ବିଧାୟକମାନଙ୍କ ପାଇଁ ବହୁତଳବିଶିଷ୍ଟ ଆବାସିକ ଗୃହ ନିର୍ମାଣ ତ୍ବାରାନିତ କରିବାକୁ ବାଚସ୍ପତିଙ୍କ ନିର୍ଦ୍ଦେଶ

Published: Oct 11, 2021, 11:25 pm IST

ଭୁବନେଶ୍ୱର: ବିଧାୟକମାନଙ୍କ ପାଇଁ ଆବାସିକ ଗୃହ ନିର୍ମାଣ କରି ସେମାନଙ୍କୁ ଆବଣ୍ଟନ କରିବାକୁ ସରକାରୀ ସ୍ତରରେ ନିଷ୍ପତ୍ତି ନିଆଯାଇଛି । ଭୁବନେଶ୍ୱରରେ ପର୍ଯ୍ୟାପ୍ତ ଗୃହ ନଥିବାରୁ ବିଧାୟକମାନେ ଅସୁବିଧାର ସମ୍ମୁଖୀନ ହେଉଥିବା ଦୃଷ୍ଟିରୁ ଏହାର ସ୍ଥାୟୀ ସମାଧାନ ପାଇଁ ବାଚସ୍ପତି ଡ. ସୂର୍ଯ୍ୟନାରାୟଣ ପାତ୍ର ନିର୍ଦ୍ଦେଶ ଦେଇଛନ୍ତି ।

ଆଜି ଏ ସଂକ୍ରାନ୍ତୀୟ କାର୍ଯ୍ୟକୁ ତ୍ୱରାନ୍ୱିତ କରିବା ପାଇଁ ବାଚସ୍ପତି ଡ. ପାତ୍ରଙ୍କ ଅଧ୍ୟକ୍ଷତାରେ ଏକ ବୈଠକ ବାଚସ୍ପତିଙ୍କ ପ୍ରକୋଷ୍ଠରେ ଅନୁଷ୍ଠିତ ହୋଇଥିଲା । ସମସ୍ତ ପ୍ରକାର ସୁବିଧା ଉପଲବ୍ଧ ଥାଇ ଭୁବନେଶ୍ୱର କେନ୍ଦ୍ର ସ୍ଥଳରେ ଏକ ବହୁତଳବିଶିଷ୍ଟ ଆବାସିକ ଗୃହ ନିର୍ମାଣ ପାଇଁ ନିଷ୍ପତ୍ତି ନିଆଯାଇଛି । ପ୍ରାରମ୍ଭିକ ପର୍ଯ୍ୟାୟରେ ସରକାରଙ୍କ ତରଫରୁ ଏଥି ପାଇଁ ୭୦ କୋଟି ଟଙ୍କା ଆବଣ୍ଟିତ ହୋଇଥିବା ସ୍ଥଳେ ପ୍ରକଳ୍ପର ମୋଟ ବ୍ୟୟ ଅଟକଳ ୪୦୦ କୋଟି ଟଙ୍କା ରହିଛି ।

ଅତିରିକ୍ତ ବଜେଟ୍‌ରେ ସରକାରଙ୍କ ତରଫରୁ ୫୦ କୋଟି ଟଙ୍କା ଅଲଗା ଏକ ହେଡ୍‌ ଅଫ୍‌ ଆକାଉଣ୍ଟରେ ପ୍ରଦାନ ପାଇଁ ବ୍ୟବସ୍ଥା ଗ୍ରହଣ କରାଯାଉଛି । କାର୍ଯ୍ୟକୁ ତ୍ୱରାନ୍ୱିତ କରିବା ପାଇଁ ବାଚସ୍ପତି ଡ. ପାତ୍ର ନିର୍ଦ୍ଦେଶ ଦେଇଛନ୍ତି । ଏହି ବୈଠକରେ ପୂର୍ତ୍ତ ବିଭାଗ ନିର୍ଦ୍ଦେଶକ, ଇଷ୍ଟେଟ୍‌ ବିଭାଗ ନିର୍ଦ୍ଦେଶକ, ଓଡ଼ିଶା ହାଉସିଂ ବୋର୍ଡର ପରିଚାଳନା ନିର୍ଦ୍ଦେଶକ ପ୍ରମୁଖଙ୍କ ସମେତ ବିଧାନସଭା ସଚିବ ଦାଶରଥୀ ଶତପଥୀ ଯୋଗଦେଇଥିଲେ ।

Related posts