Categories
ଅପରାଧ ଆଜିର ଖବର ରାଜ୍ୟ ଖବର

ବାଣପୁର: ପୁଣି ବନ୍ଧୁକ ମୁନରେ ଲୁଟ୍, ମିଟର ରିଡର କର୍ମଚାରୀଙ୍କ ଠାରୁ ଗାଡି, ଟଙ୍କା ଲୁଟିଲେ ଦୁର୍ବୃତ୍ତ

ସୀତାରାମ ଅଗ୍ରୱାଲ

ବାଣପୁର: ପୁଣିଥରେ ଖୋର୍ଦ୍ଧା ଜିଲ୍ଲା ବାଣପୁର ଥାନା ଅଞ୍ଚଳରେ ବନ୍ଧୁକ ମୁନରେ ଲୁଟ ଖବର ହସ୍ତଗତ ହୋଇଛି। ଟଙ୍କା ଓ ବାଇକ ଲୁଟିନେଇ ଫେରାର ହୋଇଛନ୍ତି ଲୁଟେରା। ଅରାଙ୍ଗ ଗ୍ରାମ ନିକଟସ୍ଥ କଦଳୀବାରି ଅଞ୍ଚଳରେ ଘଟଣା ଘଟିଛି।

ଖବର ମୁତାବକ ଆଜି ମଧ୍ୟାହ୍ନରେ ବିଦ୍ୟୁତ ମିଟର ପଇସା କଲେକ୍ସନ ପାଇଁ ଚୁକ୍ତିନାମା କରିଥିବା ସଂସ୍ଥା ଷ୍ଟେର୍ଲିଙ୍ଗର ମିଟର ରିଡର କର୍ମଚାରୀ ପ୍ରଶାନ୍ତ ବେହେରା ଏବଂ ଟ୍ରେନିଙ୍ଗ କର୍ମଚାରୀ ରାକେଶ କୁମାର ଦାସ ଏକ ସ୍କୁଟି ଓ ଆପାଚି ବାଇକ ଯୋଗେ ଅରାଙ୍ଗ ଗ୍ରାମରୁ କଲେକ୍ସନ ପାଇଁ ଯାଇଥିଲେ। ତେବେ ଅପରାହ୍ନରେ କଲେକ୍ସନ ସାରି ଫେରୁଥିବା ବେଳେ କଦଳୀବାରି ନିକଟରେ ହଠାତ ମୁଖା ପିନ୍ଧି ତିନି ଜଣ ଦୁର୍ବୁତ୍ତ ଏକ କଳା ପଲସର ବାଇକରେ ଆସି ଉଭୟଙ୍କ ଉପରେ ଲଙ୍କା ଗୁଣ୍ଡ ଫୋପାଡ଼ିଥିଲେ।

ଏଥିରେ ପ୍ରଶାନ୍ତ ଆହତ ହୋଇଥିବା ବେଳେ ସୌଭାଗ୍ୟବଶତଃ ରାକେଶଙ୍କ ଉପରେ ଲଙ୍କା ଗୁଣ୍ଡ ପଡ଼ିନଥିଲା। ଏହାପରେ ଦୁର୍ବୁତ୍ତମାନେ ଉଭୟଙ୍କୁ ବନ୍ଧୁକ, ଭୁଜାଲି ଦେଖାଇ ଧମକାଇ ପ୍ରଶାନ୍ତଙ୍କ ନିକଟରୁ କଲେକ୍ସନ ଏବଂ ବ୍ୟକ୍ତିଗତ ପଇସା ସମୁଦାୟ ୧୩ ହଜାର୨ ଶହ ଟଙ୍କା, ମୋବାଇଲ ଓ ରାକେଶଙ୍କ ଆପାଚି ବାଇକ ନେଇ ବାଣପୁର ଆଡେ ଫେରାର ହୋଇଯାଇଥିଲେ।

ତେବେ ଆକ୍ରମଣ ସମୟରେ ପ୍ରଶାନ୍ତ ନିଜ ସ୍କୁଟି ଚାବିକୁ ବୁଦା ଆଡକୁ ଫୋପାଡ଼ିଦେବାରୁ ଦୁର୍ବୁତ୍ତ ମାନେ ସ୍କୁଟି ନେଇପାରିନଥିଲେ। ବର୍ତ୍ତମାନ ଉକ୍ତ ଠିକା କମ୍ପାନୀର ଉପରିସ୍ଥ ଅଧିକାରୀ ଏବଂ ଲୁଟର ଶିକାର ହୋଇଥିବା କର୍ମଚାରୀ ବାଣପୁର ଥାନାରେ ପହଞ୍ଚି ଏତଲା ଦେଉଥିବାର ଜଣାପଡିଛି।

