Categories
ଅପରାଧ ଆଜିର ଖବର ରାଜ୍ୟ ଖବର

ଖୋର୍ଦ୍ଧାରେ ଲୁଟେରା ଗ୍ୟାଙ୍ଗର ପର୍ଦ୍ଦାଫାସ୍: ୯ ଟି ସୁନା ଚେନ ଓ ୭ ବାଇକ ଜବତ, ୩ ଅଭିଯୁକ୍ତ ଗିରଫ

ଖୋର୍ଦ୍ଧା: ଆଜି ଖୋର୍ଦ୍ଧା ଟାଉନ ଥାନା ପୋଲିସ ସୁନା ଚେନ ଓ ମଟରସାଇକେଲ ଲୁଟେରା ଗ୍ୟାଙ୍ଗକୁ ଧରିବାରେ ସଫଳ ହୋଇଛି ଏବଂ ୩ ଜଣ ଅଭିଯୁକ୍ତଙ୍କୁ ଗିରଫ କରିଛି। ସୂଚନା ମୁତାବକ ଗତ ୧୪ ତାରିଖ ଅପରାହ୍ନରେ ପ୍ରୀତି ମିଶ୍ର ନାମ୍ନୀ ଜଣେ ମହିଳା ନିଜ ବାନ୍ଧବୀ ଲକ୍ଷ୍ମୀପ୍ରିୟା ତ୍ରିପାଠୀଙ୍କ ସହ ଏକ ସ୍କୁଟି ଯୋଗେ ନୂଆ ବସ ଷ୍ଟାଣ୍ଡରୁ ବ୍ୟାଙ୍କ ଛକ ଯାଉଥିବା ବେଳେ ଦୁର୍ବୁତ୍ତ ମାନେ ଲକ୍ଷ୍ମୀ ପ୍ରିୟାଙ୍କ ବେକରୁ ଏକ ସୁନା ଚେନ ଝାମ୍ପିନେଇ ଫେରାର ହୋଇଯାଇଥିଲେ।

ଏହି ପରିପ୍ରେକ୍ଷୀରେ ଟାଉନ ଥାନାରେ କେଶ ନମ୍ବର ୨୯୫/୨୨ ରେ ଏକ ମାମଲା ରୁଜୁ କରାଯାଇ ତଦନ୍ତ ଜାରିରହିଥିଲା। ତେବେ ଏହାକୁ ଖୋର୍ଦ୍ଧା ଏସପି ସିଦ୍ଧାର୍ଥ କାଟାରିଆ ଗୁରୁତର ସହ ନେଇଥିଲେ। ଏସପିଙ୍କ ନିର୍ଦ୍ଦେଶକ୍ରମେ ଏବଂ ଖୋର୍ଦ୍ଧା ଏସଡିପିଓ ସୁଶୀଲ ମିଶ୍ର ଓ ଟାଉନ ଥାନା ଇନଚାର୍ଜ ଡ଼ିଏସପି ସଞ୍ଜୟ ପଟ୍ଟନାୟକଙ୍କ ତତ୍ୱାବଧାନରେ ଏକ ଟିମ ସ୍ୱତନ୍ତ୍ର ସ୍କ୍ୱାର୍ଡର ସହଯୋଗରେ ଗଠନ କରାଯାଇ ବିଭିନ୍ନ ସ୍ଥାନରେ ଚଢ଼ାଉ କରାଯାଇଥିଲା।

ଉକ୍ତ ଚଢ଼ାଉରେ ୩ ଜଣ ଅଭିଯୁକ୍ତ ଗିରଫ ହୋଇଛନ୍ତି। ଗିରଫ ଅଭିଯୁକ୍ତ ମାନେ ହେଲେ କାଳିପ୍ରସାଦ ରାଉଳ (୨୬), ସୁନୀଲ ମାନସିଂହ (୨୮) ଏବଂ ସୁନା ବେପାରି ବିଭୁତିଭୂଷଣ ସାହୁ (୩୨)। ସେମାନଙ୍କ ନିକଟରୁ ୯ ଗୋଟି ସୁନା ଚେନ ଜବତ କରିଛି ପୋଲିସ। ଅଭିଯୁକ୍ତ ମାନେ ନୂଆ ବସ ଷ୍ଟାଣ୍ଡ, ପିତାପଲି, ଯାଆଁଳା, ବ୍ୟାଙ୍କ ଛକ, ଟିଏଲସି ରୋଡ଼, ଭରତପୁର, ଜଟଣୀ ଏବଂ ଭୁବନେଶ୍ୱର ଅଞ୍ଚଳରୁ ଉକ୍ତ ଚେନ ଲୁଟ କରିଥିବାର ଜଣାପଡିଛି।

