Categories
ଆଞ୍ଚଳିକ

ବାଣପୁର ଝିଅ ଶତାଦ୍ଧୀ ନନ୍ଦଙ୍କ ବଡ ସଫଳତା: ‘ନିଟ୍’ ପକ୍ଷରୁ ମିଳିଲା ସ୍ବର୍ଣ୍ଣ ପଦକ

ସୀତାରାମ ଅଗ୍ରୱାଲ

ବାଣପୁର: ଆଉ ଜଣେ ବାଣପୁର ଝିଅ ବଡ ସଫଳତା ହାସଲ କରିଛନ୍ତି। ଏଥର ରାଉରକେଲା ନିଟ୍ ରେ ଅନୁଷ୍ଠିତ ହୋଇଥିବା ୨୦ ତମ ସମାବର୍ତ୍ତନ ଉତ୍ସବ ୨୦୨୨ ରେ ଜଣେ ବାଣପୁର ଝିଅ ସ୍ବର୍ଣ୍ଣ ପଦକ ହାସଲ କରିଛନ୍ତି। ବାଣପୁର ବ୍ଲକ ଭୀମପୁର ଗ୍ରାମରେ ଜନ୍ମିତ କୁମାରୀ ଶତାଦ୍ଧୀ ନନ୍ଦ ବାୟୋଟେକ୍ନୋଲୋଜି ଶାଖାରେ ସର୍ବୋଚ୍ଚ ନମ୍ବର ରଖି ଶୀର୍ଷ ସ୍ଥାନ ଅଧିକାର କରିଛନ୍ତି। ଯାହାଫଳରେ ନିଟ୍ ସଂସ୍ଥା ପକ୍ଷରୁ ତାଙ୍କୁ ସ୍ବର୍ଣ୍ଣ ପଦକ ସମେତ ପ୍ରମାଣ ପତ୍ର ପ୍ରଦାନ କରାଯାଇ ସମ୍ମାନିତ କରାଯାଇଛି।

ଏକ ବାର୍ଣ୍ଣାଢ୍ୟ ଉତ୍ସବରେ କୁମାରୀ ନନ୍ଦଙ୍କୁ ସେଲର (SAIL) ଅଧ୍ୟକ୍ଷ ସୋମା ମଣ୍ଡଲ ଏହି ପୁରସ୍କାର ପ୍ରଦାନ କରିଛନ୍ତି। କୁମାରୀ ନନ୍ଦ ଏଥି ପୂର୍ବରୁ ଖୋର୍ଦ୍ଧା ନବୋଦୟ ବିଦ୍ୟାଳୟର ଛାତ୍ରୀ ଥିବାବେଳେ ଦଶମ ଶ୍ରେଣୀ ସିବିଏସଇ ବୋର୍ଡ ପରୀକ୍ଷାରେ ଓଡ଼ିଶାର ସମସ୍ତ ନବୋଦୟ ବିଦ୍ୟାଳୟ ମଧ୍ୟରୁ ଶ୍ରେଷ୍ଠ ସ୍ଥାନ ଅଧିକାର କରିବା ସହିତ ସେହି ନବୋଦୟରେ ଦ୍ଵାଦଶ ପରୀକ୍ଷାରେ (+୨) ବିଜ୍ଞାନ ବିଭାଗରେ ସର୍ବୋଚ୍ଚ ନମ୍ବର ରଖି ନବୋଦୟ ସମିତି ପକ୍ଷରୁ ସମ୍ମାନିତ ହୋଇଥିଲେ।

ତୁଳସୀ ଦୁଇ ପତ୍ରରୁ ବାସିଲା ପରି କୁମାରୀ ନନ୍ଦ ସ୍କୁଲ ସମୟ ଠାରୁ ଆରମ୍ଭ କରି ଆଜି ପର୍ଯ୍ୟନ୍ତ ବିଭିନ୍ନ ସଂସ୍ଥା ଦ୍ଵାରା କରାଯାଉଥିବା ଭିନ୍ନ ଭିନ୍ନ ପ୍ରତିଯୋଗିତାରେ ଅଂଶଗ୍ରହଣ କରି ନିଜର ଶ୍ରେଷ୍ଠତ୍ଵ ପ୍ରତିପାଦନ କରିଆସିଛନ୍ତି। ଯାହାକୁ ନେଇ ବାଣପୁରବାସୀ ଗର୍ବିତ।

କୁମାରୀ ନନ୍ଦ ବାଣପୁର ନିକଟସ୍ଥ ଭୀମପୁର ଗ୍ରାମ ନିବାସି ଅବସର ପ୍ରାପ୍ତ ସରକାରୀ କର୍ମଚାରୀ ବିଭୁତି ଭୂଷଣ ନନ୍ଦ ଓ ବାନମ୍ବର ସରକାରୀ ଉଚ୍ଚ ବିଦ୍ୟାଳୟ ଶିକ୍ଷୟିତ୍ରୀ କଳ୍ପଲତା ମହାପାତ୍ରଙ୍କର ଏକ ମାତ୍ର କନ୍ୟା।

ଶତାଦ୍ଧୀ ତାଙ୍କର ଏହି ସଫଳତା ପାଇଁ ପ୍ରଭୁକୃପା ସହ ଶିକ୍ଷକ ଶିକ୍ଷୟିତ୍ରୀ ତଥା ଗୁରୁଜନ ମାନଙ୍କର ଆଶୀର୍ବାଦକୁ ହିଁ ଶ୍ରେୟ ଦେଇଛନ୍ତି।

