Categories
ଆଜିର ଖବର ଜାତୀୟ ଖବର

ପ୍ରଧାନମନ୍ତ୍ରୀଙ୍କ ଦ୍ୱାରା ଅଯୋଧ୍ୟା ଧାମ ଜଙ୍କସନ ରେଳଷ୍ଟେସନ ଉଦ୍‌ଘାଟିତ

ନୂଆଦିଲ୍ଲୀ: ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦୀ ଶନିବାର ନବ ବିକଶିତ ଅଯୋଧ୍ୟା ରେଳ ଷ୍ଟେସନର ଉଦ୍‌ଘାଟନ କରିବା ସହ ନୂତନ ଅମୃତ ଭାରତ ଓ ବନ୍ଦେ ଭାରତ ଟ୍ରେନର ଯାତ୍ରାରମ୍ଭ କରାଇଛନ୍ତି । ଏହା ବ୍ୟତୀତ ସେ କେତେକ ରେଳଷ୍ଟେସନଗୁଡିକୁ ରାଷ୍ଟ୍ର ଉଦ୍ଦେଶ୍ୟରେ ଉତ୍ସର୍ଗ କରିଛନ୍ତି ।

ଏକ ସାଧାରଣ କାର୍ଯ୍ୟକ୍ରମରେ ପ୍ରଧାନମନ୍ତ୍ରୀ କହିଛନ୍ତି ଯେ ବର୍ତ୍ତମାନ ଅଯୋଧ୍ୟାଧାମ ରେଳଷ୍ଟେସନରେ ଦଶହଜାର ଯାତ୍ରୀ ଯାତାୟତ କ୍ଷମତାଥିବା ବେଳେ ପୁନର୍ବିନ୍ୟାସ ପରେ ଏହା ୬୦ହଜାରକୁ ବୃଦ୍ଧି ପାଇବ । ନୂତନ ବନ୍ଦେ ଭାରତ ଓ ନମୋ ଭାରତ ପରେ ନୂତନ ଅମୃତ ଭାରତ ଟ୍ରେନ ଚଳାଚଳ କରିବ ଓ ଅଯୋଧ୍ୟା ଦେଇ ପ୍ରଥମ ଅମୃତ ଭାରତ ଟ୍ରେନ ଯାତ୍ରା କରିବ ବୋଲି ପ୍ରଧାନମନ୍ତ୍ରୀ କହିବା ସହ ସନ୍ତୋଷ ବ୍ୟକ୍ତ କରିଥିଲେ । ଆଜି ଏହି ସବୁ ଟ୍ରେନ ପାଇଥିବାରୁ ଶ୍ରୀ ମୋଦୀ ଉତ୍ତରପ୍ରଦେଶ, ଦିଲ୍ଲୀ, ବିହାର, ପଶ୍ଚିମବଙ୍ଗ ଓ କର୍ଣ୍ଣାଟକର ଜନସାଧାରଣଙ୍କୁ ଅଭିନନ୍ଦନ ଜଣାଇଥିଲେ ।

ଆଧୁନିକ ଅମୃତ ଭାରତ ଟ୍ରେନ ନିମନ୍ତେ ଗରିବମାନଙ୍କ ପାଇଁ ସେବା ମନୋଭାବ ଉପରେ ପ୍ରଧାନମନ୍ତ୍ରୀ ଆଲୋକପାତ କରିଥିଲେ । ଜନସାଧାରଣ ଯେଉଁମାନେ ବିଭିନ୍ନ କାମ ପାଇଁ ଦୂରସ୍ଥାନକୁ ଯାତ୍ରା କରିଥାନ୍ତି ଓ ସେମାନଙ୍କ ଆୟ କମ୍ ଥିଲେ ମଧ୍ୟ ସେମାନେ ଅତ୍ୟାଧୁନିକ ସୁବିଧା ଓ ଆରାମଦାୟକ ଯାତ୍ରା ନିମନ୍ତେ ହକ୍‌ଦାର। ଏହି ଟ୍ରେନଗୁଡିକ ଗରିବମାନଙ୍କ ଜୀବନ ମର୍ଯ୍ୟାଦାକୁ ଦୃଷ୍ଟିରେ ରଖି ତିଆରି କରାଯାଇଛି ବୋଲି ସେ କହିଥିଲେ ।

ବନ୍ଦେ ଭାରତ ଟ୍ରେନ ଗୁଡିକ ବିକାଶ ସହ ଐତିହ୍ୟକୁ ସଂଯୋଗ କରି ଚଳାଚଳ କରୁଛି । “ଦେଶର ପ୍ରଥମ ବନ୍ଦେ ଭାରତ ଏକ୍ସପ୍ରେସ ଟ୍ରେନ କାଶୀରୁ ଚଳାଚଳ ଆରମ୍ଭ କରିଥିଲା । ଆଜି ବନ୍ଦେ ଭାରତ ଦେଶର ୩୪ଟି ରେଳପଥ ଦେଇ ଚଳାଚଳ କରୁଛି । ବନ୍ଦେ ଭାରତ କାଶୀ, କଟ୍ରା, ଉଜ୍ଜୟିନୀ, ମଦୁରାଇ, ପୁଷ୍କର, ତିରୁପତି, ସିରିଡି, ଅମୃତସର ଭଳି ପ୍ରତ୍ୟେକ ଆସ୍ଥାର ବିରାଟ କେନ୍ଦ୍ରମାନ ଦେଇ ଯାତ୍ରା କରୁଛି । ଏହି ଧାରାରେ ଆଜି ଅଯୋଧ୍ୟା ମଧ୍ୟ ବନ୍ଦେ ଭାରତ ଟ୍ରେନ ଉପହାର ଭାବେ ପାଇଛି’ ବୋଲି ଶ୍ରୀ ମୋଦୀ କହିଥିଲେ ।

ଅଯୋଧ୍ୟାଧାମ ଜଙ୍କସନ ରେଳଷ୍ଟେସନ ଭାବେ ପରିଚିତ ନବ ବିକଶିତ ଅଯୋଧ୍ୟା ରେଳଷ୍ଟେସନର ପ୍ରଥମ ପର୍ଯ୍ୟାୟ ୨୪୦କୋଟି ଟଙ୍କାରୁ ଅଧିକ ବ୍ୟୟରେ ବିକଶିତ ହୋଇଛି । ଏହି ତିନିମହଲା ରେଳଷ୍ଟେସନ ଭବନରେ ଲିଫ୍ଟ, ଚଳମାନ ସିଡି, ଫୁଡ ପ୍ଲାଜା, ପୂଜା ସାମଗ୍ରୀ ଦୋକାନ, ଶିଶୁ ଯତ୍ନ ପ୍ରକୋଷ୍ଠ, କ୍ଲକରୁମ ଓ ପ୍ରତୀକ୍ଷାଳୟ ଇତ୍ୟାଦିର ସୁବିଧା ରହିଛି । ଏହି ଷ୍ଟେସନ ଭବନ ସମସ୍ତଙ୍କ ନିମନ୍ତେ ପ୍ରବେଶ ଯୋଗ୍ୟ ଓ ଆଇଜିବିସି ପ୍ରମାଣିତ ସବୁଜ ଷ୍ଟେସନ ଭବନ ଅଟେ ।

ଅଯୋଧ୍ୟା ଧାମ ରେଳଷ୍ଟେସନରେ ଆୟୋଜିତ କାର୍ଯ୍ୟକ୍ରମରେ ପ୍ରଧାନମନ୍ତ୍ରୀ ଦେଶର ଅତ୍ୟନ୍ତ ତୀବ୍ରଗତି ଯୁକ୍ତ ନୂତନ ପାସେଞ୍ଜର ଟ୍ରେନ ଅମୃତ ଭାରତ ଏକ୍ସପ୍ରେସକୁ ସବୁଜ ପତାକା ଦେଖାଇ ଯାତ୍ରାରମ୍ଭ କରାଇଥିଲେ । ଅମୃତ ଭାରତ ଟ୍ରେନ ହେଉଛି ଏକ ଅଣ ବାତାନୁକୂଳିତ ଡବା ବିଶିଷ୍ଟ ପୁଲ ଆଣ୍ଡ ପୁସ୍ ଏଲ.ଏଚ.ବି. ଟ୍ରେନ । ଉତ୍ତମ ଗତି ଧରିବା ପାଇଁ ଟ୍ରେନର ଉଭୟ ପାର୍ଶ୍ଵରେ ଲୋକୋ ଇଞ୍ଜିନ ରହିଛି । ଏଥିରେ ସୁନ୍ଦର ଓ ଆକର୍ଷଣୀୟ ବସିବା ସ୍ଥାନ, ଉନ୍ନତ ଜିନିଷପତ୍ର ରଖିବା ରାକ, ମୋବାଇଲ ଚାର୍ଜିଂ ପଏଂଟ ଓ ହୋଲ୍ଡର, ଏଲଇଡି ଲାଇଟ୍‌, ସିସିଟିଭି ସାଧାରଣ ସୂଚନା ପ୍ରଦାନକାରୀ ବ୍ୟବସ୍ଥା ଇତ୍ୟାଦି ରହିଛି । ପ୍ରଧାନମନ୍ତ୍ରୀ ଛଅଟି ନୂତନ ବନ୍ଦେ ଭାରତ ଟ୍ରେନ ଚଳାଚଳ ଶୁଭାରମ୍ଭ ମଧ୍ୟ କରାଇଥିଲେ ।

