Categories
ଆଜିର ଖବର ରାଜ୍ୟ ଖବର

ହାତୀ ଚଳପ୍ରଚଳ ଅଞ୍ଚଳରେ ରେଳ ଟ୍ରାକ ଗୁଡିକରେ ଟ୍ରେନ ଯାତାୟାତ ସୁଗମ ପାଇଁ ସମନ୍ବୟ ବୈଠକ 

ଖୋର୍ଦ୍ଧା: ଖୋର୍ଦ୍ଧା ରୋଡ଼ ରେଳବାଇ କର୍ତ୍ତୃପକ୍ଷ ଏବଂ ବନ ଅଧିକାରୀଙ୍କ ମଧ୍ୟରେ ଏକ ସମନ୍ୱୟ ବୈଠକ ଖୋର୍ଦ୍ଧା ରୋଡ଼ ରେଳ ମଣ୍ଡଳ କାର୍ଯ୍ୟାଳୟ ରେ ଥିବା ସମ୍ମିଳନୀ କକ୍ଷରେ ଅନୁଷ୍ଠିତ ହୋଇଯାଇ ଅଛି। ହାତୀମାନଙ୍କର ସୁଗମ ଯାତାୟାତ, ଦୁର୍ଘଟଣାକୁ ଏଡାଇବା ଏବଂ ଅତ୍ୟଧିକ ହାତୀ ସତର୍କତା କାରଣରୁ ଟ୍ରେନ୍ ବିଳମ୍ବ କୁ ହ୍ରାସ କରିବା ପାଇଁ ରେଳ କର୍ତ୍ତୃପକ୍ଷ ଏବଂ ବନ ଅଧିକାରୀଙ୍କ ମଧ୍ୟରେ ଘନିଷ୍ଠ ସମନ୍ୱୟ ରକ୍ଷା କରିବା ଏହି ବୈଠକର ଉଦ୍ଦେଶ୍ୟ।

ଖୋର୍ଦ୍ଧାରୋଡ଼ ରେଳ ମଣ୍ଡଳର ମଣ୍ଡଳ ରେଳ ପ୍ରବନ୍ଧକ, ଏଚ୍.ଏସ୍. ବାଜୱା, ଏହି ସମନ୍ୱୟ ବୈଠକରେ ଅଧ୍ୟକ୍ଷତା କରିଥିଲେ। ଖୋର୍ଦ୍ଧାରୋଡ଼ ମଣ୍ଡଳ ତରଫରୁ, ଶ୍ରୀ ପି.କେ. ବେହେରା, ଅତିରିକ୍ତ ମଣ୍ଡଳ ରେଳ ପ୍ରବନ୍ଧକ (ପରିଚାଳନା) ସହ ଟ୍ରେନ ପରିଚାଳନା, ବାଣିଜ୍ୟିକ, ଇଞ୍ଜିନିୟରିଂ, ସିଗନାଲ୍ ଆଣ୍ଡ ଟେଲିକମ୍, ଇଲେକ୍ଟ୍ରିକାଲ୍ (ଅପରେସନ୍) ଏବଂ ସୁରକ୍ଷା ବିଭାଗର ଶାଖା ଅଧିକାରୀ ଉପସ୍ଥିତ ଥିଲେ। ବନ ବିଭାଗର ସୁଦର୍ଶନ ସେଖର ଖୋରା, ଆଇଏଫଏସ, ଆଞ୍ଚଳିକ ମୁଖ୍ୟ ଜଙ୍ଗଲ ସଂରକ୍ଷକ, ଫିଲ୍ଡ ନିର୍ଦ୍ଦେଶକ / ସାତକୋସିଆ ଟାଇଗର ରିଜର୍ଭ, ଅନୁଗୁଳ ଏବଂ କଟକ, ଆଠଗଡ ଢେଙ୍କାନାଳ, ଖୋର୍ଦ୍ଧା ଡିଭିଜନର ବରିଷ୍ଠ ବନ ଅଧିକାରୀ ଏଵଂ ଅନ୍ୟ ମାନେ ଉପସ୍ଥିତ ଥିଲେ।