ତେବେ ଗତ ୨୦ ଦିନ ମଧ୍ୟରେ ବାଣପୁର ଥାନା ଅଞ୍ଚଳରେ ଏହା ବନ୍ଧୁକ ମୁନରେ ତୃତୀୟ ଲୁଟ ହୋଇଥିବା ବେଳେ ଲୁଟେରାଙ୍କୁ ପୋଲିସ ଏଯାବତ ଠାବ କରିବାରେ ବିଫଳ ହୋଇଛି।  ଯଥାଶୀଘ୍ର ସମସ୍ତ ଲୁଟେରାଙ୍କୁ ଗିରଫ ପାଇଁ ସାଧାରଣରେ ଦାବି ହେଉଛି।

Categories
ଅପରାଧ ଆଜିର ଖବର ରାଜ୍ୟ ଖବର

ବାଣପୁର: ଦିନ ଦ୍ବିପହରରେ ବନ୍ଧୁକ ମୁନରେ ବାପ ଝିଅଙ୍କ ଠୁ ଲୁଟ୍

ସୀତାରାମ ଅଗ୍ରୱାଲ

ବାଣପୁର: ଦିନ ଦ୍ୱିପହରରେ ରାସ୍ତା ମଝିରେ ବନ୍ଧୁକ ମୁନରେ ଲୁଟ୍ ହୋଇଛି। ଲୁଟ୍ ର ଶିକାର ହୋଇଛନ୍ତି ଖୋର୍ଦ୍ଧା ଜିଲ୍ଲା ବାଣପୁର ଥାନା ଅନ୍ତର୍ଗତ ଆଙ୍କୁଲା ପଦର ଗ୍ରାମର ଲଲାଟ କୁମାର ବେହେରା (୪୨) ଓ ତାଙ୍କ ଝିଅ ସୁନିତା ବେହେରା(୧୮)।

ଘଟଣାରୁ ପ୍ରକାଶ ଯେ, ଗତକାଲି ମଧ୍ୟାହ୍ନ ସମୟରେ ଲଲାଟ ଓ ତାଙ୍କ ଝିଅ ସୁନିତା ଖୋର୍ଦ୍ଧାରୁ ଟୀକା ନେଇ ଫେରୁଥିଲେ। ଏ ସମୟରେ ପୁର୍ବରୁ ଏକ ମୋଟର ସାଇକେଲରେ ଏମାନଙ୍କ ପିଛା କରି ଆସୁଥିବା ଦୁର୍ବୁତ୍ତ ଭାଟପଡା ଓ ବିଂଝିଳା ମଧ୍ୟବର୍ତ୍ତୀ ଏକ ନିକାଞ୍ଚନ ଜାଗାରେ ଲଲାଟଙ୍କ ଗାଡି ଅଟକାଇ ତାଙ୍କ ମୁଣ୍ଡରେ ବନ୍ଧୁକ ଲଗାଇ ଭୟଭୀତ କରାଇଥିଲେ। ସେମାନେ ଏହାର ପ୍ରତିବାଦ କରିବାରୁ ଦୁର୍ବୁତ୍ତ ଉଭୟଙ୍କୁ ବନ୍ଧୁକରେ ମାଡମାରିବା ସହ ଲାତ ଗୋଇଠା ମାରି ଲହୁ ଲୁହାଣ କରିଥିବା ବେଳେ ସୁନିତାଙ୍କ ଚଷମା ଓ ଲଲାଟଙ୍କ ହେଲମେଟ ଭାଙ୍ଗିଦେଇଥିଲେ।

ଝିଅ ସୁନିତା ପିନ୍ଧିଥିବା ୧୨ ଗ୍ରାମ ସୁନା ଚେନ ସହ ଲଲାଟଙ୍କ ମନୀପର୍ସ ସାଙ୍ଗକୁ ନଗଦ ୫୦୦୦ ଟଙ୍କା ଓ ଅତ୍ୟାବଶ୍ୟକ କାଗଜପତ୍ର ଲୁଟିନେଇ ଫେରାର ହୋଇଯାଇଥିଲା ଦୁର୍ବୁତ୍ତ ଜଣକ। ଏହାକୁ ନେଇ ଲୁଟ୍ ର ଶିକାର ହୋଇଥିବା ଲଲାଟ କୁମାର ବେହେରା ବାଣପୁର ମେଡିକାଲ କୁ ଯାଇ ଚିକିତ୍ସା କରାଇବା ସହ ବାଣପୁର ଥାନାରେ ଏକ ଲିଖିତ ଅଭିଯୋଗ କରିଥିବାର ସୂଚନା ମିଳିଛି।

