Categories
ବିଶେଷ ଖବର ରାଜ୍ୟ ଖବର

ଚିଲିକା ବିଧାୟକଙ୍କୁ ଟାର୍ଗେଟ କରିବାରେ ବିଜେପି ନେତାଙ୍କ ପାଟି ଚୁପ ହେଲା କାହିଁକି ?

ଭୁବନେଶ୍ବର: ଚିଲିକା ନିର୍ବାଚନ ମଣ୍ଡଳୀର ବାଣପୁର ପଲଟନ ପଡିଆରେ ବିଜେପି ରାଷ୍ଟ୍ରୀୟ ଅଧ୍ୟକ୍ଷ ଏକ ସମାବେଶ କରି ଫେରିଯାଇଛନ୍ତି। ଏହି ସମାବେଶରେ ନଡ୍ଡାଙ୍କ ସହିତ ମନ୍ତ୍ରୀ ଧର୍ମେନ୍ଦ୍ର ପ୍ରଧାନ, ରାଷ୍ଟ୍ରୀୟ ଉପାଧ୍ୟକ୍ଷ ବୈଜୟନ୍ତ ପଣ୍ଡା, ସମ୍ବିତ ପାତ୍ର ଏବଂ ପୃଥୀରାଜ ହରିଚନ୍ଦନ ପ୍ରମୁଖ ଭାଷଣ ଦେଇଥିଲେ। ସମସ୍ତେ ସେମାନଙ୍କର ଭାଷଣରେ କେବଳ ରାଜ୍ୟ ସରକାରଙ୍କୁ ଟାର୍ଗେଟ କରିଥିଲେ।

ହେଲେ ଆଶ୍ଚର୍ଯ୍ୟର କଥା ଏହି ସଭା ଯେଉଁ ନିର୍ବାଚନ ମଣ୍ଡଳୀରେ ହୋଇଥିଲା ତାହାର ବିଧାୟକ ବାହୁବଳି ପ୍ରଶାନ୍ତ ଜଗଦ୍ଦେବଙ୍କ ବିରୋଧରେ କେହି ପାଟି ଖୋଲିଲେ ନାହିଁ। ଗତ ପଞ୍ଚାୟତ ନିର୍ବାଚନରେ ପ୍ରଶାନ୍ତଙ୍କୁ ବିଜେପି କର୍ମିମାନେ ପିଟିପିଟି ଲହୁଲୁହାଣ କଲେ। ଗାଡି ମଡାଇବା ଅଭିଯୋଗରେ ସେ ଜେଲ ଗଲେ। ବିଜେଡିରୁ ବହିସ୍କୃତ ହେଲେ। ବିଧାୟକଙ୍କ ଏପରି ଆଚରଣକୁ ନେଇ ବିଜେପି ରାଜ୍ୟ ସ୍ତରରେ ତୁମ୍ବିତୋଫାନ ମଧ୍ୟ କରିଥିଲା।

ସେହି ବିଧାୟକଙ୍କ ନିର୍ବାଚନ ମଣ୍ଡଳୀ ସଭାରେ କୌଣସି ବିଜେପି ନେତା ତାଙ୍କର ଏପରି ଆଚରଣକୁ ଟାର୍ଗେଟ କଲେ ନାହିଁ। ସେହି ମଞ୍ଚରେ ମମିତା ମେହେର, ଦୁର୍ନିତି ଗସ୍ତ ବିଧାୟକ, ମନ୍ତ୍ରୀ, ଅଫିସରଙ୍କ ବିରୋଧରେ ସମସ୍ତେ କହିଲେ। ହେଲେ କେହି ପ୍ରଶାନ୍ତଙ୍କ ଆଚରଣକୁ ନେଇ ପ୍ରଶ୍ନଟିଏ ମଧ୍ୟ କଲେ ନାହିଁ। ଏପରିକି ଖୋଦ ସେହି ନିର୍ବାଚନ ମଣ୍ଡଳୀର ବିଜେପି ବିଧାୟକ ପ୍ରାର୍ଥୀ ପୃଥୀରାଜ ହରିଚନ୍ଦନ ମଧ୍ୟ ଚୁପ ହୋଇଗଲେ।

