Categories
ବିଶେଷ ଖବର

କେନ୍ଦ୍ରମନ୍ତ୍ରୀ ଧର୍ମେନ୍ଦ୍ରଙ୍କ ଉପରେ ବର୍ଷିଲେ ବିଧାୟିକା ବର୍ଷା ସିଂ ବରିହା

ଭୁବନେଶ୍ଵର: ଓଡ଼ିଶାରେ ଆଇନଶୃଙ୍ଖଳା ପରିସ୍ଥିତିକୁ ନେଇ କେନ୍ଦ୍ରମନ୍ତ୍ରୀ ଧର୍ମେନ୍ଦ୍ର ପ୍ରଧାନଙ୍କ ମନ୍ତବ୍ୟର କଡ଼ା ଜବାବ ଦେଇଛନ୍ତି ପଦ୍ମପୁରର ବିଜେଡି ବିଧାୟିକା ବର୍ଷା ସିଂ ବରିହା। ଓଡ଼ିଶା ସଂପର୍କରେ ମିଥ୍ୟା ଅଭିଯୋଗ ତଥା ଅପପ୍ରଚାର କରି କେନ୍ଦ୍ରମନ୍ତ୍ରୀ ଶ୍ରୀ ପ୍ରଧାନ ଓଡ଼ିଶାବାସୀଙ୍କୁ ଅପମାନିତ କରିଥିବାରୁ ତାଙ୍କୁ ଲଜ୍ଜା ଲାଗିବା ଉଚିତ ବୋଲି କହିଛନ୍ତି।

ଆଜି ଶ୍ରୀ ପ୍ରଧାନଙ୍କ ଉଦ୍ଦେଶ୍ୟରେ ଟୁଇଟ୍ କରି ଏବଂ ଗଣମାଧ୍ୟମରେ ପ୍ରତିକ୍ରିୟା ଦେଇ ବର୍ଷା କହିଛନ୍ତି ଯେ ପଦ୍ମପୁର ଉପନିର୍ବାଚନ ସମୟରେ ଯେତେବେଳେ ଓଡ଼ିଶା ବିଜେପି ନେତାମାନେ ମୋତେ ବ୍ୟକ୍ତିଗତ ଆକ୍ଷେପ କରୁଥିଲେ ଏବଂ ଜଣେ ମହିଳା ବୋଲି ଅପମାନିତ କରୁଥିଲେ ଆପଣ ସେତେବେଳେ ଚୁପ୍ ରହିଥିଲେ। ପଦ୍ମପୁରବାସୀ ଏହାକୁ ନାପସନ୍ଦ କଲେ ଏବଂ ଉପନିର୍ବାଚନରେ ଆପଣଙ୍କ ଦଳକୁ ଏହାର ଉଚିତ ଜବାବ ଦେଲେ। ମାତ୍ର ଏଥିରୁ ଆପଣ ବୋଧହୁଏ କିଛି ଶିକ୍ଷା ଲାଭ କଲେ ନାହିଁ। ଏବେ ଆପଣ ନିଜେ ଓଡ଼ିଶାବାସୀ ଅରାଜକତା କରୁଥିବା କହି କୋଟି କୋଟି ଓଡ଼ିଆଙ୍କୁ ଅପମାନିତ କରୁଛନ୍ତି। ବୋଧହୁଏ ଅରାଜକତା ଏବଂ ବିପର‌୍ୟ୍ୟସ୍ତ ଆଇନଶୃଙ୍ଖଳା କ’ଣ ତାହା ଆପଣ ଜାଣି ନାହାନ୍ତି। ତାହେଲେ ବିଜେପି ଶାସିତ ଉତ୍ତରପ୍ରଦେଶ, ମହାରାଷ୍ଟ୍ର ଓ ଗୁଜରାଟର ଆଇନଶୃଙ୍ଖଳା ସ୍ଥିତି କ’ଣ ତାହା ଦେଖନ୍ତୁ କହି ବର୍ଷା ତାଙ୍କ ଟୁଇଟ୍ରେ ଏଭଳି ଅରାଜକତାର କିଛି ଭିଡିଓ ମଧ୍ୟ ସେୟାର କରିଥିଲେ।

ଏହି ଅବସରରେ ବର୍ଷା କେନ୍ଦ୍ରମନ୍ତ୍ରୀଙ୍କୁ ସମାଲୋଚନା କରି ଆହୁରି କହିଥିଲେ ଯେ ପ୍ରଥମେ ଆପଣମାନେ ମୋ ଭଳି ଓଡ଼ିଶାର ମହିଳାମାନଙ୍କୁ ଅପମାନିତ କଲେ, ଆଉ ଏବେ ତୁଛା ମିଛ ପ୍ରଚାର କରି ଓଡ଼ିଶାବାସୀଙ୍କୁ ବଦନାମ ଓ ଅପମାନିତ କରିବାକୁ ଚେଷ୍ଟା କରୁଛନ୍ତି। ଏଥିପାଇଁ ଆପଣଙ୍କୁ ଲଜ୍ଜା ଲାଗିବା ଦରକାର। ସ୍ବାଭିମାନୀ ଏବଂ ଶାନ୍ତିପ୍ରିୟ ଓଡ଼ିଶାବାସୀ ସେମାନଙ୍କ ବିରୋଧରେ ଆପଣଙ୍କର ଏଭଳି ଟିପ୍ପଣିକୁ କେବେହେଲେ ବରଦାସ୍ତ କରିବେ ନାହିଁ।

