Categories
ଆଜିର ଖବର ରାଜ୍ୟ ଖବର

ପୁଣି ସକ୍ରିୟ ହେଲେ ରେଶମ ନଗରୀ ବ୍ରହ୍ମପୁର ସହରରେ ଲୁଟେରା ଗ୍ୟାଙ୍ଗ

ବ୍ରହ୍ମପୁର ( କୈଳାଶ ଚନ୍ଦ୍ର ଚୌଧୁରୀ): ରେଶମ ନଗରୀ ବ୍ରହ୍ମପୁର ସହରରେ ଲୁଟେରା ଗ୍ୟାଙ୍ଗ ପୁଣି ସକ୍ରିୟ ହୋଇଛନ୍ତି। ସୁଚନା ଅନୁଯାୟୀ ଟାଉନ ଥାନା ଅନ୍ତର୍ଗତ ଗାନ୍ଧୀ ନଗର ମୁଖ୍ୟ ରାସ୍ତାରେ ଅବସ୍ଥିତ ଅଜିତ କମ୍ପ୍ୟୁଟର ନାମରେ ଏକ ଦୋକାନରୁ ଲୁଟେରା ମାନେ ଦୋକାନର ଶୌଚାଳୟ ଝରକା ଭାଙ୍ଗି ଦୋକାନ ଭିତରେ ପଶି ଦୋକାନରେ ମହଜୁଦ ଥିବା ବିଭିନ୍ନ ନାମିଦାମୀ କମ୍ପାନୀର ପ୍ରାୟ ୨୦ ଟି ଲାପଟପ୍, ସିସିଟିଭି କ୍ୟାମେରା, ମୋଡମ୍ ଡିଭିଆର୍ ଓ ବିଭିନ୍ନ ଯନ୍ତ୍ରାଂଶ ଚୋରି କରିଥିବା ଜଣାପଡିଛି।

ଏହି ଘଟଣା ଶନିବାର ରାତିରେ ଘଟିଥିବା ବେଳେ ଦୋକାନ ମାଲିକ ଅଜିତ ମିଶ୍ର ରବିବାର ଦିନ ଜାଣିବା ପରେ ଟାଉନ ଥାନା ରେ ଅଭିଯୋଗ କରିଥିଲେ। ଅଭିଯୋଗକୁ ଭିତ୍ତି କରି ପୋଲିସ ଏତଲା ନଂ ୩୭୦/୨୩ ଅନୁଯାୟୀ ମାମଲା ରୁଜୁ କରି ସନ୍ଧାନୀ କୁକୁର ସହ ଘଟଣାସ୍ଥଳରେ ପହଞ୍ଚି ତଦନ୍ତ ଆରମ୍ଭ କରିଛନ୍ତି। ଚୋରି ହୋଇଥିବା ଜିନିଷର ମୂଲ୍ୟ ୧୦ ଲକ୍ଷ ଟଙ୍କାରୁ ଅଧିକ ହେବ ବୋଲି ମାଲିକ ଅଜିତ ମିଶ୍ର ଙ୍କ ଠାରୁ ପ୍ରକାଶ।

Categories
ଅପରାଧ ଆଜିର ଖବର ରାଜ୍ୟ ଖବର

ବଡ଼ଧରଣର ଲୁଟେରା ଗ୍ୟାଙ୍ଗକୁ ଗିରଫ କଲା ନୟାଗଡ଼ ପୋଲିସ: ୩୦ ଲକ୍ଷରୁ ଊର୍ଦ୍ଧ୍ଵ ଅଳଙ୍କାର ଜବତ

ନୟାଗଡ଼: ନୟାଗଡ଼ରେ ବଡ଼ଧରଣର ଅଳଙ୍କାର ଲୁଟେରା ଗ୍ୟାଙ୍ଗକୁ ଗିରଫ କଲା ପୋଲିସ। ଲୁଟେରାଙ୍କ ଠାରୁ ପ୍ରାୟ ୩୦ ଲକ୍ଷରୁ ଊର୍ଦ୍ଧ୍ଵ ଟଙ୍କା ମୂଲ୍ୟର ସୁନା ଓ ରୁପା ଅଳଙ୍କାର ଜବତ କରିବା ସହ ଏହି ଘଟଣାରେ ମୋଟ ୮ ଜଣଙ୍କୁ ନୟାଗଡ଼ ପୋଲିସ ଗିରଫ କରିଛି।

