Categories
ଆଞ୍ଚଳିକ

ବାଣପୁର ନୂଆ ଜେଏମଏଫସି ଇପ୍ସିତା ପ୍ରିୟାଏକ୍କାଙ୍କୁ ସ୍ୱାଗତ

ବାଣପୁର: ଆଜି ବାଣପୁର କୋର୍ଟର ନୂତନ ପ୍ରଥମ ଶ୍ରେଣୀ ବିଚାର ବିଭାଗୀୟ ବିଚାରପତି (ଜେଏମଏଫସି) ଭାବେ କାର୍ଯ୍ୟରେ ଯୋଗ ଦେଇଛନ୍ତି ଇପ୍ସିତା ପ୍ରିୟା ଏକ୍କା। ଏହି ଅବସରରେ ତାଙ୍କୁ ବାଣପୁର ଓକିଲ ସଂଘ ପକ୍ଷରୁ ସ୍ୱାଗତ କରାଯାଇଥିଲା। ସଂଘ ସଭାପତି ବୃନ୍ଦାବନ ପ୍ରଧାନ, ସମ୍ପାଦକ ରଞ୍ଜନ କୁମାର ବେଦମତ୍ତାଙ୍କ ସମେତ ଉପସଭାପତି ରାମଚନ୍ଦ୍ର ପଲେଇ, ସହ ସମ୍ପାଦକ ନରେନ୍ଦ୍ର ନାୟକ, କାର୍ଯ୍ୟକାରୀ ସଭ୍ୟ ସନ୍ତୋଷ ମହାପାତ୍ର, ଦେବବ୍ରତ ବଡ଼ଜେନା ଏବଂ ଆଇନଜୀବୀ ସୀତାରାମ ଅଗ୍ରୱାଲ ଆଦି ନୂତନ ବିଚାରପତିଙ୍କୁ ଭେଟି ପୁଷ୍ପଗୁଛ ଦେଇ ସ୍ୱାଗତ ଜଣାଇଥଲେ।

ନୂତନ ବିଚାରପତି ବାଣପୁର ଓକିଲ ସଂଘର ସମସ୍ତ ପ୍ରକାର ସହଯୋଗ ଲୋଡ଼ିବା ସହ ବାର ଓ ବେଞ୍ଚ ମଧ୍ୟରେ ଉତ୍ତମ ସମନ୍ୱୟ ରକ୍ଷା କରି କୋର୍ଟ କାର୍ଯ୍ୟ କିପରି ସୁରୁଖୁରୁରେ ଜାରି ରହିବ ତାହାଉପରେ ଗୁରୁତ୍ୱ ଦେବେ ବୋଲି କହିଥିଲେ। ସୂଚନା ଥାଉକି ପୂର୍ବତନ ବାଣପୁର ଜେଏମଏଫସି ସ୍ନାତକୀ ଦାସଙ୍କ ନୂଆପଡା ଏସଡିଜେଏମ ଭାବେ ବଦଳି ହେବାପରେ କେନ୍ଦ୍ରାପଡ଼ା ଜେଏମଏଫସି ଭାବେ କାର୍ଯ୍ୟରତ ଇପ୍ସିତା ପ୍ରିୟା ଏକ୍କା ନୂତନ ବାଣପୁର ଜେଏମଏଫସି ଭାବେ ଯୋଗ ଦେଇଛନ୍ତି।

Categories
ଆଜିର ଖବର ରାଜ୍ୟ ଖବର

ବୃଦ୍ଧି ହେଲା ରାଜ୍ୟ ଆଇନଜୀବୀ କଲ୍ୟାଣ ପାଣ୍ଠି, ଆଇନ ମନ୍ତ୍ରୀଙ୍କୁ ସମ୍ବର୍ଦ୍ଧିତ କଲା ବାଣପୁର ଓକିଲ ସଂଘ

ବାଣପୁର: ଓଡିଶା ଆଇନଜୀବୀ କଲ୍ୟାଣ ପାଣ୍ଠି ୧୦ କୋଟିକୁ ବଢିଛି। ପୂର୍ବରୁ ଆଇନଜୀବୀ କଲ୍ୟାଣ ପାଣ୍ଠି ୫ କୋଟି ଥିଲା। ଏନେଇ ରାଜ୍ୟ ସରକାରଙ୍କ ପକ୍ଷରୁ ନିକଟରେ ମଞ୍ଜୁରୀ ମିଳିଛି। ଆଇନଜୀବୀଙ୍କ ମୃତ୍ୟୁ ଓ ଅବସରକାଳୀନ ସହାୟତା ରାଶି ୨ ଗୁଣ ବଢିଛି। ପୁର୍ବରୁ ତାହା ସାଢେ ୪ ଲକ୍ଷ ଟଙ୍କା ଥିବାବେଳେ ଏବେ ତାହା ୯ ଲକ୍ଷ ହୋଇଛି। ଏଥି ନିମନ୍ତେ ଆଇନ ମନ୍ତ୍ରୀ ପୃଥ୍ୱୀରାଜ ହରିଚନ୍ଦନଙ୍କୁ ସମ୍ବର୍ଦ୍ଧିତ କରିଛି ବାଣପୁର ଓକିଲ ସଂଘ।

ଆଜି ଓକିଲ ସଂଘ ସମ୍ପାଦକ ରଞ୍ଜନ କୁମାର ବେଦମତ୍ତାଙ୍କ ନେତୃତ୍ୱରେ ଉପସଭାପତି ରାମଚନ୍ଦ୍ର ପଲାଇ, କାର୍ଯ୍ୟକାରୀ ସମିତି ସଭ୍ୟ ସନ୍ତୋଷ କୁମାର ମହାପାତ୍ର, ବରିଷ୍ଠ ଆଇନଜୀବୀ ବିନୋଦ ବିହାରୀ ସ୍ୱାଇଁ, ସୀତାରାମ ଅଗ୍ରୱାଲ, ପଦ୍ମଜା ପଟ୍ଟନାୟକ, ପ୍ରଦୋଷ ପ୍ରଧାନ, କାମେଶ୍ୱର ଆଚାରୀ ଆଦି ମନ୍ତ୍ରୀ ଶ୍ରୀ ହରିଚନ୍ଦନଙ୍କୁ ଭେଟି ସମ୍ବର୍ଦ୍ଧିତ କରିବା ସହ ଧନ୍ୟବାଦ ଜ୍ଞାପନ କରିଥିଲେ।