ଜଙ୍ଗଲ ଅଧିକାରୀଙ୍କ ସହ ଘନିଷ୍ଠ ସମନ୍ୱୟ ରକ୍ଷା କରିବାକୁ ମଣ୍ଡଳ ରେଳ ପ୍ରବନ୍ଧକ ଏଚ୍.ଏସ୍. ବାଜୱା ଗୁରୁତ୍ୱାରୋପ କରିଥିଲେ। ଏହି ପରିପ୍ରେକ୍ଷୀରେ ଏକ ସୁସ୍ଥ ଆଲୋଚନା କରାଯାଇଥିଲା ଏବଂ ରେଳ ଧାରଣାରେ ହାତୀ ମୃତ୍ୟୁକୁ ଏଡାଇବା ପାଇଁ ବିଭିନ୍ନ କାର୍ଯ୍ୟ ପନ୍ଥା ପ୍ରସ୍ତୁତ କରାଯାଇଥିଲା।

ସମ୍ବେଦନଶୀଳ ରେଳ ସେକ୍ସନ ମାନଙ୍କରେ ହାତୀ ଗତିବିଧି ବିଷୟରେ ସଠିକ ସମୟରେ ଯୋଗାଯୋଗ ପାଇଁ ବିଭାଗୀୟ ଜଙ୍ଗଲ ଅଧିକାରୀମାନଙ୍କୁ ଗୁରୁତ୍ୱପୂର୍ଣ୍ଣ ରେଳ ଷ୍ଟେସନରେ ସେମାନଙ୍କ କର୍ମଚାରୀଙ୍କୁ ନିୟୋଜିତ କରିବାକୁ ପରାମର୍ଶ ଦିଆଯାଇଥିଲା। ପରିବେଶ ଏବଂ ଜଙ୍ଗଲ ମନ୍ତ୍ରଣାଳୟ ଦ୍ୱାରା ମନୋନୀତ ହୋଇଥିବା ସ୍ଥାନଗୁଡ଼ିକରେ ଉପମାର୍ଗ ବା ଅଣ୍ଡରପାସ୍ ଏବଂ ଓଭରବ୍ରିଜ୍ ନିର୍ମାଣ କରାଯିବ। ଏଗୁଡିକ ମଧ୍ୟରେ ବୈରୀ – କପିଳାସ୍ ରୋଡ୍, ଢେଙ୍କାନାଳ -ହିନ୍ଦୋଳ-ସଦାଶିବପୁର ଇତ୍ୟାଦି।

ସମ୍ବେଦନଶୀଳ ସ୍ଥାନଗୁଡିକ ଚିହ୍ନଟ କରାଯିବ ଏବଂ ରେଳ ଟ୍ରାକ୍ ନିକଟରେ ଥିବା ଉଦ୍ଭିଦଗୁଡିକ ସ୍ୱଚ୍ଛ ଦୃଶ୍ୟମାନତା ପାଇଁ ସଫା କରାଯିବ। ଲୋକୋ ପାଇଲଟମାନଙ୍କୁ ପୂର୍ବ ଚେତାବନୀ ଭାବରେ ସାଇନେଜ୍ ବୋର୍ଡର ଉପଲବ୍ଧତା ସୁନିଶ୍ଚିତ କରାଯିବ। ଷ୍ଟେସନ ମାଷ୍ଟର ଏବଂ ବନ ବିଭାଗ ମଧ୍ୟରେ ସୁଗମ ଯୋଗାଯୋଗ ପାଇଁ ୱାକି-ଟକି ମାଧ୍ୟମରେ ଏକ ସ୍ୱତନ୍ତ୍ର ଚ୍ୟାନେଲ ସୃଷ୍ଟି ହେବ, ଯାହାଫଳରେ ଷ୍ଟେସନ ମାଷ୍ଟର ଟ୍ରେନ କର୍ମଚାରୀଙ୍କୁ ଠିକ୍ ସମୟରେ “ଲୁକ୍ ଆଉଟ୍ ପରାମର୍ଶ” ଦେଇପାରିବେ।