ନୟାଗଡ଼ ଅଂଚଳର ଏହି ଲୁଟେରା ଗ୍ୟାଙ୍ଗ ଜିଲ୍ଲା ବାହାରେ ବିଭିନ୍ନ ସମୟରେ ସୁନା ଓ ରୁପା ଅଳଙ୍କାର ଲୁଟ କରିଥିବା ବେଳେ ବିଭିନ୍ନ ଥାନାରେ ପ୍ରାୟ ୧୦ ରୁ ଅଧିକ ମାମଲାରେ ଏମାନଙ୍କର ସମ୍ପୃକ୍ତି ରହିଥିବା ନେଇ ନୟାଗଡ଼ ଏସପି ଅଲେଖ ଚନ୍ଦ୍ର ପାହି ସାମ୍ବାଦିକ ସମ୍ମିଳନୀରେ ସୂଚନା ଦେଇଛନ୍ତି।

ସେପଟେ ପ୍ରାୟ କୋଡିଏ ଜଣ ଲୁଟେରା ଗ୍ୟାଙ୍ଗ ମଧ୍ୟରୁ ୬ ଜଣ ଲୁଟେରାଙ୍କୁ ଗିରଫ କରାଯାଇଥିବା ବେଳେ ଚୋରି ସାମଗ୍ରୀ କିଣିଥିବା ୨ ଜଣ ସୁନା ବ୍ୟବସାୟୀଙ୍କୁ ମଧ୍ୟ ନୟାଗଡ଼ ପୋଲିସ ଗିରଫ କରି କୋର୍ଟ ଚାଲାଣ କରିଛି।

ତେବେ ଏହି ମାମଲାରେ ଗିରଫ ଅଭିଯୁକ୍ତମାନେ ହେଲେ ଶଙ୍କର ପଲେଇ, ମନୋରଞ୍ଜନ ମହାରଣା, ଶରତ ଚନ୍ଦ୍ର ମହାରଣା, ପୂର୍ଣ୍ଣଚନ୍ଦ୍ର ମହାରଣା, ରମେଶ ଲେଙ୍କା, ମିଟୁ ସ୍ୱାଇଁ।  ଅନ୍ୟମାନଙ୍କ ମଧ୍ୟରେ ଚୋରି ସାମଗ୍ରୀ କିଣୁଥିବା ୨ ସୁନା ବ୍ୟବସାୟୀ ହେଲେ କାଳନ୍ଦୀ ସୁବୁଦ୍ଧି ଓ ସଞ୍ଜୟ ସିରକେ।

Categories
ଅପରାଧ ଆଜିର ଖବର ରାଜ୍ୟ ଖବର

ଖୋର୍ଦ୍ଧାରେ ଲୁଟେରା ଗ୍ୟାଙ୍ଗର ପର୍ଦ୍ଦାଫାସ୍: ୯ ଟି ସୁନା ଚେନ ଓ ୭ ବାଇକ ଜବତ, ୩ ଅଭିଯୁକ୍ତ ଗିରଫ

ଖୋର୍ଦ୍ଧା: ଆଜି ଖୋର୍ଦ୍ଧା ଟାଉନ ଥାନା ପୋଲିସ ସୁନା ଚେନ ଓ ମଟରସାଇକେଲ ଲୁଟେରା ଗ୍ୟାଙ୍ଗକୁ ଧରିବାରେ ସଫଳ ହୋଇଛି ଏବଂ ୩ ଜଣ ଅଭିଯୁକ୍ତଙ୍କୁ ଗିରଫ କରିଛି। ସୂଚନା ମୁତାବକ ଗତ ୧୪ ତାରିଖ ଅପରାହ୍ନରେ ପ୍ରୀତି ମିଶ୍ର ନାମ୍ନୀ ଜଣେ ମହିଳା ନିଜ ବାନ୍ଧବୀ ଲକ୍ଷ୍ମୀପ୍ରିୟା ତ୍ରିପାଠୀଙ୍କ ସହ ଏକ ସ୍କୁଟି ଯୋଗେ ନୂଆ ବସ ଷ୍ଟାଣ୍ଡରୁ ବ୍ୟାଙ୍କ ଛକ ଯାଉଥିବା ବେଳେ ଦୁର୍ବୁତ୍ତ ମାନେ ଲକ୍ଷ୍ମୀ ପ୍ରିୟାଙ୍କ ବେକରୁ ଏକ ସୁନା ଚେନ ଝାମ୍ପିନେଇ ଫେରାର ହୋଇଯାଇଥିଲେ।

