ବାଣପୁର ଏନଏସି ଅଧ୍ୟକ୍ଷଙ୍କ ଠିକାଦାରଙ୍କୁ ଗାଳିଗୁଲଜ ଅଭିଯୋଗ: ଉଭୟ ପକ୍ଷରୁ ମାମଲା ରୁଜୁ

Published: May 15, 2023, 8:23 pm IST

ସୀତାରାମ ଅଗ୍ରୱାଲ

ବାଣପୁର: ଜନୈକ ଠିକାଦାରଙ୍କୁ ଗାଳିଗୁଲଜ କରିଥିବା ଅଭିଯୋଗରେ ବାଣପୁର ଏନଏସି ଅଧ୍ୟକ୍ଷ ମିଟୁ ନାୟକଙ୍କ ବିରୋଧରେ ଥାନାରେ ଏତଲା ହୋଇଛି। ଠିକାଦାର ଲକ୍ଷ୍ମୀଧର ସେଠିଙ୍କୁ ଏନଏସି ଅଧ୍ୟକ୍ଷ ଗାଳିଗୁଲଜ କରିଥିବା ନେଇ ଥାନାରେ ଅଭିଯୋଗ ହୋଇଛି।

ଅଭିଯୋଗ ମୁତାବକ ଠିକାଦାର ଶ୍ରୀ ସେଠି ବାଣପୁର ଏନଏସିରେ ଏକ ପେଭର ବ୍ଲକ ରୋଡ ନିର୍ମାଣ ପାଇଁ କାର୍ଯ୍ୟାଦେଶ ପାଇଥିଲେ। ତେବେ କାର୍ଯ୍ୟ ସରିବା ପରେ ବିଲ କରାଇଦେବା ପାଇଁ କୁଆଡ଼େ ଅଧ୍ୟକ୍ଷ ତାଙ୍କୁ ପିସି ମାଗୁଛନ୍ତି ଏବଂ ଫୋନରେ ଗାଳି ଗୁଲଜ କରିବା ସହ ଧମକ ଦେଇଛନ୍ତି ବୋଲି ଅଭିଯୋଗ କରିଛନ୍ତି ଲକ୍ଷ୍ମୀଧର।

ସେହିପରି ଭାବେ ଏନଏସି ଅଧ୍ୟକ୍ଷ ମିଟୁ ନାୟକ ମଧ୍ୟ ଠିକାଦାର ଲକ୍ଷ୍ମୀଧରଙ୍କ ବିରୁଦ୍ଧରେ ଏକ ପାଲଟା ଅଭିଯୋଗ ଥାନାରେ କରିଛନ୍ତି। ଅଧ୍ୟକ୍ଷଙ୍କ ଅଭିଯୋଗ ମୁତାବକ ଚିଲିକା ବିଧାୟକଙ୍କ ନିର୍ଦ୍ଦେଶକ୍ରମେ ଲକ୍ଷ୍ମୀଧର ମିଟୁଙ୍କୁ କୁଆଡ଼େ ଗାଳିଗୁଲଜ କରିବା ସହ ଧମକ ଦେଇଛନ୍ତି।

ତେବେ ଉଭୟଙ୍କ ଭିତରେ ବୁଝାମଣା କରିବାପାଇଁ ଚେଷ୍ଟା ଜାରି ରହିଥିବା ବେଳେ ଏନଏସି ଅଧ୍ୟକ୍ଷ ଶ୍ରୀ ନାୟକ କୁଆଡ଼େ ଚିଲିକା ବିଧାୟକଙ୍କ ନାମ ନେଇ ମଧ୍ୟ ଫୋନରେ ଲକ୍ଷ୍ମୀଧରଙ୍କୁ ଗାଳିଗୁଲଜ କରିଥିବାରୁ ଆଜି ଅପରାହ୍ନରେ ଚିଲିକା ନିର୍ବାଚନମଣ୍ଡଳୀ ବିଜେଡିର ବହୁ ଆଗଧାଡ଼ିର ନେତୃତ୍ୱ ବାଣପୁର ଥାନାରେ ପହଞ୍ଚି ଏନଏସି ଅଧ୍ୟକ୍ଷ ମିଟୁ ନାୟକଙ୍କ ବିରୁଦ୍ଧରେ ଠିକାଦାର ଲକ୍ଷ୍ମୀଧର ଦେଇଥିବା ମାମଲାକୁ ତୁରନ୍ତ ରୁଜୁ କରିବା ସହ ତାଙ୍କର ଗିରଫ ଦାବି କରିଥିଲେ।

ଅନୁରୂପ ଭାବେ ସମାନ ଦାବି ମିଟୁ ନାୟକଙ୍କ ପକ୍ଷରୁ ଲକ୍ଷ୍ମୀଧରଙ୍କ ବିରୁଦ୍ଧରେ ମଧ୍ୟ ଥାନାରେ କରାଯାଇଥିଲା। ଫଳରେ ଉଭୟ ଅଭିଯୋଗକୁ ଆଧାର କରି ବାଣପୁର ଆଇଆଇସି ଜୟପ୍ରକାଶ ପରିଡା ଆଜି କେସ ନମ୍ବର ୧୮୩/୨୩ ଏବଂ ୧୮୪/୨୩ ରେ ଦୁଇ ଗୋଟି ପୃଥକ ମାମଲା ରୁଜୁ କରି ଘଟଣାର ତଦନ୍ତ ଜାରି ରଖିଛନ୍ତି।

ତେବେ ଏହି ବିବାଦକୁ ନେଇ ଦଳୀୟ କର୍ମୀଙ୍କ ମଧ୍ୟରେ ଅସନ୍ତୋଷ ଦେଖାଯାଇଛି। ସାଧାରଣ ନିର୍ବାଚନ ଆଉ ମାତ୍ର ଏକ ବର୍ଷରୁ କମ ସମୟ ଥିବା ବେଳେ ସମ୍ପ୍ରତି ଚିଲିକା ନିର୍ବାଚନ ମଣ୍ଡଳୀରେ ଜାରି ରହିଥିବା ବିଜେଡିର ଶିତଳ ଯୁଦ୍ଧ ବିଜେପି ପାଇଁ ଲାଭବାନ ହେବ ବୋଲି ଅନେକ ବରିଷ୍ଠ କର୍ମୀ କ୍ଷୋଭର ସହ କହିଛନ୍ତି। ତେଣୁ ଏହାକୁ ନେଇ ଅନେକ ଲୋକ ଚର୍ଚ୍ଚା ଆରମ୍ଭ କରିଦେଇଛନ୍ତି। ଏହି ଘଟଣା ପରେ ବିରୋଧୀ ବିଜେପି ପାଇଁ ପୁଷମାସ ହେବ ନା ବିଜେଡି ପାଇଁ ସର୍ବନାଶ ହେବ ତାହାକୁ ଅନେକ ଲୋକ ପ୍ରଶ୍ନ କରିଛନ୍ତି।

Related posts