Categories
ଆଜିର ଖବର ଜାତୀୟ ଖବର ସ୍ବାସ୍ଥ୍ୟ

ବର୍ଷା ଋତୁରେ ଦହି ଖାଇବା ସ୍ୱାସ୍ଥ୍ୟ ପାଇଁ ଭଲ କି?, ଜାଣନ୍ତୁ ଏକ ଆଶ୍ଚର୍ଯ୍ୟଜନକ କଥା

ସ୍ୱାସ୍ଥ୍ୟ ଟିପ୍ସ: ଭାରତରେ ବର୍ଷା ଋତୁ ଆରମ୍ଭ ହୋଇଯାଇଛି। ଏହି ରିତୁରେ ପେଟ ରୋଗରୁ ଚର୍ମ ସଂକ୍ରମଣର ଆଶଙ୍କା ବଢିଯାଏ। ସେଥିପାଇଁ ବର୍ଷା ଋତୁରେ ଖାଦ୍ୟ ଏବଂ ପାନୀୟର ବିଶେଷ ଯତ୍ନ ନିଅନ୍ତୁ। ଲୋକମାନେ ଗ୍ରୀଷ୍ମ ଋତୁରେ ବହୁତ ଦହି ଖାଆନ୍ତି। କିନ୍ତୁ ବର୍ଷାରେ ଦହି ଖାଇବା ଠାରୁ ଦୂରେଇ ରହିବା ଉଚିତ୍। ଗ୍ରୀଷ୍ମ କିମ୍ବା ବର୍ଷା ପରେ ଗରମରୁ ରକ୍ଷା ପାଇବା ପାଇଁ ଲୋକମାନେ ଖାଦ୍ୟରେ ଦହି ଖାଇବାକୁ ପସନ୍ଦ କରନ୍ତି। ଦହି ପେଟ ପାଇଁ ଭଲ ଏବଂ ଅନ୍ତନଳୀକୁ ଥଣ୍ଡା ରଖେ। ତଥାପି, ବର୍ଷାରେ ଦହି ଖାଇବା ପୂର୍ବରୁ କିଛି ସତର୍କତା ଅବଲମ୍ବନ କରାଯିବା ଉଚିତ୍।

ଆୟୁର୍ବେଦ ଅନୁଯାୟୀ ବର୍ଷା ଋତୁରେ ଦହି ଖାଇବା ଦ୍ୱାରା ଏହି ଅସୁବିଧା ହୋଇଥାଏ। ଆୟୁର୍ବେଦ ଅନୁଯାୟୀ ଦହି ହଜମ କରିବାକୁ ସମୟ ନେଇଥାଏ। ବର୍ଷା ଋତୁରେ ଶରୀରର ମେଟାବୋଲିଜିମ୍ ମନ୍ଥର ହୋଇଯାଏ। ଯେଉଁ କାରଣରୁ ଦହି ହଜମ କରିବାକୁ ସମୟ ନେଇଥାଏ। ଏପରି ପରିସ୍ଥିତିରେ ଅପଚ ସମସ୍ୟା ହୋଇପାରେ। ସେଥିପାଇଁ ବର୍ଷା ଋତୁରେ ଜଣେ ବ୍ୟକ୍ତି ହାଲୁକା ଖାଦ୍ୟ ଖାଇବା ଉଚିତ୍। ତେଣୁ ଦହିଠାରୁ ଦୂରତା ରଖିବା ଉଚିତ୍।

ଦହି ଖାଇବା ପାଇଁ ଉପଯୁକ୍ତ ଉପାୟ କ’ଣ?:

