Categories
ଆଜିର ଖବର ରାଜ୍ୟ ଖବର

ବାଣପୁରରେ ୧୪୪ ଧାରା ଜାରୀ ପରେ ବିଭିନ୍ନ ସ୍ଥାନରେ ପୋଲିସ ଛାଉଣୀ

ବାଣପୁର: ଚିଲିକା ବିଧାୟକ ପ୍ରଶାନ୍ତ ଜଗଦ୍ଦେବଙ୍କୁ ବିଜେପି କର୍ମିଙ୍କ ଆକ୍ରମଣ ପରେ ସେଠାରେ ୧୪୪ ଧାରା ଜାରୀ କରାଯାଇଛି। ଫଳରେ ବାଣପୁର ଅଞ୍ଚଳର ବିଭିନ୍ନ ସ୍ଥାନରେ ଶସସ୍ତ୍ର ପୋଲିସ ମୁତୟନ ହୋଇଛନ୍ତି। ପୋଲିସ ତରଫରୁ ମାଇକ ଦ୍ବାରା ଲୋକଙ୍କୁ ଏହି ଧାରା ସଂପର୍କରେ ସଚେତନ କରାଯାଇଛି।

ଘଟଣା ସ୍ଥଳରେ ଏସପି ନିଜେ ପରିସ୍ଥିତିକୁ ନିରୀକ୍ଷଣ କରୁଛନ୍ତି। ସେହିପରି କେନ୍ଦ୍ରାଞ୍ଚଳ ଆଇଜି ନରସିଂହ ଭୋଳ ମଧ୍ୟ ଘଟଣା ସ୍ଥଳରେ ରହି ପରିସ୍ଥିତିକୁ ତଦାରଖ କରୁଛନ୍ତି। କୌଣସି ସ୍ଥାନରେ ଯେପରି ଗଣ୍ଡଗୋଳ ନ ହୁଏ ସେଥିପାଇଁ ପୋଲିସ ବଳକୁ ସଜାଗ ରଖାଯାଇଛି।

Categories
ଆଞ୍ଚଳିକ

ବାଣପୁର ଏନ.ଏ.ସି ରେ ନୂତନ କାର୍ଯ୍ୟନିର୍ବାହୀ ଅଧିକାରୀ ଭାବେ ଯୋଗ ଦେଲେ ଯୁବ ଓମାସ୍ ଅଧିକାରୀ

ସୀତାରାମ ଅଗ୍ରୱାଲ

ବାଣପୁର: ଖୋର୍ଦ୍ଧା ଜିଲ୍ଲା ଅନ୍ତର୍ଗତ ବାଣପୁର ଏନ.ଏ.ସି ରେ ନୂତନ କାର୍ଯ୍ୟନିର୍ବାହୀ ଅଧିକାରୀ ଭାବେ ଯୋଗ ଦେଇଛନ୍ତି ଯୁବ ଓମାସ୍ ଅଧିକାରୀ ଅବିନାଶ ମହାନ୍ତି। ନିକଟରେ ବାଣପୁର ଏନ.ଏ.ସି ର କାର୍ଯ୍ୟନିର୍ବାହୀ ଅଧିକାରୀ ସନ୍ତୋଷ କୁମାର ନିଆଲଙ୍କ ନିଜ ମୂଳ ବିଭାଗକୁ ବଦଳି ହୋଇଯାଇଥିବା ସ୍ଥଳେ ଉକ୍ତ ପଦବୀଟି ଖାଲି ପଡିଥିଲା।

ଶ୍ରୀ ମହାନ୍ତି ଓଡିଶା ଲୋକସେବା ଆୟୋଗ ଦ୍ୱାରା ପରିଚାଳିତ ଓଡିଶା ମ୍ୟୁନିସିପାଲ ପ୍ରଶାସନିକ ସେବା ପରୀକ୍ଷାରେ କୃତକାର୍ଯ୍ୟ ହେବାପରେ ଗତ ବର୍ଷ ଜୁନ ମାସରେ କଳାହାଣ୍ଡି ଜିଲ୍ଲା ଜୁନାଗଡ଼ ଏନଏସିର କାର୍ଯ୍ୟନିର୍ବାହୀ ଅଧିକାରୀ ଭାବେ ପ୍ରଥମଥର ପାଇଁ ଅବସ୍ଥାପିତ ହୋଇଥିଲେ। ନୂଆକରି ଯୋଗଦାନ ଦେବାପରେ ଜୁନାଗଡ଼ ସହରରେ କୋଭିଡ ନିୟନ୍ତ୍ରଣକୁ ସଫଳ ଭାବେ ପରିଚାଳନା କରିପାରିଥିଲେ ଶ୍ରୀ ମହାନ୍ତି।