ଆଇନଜୀବୀ କଲ୍ୟାଣ ପାଣ୍ଠି ୧୦ କୋଟିକୁ ବଢିଥିବାରୁ ଏହା ନିଶ୍ଚିତ ଏକ ବଳିଷ୍ଠ ଓ ସ୍ୱାଗତଯୋଗ୍ୟ ପଦକ୍ଷେପ ବୋଲି ଓକିଲମାନେ କହିଥିଲେ। ଏଥି ନିମନ୍ତେ ବାଣପୁର ଓକିଲ ସଂଘ କର୍ମକର୍ତ୍ତା ମାନେ ମୁଖ୍ୟମନ୍ତ୍ରୀ ମୋହନ ଚରଣ ମାଝୀ ଏବଂ ଆଡଭୋକେଟ ଜେନେରାଲ ପିତାମ୍ବର ଆଚାର୍ଯ୍ୟଙ୍କୁ ମଧ୍ୟ କୃତଜ୍ଞତା ଜଣାଇଛନ୍ତି।

ଏହି ଅବସରରେ ଖୁବଶୀଘ୍ର ବାଣପୁରରେ ବହୁ ପ୍ରତିକ୍ଷିତ ଏଡ଼ିଜେ କୋର୍ଟ ଖୋଲିବାକୁ ଯାଉଅଛି ବୋଲି ମନ୍ତ୍ରୀ ଉପସ୍ଥିତ ଓକିଲମାନଙ୍କୁ ସୂଚନା ଦେଇଥିଲେ।

Categories
ଆଜିର ଖବର ରାଜ୍ୟ ଖବର

ବାଣପୁର ଓକିଲ ସଂଘର ୪୫ ତମ ବାର୍ଷିକ ଉତ୍ସବରେ ଯୋଗଦେଲେ ଆଇନମନ୍ତ୍ରୀ ପୃଥ୍ୱୀରାଜ ହରିଚନ୍ଦନ

ବାଣପୁର: ଖୋର୍ଦ୍ଧା ଜିଲ୍ଲା ବାଣପୁର ଓକିଲ ସଂଘର ୪୫ ତମ ବାର୍ଷିକ ଉତ୍ସବ ଆଜି ଅପରାହ୍ନରେ ସ୍ଥାନୀୟ କୋର୍ଟ ପରିସର ମଧ୍ୟରେ ଆଡମ୍ବର ସହକାରେ ପାଳିତ ହୋଇଯାଇଛି। ଉକ୍ତ କାର୍ଯ୍ୟକ୍ରମରେ ମୁଖ୍ୟ ଅତିଥି ଭାବେ ଆଇନ ମନ୍ତ୍ରୀ ପୃଥ୍ୱୀରାଜ ହରିଚନ୍ଦନ ଯୋଗ ଦେଇଥିଲେ।

ବାଣପୁର ଓକିଲ ସଂଘର ସଭାପତି ବୃନ୍ଦାବନ ପ୍ରଧାନ ସଭାପତିତ୍ୱ କରିଥିବା ବେଳେ ସଂଘର ସମ୍ପାଦ ରଞ୍ଜନ କୁମାର ବେଦମତ୍ତା ବାର୍ଷିକ ବିବରଣୀ ପାଠ କରିଥିଲେ। ମୁଖ୍ୟ ଅତିଥି ମହାପ୍ରଭୁ ଜଗନ୍ନାଥଙ୍କ ପ୍ରତିମୂର୍ତ୍ତିରେ ପୁଷ୍ପମାଲ୍ୟ ଅର୍ପଣ କରିବା ସହ ପ୍ରଦୀପ ପ୍ରଜ୍ବଳନ କରିବାପରେ ସଭା କାର୍ଯ୍ୟ ଆରମ୍ଭ ହୋଇଥିଲା। ମୁଖ୍ୟ ଅତିଥି ଆଇନ ମନ୍ତ୍ରୀ ଶ୍ରୀ ହରିଚନ୍ଦନ ତାଙ୍କ ଅଭିଭାଷଣରେ ନୂତନ ଆଇନ, ନୂତନ ମହିଳା ଅଦାଲତ ଖୋଲିବା ଓ ରାଜ୍ୟ ସରକାରଙ୍କ ଦ୍ୱାରା ଆଇନ କ୍ଷେତ୍ରରେ ନିଆଯାଇଥିବା ବ୍ୟାପକ ସଂସ୍କାର ବିଷୟରେ ଉଲ୍ଲେଖ କରିଥିଲେ।

ଏହି ଅବସରରେ ବାଣପୁର ଓକିଲ ସଂଘର ଦୀର୍ଘ ଦିନର ଦାବି ଯଥା ବାଣପୁରରେ ସ୍ଥାୟୀ ଏଡ଼ିଜେ କୋର୍ଟ ଖୋଲିବା ଦିଗରେ ଆଇନମନ୍ତ୍ରୀ ଯଥାଶୀଘ୍ର ପଦକ୍ଷେପ ଗ୍ରହଣ କରିବେ ବୋଲି ପ୍ରତିଶୃତି ଦେଇଥିଲେ। ଉତ୍ସବ କେବଳ ଆଇନଜୀବୀ ସଭ୍ୟମାନଙ୍କ ମଧ୍ୟରେ ସୀମିତ ରହିଥିବାବେଳେ ସଂଘର ଅନ୍ୟାନ୍ୟ କର୍ମକର୍ତ୍ତା ଯଥା ଉପସଭାପତି ରାମଚନ୍ଦ୍ର ପଲାଇ , ସହ ସମ୍ପାଦକ ନରେନ୍ଦ୍ର କୁମାର ନାୟକ ଓ କାର୍ଯ୍ୟକାରୀ କମିଟିର ସଦସ୍ୟ ଯଥା ଦେବବ୍ରତ ବଡ଼ଜେନା, ସନ୍ତୋଷ କୁମାର ମହାପାତ୍ର ଏବଂ ସୁପ୍ରଭା ସାମନ୍ତରାୟ ଆଦି ସକ୍ରିୟ ସହଯୋଗ କରିଥିଲେ। ପରିଶେଷରେ ସଂଘର ଉପସଭାପତିଙ୍କ ଦ୍ୱାରା ଧନ୍ୟବାଦ ଅର୍ପଣ କରାଯାଇଥିଲା।

ଉକ୍ତ କାର୍ଯ୍ୟକ୍ରମରେ ଚିଲିକା ଓକିଲ ସଂଘର କର୍ମକର୍ତ୍ତା ଏବଂ ଅନ୍ୟାନ୍ୟ ସଦସ୍ୟମାନେ ମଧ୍ୟ ଉପସ୍ଥିତ ଥିଲେ। ବାଣପୁର ପୋଲିସ ପକ୍ଷରୁ ବ୍ୟାପକ ସୁରକ୍ଷା ବ୍ୟବସ୍ଥା ଗ୍ରହଣ କରାଯାଇଥିବା ବେଳେ ଓକିଲ ସଂଘର ବାର୍ଷିକ ଉତ୍ସବ ଶାନ୍ତିଶୃଙ୍ଖଳାର ସହ ସମ୍ପାଦିତ ହୋଇଥିଲା।