ତେବେ ଅଭିଯୁକ୍ତ ମାନେ ମନପୁରମ ଗୋଲଡ଼ ଲୋନ ବ୍ୟାଙ୍କ ଏବଂ ଆଇଆଇଏଫଏଲ ବ୍ୟାଙ୍କରୁ ୭ ଗୋଟି ସୁନା ଚେନ ବନ୍ଧକ ରଖି ଲୋନ ନେଇଥିବାର ଜଣାପଡିଛି। ବାକି ସୁନା ଚେନ ଗୁଡିକୁ ପୋଲିସ ସୁନାରି ଠାରୁ ଜବତ କରିଛି।

ଅନୁରୂପ ଭାବେ ଗିରଫ ଅଭିଯୁକ୍ତ ମାନେ ଏକାଧିକ ମଟରସାଇକେଲ ଚୋରି ମାମଲାରେ ମଧ୍ୟ ଜଡ଼ିତ ଥିବାର ପୋଲିସ ଜାଣିବାକୁ ପାଇଛି ଏବଂ ସେମାନଙ୍କ ନିକଟରୁ ୭ ଗୋଟି ଚୋରା ମଟରସାଇକେଲ ଜବତ କରାଯାଇଛି।

ଉକ୍ତ ଅଭିଯୁକ୍ତ ମାନେ ଭୁବନେଶ୍ୱର ଏବଂ ଖୋର୍ଦ୍ଧା ଅଞ୍ଚଳରେ ଘଟିଥିବା ବିଭିନ୍ନ ଚୋରି ଓ ଛୀନତାଇରେ ସାମିଲ ଥିବା ମଧ୍ୟ ପୋଲିସ ଜାଣିବାକୁ ପାଇଛି। ଆଜି ସମସ୍ତ ଅଭିଯୁକ୍ତଙ୍କ ସମେତ ଚୋରା ସୁନା ଚେନ କିଣିଥିବା ସୁନା ବେପାରିଙ୍କୁ ମଧ୍ୟ ଗିରଫ କରି କୋର୍ଟଚାଲାଣ କରିଛି ପୋଲିସ। ଉକ୍ତ ଚଢ଼ାଉରେ ଟାଉନ ଥାନା ଅତିରିକ୍ତ ଆଇଆଇସି ପ୍ରଜ୍ଞା ରିତମ୍ଭରା କର, ଏସଆଇ ସୁକାନ୍ତ ଦଳାଇ, ପଦ୍ମଲୋଚନ ବେହେରା, ଏଏସଆଇ ପ୍ରଦୀପ କୁମାର ପ୍ରଧାନ, ସ୍ୱତନ୍ତ୍ର ସ୍କ୍ୱାର୍ଡ ଏବଂ ଅନ୍ୟ ପୋଲିସ କର୍ମୀମାନେ ସାମିଲ ଥିଲେ।

Categories
ଅପରାଧ ଆଜିର ଖବର ରାଜ୍ୟ ଖବର

ବାଣପୁର: ବଜାରରୁ ଘରକୁ ଫେରୁଥିବା ବେଳେ ମହିଳାଙ୍କ ଠାରୁ ସୁନା ଚେନ ଲୁଟି ନେଲେ ଦୁର୍ବୁର୍ତ୍ତ

ସୀତାରାମ ଅଗ୍ରୱାଲ

ବାଣପୁର: ଆଜି ଅପରାହ୍ନରେ ଖୋର୍ଦ୍ଧା ଜିଲ୍ଲା ବାଣପୁର ଥାନା ଅନ୍ତର୍ଗତ ସାଲୁଣି ଗ୍ରାମ ନିକଟରେ ଏକ ଲୁଟ ହୋଇଛି। ସୂଚନା ମୁତାବକ ଆଜି ଅପରାହ୍ନରେ ବେରୁଆଁବାଡ଼ି ଗ୍ରାମର ପ୍ରସନ୍ନ ସ୍ୱାଇଁଙ୍କ ପତ୍ନୀ ପ୍ରଭାସିନୀ ସ୍ୱାଇଁ ଏକ ସ୍କୁଟି ଯୋଗେ ବାଣପୁରରୁ ନିଜ ଗ୍ରାମକୁ ଫେରୁଥିଲେ। ସେହି ସମୟରେ ସାଲୁଣି ଗ୍ରାମ ନିକଟରେ ବିପରୀତ ଦିଗରୁ ହଠାତ ତିନି ଜଣ ଦୁର୍ବୁତ୍ତ ଏକ ବାଇକ ଯୋଗେ ଆସି ପ୍ରଭାସିନୀଙ୍କୁ ଡରାଇ ଧମକାଇ ତାଙ୍କର ଏକ ସୁନା ଚେନ ଲୁଟିକରି ନେଇଯାଇଥିଲେ। ଏ ନେଇ ସନ୍ଧ୍ୟାରେ ପ୍ରଭାସିନୀ ବାଣପୁର ଥାନାରେ ଏକ ଲିଖିତ ଅଭିଯୋଗ କରିବାପରେ ବାଣପୁର ପୋଲିସ ତନାଘନା ଆରମ୍ଭ କରିଦେଇଛି।

