ପ୍ରଧାନମନ୍ତ୍ରୀଙ୍କ ଦ୍ୱାରା ଅଯୋଧ୍ୟା ଧାମ ଜଙ୍କସନ ରେଳଷ୍ଟେସନ ଉଦ୍‌ଘାଟିତ

Published: Dec 31, 2023, 7:38 am IST

ନୂଆଦିଲ୍ଲୀ: ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦୀ ଶନିବାର ନବ ବିକଶିତ ଅଯୋଧ୍ୟା ରେଳ ଷ୍ଟେସନର ଉଦ୍‌ଘାଟନ କରିବା ସହ ନୂତନ ଅମୃତ ଭାରତ ଓ ବନ୍ଦେ ଭାରତ ଟ୍ରେନର ଯାତ୍ରାରମ୍ଭ କରାଇଛନ୍ତି । ଏହା ବ୍ୟତୀତ ସେ କେତେକ ରେଳଷ୍ଟେସନଗୁଡିକୁ ରାଷ୍ଟ୍ର ଉଦ୍ଦେଶ୍ୟରେ ଉତ୍ସର୍ଗ କରିଛନ୍ତି ।

ଏକ ସାଧାରଣ କାର୍ଯ୍ୟକ୍ରମରେ ପ୍ରଧାନମନ୍ତ୍ରୀ କହିଛନ୍ତି ଯେ ବର୍ତ୍ତମାନ ଅଯୋଧ୍ୟାଧାମ ରେଳଷ୍ଟେସନରେ ଦଶହଜାର ଯାତ୍ରୀ ଯାତାୟତ କ୍ଷମତାଥିବା ବେଳେ ପୁନର୍ବିନ୍ୟାସ ପରେ ଏହା ୬୦ହଜାରକୁ ବୃଦ୍ଧି ପାଇବ । ନୂତନ ବନ୍ଦେ ଭାରତ ଓ ନମୋ ଭାରତ ପରେ ନୂତନ ଅମୃତ ଭାରତ ଟ୍ରେନ ଚଳାଚଳ କରିବ ଓ ଅଯୋଧ୍ୟା ଦେଇ ପ୍ରଥମ ଅମୃତ ଭାରତ ଟ୍ରେନ ଯାତ୍ରା କରିବ ବୋଲି ପ୍ରଧାନମନ୍ତ୍ରୀ କହିବା ସହ ସନ୍ତୋଷ ବ୍ୟକ୍ତ କରିଥିଲେ । ଆଜି ଏହି ସବୁ ଟ୍ରେନ ପାଇଥିବାରୁ ଶ୍ରୀ ମୋଦୀ ଉତ୍ତରପ୍ରଦେଶ, ଦିଲ୍ଲୀ, ବିହାର, ପଶ୍ଚିମବଙ୍ଗ ଓ କର୍ଣ୍ଣାଟକର ଜନସାଧାରଣଙ୍କୁ ଅଭିନନ୍ଦନ ଜଣାଇଥିଲେ ।

ଆଧୁନିକ ଅମୃତ ଭାରତ ଟ୍ରେନ ନିମନ୍ତେ ଗରିବମାନଙ୍କ ପାଇଁ ସେବା ମନୋଭାବ ଉପରେ ପ୍ରଧାନମନ୍ତ୍ରୀ ଆଲୋକପାତ କରିଥିଲେ । ଜନସାଧାରଣ ଯେଉଁମାନେ ବିଭିନ୍ନ କାମ ପାଇଁ ଦୂରସ୍ଥାନକୁ ଯାତ୍ରା କରିଥାନ୍ତି ଓ ସେମାନଙ୍କ ଆୟ କମ୍ ଥିଲେ ମଧ୍ୟ ସେମାନେ ଅତ୍ୟାଧୁନିକ ସୁବିଧା ଓ ଆରାମଦାୟକ ଯାତ୍ରା ନିମନ୍ତେ ହକ୍‌ଦାର। ଏହି ଟ୍ରେନଗୁଡିକ ଗରିବମାନଙ୍କ ଜୀବନ ମର୍ଯ୍ୟାଦାକୁ ଦୃଷ୍ଟିରେ ରଖି ତିଆରି କରାଯାଇଛି ବୋଲି ସେ କହିଥିଲେ ।