Categories
ଆଞ୍ଚଳିକ

ଖୋର୍ଦ୍ଧାର ବିଶିଷ୍ଟ ସମାଜସେବୀଙ୍କ ଦଶାହ କ୍ରିୟା ଅନୁଷ୍ଠିତ

ଖୋର୍ଦ୍ଧା: ଖୋର୍ଦ୍ଧା ପାଇକତିଗିରିଆ ଅଞ୍ଚଳର ବିଶିଷ୍ଟ ସମାଜସେବୀ ତଥା ବାଣପୁର ଓକିଲ ସଂଘ ସମ୍ପାଦକ ରଞ୍ଜନ କୁମାର ବେଦମତ୍ତାଙ୍କ ଶ୍ୱଶୁର ସ୍ବର୍ଗତ ରବିନାରାୟଣ ତ୍ରିପାଠୀଙ୍କ ଦଶାହ କ୍ରିୟା ସୋମବାର ଦିନ ପାଇକତିଗିରିଆସ୍ଥିତ ବାସଭବନରେ ଅନୁଷ୍ଠିତ ହୋଇଯାଇଛି। ସ୍ବର୍ଗତ ଶ୍ରୀ ତ୍ରିପାଠୀ ଖୋର୍ଦ୍ଧା ଅଞ୍ଚଳର ଜଣେ ପ୍ରତିଷ୍ଠିତ ବ୍ୟବସାୟୀ ମଧ୍ୟ ଥିଲେ।

ସେ ଅତ୍ୟନ୍ତ ମେଳାପୀ ଏବଂ ଅମାୟିକ ବ୍ୟକ୍ତି ଥିଲେ। ତାଙ୍କର ଦଶାହ କାର୍ଯ୍ୟକ୍ରମରେ ଖୋର୍ଦ୍ଧା ଅଞ୍ଚଳର ବହୁ ବ୍ୟବସାୟୀ, ବୁଦ୍ଧିଜୀବୀ, ସମାଜସେବୀ ଏବଂ ରାଜନୈତିକ ବ୍ୟକ୍ତିବିଶେଷ ଯୋଗଦେଇ ତାଙ୍କୁ ଶ୍ରଦ୍ଧାଞ୍ଜଳି ଜ୍ଞାପନ କରିଥିଲେ।

ଏହି ଅବସରରେ ଉପସ୍ଥିତ ହିତାକାଂକ୍ଷୀ ମାନେ ସ୍ବର୍ଗତ ଶ୍ରୀ ତ୍ରିପାଠୀଙ୍କ ସ୍ମୃତିଚାରଣ କରିଥିଲେ। ଉକ୍ତ କାର୍ଯ୍ୟକ୍ରମକୁ ସ୍ବର୍ଗତ ଶ୍ରୀ ତ୍ରିପାଠୀଙ୍କ ଝିଅ ମଞ୍ଜୁଲତା ବେଦମତ୍ତା, ଜାମାତା ଆଇନଜୀବୀ ରଞ୍ଜନ କୁମାର ବେଦମତ୍ତା ଏବଂ ଏକମାତ୍ର ନାତୁଣୀ ଅଙ୍କିତା ବେଦମତ୍ତା ଆଦି ପରିଚାଳନା କରିଥିଲେ।

Categories
ଆଞ୍ଚଳିକ

ବାଣପୁର ଓକିଲ ସଂଘର ପ୍ରତିଷ୍ଠାତା ସ୍ବର୍ଗତ ସତ୍ୟନାରାୟଣ ମହାପାତ୍ରଙ୍କ ସ୍ମୃତିରେ ଶ୍ରଦ୍ଧାଞ୍ଜଳି ସଭା

ବାଣପୁର (ସୀତାରାମ ଅଗ୍ରୱାଲ): ବାଣପୁର ଅଞ୍ଚଳର ବିଶିଷ୍ଟ ଓକିଲ, ରାଜନେତା, ସମାଜସେବୀ ତଥା ବାଣପୁର ଓକିଲ ସଂଘର ପ୍ରତିଷ୍ଠାତା ସ୍ବର୍ଗତ ସତ୍ୟନାରାୟଣ ମହାପାତ୍ରଙ୍କ ଦ୍ଵାଦଶାହ ଅବସରରେ ଆଜି ଏକ ଶ୍ରଦ୍ଧାଞ୍ଜଳି ସଭା ସ୍ଥାନୀୟ ବାବା ବୁଖାରି କଲ୍ୟାଣ ମଣ୍ଡପ ପରିସରରେ ଅନୁଷ୍ଠିତ ହୋଇଯାଇଛି। ଉକ୍ତ ସଭାରେ ପୂର୍ବତନ ଚିଲିକା ବିଧାୟକ ରଘୁନାଥ ସାହୁଙ୍କ ସମେତ ବହୁ ରାଜନେତା, ସମାଜସେବୀ, ବୁଦ୍ଧିଜୀବୀ, ସମ୍ପର୍କୀୟ, ବାଣପୁର ଓକିଲ ସଂଘର ସଭାପତି ବୃନ୍ଦାବନ ପ୍ରଧାନ, ସମ୍ପାଦକ ରଞ୍ଜନ କୁମାର ବେଦମତ୍ତା ଏବଂ ସମସ୍ତ ଓକିଲମାନେ ଯୋଗଦେଇଥିଲେ।

ଉପସ୍ଥିତ ବ୍ୟକ୍ତିବିଶେଷ ମାନେ ସ୍ବର୍ଗତ ମହାପାତ୍ରଙ୍କ ଫୋଟୋଚିତ୍ରରେ ପୁଷ୍ପାଞ୍ଜଳି ପ୍ରଦାନ କରିବା ସହ ତାଙ୍କର ସ୍ମୃତିଚାରଣ କରି ବକ୍ତବ୍ୟ ରଖିଥିଲେ। ଏହି ଅବସରରେ ବିଶିଷ୍ଟ ବ୍ୟକ୍ତିବିଶେଷଙ୍କ ଦ୍ୱାରା ସ୍ବର୍ଗତ ମହାପାତ୍ରଙ୍କ ସ୍ମୃତିରେ ‘ସ୍ମୃତି ତର୍ପଣ’ ନାମରେ ଏକ ପୁସ୍ତକ ଉନ୍ମୋଚନ ହୋଇଥିଲା।