Categories
ବିଶେଷ ଖବର

କେନ୍ଦ୍ରମନ୍ତ୍ରୀ ଧର୍ମେନ୍ଦ୍ରଙ୍କୁ ଟୁଇଟ୍ କରି ଅନୁରୋଧ କଲେ ବର୍ଷା ସିଂ ବରିହା: ଜାଣନ୍ତୁ କ’ଣ କହିଲେ?

ଭୁବନେଶ୍ଵର: ପୂର୍ବତନ ମନ୍ତ୍ରୀ ନବକିଶୋର ଦାସଙ୍କ ମୃତ୍ୟୁ ପରେ ଓଡ଼ିଶା ବିଜେପିର କିଛି ନେତା ତାଙ୍କୁ ନିନ୍ଦିତ କରିବାକୁ ଉଦ୍ୟମ କରୁଛନ୍ତି। ଏହା ଆମ ହିନ୍ଦୁ ପରମ୍ପରା ଓ ଓଡ଼ିଆ ସଂସ୍କୃତିରେ ଆଦୌ ଗ୍ରହଣୀୟ ନୁହେଁ। ତେଣୁ ରାଜନୈତିକ ଉଦ୍ଦେଶ୍ୟ ରଖି ଜଣେ ଦିବଂଗତ ନେତାଙ୍କ ଉପରେ କଟୁ ମନ୍ତବ୍ୟ ଦେବାରୁ ଆପଣଙ୍କ ଦଳର ନେତାଙ୍କୁ କ୍ଷାନ୍ତ ରଖନ୍ତୁ। ଆଜି କେନ୍ଦ୍ରମନ୍ତ୍ରୀ ଧର୍ମେନ୍ଦ୍ର ପ୍ରଧାନଙ୍କୁ ଟୁଇଟ୍ କରି ଏପରି ଅନୁରୋଧ କରିଛନ୍ତି ପଦ୍ମପୁର ବିଧାୟିକା ବର୍ଷା ସିଂ ବରିହା।

ଶ୍ରୀମତୀ ବରିହା ନିଜ ଟୁଇଟ୍ରେ ଆହୁରି ଉଲ୍ଲେଖ କରିଛନ୍ତି ଯେ ଯେତେବେଳେ ମୋ ବାପାଙ୍କର ଦେହାନ୍ତ ହୋଇଥିଲା, ସେତେବେଳେ ମଧ୍ୟ ରାଜ୍ୟ ବିଜେପିର କିଛି ନେତା ତାଙ୍କୁ ଠିକ୍ ଏମିତି ଆକ୍ଷେପ କରୁଥିଲେ। ମୋ ଚରିତ୍ର ଓ ବାହାଘରକୁ ନେଇ କୁତ୍ସାରଟନା କରୁଥିଲେ। ମୁଁ ସମସ୍ତଙ୍କୁ ହାତ ଯୋଡ଼ି ଯେତେ ଅନୁରୋଧ କଲେ ବି ସେମାନେ ଆକ୍ରୋଶମୂଳକ ଭାବେ ବ୍ୟକ୍ତିଗତ ଆକ୍ରମଣ ଜାରି ରଖିଥିଲେ। ଏହା ମୋତେ ଏବଂ ମୋ ପରିବାରକୁ ଗଭୀର ମାନସିକ ଆଘାତ ଦେଇଥିଲା। ସେତେବେଳେ ମୁଁ ଆପଣଙ୍କୁ ମଧ୍ୟ ଅନୁରୋଧ କରିଥିଲି, ଦୟାକରି ମୋତେ ଏପରି ଆକ୍ଷେପ କରିବାକୁ ଆପଣଙ୍କ ଦଳର ଏହି ନେତାମାନଙ୍କୁ ବାରଣ କରନ୍ତୁ। ତଥାପି ଆପଣ କିଛି କଲେନି, ବୋଧେ ଜାଣିଶୁଣି ନିରବ ରହିଲେ। ଏହା ମୋତେ ଖୁବ୍ ଦୁଃଖ ଦେଇଥିଲା।