ହଠାତ ବିଜେପି କାହିକି ଏପରି ଚୁପ ରହିଲା ତାହାକୁ ନେଇ ସାଧାରଣରେ ପ୍ରଶ୍ନ ସୃଷ୍ଟି ହୋଇଛି। ସନ୍ଦେହ ପ୍ରକାଶ ପାଇଛି ଯେ, ବିଧାୟକ ପ୍ରଶାନ୍ତ ଜଗଦ୍ଦେବଙ୍କୁ କୁଆଡେ ବିଜେପି ୨୦୨୪ ନିର୍ବାଚନ ପାଇଁ ଟାର୍ଗେଟରେ ରଖିଛି। ସେଥିପାଇଁ ବାଣପୁର ସଭାରେ କେହି ପ୍ରଶାନ୍ତ ଜଗଦ୍ଦେବ ବିରୋଧରେ ନ କହିବା ପାଇଁ ତାଗିଦ କରାଯାଇଥିଲା। ତାଙ୍କୁ ଆଉ ଅସନ୍ତୁଷ୍ଠ ନ କରିବା ପାଇଁ ବିଜେପି ଉଚ୍ଚ ନେତୃମଣ୍ଡଳୀ ଇଚ୍ଛା ପ୍ରକାଶ କରିଛନ୍ତି।

ଏ କଥା କେତେ ଦୂର ସତ ବା ମିଛ ତାହା ଭିନ୍ନ କଥା ହେଲେ ପ୍ରଶାନ୍ତ ଜଗଦ୍ଦେବଙ୍କ ପରି ଜଣେ ନେତାଙ୍କର ସଂଗଠନ ଗଢିବାରେ ବେଶ ଭଲ ଦକ୍ଷତା ରହିଛି। ଏହିପରି ଜଣେ ନେତାଙ୍କୁ ନିଜ ଦଳକୁ ଆଣି ବିଜେପି ଏକ ଭିନ୍ନ ସମୀକରଣ ସୃଷ୍ଟି କରିବା ଲକ୍ଷ୍ୟରେ ରହିଛି। ସେଥିପାଇଁ କେବଳ ଏହି ସଭାରେ ନୁହେଁ ଭବିଷ୍ୟତରେ ମଧ୍ୟ ପ୍ରଶାନ୍ତ ଜଗଦ୍ଦେବଙ୍କ ବିରୋଧରେ ବିଜେପି ଆଉ ମୁହଁ ଖୋଲିବ ନାହିଁ ବୋଲି ମଧ୍ୟ ଜଣାପଡିଛି।

Categories
ଆଜିର ଖବର ଜାତୀୟ ଖବର ରାଜ୍ୟ ଖବର

ଚିଲିକା ଆସୁଛନ୍ତି ଜେ ପି ନଡ୍ଡା, ସୁରକ୍ଷା ପାଇଁ ୭ ପ୍ଲାଟୁନ ପୋଲିସ, ବାଣପୁର ବଜାର ବନ୍ଦ

ସୀତାରାମ ଅଗ୍ରୱାଲ

ବାଣପୁର: ଆସନ୍ତାକାଲି ପୁରୀ ଲୋକସଭା ଅନ୍ତର୍ଗତ ଚିଲିକା ବିଧାନସଭାର ବାଣପୁର ପଲଟନ ପଡିଆରେ ଏକ ବିଶାଳ ଜନସଭାକୁ ସମ୍ବୋଧିତ କରିବେ ବିଜେପି ରାଷ୍ଟ୍ରୀୟ ଅଧ୍ୟକ୍ଷ ଜେପି ନଡ୍ଡା। ଏଥିଲାଗି ସାରା ଚିଲିକା ନିର୍ବାଚନମଣ୍ଡଳି ଚଳଚଞ୍ଚଳ। ବିଶେଷ କରି ବାଣପୁର ସାରା ବିଜେପି ପତାକାରେ ଛାଇ ଯାଇଥିବା ବେଳେ ସମସ୍ତ ଖୁଣ୍ଟରେ ଜେପି ନଡ୍ଡା ଏବଂ ଧର୍ମେନ୍ଦ୍ର ପ୍ରାଧନଙ୍କ କଟଆଉଟ ବୋର୍ଡ ଦେଖିବାକୁ ମିଳିଛି।

ଆଜି ଅପରାହ୍ନରେ ରାଷ୍ଟ୍ରୀୟ ମୁଖପାତ୍ର ଡ଼ା ସମ୍ବିତ ପାତ୍ର,ରାଜ୍ୟ ବିଜେପି ପ୍ରଭାରୀ ଡ଼ି ପୁରୁନ୍ଦେଶ୍ୱରୀ ଏବଂ ରାଜ୍ୟ ବିଜେପି ସାଧାରଣ ସମ୍ପାଦକ ପୃଥ୍ଵୀରାଜ ହରିଚନ୍ଦନ ସଭାସ୍ଥଳ, ହେଲିପ୍ୟାଡ଼ ଏବଂ ନାଚୁଣୀ ବୈଠକ ସ୍ଥଳ ଆଦି ପରିଦର୍ଶନ କରିବା ସହ ଭିତ୍ତିଭୂମି ପରଖିଥିଲେ। ଶ୍ରୀ ନଡ୍ଡା ଆସନ୍ତାକାଲି ହେଲିକପ୍ଟର ଯୋଗେ ଆସି ଅପରାହ୍ନ ୩.୩୦ ମିନିଟରେ ପଲଟନ ପଡିଆରେ ପହଞ୍ଚିବେ। ସେହିପରି ବିଜେପି ରାଷ୍ଟ୍ରୀୟ ଉପାଧ୍ୟକ୍ଷ ବୈଜୟନ୍ତ ପଣ୍ଡା ମଧ୍ୟ ଅନ୍ୟ ଏକ ହେଲିକାପ୍ଟରରେ ଆସି ଏହି ସଭାରେ ଯୋଗଦେବେ।