ପ୍ରଧାନମନ୍ତ୍ରୀ ଦରଭଙ୍ଗା-ଅଯୋଧ୍ୟା-ଆନନ୍ଦ ବିହାର ଟର୍ମିନାଲ ଓ ମାଲଦା ଟାଉନ -ସାର ଏମ୍‌. ବିଶ୍ୱେସରାୟ ଟର୍ମିନସ୍ (ବେଙ୍ଗାଲୁରୁ) ଅମୃତ ଭାରତ ଏକ୍ସପ୍ରେସ ଦୁଇଟିକୁ ପତାକା ଦେଖାଇ ଯାତ୍ରାରମ୍ଭ କରାଇଥିଲେ । ଉଦ୍‌ଘାଟନୀ ଅମୃତ ଟ୍ରେନରେ ଯାତ୍ରା କରୁଥିବା ବିଦ୍ୟାଳୟ ଛାତ୍ରଛାତ୍ରୀଙ୍କ ସହ ପ୍ରଧାନମନ୍ତ୍ରୀ କଥାବାର୍ତ୍ତା ହୋଇଥିଲେ ।

ପ୍ରଧାନମନ୍ତ୍ରୀ ମଧ୍ୟ ଛଅଟି ନୂତନ ବନ୍ଦେ ଭାରତ ଏକ୍ସପ୍ରେସ ଯାତ୍ରାର ଶୁଭାରମ୍ଭ କରାଇଥିଲେ । ସେଗୁଡିକ ମଧ୍ୟରେ ଶ୍ରୀ ମାତା ବୈଷ୍ଣୋଦେବୀ କଟ୍ରା- ନୂଆଦିଲ୍ଲୀ ବନ୍ଦେ ଭାରତ ଏକ୍ସପ୍ରେସ, ଅମୃତସର-ଦିଲ୍ଲୀ ବନ୍ଦେ ଭାରତ ଏକ୍ସପ୍ରେସ, କୋଇମ୍ବାଟୁର-ବାଙ୍ଗାଲୋର କ୍ୟାଣ୍ଟନମେଣ୍ଟ ବନ୍ଦେ ଭାରତ ଏକ୍ସପ୍ରେସ, ମାଙ୍ଗାଲୋର -ମାଡଗାଓଁ ବନ୍ଦେ ଭାରତ ଏକ୍ସପ୍ରେସ, ଜାଲନା-ମୁମ୍ବାଇ ବନ୍ଦେ ଭାରତ ଏକ୍ସପ୍ରେସ ଓ ଅଯୋଧ୍ୟା-ଆନନ୍ଦ ବିହାର ଟର୍ମିନାଲ ବନ୍ଦେ ଭାରତ ଏକ୍ସପ୍ରେସ ।

ସେ ଅଞ୍ଚଳରେ ରେଳ ଭିତ୍ତିଭୂମି ମଜବୁତ କରିବା ପାଇଁ ପ୍ରଧାନମନ୍ତ୍ରୀ ୨୩୦୦ କୋଟି ଟଙ୍କାର ତିନିଟି ରେଳପ୍ରକଳ୍ପ ଜାତି ଉଦ୍ଦେଶ୍ୟରେ ଉତ୍ସର୍ଗ କରିଥିଲେ । ଏହି ପ୍ରକଳ୍ପଗୁଡିକ ମଧ୍ୟରେ ରୁମା-ଚକେରୀ-ଚନ୍ଦେରୀ ତୃତୀୟ ରେଳପଥ ପ୍ରକଳ୍ପ, ଜଉନପୁର-ତୁଳସୀନଗର, ଆକବରପୁର-ଅଯୋଧ୍ୟା, ସୋହୱାଲ-ପତରଙ୍ଗା ଏବଂ ସଫଦରଜଙ୍ଗ-ରସୌଲୀ, ଜଉନପୁର-ଅଯୋଧ୍ୟା-ବରାବାଙ୍କୀ ରେଳପଥ ଦୋହରୀକରଣ ପ୍ରକଳ୍ପ ଓ ମହ୍ଲାପୁର-ଦାଲିଗଞ୍ଜ ରେଳ ସେକ୍ସନ ରେଳପଥ ଦୋହରୀକରଣ ଓ ବିଦ୍ୟୁତକରଣ ପ୍ରକଳ୍ପ ।

Categories
ଆଜିର ଖବର ରାଜ୍ୟ ଖବର

ଓଡ଼ିଶାରେ ‘ଦ୍ୱିତୀୟ ବନ୍ଦେ ଭାରତ ଏକ୍ସପ୍ରେସ ଟ୍ରେନ’ର ଶୁଭାରମ୍ଭ କଲେ ପ୍ରଧାନମନ୍ତ୍ରୀ ମୋଦି

ଭୁବନେଶ୍ୱର: ବିଗତ ବର୍ଷ ମାନଙ୍କରେ ରେଳବାଇ କ୍ଷେତ୍ରରେ ଓଡ଼ିଶାକୁ ପୂର୍ବରୁ କରାଯାଇଥିବା ଅଣଦେଖା ମୋଦି ସରକାରରେ ଦୂର ହୋଇଛି। ଆଜି ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦିଙ୍କ ନେତୃତ୍ୱରରେ ଅମୃତକାଳରେ ଯାତ୍ରୀ ସୁବିଧା ବଢିବା ସହ ଓଡ଼ିଶାର ରେଳବାଇର ବ୍ୟାପକ ଉନ୍ନତି ହେଉଛି ବୋଲି କହିଛନ୍ତି କେନ୍ଦ୍ର ଶିକ୍ଷା, ଦକ୍ଷତା ବିକାଶ ଓ ଉଦ୍ୟମିତା ମନ୍ତ୍ରୀ ଧର୍ମେନ୍ଦ୍ର ପ୍ରଧାନ।

ରବିବାର ଭୁବନେଶ୍ୱର ରେଳ ଷ୍ଟେସନ ଠାରେ ପ୍ରଧାନମନ୍ତ୍ରୀଙ୍କ ଦ୍ୱାରା ଓଡ଼ିଶାର ଦ୍ୱିତୀୟ ବନ୍ଦେ ଭାରତ ଏକ୍ସପ୍ରେସ ଟ୍ରେନ ସମେତ ଦେଶରେ ୯ଟି ବନ୍ଦେ ଭାରତ ଟ୍ରେନର ଶୁଭାରମ୍ଭ କାର୍ଯ୍ୟକ୍ରମରେ ଯୋଗଦେଇ ଶ୍ରୀ ପ୍ରଧାନ ଏହା କହିଛନ୍ତି । ଶ୍ରୀ ପ୍ରଧାନ କହିଛନ୍ତି ଯେ ଆଜି ସମଗ୍ର ଭାରତବର୍ଷ ଓ ଓଡ଼ିଶା ପାଇଁ ଏକ ଗୌରବର ଦିନ । ପ୍ରଧାନମନ୍ତ୍ରୀଙ୍କ କରକମଳରେ ଓଡ଼ିଶାର ସାଂସ୍କୃତିକ ରାଜଧାନୀ ଶ୍ରୀଜଗନ୍ନାଥ ପୁରୀରୁ ଭୁବନେଶ୍ୱର ଦେଇ ଇସ୍ପାତ ନଗରୀ ରାଉରକେଲା ପର୍ଯ୍ୟନ୍ତ ‘ବନ୍ଦେ ଭାରତ ଟ୍ରେନ’ର ଚଳାଚଳ ଶୁଭାରମ୍ଭ ହୋଇଛି । ଏହା ଖୁସିର ବିଷୟ ।  ଓଡ଼ିଶା ଏବଂ ଦେଶରେ ଯାତ୍ରୀ ସୁବିଧାକୁ ପ୍ରାଥମିକତା ଦେଇଥିବାରୁ ପ୍ରଧାନମନ୍ତ୍ରୀ ଓ ରେଳ ମନ୍ତ୍ରୀ ଅଶ୍ୱିନୀ ବୈଷ୍ଣବଙ୍କୁଧନ୍ୟବାଦ ଜଣାଇବା ସହ କେନ୍ଦ୍ରମନ୍ତ୍ରୀ କହିଛନ୍ତି ଯେ  ପ୍ରଥମ ପର୍ଯ୍ୟାୟରେ ବନ୍ଦେ ଭାରତ ଦେଶର ପ୍ରାୟ ସବୁ ରାଜ୍ୟ ଏବଂ କେନ୍ଦ୍ର ଶାସିତ ଅଞ୍ଚଳରେ ଚଳାଚଳ ହେଲା । ଏବେ ଦ୍ୱିତୀୟ ପର୍ଯ୍ୟାୟରେ ରାଜ୍ୟରେ ଧୀରେ ଧୀରେ ଦ୍ୱିତୀୟ ବନ୍ଦେ ଭାରତ ଟ୍ରେନ ଚଳାଚଳ ହେଉଛି ।

ଆଜି ପ୍ରଧାନମନ୍ତ୍ରୀ ମୋଦି ଦେଶରେ ୧୧ ରାଜ୍ୟକୁ ଯୋଡୁଥିବା ୯ଟି ବନ୍ଦେ ଭାରତ ଟ୍ରେନର ଶୁଭାରମ୍ଭ କରିଛନ୍ତି । ବନ୍ଦେ ଭାରତ ଏକ୍ସପ୍ରେସ ନୂଆ ଭାରତର ସାମର୍ଥ୍ୟ, ସମ୍ଭାବନା ଏବଂ ସଂକଳ୍ପର ପ୍ରତୀକ’ । ଶୁଭାରମ୍ଭ ହୋଇଥିବା ଦ୍ୱିତୀୟ ବନ୍ଦେ ଭାରତ ଟ୍ରେନ୍ ରାଉରକେଲା, ଝାରସୁଗୁଡା, ରେଢ଼ାଖୋଲ, ସମ୍ବଲପୁର, ଅନୁଗୋଳ, ତାଳଚେର, ଢେଙ୍କାନାଳ, କଟକ, ଖୋର୍ଦ୍ଧା, ଭୁବନେଶ୍ଵର ଦେଇ ପୁରୀ ଯାତାୟତ କରିବ । ଏହା ଦ୍ୱାରା ପୁରୀ ଓ ସମ୍ବଲପୁରରେ ଧାର୍ମିକ ପର୍ଯ୍ୟଟନରେ ଅଭିବୃଦ୍ଧି ହେବା ସହ ଆର୍ଥିକ ବିକାଶ ହେବ ଏବଂ ବ୍ୟବସାୟର ସୁଯୋଗ ବୃଦ୍ଧି ହେବ ।