ସୂଚନା ଥାଉକି ସ୍ବର୍ଗତ ଶ୍ରୀ ମହାପାତ୍ର ଦୀର୍ଘ ୨୫ ବର୍ଷ ଧରି ବାଣପୁର ଓକିଲ ସଂଘର ସଭାପତି ଭାବେ ଦାଇତ୍ୱ ତୁଲାଇଥିଲେ। ଆଇନ କ୍ଷେତ୍ରରେ ଗଭୀର ଜ୍ଞାନ ଥିବା ଶ୍ରୀ ମହାପାତ୍ର ସମଗ୍ର ବାଣପୁର ତଥା ଖୋର୍ଦ୍ଧା ଜିଲ୍ଲାରେ ସୁପରିଚିତ ଥିଲେ। ବାଣପୁର ଅଞ୍ଚଳର ଜଣେ ସମାଜସେବୀ ଭାବେ ସେ ମଧ୍ୟ ବେଶ ପରିଚିତ ଥିଲେ। ସେ ତୁମୁରାପୁଟ ପଞ୍ଚାୟତ ଅନ୍ତର୍ଗତ ଶାଳିଆ ବିଦ୍ୟା ନିକେତନ ପରିଚାଳନା ସମିତିର ସଭାପତି ଭାବେ ଦୀର୍ଘବର୍ଷ ଧରି ଦାଇତ୍ୱ ତୁଲାଇଥିଲେ। ଏପରିକି ୧୯୮୫ ମସିହାରେ ସେ ଜନତା ପାର୍ଟି ପକ୍ଷରୁ ବିଧାୟକ ପ୍ରାର୍ଥୀ ଭାବେ ନିର୍ବାଚନ ମଧ୍ୟ ଲଢ଼ିଥିଲେ।

Categories
ଆଞ୍ଚଳିକ

ବାଣପୁର ଓକିଲ ସଂଘ ପକ୍ଷରୁ ବିଚାରପତିଙ୍କୁ ବିଦାୟକାଳୀନ ସମ୍ବର୍ଦ୍ଧନା ଜ୍ଞାପନ

ବାଣପୁର (ସୀତାରାମ ଅଗ୍ରୱାଲ): ଆଜି ଖୋର୍ଦ୍ଧା ଜିଲ୍ଲା ବାଣପୁର କୋର୍ଟର ବରିଷ୍ଠ ଦେୱାନୀ ବିଚାରପତି ମନୋରଞ୍ଜନ ମିଶ୍ରଙ୍କୁ ବାଣପୁର ଓକିଲ ସଂଘ ପକ୍ଷରୁ ବିଦାୟକାଳୀନ ସମ୍ବର୍ଦ୍ଧନା ଜ୍ଞାପନ କରାଯାଇଛି। ବିଚାରପତି ଶ୍ରୀ ମିଶ୍ରଙ୍କ ନିକଟରେ ଦେବଗଡ ଜିଲ୍ଲାକୁ ବଦଳି ହୋଇଛି।  ସେ ଦୀର୍ଘ ଅଢେଇ ବର୍ଷ ହେଲା ବାଣପୁର କୋର୍ଟରେ ବରିଷ୍ଠ ଦେୱାନୀ ବିଚାରପତି ଭାବେ କାର୍ଯ୍ୟରତ ଥିଲେ।

ଏହି ଅବସରରେ ଆଜି ସଂନ୍ଧ୍ୟାରେ ଓକିଲ ସଂଘ କକ୍ଷ ପରିସରରେ ବିଦାୟୀ ବିଚାରପତିଙ୍କୁ ସମ୍ବର୍ଦ୍ଧନା ଜ୍ଞାପନ କରାଯାଇଥିଲା। ଓକିଲ ସଂଘ ସଭାପତି ବୃନ୍ଦାବନ ପ୍ରଧାନ, ଉପ ସଭାପତି ରାମଚନ୍ଦ୍ର ପଲେଇ,ସମ୍ପାଦକ ରଞ୍ଜନ କୁମାର ବେଦମତ୍ତା, ସହ ସମ୍ପାଦକ ନରେନ୍ଦ୍ର ନାୟକ, କାର୍ଯ୍ୟକାରୀ ସଭ୍ୟ ସନ୍ତୋଷ ମହାପାତ୍ର, ଦେବବ୍ରତ ବଡ଼ଜେନା, ସୁପ୍ରଭା ସାମନ୍ତରାୟ ଏବଂ ଅନ୍ୟ ସମସ୍ତ ସଦସ୍ୟ ମାନେ ଉକ୍ତ କାର୍ଯ୍ୟକ୍ରମରେ ଉପସ୍ଥିତ ଥିଲେ। ସଂଘ କର୍ମକର୍ତା ଙ୍କ ସମେତ ଏକାଧିକ ବରିଷ୍ଠ ଆଇନଜୀବୀ ମାନେ ବିଚାରପତି ଶ୍ରୀ ମିଶ୍ରଙ୍କ ବାଣପୁର କୋର୍ଟରେ ରହଣି ସମୟରେ ନିଜର ଅନୁଭୂତି ବଖାଣିଥିଲେ।

ଶ୍ରୀ ମିଶ୍ର ଜଣେ ଭଲ ବ୍ୟକ୍ତି ହେବା ସଙ୍ଗେସଙ୍ଗେ ସଦାବେଳେ ଓକିଲମାନଙ୍କ ସହ ସୁସମ୍ପର୍କ ରକ୍ଷା କରି କୋର୍ଟର ବିଭିନ୍ନ ଉନ୍ନୟନ କାର୍ଯ୍ୟ ଆଗେଇନେଉଥିବାର ଆଇନଜୀବୀ ମାନେ ମତ ରଖିଥିଲେ। ତାଙ୍କରି ପ୍ରଚେଷ୍ଟାରେ ବାଣପୁରରେ ନୂତନ କୋର୍ଟ କମ୍ପ୍ଲେକ୍ସ ର ନିର୍ମାଣ କାର୍ଯ୍ୟ ମଧ୍ୟ ଆରମ୍ଭ ହୋଇଥିବାର ଆଇନଜୀବୀ ମାନେ ମତ ପ୍ରକାଶ କରିଥିଲେ। ଜଣେ ସରଳ, ଅମାୟିକ ଏବଂ ପରୋପକାରୀ ବ୍ୟକ୍ତି ଭାବେ ନିଜର ଏକ ସ୍ୱତନ୍ତ୍ର ପରିଚୟ ସୃଷ୍ଟି କରିପାରିଛନ୍ତି ବିଚାରପତି ଶ୍ରୀ ମିଶ୍ର।

ଅନୁରୂପ ଭାବେ ବିଚାରପତି ଶ୍ରୀ ମିଶ୍ର ମଧ୍ୟ ବାଣପୁରରେ ନିଜର ଅଢେଇ ବର୍ଷର କାର୍ଯ୍ୟକାଳ ସମୟର ଏକାଧିକ ସ୍ମୃତିକୁ ଉଜାଗର କରିଥିଲେ। ତତସହିତ ସେ ଓକିଲ ସଂଘର ସମସ୍ତ କର୍ମକର୍ତ୍ତାମାନଙ୍କୁ ସେମାନଙ୍କ ସହଯୋଗ ପାଇଁ ହୃଦୟରୁ କୃତଜ୍ଞତା ଜଣାଇଥିଲେ।

ଏହି ଅବସରରେ ଉକ୍ତ ବିଦାୟକାଳୀନ ସଭାରେ ଅନ୍ୟତମ ଅତିଥି ଭାବେ ବାଣପୁର କୋର୍ଟ ଯେଏମଏଫସି ସ୍ନାତକୀ ଦାସ ଏବଂ ଫ୍ୟାମିଲି କୋର୍ଟ ବିଚାରପତି ରାଜେଶ କୁମାର ନାୟର ଯୋଗଦେଇ ନିଜର ଅଭିଭାଷଣ ରଖିଥିଲେ।

Categories
ଆଞ୍ଚଳିକ

ବାଣପୁର ଓକିଲ ସଂଘର କର୍ମକର୍ତ୍ତା ନିର୍ବାଚନ: ଜାଣନ୍ତୁ ଜିତିଲେ କିଏ?

