Categories
ଆଜିର ଖବର ରାଜ୍ୟ ଖବର

ବିଧାୟକମାନଙ୍କ ପାଇଁ ବହୁତଳବିଶିଷ୍ଟ ଆବାସିକ ଗୃହ ନିର୍ମାଣ ତ୍ବାରାନିତ କରିବାକୁ ବାଚସ୍ପତିଙ୍କ ନିର୍ଦ୍ଦେଶ

ଭୁବନେଶ୍ୱର: ବିଧାୟକମାନଙ୍କ ପାଇଁ ଆବାସିକ ଗୃହ ନିର୍ମାଣ କରି ସେମାନଙ୍କୁ ଆବଣ୍ଟନ କରିବାକୁ ସରକାରୀ ସ୍ତରରେ ନିଷ୍ପତ୍ତି ନିଆଯାଇଛି । ଭୁବନେଶ୍ୱରରେ ପର୍ଯ୍ୟାପ୍ତ ଗୃହ ନଥିବାରୁ ବିଧାୟକମାନେ ଅସୁବିଧାର ସମ୍ମୁଖୀନ ହେଉଥିବା ଦୃଷ୍ଟିରୁ ଏହାର ସ୍ଥାୟୀ ସମାଧାନ ପାଇଁ ବାଚସ୍ପତି ଡ. ସୂର୍ଯ୍ୟନାରାୟଣ ପାତ୍ର ନିର୍ଦ୍ଦେଶ ଦେଇଛନ୍ତି ।

ଆଜି ଏ ସଂକ୍ରାନ୍ତୀୟ କାର୍ଯ୍ୟକୁ ତ୍ୱରାନ୍ୱିତ କରିବା ପାଇଁ ବାଚସ୍ପତି ଡ. ପାତ୍ରଙ୍କ ଅଧ୍ୟକ୍ଷତାରେ ଏକ ବୈଠକ ବାଚସ୍ପତିଙ୍କ ପ୍ରକୋଷ୍ଠରେ ଅନୁଷ୍ଠିତ ହୋଇଥିଲା । ସମସ୍ତ ପ୍ରକାର ସୁବିଧା ଉପଲବ୍ଧ ଥାଇ ଭୁବନେଶ୍ୱର କେନ୍ଦ୍ର ସ୍ଥଳରେ ଏକ ବହୁତଳବିଶିଷ୍ଟ ଆବାସିକ ଗୃହ ନିର୍ମାଣ ପାଇଁ ନିଷ୍ପତ୍ତି ନିଆଯାଇଛି । ପ୍ରାରମ୍ଭିକ ପର୍ଯ୍ୟାୟରେ ସରକାରଙ୍କ ତରଫରୁ ଏଥି ପାଇଁ ୭୦ କୋଟି ଟଙ୍କା ଆବଣ୍ଟିତ ହୋଇଥିବା ସ୍ଥଳେ ପ୍ରକଳ୍ପର ମୋଟ ବ୍ୟୟ ଅଟକଳ ୪୦୦ କୋଟି ଟଙ୍କା ରହିଛି ।

ଅତିରିକ୍ତ ବଜେଟ୍‌ରେ ସରକାରଙ୍କ ତରଫରୁ ୫୦ କୋଟି ଟଙ୍କା ଅଲଗା ଏକ ହେଡ୍‌ ଅଫ୍‌ ଆକାଉଣ୍ଟରେ ପ୍ରଦାନ ପାଇଁ ବ୍ୟବସ୍ଥା ଗ୍ରହଣ କରାଯାଉଛି । କାର୍ଯ୍ୟକୁ ତ୍ୱରାନ୍ୱିତ କରିବା ପାଇଁ ବାଚସ୍ପତି ଡ. ପାତ୍ର ନିର୍ଦ୍ଦେଶ ଦେଇଛନ୍ତି । ଏହି ବୈଠକରେ ପୂର୍ତ୍ତ ବିଭାଗ ନିର୍ଦ୍ଦେଶକ, ଇଷ୍ଟେଟ୍‌ ବିଭାଗ ନିର୍ଦ୍ଦେଶକ, ଓଡ଼ିଶା ହାଉସିଂ ବୋର୍ଡର ପରିଚାଳନା ନିର୍ଦ୍ଦେଶକ ପ୍ରମୁଖଙ୍କ ସମେତ ବିଧାନସଭା ସଚିବ ଦାଶରଥୀ ଶତପଥୀ ଯୋଗଦେଇଥିଲେ ।

Categories
ଆଜିର ଖବର ରାଜ୍ୟ ଖବର

ଆସନ୍ତା ୧୨ରେ ୨ୟ ପର୍ଯ୍ୟାୟ ବଜେଟ ଅଧିବେଶନ: କୋଭିଡ଼ ନେଗେଟିଭ ହେଲେ ମିଳିବ ପ୍ରବେଶ ଅନୁମତି

ଭୁବନେଶ୍ବର: ଆସନ୍ତା ୧୨ ତାରିଖରୁ ବିଧାନସଭାର ଦ୍ଵିତୀୟ ପର୍ଯ୍ୟାୟ ବଜେଟ ଅଧିବେଶନ ଆରମ୍ଭ ହେବ। ବିଧାନସଭା ଭିତରକୁ ପ୍ରବେଶ କରିବାକୁ ଥିବା ସମସ୍ତଙ୍କର କୋଭିଡ଼ ପରୀକ୍ଷା କରିବାକୁ ପଡିବ। ସମସ୍ତେ ଆଣ୍ଟିଜେନ ପରୀକ୍ଷା କରିବାକୁ ନିଷ୍ପତ୍ତି ହୋଇଛି। ରିପୋର୍ଟ ନେଗେଟିଭ ଆସିଲେ ଗୃହ ଭିତରକୁ ପ୍ରବେଶ ଲାଗି ଅନୁମତି ମିଳିବ। ଏନେଇ ବାଚସ୍ପତି ଡ. ସୂର୍ଯ୍ୟନାରାୟଣ ପାତ୍ର ସୂଚନା ଦେଇଛନ୍ତି।

