ ଲାଇଫଷ୍ଟାଇଲ ଲିମିଟେଡ (ଆରଆରଏଫଏଲଏଲ)କୁ ହସ୍ତାନ୍ତର କରାଯାଉଛି। ସେହିଭଳି ଲଜିଷ୍ଟିକ୍‌ସ ଏବଂ ୱେୟାରହାଉସିଂ ବ୍ୟବସାୟକୁ ରିଲାଏନ୍ସ ରିଟେଲ୍ (ଆରଆରଭିଏଲ୍‌)କୁ ହସ୍ତାନ୍ତର କରାଯାଉଛି।

ଏଥିସହିତ ରିଲାଏନ୍ସ ରିଟେଲ ଆଣ୍ଡ ଫ୍ୟାଶନ ଲାଇଫ ଷ୍ଟାଇଲ ଲିମିଟେଡ (ଆରଆରଏଫଏଲଏଲ) ମିଶ୍ରଣ ପରବର୍ତ୍ତୀ ଫ୍ୟୁଚର ଏଣ୍ଟରପ୍ରାଇଜେସ୍ ଲିମିଟେଡ (ଏଫଇଏଲ)ର ପ୍ରିଫରେନ୍ସିଆଲ ଇସ୍ୟୁରେ ୬.୦୯ ପ୍ରତିଶତ ଇକ୍ୱିଟି ଅଂଶ ଅଧିଗ୍ରହଣ ନିମନ୍ତେ ୧୨୦୦ କୋଟି ଟଙ୍କା ପୁଞ୍ଜିନିବେଶ କରିବା ପ୍ରସ୍ତାବ ରଖିଛି।

ସେହିଭଳି ଇକ୍ୱିଟି ୱାରାଣ୍ଟର ଏକ ପ୍ରିଫରେନ୍ସିଆଲ ଇସ୍ୟୁରେ ଏହା ୪୦୦ କୋଟି ଟଙ୍କା ନିବେଶ କରିବ, ଯାହାର ରୂପାନ୍ତରଣ ଏବଂ ଇସ୍ୟୁ ମୂଲ୍ୟର ଅବଶିଷ୍ଟ ୭୫% ପୈଠ ପରେ ରିଲାଏନ୍ସ ରିଟେଲ ଆଣ୍ଡ ଫ୍ୟାଶନ ଲାଇଫଷ୍ଟାଇଲ ଲିମିଟେଡ (ଆରଆରଏଫଏଲଏଲ) ଦ୍ୱାରା ଫ୍ୟୁଚର ଏଣ୍ଟରପ୍ରାଇଜେସ୍ ଲିମିଟେଡ (ଏଫଇଏଲ)ର ପୁନଃ ୭.୦୫% ଅଂଶ ଅଧିଗ୍ରହଣ ସମ୍ପନ୍ନ ହେବ।