ତେବେ ଖୋର୍ଦ୍ଧା ଜିଲ୍ଲାରେ ବର୍ତ୍ତମାନ କରୋନାର ଦ୍ଵିତୀୟ ଲହର ଧୀରେ ଧୀରେ ବଢୁଥିବାବେଳେ ବାଣପୁର ଏନଏସି ଅଞ୍ଚଳରେ ଆସନ୍ତାକାଲିଠାରୁ କୋଭିଡ ନିୟମକୁ କଡ଼ାକଡ଼ି ଭାବେ ପାଳନ କରାଯିବ ବୋଲି ଶ୍ରୀ ମହାନ୍ତି କହିଛନ୍ତି। ଏଥିନିମନ୍ତେ ଆଜିଠାରୁ ସହରରେ ଡ଼ାକବାଜି ଯନ୍ତ୍ର ଦ୍ୱାରା ପ୍ରଚାର କାର୍ଯ୍ୟକ୍ରମ ଆରମ୍ଭ ହୋଇଯାଇଛି।

ତତସହିତ ବାଣପୁର ଏନଏସିରେ ସ୍ଥଗିତ ଥିବା ବହୁ ପୁରୁଣା ଉନ୍ନୟନ ପ୍ରକଳ୍ପକୁ ଯଥାଶୀଘ୍ର ସାରିବା ପାଇଁ ଚେଷ୍ଟାକରିବେ ବୋଲି ଶ୍ରୀ ମହାନ୍ତି ସୂଚନା ଦେଇଛନ୍ତି।

Categories
ଆଞ୍ଚଳିକ

ବାଣପୁର ଏନ.ଏ.ସି କରୋନା ସ୍ଥିତି ସମୀକ୍ଷା କଲେ ଉପଜିଲ୍ଲାପାଳ, ଭୋଜିଭାତ କଲେ ଜେଲ୍

ସୀତାରାମ ଅଗ୍ରୱାଲ

ବାଣପୁର: ବାଣପୁର ବିଜ୍ଞାପିତ ଅଞ୍ଚଳ ପରିଷଦରେ କରୋନା ସ୍ଥିତି ନେଇ ଆଜି ଖୋର୍ଦ୍ଧା ଉପ ଜିଲ୍ଲାପାଳ ଏକ ଉଚ୍ଚସ୍ତରୀୟ ବୈଠକରେ ସମୀକ୍ଷା କରିଛନ୍ତି। ଆଗକୁ କରୋନା ମହାମାରୀ ରୋକିବା ପାଇଁ କଣ ସବୁ ପଦକ୍ଷେପ ନିଆଯିବ ସେ ନେଇ ମଧ୍ୟ ବିସ୍ତୃତ ଆଲୋଚନା କରିଛନ୍ତି।

ଉପ ଜିଲ୍ଲାପାଳ ଅଶୋକ ବେଉରିଆ ବାଣପୁର ଏନ.ଏ.ସି ଗସ୍ତ କରି ବିଜ୍ଞାପିତ ଅଞ୍ଚଳ ପରିଷଦ କାର୍ଯ୍ୟାଳୟର ସଭାଗୃହରେ ସମୀକ୍ଷା ବୈଠକର ଅଧ୍ୟକ୍ଷତା କରିଥିଲେ। ଉକ୍ତ ବୈଠକରେ ଉପଜିଲ୍ଲାପାଳ ବାଣପୁର ସହରାଞ୍ଚଳରେ ବଢୁଥିବା କରୋନା ସଂକ୍ରମଣର ସ୍ଥିତି ଉପରେ ପୁଙ୍ଖାନୁପୁଙ୍ଖ ଆଲୋଚନା କରିଥିଲେ।

ବାଣପୁର ଏନ.ଏ.ସି ରେ କଣ୍ଟାକ୍ଟ ଟ୍ରେସିଙ୍ଗ ପ୍ରକ୍ରିୟା ତ୍ୱରାନ୍ୱିତ ହେବ, କଣ୍ଟେନମେଣ୍ଟ ଜୋନ ଗଠନ ଠିକ୍ ଭାବେ ହେବ, ପୋଲିସ ମୁତୟନ ଏବଂ ପାଟ୍ରୋଲିଂ କଡ଼ାକଡ଼ି ହେବ, ୱାର୍ଡ କମିଟି ମେମ୍ବର ମାନେ ପ୍ରତି ୱାର୍ଡର ଘରେ ଘରେ ବୁଲି କୋଭିଡ ଲକ୍ଷଣ ଥିବା ବ୍ୟକ୍ତିଙ୍କୁ ଚି଼ହ୍ନଟ କରି କୋଭିଡ କେୟାର ହୋମକୁ ସ୍ଥାନାନ୍ତର କରିବାକୁ ବୈଠକରେ ଆଲୋଚନା ହୋଇଛି।