ବଣୁଆ ଜୀବଜନ୍ତୁ ସଂରକ୍ଷଣ ଏବଂ ସୁରକ୍ଷା ଉପରେ ଲୋକୋ ପାଇଲଟ୍ ଏବଂ ଗାର୍ଡଙ୍କ ପାଇଁ ନିୟମିତ ପ୍ରେରଣା କାର୍ଯ୍ୟକ୍ରମ କରାଯିବ। ଆଇଆରସିଟିସି / ପାନ୍ଟ୍ରି କାର କର୍ମଚାରୀଙ୍କୁ ରେଲୱେ ଟ୍ରାକରେ ଖାଇବା ବର୍ଜ୍ୟବସ୍ତୁ ନ ଫିଙ୍ଗିବାକୁ ନିର୍ଦ୍ଦେଶ ଦିଆଯିବ ଯାହା ବନ୍ୟଜନ୍ତୁମାନଙ୍କୁ ଆକର୍ଷିତ କରିପାରେ।

ଖୋର୍ଦ୍ଧା ରୋଡ଼ ମଣ୍ଡଳରେ ହାତୀ କରିଡର ଗୁଡ଼ିକ ହେଉଛି, ବୈରୀ -କପିଳାସ୍ ରୋଡ଼, କାଇପାଦର-ତାପଙ୍ଗ, ଗୁରୁଡ଼ିଝାଟିଆ-ରାଜଆଠଗଡ଼-ମାଛପୁର, ରାଧାକୀସୋରପୁର-ଘଣ୍ଟିଖାଲ୍, ପରଜଙ୍ଗ-କମଳଙ୍ଗା ଇତ୍ୟାଦି। ହାତୀ ଗତିବିଧି ସମ୍ବନ୍ଧୀୟ ସୂଚନାକୁ ସମ୍ପୃକ୍ତ ବିଭାଗକୁ ପଠାଇବା ପାଇଁ ଖୋର୍ଦ୍ଧା ରୋଡ଼ ମଣ୍ଡଳର କଣ୍ଟ୍ରୋଲ ରୁମ ଦିନରାତି କାର୍ଯ୍ୟ କରୁଛି ଏବଂ ସେଠାରେ ଟ୍ରେନ ଦୁର୍ଘଟଣା ହେତୁ ହାତୀ ମୃତ୍ୟୁକୁ ଏଡାଇବା ପାଇଁ ଷ୍ଟେସନ ମାଷ୍ଟର ଏବଂ ଲୋକୋ ପାଇଲଟମାନଙ୍କୁ ସତର୍କତା ନିର୍ଦ୍ଦେଶ ଜାରି କରାଯାଇଛି।

ବେଳେବେଳେ ହାତୀ କରିଡରରେ ସତର୍କତା ଆଦେଶ ହେତୁ ଟ୍ରେନଗୁଡିକର ସମୟାନୁବର୍ତ୍ତୀତା ବାଧାପ୍ରାପ୍ତ ହେଉଛି। ତେଣୁ, ଟ୍ରେନ୍ ଦୁର୍ଘଟଣାରୁ ବନ୍ୟଜନ୍ତୁଙ୍କୁ ରକ୍ଷା କରିବା ପାଇଁ ରେଲୱେ ବ୍ୟବହାରକାରୀ ରେଳବାଇକୁ ସହଯୋଗ କରିବା ପାଇଁ ମଣ୍ଡଳ ରେଳବାଇ ପ୍ରବନ୍ଧକ ଏଚ୍.ଏସ୍. ବାଜୱା, ଅନୁରୋଧ କରିଛୋନ୍ଥି।