Categories
ଆଜିର ଖବର ଆଞ୍ଚଳିକ

କୁକୁଡ଼ାଖଣ୍ଡିରେ ବାଚସ୍ପତିଙ୍କ ବିଭିନ୍ନ କାର୍ଯ୍ୟକ୍ରମ

ହେମାଙ୍ଗ ପ୍ରସାଦ ରାଉଳ

ବ୍ରହ୍ମପୁର: ଦୁଇଦିନିଆ ଗଂଜାମ ଗସ୍ତରେ ଆସି ଦିଗପହଣ୍ଡି ବିଧାୟକ ତଥା ବାଚସ୍ପତି ଡ. ସୂର୍ଯ୍ୟନାରାୟଣ ପାତ୍ର ବିଭିନ୍ନ ଉନ୍ନୟନମୂଳକ କାର୍ଯ୍ୟକ୍ରମରେ ଯୋଗ ଦେଇଛନ୍ତି। ପ୍ରଥମେ ବାଲିପଡ଼ା ଗ୍ରାମରେ ମା’ ମହୁରୀ କାଳୁଆ ଟ୍ରାକ୍ଟର ମାଲିକ ସଂଘ, କଳିଙ୍ଗ ଯୁବକ ସଂଘ ଏବଂ ଅଟୋ ଚାଳକ ସଂଘ ପକ୍ଷରୁ ବାଚସ୍ପତିଙ୍କୁ ଭବ୍ୟ ସମ୍ବର୍ଦ୍ଧନା ଜ୍ଞାପନ କରାଯାଇ ଏକ ବିରାଟ ପଟୁଆରରେ ସ୍ୱାଗତ କରାଯାଇଥିଲା।

ପରବର୍ତ୍ତୀ ସମୟରେ ସମବାୟ ସମିତି ଗୋଦାମ ଗୃହ ସମେତ ଏକ ପାନୀୟ ଜଳ ପ୍ରକଳ୍ପ ଏବଂ ରାଜୀବ ଗାନ୍ଧି ସେବା କେନ୍ଦ୍ରକୁ ଉଦ୍‌ଘାଟନ କରିଥିଲେ। ପରବର୍ତ୍ତୀ ସମୟରେ ବାଇଗଣବାଡ଼ି ଗ୍ରାମରେ ନିର୍ମାଣ ଶ୍ରମିକଙ୍କୁ ଭତ୍ତା ବଣ୍ଟନ ଏବଂ ପାଣ୍ଡିଆଝୋଳି ଗ୍ରାମର କୋଳଥିଆ ପୋଖରୀର ଭିତ୍ତିପସ୍ତର ସ୍ଥାପନ, କଲ୍ୟାଣ ମଣ୍ଡପ ଉଦ୍‌ଘାଟନ କାର୍ଯ୍ୟକ୍ରମରେ ଯୋଗ ଦେଇଥିଲେ।

ଏହାସହ ରୋହିଙ୍ଗା ଗ୍ରାମରେ ଯୋଗ କେନ୍ଦ୍ର, ମାର୍କେଟ କମ୍ପେ୍ଲକସ ଓ ଗୁଡ଼ିଆ ପୋଖରୀ ସୌନ୍ଦର୍ଯ୍ୟକରଣ କାର୍ଯ୍ୟ ଉଦ୍‌ଘାଟନ କରିଥିଲେ। ପରିଶେଷରେ ନଳିହାଡ଼ ଗ୍ରାମରେ ଏକ ବିରାଟ ପଟୁଆରରେ ଗ୍ରାମ ପରିକ୍ରମା କରି ଜନସାଧାରଣଙ୍କ ସୁବିଧା ଅସୁବିଧା ପଚାରି ବୁଝିବା ସହ ଚାଷୀଙ୍କ ସମସ୍ୟା କିପରି ଦୂର ହୋଇପାରିବ ସେ ଉପରେ ଆଲୋଚନା କରିଥିଲେ।

ଅନ୍ୟମାନଙ୍କ ମଧ୍ୟରେ ବ୍ରହ୍ମପୁର ଉପଜିଲ୍ଲାପାଳ କୀର୍ତ୍ତି ଭାଷନ, ବିଡ଼ିଓ ଗଦାଧର ପାତ୍ର, ଯୁବ ନେତା ସନାତନ ସଂଗ୍ରାମ ସିଂ, ଦିଗପହଣ୍ଡି ଉପାଧ୍ୟକ୍ଷା ପ୍ରତିନିଧି ଏମ୍‌. ନିରଞ୍ଜନ ରେଡ୍ଡୀ, ସମିତିସଭ୍ୟ ନିରଞ୍ଜନ ମହାନ୍ତି, ସଂଜୟ କୁମାର ପାଣିଗ୍ରାହୀ, ପୂର୍ବତନ ସରପଞ୍ଚ ସୁଦର୍ଶନ ବେହେରା, ଶିଶିର କୁମାର ଚୌଧୁରୀ, ଟୁନା ସ୍ୱାଇଁ, ମନୋଜ କୁମାର ବିଷୋୟୀ, ବାବୁଲା ସାହୁ, ବିକ୍ରମ କୁମାର ଜେନା, ଭୀମ ସ୍ୱାଇଁ ସମେତ ଶତାଧିକ କର୍ମୀ ଓ ଜନସାଧାରଣ ଉପସ୍ଥିତ ଥିଲେ।