ରିଲାଏନ୍ସ ରିଟେଲ ଭେଞ୍ଚର୍‌ସ ଲିମିଟେଡର ନିର୍ଦ୍ଦେଶିକା ଶ୍ରୀମତୀ ଇଶା ଅମ୍ବାନି କହିଛନ୍ତି, “ଏହି କାରବାର ଦ୍ୱାରା ଆମେ ଆନନ୍ଦିତ ଯେ ଫ୍ୟୁଚର ଗ୍ରୁପ୍‌ର ପ୍ରସିଦ୍ଧ ଫର୍ମାଟ ଏବଂ ବ୍ରାଣ୍ଡ୍‌ଗୁଡିକୁ ଆମେ ଏକ ଆବାସ ଯୋଗାଇବା ସହ ଏହାର ବ୍ୟବସାୟ ଇକୋସିଷ୍ଟମ୍‌କୁ ସଂରକ୍ଷିତ କରୁଛୁ, ଯାହା ଭାରତରେ ଆଧୁନିକ ଖୁଚୁରା ବ୍ୟବସାୟର ଅଭ୍ୟୁତ୍‌ଥାନରେ ଗୁରୁତ୍ୱପୂର୍ଣ୍ଣ ଭୂମିକା ନିର୍ବାହ କରିଛି। କ୍ଷୁଦ୍ର ବ୍ୟବସାୟ ସଂସ୍ଥା ଏବଂ କିରାନା ଦୋକାନଗୁଡିକ ସହିତ ବୃହତ ଉପଭୋକ୍ତା ବ୍ରାଣ୍ଡ୍‌ଗୁଡିକ ସହିତ ସକ୍ରିୟ ସହଭାଗିତା ସ୍ଥାପନରେ ଆମର ଅନନ୍ୟ ମଡେଲକୁ ନେଇ ଖୁଚୁରା ବ୍ୟବସାୟ ଶିଳ୍ପରେ ଅଭିବୃଦ୍ଧି ଧାରା ବଜାୟ ରଖିବାକୁ ଆମେ ଆଶା ରଖିଛୁ। ସମଗ୍ର ଦେଶରେ ଆମର ଉପଭୋକ୍ତାମାନଙ୍କୁ ଉପଯୁକ୍ତ ମୂଲ୍ୟ ପ୍ରଦାନ କରବିକୁ ଆମେ ପ୍ରତିଶ୍ରୁତିବଦ୍ଧ।”

ଫ୍ୟୁଚର ଗ୍ରୁପ୍‌ର ଖୁଚୁରା, ପାଇକାରୀ ଏବଂ ଯୋଗାଣ ଶୃଙ୍ଖଳ ବ୍ୟବସାୟ ଅଧିଗ୍ରହଣ ରିଲାଏନ୍ସର ଖୁଚୁରା ବ୍ୟବସାୟ ପାଇଁ କୌଶଳାତ୍ମକ ଦୃଷ୍ଟିରୁ ମଜଭୁତ ତଥା ଉପଯୋଗୀ ପଦକ୍ଷେପ ହୋଇଛି। ଏହା ରିଲାଏନ୍ସ ରିଟେଲକୁ କୋଟି କୋଟି କ୍ଷୁଦ୍ର ବ୍ୟବସାୟୀଙ୍କୁ ସେମାନଙ୍କର ପ୍ରତିଦ୍ୱନ୍ଦ୍ୱିତା ସାମର୍ଥ୍ୟରେ ବୃଦ୍ଧି ଘଟାଇବାରେ ସହାୟକ ହେବା ସହିତ ବର୍ତ୍ତମାନର ଆହ୍ୱାନମୂଳକ ସମୟରେ ସେମାନଙ୍କର ଆୟ ବୃଦ୍ଧିକୁ ତ୍ୱରାନ୍ୱିତ କରିବା ଦିଗରେ ବେଶ୍ ସହାୟକ ହେବ।

ଫ୍ୟୁଚର ଗ୍ରୁପ୍‌ର ପୋଷାକ, ସାଧାରଣ ବିପଣନ ସାମଗ୍ରୀ ଏବଂ ନିଜସ୍ୱ ଏଫଏମସିଜି ବ୍ରାଣ୍ଡ୍ ଭଳି ବିବିଧ ଉତ୍ପାଦର ସମ୍ଭାର ଗ୍ରାହକମାନଙ୍କୁ ଏକ ପରିବ୍ୟାପ୍ତ ସୁଯୋଗ ଆଣିଦେବ। ଏହି ଅଧିଗ୍ରହଣ ସେବି, ସିସିଆଇ, ଏନସିଏଲଟି, ଅଂଶୀଦାର (ସେୟାରହୋଲ୍ଡର୍‌), ଋଣପ୍ରଦାନକାରୀ ବଂ ଅନ୍ୟ ଆବଶ୍ୟକ ଅନୁମୋଦନ ଉପରେ ନିର୍ଭରଶୀଳ।