Categories
ଅପରାଧ ଆଜିର ଖବର ରାଜ୍ୟ ଖବର

ଚିଲିକା ଢ଼ାବା ସମ୍ମୁଖରୁ ମହିଳାଙ୍କ ବେକରୁ ସୁନା ଚେନ ଲୁଟିନେଲେ ଲୁଟେରା: ଜଣେ ଅଟକ

ସୀତାରାମ ଅଗ୍ରୱାଲ

ଚିଲିକା: ଖୋର୍ଦ୍ଧା ଜିଲ୍ଲା ଚିଲିକା ଅଞ୍ଚଳରେ ବର୍ତ୍ତମାନ ଲୁଟ୍ ପାତ କମିବାର ନାଁ ଧରୁନାହିଁ।  ସତେ ଯେପରି ଚିଲିକା ଲୁଟେରାଙ୍କ ଭୁସ୍ବର୍ଗ ପାଲଟିଛି। ଗତ କିଛି ମାସ ହେଲା ବାଣପୁର ବାଲୁଗାଁରେ ଚୋରି, ଡକାୟତି ଆଦି ବଢିବାକୁ ଲାଗିଥିବାବେଳେ ଲୁଟେରାଙ୍କୁ ଧରିବା ଦିଗରେ ପୋଲିସକୁ ନାକେଦ୍ଦମ ହେବାକୁ ପଡ଼ିଛି। ଆଜି ଅପରାହ୍ନରେ ବାଲୁଗାଁ ଚିଲିକା ଢାବା ସମ୍ମୁଖରୁ ଆଉ ଏକ ଲୁଟ ହୋଇଛି। ଜଣେ ମହିଳାଙ୍କ ବେକରୁ ସୁନା ଚେନ ଛଡାଇ ନେଇଛନ୍ତି ଦୁର୍ବୁତ୍ତ।

ସୂଚନା ମୁତାବକ ଟାଙ୍ଗୀ ପଣସପୁର ଅଞ୍ଚଳର ସଦାଶିବ ନାୟକ ଏବଂ ତାଙ୍କ ପତ୍ନୀ ପିନାକୀ ନାୟକଙ୍କ ସପରିବାର ଏକ କାର ଯୋଗେ ଆଜି ମା’ ନାରାୟଣୀ ମନ୍ଦିର ବୁଲିବାକୁ ଆସିଥିଲେ। ମନ୍ଦିର ବୁଲି ଚିଲିକା ଢ଼ାବାକୁ ଖାଇବାକୁ ପହଁଚିଲାବେଳେ ହଠାତ ପଛପଟୁ ଏକ ପଲସର ବାଇକରେ (ଓଡ଼ି୦୭ଏଫ୪୮୬୩) ଦୁଇ ଜଣ ଦୁର୍ବୁତ୍ତ ଆସି ଆଖି ପିଛୁଳାକେ ପିନାକୀଙ୍କ ବେକରୁ ସୁନା ଚେନ ଛଡାଇ ବାଲୁଗାଁ ଅଭିମୁଖେ ପଳାଇଥିଲେ।

ତେବେ କିଛି ବାଟ ଗଲାପରେ ବଡକୁଳ ଉଚ୍ଚ ବିଦ୍ୟାଳୟ ନିକଟରେ ସୁନା ଚେନ ନେବା ପାଇଁ ଲୁଟେରା ଦୁଇ ଜଣ ପରସ୍ପର ମଧ୍ୟରେ ମାଡ଼ଗୋଡ ଲାଗିଯାଇଥିଲେ। ଝଗଡା ଏତେ ଜୋରରେ ହେଲା ଯେ, ପରସ୍ପର ଉଭୟଙ୍କୁ ବନ୍ଧୁକ ଏବଂ ଭୁଜାଲି ଦେଖାଇଥିଲେ। ଏହା ଦେଖି ସ୍ଥାନୀୟ ଲୋକମାନେ ଚୋର ସନ୍ଦେହରେ ଉଭୟଙ୍କୁ ଗୋଡ଼ାଇଥିଲେ। ତେବେ ସେସମୟରେ ଜଣେ ଦୁର୍ବୁତ୍ତ ସ୍ଥାନ ଛାଡି ଚେନ ନେଇ ଫେରାର ହୋଇଯାଇଥିବା ସ୍ଥଳେ ଅନ୍ୟ ଦୁର୍ବୁତ୍ତଙ୍କୁ ବାଇକ ସହ କାବୁ କରିନେଇ ନାଭାଲ ଫାଣ୍ଡି ଜିମା ଦେଇଛନ୍ତି ଅଞ୍ଚଳବାସୀ। ଏ ନେଇ ପିନାକୀ ନାଭାଲ ଫାଣ୍ଡିରେ ଲିଖିତ ଅଭିଯୋଗ କରିବାପରେ ପୋଲିସ ତନାଘନା ଆରମ୍ଭ କରିଦେଇଛି।