ରେଳ ଦୂରତାକୁ କମାଇଥାଏ । ମହାତ୍ମା ଗାନ୍ଧି ରେଳରେ ବୁଲି ଦେଶରେ ଜାଗରଣ ତିଆରି କରିଥିଲେ । ଏକବିଂଶ ଶତାବ୍ଦୀରେ ଅମୃତ କାଳର ପିଢି ତିଆରି କଲାବେଳେ ବୁଲେଟ ଟ୍ରେନ୍ କଲା ଭଳି ଓଡ଼ିଶାରେ ଟ୍ରେନ୍ ଚଳାଚଳ ହେଉଛି । ପୂର୍ବରୁ ଗତ ମଇ ମାସରେ ପ୍ରଧାନମନ୍ତ୍ରୀଙ୍କ ଦ୍ୱାରା ପ୍ରଥମେ ପୁରୀ-ହାଓ୍ୱଡ଼ା ବନ୍ଦେ ଭାରତ ଟ୍ରେନର ଲୋକାର୍ପଣ ହୋଇଥିବା ବେଳେ କମ୍ ସମୟର ବ୍ୟବଧାନରେ ପୁରୀ- ଭୁବନେଶ୍ୱର- ରାଉରକେଲା ବନ୍ଦେ ଭାରତ ଟ୍ରେନ ଶୁଭାରମ୍ଭ ହୋଇଯାଇଛି । ଏହି ପରିପ୍ରେକ୍ଷୀରେ  ଓଡ଼ିଶାରେ ତୃତୀୟ ବନ୍ଦେ ଭାରତ ଟ୍ରେନର ଯୋଜନା ଆରମ୍ଭ ହେଲେ ଉକ୍ତ ଟ୍ରେନକୁ ପୁରୀରୁ ଭାୟା ସମ୍ବଲପୁର, ବରଗଡ଼, କଳାହାଣ୍ଡି, ନୂଆପଡା ଦେଇ ରାୟପୁର ପର୍ଯ୍ୟନ୍ତ ଚଳାଚଳ କରିବା ପାଇଁ ପ୍ରଧାନମନ୍ତ୍ରୀ ଓ ରେଳ ମନ୍ତ୍ରୀଙ୍କୁ ଅନୁରୋଧ କରିଛନ୍ତି କେନ୍ଦ୍ରମନ୍ତ୍ରୀ ।

ପୂର୍ବରୁ ଓଡ଼ିଶାରେ ରେଳ କହିଲେ ଖୋର୍ଦ୍ଧାକୁ ବୁଝାଯାଉଥିଲା । ପୂର୍ବ ସରକାରରେ ଓଡ଼ିଶାରେ ରେଳ ଅନୁଦାନ ବର୍ଷକୁ ହଜାର କୋଟି ଟଙ୍କା ଆସୁନଥିବା ବେଳେ ଆଜି ମୋଦି ସରକାରରେ ବିନା ଦାବିରେ ରେକର୍ଡସଂଖ୍ୟକ ରେଳ ଅନୁଦାନ ଆସୁଛି । ଓଡ଼ିଶାର ପୁରୀ, କଟକ, ଚାଳଚେର ରୋଡ, ରାଉରକେଲା, ବାଲେଶ୍ୱର, ସମ୍ବଲପୁର, ଭଦ୍ରକ, ବ୍ରହ୍ମପୁର ସମେତ ୫୭ଟି ରେଳ ଷ୍ଟେସନକୁ ନବୀକରଣ କରିବାର କାମ ଚାଲୁରହିଛି । ସବୁ ରେଳ ଲାଇନର ଶତପ୍ରତିଶତ ବିଦ୍ୟୁତିକରଣ ହୋଇଛି । ନୂଆ ନୂଆ ରେଳ ଲାଇନ ହେଉଛି । ଯାଜପୁର ରୋଡରୁ ଧାମରା, ଦେବଗଡର ବାରକୋଟରୁ କୁଚିଣ୍ଡା ସବଡିଭିଜନ ଦେଇ ଝାରସୁଗୁଡା ପର୍ଯ୍ୟନ୍ତ ରେଳଲାଇନ ପାଇଁ ସର୍ଭେ କରିବାକୁ ଅର୍ଥ ମଞ୍ଜୁର ହୋଇଛି । ଓଡ଼ିଶାର ସବୁ ସ୍ଥାନରେ ରେଳ ଭିତ୍ତିଭୂମିକୁ ସୁଦୃଢ କରିବା ପାଇଁ ଭାରତ ସରକାର ପ୍ରତିବଦ୍ଧ ବୋଲି ଶ୍ରୀ ପ୍ରଧାନ କହିଛନ୍ତି ।

ଏହି ଅବସରରେ ଶ୍ରୀ ପ୍ରଧାନ ଲୋକାର୍ପିତ ବନ୍ଦେ ଭାରତ ଟ୍ରେନରେ ଭୁବନେଶ୍ୱରରୁ ଅନୁଗୁଳ ପର୍ଯ୍ୟନ୍ତ ଯାତ୍ରା କରିଥିଲେ । ଛାତ୍ରଛାତ୍ରୀ ଏବଂ ଯାତ୍ରୀଙ୍କ ଠାରୁ ବନ୍ଦେ ଭାରତ ଟ୍ରେନ ଯାତ୍ରାର ଅନୁଭୂତି ବୁଝିଥିଲେ । କେନ୍ଦ୍ରମନ୍ତ୍ରୀଙ୍କୁ କଟକ, ଢେଙ୍କାନାଳ, ଅନୁଗୋଳ ସମେତ ବିଭିନ୍ନ ରେଳ ଷ୍ଟେସନ ଠାରେ ସ୍ୱାଗତ କରାଯାଇଥିଲା ।

Categories
ଆଜିର ଖବର ଜାତୀୟ ଖବର

ୟୁପିର ଆଗ୍ରାରେ ବନ୍ଦେ ଭାରତ ଟ୍ରେନ ଉପରକୁ ପଥର ମାଡ଼, ଭାଙ୍ଗିଲା ଝରକା କାଚ

ଆଗ୍ରା: ଉତ୍ତରପ୍ରଦେଶର ଆଗ୍ରା ଠାରେ ବନ୍ଦେ ଭାରତ ଟ୍ରେନ ଉପରକୁ ପଥର ଫିଙ୍ଗିବା ଘଟଣା ସାମ୍ନାକୁ ଆସିଛି। ଅଧିକାରୀମାନେ କହିଛନ୍ତି ଯେ, ବୁଧବାର ଦିନ ଆଗ୍ରା ରେଲୱେ ଡିଭିଜନରେ ଭୋପାଲରୁ ଦିଲ୍ଲୀର ନିଜାମୁଦ୍ଦିନ ଷ୍ଟେସନ ପର୍ଯ୍ୟନ୍ତ ଚାଲୁଥିବା ବନ୍ଦେ ଭାରତ ଟ୍ରେନରେ ପଥର ଫିଙ୍ଗା ଯାଇଥିଲା, ଯେଉଁଥିପାଇଁ ଟ୍ରେନର ଝରକା କୋଚ ଭାଙ୍ଗି ଯାଇଥିଲା। ସି -୭ କୋଚର ୧୩-୧୪ ସିଟ୍ ର ଝରକା କାଚ ଭାଙ୍ଗି ଯାଇଥିଲା। ସୂଚନା ପାଇବା ପରେ ରେଳବାଇ ଦଳ ଘଟଣାସ୍ଥଳରେ ପହଞ୍ଚିଥିଲେ।

ଆଗ୍ରା ରେଳ ବିଭାଗର PRO ପ୍ରଶସ୍ତି ଶ୍ରୀବାସ୍ତବ କହିଛନ୍ତି ଯେ, ଘଟଣାର ତଦନ୍ତ କରାଯାଉଛି। ଏହି ଘଟଣାରେ କୌଣସି ଯାତ୍ରୀ ଆହତ ହୋଇନାହାଁନ୍ତି। ପ୍ରକାଶ ଯେ, ବନ୍ଦେ ଭାରତ ଟ୍ରେନରେ ପଥର ଫିଙ୍ଗିବା ଏହା ପ୍ରଥମ ଘଟଣା ନୁହେଁ।

Categories
ଆଜିର ଖବର ଜାତୀୟ ଖବର

ଗୋରଖପୁର ରେଳ ଷ୍ଟେସନରୁ ଦୁଇଟି ବନ୍ଦେ ଭାରତ ଟ୍ରେନକୁ ପତାକା ଦେଖାଇ ଶୁଭାରମ୍ଭ କଲେ ପ୍ରଧାନମନ୍ତ୍ରୀ