ଏବେ ସମାନ ଢଙ୍ଗରେ ସ୍ୱର୍ଗତ ନବକିଶୋର ଦାସଙ୍କ ଚରିତ୍ର ସଂଘାର ପାଇଁ ଯେଉଁ ଉଦ୍ୟମ ହେଉଛି, ତାହା ତାଙ୍କ ଝିଅ ଓ ପରିବାରର ଅନ୍ୟ ସଦସ୍ୟମାନଙ୍କୁ କେତେ ମାନସିକ ଯନ୍ତ୍ରଣା ହେଉଥିବ, ତାହା ମୁଁ ଅନୁଭବ କରିପାରୁଛି। ତେଣୁ ଆପଣଙ୍କୁ ମୋର ଅନୁରୋଧ, ଅନ୍ତତଃ ପକ୍ଷେ ନିରବ ରୁହନ୍ତୁ ନାହିଁ କି ଏହାକୁ ପରୋକ୍ଷ ଭାବେ ସମର୍ଥନ କରନ୍ତୁ ନାହିଁ। ଦୟା କରି ଆପଣଙ୍କ ଦଳର ନେତାମାନଙ୍କୁ କୁହନ୍ତୁ, ଜଣେ ମୃତ ବ୍ୟକ୍ତିଙ୍କ ସଂପର୍କରେ ସେମାନେ ଏପରି ହୀନ ମନ୍ତବ୍ୟ ଦେବାରୁ ନିଜକୁ କ୍ଷାନ୍ତ ରଖନ୍ତୁ।

Categories
ଆଜିର ଖବର ରାଜ୍ୟ ଖବର

ଆଜି ବିଧାୟିକା ଭାବେ ଶପଥ ନେବେ ବର୍ଷା ସିଂ ବରିହା

ଭୁବନେଶ୍ୱର: ପଦ୍ମପୁରର ନବନିର୍ବାଚିତ ବିଧାୟିକା ବର୍ଷା ସିଂ ବରିହା ଆଜି ଶପଥ ନେବେ। ବିଧାନସଭାରେ ବାଚସ୍ପତି ବିକ୍ରମ କେଶରୀ ଆରୁଖ ତାଙ୍କୁ ଶପଥ ପାଠ କରାଇବେ। ଏହି ଅବସରରେ ବରଗଡ ଜିଲ୍ଲାର ବିଜେଡିର ବରିଷ୍ଠ ସଦସ୍ୟ ଉପସ୍ଥିତ ରହିବେ।

ନିକଟରେ ବର୍ଷା ଭୁବନେଶ୍ବର ଆସି ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକ ଏବଂ ବାଚସ୍ପତିଙ୍କୁ ସାକ୍ଷାତ କରିଛନ୍ତି। ବାଚସ୍ପତିଙ୍କ ସାକ୍ଷାତ ବେଳେ ସେ ଆଜି ଶପଥ ନେବେ ବୋଲି କୁହାଯାଇଥିଲା।

Categories
ଆଜିର ଖବର ରାଜ୍ୟ ଖବର

ମୁଖ୍ୟମନ୍ତ୍ରୀଙ୍କୁ ଭେଟିଲେ ନବ ନିର୍ବାଚିତ ବିଧାୟିକା ବର୍ଷା ସିଂ ବରିହା

ଭୁବନେଶ୍ବର: ଆଜି ମୁଖ୍ୟମନ୍ତ୍ର ନବୀନ ପଟ୍ଟନାୟକଙ୍କୁ ସାକ୍ଷାତ କରିଛନ୍ତି ନବ ନିର୍ବାଚିତ ବିଧାୟିକା ବର୍ଷା ସିଂ ବରିହା। ସେ ନବୀନ ନିବାସରେ ମୁଖ୍ୟମନ୍ତ୍ରୀଙ୍କୁ ସାକ୍ଷାତ କରିଛନ୍ତି। ଏହି ସାକ୍ଷାତ ସମୟରେ ପଶ୍ଚିମ ଓଡିଶାରେ ବହୁ ନେତା ଉପସ୍ଥିତ ଥିଲେ। ସେମାନଙ୍କ ମଧ୍ୟରେ ମନ୍ତ୍ରୀ ଟୁକୁନି ସାହୁ, ରୀତା ସାହୁ, ସ୍ନେହାଙ୍ଗିନୀ ଛୁରିଆ, ପ୍ରଭାତ ସିଂ, ପ୍ରସନ୍ନ ଆଚାର୍ଯ୍ୟ ଓ ସୁଶାନ୍ତ ସିଂ ନବୀନ ଥିଲେ ।

ପଦମପୁର ଉପନିର୍ବାଚନରେ ବର୍ଷା ଲକ୍ଷାଧିକ ଭୋଟ ପାଇ ରେକର୍ଡ ଭୋଟ ବ୍ୟବଧାନରେ ବିଜୟଲାଭ କରିଛନ୍ତି। ଏହି ଉପନିର୍ବାଚନରେ ବର୍ଷାଙ୍କ ପାଇଁ ମୁଖ୍ୟମନ୍ତ୍ରୀ ତିନୋଟି ସ୍ଥାନରେ ପ୍ରଚାର କରିଥିଲେ।

Categories
ଆଜିର ଖବର ଜାତୀୟ ଖବର ରାଜ୍ୟ ଖବର

ବର୍ଷା ସିଂ ବରିହାଙ୍କୁ ଅଭିନନ୍ଦନ ଜଣାଇଲେ ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକ

ଭୁବନେଶ୍ବର: ପଦମପୁରରେ ବିପୁଳ ଭୋଟରେ ବିଜୟ ହୋଇଛନ୍ତି ବିଜେଡି ପ୍ରାର୍ଥୀ ବର୍ଷା ସିଂ ବରିହା। ଏହି ଖବର ଆସିବା ପରେ ତାଙ୍କୁ ବିଜୁ ଜନତା ଦଳର ସଭାପତି ତଥା ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକ ଅଭିନନ୍ଦନ ଜଣାଇଛନ୍ତି। ସେ ଟେଲିଫୋନ ଯୋଗେ ବର୍ଷାଙ୍କ ସହିତ କଥା ହେବା ସହିତ ଶୁଭେଚ୍ଛା ମଧ୍ୟ ଜଣାଇଛନ୍ତି।

ପଦମପୁରରେ ବିଜେଡିକୁ ୧ ଲକ୍ଷ ୧୯ ହଜାର ୫୧୨ ଭୋଟ୍ ମିଳିଛି। ସେହିପରି ବିଜେପିକୁ ୭୭ ହଜାର ୪୪୭ ଭୋଟ୍ ମିଳିଛି। ଅନ୍ୟପଟେ କଂଗ୍ରେସ ହାତକୁ ମାତ୍ର ୩୫୪୮ ଖଣ୍ଡ ଭୋଟ୍ ମିଳିଛି। ତେଣୁ ବିଜେପି ପ୍ରାର୍ଥୀଙ୍କୁ ୪୦ ହଜାରରୁ ଅଧିକ ଭୋଟରେ ହରାଇ ପଦ୍ମପୁର ଦଖଲ କରିଛି ଶାସକ ବିଜୁ ଜନତା ଦଳ।

Categories
ଆଜିର ଖବର ରାଜ୍ୟ ଖବର

Padampur Result: ଆଉ ନୁହେଁ ବହୁ ଆଗରେ ରହିଲେ ବର୍ଷା ସିଂ ବରିହା

ଭୁବନେଶ୍ବର: ପଦମପୁର ଉପନିର୍ବାଚନ ଫଳାଫଳରେ ବିଜେଡି ଧିରେ ଧିରେ ବହୁ ଆଗରେ ରହିଛି। ବର୍ତ୍ତମାନ ଚତୁର୍ଥ ରାଉଣ୍ଡରେ ବିଜେଡି ପ୍ରାର୍ଥୀ ବର୍ଷା ସିଂ ବରିହା ୫୯୨୧ ଖଣ୍ଡ ଭୋଟ ହାସଲ କରିଛନ୍ତି। ଫଳରେ ବର୍ଷା ମୋଟ ଭୋଟ ସଂଖ୍ୟା ହେଲା ୨୧୮୩୭

ବିଜେଡି- ବର୍ଷା ସିଂ ବରିହା -୨୧୮୩୭
ବିଜେପି- ପ୍ରଦୀପ ପୁରୋହିତ -୧୩୬୫୯
କଂଗ୍ରେସ -ସତ୍ୟଭୂଷଣ ସାହୁ -୬୧୬

Categories
ଆଜିର ଖବର ରାଜ୍ୟ ଖବର

ଭୋଟ ଦେବା ପାଇଁ ଧାଡିରେ ଛିଡା ହେଲେ ବିଜେଡି ପ୍ରାର୍ଥୀ ବର୍ଷା

ପଦମପୁର: ଆଜି ପଦମପୁର ଉପନିର୍ବାଚନ ପାଇଁ ଚାଲିଛି ଭୋଟ ଗ୍ରହଣ। ସକାଳ ସାତଟରୁ ଏହି ଭୋଟ ଗ୍ରହଣ ଆରମ୍ଭ ହୋଇଛି। ସକାଳୁ ସକାଳୁ ଭୋଟରମାନେ ଧାଡି ବାନ୍ଧି ଭୋଟ ଦେବାକୁ ଅପେକ୍ଷା କରିଥିବାର ଦେଖିବାକୁ ମିଳିଛି। ସେହିପରି ବିଜେଡିର ପ୍ରାର୍ଥୀ ବର୍ଷା ସିଂ ବରିହା ତାଙ୍କ ବୁଥରେ ଭୋଟ ଦେବା ପାଇଁ ଧାଡିରେ ଛିଡା ହୋଇଥିଲେ। ଏହାପରେ ସେ ନିଜର ମତାଧିକାର ସାବ୍ୟସ୍ତ କରିଛନ୍ତି।

ଏହି ଉପନିର୍ବାଚନରେ ସକାଳ ୭ଟାରୁ ମତଦାନ ଆରମ୍ଭ ହୋଇଛି ଅପରାହ୍ନ ୪ଟା ପର୍ଯ୍ୟନ୍ତ ଚାଲିବ। ଏହି ନିର୍ବାଚନମଣ୍ଡଳୀର କିଛି ଅଞ୍ଚଳ ମାଓବାଦୀପ୍ରବଣ ହୋଇଥିବାରୁ ମତଦାନ ସମୟ ୧ ଘଣ୍ଟା ହ୍ରାସ କରାଯାଇଛି। ୩୧୯ କେନ୍ଦ୍ରରେ ଭୋଟ୍‌ ଗ୍ରହଣ ହେଉଛି। ମତଦାନ ପରିଚାଳନା ପାଇଁ ୧୨୭୬ ଅଧିକାରୀ ନିଯୁକ୍ତ ହୋଇଛନ୍ତି। ପ୍ରତି ବୁଥ୍‌ରେ ୪ଜଣ ଅଧିକାରୀ ରହିବା ସହ ୧୨୮ଜଣ ଅଧିକାରୀଙ୍କୁ ସଂରକ୍ଷିତ ରଖାଯାଇଛି।

