Categories
ଆଞ୍ଚଳିକ

ଚିଲିକା: ମହଙ୍ଗା ପଡିଲା ବିକଟାଳ ଶବ୍ଦ କରି ମଟରସାଇକେଲ ଚଲାଇବା: ଛଅ ବାଇକ ଜବତ

ଚିଲିକା (ସୀତାରାମ ଅଗ୍ରୱାଲ): ଖୋର୍ଦ୍ଧା ଜିଲ୍ଲା ନାଚୁଣୀ ଥାନା ଅଞ୍ଚଳରେ ଏକାଧିକ ବ୍ୟକ୍ତି କ୍ଷିପ୍ରଗତିରେ ଏବଂ ବିକଟାଳ ଶବ୍ଦ କରି ମଟରସାଇକେଲ ଚଲାଉଥିବା ଅଭିଯୋଗ ହେବାପରେ ଆକ୍ସନ ମୋଡ଼କୁ ଆସିଛି ପୋଲିସ। ବାଲୁଗାଁ ଏସଡିପିଓ ଶୁଭ୍ରାଂଶୁ ଶେଖର ମିଶ୍ରଙ୍କ ନିର୍ଦ୍ଦେଶକ୍ରମେ ନାଚୁଣୀ ଆଇଆଇସି ଚନ୍ଦ୍ରଶେଖର ଜେନା ଏକ ଟିମ ଗଠନ କରି ଆଜି ଅମାନିଆ ବାଇକ ଚାଳକଙ୍କ ଉପରେ ଚଢ଼ାଉ କରିଥିଲେ। ଫଳସ୍ୱରୂପ ଆଜି ଛଅ ଗୋଟି ବାଇକ ଜବତ କରିଛି ପୋଲିସ। ଉକ୍ତ ବାଇକ ଚାଳକ ମାନେ କ୍ଷିପ୍ର ଗତିରେ ବିକଟାଳ ଶବ୍ଦ କରି ନାଚୁଣୀ ବଜାରରେ ବାଇକ ଚଲାଉଥିବା ବେଳେ ପୋଲିସ ହାତରେ ଧରା ପଡିଛନ୍ତି।

ନାଚୁଣୀ ପୋଲିସ ଉକ୍ତ ବାଇକ ଜବତ କରିବା ସହ ବିଭିନ୍ନ ଦିଗରେ ତଦନ୍ତ ଜାରି ରଖିଛି।  ତେବେ ନାଚୁଣୀ ଅଞ୍ଚଳରେ ଏପରି ଗତିବିଧିକୁ କେବେବି ବରଦାସ୍ତ କରାଯିବ ନାହିଁ ଏବଂ ଏହିପରି ଚଢ଼ାଉ ଆଗକୁ ମଧ୍ୟ ଜାରି ରହିବ ବୋଲି ଆଇଆଇସି ଶ୍ରୀ ଜେନା କହିଛନ୍ତି।  ନାଚୁଣୀ ପୋଲିସର ଉକ୍ତ ପଦକ୍ଷେପକୁ ଅଞ୍ଚଳବାସୀ ସ୍ୱାଗତ କରିବା ସହ ପୋଲିସକୁ ଧନ୍ୟବାଦ ଜଣାଇଛନ୍ତି।

Categories
ଆଞ୍ଚଳିକ

ବାଣପୁର: ଜୁଆ ଆଡ୍ଡା ଉପରେ ଅତର୍କିତ ଚଢ଼ାଉ, ୩ ଗିରଫ, ୧୨ ଟି ବାଇକ ଜବତ

ସୀତାରାମ ଅଗ୍ରୱାଲ

ବାଣପୁର: ଜୁଆ ଆଡ୍ଡା ଉପରେ ଅତର୍କିତ ଚଢ଼ାଉ କଲା ପୋଲିସ। ୩ ଗିରଫ ହୋଇଥିବା ବେଳେ ଛତ୍ରଭଙ୍ଗ ଦେଲେ ବହୁ ଜୁଆଡ଼ି। ଖୋର୍ଦ୍ଧା ଜିଲ୍ଲା ବାଣପୁର ଥାନା ଅଞ୍ଚଳରେ ଏହି ଜୁଆ ଖେଳ ଚାଲିଥିଲା।