Categories
ଆଞ୍ଚଳିକ

ବାଣପୁର: ଜଙ୍ଗଲୀ ହରିଣକୁ ଉଦ୍ଧାର କଲା ବନବିଭାଗ

ସୀତାରାମ ଅଗ୍ରୱାଲ

ବାଣପୁର: ଖୋର୍ଦ୍ଧା ଜିଲ୍ଲା ବାଣପୁର ବ୍ଲକ ଅନ୍ତର୍ଗତ ଖଣତ ଗ୍ରାମରେ ଆଜି ଏକ ଜଙ୍ଗଲୀ ହରିଣକୁ ଉଦ୍ଧାର କରିଛି ବନବିଭାଗ। ବାଲୁଗାଁ ରେଞ୍ଜ ବନାଞ୍ଚଳ ଅଧିକାରୀ ପ୍ରତାପ ମହାନ୍ତିଙ୍କ ସୂଚନା ମୁତାବକ ଆଜି ପୂର୍ବାହ୍ନରେ ଏକ ଜଙ୍ଗଲୀ ହରିଣ ପାଣି ପିଇବା ଆଶାରେ ନିକଟସ୍ଥ ସୋଲରି ଜଙ୍ଗଲରୁ ଖଣତ ଗ୍ରାମ ଭିତରେ ପଶିଯାଇଥିଲା। ତେବେ ଜଣେ ଗ୍ରାମବାସୀଙ୍କ ବାରି ରେ ହରିଣଟି ବୁଲୁଥିବା ବେଳେ ଗ୍ରାମର କୁକୁର ମାନେ ତାକୁ ଗୋଡ଼ାଇଥିଲେ। ଏ ନେଇ ଗ୍ରାମବାସୀ ମାନେ ବାଲୁଗାଁ ବନବିଭାଗକୁ ସୂଚନା ଦେବାପରେ ବନ ବିଭାଗ ଟିମ ହରିଣକୁ ଉଦ୍ଧାର କରିଛି। ବର୍ତ୍ତମାନ ହରିଣର ଚିକିତ୍ସା ଜାରି ରହିଥିବା ବେଳେ ହରିଣଟି ସୁସ୍ଥ ଥିବା ଜଣାପଡିଛି।

Categories
ଆଞ୍ଚଳିକ

ବାଣପୁର: ଦୀର୍ଘ ୫ ଦିନ ଧରି ବଙ୍କାଡ଼ ଜଙ୍ଗଲରୁ ଲିଭୁନି ନିଆଁ, ବନବିଭାଗ ଓ ଅଗ୍ନିଶମ ବାହିନୀ ନୟାନ୍ତ

ସୀତାରାମ ଅଗ୍ରୱାଲ

ବାଣପୁର: ଉଭୟ କେନ୍ଦ୍ର ଓ ରାଜ୍ୟ ସରକାର ପରିବେଶକୁ ସୁରକ୍ଷିତ ରଖିବା ପାଇଁ କୋଟି କୋଟି ଟଙ୍କା ଖର୍ଚ୍ଚ କରୁଛନ୍ତି। ଏହି ଧାରାରେ ଜଙ୍ଗଲକୁ ବଞ୍ଚାଇବା ପାଇଁ ସରକାର ବହୁ ପଦକ୍ଷେପମାନ ଗ୍ରହଣ କରୁଛନ୍ତି। ଜଙ୍ଗଲ ରହିଲେ ଜୀବନ ସମ୍ଭବ। ତେଣୁ ଜଙ୍ଗଲକୁ ସୁରକ୍ଷିତ ରଖିବା ପାଇଁ କୋଟି କୋଟି ଟଙ୍କା ଖର୍ଚ୍ଚ କରାଯାଉଛି। କିନ୍ତୁ ସରକାରଙ୍କ ବିଭିନ୍ନ ପ୍ରୟାସ ପରେ କିଛି ଦୁର୍ବୃତ୍ତ ଏହାକୁ ଅଣଦେଖା କରି ନିଜ ସ୍ଵାର୍ଥ ପାଇଁ ଲାଗିପଡିଛନ୍ତି। ଜଙ୍ଗଲରେ ନିଆଁ ଲଗାଇବା ସତେ ଯେମିତି ତାଙ୍କର ଏକ ଅଭ୍ୟାସରେ ପରିଣତ ହୋଇଛି। ଯାହାଯୋଗୁଁ ଅନେକ ଧନଜୀବନ ନଷ୍ଟ ହେବାରେ ଲାଗିଛି।

ସେହିଭଳି ଖୋର୍ଦ୍ଧା ଜିଲ୍ଲା ବାଣପୁର ବ୍ଲକ ନୀଳାଦ୍ରିପ୍ରସାଦ ପଞ୍ଚାୟତର ବଙ୍କାଡ଼ ସରଂକ୍ଷିତ ଜଙ୍ଗଲରେ ଗତ ୫ ଦିନ ହେଲା ନିଆଁ ଜଳୁଛି। ଫଳରେ ବହୁ ଜଙ୍ଗଲ ନଷ୍ଟ ହେବା ସହ ବନ୍ୟଜନ୍ତୁ ମଧ୍ୟ ମୃତ୍ୟୁବରଣ କରିଥିବା ଅଭିଯୋଗ ହୋଇଛି। ବନବିଭାଗ ଓ ଅଗ୍ନିଶମ ବାହିନୀ ନିଆଁକୁ ଆୟତ୍ତ କରୁଥିଲେ ମଧ୍ୟ ଦୁର୍ବୃତ୍ତମାନେ ପୁନଶ୍ଚ ଜଙ୍ଗଲରେ ଅଗ୍ନି ସଂଯୋଗ କରୁଛନ୍ତି।  ଯାହାଫଳରେ ପରିବେଶ ସନ୍ତୁଳନ ବିଗିଡ଼ିବା ସହ ଗ୍ରାମବାସୀମାନେ ମଧ୍ୟ ବହୁ ହଇରାଣ ହେଉଛନ୍ତି।