ବାଣପୁର (ସୀତାରାମ ଅଗ୍ରୱାଲ): ଓଡ଼ିଶା ଆଇନଜୀବୀ ପରିଷଦର ପ୍ରତ୍ୟକ୍ଷ ତତ୍ୱାବଧାନରେ ଆଜି ରାଜ୍ୟର ସମସ୍ତ ଅନୁବନ୍ଧିତ ଓକିଲ ସଂଘର କର୍ମକର୍ତ୍ତା ନିର୍ବାଚନ ଏକାକାଳୀନ ଭାବେ ଅନୁଷ୍ଠିତ ହେଇଛି। ଅନୁରୂପ ଭାବେ ଖୋର୍ଦ୍ଧା ଜିଲ୍ଲା ବାଣପୁର ଓକିଲ ସଂଘର କର୍ମକର୍ତ୍ତା ନିର୍ବାଚନ ଅନୁଷ୍ଠିତ ହୋଇଯାଇଛି। ସକାଳ ୮ ଘଟିକା ଠାରୁ ନିର୍ବାଚନ ଆରମ୍ଭ ହୋଇ ଅପରାହ୍ନ ୩ ଘଟିକାରେ ସମାପ୍ତ ହୋଇଥିଲା।

ଚଳିତ ନିର୍ବାଚନରେ ପ୍ରାର୍ଥୀମାନେ ଓକିଲ ବନ୍ଧୁମାନଙ୍କୁ ନିଜ ସପକ୍ଷରେ ମତ ଦେବାକୁ ଘରକୁ ଘର ବୁଲି ବିଭିନ୍ନ ପ୍ରକାର ପ୍ରୟାସ କରିଥିବା ଦେଖିବାକୁ ମିଳିଥିଲା। ଅପରାହ୍ନ ଚାରି ଘଟିକାରେ ଗଣତି ଆରମ୍ଭ କରାଯାଇ ଫଳ ପ୍ରକାଶ ପାଇଥିଲା। ଚଳିତ ନିର୍ବାଚନରେ ସଙ୍ଘର ସମୁଦାୟ ୧୨୬ ଜଣ ଆଇନଜୀବୀ ସେମାନଙ୍କର ଭୋଟ ଦେଇଥିବା ବେଳେ ସଭାପତି ଭାବରେ ବରିଷ୍ଠ ଆଇନଜୀବି ବୃନ୍ଦାବନ ପ୍ରଧାନ ୬୪ ଖଣ୍ଡ ଭୋଟ, ଉପ ସଭାପତି ଭାବରେ ରାମଚନ୍ଦ୍ର ପଲାଇ ୭୯ ଖଣ୍ଡ ଭୋଟ, ସାଧାରଣ ସମ୍ପାଦକ ଭାବରେ ରଞ୍ଜନ କୁମାର ବେଦମତ୍ତା ୭୩ ଖଣ୍ଡ ଭୋଟ, କାର୍ଯ୍ୟକାରୀ ସଭ୍ୟ ଭାବରେ ସନ୍ତୋଷ ମହାପାତ୍ର ୭୮ ଖଣ୍ଡ ଭୋଟ, ସୁପ୍ରଭା ସାମନ୍ତରାୟ ୭୦ ଖଣ୍ଡ ଭୋଟ ଏବଂ ଦେବବ୍ରତ ବଡ଼ଜେନା ୬୯ ଖଣ୍ଡ ଭୋଟ ପାଇ ବିଜୟୀ ହୋଇଛନ୍ତି। ସେହିଭଳି ଭାବେ ସଂଘର ସହ ସମ୍ପାଦକ ଭାବେ ନରେନ୍ଦ୍ର କୁମାର ନାୟକ ନିର୍ଦ୍ବନ୍ଦରେ ନିର୍ବାଚିତ ହୋଇଛନ୍ତି।

ଉକ୍ତ ନିର୍ବାଚନକୁ ନିର୍ବାଚନ ଅଧିକାରୀ ଭାବରେ ଆଇନଜୀବୀ ଶରତ କୁମାର ଲେଙ୍କା ଏବଂ ସହ ନିର୍ବାଚନ ଅଧିକାରୀ ଭାବେ ସୁନୀଲ ମହାପାତ୍ର ପରିଚାଳନା କରିଥିଲେ।

Categories
ଆଞ୍ଚଳିକ

ପ୍ରକାଶ ପାଇଲା ବାଣପୁର ଓକିଲ ସଂଘର ନିର୍ବାଚନ ପାଇଁ ଚୁଡାନ୍ତ ପ୍ରାର୍ଥୀ ତାଲିକା, ଜାଣନ୍ତୁ ସେମାନେ କିଏ

ବାଣପୁର ( ସୀତାରାମ ଅଗ୍ରୱାଲ): ମାର୍ଚ୍ଚ ୩୦ ରେ ରାଜ୍ୟର ସମସ୍ତ ଓକିଲ ସଂଘର ନିର୍ବାଚନ ଏକାକାଳୀନ ଭାବେ ଅନୁଷ୍ଠିତ ହେବ। ଇତି ମଧ୍ୟରେ ପ୍ରାର୍ଥୀପତ୍ର ଦାଖଲ ଓ ପ୍ରତ୍ୟାହାର ପ୍ରକ୍ରିୟା ଶେଷ ହୋଇଛି ଏବଂ ଆଜି ପ୍ରାର୍ଥୀଙ୍କ ଚୂଡାନ୍ତ ନାମ ପ୍ରକାଶ ପାଇଛି। ତେବେ ଖୋର୍ଦ୍ଧା ଜିଲ୍ଲା ବାଣପୁର ଓକିଲ ସଂଘର ଚଳିତ ବର୍ଷ ନିର୍ବାଚନ ରୋଚକ ସ୍ଥିତିରେ ପହଁଚିଛି। ଚଳିତ ବର୍ଷ ଏକାଧିକ ନୂତନ ଚେହେରାଙ୍କୁ ଦେଖିବାକୁ ମିଳିଛି ନିର୍ବାଚନ ମୈଦାନରେ।