ଏହି ପରିପ୍ରେକ୍ଷୀରେ ଟାଉନ ଥାନାରେ କେଶ ନମ୍ବର ୨୯୫/୨୨ ରେ ଏକ ମାମଲା ରୁଜୁ କରାଯାଇ ତଦନ୍ତ ଜାରିରହିଥିଲା। ତେବେ ଏହାକୁ ଖୋର୍ଦ୍ଧା ଏସପି ସିଦ୍ଧାର୍ଥ କାଟାରିଆ ଗୁରୁତର ସହ ନେଇଥିଲେ। ଏସପିଙ୍କ ନିର୍ଦ୍ଦେଶକ୍ରମେ ଏବଂ ଖୋର୍ଦ୍ଧା ଏସଡିପିଓ ସୁଶୀଲ ମିଶ୍ର ଓ ଟାଉନ ଥାନା ଇନଚାର୍ଜ ଡ଼ିଏସପି ସଞ୍ଜୟ ପଟ୍ଟନାୟକଙ୍କ ତତ୍ୱାବଧାନରେ ଏକ ଟିମ ସ୍ୱତନ୍ତ୍ର ସ୍କ୍ୱାର୍ଡର ସହଯୋଗରେ ଗଠନ କରାଯାଇ ବିଭିନ୍ନ ସ୍ଥାନରେ ଚଢ଼ାଉ କରାଯାଇଥିଲା।

ଉକ୍ତ ଚଢ଼ାଉରେ ୩ ଜଣ ଅଭିଯୁକ୍ତ ଗିରଫ ହୋଇଛନ୍ତି। ଗିରଫ ଅଭିଯୁକ୍ତ ମାନେ ହେଲେ କାଳିପ୍ରସାଦ ରାଉଳ (୨୬), ସୁନୀଲ ମାନସିଂହ (୨୮) ଏବଂ ସୁନା ବେପାରି ବିଭୁତିଭୂଷଣ ସାହୁ (୩୨)। ସେମାନଙ୍କ ନିକଟରୁ ୯ ଗୋଟି ସୁନା ଚେନ ଜବତ କରିଛି ପୋଲିସ। ଅଭିଯୁକ୍ତ ମାନେ ନୂଆ ବସ ଷ୍ଟାଣ୍ଡ, ପିତାପଲି, ଯାଆଁଳା, ବ୍ୟାଙ୍କ ଛକ, ଟିଏଲସି ରୋଡ଼, ଭରତପୁର, ଜଟଣୀ ଏବଂ ଭୁବନେଶ୍ୱର ଅଞ୍ଚଳରୁ ଉକ୍ତ ଚେନ ଲୁଟ କରିଥିବାର ଜଣାପଡିଛି।

ତେବେ ଅଭିଯୁକ୍ତ ମାନେ ମନପୁରମ ଗୋଲଡ଼ ଲୋନ ବ୍ୟାଙ୍କ ଏବଂ ଆଇଆଇଏଫଏଲ ବ୍ୟାଙ୍କରୁ ୭ ଗୋଟି ସୁନା ଚେନ ବନ୍ଧକ ରଖି ଲୋନ ନେଇଥିବାର ଜଣାପଡିଛି। ବାକି ସୁନା ଚେନ ଗୁଡିକୁ ପୋଲିସ ସୁନାରି ଠାରୁ ଜବତ କରିଛି।

ଅନୁରୂପ ଭାବେ ଗିରଫ ଅଭିଯୁକ୍ତ ମାନେ ଏକାଧିକ ମଟରସାଇକେଲ ଚୋରି ମାମଲାରେ ମଧ୍ୟ ଜଡ଼ିତ ଥିବାର ପୋଲିସ ଜାଣିବାକୁ ପାଇଛି ଏବଂ ସେମାନଙ୍କ ନିକଟରୁ ୭ ଗୋଟି ଚୋରା ମଟରସାଇକେଲ ଜବତ କରାଯାଇଛି।