ତେବେ ଯଦି ଏହିପରି ଜଙ୍ଗଲରେ ନିଆଁ ଲାଗି ରହେ, ତେବେ ଆଗକୁ ଅସ୍ୱାଭାବିକ ପରିସ୍ଥିତି ସୃଷ୍ଟି ହେବା ସହ ବନ୍ୟଜନ୍ତୁ ଜନବସତି ମୁହାଁ ହେବେ। ଖୋର୍ଦ୍ଧା ଡ଼ିଏଫଓ ଉକ୍ତ ସମସ୍ୟାକୁ ଗୁରୁତର ସହ ନେଇ ଦୋଷୀମାନଙ୍କ ବିରୁଦ୍ଧରେ କଠୋର କାର୍ଯ୍ୟାନୁଷ୍ଠାନ ନେବାପାଇଁ ସାଧାରଣରେ ଦାବି ହେଉଛି।

Categories
ଆଜିର ଖବର ରାଜ୍ୟ ଖବର

କୂଅରେ ପଡିଗଲା ଜଙ୍ଗଲି ଗାଢଭାଲୁ, ଅକ୍ଲାନ୍ତ ପରିଶ୍ରମ କରି ଉଦ୍ଧାର କଲା ବନବିଭାଗ

ନିରାକାରପୁର: ଖାଦ୍ୟ ଅନ୍ୱେଷଣରେ ଜନବସତି ଆଡକୁ ପଳାଇ ଆସି କୂଅରେ ପଡିଲା ଜଙ୍ଗଲି ଗାଢ ଭାଲୁ। ଗାଢଭାଲୁକୁ କୂଅରୁ ଅକ୍କାନ୍ତ ପରିଶ୍ରମ କରି ଉଦ୍ଧାର କଲା ଟାଗିଂ ବନବିଭାଗ ଓ ଅଗ୍ନିଶମ ବିଭାଗ। ସୂଚନାରୁ ଜଣାପଡିଛି ଗତକାଲି ରାତିରେ ଚିତ୍ରକୂଟ ଜଙ୍ଗଲରୁ ଏକ ଗାଢଭାଲୁ କାଶିପୁର ଗାଁ ଆଡକୁ ପଳାଇ ଆସି ଗଗାଂ ପାଇକରାୟଙ୍କ କୂଅରେ ପଡିଯାଇଥିଲା।

ଗାଢଭାଲୁଟି କାଶିପୁର ଗ୍ରାମର ପଦ୍ମାବତୀ ଦଳାଇ ନାମକ ଜଣେ ମହିଳାଙ୍କୁ କାମୁଡି ରକ୍ତାକ୍ତ କରିଥିଲା। ମହିଳା ଜଣଙ୍କ ଖୋର୍ଦ୍ଧା ମେଡିକାଲରେ ଭର୍ତ୍ତି ହୋଇଛନ୍ତି। ଗାଢଭାଲୁକୁ ଦେଖିବା ପାଇଁ ଲୋକେ ଜମା ହୋଇଥିଲେ। ଟାଙ୍ଗୀ ବନବିଭାଗ ଗାଢ ଭାଲୁକୁ ଉଦ୍ଧାର କରି ଜଂଗଲରେ ଛାଡିବାକୁ ନେଇଥିବା ଜଣାପଡିଛି। ତେବେ ତା ପୂର୍ବରୁ ତାହାର ସ୍ୱାସ୍ଥ୍ୟ ପରୀକ୍ଷା କରାଯିବ ବୋଲି ବନଵିଭାଗ ସୂଚନାରୁ ଜଣାପଡିଛି।