ସଂଘ ସଭାପତି ପଦବୀ ପାଇଁ ବରିଷ୍ଠ ଆଇନଜୀବୀ ବୃନ୍ଦାବନ ପ୍ରଧାନ ଏବଂ ଦେବୀ ପ୍ରସାଦ ସାମନ୍ତରାୟଙ୍କ ମଧ୍ୟରେ ଲଢେଇ ହେବ। ସେହିପରି ଭାବେ ଉପସଭାପତି ପଦବୀ ପାଇଁ ୩ ପ୍ରାର୍ଥୀ ଯଥାକ୍ରମେ ରାମଚନ୍ଦ୍ର ପଲାଇ, ଚିତ୍ରସେନ ସାହୁ ଏବଂ ଶ୍ରୀନିବାସ ରାଓ ଙ୍କ ମଧ୍ୟରେ ଲଢେଇ ହେବ। ତେବେ ସବୁଠାରୁ ଗୁରୁତ୍ୱପୂର୍ଣ ସମ୍ପାଦକ ପଦବୀ ପାଇଁ ମନୋଜ କୁମାର ମହାପାତ୍ର ଏବଂ ରଞ୍ଜନ କୁମାର ବେଦମତ୍ତାଙ୍କ ମଧ୍ୟରେ କଡ଼ା ଟକ୍କର ହେବ।

ମନୋଜ ପୁର୍ବରୁ ଉକ୍ତ ସଂଘର ସମ୍ପାଦକ ଭାବେ ଏକାଧିକ ଥର ନିର୍ବାଚିତ ହୋଇଥିବା ବେଳେ ତାଙ୍କୁ କଡ଼ା ଟକ୍କର ଦେବେ ରଞ୍ଜନ କୁମାର ବେଦମତ୍ତା। ରଞ୍ଜନ ବାଣପୁର ଓକିଲ ସଂଘର ପ୍ରତ୍ୟେକ ନିର୍ବାଚନରେ ରଣନୀତିକାର ସାଜି ଏକାଧିକ ପ୍ରାର୍ଥୀମାନଙ୍କୁ ବିଜୟ କରାଇବାରେ ମୁଖ୍ୟ ଭୂମିକା ନିଭାଉଥିବା ବେଳେ ଚଳିତଥର ସମର୍ଥକଙ୍କ ଅନୁରୋଧ କ୍ରମେ ନିଜେ ଭାଗ୍ୟ ପରୀକ୍ଷା କରିବା ପାଇଁ ପ୍ରତ୍ୟକ୍ଷ ନିର୍ବାଚନ ମୈଦାନକୁ ଓଲ୍ହାଇଛନ୍ତି।

ଅନୁରୂପଭାବେ ସହ ସମ୍ପାଦକ ପଦବୀ ପାଇଁ ନରେନ୍ଦ୍ର କୁମାର ନାୟକ ନିର୍ଦ୍ବନ୍ଦରେ ନିର୍ବାଚିତ ହୋଇଛନ୍ତି। ତେବେ ୩ ଗୋଟି କାର୍ଯ୍ୟକାରୀ ସମିତି ସଭ୍ୟ ପାଇଁ ପାଞ୍ଚ ଜଣ ପ୍ରାଥୀ ଯଥାକ୍ରମେ ଦେବବ୍ରତ ବଡ଼ଜେନା, ସୁପ୍ରଭା ସାମନ୍ତରାୟ,ସନ୍ତୋଷ କୁମାର ମହାପାତ୍ର, ନରେଶ କୁମାର ଚମ୍ପତ୍ତି ଓ ପ୍ରଶାନ୍ତ କୁମାର ମହାନ୍ତି ପ୍ରତିଦ୍ବନ୍ଦିତା କରୁଥିବାର ସୂଚନା ମିଳିଛି।

Categories
ଆଞ୍ଚଳିକ

ବାଣପୁର ଓକିଲ ସଂଘ ନିର୍ବାଚନ ପାଇଁ ଶେଷ ହେଲା ପ୍ରାର୍ଥୀପତ୍ର ଦାଖଲ

ସୀତାରାମ ଅଗ୍ରୱାଲ

ବାଣପୁର: ଆଜି ଖୋର୍ଦ୍ଧା ଜିଲ୍ଲା ବାଣପୁର ଓକିଲ ସଂଘ ର ନିର୍ବାଚନ ପାଇଁ ଶେଷ ହୋଇଛି ନାମାଙ୍କନ ପତ୍ର ଦାଖଲ ପ୍ରକ୍ରିୟା। ଆସନ୍ତା ୨୫ ତାରିଖରେ ଓକିଲ ସଂଘ ନିର୍ବାଚନ ହେବାକୁ ଥିବା ବେଳେ ଆଜି ନାମାଙ୍କନ ପତ୍ର ଦାଖଲ କରିବାର ଶେଷ ଦିବସ ଥିଲା। ତେବେ ସଭାପତି, ସମ୍ପାଦକ ଓ ଉପ ସଭାପତି ପଦବୀ ପାଇଁ ଦୁଇ ଦୁଇ ଜଣ ପ୍ରାର୍ଥୀ ପ୍ରାର୍ଥୀପତ୍ର ଦାଖଲ କରିଥିବା ବେଳେ ସହ ସମ୍ପାଦକ ଓ କାର୍ଯ୍ୟକାରୀ କମିଟି ସଦସ୍ୟ ପଦବୀ ପାଇଁ ଜଣେ ଲେଖାଏଁ ପ୍ରାର୍ଥୀ ପାର୍ଥୀପତ୍ର ଦାଖଲ କରିଛନ୍ତି।

ସଭାପତି ପଦବୀ ପାଇଁ ବୃନ୍ଦାବନ ପ୍ରଧାନ ଓ ଗୌରୀ ଶଙ୍କର ଷଡ଼ଙ୍ଗୀ , ଉପ ସଭାପତି ପଦବୀ ପାଇଁ ପଦ୍ମଜା ପଟ୍ଟନାୟକ ଓ ରାମଚନ୍ଦ୍ର ପଲେଇ, ସମ୍ପାଦକ ପଦବୀ ପାଇଁ ସୁଧୀର କୁମାର ପ୍ରଧାନ ଓ ଜଗନ୍ନାଥ ଭୋଳ, ସହ ସମ୍ପାଦକ ପଦବୀ ପାଇଁ ନରେନ୍ଦ୍ର ନାୟକ ଏବଂ କାର୍ଯ୍ୟକାରୀ କମିଟି ସଦସ୍ୟ ପଦବୀ ପାଇଁ ଦେବବ୍ରତ ବଡ଼ଜେନା,ପ୍ରଶାନ୍ତ କୁମାର ମହାନ୍ତି ଏବଂ ପ୍ରଦୀପ କୁମାର ସ୍ୱାଇଁ ନାମାଙ୍କନ ପତ୍ର ଦାଖଲ କରିଥିବାର ସୂଚନା ଦେଇଛନ୍ତି ନିର୍ବାଚନ ଅଧିକାରୀ ଜଗଦୀଶ ପଟ୍ଟନାୟକ।

