Categories
ବିଶେଷ ଖବର ରାଜ୍ୟ ଖବର

ବଗଲା ଧର୍ମଶାଳା ଜମି ବିକ୍ରି ମିଛକଥା, ଏହାର କ୍ଷମତା ବୃଦ୍ଧି ପାଇଁ ସରକାର ଯୋଜନା କରୁଛନ୍ତି; ପୁରୀ ପ୍ରଶାସନ

ଭୁବନେଶ୍ୱର: ବଗଳା ଧର୍ମଶାଳା ଜମି ବିକ୍ରି ସଂପର୍କରେ ବିଜେପି ରାଷ୍ଟ୍ରୀୟ ମୁଖପାତ୍ର ସମାଲୋଚନା କରିବା ପରେ ଜିଲ୍ଲା ପ୍ରଶାସନ ସ୍ପଷ୍ଟି କରଣ ରଖିଛି। ଏଥିରେ କୁହାଯାଇଛି ଯେ, ବଗଲା ଧର୍ମଶାଳା ଜମି ବିକ୍ରି ଅଭିଯୋଗ ମିଛକଥା। ଏହାର ମାତ୍ର ୧୨ ପ୍ରତିଶତ ଅଞ୍ଚଳ ସେବାୟତ ଓ ମନ୍ଦିର ପରିସର ପାଇଁ ଜମି ଛାଡ଼ିଥିବା ଲୋକଙ୍କୁ ଆବଣ୍ଟନ କରାଯାଇଛି। ପ୍ଲଟ କରି ଖଣ୍ଡ ଖଣ୍ଡ ବିକ୍ରୀ କରିବା ଅଭିଯୋଗ ସଂପୂର୍ଣ୍ଣ ମିଛ।

ସେହିପରି ବଗଳା ଧର୍ମଶାଳା ପରିସରରେ ଯେଉଁମାନଙ୍କୁ ଥଇଥାନ କରାଯାଇଛି, ସେମାନେ ମୁଖ୍ୟତଃ ମନ୍ଦିର ସେବାୟତ। ପୂର୍ବ କାଳରୁ ସେମାନେ ମନ୍ଦିର ନିକଟରେ ରହି ଆସୁଥିଲେ। ହେଲେ ମହାପ୍ରଭୁଙ୍କ ପାଇଁ ସେମାନେ ତାଙ୍କର ଭିଟାମାଟି  ତ୍ୟାଗ କରି ମନ୍ଦିର କରିଡର ପ୍ରକଳ୍ପକୁ ସହଯୋଗ କରିଥିଲେ। ବିସ୍ଥାପିତ ପରିବାରଗୁଡ଼ିକୁ ସରକାରଙ୍କ ଅନୁମୋଦିତ ଥଇଥାନ ପ୍ୟାକେଜ ଅନୁସାରେ ରାଜସ୍ୱ ଜମିରେ ଥଇଥାନ କରାଯାଇଛି।

ତେବେ ପୁରୀରେ ଧର୍ମଶାଳାର କ୍ଷମତା ବୃଦ୍ଧି ପାଇଁ ଯୋଜନା କରାଯାଇଛି ବୋଲି ପ୍ରଶାସନ ତରଫରୁ କୁହାଯାଇଛି। ବର୍ତ୍ତମାନ ବଗଲା ଧର୍ମଶାଳାରେ ମାତ୍ର ୨୦୦ ଲୋକ ରହିବା ପାଇଁ ବ୍ୟବସ୍ଥା ଥିଲା, ହେଲେ ଏବେ ସରକାର ୨୦୦୦ ଲୋକ ରହିବା ପରି ଧର୍ମଶାଳା ନିର୍ମାଣ କରୁଛନ୍ତି । ପରବର୍ତ୍ତି ସମୟରେ ପୁରୀରେ ୮୦୦୦ ଲୋକ ରହିବା ପରି ବ୍ୟବସ୍ଥା କରାଯିବ। ତେଣୁ ଏପରି ଅଭିଯୋଗର କୌଣସି ଯଥାର୍ଥତା ନାହିଁ ବୋଲି ପୁରୀ ପ୍ରଶାସନ ତରଫରୁ କୁହାଯାଇଛି।

Categories
ଆଜିର ଖବର ଆଞ୍ଚଳିକ ରାଜ୍ୟ ଖବର

ପୁରୀ ବଗଲା ଧର୍ମଶାଳା ବିକ୍ରି ପ୍ରତିବାଦରେ ମୁଖ୍ୟମନ୍ତ୍ରୀଙ୍କ ଉଦ୍ଦେଶ୍ୟରେ ଜଗତସିଂହପୁର ଜିଲ୍ଲାପାଳଙ୍କୁ ଦାବିପତ୍ର ପ୍ରଦାନ