Categories
ଆଞ୍ଚଳିକ

ଜଗତସିଂହପୁର ଜିଲ୍ଲା ଆଇନସେବା ପ୍ରାଧିକରଣ ଓ ବନବିଭାଗ ପକ୍ଷରୁ ବୃକ୍ଷରୋପଣ କାର୍ଯ୍ୟକ୍ରମ

ରମେଶ ମହାନ୍ତି
ଜଗତସିଂହପୁର: ଜଗତସିଂହପୁର ଜିଲ୍ଲା ଆଇନସେବା ପ୍ରାଧିକରଣ ଓ ବନବିଭାଗ ମିଳିତ ଆନୁକୂଲ୍ୟରେ ନାଲିବର ଉଚ୍ଚ ବିଦ୍ୟାଳୟ ପରିସରରେ ବନମହୋତ୍ସବ ସପ୍ତାହ ଓ ବୃକ୍ଷରୋପଣ କାର୍ଯ୍ୟକ୍ରମ ଅନୁଷ୍ଠିତ ହୋଇଯାଇଛି। ଏହି କାର୍ଯ୍ୟକ୍ରମକୁ ଜିଲ୍ଲା ଆଇନସେବା ପ୍ରାଧିକରଣର ଅଧ୍ୟକ୍ଷ ତଥା ଜିଲ୍ଲା ଓ ଦୌରାଜଜ୍ ଆନନ୍ଦ ଚନ୍ଦ୍ର ବେହେରା ଆନୁଷ୍ଠାନିକ ଭାବେ ଉଦଘାଟନ କରିଥିଲେ।

ଆୟୋଜିତ ଏହି କାର୍ଯ୍ୟକ୍ରମରେ ଫାମିଲି କୋର୍ଟ ଜଜ୍ ଜୀବନଜ୍ୟୋତି ରଥ ,ଜିଲ୍ଲା ଆଇନସେବା ପ୍ରାଧିକରଣ ସଚିବ ସୁନନ୍ଦା ପାଢୀ, ସବଜଜ୍ (ଏଲ୍.ଆର୍) ଅଭୟ କୁମାର ଦାସ, ସିଭିଲ୍ କୋର୍ଟ ରେଜିଷ୍ଟାର୍ ସଦିପା ପାତ୍ର, ମୁନସଫ୍ ବିଷ୍ଣୁ ପ୍ରସାଦ ଦେବତା, ଜେ.ଏମ୍.ଏଫ୍.ସି ଝିଲିଲିନା ନାୟକ, ଫରେଷ୍ଟ ରେଞ୍ଜ ଅଧିକାରୀ ବଳରାମ ସାହୁ, ଫରେଷ୍ଟର୍ ସୁକାନ୍ତ ବେହେରା, ବାନାମ୍ବର ବିଶ୍ୱାଳ, ବିଜୟିନୀ ବିଶ୍ୱାଳ, ନାଲିବର ଉଚ୍ଚ ବିଦ୍ୟାଳୟର ପ୍ରଧାନଶିକ୍ଷକ ଉଲ୍ଲାସ ଚନ୍ଦ୍ର ନାୟକଙ୍କ ସମେତ ବିଦ୍ୟାଳୟର ସମସ୍ତ ଶିକ୍ଷକ/ଶିକ୍ଷୟତ୍ରୀ ,ଆଇନଜୀବୀ, ପାରାଲିଗାଲ୍ ସ୍ୱେଚ୍ଛାସେବୀଗଣ ଓ କୋର୍ଟର କର୍ମକର୍ତ୍ତାମାନେ ଉପସ୍ଥିତ ଥିଲେ।