ତେବେ ନାମାଙ୍କନ ପତ୍ର ଯାଞ୍ଚ ପ୍ରକ୍ରିୟା ମାର୍ଚ୍ଚ ୧୦ ତାରିଖରେ ଥିବା ବେଳେ ନାମାଙ୍କନ ପତ୍ର ପ୍ରତ୍ୟାହାର ୧୨ ତାରିଖ ଏବଂ ପ୍ରତିଦ୍ବନ୍ଦୀଙ୍କ ନାମ ୧୩ ତାରିଖରେ ପ୍ରକାଶ ପାଇବ ବୋଲି ଜଣାପଡିଛି।

Categories
ଆଞ୍ଚଳିକ

ବାଣପୁର ଓକିଲ ସଂଘର ୪୩ ତମ ବାର୍ଷିକ ଉତ୍ସବ ଅନୁଷ୍ଠିତ

ସୀତାରାମ ଅଗ୍ରୱାଲା

ବାଣପୁର: ଖୋର୍ଦ୍ଧା ଜିଲ୍ଲା ବାଣପୁର ଓକିଲ ସଂଘର ୪୩ ତମ ବାର୍ଷିକ ଉତ୍ସବ ସୋମବାର ଅପରାହ୍ନରେ ସ୍ଥାନୀୟ କୋର୍ଟ ପରିସର ମଧ୍ୟରେ ଆଡମ୍ବର ସହକାରେ ପାଳିତ ହୋଇଯାଇଛି। ଉକ୍ତ କାର୍ଯ୍ୟକ୍ରମରେ ମୁଖ୍ୟ ଅତିଥି ଭାବେ ବାଣପୁର ବିଚାର ବିଭଗୀୟ ଅଦାଲତର ବରିଷ୍ଠ ଦେୱାନୀ ବିଚାରପତି ମନୋରଞ୍ଜନ ମିଶ୍ର ଯୋଗଦେଇଥିବା ବେଳେ ସମ୍ମାନିତ ଅତିଥି ଭାବେ ବାଣପୁର ଜେଏମଏଫସି ସ୍ମାତକୀ ଦାସ ଏବଂ ଚିଲିକା ଜେଏମଏଫସି ବିକାଶ ଗୋଏଲ ଯୋଗଦେଇଥିଲେ।

ବାଣପୁର ଓକିଲ ସଂଘର ସଭାପତି ପ୍ରଭାତ କୁମାର ପଟ୍ଟଯୋଶୀ ସଭାପତିତ୍ୱ କରିଥିବା ବେଳେ ସଂଘର ସମ୍ପାଦକ ଜଗନ୍ନାଥ ଭୋଳ ବାର୍ଷିକ ବିବରଣୀ ପାଠ କରିଥିଲେ। ଅତିଥିମାନେ ପ୍ରଥମେ ବାଣପୁରର ଅଧିଷ୍ଠାତ୍ରୀ ଦେବି ମା’ ଭଗବତୀଙ୍କ ପଟ୍ଟଚିତ୍ରରେ ପୁଷ୍ପମାଲ୍ୟ ଅର୍ପଣ କରିବା ସହ ପ୍ରଦୀପ ପ୍ରଜ୍ବଳନ କରିବାପରେ ସଭା କାର୍ଯ୍ୟ ଆରମ୍ଭ ହୋଇଥିଲା।

ଉକ୍ତ ଉତ୍ସବ କେବଳ ଆଇନଜୀବୀ ସଭ୍ୟମାନଙ୍କ ମଧ୍ୟରେ ସୀମିତ ରହିଥିବାବେଳେ ସଂଘର ଅନ୍ୟାନ୍ୟ କର୍ମକର୍ତ୍ତା ଯଥା ଉପସଭାପତି ପଦ୍ମଜା ପଟ୍ଟନାୟକ, ସହ ସମ୍ପାଦକ ନରେନ୍ଦ୍ର କୁମାର ନାୟକ ଓ କାର୍ଯ୍ୟକାରୀ କମିଟିର ସଦସ୍ୟ ଯଥା ଦେବବ୍ରତ ବଡ଼ଜେନା, କୁଳମଣି ବେହେରା ଏବଂ ସନ୍ତୋଷ ପାତ୍ର ଆଦି ସକ୍ରିୟ ସହଯୋଗ କରିଥିବା ବେଳେ ଆଇନଜୀବୀ ରଞ୍ଜନ କୁମାର ବେଦମତ୍ତା ମଞ୍ଚ ପରିଚାଳନା କରିଥିଲେ।

ପରିଶେଷରେ ସଂଘର ଉପସଭାପତିଙ୍କ ଦ୍ୱାରା ଧନ୍ୟବାଦ ଅର୍ପଣ କରାଯାଇଥିଲା। ଉକ୍ତ କାର୍ଯ୍ୟକ୍ରମରେ ଚିଲିକା ଓକିଲ ସଂଘର କର୍ମକର୍ତ୍ତା ଏବଂ ଅନ୍ୟାନ୍ୟ ସଦସ୍ୟମାନେ ମଧ୍ୟ ଉପସ୍ଥିତ ଥିଲେ। ବାଣପୁର ପୋଲିସ ପକ୍ଷରୁ ବ୍ୟାପକ ସୁରକ୍ଷା ବ୍ୟବସ୍ଥା ଗ୍ରହଣ କରାଯାଇଥିବା ବେଳେ ଓକିଲ ସଂଘର ବାର୍ଷିକ ଉତ୍ସବ ଶାନ୍ତିଶୃଙ୍ଖଳାର ସହ ସମ୍ପାଦିତ ହୋଇଥିଲା।

Categories
ଆଞ୍ଚଳିକ

ବାଣପୁର ଓକିଲ ସଂଘ ପକ୍ଷରୁ ଦିବଂଗତ ବିଚାରପତି ପୂର୍ଣ୍ଣଚନ୍ଦ୍ର ମିଶ୍ରଙ୍କ ବିୟୋଗରେ ଶୋକସଭା

ବାଣପୁର: ଦିବଂଗତ ବିଚାରପତି ପୂର୍ଣ୍ଣଚନ୍ଦ୍ର ମିଶ୍ରଙ୍କ ବିୟୋଗରେ ଖୋର୍ଦ୍ଧା ଜିଲ୍ଲା ବାଣପୁର ଓକିଲ ସଂଘ ତରଫରୁ ଏକ ଶୋକସଭା ଅନୁଷ୍ଠିତ ହୋଇଯାଇଛି। ଆଜି ବାଣପୁର ବାର ହଲ ପରିସରରେ ଉକ୍ତ ଶୋକସଭା ଅନୁଷ୍ଠିତ ହୋଇଯାଇଛି।