ଆଜି ସଂନ୍ଧ୍ୟାରେ କୋଳଥଡିହ ଗ୍ରାମ ପଡିଆରେ ଜୁଆ ଆଡ୍ଡା ଚାଲିଥିବାର ଖବର ପାଇଥିଲେ ଆଇଆଇସି ଜୟପ୍ରକାଶ ପରିଡ଼ା। ସଙ୍ଗେସଙ୍ଗେ ଆଇଆଇସିଙ୍କ ନିର୍ଦ୍ଦେଶକ୍ରମେ ଏକ ଟିମ ତୁରନ୍ତ ଉକ୍ତ ସ୍ଥାନରେ ଚଢ଼ାଉ କରିଥିଲା। ଚଢ଼ାଉ ବେଳେ ତିନି ଜୁଆଡ଼ି ଗିରଫ ହୋଇଥିବା ବେଳେ ୧୨ ଗୋଟି ବାଇକ ଜବତ କରିଛି ପୋଲିସ।

ତେବେ ଅନ୍ୟ ଜୁଆଡ଼ି ମାନେ ଗିରଫ ଭୟରେ ଘଟଣାସ୍ଥଳରୁ ଫେରାର ହେବାରେ ସକ୍ଷମ ହୋଇଥିଲେ। ଗିରଫ ତିନି ଅଭିଯୁକ୍ତଙ୍କ ଠାରୁ ନକଦ ୧୮୮୦ ଟଙ୍କା ଜବତ କରିଛି ପୋଲିସ।  ଅଭିଯୁକ୍ତଙ୍କ ବିରୁଦ୍ଧରେ ବାଣପୁର ପୋଲିସ ୩ ଓପିଜି ଧାରା ଅନୁଯାୟୀ କେସ ନମ୍ବର ୧୮୮/୨୩ ରେ ଏକ ମାମଲା ରୁଜୁ କରି ତଦନ୍ତ ଜାରି ରଖିଥିବାର ଆଇଆଇସି ଶ୍ରୀ ପରିଡ଼ା ସୂଚନା ଦେଇଛନ୍ତି।

Categories
ଅପରାଧ ଆଜିର ଖବର ରାଜ୍ୟ ଖବର

ଗୋଟାଏ ଦିନରେ ୨୧ ଅମାନିଆଙ୍କ ବାଇକ ଜବତ କଲା ଟାଙ୍ଗୀ ପୋଲିସ, ୨୧ ମାମଲା ରୁଜୁ

ସୀତାରାମ ଅଗ୍ରୱାଲ

ଟାଙ୍ଗୀ: ଖୋର୍ଦ୍ଧା ଏସପି ସିଦ୍ଧାର୍ଥ କଟାରିଆଙ୍କ ନିର୍ଦ୍ଦେଶକ୍ରମେ ଜିଲ୍ଲା ପୋଲିସ ବର୍ତ୍ତମାନ ଅମାନିଆ ବାଇକ ଚାଳକଙ୍କୁ ଗୋଡ଼ାଇ ଗୋଡ଼ାଇ ଧରୁଛି ଏବଂ ସେମାନଙ୍କ ନାମରେ ମାମଲା ମଧ୍ୟ ରୁଜୁ କରି ଖୁବ କମ ସମୟରେ ଅଦାଲତରେ ଚାର୍ଜସିଟ ଦାଖଲ କରୁଛି। ତେବେ ବାଲୁଗାଁ ପୋଲିସ ସବଡିଭିଜନ ଅଞ୍ଚଳରେ ଏସଡ଼ିପିଓ ମାନସ ରଞ୍ଜନ ବାରିକଙ୍କ ତତ୍ୱାବଧାନରେ ସମସ୍ତ ଥାନାଧିକାରୀମାନେ ପ୍ରାୟତଃ ଚବିଶ ଘଣ୍ଟା ମଧ୍ୟରେ ଚାର୍ଜସିଟ ଅଦାଲତରେ ଦାଖଲ କରୁଛନ୍ତି, ଫଳରେ ଗାଡ଼ି ମାଲିକଙ୍କୁ ଜବତ ବାଇକ ମୁକୁଳାଇବାରେ ଅସୁବିଧା ହେଉନାହିଁ।

