Categories
ଆଞ୍ଚଳିକ

ବାଣପୁର ଏନଏସିକୁ ହେଲାଣି ୫୦ ବର୍ଷ, ଡ୍ରେନେଜ ବ୍ୟବସ୍ଥା ପାଇଁ ଲାଗିବ ଆଉ କେତେ ବର୍ଷ ?

ସୀତାରାମ ଅଗ୍ରୱାଲ

ବାଣପୁର: ଖୋର୍ଦ୍ଧା ଜିଲ୍ଲା ବାଣପୁର ଏନଏସି ୫୦ ବର୍ଷରେ ପାଦ ଥାପିଥିବା ବେଳେ ଅଦ୍ୟାବଧି ଏଠାରେ ଡ୍ରେନେଜ ବ୍ୟବସ୍ଥା ହୋଇପାରୁନାହିଁ। ଯାହାକି ଅତ୍ୟନ୍ତ ଲଜ୍ଜାଜନକ ବିଷୟ। ଏନଏସି ବାସିନ୍ଦା ସରକାରଙ୍କୁ ଟିକସ ଦେଉଥିବା ବେଳେ ମୌଳିକ ସୁବିଧାରୁ ବଞ୍ଚିତ ହେଉଛନ୍ତି। ଡ୍ରେନେଜ ନିର୍ମାଣ ବ୍ୟବସ୍ଥା ଏନଏସି ଦାୟିତ୍ୱ ଥିବା ବେଳେ ମୁଖ୍ୟ ରାସ୍ତାଟି ପୂର୍ତ୍ତବିଭାଗ ଅଧୀନରେ ଯାଉଛି।

ଫଳରେ ଉଭୟ ବିଭାଗ ପରସ୍ପରକୁ କାଦୁଅ ଫିଙ୍ଗିବାରେ ବ୍ୟସ୍ତ କିନ୍ତୁ ସମସ୍ୟାର ସମାଧାନ ହେଇପାରୁନାହିଁ। ଅଦିନିଆ କାଳବୈଶାଖୀ ବର୍ଷାରେ ସହରର ମୁଖ୍ୟ ରାସ୍ତାରେ ଆଣ୍ଠୁଏ ପାଣି ଜମୁଛି। ଦୁଇ ଦିନ ତଳେ ହୋଇଥିବା ସାମାନ୍ୟ କାଳବୈଶାଖୀ ବର୍ଷାରେ ବିଧାରପୁର ଛକରେ ଅଦ୍ୟାବଧି ପାଣି ଜମି ରହିଥିବାର ଦେଖିବାକୁ ମିଳିଛି। ତେବେ ଏଥିପାଇଁ ପୂର୍ତ୍ତବିଭାଗ ସମ୍ପୂର୍ଣ୍ଣ ଦାୟୀ ବୋଲି ଆଲୋଚନା ହେଉଛି।

ଆଗକୁ ମୌସୁମୀ ଆସିବାକୁ ଥିବାବେଳେ ଅଦ୍ୟାବଧି ଏନଏସି ରେ ଡ୍ରେନେଜ ବ୍ୟବସ୍ଥା ହୋଇପାରିନାହିଁ। ଫଳରେ ଆଗକୁ ପୁନଶ୍ଚ ବାଣପୁର ସହର ଜଳବନ୍ଦୀ ହେବ ଏଥିରେ କୌଣସି ସନ୍ଦେହ ନାହିଁ। ଅନୁରୂପ ଭାବେ ଏନଏସି ର ଏକାଧିକ ତଳିଆ ୱାର୍ଡରେ ମଧ୍ୟ ଡ୍ରେନେଜ ବ୍ୟବସ୍ଥା ନାହିଁ। ଫଳରେ ବର୍ଷା ଜଳ ତଥା ନିତ୍ୟବ୍ୟବହାର୍ଯ୍ୟ ଜଳ ନିଷ୍କାସନ ପାଇଁ ବାଟ ନାହିଁ। ଯଦି ପୂର୍ତ୍ତବିଭାଗ ପକ୍ଷରୁ ମୁଖ୍ୟ ରାସ୍ତାରେ ଡ୍ରେନେଜ ନିର୍ମାଣ କରାଯାଏ ତେବେ ଅନ୍ୟ ୱାର୍ଡ ଗୁଡିକରେ ଡ୍ରେନେଜ ସଂଯୋଗୀକରଣ ରେ କୌଣସି ଅସୁବିଧା ହେବ ନାହିଁ।