Categories
ଜାତୀୟ ଖବର ବିଶେଷ ଖବର ରାଜ୍ୟ ଖବର

ବର୍ଷାକୁ ଅଶାଳୀନ ଆକ୍ଷେପ କରି ବିଜେପି ହୀନ ରାଜନୀତି କରୁଛି: ବିଜେଡ଼ି

ଭୁବନେଶ୍ୱର : ପଦ୍ମପୁର ଉପନିର୍ବାଚନରେ ପଦ୍ମପୁର ମାଟିର ଝିଅ ବର୍ଷା ସିଂ ବରିହା ବିଜେଡି ପ୍ରାର୍ଥୀନୀ ଭାବେ ପ୍ରତିଦ୍ୱନ୍ଦ୍ୱିତା କରୁଛନ୍ତି। ତେବେ ଏହି ନିର୍ବାଚନରେ ପରାଜୟ ନିଶ୍ଚିତ ବୋଲି ଜାଣିବା ପରେ ଭାରତୀୟ ଜନତା ପାର୍ଟି ହତାଶ ହୋଇ ପଡ଼ିଛି। ତେଣୁ ବିଜେପିର କିଛି ବଡ଼ ବଡ଼ ନେତା ବର୍ଷାଙ୍କ ବ୍ୟକ୍ତିଗତ ଜୀବନକୁ ନେଇ ଅତି ନିମ୍ନସ୍ତରର କୁତ୍ସାରଟନା କରୁଛନ୍ତି, ସଭାସମିତି ଓ ଗଣମାଧ୍ୟମରେ ଅଶାଳୀନ ମନ୍ତବ୍ୟ ଦେଉଛନ୍ତି। ସେମାନଙ୍କର ଉଦ୍ଦେଶ୍ୟ କେବଳ ବର୍ଷାଙ୍କୁ ଅପମାନିତ କରିବା ନୁହେଁ, ସମଗ୍ର ଓଡ଼ିଶାର ନାରୀ ଜାତିର ସମ୍ମାନକୁ ଭୂଲୁଣ୍ଠିତ କରିବା।

ନାରୀଙ୍କୁ ଘରର ଲକ୍ଷ୍ମୀ ବୋଲି ଭାବୁଥିବା ଓଡ଼ିଶାର ସଂସ୍କୃତି ଓ ପରମ୍ପରାକୁ ନିଚା ଦେଖାଇବା। ବିଜେପିର ଏହି ହୀନ ରାଜନୀତିକୁ ଆଜି ଏକ ସାମ୍ବାଦିକ ସମ୍ମିଳନୀରେ ରାଜ୍ୟସଭା ସାଂସଦ ସୁଲତା ଦେଓ, ମୁଖପାତ୍ର ଏଲିନା ଦାସ ଏବଂ ଇପସିତା ସାହୁ ପ୍ରମୁଖ ବିଜୁ ଜନତା ଦଳ ପକ୍ଷରୁ ଏହାକୁ ତୀବ୍ର ନିନ୍ଦା କରିଛନ୍ତି।

ସେମାନେ କହିଛନ୍ତି ଯେ ଆମ ହିନ୍ଦୁ ଧର୍ମ ଏବଂ ଓଡ଼ିଆ ପରମ୍ପରା ଓ ସଂସ୍କୃତିରେ ନାରୀମାନଙ୍କୁ ଉଚ୍ଚ ସମ୍ମାନ ଦିଆଯାଏ। ଘରେ ଘରେ ସମସ୍ତେ ବିଶ୍ୱାସ କରନ୍ତି ଯେ ମା’ମାନେ ହେଉଛନ୍ତି ଲକ୍ଷ୍ମୀ ଓ ଦୁର୍ଗାଙ୍କର ସ୍ୱରୂପ। କିନ୍ତୁ କଥା କଥାକେ ଧର୍ମ ଓ ପରମ୍ପରାର କଥା କହୁଥିବା ଭାରତୀୟ ଜନତା ପାର୍ଟିର ଓଡ଼ିଶାର କିଛି ନେତା ଏବେ ନାରୀଙ୍କୁ ସମ୍ମାନ ଦେବା ଦୂରେ ଥାଉ ନାରୀଙ୍କ ପ୍ରତି ଆଚରଣ ଓ ଉଚ୍ଚାରଣରେ ଶାଳୀନତାର ସମସ୍ତ ସୀମା ଟପି ଯାଇଛନ୍ତି।
ଏବେ ପଦ୍ମପୁରରେ ଉପନିର୍ବାଚନ ପାଇଁ ପ୍ରଚାର ଚାଲିଛି।