ଗଣମାଧ୍ୟମ ପ୍ରକାଶିତ ଖବର ଅନୁଯାୟୀ, ବର୍ଷାରେ ଦହି ଖାଇବା ଦ୍ୱାରା ଆପଣଙ୍କୁ ଅନେକ ଶାରୀରିକ ସମସ୍ୟା ହୋଇପାରେ। ସ୍ୱାସ୍ଥ୍ୟ ବିଶେଷଜ୍ଞଙ୍କ କହିବାନୁସାରେ, ଯଦି ଆପଣ ଗ୍ରୀଷ୍ମ କିମ୍ବା ବର୍ଷା ଋତୁରେ ଦହି ଖାଉଛନ୍ତି, ତେବେ ଏଥିରେ ସାମାନ୍ୟ ମିଠା ମିଶାନ୍ତୁ। ଆପଣ ଗୁଡ କିମ୍ବା ଚିନି ବ୍ୟବହାର କରିପାରିବେ। ଏହା କରିବା ଦ୍ୱାରା ଏହା ଶରୀରରେ ଅଧିକ ଉତ୍ତାପ ସୃଷ୍ଟି କରିବ ନାହିଁ ଏବଂ ଶରୀର ପାଇଁ କୌଣସି କ୍ଷତି ହେବ ନାହିଁ।

ରାତିରେ ଦହି ଖାଇବା ଦ୍ୱାରା ଶରୀରର କ୍ଷତି ହୋଇଥାଏ:

ତେବେ ରାତିରେ ଦହି ଖାଇବା ସ୍ୱାସ୍ଥ୍ୟ ପାଇଁ କ୍ଷତିକାରକ ହୋଇପାରେ। ଦହି ସବୁବେଳେ ଅପରାହ୍ନ କିମ୍ବା ସକାଳେ ଖାଇବା ଉଚିତ୍। ରାତିରେ ଦହି ଖାଇବା ଦ୍ୱାରା ଅନେକ ପ୍ରକାରର ପେଟ ସମ୍ବନ୍ଧୀୟ ସମସ୍ୟା ହୋଇପାରେ। ଦହି ଅମ୍ଳତା ସୃଷ୍ଟି କରିବା ସହିତ ଏହା ରକ୍ତ ସଞ୍ଚାଳନକୁ ମଧ୍ୟ ପ୍ରଭାବିତ କରିଥାଏ। ଚର୍ମ ସମସ୍ୟା ମଧ୍ୟ ଦହି ଦ୍ୱାରା ହୋଇପାରେ। ସେଥିପାଇଁ ଯେତେବେଳେ ଆପଣ ଦହି ଖାଆନ୍ତି, ମୁଗ ଡାଲି, ମହୁ, ଘିଅ, ଚିନି ଏବଂ ଅଁଳାକୁ ମିଶାଇ ଖାଇଲେ ଅନେକ ଲାଭ ଦେଇଥାଏ।

Categories
ଆଜିର ଖବର ରାଜ୍ୟ ଖବର

ଜଳ ସଂପଦ ବିଭାଗ ତରଫରୁ ପ୍ରାକ୍ ବନ୍ୟା ଓ ବାତ୍ୟା ପ୍ରସ୍ତୁତି ବୈଠକ 

ଭୁବନେଶ୍ୱର: ଆଗାମୀ ବର୍ଷା ଋତୁରେ ସମ୍ଭାବ୍ୟ ବନ୍ୟା ଓ ବାତ୍ୟାକୁ ଦୃଷ୍ଟିରେ ରଖି ରାଜ୍ୟ ଜଳ ସଂପଦ  ବିଭାଗ ତରଫରୁ ଏକ ପ୍ରାକ୍ ବନ୍ୟା-ବାତ୍ୟା ପ୍ରସ୍ତୁତି ବୈଠକ ଶୁକ୍ରବାର ଦିନ ଅପରାହ୍ଣରେ ରାଜୀବ ଭବନ ସ୍ଥିତ ଜଳ ସଂପଦ ବିଭାଗ ସମ୍ମିଳନୀ କକ୍ଷରେ ରାଜ୍ୟ ଉନ୍ନୟନ କମିଶନର ତଥା ଅତିରିକ୍ତ ମୁଖ୍ୟ ଶାସନ ସଚିବ ଅନୁ ଗର୍ଗଙ୍କ ଅଧ୍ୟକ୍ଷତାରେ ଅନୁଷ୍ଠିତ ହୋଇଯାଇଛି। ଏହି