ନଡ୍ଡା ବାଣପୁର ପଲଟନ ପଡିଆରେ ଏକ ବିଶାଳ ସାଧରଣ ସଭାକୁ ସମ୍ବୋଧିତ କରିବା ପରେ ଅପରାହ୍ନ ୫ ଘଟିକାରେ ମା’ ଭଗବତୀ ମନ୍ଦିର ଦର୍ଶନ କରିବେ। ଏହାପରେ ସଡ଼କପଥ ଯୋଗେ ନାଚୁଣୀ ଯାଇ ଅରବିନ୍ଦ ସ୍କୁଲ ପଡିଆ ମଧ୍ୟରେ ପୁରି ଲୋକସଭା ଅନ୍ତର୍ଗତ ୭ ଗୋଟି ନିର୍ବାଚନ ମଣ୍ଡଳିର ସମସ୍ତ ମଣ୍ଡଳ ସଭାପତି, ନିର୍ବାଚିତ ସଦସ୍ୟ ଏବଂ ପ୍ରମୁଖ କାର୍ଯ୍ୟକର୍ତ୍ତାଙ୍କ ସହ ବାର୍ତାଳାପ କରିବେ। ଏହାପରେ ସଡ଼କ ପଥ ଯୋଗେ ଭୁବନେଶ୍ୱର ବିଜେପି କାର୍ଯ୍ୟାଳୟ ଯାଇ ସେଠାରୁ ଦିଲ୍ଲୀ ଫେରିଯିବେ ବୋଲି ଜଣାପଡିଛି।

ତେବେ ନଡ୍ଡାଙ୍କ ଗସ୍ତ ଦୃଷ୍ଟିରେ ରଖି ଜିଲ୍ଲା ପୋଲିସ ପକ୍ଷରୁ ବ୍ୟାପକ ସୁରକ୍ଷା ବ୍ୟବସ୍ଥା ଗ୍ରହଣ କରାଯାଇଛି। ନଡ୍ଡାଙ୍କ ଗସ୍ତ ପାଇଁ ୭ ପ୍ଲାଟୁନ ପୋଲିସ ଫୋର୍ସ, ୫ ଡ଼ିଏସପି, ୯ ଇନ୍ସପେକ୍ଟର, ୧୭ ସବ ଇନ୍ସପେକ୍ଟର ଆଦି ନିୟୋଜିତ ହୋଇଥିବା ଡ଼ିଏସପି ଡ଼ିଆଇବି ଅତନୁ ରାଉତ କହିଛନ୍ତି।

ସେହିପରି ନଡ୍ଡା ଙ୍କ ସଭାପାଇଁ ୭ ଗୋଟି ସ୍ଥାନ ଯଥା ଟିକିରାଇ ପଡିଆ, ମାଟିଆପୋଖରୀ ପଡିଆ, ନନ୍ଦ କିଶୋର ମିଶ୍ର ଙ୍କ ଗୃହ ସମ୍ମୁଖ ପଡିଆ, ଗୁପ୍ତେଶ୍ୱର ମନ୍ଦିର ପଡିଆ, ସାନ ହନ୍ତୁଆଡ଼ ପଡିଆ, ପେଟ୍ରୋଲ ପମ୍ପ ପାର୍ଶ୍ଵବତୀ ପଡିଆ ଏବଂ ବାଲି ଡିପୋ ରେ ପାର୍କିଙ୍ଗ ବ୍ୟବସ୍ଥା ହୋଇଥିବା ବାଣପୁର ଆଇଆଇସି ଜୟପ୍ରକାଶ ପରିଡ଼ା କହିଛନ୍ତି। ଅନୁରୂପ ଭାବେ ନଡ୍ଡାଙ୍କ ଜେଡ ପ୍ଲସ ସିକ୍ୟୁରିଟି ଥିବାରୁ ତାଙ୍କ ମନ୍ଦିର ଗସ୍ତ ସମୟରେ ସୁରକ୍ଷା ଦୃଷ୍ଟିରୁ ବାଣପୁର ବଜାର ବନ୍ଦ ରହିବ ବୋଲି ଆଇଆଇସି ଶ୍ରୀ ପରିଡ଼ା କହିଛନ୍ତି।