ଲୁଟେରା ଗ୍ୟାଙ୍ଗର ତିନି ଜଣ ସଦସ୍ୟଙ୍କୁ ଗିରଫ କଲା ଖୋର୍ଦ୍ଧା ଟାଉନ ଥାନା ପୋଲିସ

Published: Mar 29, 2022, 8:39 pm IST

ଖୋର୍ଦ୍ଧା: ଗତ ଚାରି ଦିନ ତଳେ ଖୋର୍ଦ୍ଧା ଟାଉନ ଥାନା ଅନ୍ତର୍ଗତ ୧୬ ନମ୍ବର ଜାତୀୟ ରାଜପଥ ମୁକୁନ୍ଦପ୍ରସାଦ ଓଭରବ୍ରିଜ ଠାରେ ବିବେକ ପ୍ରସାଦ ଡୁମୁରି ନାମକ ବ୍ୟକ୍ତିଙ୍କ ନିକଟରୁ ତିନି ଜଣ ଦୁର୍ବୁତ୍ତ ଛୁରା ଦେଖାଇ ୩୮ ହଜାର ଟଙ୍କା ଏବଂ ଦୁଇ ଗୋଟି ମୋବାଇଲ ଫୋନ ଲୁଟିନେଇଥିବାର ଟାଉନ ଥାନାରେ ଅଭିଯୋଗ ହୋଇଥିଲା। ଏହାକୁ ଭିତ୍ତି କରି ପୋଲିସ କେଶ ନମ୍ବର ୧୪୪/୨୨ ରେ ମାମଲା ରୁଜୁ କରି ତଦନ୍ତ ଜାରି ରଖିଥିଲା। ତେବେ ଉକ୍ତ ଲୁଟରେ ସମ୍ପୃକ୍ତ ଥିବା ବାପି ପତ୍ରାଣ୍ଡ ନାମକ ଜଣେ ଅଭିଯୁକ୍ତକୁ ଲୁଟର ପରବର୍ତ୍ତୀ ଦିନ ପୋଲିସ ଗିରଫ କରିଥିଲା ଏବଂ ସମ୍ପୃକ୍ତ ଅଭିଯୁକ୍ତ ଏହି ଲୁଟରେ ସାମିଲ ଥିବା ଅନ୍ୟ ଲୁଟେରାଙ୍କ ନାମ ମଧ୍ୟ ପୋଲିସକୁ କହିଥିଲା।

ଖୋର୍ଦ୍ଧା ଏସପି ଅଲେଖ ଚନ୍ଦ୍ର ପହି, ଏସଡିପିଓ ସୁଶୀଲ କୁମାର ମିଶ୍ରଙ୍କ ତତ୍ୱାବଧାନରେ ଏବଂ ଟାଉନ ଥାନା ଇନଚାର୍ଜ ଡ଼ିଏସପି ସଞ୍ଜୟ ପଟ୍ଟନାୟକଙ୍କ ନିର୍ଦ୍ଦେଶକ୍ରମେ ଅତିରିକ୍ତ ଆଇଆଇସି ପ୍ରଜ୍ଞା ରିତାମ୍ଭରି କର ବିଭିନ୍ନ ସ୍ଥାନରେ ଚଢ଼ାଉ କରି ତିନି ଜଣ ଅଭିଯୁକ୍ତଙ୍କୁ ଗିରଫ କରିଛନ୍ତି।  ଅଭିଯୁକ୍ତମାନେ ହେଲେ ବାଣପୁର ଥାନା ଦତ୍ତପୁର ଗ୍ରାମର ଚିତ୍ତରଞ୍ଜନ ହରିଚନ୍ଦନ ଓରଫ ତପୁ, ଟାଉନ ଥାନା ତରତୁଆର ଅମୀର ଖାନ ଓରଫ ସୋନୁ ଏବଂ ଶ୍ରଦ୍ଧାପୁର ଗ୍ରାମର ଜାଭେଦ ମୋହମଦ ଓରଫ ଧଡ଼ିଆ।

ସେମାନଙ୍କ ନିକଟରୁ ପୋଲିସ ନକଦ ୨୪ ହଜାର ଟଙ୍କା, ବିଭିନ୍ନ କମ୍ପାନୀର ଦଶ ଗୋଟି ମୋବାଇଲ ଫୋନ ଏବଂ ଦୁଇ ଗୋଟି ବାଇକ ଜବତ କରିଛି। ଉକ୍ତ ଅଭିଯୁକ୍ତ ମାନେ ପୁର୍ବରୁ ଏକାଧିକ ମୋବାଇଲ ଚୋରି ଓ ଲୁଟ ମାମଲାରେ ସମ୍ପୃକ୍ତ ଥିବା ପୋଲିସ କହିଛି। ସମସ୍ତ ଅଭିଯୁକ୍ତ ମାନଙ୍କୁ ଆଜି କୋର୍ଟ ଚାଲାଣ କରାଯାଇଛି। ଉକ୍ତ ଚଢ଼ାଉରେ ଏସଏଇ ସୁଶାନ୍ତ କୁମାର ଦଳାଇ, ସ୍ଵାଗତିକା ଦାସ ଏବଂ ଏଏସଆଇ ସୁଶାନ୍ତ କୁମାର ସାହୁ ଆଦି ସାମିଲ ଥିଲେ।

Related posts