Categories
ଆଜିର ଖବର ରାଜ୍ୟ ଖବର

ବାଣପୁର ଝିଅ ସଂଗୀତା ସେନଙ୍କୁ ଓଏଏସ ଭାବେ ନିଯୁକ୍ତି ଦେଲେ ମୁଖ୍ୟମନ୍ତ୍ରୀ

ସୀତାରାମ ଅଗ୍ରୱାଲ

ବାଣପୁର: ଅକ୍ଲାନ୍ତ ପରିଶ୍ରମ ହିଁ ସଫଳତାର ଚାବି। ଏହାକୁ ପ୍ରମାଣିତ କରି ଦେଖାଇଛନ୍ତି ଓଏଏସ ଅଧିକାରିଣୀ ସଂଗୀତା ସେନ। ୨୦୧୯ ଏବଂ ୨୦୨୦ ରେ ଉଭୟଥର ଓସିଏସ ପରୀକ୍ଷାରେ କୃତକାର୍ଯ୍ୟ ହୋଇଥିବା ବେଳେ ଗତକାଲି ସଂଗୀତାଙ୍କୁ ଗଞ୍ଜାମ ଜିଲ୍ଲାରେ ଓଏଏସ କ୍ୟାଡର ଟିଆରଓ ଭାବେ ନିଯୁକ୍ତି ଦେଇଛନ୍ତି ମୁଖ୍ୟମନ୍ତ୍ରୀ। ଖୋର୍ଦ୍ଧା ଜିଲ୍ଲା ବାଣପୁର ବ୍ଲକ ଭେଟେଶ୍ଵର ପଞ୍ଚାୟତ ଅନ୍ତର୍ଗତ ଭାପୁର ଗ୍ରାମର ଲକ୍ଷ୍ମୀଧର ସେଣ ଏବଂ ବିଳାସ ସେଣଙ୍କ କନ୍ୟା ଅଟନ୍ତି ସଂଗୀତା। ବାପା ପେଶାରେ କୃଷକ ହୋଇଥିବାବେଳେ ମାତା ଜଣେ ଗୃହିଣୀ ଅଟନ୍ତି। ଗୋଟେ ସାଧାରଣ ପରିବାରରୁ ଆସି ବହୁ ବାଧାବିଘ୍ନ ଅତିକ୍ରମ କରି ନିଜର କଠିନ ପରିଶ୍ରମ ଫଳରେ ଓଏଏସ ଅଧିକାରିଣୀ ହୋଇପାରିଛନ୍ତି ସଂଗୀତା।

ସଂଗୀତା ବାଣପୁର ଗୋଦାବରୀଶ ମହାବିଦ୍ୟାଳୟରୁ ପଦାର୍ଥ ବିଜ୍ଞାନରେ ସ୍ନାତକ କରିଥିବାବେଳେ ଖଲିକୋଟ ବିଶ୍ୱବିଦ୍ୟାଳୟରୁ ସ୍ନାତକୋତ୍ତର ହାସିଲ କରିଛନ୍ତି। ପିଲାଟି ଦିନରୁ ସଂଗୀତା ମେଧାବୀ ଛାତ୍ରୀ ହୋଇଥିବାବେଳେ ଦୀର୍ଘ ଚାରି ବର୍ଷ ହେଲା ଓପିଏସସି ପାଇଁ ପ୍ରସ୍ତୁତି ଜାରି ରଖିଥିଲେ। ତେବେ ୨୦୧୯ ଓସିଏସ ପରୀକ୍ଷାରେ କୃତକାର୍ଯ୍ୟ ହୋଇ ସଂଗୀତାଙ୍କୁ ଓଟିଏଏସ କ୍ୟାଡର ମିଳିଥିବା ବେଳେ ପୁଣି ୨୦୨୦ ରେ ଓସିଏସ ପରୀକ୍ଷାରେ କୃତକାର୍ଯ୍ୟ ହେବାରୁ ତାଙ୍କୁ ମିଳିଛି ଓଏଏସ କ୍ୟାଡର।

ସମାଜରେ ନିଷ୍ପେସିତ ଏବଂ ଅସହାୟ ଜନସାଧାରଣଙ୍କୁ ସାହାଯ୍ୟ କରିବା ତାଙ୍କର ପ୍ରାଥମିକତା ରହିବ ବୋଲି କହିଛନ୍ତି ସଂଗୀତା। ନିଜର ସଫଳତାର ସମସ୍ତ ଶ୍ରେୟ ନିଜ ମାତା ପିତା ଏବଂ ଗୁରୁଜନ ମାନଙ୍କୁ ଦେଇଛନ୍ତି ସଂଗୀତା। ରାଜ୍ୟର ଉକ୍ତ ସମ୍ମାନଜନକ ପ୍ରଶାସନିକ ସେବା କ୍ଷେତ୍ରରେ ଯୋଗଦେବା ସହ ନିଜ ଦୃଢ଼ ଇଚ୍ଛାଶକ୍ତି ଯୋଗୁଁ ସେ ନିଶ୍ଚୟ ସଫଳତାର ଶିଖର ଛୁଇଁବେ ବୋଲି ବାଣପୁର ବାସି ଆଶାବାଦୀ ଅଛନ୍ତି।