ଗୋରଖପୁର: ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦୀ ଉତ୍ତରପ୍ରଦେଶର ଗୋରଖପୁର ରେଳ ଷ୍ଟେସନରୁ ଦୁଇଟି ବନ୍ଦେ ଭାରତ ଏକ୍ସପ୍ରେସ ଟ୍ରେନକୁ ପତାକା ଦେଖାଇ ଶୁଭାରମ୍ଭ କରିଛନ୍ତି। ଦୁଇଟି ବନ୍ଦେ ଭାରତ ଟ୍ରେନ୍ ହେଉଛି ଗୋରଖପୁର – ଲକ୍ଷ୍ନୌ ବନ୍ଦେ ଭାରତ ଏକ୍ସପ୍ରେସ ଏବଂ ଯୋଧପୁର – ଅହମ୍ମଦାବାଦ (ସାବରମତୀ) ବନ୍ଦେ ଭାରତ ଏକ୍ସପ୍ରେସ। ପ୍ରଧାନମନ୍ତ୍ରୀ ଗୋରଖପୁର ରେଳ ଷ୍ଟେସନର ପୁନଃବିକାଶ ପାଇଁ ଭିତ୍ତିପ୍ରସ୍ତର ସ୍ଥାପନ କରିଥିଲେ , ଯାହା ପାଇଁ ଆନୁମାନିକ ବ୍ୟୟ ପ୍ରାୟ ୪୯୮ କୋଟି  ଟଙ୍କା ରହିଛି ଏବଂ ସେ ପ୍ରସ୍ତାବିତ ଗୋରଖପୁର ରେଳ ଷ୍ଟେସନର ମଡେଲକୁ ମଧ୍ୟ ଯାଞ୍ଚ କରିଥିଲ ।

ପ୍ରଧାନମନ୍ତ୍ରୀଙ୍କ ସହ ଉତ୍ତରପ୍ରଦେଶର ରାଜ୍ୟପାଳ ଶ୍ରୀମତୀ ଆନନ୍ଦି ବେନ୍ ପଟେଲ, ଉତ୍ତରପ୍ରଦେଶର ମୁଖ୍ୟମନ୍ତ୍ରୀ ଯୋଗୀ ଆଦିତ୍ୟନାଥ ଏବଂ ଗୋରଖପୁରର ସାଂସଦ ରବି କିଷାନ ମଧ୍ୟ ଏଠାରେ ଉପସ୍ଥିତ ଥିଲେ।

ପୃଷ୍ଠଭୂମି

ଗୋରଖପୁର – ଲକ୍ଷ୍ନୌ ବନ୍ଦେ ଭାରତ ଏକ୍ସପ୍ରେସ ଅଯୋଧ୍ୟା ଦେଇ ଯାତ୍ରା କରିବ ଏବଂ  ପର୍ଯ୍ୟଟନ କ୍ଷେତ୍ରକୁ ବୃଦ୍ଧି କରିବା ସହିତ ରାଜ୍ୟର ଗୁରୁତ୍ୱପୂର୍ଣ୍ଣ ସହର ଗୁଡ଼ିକ ସହ ଯୋଗାଯୋଗରେ ଉନ୍ନତି ଆଣିବ। ଯୋଧପୁର – ସାବରମତୀ ବନ୍ଦେ ଭାରତ ଏକ୍ସପ୍ରେସ ଯୋଧପୁର, ଆବୁ ରୋଡ, ଏବଂ ଅହମ୍ମଦାବାଦ ଭଳି ପ୍ରସିଦ୍ଧ ସ୍ଥାନଗୁଡିକ ସହିତ ସଂଯୋଗକୁ ବୃଦ୍ଧି କରିବ ଏବଂ ଏହି ଅଞ୍ଚଳର ସାମାଜିକ – ଅର୍ଥନୈତିକ ବିକାଶକୁ ବୃଦ୍ଧି କରିବ।

ପ୍ରାୟ ୪୯୮ କୋଟି ଟଙ୍କା ବ୍ୟୟରେ ହେବାକୁ ଯାଉଥିବା ଗୋରଖପୁର ରେଳ ଷ୍ଟେସନର ପୁନଃନିର୍ମାଣ ନିମନ୍ତେ ଭିତ୍ତି ପ୍ରସ୍ତର ସ୍ଥାପନ ଯାତ୍ରୀ ମାନଙ୍କୁ ବିଶ୍ୱ ସ୍ତରୀୟ ସୁବିଧା ପ୍ରଦାନ କରିବ।

Categories
ଆଜିର ଖବର ଜାତୀୟ ଖବର

ଡେରାଡୁନରୁ ଦିଲ୍ଲୀ ବନ୍ଦେ ଭାରତ ଟ୍ରେନ ଯାତ୍ରାକୁ ପତାକା ଦେଖାଇ ଶୁଭାରମ୍ଭ କଲେ ପ୍ରଧାନମନ୍ତ୍ରୀ

ନୂଆଦିଲ୍ଲୀ: ପ୍ରଧାନମନ୍ତ୍ରୀ ଆଜି (୨୫-୦୫-୨୦୨୩) ଡେରାଡୁନରୁ ଦିଲ୍ଲୀ ପର୍ଯ୍ୟନ୍ତ ବଂଦେ ଭାରତ ଏକ୍ସପ୍ରେସକୁ ଆଭାସୀ ମାଧ୍ୟମରେ ପତାକା ଦେଖାଇ ଯାତ୍ରାର ଶୁଭାରମ୍ଭ କରାଇଛନ୍ତି। ସେ ମଧ୍ୟ ନୂତନ ଭାବେ ବିଦୁତକରଣ ହୋଇଥିବା ରେଳପଥର ଉଦଘାଟନ କରିବା ସହ ଉତ୍ତରାଖଣ୍ଡକୁ ଶତପ୍ରତିଶତ ରେଳ ବିଦୁତକରଣ ରାଜ୍ୟ ଘୋଷଣା କରିଛନ୍ତି।

ଉପସ୍ଥିତ ଜନତାଙ୍କୁ ଉଦବୋଧନ ଦେଇ ପ୍ରଧାନମନ୍ତ୍ରୀ ଉତ୍ତରାଖଣ୍ଡର ସମସ୍ତଙ୍କୁ ଡେରାଡୁନ-ଦିଲ୍ଲୀ ମଧ୍ୟରେ ବଂଦେ ଭାରତ ଏକ୍ସପ୍ରେସ ଚଳାଚଳ ପାଇଁ ଅଭିନନ୍ଦନ ଜଣାଇବା ସହ ଏହି ଟ୍ରେନ ଦେଶର ରାଜଧାନୀକୁ ଦେବଭୂମି ଉତ୍ତରାଖଣ୍ଡ ସହ ସଂଯୋଗ କରିବ ବୋଲି କହିଥିଲେ। ଦୁଇ ନଗରୀ ମଧ୍ୟରେ ଯାତ୍ରା ଅବଧି ଆହୁରି ହ୍ରାସ ପାଇବ ଓ ଟ୍ରେନରେ ଥିବା ସୁବିଧା ଯାତ୍ରୀମାନଙ୍କୁ ଏକ ଆମୋଦଦାୟକ ଅଭିଜ୍ଞତା ଦେବ।

“ତାଙ୍କର ତିନି ଦେଶ ଜାପାନ, ପାପୁଆ ନିଉ ଗିନି ଓ ଅଷ୍ଟ୍ରେଲିଆ ଯାତ୍ରା ଉପରେ ଆଲୋକପାତ କରି ପ୍ରଧାନମନ୍ତ୍ରୀ କହିଥିଲେ ଯେ ସମଗ୍ର ବିଶ୍ୱ ଭାରତ ଠାରୁ ଅନେକ ଆଶା ରଖିଛି । ଯେତେବେଳେ ଆର୍ଥିକ ମଜଭୁତି ଓ ଦାରିଦ୍ର୍ୟ ବିରୁଦ୍ଧରେ ସଂଗ୍ରାମ ପ୍ରଶ୍ନ ଉଠେ ସେତେବେଳେ ବିଶ୍ୱ ନିମନ୍ତେ ଭାରତ ହିଁ ଏକ ଆଶାର କିରଣ ଭାବେ ଉଙ୍କି ମାରିଥାଏ” ବୋଲି ପ୍ରଧାନମନ୍ତ୍ରୀ କହିଥିଲେ । ସେ ମଧ୍ୟ ଭାରତର ବୈଶ୍ୱିକ କରୋନା ଭୂତାଣୁ ମୁକାବିଲା ଏବଂ ଦେଶରେ ବିଶ୍ୱର ବୃହତମ ଟିକାକରଣ ଅଭିଯାନର ସଫଳତା ଉପରେ କହିଥିଲେ । ଯେତେବେଳେ ଭାରତ ବାହାରୁ ଅନେକ ଭାରତକୁ ଆସୁଛନ୍ତି ସେତେବେଳେ ଉତ୍ତରାଖଣ୍ଡ, ଭଳି ସୁନ୍ଦର ରାଜ୍ୟ ଏହି ପରିସ୍ଥିତିରେ ସୁଯୋଗ ନେବା ଆବଶ୍ୟକ । ବଂଦେ ଭାରତ ଏକ୍ସପ୍ରେସ ଯୋଗୁ ଉତ୍ତରାଖଣ୍ଡ ଏହି ସୁଯୋଗର ସମ୍ପୂର୍ଣ୍ଣ ସୁବିଧା ନେବ ବୋଲି ପ୍ରଧାନମନ୍ତ୍ରୀ କହିଥିଲେ ।