ବୈଠକରେ ଜଳ ସଂପଦ ବିଭାଗ ସର୍ବୋଚ୍ଚ ଯନ୍ତ୍ରୀ ଭକ୍ତ ରଂଜନ ମହାନ୍ତିଙ୍କ ସମେତ ବିଭାଗର ବରିଷ୍ଠ ପଦାଧିକାରୀ ଓ ଯନ୍ତ୍ରୀମାନେ ଉପସ୍ଥିତ ଥିଲେ। ରାଜ୍ୟର ବିଭିନ୍ନ ନଦୀ ଅବବାହିକା ଅନ୍ତର୍ଗତ ଡିଭିଜନଗୁଡିକରେ ଅବସ୍ଥାପିତ ଜଳ ସଂପଦ ବିଭାଗର ମୁଖ୍ୟଯନ୍ତ୍ରୀ, ସହକାରୀ ମୁଖ୍ୟଯନ୍ତ୍ରୀମାନେ ଆଭାସୀ ମାଧ୍ୟମରେ ଏହି ବୈଠକରେ ଯୋଗ ଦେଇଥିଲେ।
ପ୍ରାରମ୍ଭରେ ଜଳ ସଂପଦ ବିଭାଗ ସର୍ବୋଚ୍ଚ ଯନ୍ତ୍ରୀ ଇଂ ମହାନ୍ତି ପାଓ୍ୱାର ପଏଣ୍ଟ ମାଧ୍ୟମରେ ବନ୍ୟା ଓ ବାତ୍ୟା ପ୍ରସ୍ତୁତି ସଂପର୍କରେ ତଥ୍ୟ ଉପସ୍ଥାପନ କରି ରାଜ୍ୟରେ ଥିବା ମହାନଦୀ, ବ୍ରାହ୍ଣଣୀ, ବୈତରଣୀ, ସୁବର୍ଣ୍ଣରେଖା ସମେତ ୧୧ ଟି ନଦୀ ଅବବାହିକାରେ ଥିବା ୮ ଟି ବୃହତ୍ ଜଳ ଭଣ୍ଡାର ଓ ୪୭ ଟି ମଧ୍ୟମ ଜଳଭଣ୍ଡାରର ସ୍ଥିତି ସଂପର୍କରେ ଅବଗତ କରାଇଥିଲେ। ଏହି ପରିପ୍ରେକ୍ଷୀରେ ସର୍ବୋଚ୍ଚ ଯନ୍ତ୍ରୀ କହିଥିଲେ ଯେ, ଗତ ବର୍ଷ ୨୦୨୨ ଅଗଷ୍ଟ ମାସ ବନ୍ୟାରେ ଆମେ ପାଖାପାଖି ୧୨ ଲକ୍ଷ କ୍ୟୁସେକ୍ ବନ୍ୟା ଜଳ ପ୍ରବାହିତ ହେବା ବେଳେ ବନ୍ୟା ପରିଚାଳନା ସଫଳତାର ସହ କରିଥିଲୁ। ଏ ବର୍ଷ ଆମର ବୃହତ ଓ ମଧ୍ୟମ  ଜଳ ଭଣ୍ଡାରଗୁଡିକର ସ୍ଥିତି ଭଲ ରହିଛି। ଆମର ବନ୍ୟା ପରିଚାଳନା ନେଇ ଯେଉଁ ମଡେଲ ରହିଛି, ଏହାକୁ ଆଧାର କରି ଆଗାମୀ ଦିନରେ ବନ୍ୟା ଓ ବାତ୍ୟାର ସଫଳ ମୁକାବିଲା କରିପାରିବୁ ବୋଲି ସର୍ବୋଚ୍ଚ ଯନ୍ତ୍ରୀ ଇଂ. ମହାନ୍ତି ପ୍ରକାଶ କରିଥିଲେ।