ରମେଶ ମହାନ୍ତି

ଜଗତସିଂହପୁର: ପୁରୀ ଶ୍ରୀ ଜଗନ୍ନାଥଙ୍କ ସମ୍ପତି ବଗଲା ଧର୍ମଶାଳାକୁ ପୁରୀ ଜିଲ୍ଲାପାଳ ବେଆଇନ ଭାବରେ ବିକ୍ରି କରିବା ପ୍ରତିବାଦରେ ଶ୍ରୀ ଜଗନ୍ନାଥ ଚେତନା ସୁରକ୍ଷା ଅଭିଯାନ ପକ୍ଷରୁ ଜଗତସିଂହପୁର ଜ଼ିଲ୍ଲାପାଳଙ୍କ କାର୍ଯ୍ୟାଳୟ ସମ୍ମୁଖରେ ଏକ ପ୍ରତିବାଦ ସଭା ସଂଯୋଜକ ସରୋଜ କୁମାର ନାୟକଙ୍କ ଅଧ୍ୟକ୍ଷତାରେ ଅନୁଷ୍ଠିତ ହୋଇଯାଇଛି। ଅଭିଯୋଗ ଅନୁଯାୟୀ ୧୯୦୫ ମସିହାରେ କହ୍ନେଇଲାଲ୍ ବଗଲା ଏହାକୁ ନିର୍ମାଣ କରି ଶ୍ରୀ ଜଗନ୍ନାଥ ମହାପ୍ରଭଙ୍କୁୁ ଦାନ କରିଥିଲେ। ଶ୍ରୀ ଜଗନ୍ନାଥଙ୍କୁ ଦର୍ଶନ କରିବା ପାଇଁ ଆସୁଥିବା ଭକ୍ତ ମାନଙ୍କୁ ସ୍ୱଳ୍ପ ମୁଲ୍ୟରେ ରହିବା ସୁବିଧା ଯୋଗାଇଦେବା ପାଇଁ ଏହାକୁ ଶ୍ରୀ କହ୍ନେଇଲାଲ୍ ନିର୍ମାଣ କରିଥିଲେ। ଭକ୍ତମାନେ ମଧ୍ୟ ଏକଶହ ବର୍ଷ ହେଲା ସ୍ୱଳ୍ପ ମୁଲ୍ୟରେ ରହିଆସୁଥିଲେ।

ପରବର୍ତ୍ତୀ ସମୟରେ ପୁରୀ ଜିଲ୍ଲାପାଳ ଏହାର ପରିଚାଳନା ଦାୟିତ୍ବ ନେଇଥିଲେ। କିନ୍ତୁ ଦୁଃଖରେ ବିଷୟ ପୁରୀ ଜିଲ୍ଲାପାଳ ଅଗଷ୍ଟ ୫ରୁ ୧୨ତାରିଖ ମଧ୍ୟରେ ଏହି ଜମିର କିଛି ଅଂଶ ୬ଭାଗକରି ବିକ୍ରି କବଲା ହୋଇଥିବା ବେଳେ ଅପରପକ୍ଷରେ କେନ୍ଦ୍ର ସରକାରଙ୍କ ପର୍ଯ୍ୟଟନ ବିଭାଗ ପ୍ରସାଦ ଯୋଜନାରେ ୧୮କୋଟି ଟଙ୍କା ବଗଲା ଧର୍ମଶାଳାର ଉନ୍ନତି କରଣ ପାଇଁ ଦେଇଛନ୍ତି। ପ୍ରାୟ ୧୬କୋଟି ଟଙ୍କା ଖର୍ଚ୍ଚ ହୋଇପାରିନଥିବା ଅଭିଯୋଗ ହୋଇଛି।

ଏହି ବେଆଇନ୍ ଜମିବିକ୍ରି ପ୍ରତିବାଦରେ ଆଜି ଜଗନ୍ନାଥ ଚେତନା ସୁରକ୍ଷା ଅଭିଯାନର କର୍ମକର୍ତ୍ତା ଅରୁଣ କୁମାର ଆଚାର୍ଯ୍ୟ, ଅଜୟ କୁମାର ଜେନା, ମାନସ ରଞ୍ଜନ ସ୍ୱାଇଁ, ବୀରବର ଦଳାଇ,ବେଣୁଧର ନାୟକ ସୁବାସ ସ୍ୱାଇଁ ପ୍ରମୁଖ ଯୋଗଦେଇ ପୁରୀ ଜ଼ିଲ୍ଲାପାଳଙ୍କ ଏଭଳି କାର୍ଯ୍ୟ କୁ ଘୋର ନିନ୍ଦା କରିବା ସହିତ କଟୁ ସମାଲୋଚନା କରି ଜଗତସିଂହପୁର ଜ଼ିଲ୍ଲାପାଳଙ୍କ ଜରିଆରେ ମୁଖ୍ୟମନ୍ତ୍ରୀଙ୍କୁ ଏକ ଦାବିପତ୍ର ପ୍ରଦାନ କରିଛନ୍ତି।