ବାହାଘର ଏବଂ ବ୍ରତଘର ଭୋଜି ଉପରେ ସଂପୂର୍ଣ୍ଣ କଟକଣା ଲଗାଯାଇଛି। ଥାନା ଆଇଆଇସିଙ୍କ ଠାରୁ ଅନୁମତି ନେଇ ବାହାଘର କରିପାରିବେ, କିନ୍ତୁ ଭୋଜିଭାତ କେହି କରିପାରିବେ ନାହିଁ। ଯଦି ଭୋଜିଭାତ କେହି କରନ୍ତି ସେ ସମ୍ପର୍କରେ ତହସିଲଦାର କିମ୍ବା ପୋଲିସକୁ ସୂଚନା ଦେବାପାଇଁ ଉପଜିଲ୍ଲାପାଳ ଜନସାଧାରଣଙ୍କୁ ନିବେଦନ କରିଛନ୍ତି। ଆଇନ ଉଲ୍ଲଂଘନ କଲେ ଆୟୋଜକଙ୍କ ଉପରେ ଜରିମାନା ପଡିବ, ଏପରିକି ଜେଲ ବି ହୋଇପାରେ।

ଆଜି ବାଣପୁର ହସ୍ପିଟାଲରୁ ପୁଣି ଜଣେ କରୋନା ଯୋଦ୍ଧା ପଜିଟିଭ ଚି଼ହ୍ନଟ ହେବାପରେ ବାଣପୁର ଡାକ୍ତରଖାନାର ଓପିଡ଼ି ଆଗକୁ ବନ୍ଦ ରହିପାରେ ବୋଲି ଉପଜିଲ୍ଲାପାଳ ଆମ ପ୍ରତିନିଧିଙ୍କୁ ସୂଚନା ଦେଇଛନ୍ତି।

ଏହି ଅବସରରେ ବାଣପୁରର କିଛି ସଚେତନ ସାମାଜିକ କର୍ମୀ, ମହିଳା ସଂଘ ଏବଂ ସାମ୍ବାଦିକମାନେ ଅଞ୍ଚଳରେ କରୋନା ମହାମାରୀକୁ ପ୍ରତିହିତ କରିବା ପଥରେ ଉପୁଜିଥିବା ପାଖାପାଖି ୧୦ଟି ମୁଖ୍ୟ ସମସ୍ୟାର ସମାଧାନ ପାଇଁ ଉପଜିଲ୍ଲାପାଳଙ୍କ ଦୃଷ୍ଟି ଆକର୍ଷଣ କରିଥିଲେ। ସେ ଯଥାଶୀଘ୍ର ଏସବୁର ସମାଧାନ ପାଇଁ ପଦକ୍ଷେପ ନେବେ ବୋଲି ପ୍ରତିଶୃତି ଦେଇଥିଲେ।

ଉକ୍ତ ବୈଠକରେ ଉପ ଜିଲ୍ଲାପାଳଙ୍କ ସହ ବାଣପୁର ତହସିଲଦାର ମନ୍ମଥ କୁମାର ବେହେରା, ବିଜ୍ଞାପିତ ଅଞ୍ଚଳ ପରିଷଦ କାର୍ଯ୍ୟନିର୍ବାହୀ ଅଧିକାରୀ ସନ୍ତୋଷ ନିଆଲ, ବାଣପୁର ଗୋଷ୍ଠୀ ସ୍ୱାସ୍ଥ୍ୟ କେନ୍ଦ୍ର ଅଧିକାରୀ ଡ଼ାଃ ଧୂର୍ଜଟି ପ୍ରସାଦ ମହାପାତ୍ର, ସିଡ଼ିପିଓ ସୁପରଭାଇଜର, ସମସ୍ତ ସ୍ଵେଛାସାଥି, ସି.ଓ ଏବଂ ୱାର୍ଡ ଅଫିସର ମାନେ ଉପସ୍ଥିତ ଥିଲେ।