ଏନଏସି କର୍ତ୍ତୃପକ୍ଷଙ୍କ କହିବା କଥା ପୂର୍ତ୍ତବିଭାଗ ଯେତେଶୀଘ୍ର ମୁଖ୍ୟ ରାସ୍ତାରେ ଡ୍ରେନ ନିର୍ମାଣ କରିବ ସେତେଶୀଘ୍ର ଏନଏସି ରେ ୱାର୍ଡ ୱାରୀ ଡ୍ରେଜେନ ନିର୍ମାଣ କରାଯିବ। ତେବେ ବିଡମ୍ବନାର ବିଷୟ ଏ ନେଇ ଦୀର୍ଘ ଦୁଇ ବର୍ଷ ହେବ ବିଭିନ୍ନ ଗଣମାଧ୍ୟମରେ ବାରମ୍ବାର ଖବର ପ୍ରକାଶ ପାଇବା ସହ ଜିଲ୍ଲାପାଳ ଏବଂ ବିଭାଗୀୟ ଅଧିକାରୀଙ୍କୁ ବାରମ୍ବାର ଅଭିଯୋଗ କରାଯାଇଥିଲେ ସୁଦ୍ଧା କିଛି ସୁଫଳ ମିଳିନାହିଁ।

ଖୋର୍ଦ୍ଧା ଜିଲ୍ଲାରେ ସ୍ଥାୟୀ ପୂର୍ତ୍ତବିଭାଗ ନିର୍ବାହୀ ଅଧିକାରୀଙ୍କୁ ନିଯୁକ୍ତି ମିଳୁନଥିବା ବେଳେ ସଦାବେଳେ ପଡୋଶୀ ଜିଲ୍ଲାର ଅଧିକାରୀଙ୍କୁ ଅତିରିକ୍ତ ଦାଇତ୍ୱ ଦିଆଯାଉଛି। ଫଳରେ ଉନ୍ନୟନ କାର୍ଯ୍ୟ କ୍ଷିପ୍ର ହୋଇପାରୁନାହିଁ। ଅନୁରୂପ ଭାବେ ସ୍ଥାନୀୟ ଜନପ୍ରତିନିଧିମାନଙ୍କ ମଧ୍ୟ ଉକ୍ତ ସମସ୍ୟାକୁ ନେଇ ପାଟି ସମ୍ପୂର୍ଣ୍ଣ ଚୁପ।

କେବଳ ନିର୍ବାଚନ ବେଳେ ଭୋଟ ପାଇଁ ମୁହଁ ଦେଖାଉଥିବା ନେତାମାନଙ୍କୁ ଆଗାମୀ ଦିନରେ ବାଣପୁର ଜନସାଧାରଣ ଉଚିତ ଜବାବ ଦେବେ ବୋଲି ଚର୍ଚ୍ଚା ହେଉଛି। ଯଦି ମୌସୁମୀ ପୁର୍ବରୁ ବାଣପୁର ଏନଏସି ରେ ଡ୍ରେନେଜ ନିର୍ମାଣ ନହୁଏ ତେବେ ବହୁ ସାମାଜିକ ସଂଗଠନ ବାଧ୍ୟ ହୋଇ ଆନ୍ଦୋଳନକୁ ଓହ୍ଲାଇବେ ବୋଲି ଚେତାବନୀ ଦେଇଛନ୍ତି।

Categories
ଆଜିର ଖବର ରାଜ୍ୟ ଖବର

ବାଣପୁର ଏନଏସି ଅଧ୍ୟକ୍ଷଙ୍କ ଠିକାଦାରଙ୍କୁ ଗାଳିଗୁଲଜ ଅଭିଯୋଗ: ଉଭୟ ପକ୍ଷରୁ ମାମଲା ରୁଜୁ

ସୀତାରାମ ଅଗ୍ରୱାଲ

ବାଣପୁର: ଜନୈକ ଠିକାଦାରଙ୍କୁ ଗାଳିଗୁଲଜ କରିଥିବା ଅଭିଯୋଗରେ ବାଣପୁର ଏନଏସି ଅଧ୍ୟକ୍ଷ ମିଟୁ ନାୟକଙ୍କ ବିରୋଧରେ ଥାନାରେ ଏତଲା ହୋଇଛି। ଠିକାଦାର ଲକ୍ଷ୍ମୀଧର ସେଠିଙ୍କୁ ଏନଏସି ଅଧ୍ୟକ୍ଷ ଗାଳିଗୁଲଜ କରିଥିବା ନେଇ ଥାନାରେ ଅଭିଯୋଗ ହୋଇଛି।

ଅଭିଯୋଗ ମୁତାବକ ଠିକାଦାର ଶ୍ରୀ ସେଠି ବାଣପୁର ଏନଏସିରେ ଏକ ପେଭର ବ୍ଲକ ରୋଡ ନିର୍ମାଣ ପାଇଁ କାର୍ଯ୍ୟାଦେଶ ପାଇଥିଲେ। ତେବେ କାର୍ଯ୍ୟ ସରିବା ପରେ ବିଲ କରାଇଦେବା ପାଇଁ କୁଆଡ଼େ ଅଧ୍ୟକ୍ଷ ତାଙ୍କୁ ପିସି ମାଗୁଛନ୍ତି ଏବଂ ଫୋନରେ ଗାଳି ଗୁଲଜ କରିବା ସହ ଧମକ ଦେଇଛନ୍ତି ବୋଲି ଅଭିଯୋଗ କରିଛନ୍ତି ଲକ୍ଷ୍ମୀଧର।