ଉକ୍ତ ଅଭିଯୁକ୍ତ ମାନେ ଭୁବନେଶ୍ୱର ଏବଂ ଖୋର୍ଦ୍ଧା ଅଞ୍ଚଳରେ ଘଟିଥିବା ବିଭିନ୍ନ ଚୋରି ଓ ଛୀନତାଇରେ ସାମିଲ ଥିବା ମଧ୍ୟ ପୋଲିସ ଜାଣିବାକୁ ପାଇଛି। ଆଜି ସମସ୍ତ ଅଭିଯୁକ୍ତଙ୍କ ସମେତ ଚୋରା ସୁନା ଚେନ କିଣିଥିବା ସୁନା ବେପାରିଙ୍କୁ ମଧ୍ୟ ଗିରଫ କରି କୋର୍ଟଚାଲାଣ କରିଛି ପୋଲିସ। ଉକ୍ତ ଚଢ଼ାଉରେ ଟାଉନ ଥାନା ଅତିରିକ୍ତ ଆଇଆଇସି ପ୍ରଜ୍ଞା ରିତମ୍ଭରା କର, ଏସଆଇ ସୁକାନ୍ତ ଦଳାଇ, ପଦ୍ମଲୋଚନ ବେହେରା, ଏଏସଆଇ ପ୍ରଦୀପ କୁମାର ପ୍ରଧାନ, ସ୍ୱତନ୍ତ୍ର ସ୍କ୍ୱାର୍ଡ ଏବଂ ଅନ୍ୟ ପୋଲିସ କର୍ମୀମାନେ ସାମିଲ ଥିଲେ।

Categories
ଅପରାଧ ଆଜିର ଖବର ରାଜ୍ୟ ଖବର

ଏଟିଏମ ଲୁଟେରା ଗ୍ୟାଙ୍ଗର ପର୍ଦ୍ଦାଫାସ କଲା ଖୋର୍ଦ୍ଧା ଟାଉନ ଥାନା ପୋଲିସ, ପାଞ୍ଚ ଅଭିଯୁକ୍ତ ଗିରଫ

ଖୋର୍ଦ୍ଧା: ଆଜି ଖୋର୍ଦ୍ଧା ଟାଉନ ଥାନା ପୋଲିସ ଏକ ଏଟିଏମ ଲୁଟେରା ଗ୍ୟାଙ୍ଗକୁ ଧରିବାରେ ସଫଳ ହୋଇଛି। ଖବର ମୁତାବକ ନିକଟରେ ଟାଉନ ଥାନା ଅନ୍ତର୍ଗତ ମୁକ୍ତାପୁର ସ୍ଥିତ ଇଣ୍ଡିକ କଲେଜ ନିକଟରେ ଥିବା ଏକ ଏଟିଏମ ମେସିନ ଭାଙ୍ଗି ଟଙ୍କା ଲୁଟ ଉଦ୍ୟମ ବେଳେ ପୋଲିସ ଗାଡିକୁ ଦେଖି ଦୁର୍ବୁତ୍ତ ମାନେ ଫେରାର ହୋଇଯାଇଥିଲେ। ଏହି ପରିପ୍ରେକ୍ଷୀରେ ଟାଉନ ଥାନା ପୋଲିସ କେଶ ନମ୍ବର ୨୮୨/୨୨ ରେ ମାମଲା ରୁଜୁ କରି ତଦନ୍ତ ଜାରି ରଖିଥିଲା।