ପ୍ରଧାନମନ୍ତ୍ରୀ ଯେତେବେଳେ କେଦାରନାଥ ଗସ୍ତ କରିଥିଲେ, ସେତେବେଳେ ତାଙ୍କ ମନରୁ ସ୍ୱତଃ ଗୁଞ୍ଜରି ଉଠିଥିଲା ‘ଏହି ଦଶନ୍ଧି ଉତ୍ତରାଖଣ୍ଡର ଦଶନ୍ଧି’ ତାହା ସେ ମନେ ପକାଇଥିଲେ । ଆଇନ ଶୃଙ୍ଖଳା ପରିସ୍ଥିତି ମଜଭୁତ ରଖିବା ସହ ରାଜ୍ୟର ବିକାଶ ସାଧିତ ହେଉଥିବାରୁ ପ୍ରଧାନମନ୍ତ୍ରୀ ତାହାର ପ୍ରଶଂସା କରିଥିଲେ । “ବିଶ୍ୱ ଆଧ୍ୟାତ୍ମିକ ଚେତନାର ଦେବଭୂମି କେନ୍ଦ୍ର ହେବ” ବୋଲି ପ୍ରଧାନମନ୍ତ୍ରୀ ଆଶା ପୋଷଣ କରିଥିଲେ । ଏହାର ସାମର୍ଥ୍ୟକୁ ବୁଝି କାର୍ଯ୍ୟ କରିବାକୁ ପଡ଼ିବ । ଚାରିଧାମ ଯାତ୍ରାରେ ତୀର୍ଥଯାତ୍ରୀ ସଂଖ୍ୟା ଦିନକୁ ଦିନ ରେକର୍ଡ ଭାଙ୍ଗି ଚାଲିଛି । ସେ ମଧ୍ୟ ବାବା କେଦାର, ହରିଦ୍ୱାରର କୁମ୍ଭ, ଅର୍ଦ୍ଧକୁମ୍ଭ ଓ କନୱର ଯାତ୍ରାକୁ ଆସୁଥିବା ଭକ୍ତମାନଙ୍କ ସମ୍ପର୍କରେ କହିଥିଲେ । ଅନେକ ରାଜ୍ୟକୁ ଏତେ ସଂଖ୍ୟାରେ ଭକ୍ତ ଆସୁନାହାନ୍ତି । ସେ ଦୃଷ୍ଟିରୁ ଏହା ଏକ ଉପହାର ଓ ଚିରସ୍ମରଣୀୟ କାର୍ଯ୍ୟ । “ଡବଲ ଇଞ୍ଜିନ ସରକରା ଦ୍ୱିଗୁଣ ଅଧିକ ଶକ୍ତି ଓ ଗତିରେ କାର୍ଯ୍ୟ କରିବା ସହ ଏହି ଭଗୀରଥ କାର୍ଯ୍ୟକୁ ସହଜ କରିଛି” ବୋଲି ସେ କହିଥିଲେ ।

ସରକାର ବିକାଶର ନଅଟି ରତ୍ନ ନବରତ୍ନ ଭାବରେ ଗୁରୁତ୍ୱ ଆରୋପ କରୁଥିବା ପ୍ରଧାନମନ୍ତ୍ରୀ କହିଥିଲେ । ପ୍ରଥମ ରତ୍ନ ହେଲା ୧୩ ଶହ କୋଟି ଟଙ୍କା ବ୍ୟୟରେ କେଦାରନାଥ ବଦ୍ରୀନାଥ ଧାମର ନବଯୌବନ କାର୍ଯ୍ୟ । ଦ୍ୱିତୀୟ, ଗୌରୀକୁଣ୍ଡ-କେଦାରନାଥ ଓ ଗୋବିଂଦଘାଟ- ହେମକୁଣ୍ଡ ସାହିବରେ ୨୫୦୦ ଟଙ୍କା ବ୍ୟୟରେ ଝୁଲା ପୋଲ ପ୍ରକଳ୍ପ । ତୃତୀୟ, ମାନସଖଣ୍ଡ ମନ୍ଦିରମାଳା କାର୍ଯ୍ୟକ୍ରମରେ କୁମାୟୁଁର ପ୍ରାଚୀନ ମନ୍ଦିରଗୁଡ଼ିକର ପୁନର୍ବିନ୍ୟାସ, ଚତୁର୍ଥ ରାଜ୍ୟରେ ୪୦୦୦ ହୋମଷ୍ଟେ ବ୍ୟବସ୍ଥା ଥିବାରୁ ହୋମଷ୍ଟେକୁ ପ୍ରୋତ୍ସାହନ । ପଞ୍ଚମ, ୧୬ଟି ପରିବେଶ ପର୍ଯ୍ୟଟନସ୍ଥଳୀର ବିକାଶ। ଷଷ୍ଠ, ଉତ୍ତରାଖଣ୍ଡର ସ୍ୱାସ୍ଥ୍ୟସେବାର ସମ୍ପ୍ରସାରଣ । ଉଦ୍ଦମସିଂ ନଗରରେ ଏମ୍ସ ଉପଗ୍ରହ କେନ୍ଦ୍ର ପ୍ରତିଷ୍ଠା । ସପ୍ତମ, ୨୦୦୦ କୋଟି ଟଙ୍କାର ଟେହେରୀ ହ୍ରଦ ବିକାଶ ପ୍ରକଳ୍ପ । ଅଷ୍ଟମ, ହରିଦ୍ୱାର ଓ ରିଷିକେଶ ଯୋଗ ଓ ଦୁଃସାହସିକ ପର୍ଯ୍ୟଟନର ରାଜଧାନୀ ଭାବେ ବିକଶିତ ହେବା ଏବଂ ଶେଷରେ ତନକପୁର-ବାଗେଶ୍ୱର ରେଳ ଲାଇନ ।

ଏହି ନବରତ୍ନଗୁଡ଼ିକ ଏକାଠି ହୋଇ ରାଜ୍ୟର ଭିତ୍ତିଭୂମି ବିକାଶକୁ ଏକ ନୂନତ ଦିଗନ୍ତ ପ୍ରଦାନ କରିଛନ୍ତି । ଚାରିଧାମ ମହାପରିଯୋଜନା ନିମନ୍ତେ ୧୨ ହଜାର କୋଟି ଟଙ୍କା ବ୍ୟୟରେ କାର୍ଯ୍ୟ ଦ୍ରୁତ ଗତିରେ ଆଗେଇ ଚାଲିଛି । ଦିଲ୍ଲୀ ଡେରାଡୁନ ରାଜପଥ ଯାତ୍ରାକୁ ଆହୁରି ଦୃତ ଓ ସହଜ କରିବ । ସେ ମଧ୍ୟ ଉତ୍ତରାଖଣ୍ଡର ଝୁଲାପୋଲ ସଂଯୋଗୀକରଣ ଉପରେ କହିଥିଲେ । ଆଗାମୀ ଦିନରେ ପର୍ବତମାଳା ପ୍ରକଳ୍ପ ରାଜ୍ୟର ଭାଗ୍ୟ ପରିବର୍ତ୍ତନ କରିଦେବ ବୋଲି ସେ କହିଥିଲେ । ୧୬ ହଜାର କୋଟି ଟଙ୍କା ବ୍ୟୟରେ ନିର୍ମିତ ରିଷିକେଷ-କର୍ଣ୍ଣପ୍ରୟାଗ ରେଳ ପ୍ରକଳ୍ପ ଦୁଇରୁ ତିନିବର୍ଷ ମଧ୍ୟରେ ସମ୍ପୂର୍ଣ୍ଣ ହେବ । ଏହି ପ୍ରକଳ୍ପ ଯୋଗୁ ଉତ୍ତରାଖଣ୍ଡର ବିଶାଳ ଭାଗ ପ୍ରବେଶକ୍ଷମ ହେବା ସହ ପୁଞ୍ଜିବିଯୋଗ, ଶିଳ୍ପ ଓ ନିଯୁକ୍ତି ସୁଯୋଗ ମଧ୍ୟ ବୃଦ୍ଧି ପାଇବ ।

ପ୍ରଧାନମନ୍ତ୍ରୀ କହିଥିଲେ ଯେ କେନ୍ଦ୍ର ସରକାରୀ ସହାୟତା ଯୋଗୁ ଉତ୍ତରାଖଣ୍ଡ ପର୍ଯ୍ୟଟନ, ଦୁଃସାହସିକ ପର୍ଯ୍ୟଟନ, ଚଳଚ୍ଚିତ୍ର ସୁଟିଂ ଓ ବିବାହର ସୁଟିଂ ଲକ୍ଷ୍ୟସ୍ଥଳର ପେଣ୍ଠ ପାଲଟିବାକୁ ଯାଉଛି। ରାଜ୍ୟର ପର୍ଯ୍ୟଟନ ସ୍ଥଳୀଗୁଡ଼ିକୁ ବିଶ୍ୱବ୍ୟାପୀ ଦର୍ଶକ ଆକର୍ଷିତ ହେଉଥିବା ବେଳେ, ବଂଦେ ଭାରତ ଏକ୍ସପ୍ରେସ ସେମାନଙ୍କ ନିମନ୍ତେ ବେଶି ସୁବିଧାଜନକ ହେବ । ଯେଉଁମାନେ ପରିବାର ସହ ଭ୍ରମଣରେ ଯାଉଛନ୍ତି, ସେମାନଙ୍କ ପାଇଁ ବଂଦେ ଭାରତ ଏକ ସୁଖପ୍ରଦ ଓ ସୁବିଧାଜନକ ଯାତ୍ରାର ଆନନ୍ଦ ଦେବ ।