ନିର୍ବାଚନ ଏମିତି ଆସୁଥିବ, ଯାଉଥିବ। ରାଜନୀତିରେ ନୀତି ଓ ଆଦର୍ଶକୁ ନେଇ ସମାଲୋଚନା ହେବା କଥା। ଗଠନମୂଳକ ସମାଲୋଚନା ହିଁ ଆମ ଗଣତନ୍ତ୍ରକୁ ଆଜି ପର‌୍ୟ୍ୟନ୍ତ ସୁଦୃଢ଼ କରି ରଖିଛି। କିନ୍ତୁ ବର୍ତ୍ତମାନ ପରିସ୍ଥିତିରେ ଏହାର ବିଲକ୍ଷଣ ଦେଖିବାକୁ ମିଳୁଛି। ଆଶା କରାଯାଉଥିଲା ଯେ ପଦ୍ମପୁରରେ ବିଜେପି ନେତାମାନେ ରାଜନୈତିକ ମର‌୍ୟ୍ୟାଦାର ସୀମା ଭିତରେ ରହି ନିର୍ବାଚନ ପ୍ରଚାର କରିବେ। ମାତ୍ର ସେମାନେ କ୍ରମାଗତ ଭାବେ ବିଜେଡି ପ୍ରାର୍ଥୀଙ୍କ ବ୍ୟକ୍ତିଗତ ଜୀବନକୁ ଅଶାଳୀନ ଆକ୍ଷେପ କରୁଛନ୍ତି।

ବିଜେପିର ଏହି ବରିଷ୍ଠ ନେତାମାନେ ନିଜ ଝିଅ ବୟସର ବର୍ଷାଙ୍କ ସଂପର୍କରେ କିଏ କେତେ ଅଶାଳୀନ ଓ ଅରୁଚିକର ମନ୍ତବ୍ୟ ଦେଇପାରିବ, ତାକୁ ନେଇ ସେମାନଙ୍କ ମଧ୍ୟରେ ସତେ ଯେମିତି ଗୋଟିଏ ପ୍ରତିଯୋଗିତା ଚାଲିଛି। ଏହି ଅସୁସ୍ଥ ପ୍ରତିଯୋଗିତାରେ ସାଂସଦ ଜୁଏଲ ଓରାମ, ବିଧାୟକ ଜୟନାରାୟଣ ମିଶ୍ର ଏବଂ ଖୋଦ୍ ପଦମପୁରର ବିଜେପି ପ୍ରାର୍ଥୀ ପ୍ରଦୀପ ପୁରୋହିତ ପ୍ରମୁଖ ସାମିଲ ହୋଇଛନ୍ତି।

ଓଡ଼ିଆ ଘରର ବିଶ୍ୱାସ ଅଛି, ମାର୍ଗଶୀର ଗୁରୁବାରରେ ଘରକୁ ଲକ୍ଷ୍ମୀ ଆସନ୍ତି। କିନ୍ତୁ ମାର୍ଗଶୀର ମାସ ଗୁରୁବାର ଭଳି ଏକ ପବିତ୍ର ଦିନରେ ସୁନ୍ଦରଗଡ଼ ସାଂସଦ ଜୁଏଲ ଓରାମ ପଦ୍ମପୁର ମାଟିର ଝିଅ ବର୍ଷାଙ୍କୁ ବ୍ୟକ୍ତିଗତ ଆକ୍ଷେପ କରି ଅତ୍ୟନ୍ତ ଅଶାଳୀନ ଓ ଅରୁଚିକର ଟିପ୍ପଣୀ ଦେଇଛନ୍ତି। ଅବଶ୍ୟ ଜୁଏଲ ଓରାମଙ୍କ ଚରିତ୍ର କ’ଣ ତାହା ସାରା ଓଡ଼ିଶା ଜାଣିଛି। କିଛି ମାସ ପୂର୍ବରୁ ସେ ତାଙ୍କରି ଦଳର ତାଙ୍କ ଝିଅ ବୟସର ଜଣେ ନାରୀନେତ୍ରୀଙ୍କୁ ଅସଦାଚରଣ କରିଥିଲେ।