ବନ୍ଦେ ଭାରତ ଟ୍ରେନ ଗୁଡିକ ବିକାଶ ସହ ଐତିହ୍ୟକୁ ସଂଯୋଗ କରି ଚଳାଚଳ କରୁଛି । “ଦେଶର ପ୍ରଥମ ବନ୍ଦେ ଭାରତ ଏକ୍ସପ୍ରେସ ଟ୍ରେନ କାଶୀରୁ ଚଳାଚଳ ଆରମ୍ଭ କରିଥିଲା । ଆଜି ବନ୍ଦେ ଭାରତ ଦେଶର ୩୪ଟି ରେଳପଥ ଦେଇ ଚଳାଚଳ କରୁଛି । ବନ୍ଦେ ଭାରତ କାଶୀ, କଟ୍ରା, ଉଜ୍ଜୟିନୀ, ମଦୁରାଇ, ପୁଷ୍କର, ତିରୁପତି, ସିରିଡି, ଅମୃତସର ଭଳି ପ୍ରତ୍ୟେକ ଆସ୍ଥାର ବିରାଟ କେନ୍ଦ୍ରମାନ ଦେଇ ଯାତ୍ରା କରୁଛି । ଏହି ଧାରାରେ ଆଜି ଅଯୋଧ୍ୟା ମଧ୍ୟ ବନ୍ଦେ ଭାରତ ଟ୍ରେନ ଉପହାର ଭାବେ ପାଇଛି’ ବୋଲି ଶ୍ରୀ ମୋଦୀ କହିଥିଲେ ।

ଅଯୋଧ୍ୟାଧାମ ଜଙ୍କସନ ରେଳଷ୍ଟେସନ ଭାବେ ପରିଚିତ ନବ ବିକଶିତ ଅଯୋଧ୍ୟା ରେଳଷ୍ଟେସନର ପ୍ରଥମ ପର୍ଯ୍ୟାୟ ୨୪୦କୋଟି ଟଙ୍କାରୁ ଅଧିକ ବ୍ୟୟରେ ବିକଶିତ ହୋଇଛି । ଏହି ତିନିମହଲା ରେଳଷ୍ଟେସନ ଭବନରେ ଲିଫ୍ଟ, ଚଳମାନ ସିଡି, ଫୁଡ ପ୍ଲାଜା, ପୂଜା ସାମଗ୍ରୀ ଦୋକାନ, ଶିଶୁ ଯତ୍ନ ପ୍ରକୋଷ୍ଠ, କ୍ଲକରୁମ ଓ ପ୍ରତୀକ୍ଷାଳୟ ଇତ୍ୟାଦିର ସୁବିଧା ରହିଛି । ଏହି ଷ୍ଟେସନ ଭବନ ସମସ୍ତଙ୍କ ନିମନ୍ତେ ପ୍ରବେଶ ଯୋଗ୍ୟ ଓ ଆଇଜିବିସି ପ୍ରମାଣିତ ସବୁଜ ଷ୍ଟେସନ ଭବନ ଅଟେ ।

ଅଯୋଧ୍ୟା ଧାମ ରେଳଷ୍ଟେସନରେ ଆୟୋଜିତ କାର୍ଯ୍ୟକ୍ରମରେ ପ୍ରଧାନମନ୍ତ୍ରୀ ଦେଶର ଅତ୍ୟନ୍ତ ତୀବ୍ରଗତି ଯୁକ୍ତ ନୂତନ ପାସେଞ୍ଜର ଟ୍ରେନ ଅମୃତ ଭାରତ ଏକ୍ସପ୍ରେସକୁ ସବୁଜ ପତାକା ଦେଖାଇ ଯାତ୍ରାରମ୍ଭ କରାଇଥିଲେ । ଅମୃତ ଭାରତ ଟ୍ରେନ ହେଉଛି ଏକ ଅଣ ବାତାନୁକୂଳିତ ଡବା ବିଶିଷ୍ଟ ପୁଲ ଆଣ୍ଡ ପୁସ୍ ଏଲ.ଏଚ.ବି. ଟ୍ରେନ । ଉତ୍ତମ ଗତି ଧରିବା ପାଇଁ ଟ୍ରେନର ଉଭୟ ପାର୍ଶ୍ଵରେ ଲୋକୋ ଇଞ୍ଜିନ ରହିଛି । ଏଥିରେ ସୁନ୍ଦର ଓ ଆକର୍ଷଣୀୟ ବସିବା ସ୍ଥାନ, ଉନ୍ନତ ଜିନିଷପତ୍ର ରଖିବା ରାକ, ମୋବାଇଲ ଚାର୍ଜିଂ ପଏଂଟ ଓ ହୋଲ୍ଡର, ଏଲଇଡି ଲାଇଟ୍‌, ସିସିଟିଭି ସାଧାରଣ ସୂଚନା ପ୍ରଦାନକାରୀ ବ୍ୟବସ୍ଥା ଇତ୍ୟାଦି ରହିଛି । ପ୍ରଧାନମନ୍ତ୍ରୀ ଛଅଟି ନୂତନ ବନ୍ଦେ ଭାରତ ଟ୍ରେନ ଚଳାଚଳ ଶୁଭାରମ୍ଭ ମଧ୍ୟ କରାଇଥିଲେ ।