ଜଳ ସଂପଦ ବିଭାଗ  ଅତିରିକ୍ତ ମୁଖ୍ୟ ଶାସନ ସଚିବ ଶ୍ରୀମତୀ ଗର୍ଗ କହିଥିଲେ ଯେ, ଗତ ବର୍ଷ ବନ୍ୟାକୁ ଆମେ ସଫଳତାର ସହ ମୁକାବିଲା କରିଛୁ। କିନ୍ତୁ ଏଥିରେ ଆମେ ସନ୍ତୁଷ୍ଟ ନ ହୋଇ ଆମକୁ ଅଧିକ ଯତ୍ନ ଓ ସତର୍କତାର ସହ କାର୍ଯ୍ୟ କରିବାକୁ ପଡିବ। ଗତ ବର୍ଷ ବନ୍ୟା ମୁକାବିଲାରେ ରହିଥିବା ତ୍ରୁଟିକୁ ଅନୁଧ୍ୟାନ କରି ଆଗାମୀ ବନ୍ୟା-ବାତ୍ୟା  ମୁକାବିଲା ପାଇଁ  ପ୍ରସ୍ତୁତ କରିବାକୁ ଶ୍ରୀମତୀ ଗର୍ଗ ପରାମର୍ଶ ଦେଇଛନ୍ତି। ବନ୍ୟା-ବାତ୍ୟା ପରିଚାଳନା ସହ ବନ୍ୟା ଛାଡିବା ପରେ ଜଳ ସଂଚୟ ପାଇଁ ଗେଟ୍  ଗୁଡିକର ସ୍ଥିତି ଯେପରି ଠିକ୍ ରୁହେ, ସେଥିପ୍ରତି  ଦୃଷ୍ଟି ଦେବାକୁ ଶ୍ରୀମତୀ ଗର୍ଗ ପରାମର୍ଶ ଦେଇଛନ୍ତି। ଆହୁରି ମଧ୍ୟ ବନ୍ୟା ସମୟରେ ନଦୀ ବନ୍ଧ ଗୁଡିକ ଯେପରି ଅତ୍ୟାବଶ୍ୟକ ଦ୍ରବ୍ୟ ପରିବହନ ଓ ଜନସାଧାରଣଙ୍କ ଯାତାୟତ ପାଇଁ  ସୁବିଧା ରୁହେ,  ସେଥିପ୍ରତି ଧ୍ୟାନ ଦେଇ ରାସ୍ତାଗୁଡିକର ସ୍ଥିତି ଯାଂଚ କରି ମରାମତି ପାଇଁ ନିର୍ଦ୍ଦେଶ ଦେଇଛନ୍ତି । ବନ୍ୟା ସମୟରେ ଛୋଟ ଛୋଟ ଘଳିଆ ସୂଚନା ମିଳିବା ସଙ୍ଗେ ସଙ୍ଗେ ତୁରନ୍ତ ଦୃଷ୍ଟିକୁ ନେଇ ବନ୍ଧ ମରାମତି କରିବାକୁ ଶ୍ରୀମତୀ ଗର୍ଗ  ନିର୍ଦ୍ଦେଶ ଦେଇଥିଲେ।
ବୈଠକରୁ ଜଣାପଡିଛି ଯେ ଗତ ଥର ହୋଇଥିବା ୮ ଟି ସ୍ଥାନରେ ଘାଇ ମଧ୍ୟରୁ ୩ ଟି ସଂପୂର୍ଣ୍ଣ ମରାମତି ସରିଛି ଓ ଅନ୍ୟ ସମସ୍ତ କାର୍ଯ୍ୟ ଶେଷ ପର୍ଯ୍ୟାୟରେ ପହଞ୍ଚିଛି। ଚଳିତ ମଇ ମାସ ୧୦ ତାରିଖ ସୁଦ୍ଧା ଜଳ ସଂପଦ  ବିଭାଗର ସଂପୃକ୍ତ  ଅତିରିକ୍ତ ମୁଖ୍ୟଯନ୍ତ୍ରୀମାନଙ୍କୁ ଜିଲ୍ଲାପାଳଙ୍କ ଜରିଆରେ ବିଭିନ୍ନ ନଦୀ ବନ୍ଧର ସ୍ଥିତି ସଂପର୍କରେ ଯୁଗ୍ମ  ତନଖି ବିବରଣୀ ପଠାଇବାକୁ ନିର୍ଦ୍ଦେଶ ଦିଆଯାଇଥିଲା। ସବୁ ଜିଲ୍ଲାରେ ଯୁଗ୍ମ ତନଖି  କାର୍ଯ୍ୟ ସରିଛି। ରାଜ୍ୟର ବିଭିନ୍ନ ଜଳସଂପଦ ଡିଭିଜନରେ ମୋଟ ୭୪୭୩.