“ଏକବିଂଶ ଶତାବ୍ଦୀର ଭାରତ ଭିତ୍ତିଭୂମିର ସାମର୍ଥ୍ୟର ସର୍ବାଧିକ ଉପଯୋଗ କରି ବିକାଶର ଶୀର୍ଷରେ ପହଂଚି ପାରିବ। କାରଣ ଅତୀତରେ ସରକାରମାନେ ଭିତ୍ତିଭୂମିର ଗୁରୁତ୍ୱ ନ ବୁଝି କେବଳ ଦୁର୍ନୀତି ଓ ବଂଶଗତ ରାଜନୀତିରେ ବୁଡି ରହୁଥିଲେ ବୋଲି ପ୍ରଧାନମନ୍ତ୍ରୀ କହିଥିଲେ । ପୂର୍ବ ସରକାରଗଣ ଉଚ୍ଚ ଗତିସମ୍ପନ୍ନ ଟ୍ରେନ ଚଳାଇବା ନେଇ ବଡ଼ ବଡ଼ ପ୍ରତିଶ୍ରୁତି ମାନ ଦେଇଥିଲେ ମଧ୍ୟ ଜଗୁଆଳିବିହୀନ ଫାଟକରୁ ମୁକ୍ତି ପାଇପାରିଲେ ନାହିଁ ଓ ରେଳ ବିଦୁତକରଣ କାର୍ଯ୍ୟ ମଧ୍ୟ ଆହୁରି ଖରାପ ଅବସ୍ଥାରେ ଥିଲା । ୨୦୧୪ ମସିହା ସୁଦ୍ଧା ଦେଶର ମାତ୍ର ଏକ ତୃତୀୟାଂଶ ରେଳପଥ ବିଦୁତକରଣ ହୋଇଥିବାରୁ ଉଚ୍ଚ ଗତିଯୁକ୍ତ ଟ୍ରେନ ଚଳାଚଳ ପ୍ରାୟ ଅସମ୍ଭବ ଥିଲା । ରେଳବାଇ କ୍ଷେତ୍ରରେ ପ୍ରକୃତ ଅବସ୍ଥାନ୍ତର ୨୦୧୪ ମସିହାରେ ଘଟିଲା ବୋଲି ପ୍ରଧାନମନ୍ତ୍ରୀ କହିଥିଲେ । ଦେଶର ସମ୍ପୂର୍ଣ୍ଣ ଗତିଯୁକ୍ତ ଅର୍ଦ୍ଧସମ୍ପୂର୍ଣ୍ଣ ଗତିଯୁକ୍ତ ଟ୍ରେନ ଚଳାଚଳ ସ୍ୱପ୍ନକୁ ସାକାର କରିବା ନିମନ୍ତେ ଯୋଜନା ପ୍ରସ୍ତୁତ ହେଲା । ୨୦୧୪ ପୂର୍ବରୁ ମୋଟ ଛଅ ହଜାର କିଲୋମିଟର ରେଳପଥର ବିଦୁତକରଣ ହୋଇଥିବା ବେଳେ, ବର୍ତ୍ତମାନ ପ୍ରତିବର୍ଷ ଛଅ ହଜାର କିଲୋମିଟର ବିଦୁତକରଣ ହେଉଛି । “ଆଜି ଦେଶର ଶତକଡ଼ା ୯୦ ଭାଗ ରେଳ ବ୍ୟବସ୍ଥାର ବିଦୁତକରଣ ହୋଇଛି । ଉତ୍ତରାଖଣ୍ଡରେ ଶତ ପ୍ରତିଶତ ବିଦୁତକରଣ ସଫଳତାର ସହ ସମ୍ପନ୍ନ ହୋଇଛି” ବୋଲି ପ୍ରଧାନମନ୍ତ୍ରୀ କହିଥିଲେ ।

ପ୍ରଧାନମନ୍ତ୍ରୀ ବିକାଶ କାର୍ଯ୍ୟର ଶ୍ରେୟ ଉତ୍ତମ ଅଭିପ୍ରାୟ, ନୀତି ଓ ଉତ୍ସର୍ଗୀକୃତ ଭାବନାକୁ ଦେଇଥିଲେ । ୨୦୧୪ ତୁଳନାରେ ରେଳ ବଜେଟରେ ବ୍ୟୟ ବରାଦ ବୃଦ୍ଧି ଉତ୍ତରାଖଣ୍ଡକୁ ସିଧାସଳଖ ଲାଭ ପହଂଚାଇଛି । ୨୦୧୪ ମସିହାର ପାଞ୍ଚବର୍ଷ ଆଗରୁ ହାରାହାରି ବଜେଟ ପରିମାଣ ୨୦୦ କୋଟି ଟଙ୍କା ଥିବାବେଳେ ଏହା ବର୍ତ୍ତମାନ ୨୫ ଗୁଣ ବୃଦ୍ଧି ପାଇ ପାଞ୍ଚ ହଜାର କୋଟି ଟଙ୍କାରେ ପହଂଚିଛି । ପ୍ରଧାନମନ୍ତ୍ରୀ ସଂଯୋଗୀକରଣର ଅସୁବିଧା ଯୋଗୁ ଗ୍ରାମାଞ୍ଚଳର ଜନସାଧାରଣ ଅନ୍ୟତ୍ର ପଳାୟନ କରୁଥିଲେ । ବର୍ତ୍ତମାନ ସରକାର ପିଢ଼ି ପରେ ପିଢ଼ି ଆଉ ଅକଥନୀୟ ଦୁର୍ଦଶା ଭୋଗୁଥିବା ଏହି ଅସୁବିଧାକୁ ଦୂର କରିବାକୁ ଚାଂହୁଛନ୍ତି । ଏହାଛଡ଼ା ଆଧୁନିକ ସଂଯୋଗୀକରଣ ବ୍ୟବସ୍ଥା ଯୋଗୁ ଆମର ସୀମାରେ ଦେଶରକ୍ଷା କରୁଥିବା ସୈନିକମାନେ ମଧ୍ୟ ସୁବିଧା ପାଇପାରିବେ ।

ଉଦବୋଧନ ପରିସମାପ୍ତି ଘଟାଇ ପ୍ରଧାନମନ୍ତ୍ରୀ କହିଥିଲେ ଯେ ଡବଲ ଇଞ୍ଜିନ ସରକାର ଉତ୍ତରାଖଣ୍ଡର ବିକାଶ ପାଇଁ ଅଙ୍ଗୀକାରବଦ୍ଧ ଓ ଉତ୍ତରାଖଣ୍ଡର ବିକାଶରେ ହିଁ ଦେଶର ବିକାଶ ନିହିତ । “ଦେଶ ଆଉ ବର୍ତ୍ତମାନ ସ୍ଥିର ବସିବ ନାହିଁ । ଏହା ନିଜକୁ ବାଟ କଢ଼ାଇବ । ବଂଦେ ଭାରତ ଗତିରେ ସମଗ୍ର ଭାରତ ଆଗେଇ ଚାଲିଛି ଓ ଆଗେଇ ଚାଲିଥିବ ମଧ୍ୟ” କହି ପ୍ରଧାନମନ୍ତ୍ରୀ ତାଙ୍କ ଉଦବୋଧନର ପରିସମାପ୍ତି ଘଟାଇଥିଲେ ।

ପୃଷ୍ଠଭୂମି:

ଉତ୍ତରାଖଣ୍ଡରେ ଏହା ହେଉଛି ପ୍ରଥମ ବଂଦେ ଭାରତ ଏକ୍ସପ୍ରେସ ଟ୍ରେନ । ବିଶ୍ୱସ୍ତରୀୟ ସୁବିଧା ସହ ଏହା ଭ୍ରମଣ ଅଭିଜ୍ଞତାରେ ଏକ ନୂତନ ମୋଡ଼ ଦେବ । କବଚ ବୈଷୟିକ ଜ୍ଞାନ ସହ ସ୍ୱଦେଶୀ ଜ୍ଞାନ କୌଶଳରେ ଏହି ଟ୍ରେନ ନିର୍ମିତ ହୋଇଛି । ଏହି ନୂତନ ବଂଦେ ଭାରତ ଏକ୍ସପ୍ରେସ ଡେରାଡୁନରୁ ଦିଲ୍ଲୀ ପହଂଚିବା ପାଇଁ ସାଢ଼େ ଚାରି ଘଣ୍ଟା ସମୟ ନେବ ।

ପ୍ରଧାନମନ୍ତ୍ରୀଙ୍କ ସ୍ୱଚ୍ଛ ସାଧାରଣ ପରିବହନ ଉପଲବ୍ଧତା ଦୃଷ୍ଟିକୋଣରୁ ଭାରତୀୟ ରେଳବାଇ ଦେଶର ସମସ୍ତ ରେଳପଥର ବିଦୁତକରଣ କରିବା ଦିଗରେ ଆଗେଇ ଚାଲିଛି । ଏହି ପରିପ୍ରେକ୍ଷୀରେ ପ୍ରଧାନମନ୍ତ୍ରୀ ଆଜି ଉତ୍ତରାଖଣ୍ଡର ଏହି ବିଦୁତକରଣ ଲାଇନକୁ ଜାତି ଉଦେଶ୍ୟରେ ଉତ୍ସର୍ଗ କରିଛନ୍ତି । ଏଥିସହ ଉତ୍ତରାଖଣ୍ଡର ସମ୍ପୂର୍ଣ୍ଣ ରେଳପଥର ବିଦୁତକରଣ ସମ୍ପନ୍ନ ହୋଇଛି । ବିଦୁତ ଶକ୍ତି ଦ୍ୱାରା ଚାଳିତ ଟ୍ରେନର ଗତି ବୃଦ୍ଧି ପାଇବା ସହ ଏହାର ମାଲ୍ ପରିବହନ କ୍ଷମତା ମଧ୍ୟ ବୃଦ୍ଧି ପାଇବ ।

Categories
ବିଶେଷ ଖବର

ଅଷ୍ଟମ ବନ୍ଦେ ଭାରତ ଟ୍ରେନର ଶୁଭାରମ୍ଭ କଲେ ପ୍ରଧାନମନ୍ତ୍ରୀ ମୋଦୀ, ଜାଣନ୍ତୁ ଏହାର ବୈଶିଷ୍ଟ୍ୟ

ନୂଆଦିଲ୍ଲୀ: ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦୀ ରବିବାର ଆଜି ବନ୍ଦେ ଭାରତ ଏକ୍ସପ୍ରେସ ଟ୍ରେନର ଶୁଭାରମ୍ଭ କରିଛନ୍ତି। ଭିଡିଓ କନଫରେନ୍ସିଂ ମାଧ୍ୟମରେ ଏହି କାର୍ଯ୍ୟକ୍ରମ ଅନୁଷ୍ଠିତ ହୋଇଛି। ସିକନ୍ଦରାବାଦ ଏବଂ ବିଶାଖାପାଟନମ୍ ମଧ୍ୟରେ ଏହି ବନ୍ଦେ ଭାରତ ଏକ୍ସପ୍ରେସ ଚାଲିବ। ଏହା ସହ ଦେଶରେ ବନ୍ଦେ ଭାରତ ଟ୍ରେନର ସଂଖ୍ୟା ୮ କୁ ବୃଦ୍ଧି ପାଇଛି।