ଏଥିପାଇଁ ପୀଡ଼ିତା ନାରୀ ନେତ୍ରୀ ଜଣକ ଥାନାରେ ଏତଲା ଦେବା ସହ ଜୁଏଲଙ୍କ ଭଦ୍ରମୁଖା ତଳେ ଥିବା କୁତ୍ସିତ ଚେହେରାକୁ ପଦାରେ ପକାଇ ଦେଇଥିଲେ। ଆଉ ଅକଳରେ ପଡ଼ି ଜୁଏଲଙ୍କୁ ବେଶ୍ କିଛିଦିନ ପାଇଁ ମୁହଁ ଲୁଚାଇବାକୁ ପଡ଼ିଥିଲା। ନିଶାସକ୍ତ ଅବସ୍ଥାରେ ସଂପୃକ୍ତ ନାରୀନେତ୍ରୀଙ୍କ ସହ ଜୁଏଲଙ୍କ ଅଶ୍ଳୀଳ ଟେଲିଫୋନ ବାର୍ତ୍ତାଳାପ ସାରା ଦୁନିଆ ଶୁଣିବା ପରେ ବି ଜୁଏଲ ଏଥିପାଇଁ ଭୁଲ ସ୍ୱୀକାର କରି ନ ଥିଲେ କି ତାଙ୍କୁ କ୍ଷମା ମାଗି ନ ଥିଲେ। ତେଣୁ ଅଭ୍ୟାସଗତ ଭାବେ ବାରମ୍ବାର ମହିଳାମାନଙ୍କୁ ଅଶାଳୀନ ଆଚରଣ କରୁଥିବା ଏଭଳି ଜଣେ କୁତ୍ସିତ ମାନସିକତା ସମ୍ପନ୍ନ ଏହି ବରିଷ୍ଠ ନେତାଙ୍କ ଠାରୁ ଆଉ କ’ଣ ଅଧିକ ଆଶା କରାଯାଇପାରେ?

ସେହିପରି ସମ୍ବଲପୁର ବିଧାୟକ ଜୟନାରାୟଣ ମିଶ୍ର ମଧ୍ୟ ଜଣେ ଅଭ୍ୟାସଗତ ଅପରାଧୀ। ବିଜେପୁର ଉପନିର୍ବାଚନ ବେଳେ ହତ୍ୟା ଉଦ୍ୟମ ଓ ମରଣାନ୍ତକ ଆକ୍ରମଣ ଭଳି ସଂଗିନ ଅପରାଧରେ ଅଭିଯୁକ୍ତ ଶ୍ରୀ ମିଶ୍ର ଗିରଫ ହୋଇ ଜେଲ୍ ଯାଇଥିଲେ। ଜାମିନରେ ଆସିଥିବା ଶ୍ରୀ ମିଶ୍ର ଏବେ ପଦ୍ମପୁରରେ ବିଜେପିର ଷ୍ଟାର୍ ପ୍ରଚାରକ ସାଜି ହୀନ ରାଜନୀତି କରୁଛନ୍ତି। ସେ ତାଙ୍କ ପୁରୁଣା ଅଭ୍ୟାସ ଛାଡ଼ି ନ ପାରି ବର୍ଷାଙ୍କ ପ୍ରତି ଅପମାନଜନକ ମନ୍ତବ୍ୟ ଦେଇ ପୁଣିଥରେ ତାଙ୍କର ଘୋର ନାରୀ ବିରୋଧୀ ମାନସିକତାର ପରିଚୟ ଦେଇଛନ୍ତି।

ଅନ୍ୟପକ୍ଷରେ ପଦ୍ମପୁରରେ ପରାଜୟ ଭୟରେ ହତାଶ ହୋଇ ବିଜେପି ପ୍ରାର୍ଥୀ ପ୍ରଦୀପ ପୁରୋହିତ ମଧ୍ୟ ବର୍ଷାଙ୍କ ବ୍ୟକ୍ତିଗତ ଜୀବନକୁ ଆକ୍ଷେପ କରି ଅଶାଳୀନ ମନ୍ତବ୍ୟ ଦେଉଛନ୍ତି। ଯିଏ ନାରୀଙ୍କୁ ସମ୍ମାନ ଦେବା ଜାଣି ନାହିଁ, ମାତୃଜାତି ଏବଂ ଓଡ଼ିଶାର ସଂସ୍କୃତିକୁ ଅପମାନ କରୁଛି, ସେଭଳି ନେତାଙ୍କୁ ସ୍ୱାଭିମାନୀ ପଦ୍ମପୁରବାସୀ କେବେବି ନିଜର ପ୍ରତିନିଧି ରୂପେ ବାଛିବେ ନାହିଁ । ରାଜନୀତିରେ ହାରଜିତ ଅଛି। ପଦ୍ମପୁର ନିର୍ବାଚନ ପାଇଁ ଏଯାଏ ଭୋଟ ପଡ଼ି ନଥିଲେ ମଧ୍ୟ ବିଜେପି ଏହା ହାରି ସାରିଛି।

ତେଣୁ ତାଙ୍କ ଦଳର ନେତାମାନେ ହତାଶ ଓ ବିଚଳିତ ହୋଇ ଏଭଳି ବିଭ୍ରାନ୍ତିକର ମନ୍ତବ୍ୟ ଦେଉଛନ୍ତି। ତେବେ ଏକ ସୁସ୍ଥ ଗଣତନ୍ତ୍ରରେ ଏଭଳି ନକାରାତ୍ମକ ରାଜନୀତିର ସ୍ଥାନ ନାହିଁ। ବର୍ଷାଙ୍କ ପ୍ରତି ଜୁଏଲ ଓରାମ, ଜୟନାରାୟଣ ମିଶ୍ର ଓ ପ୍ରଦୀପ ପୁରୋହିତ ପ୍ରମୁଖ ବିଜେପିର ନେତାମାନେ ଯେଭଳି କୁତ୍ସିତ ମନ୍ତବ୍ୟ ଦେଇଛନ୍ତି; ତାହା ଓଡ଼ିଶାବାସୀ କେବେବି ବରଦାସ୍ତ କରିବେ ନାହିଁ। ଏଥିପାଇଁ ପଦ୍ମପୁରବାସୀ ମଧ୍ୟ ସେମାନଙ୍କୁ କ୍ଷମା ଦେବେ ନାହିଁ ଏବଂ ଆଗାମୀ ନିର୍ବାଚନରେ ଏହାର ଉଚିତ ଜବାବ ଦେବେ।

