ବାଣପୁର ଏନ.ଏ.ସି କରୋନା ସ୍ଥିତି ସମୀକ୍ଷା କଲେ ଉପଜିଲ୍ଲାପାଳ, ଭୋଜିଭାତ କଲେ ଜେଲ୍

Published: Jul 23, 2020, 5:18 pm IST

ସୀତାରାମ ଅଗ୍ରୱାଲ

ବାଣପୁର: ବାଣପୁର ବିଜ୍ଞାପିତ ଅଞ୍ଚଳ ପରିଷଦରେ କରୋନା ସ୍ଥିତି ନେଇ ଆଜି ଖୋର୍ଦ୍ଧା ଉପ ଜିଲ୍ଲାପାଳ ଏକ ଉଚ୍ଚସ୍ତରୀୟ ବୈଠକରେ ସମୀକ୍ଷା କରିଛନ୍ତି। ଆଗକୁ କରୋନା ମହାମାରୀ ରୋକିବା ପାଇଁ କଣ ସବୁ ପଦକ୍ଷେପ ନିଆଯିବ ସେ ନେଇ ମଧ୍ୟ ବିସ୍ତୃତ ଆଲୋଚନା କରିଛନ୍ତି।

ଉପ ଜିଲ୍ଲାପାଳ ଅଶୋକ ବେଉରିଆ ବାଣପୁର ଏନ.ଏ.ସି ଗସ୍ତ କରି ବିଜ୍ଞାପିତ ଅଞ୍ଚଳ ପରିଷଦ କାର୍ଯ୍ୟାଳୟର ସଭାଗୃହରେ ସମୀକ୍ଷା ବୈଠକର ଅଧ୍ୟକ୍ଷତା କରିଥିଲେ। ଉକ୍ତ ବୈଠକରେ ଉପଜିଲ୍ଲାପାଳ ବାଣପୁର ସହରାଞ୍ଚଳରେ ବଢୁଥିବା କରୋନା ସଂକ୍ରମଣର ସ୍ଥିତି ଉପରେ ପୁଙ୍ଖାନୁପୁଙ୍ଖ ଆଲୋଚନା କରିଥିଲେ।

ବାଣପୁର ଏନ.ଏ.ସି ରେ କଣ୍ଟାକ୍ଟ ଟ୍ରେସିଙ୍ଗ ପ୍ରକ୍ରିୟା ତ୍ୱରାନ୍ୱିତ ହେବ, କଣ୍ଟେନମେଣ୍ଟ ଜୋନ ଗଠନ ଠିକ୍ ଭାବେ ହେବ, ପୋଲିସ ମୁତୟନ ଏବଂ ପାଟ୍ରୋଲିଂ କଡ଼ାକଡ଼ି ହେବ, ୱାର୍ଡ କମିଟି ମେମ୍ବର ମାନେ ପ୍ରତି ୱାର୍ଡର ଘରେ ଘରେ ବୁଲି କୋଭିଡ ଲକ୍ଷଣ ଥିବା ବ୍ୟକ୍ତିଙ୍କୁ ଚି଼ହ୍ନଟ କରି କୋଭିଡ କେୟାର ହୋମକୁ ସ୍ଥାନାନ୍ତର କରିବାକୁ ବୈଠକରେ ଆଲୋଚନା ହୋଇଛି।

ବାହାଘର ଏବଂ ବ୍ରତଘର ଭୋଜି ଉପରେ ସଂପୂର୍ଣ୍ଣ କଟକଣା ଲଗାଯାଇଛି। ଥାନା ଆଇଆଇସିଙ୍କ ଠାରୁ ଅନୁମତି ନେଇ ବାହାଘର କରିପାରିବେ, କିନ୍ତୁ ଭୋଜିଭାତ କେହି କରିପାରିବେ ନାହିଁ। ଯଦି ଭୋଜିଭାତ କେହି କରନ୍ତି ସେ ସମ୍ପର୍କରେ ତହସିଲଦାର କିମ୍ବା ପୋଲିସକୁ ସୂଚନା ଦେବାପାଇଁ ଉପଜିଲ୍ଲାପାଳ ଜନସାଧାରଣଙ୍କୁ ନିବେଦନ କରିଛନ୍ତି। ଆଇନ ଉଲ୍ଲଂଘନ କଲେ ଆୟୋଜକଙ୍କ ଉପରେ ଜରିମାନା ପଡିବ, ଏପରିକି ଜେଲ ବି ହୋଇପାରେ।

ଆଜି ବାଣପୁର ହସ୍ପିଟାଲରୁ ପୁଣି ଜଣେ କରୋନା ଯୋଦ୍ଧା ପଜିଟିଭ ଚି଼ହ୍ନଟ ହେବାପରେ ବାଣପୁର ଡାକ୍ତରଖାନାର ଓପିଡ଼ି ଆଗକୁ ବନ୍ଦ ରହିପାରେ ବୋଲି ଉପଜିଲ୍ଲାପାଳ ଆମ ପ୍ରତିନିଧିଙ୍କୁ ସୂଚନା ଦେଇଛନ୍ତି।

ଏହି ଅବସରରେ ବାଣପୁରର କିଛି ସଚେତନ ସାମାଜିକ କର୍ମୀ, ମହିଳା ସଂଘ ଏବଂ ସାମ୍ବାଦିକମାନେ ଅଞ୍ଚଳରେ କରୋନା ମହାମାରୀକୁ ପ୍ରତିହିତ କରିବା ପଥରେ ଉପୁଜିଥିବା ପାଖାପାଖି ୧୦ଟି ମୁଖ୍ୟ ସମସ୍ୟାର ସମାଧାନ ପାଇଁ ଉପଜିଲ୍ଲାପାଳଙ୍କ ଦୃଷ୍ଟି ଆକର୍ଷଣ କରିଥିଲେ। ସେ ଯଥାଶୀଘ୍ର ଏସବୁର ସମାଧାନ ପାଇଁ ପଦକ୍ଷେପ ନେବେ ବୋଲି ପ୍ରତିଶୃତି ଦେଇଥିଲେ।

ଉକ୍ତ ବୈଠକରେ ଉପ ଜିଲ୍ଲାପାଳଙ୍କ ସହ ବାଣପୁର ତହସିଲଦାର ମନ୍ମଥ କୁମାର ବେହେରା, ବିଜ୍ଞାପିତ ଅଞ୍ଚଳ ପରିଷଦ କାର୍ଯ୍ୟନିର୍ବାହୀ ଅଧିକାରୀ ସନ୍ତୋଷ ନିଆଲ, ବାଣପୁର ଗୋଷ୍ଠୀ ସ୍ୱାସ୍ଥ୍ୟ କେନ୍ଦ୍ର ଅଧିକାରୀ ଡ଼ାଃ ଧୂର୍ଜଟି ପ୍ରସାଦ ମହାପାତ୍ର, ସିଡ଼ିପିଓ ସୁପରଭାଇଜର, ସମସ୍ତ ସ୍ଵେଛାସାଥି, ସି.ଓ ଏବଂ ୱାର୍ଡ ଅଫିସର ମାନେ ଉପସ୍ଥିତ ଥିଲେ।

Related posts