କେନ୍ଦ୍ରମନ୍ତ୍ରୀ ଧର୍ମେନ୍ଦ୍ରଙ୍କ ଉପରେ ବର୍ଷିଲେ ବିଧାୟିକା ବର୍ଷା ସିଂ ବରିହା

Published: Mar 31, 2023, 6:09 pm IST

ଭୁବନେଶ୍ଵର: ଓଡ଼ିଶାରେ ଆଇନଶୃଙ୍ଖଳା ପରିସ୍ଥିତିକୁ ନେଇ କେନ୍ଦ୍ରମନ୍ତ୍ରୀ ଧର୍ମେନ୍ଦ୍ର ପ୍ରଧାନଙ୍କ ମନ୍ତବ୍ୟର କଡ଼ା ଜବାବ ଦେଇଛନ୍ତି ପଦ୍ମପୁରର ବିଜେଡି ବିଧାୟିକା ବର୍ଷା ସିଂ ବରିହା। ଓଡ଼ିଶା ସଂପର୍କରେ ମିଥ୍ୟା ଅଭିଯୋଗ ତଥା ଅପପ୍ରଚାର କରି କେନ୍ଦ୍ରମନ୍ତ୍ରୀ ଶ୍ରୀ ପ୍ରଧାନ ଓଡ଼ିଶାବାସୀଙ୍କୁ ଅପମାନିତ କରିଥିବାରୁ ତାଙ୍କୁ ଲଜ୍ଜା ଲାଗିବା ଉଚିତ ବୋଲି କହିଛନ୍ତି।

ଆଜି ଶ୍ରୀ ପ୍ରଧାନଙ୍କ ଉଦ୍ଦେଶ୍ୟରେ ଟୁଇଟ୍ କରି ଏବଂ ଗଣମାଧ୍ୟମରେ ପ୍ରତିକ୍ରିୟା ଦେଇ ବର୍ଷା କହିଛନ୍ତି ଯେ ପଦ୍ମପୁର ଉପନିର୍ବାଚନ ସମୟରେ ଯେତେବେଳେ ଓଡ଼ିଶା ବିଜେପି ନେତାମାନେ ମୋତେ ବ୍ୟକ୍ତିଗତ ଆକ୍ଷେପ କରୁଥିଲେ ଏବଂ ଜଣେ ମହିଳା ବୋଲି ଅପମାନିତ କରୁଥିଲେ ଆପଣ ସେତେବେଳେ ଚୁପ୍ ରହିଥିଲେ। ପଦ୍ମପୁରବାସୀ ଏହାକୁ ନାପସନ୍ଦ କଲେ ଏବଂ ଉପନିର୍ବାଚନରେ ଆପଣଙ୍କ ଦଳକୁ ଏହାର ଉଚିତ ଜବାବ ଦେଲେ। ମାତ୍ର ଏଥିରୁ ଆପଣ ବୋଧହୁଏ କିଛି ଶିକ୍ଷା ଲାଭ କଲେ ନାହିଁ। ଏବେ ଆପଣ ନିଜେ ଓଡ଼ିଶାବାସୀ ଅରାଜକତା କରୁଥିବା କହି କୋଟି କୋଟି ଓଡ଼ିଆଙ୍କୁ ଅପମାନିତ କରୁଛନ୍ତି। ବୋଧହୁଏ ଅରାଜକତା ଏବଂ ବିପର‌୍ୟ୍ୟସ୍ତ ଆଇନଶୃଙ୍ଖଳା କ’ଣ ତାହା ଆପଣ ଜାଣି ନାହାନ୍ତି। ତାହେଲେ ବିଜେପି ଶାସିତ ଉତ୍ତରପ୍ରଦେଶ, ମହାରାଷ୍ଟ୍ର ଓ ଗୁଜରାଟର ଆଇନଶୃଙ୍ଖଳା ସ୍ଥିତି କ’ଣ ତାହା ଦେଖନ୍ତୁ କହି ବର୍ଷା ତାଙ୍କ ଟୁଇଟ୍ରେ ଏଭଳି ଅରାଜକତାର କିଛି ଭିଡିଓ ମଧ୍ୟ ସେୟାର କରିଥିଲେ।

ଏହି ଅବସରରେ ବର୍ଷା କେନ୍ଦ୍ରମନ୍ତ୍ରୀଙ୍କୁ ସମାଲୋଚନା କରି ଆହୁରି କହିଥିଲେ ଯେ ପ୍ରଥମେ ଆପଣମାନେ ମୋ ଭଳି ଓଡ଼ିଶାର ମହିଳାମାନଙ୍କୁ ଅପମାନିତ କଲେ, ଆଉ ଏବେ ତୁଛା ମିଛ ପ୍ରଚାର କରି ଓଡ଼ିଶାବାସୀଙ୍କୁ ବଦନାମ ଓ ଅପମାନିତ କରିବାକୁ ଚେଷ୍ଟା କରୁଛନ୍ତି। ଏଥିପାଇଁ ଆପଣଙ୍କୁ ଲଜ୍ଜା ଲାଗିବା ଦରକାର। ସ୍ବାଭିମାନୀ ଏବଂ ଶାନ୍ତିପ୍ରିୟ ଓଡ଼ିଶାବାସୀ ସେମାନଙ୍କ ବିରୋଧରେ ଆପଣଙ୍କର ଏଭଳି ଟିପ୍ପଣିକୁ କେବେହେଲେ ବରଦାସ୍ତ କରିବେ ନାହିଁ।

Related posts