ସେହିପରି ଭାବେ ଏନଏସି ଅଧ୍ୟକ୍ଷ ମିଟୁ ନାୟକ ମଧ୍ୟ ଠିକାଦାର ଲକ୍ଷ୍ମୀଧରଙ୍କ ବିରୁଦ୍ଧରେ ଏକ ପାଲଟା ଅଭିଯୋଗ ଥାନାରେ କରିଛନ୍ତି। ଅଧ୍ୟକ୍ଷଙ୍କ ଅଭିଯୋଗ ମୁତାବକ ଚିଲିକା ବିଧାୟକଙ୍କ ନିର୍ଦ୍ଦେଶକ୍ରମେ ଲକ୍ଷ୍ମୀଧର ମିଟୁଙ୍କୁ କୁଆଡ଼େ ଗାଳିଗୁଲଜ କରିବା ସହ ଧମକ ଦେଇଛନ୍ତି।

ତେବେ ଉଭୟଙ୍କ ଭିତରେ ବୁଝାମଣା କରିବାପାଇଁ ଚେଷ୍ଟା ଜାରି ରହିଥିବା ବେଳେ ଏନଏସି ଅଧ୍ୟକ୍ଷ ଶ୍ରୀ ନାୟକ କୁଆଡ଼େ ଚିଲିକା ବିଧାୟକଙ୍କ ନାମ ନେଇ ମଧ୍ୟ ଫୋନରେ ଲକ୍ଷ୍ମୀଧରଙ୍କୁ ଗାଳିଗୁଲଜ କରିଥିବାରୁ ଆଜି ଅପରାହ୍ନରେ ଚିଲିକା ନିର୍ବାଚନମଣ୍ଡଳୀ ବିଜେଡିର ବହୁ ଆଗଧାଡ଼ିର ନେତୃତ୍ୱ ବାଣପୁର ଥାନାରେ ପହଞ୍ଚି ଏନଏସି ଅଧ୍ୟକ୍ଷ ମିଟୁ ନାୟକଙ୍କ ବିରୁଦ୍ଧରେ ଠିକାଦାର ଲକ୍ଷ୍ମୀଧର ଦେଇଥିବା ମାମଲାକୁ ତୁରନ୍ତ ରୁଜୁ କରିବା ସହ ତାଙ୍କର ଗିରଫ ଦାବି କରିଥିଲେ।

ଅନୁରୂପ ଭାବେ ସମାନ ଦାବି ମିଟୁ ନାୟକଙ୍କ ପକ୍ଷରୁ ଲକ୍ଷ୍ମୀଧରଙ୍କ ବିରୁଦ୍ଧରେ ମଧ୍ୟ ଥାନାରେ କରାଯାଇଥିଲା। ଫଳରେ ଉଭୟ ଅଭିଯୋଗକୁ ଆଧାର କରି ବାଣପୁର ଆଇଆଇସି ଜୟପ୍ରକାଶ ପରିଡା ଆଜି କେସ ନମ୍ବର ୧୮୩/୨୩ ଏବଂ ୧୮୪/୨୩ ରେ ଦୁଇ ଗୋଟି ପୃଥକ ମାମଲା ରୁଜୁ କରି ଘଟଣାର ତଦନ୍ତ ଜାରି ରଖିଛନ୍ତି।

ତେବେ ଏହି ବିବାଦକୁ ନେଇ ଦଳୀୟ କର୍ମୀଙ୍କ ମଧ୍ୟରେ ଅସନ୍ତୋଷ ଦେଖାଯାଇଛି। ସାଧାରଣ ନିର୍ବାଚନ ଆଉ ମାତ୍ର ଏକ ବର୍ଷରୁ କମ ସମୟ ଥିବା ବେଳେ ସମ୍ପ୍ରତି ଚିଲିକା ନିର୍ବାଚନ ମଣ୍ଡଳୀରେ ଜାରି ରହିଥିବା ବିଜେଡିର ଶିତଳ ଯୁଦ୍ଧ ବିଜେପି ପାଇଁ ଲାଭବାନ ହେବ ବୋଲି ଅନେକ ବରିଷ୍ଠ କର୍ମୀ କ୍ଷୋଭର ସହ କହିଛନ୍ତି। ତେଣୁ ଏହାକୁ ନେଇ ଅନେକ ଲୋକ ଚର୍ଚ୍ଚା ଆରମ୍ଭ କରିଦେଇଛନ୍ତି। ଏହି ଘଟଣା ପରେ ବିରୋଧୀ ବିଜେପି ପାଇଁ ପୁଷମାସ ହେବ ନା ବିଜେଡି ପାଇଁ ସର୍ବନାଶ ହେବ ତାହାକୁ ଅନେକ ଲୋକ ପ୍ରଶ୍ନ କରିଛନ୍ତି।