Categories
ଅପରାଧ ଆଜିର ଖବର ଆଞ୍ଚଳିକ ରାଜ୍ୟ ଖବର

ଶାଳିଆଡ୍ୟାମ୍ ନିକଟରୁ ବ୍ୟବସାୟିଙ୍କଠୁ ବନ୍ଧୁକ ମୁନରେ ଲୁଟ୍: ବାଣପୁର ପୋଲିସର ତନାଘନା

ସୀତାରାମ ଅଗ୍ରୱାଲ

ବାଣପୁର: ଖୋର୍ଦ୍ଧା ଏବଂ ଗଞ୍ଜାମ ଜିଲ୍ଲାର ସୀମାନ୍ତବର୍ତ୍ତୀ ଅଞ୍ଚଳରେ ଅବସ୍ଥିତ ଥିବା ଶାଳିଆ ଡ୍ୟାମ ନିକଟରୁ ଶନିବାର ସନ୍ଧ୍ୟାରେ ତିନି ଜଣ ଅଜଣା ଦୁର୍ବୃତ୍ତ ବନ୍ଧୁକ ଦେଖାଇ ଜଣେ ବ୍ୟକ୍ତିଙ୍କଠାରୁ ଟଙ୍କା ସହ ଏଟିଏମ୍ କାର୍ଡ, ପର୍ସ, ଗାଡି ଚାବି, ମୋବାଇଲ ଫୋନ ଆଦି ଛଡେଇ ନେଇଥିବା ଅଭିଯୋଗ ହୋଇଛି। ଗଞ୍ଜାମ ଜିଲ୍ଲା କୋଦଳା ଥାନା ଅନ୍ତର୍ଗତ ଅଙ୍ଗାରଗାଁ ପଞ୍ଚାୟତ ନୂଆଁଗଡ଼ ଗ୍ରାମର ତ୍ରିନାଥ ପ୍ରଧାନ ଏନେଇ ଶନିବାର ରାତିରେ ବାଣପୁର ଥାନାରେ ଲିଖିତ ଅଭିଯୋଗ କରିଛନ୍ତି।

ଅଭିଯୋଗ ମୁତାବକ ତ୍ରିନାଥ ଗତକାଲି ସନ୍ଧ୍ୟା ସମୟରେ ଶାଳିଆ ଡ୍ୟାମ୍ ଠାରୁ ନିଜର ବ୍ୟବସାୟୀକ କାମସାରି ଘରକୁ ବାଇକ ଯୋଗେ ଏକୁଟିଆ ଫେରୁଥିବାବେଳେ ହଠାତ୍ ବାଣପୁର ଥାନା ଅନ୍ତର୍ଗତ ଶାଳିଆ ଡ୍ୟାମସ୍ଥିତ ମା’ ଡୋମଣି ମନ୍ଦିର ନିକଟସ୍ଥ ପମ୍ପ ହାଉସ ନିକଟରେ ଅଙ୍ଗାରଗାଁ ପଟୁ ଗୋଟିଏ ବାଇକରେ ଆସୁଥିବା ଅଜଣା ମାସ୍କ ଧାରୀ ତିନି ଦୁର୍ବୃତ୍ତ ରାସ୍ତା ମଝିରେ ବାଇକ ଅଟକାଇବା ସହ ତ୍ରିନାଥଙ୍କ ମୁଣ୍ଡରେ ବନ୍ଧୁକ ଲଗାଇ ୧୩ ହଜାର ଟଙ୍କା, ପର୍ସ, ଦୁଇ ଗୋଟିଏ ଏଟିଏମ୍ କାର୍ଡ, ମୋବଇଲ୍ ଫୋନ୍ ଏବଂ ବାଇକ ଚାବି ଆଦି ଛଡେଇ ନେଇ ଦ୍ରୁତ ଗତିରେ ବାଣପୁର ଅଭିମୁଖେ ପଳେଇ ଯାଇଥିଲେ।

ଏଥିରେ ତ୍ରିନାଥ ଭୟଭୀତ ହୋଇ ତୁରନ୍ତ ବାଣପୁର ଥାନାରେ ଏତଲା ଦେଇଥିଲେ। ତେବେ ଉକ୍ତ ଘଟଣାର ତଦନ୍ତ ଜାରି ରହିଛି ବୋଲି ବାଣପୁର ଆଇଆଇସି ସଞ୍ଜୟ କୁମାର ପଟ୍ଟନାୟକ ସୂଚନା ଦେଇଛନ୍ତି।