ପୁର୍ବରୁ ବାଣପୁର ଓ ବାଲୁଗାଁ ପୋଲିସ ଦିନକରେ ଏକାଧିକ ଅମାନିଆଙ୍କ ବାଇକ ଜବତ କରି ମାମଲା ରୁଜୁ କରିଥିବା ବେଳେ ଟାଙ୍ଗୀ ପୋଲିସ ଗତକାଲି ଗୋଟାଏ ଦିନରେ ୨୧ ଜଣ ଅମାନିଆଙ୍କ ବାଇକ ଜବତ କରିବା ସହ ୨୧ ଗୋଟି ମାମଲା ରୁଜୁ କରିଛି, ଯାହା ଜିଲ୍ଲା ପାଇଁ ରେକର୍ଡ଼। ଏ ନେଇ ଆଇଆଇସି ଦିଗବିଜୟ ବିଶ୍ୱାଳଙ୍କୁ ପଚାରିବାରୁ, ପୋଲିସର ଉଦ୍ଦେଶ୍ୟ ଜନସାଧାରଣଙ୍କୁ ହଇରାଣ କରିବା ନୁହଁ ବରଂ ଜନସାଧାରଣଙ୍କୁ ସୁରକ୍ଷିତ ରଖିବା।

ଅମାନିଆ ବାଇକ ଚାଳକଙ୍କ ଦ୍ୱାରା ଅଞ୍ଚଳରେ ବିଶୃଙ୍ଖଳା ସୃଷ୍ଟି ହେବା ସହ ନାଗରିକ ମାନେ ଭୟଭୀତ ଅବସ୍ଥାରେ ରହୁଥିଲେ। ତେଣୁ ଏହାକୁ ଦୃଷ୍ଟିରେ ରଖି ଏସପିଙ୍କ ନିର୍ଦ୍ଦେଶକ୍ରମେ ଏବଂ ଏସଡିପିଓଙ୍କ ତତ୍ୱାବଧାନରେ ଉକ୍ତ ଅଭିଯାନ ଜାରି ରହିଛି।

Categories
ଆଞ୍ଚଳିକ

ବାଲୁଗାଁ ଗାନ୍ଧୀଛକରୁ ୫ ଅମାନିଆଙ୍କ ବାଇକ ଜବତ କଲା ପୋଲିସ, ୫ ମାମଲା ରୁଜୁ

ସୀତାରାମ ଅଗ୍ରୱାଲ

ବାଲୁଗାଁ: ବାରମ୍ବାର ପୋଲିସର ତାଗିଦ ସତ୍ତ୍ୱେ ସୁଧୁରୁନାହାନ୍ତି ଅମାନିଆ ଗାଡ଼ିଚାଳକ। ଅମାନିଆମାନେ ଟ୍ରାଫିକ ନିୟମକୁ ଫୁ କରି ଉଡାଇଦେଉଛନ୍ତି। ଯାହା ଫଳରେ ସାଧାରଣ ଜନତା ହଇରାଣ ହରକତ ହେଉଛନ୍ତି।

ତେବେ ଅମାନିଆ ଗାଡ଼ିଚାଳକଙ୍କୁ ସାବାଡ଼ କରିବା ପାଇଁ ଅଣ୍ଟା ଭିଡିଛି ଖୋର୍ଦ୍ଧା ଜିଲ୍ଲା ବାଲୁଗାଁ ପୋଲିସ। ବର୍ତ୍ତମାନ ଅମାନିଆ ଗାଡ଼ିଚାଳକଙ୍କୁ ଚି଼ହ୍ନଟ କରାଯାଇ ସେମାନଙ୍କ ବିରୁଦ୍ଧରେ ତୁରନ୍ତ ମାମଲା ରୁଜୁ କରି ଚବିଶ ଘଣ୍ଟା ମଧ୍ୟରେ ଅଦାଲତରେ ପୋଲିସ ଚାର୍ଜସିଟ ଦାଖଲ କରୁଥିବା ବେଳେ ଆଜି ଏକା ସଙ୍ଗରେ ବାଲୁଗାଁ ଗାନ୍ଧୀଛକରୁ ୫ ଜଣ ଅମାନିଆ ଗାଡ଼ିଚାଳକ ଙ୍କ ବିରୁଦ୍ଧରେ ମାମଲା ରୁଜୁ କରିଛି ପୋଲିସ। ସେମାନେ ଜନଗହଳିପୂର୍ଣ୍ଣ ଗାନ୍ଧୀଛକରେ ବେପରୁଆ ବାଇକ ଚଲାଉଥିବା ବେଳେ ପୋଲିସ ପଞ୍ଝାରେ ପଡ଼ିଥିଲେ। ଏହି ପରିପ୍ରେକ୍ଷୀରେ ବାଲୁଗାଁ ପୋଲିସ ୫ ଗୋଟି ବାଇକ ଜବତ କରିବା ସହ ୫ ଗୋଟି ମାମଲା ରୁଜୁ କରି ତଦନ୍ତ ଜାରିରଖିଥିବାର ବାଲୁଗାଁ ଆଇଆଇସି ରଶ୍ମିରଂଜନ ଦାସ ସୂଚନା ଦେଇଛନ୍ତି।

