ଶାଳିଆଡ୍ୟାମ୍ ନିକଟରୁ ବ୍ୟବସାୟିଙ୍କଠୁ ବନ୍ଧୁକ ମୁନରେ ଲୁଟ୍: ବାଣପୁର ପୋଲିସର ତନାଘନା

Published: Apr 25, 2021, 9:03 pm IST

ସୀତାରାମ ଅଗ୍ରୱାଲ

ବାଣପୁର: ଖୋର୍ଦ୍ଧା ଏବଂ ଗଞ୍ଜାମ ଜିଲ୍ଲାର ସୀମାନ୍ତବର୍ତ୍ତୀ ଅଞ୍ଚଳରେ ଅବସ୍ଥିତ ଥିବା ଶାଳିଆ ଡ୍ୟାମ ନିକଟରୁ ଶନିବାର ସନ୍ଧ୍ୟାରେ ତିନି ଜଣ ଅଜଣା ଦୁର୍ବୃତ୍ତ ବନ୍ଧୁକ ଦେଖାଇ ଜଣେ ବ୍ୟକ୍ତିଙ୍କଠାରୁ ଟଙ୍କା ସହ ଏଟିଏମ୍ କାର୍ଡ, ପର୍ସ, ଗାଡି ଚାବି, ମୋବାଇଲ ଫୋନ ଆଦି ଛଡେଇ ନେଇଥିବା ଅଭିଯୋଗ ହୋଇଛି। ଗଞ୍ଜାମ ଜିଲ୍ଲା କୋଦଳା ଥାନା ଅନ୍ତର୍ଗତ ଅଙ୍ଗାରଗାଁ ପଞ୍ଚାୟତ ନୂଆଁଗଡ଼ ଗ୍ରାମର ତ୍ରିନାଥ ପ୍ରଧାନ ଏନେଇ ଶନିବାର ରାତିରେ ବାଣପୁର ଥାନାରେ ଲିଖିତ ଅଭିଯୋଗ କରିଛନ୍ତି।

ଅଭିଯୋଗ ମୁତାବକ ତ୍ରିନାଥ ଗତକାଲି ସନ୍ଧ୍ୟା ସମୟରେ ଶାଳିଆ ଡ୍ୟାମ୍ ଠାରୁ ନିଜର ବ୍ୟବସାୟୀକ କାମସାରି ଘରକୁ ବାଇକ ଯୋଗେ ଏକୁଟିଆ ଫେରୁଥିବାବେଳେ ହଠାତ୍ ବାଣପୁର ଥାନା ଅନ୍ତର୍ଗତ ଶାଳିଆ ଡ୍ୟାମସ୍ଥିତ ମା’ ଡୋମଣି ମନ୍ଦିର ନିକଟସ୍ଥ ପମ୍ପ ହାଉସ ନିକଟରେ ଅଙ୍ଗାରଗାଁ ପଟୁ ଗୋଟିଏ ବାଇକରେ ଆସୁଥିବା ଅଜଣା ମାସ୍କ ଧାରୀ ତିନି ଦୁର୍ବୃତ୍ତ ରାସ୍ତା ମଝିରେ ବାଇକ ଅଟକାଇବା ସହ ତ୍ରିନାଥଙ୍କ ମୁଣ୍ଡରେ ବନ୍ଧୁକ ଲଗାଇ ୧୩ ହଜାର ଟଙ୍କା, ପର୍ସ, ଦୁଇ ଗୋଟିଏ ଏଟିଏମ୍ କାର୍ଡ, ମୋବଇଲ୍ ଫୋନ୍ ଏବଂ ବାଇକ ଚାବି ଆଦି ଛଡେଇ ନେଇ ଦ୍ରୁତ ଗତିରେ ବାଣପୁର ଅଭିମୁଖେ ପଳେଇ ଯାଇଥିଲେ।

ଏଥିରେ ତ୍ରିନାଥ ଭୟଭୀତ ହୋଇ ତୁରନ୍ତ ବାଣପୁର ଥାନାରେ ଏତଲା ଦେଇଥିଲେ। ତେବେ ଉକ୍ତ ଘଟଣାର ତଦନ୍ତ ଜାରି ରହିଛି ବୋଲି ବାଣପୁର ଆଇଆଇସି ସଞ୍ଜୟ କୁମାର ପଟ୍ଟନାୟକ ସୂଚନା ଦେଇଛନ୍ତି।

Related posts