Categories
ଆଜିର ଖବର ରାଜ୍ୟ ଖବର

ବକେୟା ଅର୍ଥ ମିଳିବା ବିଳମ୍ବ ଯୋଗୁଁ ଜେଇ ଙ୍କ ପ୍ରକୋଷ୍ଠରେ ତାଲା ପକାଇଲେ ଅସନ୍ତୁଷ୍ଟ ମହିଳା 

କୈଳାଶ ଚନ୍ଦ୍ର ଚୌଧୁରୀ

ବ୍ରହ୍ମପୁର: ରଙ୍ଗେଇଲୁଣ୍ଡା ବ୍ଳକ ଅନ୍ତର୍ଗତ ଡୁରା ଗ୍ରାମର ଏମ୍ ଜାନକୀ ରେଡ଼ି ନାମକ ଜନୈକା ମହିଳା ମନରେଗା ଯୋଜନାରେ ପଥରା ଗ୍ରାମର ଦିୱାନ ବନ୍ଧର ଉନ୍ନତି ପାଇଁ ୨୦୨୨ ଜାନୁଆରୀ ମାସରେ ଚୁକ୍ତି କରି କାମ ସମ୍ପୁର୍ଣ୍ଣ କରିଥିଲେ ଓ ଗତ ଅଗଷ୍ଟ ମାସରେ ଜେଇଙ୍କ ଜରିଆରେ ବିଲ୍ ଦାଖଲ କରିଥିଲେ। କିନ୍ତୁ ଜାନକୀ ରେଡ଼ି ବାରମ୍ବାର ଦୌଡ଼ିଲେ ମଧ୍ୟ ତାଙ୍କର ବକେୟା ଅର୍ଥ ମଞ୍ଜୁର ହୋଇନଥିବାରୁ ସେ ଅସନ୍ତୁଷ୍ଟ ହୋଇ ଜେଇଙ୍କ ପ୍ରକୋଷ୍ଠରେ ତାଲା ପକାଇ ବିକ୍ଷୋଭ ପ୍ରଦର୍ଶନ କରିଥିଲେ।

ଶେଷରେ ବ୍ଳକ ଉନ୍ନୟନ ଅଧିକାରୀ ବିଶ୍ଵଜିତ ରାଉତରାୟ ଘଟଣାସ୍ଥଳରେ ପହଂଚି ଉକ୍ତ ମହିଳାଙ୍କୁ କିଛି ନଗଦ ଟଙ୍କା ଦେଇ ବଳକା ଟଙ୍କା ଏକ ସପ୍ତାହ ମଧ୍ୟରେ ପୈଠ କରିବାର ପ୍ରତିଶ୍ରୁତି ଦେବାରୁ ମହିଳା ଜଣଙ୍କ ଶାନ୍ତ ହୋଇଥିଲେ ଓ ତାଲା ଖୋଲିଥିଲେ।

Categories
ଆଜିର ଖବର ଆଞ୍ଚଳିକ ରାଜ୍ୟ ଖବର

ସମୀକ୍ଷା ପ୍ରଭାବ: ଚିଲିକା ବ୍ଳକର ଚାଷୀ ପାଇଲେ ଧାନ ବିକ୍ରି ଟଙ୍କା

ସୀତାରାମ ଅଗ୍ରୱାଲ

ଚିଲିକା: ଧାନ ବିକ୍ରିର ୧୦ ଦିନ ପରେବି ଚାଷୀଙ୍କୁ ଟଙ୍କା ମିଳୁନଥିବା ଖବର ଗତକାଲି ‘ସମୀକ୍ଷା’ ରେ ପ୍ରକାଶିତ ହେବା ପରେ ଶୋଇଥିବା ଜିଲ୍ଲା ଯୋଗାଣ ବିଭାଗ ବର୍ତ୍ତମାନ ଚେଇଁ ଉଠିଛି।

ଚିଲିକା ବ୍ଳକ୍ ର ଜରିପଡ଼ା, ସୋରଣ, ନଈରି, ବିରିବାଡି, ଚଣ୍ଡେଶ୍ୱର ଆଦି ସେବା ସମବାୟ ସମିତିର ଶହ ଶହ ଚାଷୀ ଗତ ୧/୨ ତାରିଖରୁ ଧାନ ଦେଇ ୭ ତାରିଖରେ ଆଧାର ଭେରୀଫିକେସନ କରିଥିଲେ। କିନ୍ତୁ ଚାଷୀଙ୍କୁ ଧାନ ବିକ୍ରି ଟଙ୍କା ଗତକାଲି ପର୍ଯ୍ୟନ୍ତ ମିଳିପାରିନଥିଲା। ଏନେଇ ସମୀକ୍ଷାରେ ଗତକାଲି ଏକ ଖବର ପ୍ରକାଶିତ ହୋଇଥିଲା।

ତେବେ ଆଜି ଜିଲ୍ଲା ପ୍ରଶାସନ ଏକକାଳୀନ ଭାବେ ଶହ ଶହ ଚାଷୀଙ୍କ ବ୍ୟାଙ୍କ ଆକାଉଣ୍ଟକୁ ସେମାନଙ୍କ ପ୍ରାପ୍ୟ ଟଙ୍କା ପଠାଇଛି। ଜିଲ୍ଲା ଯୋଗାଣ ବିଭାଗ ଅଧିକାରୀ ଅନାଥ ଚରଣ ସ୍ୱାଇଁ ଏ ନେଇ ସୂଚନା ଦେଇଛନ୍ତି। ଏବଂ ଆସନ୍ତା ତିନି ଦିନ ଭିତରେ ସମସ୍ତ ଚାଷୀଙ୍କୁ ସେମାନଙ୍କ ବକେୟା ଅର୍ଥ ମିଳିଯିବ ବୋଲି ମଧ୍ୟ କହିଛନ୍ତି। ଅପରପକ୍ଷରେ ଚାଷୀମାନେ ନିଜର ପ୍ରାପ୍ୟ ପାଇଥିବାରୁ ଜିଲ୍ଲା ଯୋଗାଣ ଅଧିକାରୀଙ୍କୁ ଧନ୍ୟବାଦ ଜଣାଇଛନ୍ତି।