ପ୍ରଧାନମନ୍ତ୍ରୀ ଦରଭଙ୍ଗା-ଅଯୋଧ୍ୟା-ଆନନ୍ଦ ବିହାର ଟର୍ମିନାଲ ଓ ମାଲଦା ଟାଉନ -ସାର ଏମ୍‌. ବିଶ୍ୱେସରାୟ ଟର୍ମିନସ୍ (ବେଙ୍ଗାଲୁରୁ) ଅମୃତ ଭାରତ ଏକ୍ସପ୍ରେସ ଦୁଇଟିକୁ ପତାକା ଦେଖାଇ ଯାତ୍ରାରମ୍ଭ କରାଇଥିଲେ । ଉଦ୍‌ଘାଟନୀ ଅମୃତ ଟ୍ରେନରେ ଯାତ୍ରା କରୁଥିବା ବିଦ୍ୟାଳୟ ଛାତ୍ରଛାତ୍ରୀଙ୍କ ସହ ପ୍ରଧାନମନ୍ତ୍ରୀ କଥାବାର୍ତ୍ତା ହୋଇଥିଲେ ।

ପ୍ରଧାନମନ୍ତ୍ରୀ ମଧ୍ୟ ଛଅଟି ନୂତନ ବନ୍ଦେ ଭାରତ ଏକ୍ସପ୍ରେସ ଯାତ୍ରାର ଶୁଭାରମ୍ଭ କରାଇଥିଲେ । ସେଗୁଡିକ ମଧ୍ୟରେ ଶ୍ରୀ ମାତା ବୈଷ୍ଣୋଦେବୀ କଟ୍ରା- ନୂଆଦିଲ୍ଲୀ ବନ୍ଦେ ଭାରତ ଏକ୍ସପ୍ରେସ, ଅମୃତସର-ଦିଲ୍ଲୀ ବନ୍ଦେ ଭାରତ ଏକ୍ସପ୍ରେସ, କୋଇମ୍ବାଟୁର-ବାଙ୍ଗାଲୋର କ୍ୟାଣ୍ଟନମେଣ୍ଟ ବନ୍ଦେ ଭାରତ ଏକ୍ସପ୍ରେସ, ମାଙ୍ଗାଲୋର -ମାଡଗାଓଁ ବନ୍ଦେ ଭାରତ ଏକ୍ସପ୍ରେସ, ଜାଲନା-ମୁମ୍ବାଇ ବନ୍ଦେ ଭାରତ ଏକ୍ସପ୍ରେସ ଓ ଅଯୋଧ୍ୟା-ଆନନ୍ଦ ବିହାର ଟର୍ମିନାଲ ବନ୍ଦେ ଭାରତ ଏକ୍ସପ୍ରେସ ।

ସେ ଅଞ୍ଚଳରେ ରେଳ ଭିତ୍ତିଭୂମି ମଜବୁତ କରିବା ପାଇଁ ପ୍ରଧାନମନ୍ତ୍ରୀ ୨୩୦୦ କୋଟି ଟଙ୍କାର ତିନିଟି ରେଳପ୍ରକଳ୍ପ ଜାତି ଉଦ୍ଦେଶ୍ୟରେ ଉତ୍ସର୍ଗ କରିଥିଲେ । ଏହି ପ୍ରକଳ୍ପଗୁଡିକ ମଧ୍ୟରେ ରୁମା-ଚକେରୀ-ଚନ୍ଦେରୀ ତୃତୀୟ ରେଳପଥ ପ୍ରକଳ୍ପ, ଜଉନପୁର-ତୁଳସୀନଗର, ଆକବରପୁର-ଅଯୋଧ୍ୟା, ସୋହୱାଲ-ପତରଙ୍ଗା ଏବଂ ସଫଦରଜଙ୍ଗ-ରସୌଲୀ, ଜଉନପୁର-ଅଯୋଧ୍ୟା-ବରାବାଙ୍କୀ ରେଳପଥ ଦୋହରୀକରଣ ପ୍ରକଳ୍ପ ଓ ମହ୍ଲାପୁର-ଦାଲିଗଞ୍ଜ ରେଳ ସେକ୍ସନ ରେଳପଥ ଦୋହରୀକରଣ ଓ ବିଦ୍ୟୁତକରଣ ପ୍ରକଳ୍ପ ।

Related posts