ତେବେ ଉକ୍ତ ଲୁଟ ଉଦ୍ୟମରେ ସାମିଲ ଥିବା ଦୁର୍ବୁତ୍ତଙ୍କ ପତ୍ତା ଆଜି ଖୋର୍ଦ୍ଧା ଏସପି ସିଦ୍ଧାର୍ଥ କଟାରିଆ କୌଣସି ସୂତ୍ରରୁ ପାଇଥିଲେ। ସଙ୍ଗେସଙ୍ଗେ ଏସପିଙ୍କ ନିର୍ଦ୍ଦେଶକ୍ରମେ ଖୋର୍ଦ୍ଧା ଏସଡିପିଓ ସୁଶୀଲ ମିଶ୍ର ଏବଂ ଟାଉନ ଥାନା ଇନଚାର୍ଜ ଡ଼ିଏସପି ସଞ୍ଜୟ ପଟ୍ଟନାୟକଙ୍କ ତତ୍ୱାବଧାନରେ ଏସଆଇ ପଦ୍ମଲୋଚନ ବେହରାଙ୍କ ନେତୃତ୍ୱରେ ଏକ ଟିମ ଗଠନ କରାଯାଇ ବାଙ୍କୀ ଏବଂ ଅନ୍ୟାନ୍ୟ ଅଞ୍ଚଳରେ ଚଢ଼ାଉ କରାଯାଇଥିଲା। ଚଢ଼ାଉରେ ଉକ୍ତ ଲୁଟ ଉଦ୍ୟମରେ ସାମିଲ ଥିବା ସମସ୍ତ ପାଞ୍ଚ ଅଭିଯୁକ୍ତଙ୍କୁ ଗିରଫ କରିଛି ପୋଲିସ।

ସୂଚନା ଥାଉକି ଉକ୍ତ ଦିନ ଲୁଟ ଉଦ୍ୟମ ବେଳେ ଦୁର୍ବୁତ୍ତମାନେ ଏକ ଅଟୋ ରିକ୍ସାର ସାହାଯ୍ୟ ନେଇଥିଲେ ଏବଂ ପୋଲିସକୁ ଦେଖି ଘଟଣାସ୍ଥଳରେ ଦୁଇ ଗୋଟି ବାଇକ ଘଟଣାସ୍ଥଳରେ ଛାଡି ପଳାଇଥିଲେ। ଗିରଫ ଅଭିଯୁକ୍ତମାନେ ହେଲେ ସୁଶାନ୍ତ ସାମନ୍ତରାୟ (୩୨), ଶତ୍ରୁଜିତ ବେହେରା (୨୨), ଦିଲ୍ଲୀପ କୁମାର ସାହୁ (୨୧), ଅଭିମନ୍ୟୁ ବେହେରା (୨୨) ଏବଂ ଦୁଷ୍ମନ୍ତ ସାହୁ (୨୦)। ସେମାନଙ୍କ ନିକଟରୁ ପୋଲିସ ଏକ ଚୋରା ନମ୍ବର ବିଶିଷ୍ଟ ବାଇକ, ଏକ ନାଲି ରଙ୍ଗର ଅପାଚି ବାଇକ ଏବଂ ଗୋଟେ ଅଟୋ ରିକ୍ସା ଜବତ କରିଛି। ସମସ୍ତ ଅଭିଯୁକ୍ତଙ୍କୁ ଆଜି ପୋଲିସ ଗିରଫ କରି କୋର୍ଟଚାଲାଣ କରିଛି।