Categories
ଅପରାଧ ଆଜିର ଖବର ରାଜ୍ୟ ଖବର

ଖୋର୍ଦ୍ଧାରେ ଲୁଟେରା ଗ୍ୟାଙ୍ଗର ପର୍ଦ୍ଦାଫାସ୍: ୯ ଟି ସୁନା ଚେନ ଓ ୭ ବାଇକ ଜବତ, ୩ ଅଭିଯୁକ୍ତ ଗିରଫ

ଖୋର୍ଦ୍ଧା: ଆଜି ଖୋର୍ଦ୍ଧା ଟାଉନ ଥାନା ପୋଲିସ ସୁନା ଚେନ ଓ ମଟରସାଇକେଲ ଲୁଟେରା ଗ୍ୟାଙ୍ଗକୁ ଧରିବାରେ ସଫଳ ହୋଇଛି ଏବଂ ୩ ଜଣ ଅଭିଯୁକ୍ତଙ୍କୁ ଗିରଫ କରିଛି। ସୂଚନା ମୁତାବକ ଗତ ୧୪ ତାରିଖ ଅପରାହ୍ନରେ ପ୍ରୀତି ମିଶ୍ର ନାମ୍ନୀ ଜଣେ ମହିଳା ନିଜ ବାନ୍ଧବୀ ଲକ୍ଷ୍ମୀପ୍ରିୟା ତ୍ରିପାଠୀଙ୍କ ସହ ଏକ ସ୍କୁଟି ଯୋଗେ ନୂଆ ବସ ଷ୍ଟାଣ୍ଡରୁ ବ୍ୟାଙ୍କ ଛକ ଯାଉଥିବା ବେଳେ ଦୁର୍ବୁତ୍ତ ମାନେ ଲକ୍ଷ୍ମୀ ପ୍ରିୟାଙ୍କ ବେକରୁ ଏକ ସୁନା ଚେନ ଝାମ୍ପିନେଇ ଫେରାର ହୋଇଯାଇଥିଲେ।

ଏହି ପରିପ୍ରେକ୍ଷୀରେ ଟାଉନ ଥାନାରେ କେଶ ନମ୍ବର ୨୯୫/୨୨ ରେ ଏକ ମାମଲା ରୁଜୁ କରାଯାଇ ତଦନ୍ତ ଜାରିରହିଥିଲା। ତେବେ ଏହାକୁ ଖୋର୍ଦ୍ଧା ଏସପି ସିଦ୍ଧାର୍ଥ କାଟାରିଆ ଗୁରୁତର ସହ ନେଇଥିଲେ। ଏସପିଙ୍କ ନିର୍ଦ୍ଦେଶକ୍ରମେ ଏବଂ ଖୋର୍ଦ୍ଧା ଏସଡିପିଓ ସୁଶୀଲ ମିଶ୍ର ଓ ଟାଉନ ଥାନା ଇନଚାର୍ଜ ଡ଼ିଏସପି ସଞ୍ଜୟ ପଟ୍ଟନାୟକଙ୍କ ତତ୍ୱାବଧାନରେ ଏକ ଟିମ ସ୍ୱତନ୍ତ୍ର ସ୍କ୍ୱାର୍ଡର ସହଯୋଗରେ ଗଠନ କରାଯାଇ ବିଭିନ୍ନ ସ୍ଥାନରେ ଚଢ଼ାଉ କରାଯାଇଥିଲା।