୨୦୬ କି.ମି ବନ୍ଧ ତଟ ରହିଛି। ସେଥିରୁ ୧୬୩୫.୯୪୫ କି.ମି ଲୁଣି  ବନ୍ଧ ରହିଛି। ବିଭିନ୍ନ ନଦୀ ଓ ଜଳ ଭଣ୍ଡାରର ଗେଟ୍, ସ୍କୁଇସ୍ ଗେଟ୍, ଦୁର୍ବଳ ଓ ସମ୍ବେଦନଶୀଳ ନଦୀ ବନ୍ଧ ଗୁଡିକର ମରାମତି ଓ ସ୍ଥିତି ସଂପର୍କରେ ଆଲୋଚନା କରାଯାଇଥିଲା।
ପ୍ରତି ବର୍ଷ ଭଳି ଆବଶ୍ୟକ ସ୍ଥାନରେ ଡିଭିଜନଓ୍ୱାରୀ ବାଲିବସ୍ତା, ବାଲି ବ୍ୟାଗ,  ବନ୍ୟା-ବାତ୍ୟା ମୁକାବିଲା ପାଇଁ ଆବଶ୍ୟକ ଯାନ୍ତ୍ରିକ ବ୍ୟବସ୍ଥା  ଓ ଉପକରଣ କ୍ରୟ ପ୍ରକ୍ରିୟା ଜାରି ରହିଛି। ଉପରୋକ୍ତ  ବ୍ୟବସ୍ଥା ପାଇଁ ଦାୟିତ୍ୱରେ ଥିବା ଅଧିକାରୀ ଓ ସଂସ୍ଥାମାନଙ୍କର  ଜରୁରୀ ଟେଲିଫୋନ୍ ନମ୍ବର ରଖି  ନିୟମିତ ଯୋଗାଯୋଗରେ ରହିବାକୁ ବୈଠକରେ ନିର୍ଦ୍ଦେଶ ଦିଆଯାଇଛି। ଜରୁରୀ କାଳୀନ ଯୋଗାଯୋଗ ପାଇଁ ଅଧିକାରୀମାନଙ୍କ ଟେଲିଫୋନ୍ ନମ୍ବର ସଂପୃକ୍ତ ସମସ୍ତଙ୍କୁ ଦିଆଯିବା ପାଇଁ ବୈଠକରେ ପରାମର୍ଶ ଦିଆଯାଇଛି। ବନ୍ୟା-ବାତ୍ୟା ମୁକାବିଲା ପାଇଁ ଜିଲ୍ଲାସ୍ତରରେ ଜନ ପ୍ରତିନିଧି, ଜିଲ୍ଲା ଓ  ସ୍ଥାନୀୟ ପ୍ରଶାସନ, ସ୍ୱେଚ୍ଛାସେବୀ ଅନୁଷ୍ଠାନମାନଙ୍କ ସହିତ ବୈଠକ କରାଯାଉଛି। ଜଳ ସଂପଦ ବିଭାଗର  କର୍ତ୍ତୃପକ୍ଷମାନଙ୍କୁ  ଜିଲ୍ଲା ପ୍ରଶାସନ, ପୋଲିସ ପ୍ରଶାସନ ଓ ସ୍ଥାନୀୟ ଜନପ୍ରତିନିଧିମାନଙ୍କ ସହିତ  ଯୋଗାଯୋଗରେ ରହିବାକୁ କୁହାଯାଇଛି। ଜୁନ ୧ ତାରିଖରୁ ୩୧ ଅକ୍ଟୋବର ପର୍ଯ୍ୟନ୍ତ ସେଚସଦନସ୍ଥିତ  ବନ୍ୟା ନିୟନ୍ତ୍ରଣ କକ୍ଷ ୨୪  ଘଣ୍ଟିଆ କାର୍ଯ୍ୟ କରିବ।