Categories
ଆଜିର ଖବର ରାଜ୍ୟ ଖବର

ଆୟ ବର୍ହିଭୂତ ସମ୍ପତ୍ତି ଠୁଳ ଅଭିଯୋଗରେ ବନବିଭାଗର ଦୁଇ ଆକାଉଣ୍ଟାଣ୍ଟ୍ ଘରେ ଭିଜିଲାନସ ଚଢ଼ାଉ

ହେମାଙ୍ଗ ପ୍ରସାଦ ରାଉଳ
ବ୍ରହ୍ମପୁର: ଆୟ ବର୍ହିଭୂତ ସଂପତ୍ତି ଠୁଳ ଅଭିଯୋଗରେ ଆଜି ବ୍ରହ୍ମପୁର ଭିଜିଲାନସ ବିଭାଗ ପକ୍ଷରୁ ବ୍ରହ୍ମପୁର ବନଖଣ୍ଡ ଏବଂ ଚିଲିକା ୱାଇଲ୍ଡ ଲାଇଫ୍ ବନଖଣ୍ଡର ଦୁଇ ଆକାଉଣ୍ଟାଣ୍ଟ ଘର ଏବଂ ବିଭିନ୍ନ ସ୍ଥାନରେ ଏକକାଳୀନ ଚଢ଼ାଉ ହୋଇଛି। ବ୍ରହ୍ମପୁର ଭିଜିଲାନସ କେସ ନଂ ୪/୨୦୨୦ରେ ଚିଲିକା ୱାଇଲ୍ଡ ଲାଇଫ୍ ଡ଼ିଭିଜନ, ବାଲୁଗାଁର ଜୁନିୟର ଆକାଉଣ୍ଟାଣ୍ଟ ନବୀନ ଚନ୍ଦ୍ର ବିଷୋୟୀଙ୍କ ବ୍ରହ୍ମପୁର ନୀଳକଣ୍ଠନଗର ତୃତୀୟ ଲାଇନ୍ ଘର, ବାଲୁଗାଁ କାର୍ଯ୍ୟାଳୟ ଚାମ୍ବର, ଚିଲିକା ଫରେଷ୍ଟ ରେଷ୍ଟ ହାଉସ୍‌ରେ ଏକକାଳୀନ ଚଢ଼ାଉ ହୋଇଥିଲା। ଚଢ଼ାଉ ପରେ ତାଙ୍କର ସ୍ଥାବର ଓ ଅସ୍ଥାବର ସଂପତ୍ତିର ପରିମାଣ ଭିଜିଲାନସ ବିଭାଗ ପ୍ରଦାନ କରିଛି।

ବ୍ରହ୍ମପୁର ନୀଳକଣ୍ଠନଗର ତୃତୀୟ ଗଳିରେ ଥିବା ଘରର ମୂଲ୍ୟ ୯୬ଲକ୍ଷ ୪୦ହଜାର ୫୯୮ ଟଙ୍କା, ଜଟଣି ବଡ଼ରଘୁନାଥପୁର ମୌଜାରେ ଥିବା ୨ଟି ପ୍ଲଟ୍ ଯାହାର ମୂଲ୍ୟ ୩୨ହଜାର, ୫ ଲକ୍ଷ ୯୫ହଜାର ୨ଶହ ଟଙ୍କାର ଘର ସାମଗ୍ରୀ, ୯୦ହଜାର ୫ଶହ ଟଙ୍କା ସୁନା ଏବଂ ରୂପା ଅଳଙ୍କାର, ୫ ଲକ୍ଷ ୧୦ ହଜାର ୩୯୯ ଟଙ୍କାର ବିଭିନ୍ନ ବ୍ୟାଙ୍କରେ ଡ଼ିପୋଜିଟ୍‌, ୧ ଲକ୍ଷ ୪୧ହଜାର ୧୭୨ ନଗଦ ଟଙ୍କା, ଗୋଟିଏ ମୋଟର ସାଇକେଲ୍ ଯାହାର ମୂଲ୍ୟ ୯୩ହଜାର ଟଙ୍କା ଆକଳନ କରାଯାଇଛି। ସମୁଦାୟ ସଂପତ୍ତି ୧ କୋଟି ୧୧ ଲକ୍ଷ ୨ହଜାର ୮୭୬ ଟଙ୍କା ଆକଳନ କରିଛି ଭିଜିଲାନସ ବିଭାଗ। ସେ ୧୯୭୯ ରୁ ଜୁନିୟର କ୍ଲର୍କ ଭାବେ ଚିଲିକା ଡ଼ିଭିଜନରେ କାର୍ଯ୍ୟରତ ଅଛନ୍ତି।