ସ୍ବର୍ଗତ ଆତ୍ମାର ସଦଗତି ନିମନ୍ତେ ସଭ୍ୟମାନେ ୨ ମିନିଟ ନିରବ ପ୍ରାର୍ଥନା କରିଥିଲେ। ଏହି ଅବସରରେ ସଂଘର ସଭାପତି ପ୍ରଭାତ କୁମାର ପଟ୍ଟଯୋଶୀ ଓ ସମ୍ପାଦକ ଜଗନ୍ନାଥ ଭୋଳଙ୍କ ସମେତ ବରିଷ୍ଠ ଆଇନଜୀବୀ ଗୌରୀଶଙ୍କର ଷଡ଼ଙ୍ଗୀ, ଶରତ କୁମାର ପଟ୍ଟନାୟକ, ରବିନ୍ଦ୍ରନାଥ ମାନସିଂହ, ଜଗଦୀଶ ପଟ୍ଟନାୟକ, ବିପ୍ଳବ ମୁଦୁଲି ଇତ୍ୟାଦି ସ୍ବର୍ଗତ ମିଶ୍ରଙ୍କ କାର୍ଯ୍ୟାଧାରା ଓ ବହୁ ମୂଲ୍ୟବାନ ସିଦ୍ଧାନ୍ତ ତଥା ତାଙ୍କର ଅମାୟିକ ବ୍ୟବହାର ଆଦି ବିଭିନ୍ନ ଦିଗରେ ନିଜ ନିଜ ଅଭିଭାଷଣ ମାଧ୍ୟମରେ ଆଲୋକପାତ କରିଥିଲେ। ଉକ୍ତ ସଭାକୁ ଆଇନଜୀବୀ ରଞ୍ଜନ କୁମାର ବେଦମତା ସଂଯୋଜନା କରିଥିଲେ।

Categories
ଆଞ୍ଚଳିକ

ବାଣପୁର ଓକିଲ ସଂଘର ୪୨ ତମ ବାର୍ଷିକତ୍ସୋବ ଅନୁଷ୍ଠିତ

ସୀତାରାମ ଅଗ୍ରୱାଲ

ବାଣପୁର: ଆଜି ଅପରାହ୍ନରେ ଖୋର୍ଦ୍ଧା ଜିଲ୍ଲା ବାଣପୁର ଓକିଲ ସଂଘର ୪୨ ତମ ବାର୍ଷିକ ଉତ୍ସବ ସ୍ଥାନୀୟ କୋର୍ଟ ପରିସର ମଧ୍ୟରେ କରୋନା ଗାଇଡଲାଇନକୁ ଅବଲମ୍ବନ କରି ନିରାଡ଼ମ୍ବର ଭାବେ ପାଳିତ ହୋଇଯାଇଛି। ଉକ୍ତ କାର୍ଯ୍ୟକ୍ରମରେ ମୁଖ୍ୟ ଅତିଥି ଭାବେ ଚିଲିକା ବିଚାର ବିଭଗୀୟ ଅଦାଲତର କନିଷ୍ଠ ଦେୱାନୀ ବିଚାରପତି ବିକାଶ ଗୋଏଲ ଯୋଗଦେଇଥିବାବେଳେ ସମ୍ମାନିତ ଅତିଥି ଭାବେ ସଂଘର ବରିଷ୍ଠ ଆଇନଜୀବୀ ତଥା ପ୍ରତିଷ୍ଠାତା ସଭାପତି ସତ୍ୟନାରାୟଣ ମହାପାତ୍ର ଯୋଗଦେଇଥିଲେ।

ଉକ୍ତ ସଭାରେ ବାଣପୁର ଓକିଲ ସଂଘର ସଭାପତି ପ୍ରଭାତ କୁମାର ପଟ୍ଟଯୋଶୀ ସଭାପତିତ୍ୱ କରିଥିବା ବେଳେ ସଂଘର ସମ୍ପାଦକ ଜଗନ୍ନାଥ ଭୋଳ ବାର୍ଷିକ ବିବରଣୀ ପାଠ କରିଥିଲେ। ଅତିଥିମାନେ ପ୍ରଥମେ ବାଣପୁରର ଅଧିଷ୍ଠାତ୍ରୀ ଦେବି ମା’ ଭଗବତୀଙ୍କ ପଟ୍ଟଚିତ୍ରରେ ପୁଷ୍ପମାଲ୍ୟ ଅର୍ପଣ କରିବା ସହ ପ୍ରଦୀପ ପ୍ରଜ୍ବଳନ କରିବାପରେ ସଭା କାର୍ଯ୍ୟ ଆରମ୍ଭ ହୋଇଥିଲା।

ଉକ୍ତ ଉତ୍ସବ କେବଳ ଆଇନଜୀବୀ ସଭ୍ୟମାନଙ୍କ ମଧ୍ୟରେ ସୀମିତ ରହିଥିବାବେଳେ ସଂଘର ଅନ୍ୟାନ୍ୟ କର୍ମକର୍ତ୍ତା ଯଥା ଉପସଭାପତି ପଦ୍ମଜା ପଟ୍ଟନାୟକ, ସହ ସମ୍ପାଦକ ନରେନ୍ଦ୍ର କୁମାର ନାୟକ ଓ କାର୍ଯ୍ୟକାରୀ କମିଟିର ସଦସ୍ୟ ଯଥା ଦେବବ୍ରତ ବଡ଼ଜେନା, ମନୋଜ କୁମାର ନନ୍ଦ ଏବଂ ରଜନୀକାନ୍ତ ରାଉତରାୟ ଆଦି ସକ୍ରିୟ ସହଯୋଗ କରିଥିଲେ।

ପରିଶେଷରେ ସଂଘର ଉପସଭାପତିଙ୍କ ଦ୍ୱାରା ଧନ୍ୟବାଦ ଅର୍ପଣ କରାଯାଇଥିଲା। ଉକ୍ତ କାର୍ଯ୍ୟକ୍ରମରେ ଚିଲିକା ଓକିଲ ସଂଘର କର୍ମକର୍ତ୍ତା ଏବଂ ଅନ୍ୟାନ୍ୟ ସଦସ୍ୟମାନେ ମଧ୍ୟ ଉପସ୍ଥିତ ଥିଲେ। ତେବେ ସଂଘର ବାର୍ଷିକ ଉତ୍ସବ ଶାନ୍ତିଶୃଙ୍ଖଳାର ସହ ସମ୍ପାଦିତ ହୋଇଥିଲା।