ଏହି ସମୟରେ ପ୍ରଧାନମନ୍ତ୍ରୀ ମୋଦୀ ମକର ସଂକ୍ରାନ୍ତି ଏବଂ ପୋଙ୍ଗଲ ପାଇଁ ଦେଶବାସୀଙ୍କୁ ଶୁଭେଚ୍ଛା ଜଣାଇଛନ୍ତି। ସେ କହିଛନ୍ତି ଯେ, ଏହି ବନ୍ଦେ ଭାରତ ଏକ୍ସପ୍ରେସ ଟ୍ରେନ ତେଲେଙ୍ଗାନା-ଆନ୍ଧ୍ର ମଧ୍ୟରେ ଐତିହ୍ୟକୁ ସଂଯୋଗ କରିବା ପାଇଁ କାର୍ଯ୍ୟ କରିବ। ଏହା ମଧ୍ୟ ଆମର ଆସ୍ଥାକୁ ସଂଯୋଗ କରିବା ପାଇଁ କାର୍ଯ୍ୟ କରେ। ଆସ୍ଥା ଏବଂ ପର୍ଯ୍ୟଟନ ସମ୍ବନ୍ଧୀୟ ସ୍ଥାନଗୁଡ଼ିକ ଟ୍ରେନର ମାର୍ଗରେ ପଡ଼େ, ତେଣୁ ଭାରତ ମଧ୍ୟ ଧାର୍ମିକ ଭାବରେ ଶକ୍ତିଶାଳୀ ହେବ।

ସେ କହିଛନ୍ତି ଯେ ଆଜି ମଧ୍ୟ ସେନା ଦିବସ। ପ୍ରତ୍ୟେକ ଭାରତୀୟ ସେନା ପାଇଁ ଗର୍ବିତ। ଦେଶର ସୁରକ୍ଷା ତଥା ଏହାର ସୀମା, ଏହାର ବୀରତା ଭାରତୀୟ ସେନାର ଅବଦାନ ଅତୁଳନୀୟ। ସ୍ୱପ୍ନ ଏବଂ ଆକାଂକ୍ଷା ପାଇଁ ଭାରତ ସର୍ବଦା ଆଗରେ ଥାଏ। ଏହା ସହିତ ଆଜି ତେଲେଙ୍ଗାନା ଏବଂ ଆନ୍ଧ୍ରପ୍ରଦେଶ ଏହି ଉତ୍ସବର ପରିବେଶରେ ଏକ ଅଦ୍ଭୁତ ଉପହାର ଗ୍ରହଣ କରୁଛନ୍ତି।

ପ୍ରଧାନମନ୍ତ୍ରୀ କହିଛନ୍ତି ଯେ, ଏହି ଟ୍ରେନ୍ ହେଉଛି ନୂଆ ଭାରତର ସଂକଳ୍ପର ପ୍ରତୀକ। ସିକନ୍ଦରାବାଦ ଏବଂ ବିଶାଖାପାଟନମ୍ ମଧ୍ୟରେ ବନ୍ଦେ ଭାରତ ଏକ୍ସପ୍ରେସ ପର୍ଯ୍ୟଟନକୁ ବୃଦ୍ଧି କରିବ। ଆଜି ଭାରତୀୟ ରେଳପଥରେ ଯାତ୍ରା ପୂର୍ବ ଅପେକ୍ଷା ଅଧିକ ଆନନ୍ଦଦାୟକ ହେଉଛି। ଗତ ୭ ରୁ ୮ବର୍ଷ ମଧ୍ୟରେ ବିଜେପି ଦ୍ୱାରା ଆରମ୍ଭ ହୋଇଥିବା କାର୍ଯ୍ୟଗୁଡ଼ିକ ରେଳବାଇକୁ ସଂପୂର୍ଣ୍ଣ ରୂପେ ସଜୀବ କରୁଛି।

ଏହି କାର୍ଯ୍ୟକ୍ରମରେ ରେଳମନ୍ତ୍ରୀ ଅଶ୍ୱିନୀ ବୈଷ୍ଣବ, କେନ୍ଦ୍ର ପର୍ଯ୍ୟଟନ ମନ୍ତ୍ରୀ ଜି କିଶନ ରେଡ୍ଡୀ ଏବଂ ତେଲେଙ୍ଗାନା ରାଜ୍ୟପାଳ ଟି ସୌନ୍ଦର୍ଯ୍ଯରାଜନ ଉପସ୍ଥିତ ଥିଲେ। ରେଳବାଇ କହିଛି ଯେ, ଏଥିରେ ୧୪ ଟି ଏସି ଚେୟାର କାର ଏବଂ ଦୁଇଟି କାର୍ଯ୍ୟନିର୍ବାହୀ ଏସି ଚେୟାର କୋଚ ସହିତ ୧,୧୨୮ ଯାତ୍ରୀଙ୍କ ବସିବା କ୍ଷମତା ରହିଛି।

ରେଳ ସୂତ୍ର ଅନୁଯାୟୀ ବିଶାଖାପାଟନମ୍-ସିକନ୍ଦରାବାଦ ଏକ୍ସପ୍ରେସ (୨୦୮୩୩) ସକାଳ ୫.୪୫ ରେ ବିଶାଖାପାଟନମ୍ ଛାଡି ଅପରାହ୍ନ ୨.୧୫ ରେ ସିକନ୍ଦରାବାଦରେ ପହଞ୍ଚିବ। ଯେତେବେଳେ କି, ସିକନ୍ଦରାବାଦ-ବିଶାଖାପାଟନମ୍ ଟ୍ରେନ୍ (୨୦୮୩୪) ଅପରାହ୍ନ ୩ ଟାରେ ସିକନ୍ଦରାବାଦ ଛାଡି ରାତି ୧୧.୩୦ ରେ ବିଶାଖାପାଟନମ୍ ରେ ପହଞ୍ଚିବ।

ପିଏମ ମୋଦୀ ଏହି ଟ୍ରେନ ବିଷୟରେ କହିଥିଲେ ଯେ, ଦେଶର ଇଞ୍ଜିନିୟର, ଡିଜାଇନର୍, ଟେକ୍ନିସିଆନ ଏହାକୁ ପ୍ରସ୍ତୁତ କରିଛନ୍ତି। ଏହି ଟ୍ରେନରେ ଶବ୍ଦର ପରିମାଣ ବିମାନ ତୁଳନାରେ ୧୦୦ ଗୁଣ କମ୍, ଏହା ଇଞ୍ଜିନିୟରମାନଙ୍କ ପାଇଁ ଗର୍ବର ବିଷୟ। ରେଳବାଇ ଏବଂ ଦେଶର ବିକାଶ ରାଜନୀତିଠାରୁ ଉର୍ଦ୍ଧ୍ଵରେ ରହିଛି। ଯେଉଁଠାରେ କେନ୍ଦ୍ରର ଆବଶ୍ୟକ ପଡିବ, ସେଠାକୁ କେନ୍ଦ୍ର ପାଣ୍ଠି ଯୋଗାଇବ।

Categories
ଆଜିର ଖବର ଜାତୀୟ ଖବର

ବନ୍ଦେ ଭାରତ ଟ୍ରେନର ଯାତ୍ରୀମାନଙ୍କ ପାଇଁ ଖୁସି ଖବର!, ଏଥର ଯାତ୍ରା ସମୟରେ ମିଳିବ ଏହି ସୁବିଧା

ନୂଆଦିଲ୍ଲୀ: ଭାରତୀୟ ରେଳବାଇ ବଦଳୁଥିବା ସମୟ ସହିତ ଏହାର ଯାତ୍ରୀମାନଙ୍କ ପାଇଁ ଅନେକ ସୁବିଧା ଆଣିଛି। ମୋଦୀ ସରକାରଙ୍କ ଏକ ମହତ୍ତ୍ଵର୍ଣ୍ଣ ଯୋଜନା ମଧ୍ୟରୁ ବନ୍ଦେ ଭାରତ ଟ୍ରେନ୍ ଏକ ସଫଳ ଯୋଜନା। ଶତପ୍ରତିଶତ ସ୍ୱଦେଶୀ ପ୍ରଯୁକ୍ତିବିଦ୍ୟା ସହିତ ଏହି ଟ୍ରେନ୍ ପ୍ରସ୍ତୁତ କରାଯାଇଛି। ଅଦ୍ୟାବଧି ଦେଶରେ ମୋଟ ୫ ଟି ବନ୍ଦେ ଭାରତ ଟ୍ରେନ୍ ଚଳାଚଳ କରୁଛି। ବର୍ତ୍ତମାନ ଏହି ଟ୍ରେନ୍ ବିଷୟରେ ଏକ ଗୁରୁତ୍ୱପୂର୍ଣ୍ଣ ସୂଚନା ମିଳିଛି। ଭାରତୀୟ ରେଳ ଏହି ଟ୍ରେନରେ କିଛି ପରିବର୍ତ୍ତନ କରିବାକୁ ନିଷ୍ପତ୍ତି ନେଇଛି। ବର୍ତ୍ତମାନ ଏହି ଟ୍ରେନରେ ଶୋଇବା ବର୍ଥ ମଧ୍ୟ ସ୍ଥାପନ କରାଯିବ। ଏହା ସହିତ ଯାତ୍ରୀମାନେ ଦୀର୍ଘ ଦୂରତାରେ ଯାତ୍ରା କରିବା ସମୟରେ ଶୋଇବାର ସୁବିଧା ପାଇବେ। ଏହି କାରଣରୁ ଯାତ୍ରୀମାନେ ରାତିରେ ଯାତ୍ରା କରିବା ସମୟରେ ସୁବିଧା ପାଇବେ। ପ୍ରକାଶ ଯେ ଏହିପରି ଶୋଇବା କୋଚ୍ ଉତ୍ପାଦନ କାର୍ଯ୍ୟ ମଧ୍ୟ ଆରମ୍ଭ ହୋଇଛି। ଆଇସିଏଫ୍ ଚେନ୍ନାଇରେ ଏହା ପ୍ରସ୍ତୁତ କରାଯାଉଛି।