ସେହିପରି ଆୟ ବର୍ହିଭୂତ ମାମଲା ୫/୨୦୨୦ ୱାରେଣ୍ଟରେ ବ୍ରହ୍ମପୁର ବନଖଣ୍ଡ ତଥା ବ୍ରହ୍ମପୁର ଡ଼ିଏଫ୍‌ଓ ଅଫିସରେ କାର୍ଯ୍ୟରତ ଜୁନିୟର ଆକାଉଣ୍ଟାଣ୍ଟ ସୂର୍ଯ୍ୟ ନାରାୟଣ ତ୍ରିପାଠୀଙ୍କ ବ୍ରହ୍ମପୁର କମାପଲ୍ଲୀ ନୃସିଂହ ମନ୍ଦିର ସାହିରେ ଥିବା ତିନି ମହଲା ଘର, ବ୍ରହ୍ମପୁର ତହସିଲ୍‌, ଆଙ୍କୁଲି ମୌଜା ବାବାଜୀ ଢ଼ାବା ନିକଟରେ ଥିବା ଆସିଆନା ଆପର୍ଟମେଣ୍ଟର ଫ୍ଲାଟ୍‌, ବ୍ରହ୍ମପୁର ଅଫିସ୍ ଚାମ୍ବରରେ ବ୍ରହ୍ମପୁର ଭିଜିଲାନସ ବିଭାଗ ପକ୍ଷରୁ ଏକକାଳୀନ ଚଢ଼ାଉ ହୋଇଥିଲା।

ସ୍ଥାବର ସଂପତ୍ତି ମଧ୍ୟରେ ନୃସିଂହ ମନ୍ଦିର ସାହିରେ ଥିବା ତିନି ମହଲା ଘର ଯାହାର ମୂଲ୍ୟ ୩୬ ଲକ୍ଷ ୫୨ହଜାର ୩୧୨ ଟଙ୍କା, ଆସିଆନା ଆପାର୍ଟମେଣ୍ଟରେ ଥିବା ପ୍ଲାଟ୍‌ର ମୂଲ୍ୟ ୧୨ଲକ୍ଷ ୩୮ହଜାର ୫୨୦ ଟଙ୍କା, ଆଙ୍କୁଲି ମୌଜାରେ ଥିବା ଏକ ଜାଗା ଯାହାର ମୂଲ୍ୟ ୧ଲକ୍ଷ ୧୭ହଜାର ୬୮୩ ଟଙ୍କା, ପଥରା ମୌଜାରେ ଥିବା ଏକ ଜାଗା ଯାହାର ମୂଲ୍ୟ ୨ ଲକ୍ଷ ୮୩ହଜାର ୩୫୦ ଟଙ୍କା ଆକଳନ କରାଯାଇଛି। ଅସ୍ଥାବର ସଂପତ୍ତି ଭାବେ ୨ ଲକ୍ଷ ୮୭ହଜାର ୮୫୦ ଟଙ୍କାର ଘର ସଜ୍ଜା ତଥା ଘର ଉପକରଣ, ୩ ଲକ୍ଷ ୨୧ହଜାର ୫୬୮ ଟଙ୍କାର ବିଭିନ୍ନ ବ୍ୟାଙ୍କ ଡ଼ିପୋଜିଟ୍‌, ୩୯ହଜାର ୬୫୦ ନଗଦ ଟଙ୍କା ଜବତ ହୋଇଛି।

ସମୁଦାୟ ସଂପତ୍ତିର ପରିମାଣ ୫୯ ଲକ୍ଷ ୭୦ହଜାର ୯୯୩ ଟଙ୍କା ଆକଳନ କରାଯାଇଛି। ଶ୍ରୀ ତ୍ରିପାଠୀ ୧୯୯୩ ମସିହାରେ ଚାକିରି ଜୀବନ ଆରମ୍ଭ କରି ସେ ବ୍ରହ୍ମପୁର ଡ଼ିଏପ୍‌ଓ ଅଫିସ୍‌ରେ ଜୁନିୟର ଆସିଷ୍ଟାଣ୍ଟ ଭାବେ କାର୍ଯ୍ୟରଥ ଅଛନ୍ତି। ଉଭୟ ମାମଲାରେ ଅଧିକ ଅନୁସନ୍ଧାନ ଜାରି ରହିଥିବା ଭିଜିଲାନସ ଏସ୍‌ପି ସୂଚନା ଦେଇଛନ୍ତି।