ଖୋର୍ଦ୍ଧାରେ ଲୁଟେରା ଗ୍ୟାଙ୍ଗର ପର୍ଦ୍ଦାଫାସ୍: ୯ ଟି ସୁନା ଚେନ ଓ ୭ ବାଇକ ଜବତ, ୩ ଅଭିଯୁକ୍ତ ଗିରଫ

Published: Jun 25, 2022, 9:01 pm IST

ଖୋର୍ଦ୍ଧା: ଆଜି ଖୋର୍ଦ୍ଧା ଟାଉନ ଥାନା ପୋଲିସ ସୁନା ଚେନ ଓ ମଟରସାଇକେଲ ଲୁଟେରା ଗ୍ୟାଙ୍ଗକୁ ଧରିବାରେ ସଫଳ ହୋଇଛି ଏବଂ ୩ ଜଣ ଅଭିଯୁକ୍ତଙ୍କୁ ଗିରଫ କରିଛି। ସୂଚନା ମୁତାବକ ଗତ ୧୪ ତାରିଖ ଅପରାହ୍ନରେ ପ୍ରୀତି ମିଶ୍ର ନାମ୍ନୀ ଜଣେ ମହିଳା ନିଜ ବାନ୍ଧବୀ ଲକ୍ଷ୍ମୀପ୍ରିୟା ତ୍ରିପାଠୀଙ୍କ ସହ ଏକ ସ୍କୁଟି ଯୋଗେ ନୂଆ ବସ ଷ୍ଟାଣ୍ଡରୁ ବ୍ୟାଙ୍କ ଛକ ଯାଉଥିବା ବେଳେ ଦୁର୍ବୁତ୍ତ ମାନେ ଲକ୍ଷ୍ମୀ ପ୍ରିୟାଙ୍କ ବେକରୁ ଏକ ସୁନା ଚେନ ଝାମ୍ପିନେଇ ଫେରାର ହୋଇଯାଇଥିଲେ।

ଏହି ପରିପ୍ରେକ୍ଷୀରେ ଟାଉନ ଥାନାରେ କେଶ ନମ୍ବର ୨୯୫/୨୨ ରେ ଏକ ମାମଲା ରୁଜୁ କରାଯାଇ ତଦନ୍ତ ଜାରିରହିଥିଲା। ତେବେ ଏହାକୁ ଖୋର୍ଦ୍ଧା ଏସପି ସିଦ୍ଧାର୍ଥ କାଟାରିଆ ଗୁରୁତର ସହ ନେଇଥିଲେ। ଏସପିଙ୍କ ନିର୍ଦ୍ଦେଶକ୍ରମେ ଏବଂ ଖୋର୍ଦ୍ଧା ଏସଡିପିଓ ସୁଶୀଲ ମିଶ୍ର ଓ ଟାଉନ ଥାନା ଇନଚାର୍ଜ ଡ଼ିଏସପି ସଞ୍ଜୟ ପଟ୍ଟନାୟକଙ୍କ ତତ୍ୱାବଧାନରେ ଏକ ଟିମ ସ୍ୱତନ୍ତ୍ର ସ୍କ୍ୱାର୍ଡର ସହଯୋଗରେ ଗଠନ କରାଯାଇ ବିଭିନ୍ନ ସ୍ଥାନରେ ଚଢ଼ାଉ କରାଯାଇଥିଲା।

ଉକ୍ତ ଚଢ଼ାଉରେ ୩ ଜଣ ଅଭିଯୁକ୍ତ ଗିରଫ ହୋଇଛନ୍ତି। ଗିରଫ ଅଭିଯୁକ୍ତ ମାନେ ହେଲେ କାଳିପ୍ରସାଦ ରାଉଳ (୨୬), ସୁନୀଲ ମାନସିଂହ (୨୮) ଏବଂ ସୁନା ବେପାରି ବିଭୁତିଭୂଷଣ ସାହୁ (୩୨)। ସେମାନଙ୍କ ନିକଟରୁ ୯ ଗୋଟି ସୁନା ଚେନ ଜବତ କରିଛି ପୋଲିସ। ଅଭିଯୁକ୍ତ ମାନେ ନୂଆ ବସ ଷ୍ଟାଣ୍ଡ, ପିତାପଲି, ଯାଆଁଳା, ବ୍ୟାଙ୍କ ଛକ, ଟିଏଲସି ରୋଡ଼, ଭରତପୁର, ଜଟଣୀ ଏବଂ ଭୁବନେଶ୍ୱର ଅଞ୍ଚଳରୁ ଉକ୍ତ ଚେନ ଲୁଟ କରିଥିବାର ଜଣାପଡିଛି।

ତେବେ ଅଭିଯୁକ୍ତ ମାନେ ମନପୁରମ ଗୋଲଡ଼ ଲୋନ ବ୍ୟାଙ୍କ ଏବଂ ଆଇଆଇଏଫଏଲ ବ୍ୟାଙ୍କରୁ ୭ ଗୋଟି ସୁନା ଚେନ ବନ୍ଧକ ରଖି ଲୋନ ନେଇଥିବାର ଜଣାପଡିଛି। ବାକି ସୁନା ଚେନ ଗୁଡିକୁ ପୋଲିସ ସୁନାରି ଠାରୁ ଜବତ କରିଛି।

ଅନୁରୂପ ଭାବେ ଗିରଫ ଅଭିଯୁକ୍ତ ମାନେ ଏକାଧିକ ମଟରସାଇକେଲ ଚୋରି ମାମଲାରେ ମଧ୍ୟ ଜଡ଼ିତ ଥିବାର ପୋଲିସ ଜାଣିବାକୁ ପାଇଛି ଏବଂ ସେମାନଙ୍କ ନିକଟରୁ ୭ ଗୋଟି ଚୋରା ମଟରସାଇକେଲ ଜବତ କରାଯାଇଛି।

ଉକ୍ତ ଅଭିଯୁକ୍ତ ମାନେ ଭୁବନେଶ୍ୱର ଏବଂ ଖୋର୍ଦ୍ଧା ଅଞ୍ଚଳରେ ଘଟିଥିବା ବିଭିନ୍ନ ଚୋରି ଓ ଛୀନତାଇରେ ସାମିଲ ଥିବା ମଧ୍ୟ ପୋଲିସ ଜାଣିବାକୁ ପାଇଛି। ଆଜି ସମସ୍ତ ଅଭିଯୁକ୍ତଙ୍କ ସମେତ ଚୋରା ସୁନା ଚେନ କିଣିଥିବା ସୁନା ବେପାରିଙ୍କୁ ମଧ୍ୟ ଗିରଫ କରି କୋର୍ଟଚାଲାଣ କରିଛି ପୋଲିସ। ଉକ୍ତ ଚଢ଼ାଉରେ ଟାଉନ ଥାନା ଅତିରିକ୍ତ ଆଇଆଇସି ପ୍ରଜ୍ଞା ରିତମ୍ଭରା କର, ଏସଆଇ ସୁକାନ୍ତ ଦଳାଇ, ପଦ୍ମଲୋଚନ ବେହେରା, ଏଏସଆଇ ପ୍ରଦୀପ କୁମାର ପ୍ରଧାନ, ସ୍ୱତନ୍ତ୍ର ସ୍କ୍ୱାର୍ଡ ଏବଂ ଅନ୍ୟ ପୋଲିସ କର୍ମୀମାନେ ସାମିଲ ଥିଲେ।

Related posts