ସୂଚନାଯୋଗ୍ୟ ଯେ ବର୍ତ୍ତମାନ ଚାଲୁଥିବା ସମସ୍ତ ବନ୍ଦେ ଭାରତ ଟ୍ରେନ୍ ହେଉଛି ଚେୟାର୍ କାର୍। ଏଭଳି ପରିସ୍ଥିତିରେ ଯାତ୍ରୀମାନେ କେବଳ ଏହି କୋଚରେ ବସି ଯାତ୍ରା କରିପାରିବେ। ଏଭଳି ପରିସ୍ଥିତିରେ ଏହି ଟ୍ରେନ୍ ଗୁଡିକ କେବଳ ଦିନରେ ଚାଲିଥାଏ, କିନ୍ତୁ ରେଳର ଏହି ପରିବର୍ତ୍ତନ ପରେ ଏହି ଟ୍ରେନ୍ ଗୁଡିକ ଦିନରାତି ଚାଲିବ। ଏହା ସହିତ ଯାତ୍ରୀମାନେ ସେମାନଙ୍କ ସୁବିଧା ଅନୁଯାୟୀ ଚେୟାର କାର୍ ଏବଂ ସ୍ଳିପର କୋଚ୍ ମଧ୍ୟରେ ଚୟନ କରିପାରିବେ।

ରେଳ ମନ୍ତ୍ରଣାଳୟ ସ୍ପଷ୍ଟ କରିଛି ଯେ, ସ୍ଳିପର କୋଚ୍ ସହିତ ବନ୍ଦେ ଭାରତ ଟ୍ରେନ୍ ଖୁବ୍ ଶୀଘ୍ର ଟ୍ରାକରେ ଚାଲୁଥିବାର ଦେଖାଯିବ। ଏଥିସହ ଏକ ସୂତ୍ର ଅନୁଯାୟୀ ରେଳବାଇର ଏକ ଯୋଜନା ରହିଛି ଯେ, ୨୦୨୩ ମସିହାରେ ସ୍ଳିପର କୋଚ୍ ସହିତ ବନ୍ଦେ ଭାରତ ଟ୍ରେନ୍ ଏପ୍ରିଲ୍ ମାସରେ ଟ୍ରାକରେ ଚାଲିବା ଆରମ୍ଭ କରିବ। ଏଭଳି ପରିସ୍ଥିତିରେ ଏହି ଟ୍ରେନ୍ ରାଜଧାନୀ ଏକ୍ସପ୍ରେସ ପରି କାମ କରିବ ଯେଉଁଥିରେ ଯାତ୍ରୀମାନେ ସ୍ଳିପର ଏସି କୋଚର ସୁବିଧା ମଧ୍ୟ ପାଇବେ। ଏହା ସହିତ ବନ୍ଦେ ଭାରତ ଟ୍ରେନ୍ ଅନେକ ଆଧୁନିକ ସୁବିଧା ସହିତ ସଜ୍ଜିତ ହେବ। ଉଲ୍ଲେଖ ଯୋଗ୍ୟ ଯେ, ବର୍ତ୍ତମାନ ଏହି ଦେଶୀ ସେମି ହାଇ ସ୍ପିଡ୍ ଟ୍ରେନ୍ ଦେଶର ମୋଟ ୫ ଟି ରୁଟରେ ଚାଲୁଛି। ଏହି ମାର୍ଗ ହେଉଛି ଦିଲ୍ଲୀ-ବାରାଣାସୀ, ନୂଆଦିଲ୍ଲୀ-ଶ୍ରୀ ବୈଷ୍ଣୋ ଦେବୀ ମାତା କଟଡ଼ା, ତୃତୀୟଟି ଗାନ୍ଧିନଗର ମୁମ୍ବାଇ, ଚତୁର୍ଥଟି ନୂଆଦିଲ୍ଲୀରୁ ଅମ୍ବ ଆନ୍ଦୋରା ଷ୍ଟେସନ ହିମାଚଳ ଏବଂ ପଞ୍ଚମ ଚେନ୍ନାଇ-ମୈଶୁର। ନିକଟରେ ପ୍ରଧାନମନ୍ତ୍ରୀ ମୋଦୀ ନଭେମ୍ବର ମାସରେ ପଞ୍ଚମ ତଥା ଦକ୍ଷିଣ ଭାରତର ପ୍ରଥମ ବନ୍ଦେ ଭାରତ ଟ୍ରେନକୁ ଉନ୍ମୋଚନ କରିଥିଲେ।

ଭାଣ୍ଡେ ଭାରତ ଟ୍ରେନର ବିଶେଷତା କ’ଣ?:

ଏହି ଟ୍ରେନ୍ ଘଣ୍ଟା ପ୍ରତି ୦ ରୁ ୧୦୦ କିଲୋମିଟର ବେଗକୁ ମାତ୍ର ୫୨ ସେକେଣ୍ଡରେ ଧରିପାରେ। ଏହା ସହିତ, ଏହି ଟ୍ରେନରେ ଥିବା ସମସ୍ତ କୋଚ୍ କୁ ସମ୍ପୂର୍ଣ୍ଣ ଶୀତତାପ ନିୟନ୍ତ୍ରିତ ରଖାଯାଇଛି। ଏହା ସହିତ ଟ୍ରେନର ସମସ୍ତ କବାଟ ସମ୍ପୂର୍ଣ୍ଣ ସ୍ୱୟଂଚାଳିତ ଅଟେ। ଏହି ଟ୍ରେନରେ ଜିପିଏସ୍ ସିଷ୍ଟମ୍ ଏବଂ ୱାଇଫାଇ ମଧ୍ୟ ସ୍ଥାପିତ ହୋଇଛି। ଏଥି ସହିତ, ଟ୍ରେନର ଏକ୍ଜିକ୍ୟୁଟିଭ କ୍ଳାସରେ ଯାତ୍ରୀମାନଙ୍କ ପାଇଁ ୩୬୦-ଡ଼ିଗ୍ରୀ ଘୂର୍ଣ୍ଣନ ଚେୟାର ଅଛି।

Categories
ଆଜିର ଖବର ଜାତୀୟ ଖବର

ମୁମ୍ବାଇରୁ ଗାନ୍ଧିନଗର ଯାଉଥିବା ବନ୍ଦେ ଭାରତ ଟ୍ରେନ ଦୁର୍ଘଟଣାଗ୍ରସ୍ତ

ମୁମ୍ବାଇ: ମୁମ୍ବାଇରୁ ଗାନ୍ଧିନଗର ପର୍ଯ୍ୟନ୍ତ ଚାଲୁଥିବା ଭାରତର ଦ୍ରୁତତମ ଟ୍ରେନ୍ ବନ୍ଦେ ଭାରତ ଆଜି ଏକ ଦୁର୍ଘଟଣାର ଶିକାର ହୋଇଛି। ସକାଳ ୧୧.୧୫ ରେ ଏହି ଦୁର୍ଘଟଣା ଘଟିଛି। କୁହାଯାଉଛି ଯେ, ଟ୍ରେନ ଆଗରେ ଏକ ଗୋରୁ ପଲ ଆସି ଯାଇଥିଲେ। ଏହି ଦୁର୍ଘଟଣାରେ ଇଞ୍ଜିନର ଆଗ ଭାଗ ନଷ୍ଟ ହୋଇଯାଇଛି। ପଶ୍ଚିମ ରେଳବାଇର ବରିଷ୍ଠ ପିଆରଓ ଜେ.କେ ଜୟନ୍ତୀ ଏହି ସୂଚନା ଦେଇଛନ୍ତି।

ଉଲ୍ଲେଖ ଯୋଗ୍ୟ ଯେ, ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦୀ ନିକଟରେ ଏହି ଟ୍ରେନର ଉଦଘାଟନ କରିଥିଲେ। ରେଲୱେ ପିଆରଓ ପ୍ରଦୀପ ଶର୍ମା କହିଛନ୍ତି ଯେ, ଏହି ଘଟଣା ଯୋଗୁଁ କିଛି କ୍ଷୟକ୍ଷତି ହୋଇନାହିଁ। ଟ୍ରେନର ଚଳାଚଳ ଉପରେ କୌଣସି ପ୍ରଭାବ ପଡ଼ିବ ନାହିଁ। ଟ୍ରେନ୍ ନିର୍ଦ୍ଧାରିତ ସମୟରେ ଚାଲୁଛି।

ଭାରତର ସବୁଠାରୁ ଆଧୁନିକ ବୈଶିଷ୍ଟ୍ୟ ସହିତ ସଜ୍ଜିତ ଏହି ବନ୍ଦେ ଭାରତ ଟ୍ରେନ୍ ସେପ୍ଟେମ୍ବର ୩୦ ତାରିଖରେ ଆରମ୍ଭ କରାଯାଇଥିଲା। ଏହି ଟ୍ରେନର ଗତି ୧୮୦ କିଲୋମିଟର ପର୍ଯ୍ୟନ୍ତ, କିନ୍ତୁ ଏହା ବର୍ତ୍ତମାନ ୧୩୦ କିଲୋମିଟର ବେଗରେ ପରିଚାଳିତ ହେଉଛି।