ଚିଲିକା ଢ଼ାବା ସମ୍ମୁଖରୁ ମହିଳାଙ୍କ ବେକରୁ ସୁନା ଚେନ ଲୁଟିନେଲେ ଲୁଟେରା: ଜଣେ ଅଟକ

Published: Jan 24, 2021, 5:03 pm IST

ସୀତାରାମ ଅଗ୍ରୱାଲ

ଚିଲିକା: ଖୋର୍ଦ୍ଧା ଜିଲ୍ଲା ଚିଲିକା ଅଞ୍ଚଳରେ ବର୍ତ୍ତମାନ ଲୁଟ୍ ପାତ କମିବାର ନାଁ ଧରୁନାହିଁ।  ସତେ ଯେପରି ଚିଲିକା ଲୁଟେରାଙ୍କ ଭୁସ୍ବର୍ଗ ପାଲଟିଛି। ଗତ କିଛି ମାସ ହେଲା ବାଣପୁର ବାଲୁଗାଁରେ ଚୋରି, ଡକାୟତି ଆଦି ବଢିବାକୁ ଲାଗିଥିବାବେଳେ ଲୁଟେରାଙ୍କୁ ଧରିବା ଦିଗରେ ପୋଲିସକୁ ନାକେଦ୍ଦମ ହେବାକୁ ପଡ଼ିଛି। ଆଜି ଅପରାହ୍ନରେ ବାଲୁଗାଁ ଚିଲିକା ଢାବା ସମ୍ମୁଖରୁ ଆଉ ଏକ ଲୁଟ ହୋଇଛି। ଜଣେ ମହିଳାଙ୍କ ବେକରୁ ସୁନା ଚେନ ଛଡାଇ ନେଇଛନ୍ତି ଦୁର୍ବୁତ୍ତ।

ସୂଚନା ମୁତାବକ ଟାଙ୍ଗୀ ପଣସପୁର ଅଞ୍ଚଳର ସଦାଶିବ ନାୟକ ଏବଂ ତାଙ୍କ ପତ୍ନୀ ପିନାକୀ ନାୟକଙ୍କ ସପରିବାର ଏକ କାର ଯୋଗେ ଆଜି ମା’ ନାରାୟଣୀ ମନ୍ଦିର ବୁଲିବାକୁ ଆସିଥିଲେ। ମନ୍ଦିର ବୁଲି ଚିଲିକା ଢ଼ାବାକୁ ଖାଇବାକୁ ପହଁଚିଲାବେଳେ ହଠାତ ପଛପଟୁ ଏକ ପଲସର ବାଇକରେ (ଓଡ଼ି୦୭ଏଫ୪୮୬୩) ଦୁଇ ଜଣ ଦୁର୍ବୁତ୍ତ ଆସି ଆଖି ପିଛୁଳାକେ ପିନାକୀଙ୍କ ବେକରୁ ସୁନା ଚେନ ଛଡାଇ ବାଲୁଗାଁ ଅଭିମୁଖେ ପଳାଇଥିଲେ।

ତେବେ କିଛି ବାଟ ଗଲାପରେ ବଡକୁଳ ଉଚ୍ଚ ବିଦ୍ୟାଳୟ ନିକଟରେ ସୁନା ଚେନ ନେବା ପାଇଁ ଲୁଟେରା ଦୁଇ ଜଣ ପରସ୍ପର ମଧ୍ୟରେ ମାଡ଼ଗୋଡ ଲାଗିଯାଇଥିଲେ। ଝଗଡା ଏତେ ଜୋରରେ ହେଲା ଯେ, ପରସ୍ପର ଉଭୟଙ୍କୁ ବନ୍ଧୁକ ଏବଂ ଭୁଜାଲି ଦେଖାଇଥିଲେ। ଏହା ଦେଖି ସ୍ଥାନୀୟ ଲୋକମାନେ ଚୋର ସନ୍ଦେହରେ ଉଭୟଙ୍କୁ ଗୋଡ଼ାଇଥିଲେ। ତେବେ ସେସମୟରେ ଜଣେ ଦୁର୍ବୁତ୍ତ ସ୍ଥାନ ଛାଡି ଚେନ ନେଇ ଫେରାର ହୋଇଯାଇଥିବା ସ୍ଥଳେ ଅନ୍ୟ ଦୁର୍ବୁତ୍ତଙ୍କୁ ବାଇକ ସହ କାବୁ କରିନେଇ ନାଭାଲ ଫାଣ୍ଡି ଜିମା ଦେଇଛନ୍ତି ଅଞ୍ଚଳବାସୀ। ଏ ନେଇ ପିନାକୀ ନାଭାଲ ଫାଣ୍ଡିରେ ଲିଖିତ ଅଭିଯୋଗ କରିବାପରେ ପୋଲିସ ତନାଘନା ଆରମ୍ଭ କରିଦେଇଛି।

Related posts