ସେହିପରି ବନ୍ୟା-ବାତ୍ୟା ସମୟରେ ଡିଭିଜନ ଓ ସର୍କଲ କାର୍ଯ୍ୟାଳୟରେ ନିୟନ୍ତ୍ରଣ କକ୍ଷ କାର୍ଯ୍ୟକ୍ରମ ହେବ ଓ ଏହାକୁ  ସହକାରୀ ମୁଖ୍ୟ ଯନ୍ତ୍ରୀ ଓ  ମୁଖ୍ୟ ଯନ୍ତ୍ରୀମାନେ  ତଦାରଖ କରିବାକୁ ନିର୍ଦ୍ଦେଶ ଦିଆଯାଇଛି। ବନ୍ୟା ସଂପର୍କିତ  ବୁଲେଟିନ୍ ନିୟମିତ ପ୍ରଦାନ, ବନ୍ୟାଜଳ ଛାଡିବା ପୂର୍ବରୁ ସତର୍କ ସୂଚନା ସଂପୃକ୍ତ ସମସ୍ତଙ୍କୁ ଜଣାଇବା ସହ  ଗଣମାଧ୍ୟମରେ ପ୍ରକାଶନ ଓ ପ୍ରସାରଣ ସଂପର୍କରେ ବୈଠକରେ ଆଲୋଚନା କରାଯାଇଥିଲା। ଅନ୍ୟ ପକ୍ଷରେ ବନ୍ୟା ସମୟରେ ବିଭିନ୍ନ ନଦୀ ଜଳ ଭଣ୍ଡାରରୁ  ପ୍ରବେଶ  କରିବାକୁ ଥିବା ଜଳ ପରିମାଣ ଜାଣିବା ପାଇଁ ସଂପୃକ୍ତ ପଡୋଶୀ ରାଜ୍ୟର ଯନ୍ତ୍ରୀମାନଙ୍କ ସହିତ ଯୋଗାଯୋଗରେ ରହିବାକୁ ସଂପୃକ୍ତ  ମୁଖ୍ୟଯନ୍ତ୍ରୀଙ୍କୁ ନିର୍ଦ୍ଦେଶ ଦିଆଯାଇଛି । ସେହିପରି ନବନିଯୁକ୍ତ କନିଷ୍ଠ ଯନ୍ତ୍ରୀମାନେ କ୍ଷେତ୍ରସ୍ତରରେ କିପରି ବନ୍ୟା ସଂପର୍କରେ ପାଟ୍ରୋଲିଂ କରାଯାଏ, ସେ ସଂପର୍କରେ ଏବେଠୁ ପ୍ରଶିକ୍ଷଣ  ନେବାକୁ ଅତିରିକ୍ତ ମୁଖ୍ୟ  ଶାସନ ସଚିବ ପରାମର୍ଶ ଦେଇ  ସେମାନଙ୍କ ଠାରୁ ଶତ ପ୍ରତିଶତ ସେବା ଆଶା  କରିଛନ୍ତି।
ବୈଠକରେ ସର୍ବୋଚ୍ଚ ଯନ୍ତ୍ରୀ (ଯୋଜନା ଓ  ନକ୍ସାଙ୍କନ), ପରିଚାଳନା ନିର୍ଦ୍ଦେଶକ, ଓଡ଼ିଶା ଉଠା ଜଳସେଚନ, ମୁଖ୍ୟ ଯନ୍ତ୍ରୀ ଓ ଅବବାହିକା ପରିଚାଳକ, ମହାନଦୀ-କାଠଯୋଡି ଅବବାହିକା, ମୁଖ୍ୟ ଯନ୍ତ୍ରୀ, ଏଚ୍.ଏଚ୍ ଏବଂ ଜିଆଇଏସ, ସିଏମ ଭୁବନେଶ୍ୱର, ମୁଖ୍ୟ ଯନ୍ତ୍ରୀ, କ୍ଷୁଦ୍ର ଜଳସେଚନ, ମୁଖ୍ୟ ଯନ୍ତ୍ରୀ ଡ୍ରେନେଜ, ମୁଖ୍ୟଯନ୍ତ୍ରୀ ,ମନିଟରିଂ, ମୁଖ୍ୟ ଯନ୍ତ୍ରୀ ବନ୍ଧ ନିରାପତ୍ତା ପ୍ରମୁଖ ଉପସ୍ଥିତ ଥିଲେ।