ଉକ୍ତ ଚଢ଼ାଉରେ ୩ ଜଣ ଅଭିଯୁକ୍ତ ଗିରଫ ହୋଇଛନ୍ତି। ଗିରଫ ଅଭିଯୁକ୍ତ ମାନେ ହେଲେ କାଳିପ୍ରସାଦ ରାଉଳ (୨୬), ସୁନୀଲ ମାନସିଂହ (୨୮) ଏବଂ ସୁନା ବେପାରି ବିଭୁତିଭୂଷଣ ସାହୁ (୩୨)। ସେମାନଙ୍କ ନିକଟରୁ ୯ ଗୋଟି ସୁନା ଚେନ ଜବତ କରିଛି ପୋଲିସ। ଅଭିଯୁକ୍ତ ମାନେ ନୂଆ ବସ ଷ୍ଟାଣ୍ଡ, ପିତାପଲି, ଯାଆଁଳା, ବ୍ୟାଙ୍କ ଛକ, ଟିଏଲସି ରୋଡ଼, ଭରତପୁର, ଜଟଣୀ ଏବଂ ଭୁବନେଶ୍ୱର ଅଞ୍ଚଳରୁ ଉକ୍ତ ଚେନ ଲୁଟ କରିଥିବାର ଜଣାପଡିଛି।

ତେବେ ଅଭିଯୁକ୍ତ ମାନେ ମନପୁରମ ଗୋଲଡ଼ ଲୋନ ବ୍ୟାଙ୍କ ଏବଂ ଆଇଆଇଏଫଏଲ ବ୍ୟାଙ୍କରୁ ୭ ଗୋଟି ସୁନା ଚେନ ବନ୍ଧକ ରଖି ଲୋନ ନେଇଥିବାର ଜଣାପଡିଛି। ବାକି ସୁନା ଚେନ ଗୁଡିକୁ ପୋଲିସ ସୁନାରି ଠାରୁ ଜବତ କରିଛି।

ଅନୁରୂପ ଭାବେ ଗିରଫ ଅଭିଯୁକ୍ତ ମାନେ ଏକାଧିକ ମଟରସାଇକେଲ ଚୋରି ମାମଲାରେ ମଧ୍ୟ ଜଡ଼ିତ ଥିବାର ପୋଲିସ ଜାଣିବାକୁ ପାଇଛି ଏବଂ ସେମାନଙ୍କ ନିକଟରୁ ୭ ଗୋଟି ଚୋରା ମଟରସାଇକେଲ ଜବତ କରାଯାଇଛି।

ଉକ୍ତ ଅଭିଯୁକ୍ତ ମାନେ ଭୁବନେଶ୍ୱର ଏବଂ ଖୋର୍ଦ୍ଧା ଅଞ୍ଚଳରେ ଘଟିଥିବା ବିଭିନ୍ନ ଚୋରି ଓ ଛୀନତାଇରେ ସାମିଲ ଥିବା ମଧ୍ୟ ପୋଲିସ ଜାଣିବାକୁ ପାଇଛି। ଆଜି ସମସ୍ତ ଅଭିଯୁକ୍ତଙ୍କ ସମେତ ଚୋରା ସୁନା ଚେନ କିଣିଥିବା ସୁନା ବେପାରିଙ୍କୁ ମଧ୍ୟ ଗିରଫ କରି କୋର୍ଟଚାଲାଣ କରିଛି ପୋଲିସ। ଉକ୍ତ ଚଢ଼ାଉରେ ଟାଉନ ଥାନା ଅତିରିକ୍ତ ଆଇଆଇସି ପ୍ରଜ୍ଞା ରିତମ୍ଭରା କର, ଏସଆଇ ସୁକାନ୍ତ ଦଳାଇ, ପଦ୍ମଲୋଚନ ବେହେରା, ଏଏସଆଇ ପ୍ରଦୀପ କୁମାର ପ୍ରଧାନ, ସ୍ୱତନ୍ତ୍ର ସ୍କ୍ୱାର୍ଡ ଏବଂ ଅନ୍ୟ ପୋଲିସ କର୍ମୀମାନେ ସାମିଲ ଥିଲେ।