Categories
ଅପରାଧ ଆଜିର ଖବର ରାଜ୍ୟ ଖବର

ଲୁଟେରା ଗ୍ୟାଙ୍ଗର ତିନି ଜଣ ସଦସ୍ୟଙ୍କୁ ଗିରଫ କଲା ଖୋର୍ଦ୍ଧା ଟାଉନ ଥାନା ପୋଲିସ

ଖୋର୍ଦ୍ଧା: ଗତ ଚାରି ଦିନ ତଳେ ଖୋର୍ଦ୍ଧା ଟାଉନ ଥାନା ଅନ୍ତର୍ଗତ ୧୬ ନମ୍ବର ଜାତୀୟ ରାଜପଥ ମୁକୁନ୍ଦପ୍ରସାଦ ଓଭରବ୍ରିଜ ଠାରେ ବିବେକ ପ୍ରସାଦ ଡୁମୁରି ନାମକ ବ୍ୟକ୍ତିଙ୍କ ନିକଟରୁ ତିନି ଜଣ ଦୁର୍ବୁତ୍ତ ଛୁରା ଦେଖାଇ ୩୮ ହଜାର ଟଙ୍କା ଏବଂ ଦୁଇ ଗୋଟି ମୋବାଇଲ ଫୋନ ଲୁଟିନେଇଥିବାର ଟାଉନ ଥାନାରେ ଅଭିଯୋଗ ହୋଇଥିଲା। ଏହାକୁ ଭିତ୍ତି କରି ପୋଲିସ କେଶ ନମ୍ବର ୧୪୪/୨୨ ରେ ମାମଲା ରୁଜୁ କରି ତଦନ୍ତ ଜାରି ରଖିଥିଲା। ତେବେ ଉକ୍ତ ଲୁଟରେ ସମ୍ପୃକ୍ତ ଥିବା ବାପି ପତ୍ରାଣ୍ଡ ନାମକ ଜଣେ ଅଭିଯୁକ୍ତକୁ ଲୁଟର ପରବର୍ତ୍ତୀ ଦିନ ପୋଲିସ ଗିରଫ କରିଥିଲା ଏବଂ ସମ୍ପୃକ୍ତ ଅଭିଯୁକ୍ତ ଏହି ଲୁଟରେ ସାମିଲ ଥିବା ଅନ୍ୟ ଲୁଟେରାଙ୍କ ନାମ ମଧ୍ୟ ପୋଲିସକୁ କହିଥିଲା।

ଖୋର୍ଦ୍ଧା ଏସପି ଅଲେଖ ଚନ୍ଦ୍ର ପହି, ଏସଡିପିଓ ସୁଶୀଲ କୁମାର ମିଶ୍ରଙ୍କ ତତ୍ୱାବଧାନରେ ଏବଂ ଟାଉନ ଥାନା ଇନଚାର୍ଜ ଡ଼ିଏସପି ସଞ୍ଜୟ ପଟ୍ଟନାୟକଙ୍କ ନିର୍ଦ୍ଦେଶକ୍ରମେ ଅତିରିକ୍ତ ଆଇଆଇସି ପ୍ରଜ୍ଞା ରିତାମ୍ଭରି କର ବିଭିନ୍ନ ସ୍ଥାନରେ ଚଢ଼ାଉ କରି ତିନି ଜଣ ଅଭିଯୁକ୍ତଙ୍କୁ ଗିରଫ କରିଛନ୍ତି।  ଅଭିଯୁକ୍ତମାନେ ହେଲେ ବାଣପୁର ଥାନା ଦତ୍ତପୁର ଗ୍ରାମର ଚିତ୍ତରଞ୍ଜନ ହରିଚନ୍ଦନ ଓରଫ ତପୁ, ଟାଉନ ଥାନା ତରତୁଆର ଅମୀର ଖାନ ଓରଫ ସୋନୁ ଏବଂ ଶ୍ରଦ୍ଧାପୁର ଗ୍ରାମର ଜାଭେଦ ମୋହମଦ ଓରଫ ଧଡ଼ିଆ।

ସେମାନଙ୍କ ନିକଟରୁ ପୋଲିସ ନକଦ ୨୪ ହଜାର ଟଙ୍କା, ବିଭିନ୍ନ କମ୍ପାନୀର ଦଶ ଗୋଟି ମୋବାଇଲ ଫୋନ ଏବଂ ଦୁଇ ଗୋଟି ବାଇକ ଜବତ କରିଛି। ଉକ୍ତ ଅଭିଯୁକ୍ତ ମାନେ ପୁର୍ବରୁ ଏକାଧିକ ମୋବାଇଲ ଚୋରି ଓ ଲୁଟ ମାମଲାରେ ସମ୍ପୃକ୍ତ ଥିବା ପୋଲିସ କହିଛି। ସମସ୍ତ ଅଭିଯୁକ୍ତ ମାନଙ୍କୁ ଆଜି କୋର୍ଟ ଚାଲାଣ କରାଯାଇଛି। ଉକ୍ତ ଚଢ଼ାଉରେ ଏସଏଇ ସୁଶାନ୍ତ କୁମାର ଦଳାଇ, ସ୍ଵାଗତିକା ଦାସ ଏବଂ ଏଏସଆଇ ସୁଶାନ୍ତ କୁମାର ସାହୁ ଆଦି ସାମିଲ ଥିଲେ।