Categories
ଆଜିର ଖବର ରାଜ୍ୟ ଖବର

Video News: ପ୍ରଚାର ବେଳେ କାନ୍ଦି ପକାଇଲେ ବିଜେଡି ପ୍ରାର୍ଥୀ ବର୍ଷା ସିଂ ବରିହା

ପଦ୍ମପୁର: ଆଜି ପ୍ରଚାର ବେଳେ ଭୋ ଭୋ ହୋଇ କାନ୍ଦି ପକାଇଲେ ବିଜେଡି ପ୍ରାର୍ଥୀ ବର୍ଷା ସିଂ ବରିହା। ସେ ମହିଳାମାନଙ୍କୁ ଉଦବୋଧନ ଦେଉଥିବା ବେଳେ ବାପାଙ୍କ କଥା ମନେ ପକାଇ କାନ୍ଦିବାକୁ ଲାଗିଲେ। ଏହା ଦେଖିବା ପରେ ସେଠାରେ ଥିବା ମହିଳାମାନେ ମଧ୍ୟ କାନ୍ଦ କାନ୍ଦ ହୋଇଯାଇଥିଲେ।

 

ଏହାପରେ ସମସ୍ତେ ହୁଳହୁଳି ଦେଇ ବର୍ଷାଙ୍କୁ ସ୍ବାଗତ କରିଥିଲେ। ବର୍ତ୍ତମାନ ପଦ୍ମପୁର ଉପନିର୍ବାଚନରେ ବର୍ଷା ଜୋରଦାର ପ୍ରଚାର ଆରମ୍ଭ କରିଦେଇଛନ୍ତି। ତାଙ୍କ ସହିତ ବିଜେଡିର ମଙ୍ଗୁଆଳମାନେ ମଧ୍ୟ ସେଠାରେ ଡେରା ପକାଇ ବର୍ଷାଙ୍କୁ ସହଯୋଗ ଦେବାରେ ଲାଗିଛନ୍ତି।

Categories
ଆଜିର ଖବର ରାଜ୍ୟ ଖବର

ସମର୍ଥକକଙ୍କ ଗହଣରେ ପ୍ରାର୍ଥୀ ପତ୍ର ଦାଖଲ କଲେ ବିଜେଡିର ବର୍ଷା ସିଂ ବରିହା

ପଦ୍ମପୁର: ଆଜି ବିଜେଡି ପ୍ରାର୍ଥୀ ବର୍ଷା ସିଂ ବରିହା ତାଙ୍କର ସମର୍ଥକଙ୍କ ଗହଣରେ ଆସି ପ୍ରାର୍ଥୀ ପତ୍ର ଦାଖଲ କରିଛନ୍ତି। ସେ ବରଗଡ ଉପଜିଲ୍ଲାପାଳ କାର୍ଯ୍ୟାଳୟରେ ଏହି ନାମାଙ୍କନ ଦାଖଲ କରିଛନ୍ତି। ସେ ଆଜି ସକାଳୁ ପ୍ରଥମେ ତାଙ୍କ ପରଲୋକଗତ ବାପା ବିଜୟ ସିଂ ବରିହାଙ୍କ ଫଟୋଚିତ୍ରରେ ମାଲ୍ୟାର୍ପଣ କରିଥିଲେ। ଏହାପରେ ସେ ମାଣ୍ଡୋସିଲ ନିକଟ ବୁଢ଼ାରଜା ମନ୍ଦିର ଠାରେ ପୂଜା କରିଛନ୍ତି ।

ବର୍ଷାଙ୍କ ସହିତ ବିଜେଡିର ବରିଷ୍ଠ ନେତା ପ୍ରସନ୍ନ ଆଚାର୍ଯ୍ୟ, ବିଜେପୁର ବିଧାୟିକା ତଥା ମନ୍ତ୍ରୀ ରୀତା ସାହୁ, ବିଜେଡି ନେତ୍ରୀ ଶ୍ରୀମୟୀ ମିଶ୍ର ପ୍ରମୁଖ ଯୋଗଦେଇଥିଲେ। ଆଜି ପଦ୍ମପୁର ଉପନିର୍ବାଚନ ପାଇଁ ପ୍ରାର୍ଥୀପତ୍ର ଦାଖଲର ଶେଷ ଦିନ। ଚାଷୀ ସମସ୍ୟାକୁ ସମର୍ଥନ କରି ଆଜି ପର୍ଯ୍ୟନ୍ତ କେହି ହେଲେ ପ୍ରାର୍ଥୀ ପତ୍ର ଦାଖଲ କରି ନ ଥିଲେ।