Categories
ଅପରାଧ ଆଜିର ଖବର ରାଜ୍ୟ ଖବର

ଲକଡାଉନରେ ମାତିଲେ ଚୋର: ଦୁଇଟି ବାଇକ ଜବତ କରିବା ସହ ଜଣଙ୍କୁ ଗିରଫ କଲା ଟାଙ୍ଗୀ ପୋଲିସ

ସୀତାରାମ ଅଗ୍ରୱାଲ

ଟାଙ୍ଗୀ: ଅସମାଜିକ ଯୁବକମାନଙ୍କ ପାଇଁ ଲକଡାଉନ ଏକ ଭଲ ସୁଯୋଗ ନେଇଆସିଛି। ଏହି ସମୟରେ ସବୁ କିଛି ବନ୍ଦ ଯୋଗୁଁ ରାସ୍ତା ଘାଟ ଜନଶୂନ୍ୟ ରହୁଛି। ତେଣୁ ଏହାର ସୁଯୋଗ ନେଇ ଅସମାଜିକ କାର୍ଯ୍ୟକଳାପରେ କିଛି ଯୁବକ ଲିପ୍ତ ରହୁଛନ୍ତି। କେଉଁଠି ଚୋରୀ ହେଉଥିବା ଘଟଣା ସାମ୍ନାକୁ ଆସୁଛି ତ କେଉଁଠି ନିଶା କାରବାର ଏବଂ କେଉଁଠି ବେଆଇନ ଗୋଚାଲାଣ ହେଉଥିବା ଖବର ଶୁଣିବାକୁ ମିଳୁଛି। ତେବେ ଏହି ସମୟରେ ଟାଙ୍ଗୀ ଅଞ୍ଚଳରେ ମଧ୍ୟ ବାଇକ ଚୋରୀ ଘଟଣା ଶୁଣିବାକୁ ମିଳିଛି। କିନ୍ତୁ ଟାଙ୍ଗୀ ପୋଲିସ ଏହି ଘଟଣାର ପର୍ଦ୍ଦାଫାଶ କରିବା ସହ ଜଣଙ୍କୁ ଗିରଫ କରିଛି।

ମିଳିଥିବା ଖବର ମୁତାବକ, ଟାଙ୍ଗୀ ଥାନା ଅନ୍ତର୍ଗତ ଶୋରଣ ବଜାରରେ ଦୁଇ ଜଣ ବ୍ୟକ୍ତି ନିଜ ନିଜର ଗାଡି ରଖି କିଛି ଆବଶ୍ୟକୀୟ ଜିନିଷ କିଣୁଥିବା ବେଳେ ଦୁଇଟି ଯାକ ବାଇକକୁ କେହି ଚୋରୀ କରି ନେଇଥିବା ଜାଣିପାରିଲେ। ତେଣୁ ବାଇକ ମାଲିକ ଦ୍ୱୟ ତୁରନ୍ତ ଏବିଷୟରେ ଟାଙ୍ଗୀ ପୋଲିସ ନିକଟରେ ଅଭିଯୋଗ କରିଥିଲେ। ପୋଲିସ ସଙ୍ଗେସଙ୍ଗେ ପଦକ୍ଷେପ ସ୍ୱରୂପ ଅଞ୍ଚଳର ଚାରି ପଟେ ଘେରବନ୍ଦୀ କରିଥିଲା। ଯାହାଫଳରେ ବାଇକ ଦୁଇଟିକୁ ଅନ୍ୟତ୍ର ନେବା ପାଇଁ ଚୋର ସକ୍ଷମ ହୋଇପାରିନଥିଲା। ଟାଙ୍ଗୀ ପୋଲିସ ଦୁଇଟି ଯାକ ବାଇକକୁ ଜବତ କରିବା ସହ ଜଣେ ଅଭିଯୁକ୍ତକୁ ଗିରଫ କରିଛି।

କିନ୍ତୁ ଗିରଫ ହୋଇଥିବା ଅଭିଯୁକ୍ତ ଜଣଙ୍କ ପୂର୍ବରୁ ଏଭଳି କେତୋଟି ଘଟଣାରେ ସମ୍ପୃକ୍ତ ଥିବା ପୋଲିସ ଜାଣିପାରିଛି। ଅଭିଯୁକ୍ତଙ୍କ ବିରୋଧରେ କେସ ନମ୍ବର ୧୭୯/୨୧ ଅନୁଯାୟୀ ମାମଲା ରୁଜୁ କରାଯାଇଛି। ଆଗକୁ ଏଭଳି କାର୍ଯ୍ୟକଳାପ ଉପରେ କଡା ନଜର ରଖାଯିବ ଏବଂ ସମ୍ପୃକ୍ତ ଅଭିଯୁକ୍ତ ମାନଙ୍କ ଉପରେ ଉଚିତ କାର୍ଯ୍ୟାନୁଷ୍ଠାନ ନିଆଯିବ ବୋଲି ଟାଙ୍ଗୀ ଥାନା ଆଇଆଇସି ବିଜୟ କୁମାର ମଲିକ ସୂଚନା ଦେଇଛନ୍ତି।