ଯୁକ୍ତ ଦୁଇ ପରୀକ୍ଷା ଫଳାଫଳ: ବାଣପୁର ଝିଅ ସଂସ୍କୃତିଙ୍କ ସଫଳତା, ରାଜ୍ୟରେ ହେଲେ ପଞ୍ଚମ

Published: May 29, 2024, 7:00 am IST

ବାଣପୁର (ସୀତାରାମ ଅଗ୍ରୱାଲ): ଗତ ୨୬ ତାରିଖରେ ଯୁକ୍ତ ଦୁଇ ପରୀକ୍ଷା ଫଳ ପ୍ରକାଶ ପାଇଛି। ଉକ୍ତ ପରୀକ୍ଷାରେ ଚଳିତ ବର୍ଷ ମଧ୍ୟ ଛାତ୍ରୀମାନେ ବାଜିମାତ କରିଛନ୍ତି। ତେବେ ଖୋର୍ଦ୍ଧା ଜିଲ୍ଲା ବାଣପୁର ଝିଅ ସଂସ୍କୃତି ମହାପାତ୍ର ମଧ୍ୟ ସଫଳତା ହାସଲ କରି ସମସ୍ତଙ୍କୁ ଆଶ୍ଚର୍ଯ୍ୟ କରିଛନ୍ତି। ସେ ସମଗ୍ର ଓଡ଼ିଶାରେ ଯୁକ୍ତ ଦୁଇ କଳାରେ ପଞ୍ଚମ ସ୍ଥାନ ଅଧିକୃତ କରିଛନ୍ତି।

ସଂସ୍କୃତି କଟକସ୍ଥିତ ରେଭେନ୍ଶା ଉଚ୍ଚ ମାଧ୍ୟମିକ ବିଦ୍ୟାଳୟରେ ଯୁକ୍ତ ଦୁଇ କଳାରେ ଅଧ୍ୟୟନ କରୁଥିଲେ। ତେବେ ସଂସ୍କୃତି ସମୁଦାୟ ୬୦୦ ନମ୍ବରରୁ ୫୫୪ ମାର୍କ (୯୨.୩%) ରଖି ଉକ୍ତ ପରୀକ୍ଷାରେ ଉତ୍ତିର୍ଣ୍ଣ ହୋଇଛନ୍ତି। ସେ ରେଭେନ୍ଶା ଉଚ୍ଚ ମାଧ୍ୟମିକ ବିଦ୍ୟାଳୟରେ ଚତୁର୍ଥ ସ୍ଥାନ ଅଧିକାର କରିଥିବା ବେଳେ ସାରା ରାଜ୍ୟରେ ପଞ୍ଚମ ସ୍ଥାନ ଅଧିକାର କରିଥିବାର ବିଦ୍ୟାଳୟ ସୂତ୍ରରୁ ପ୍ରକାଶ।

ସୂଚନା ଥାଉକି ସଂସ୍କୃତି ଜଣେ ମେଧାବୀ ଛାତ୍ରୀ ହୋଇଥିବା ବେଳେ ସେ ତୃତୀୟ, ପଞ୍ଚମ, ଅଷ୍ଟମ ଏବଂ ଦଶମ ଶ୍ରେଣୀରେ ସରକାରୀ ବୃତ୍ତି ମଧ୍ୟ ପାଇଥିଲେ। ସେ ବାଣପୁର ସରସ୍ବତୀ ଶିଶୁ ବିଦ୍ୟା ମନ୍ଦିରର ପୁରାତନ ଛାତ୍ରୀ ହୋଇଥିବା ବେଳେ ଦଶମ ଶ୍ରେଣୀରେ ମଧ୍ୟ ଶତକଡା ୯୧ ପ୍ରତିଶତ ମାର୍କ ରଖି ଉତ୍ତିର୍ଣ୍ଣ ହୋଇଥିଲେ।

ସଂସ୍କୃତି ବାଣପୁର ଅଞ୍ଚଳର ସୁନାମଧନ୍ୟ ବରିଷ୍ଠ ଆଇନଜୀବୀ ସତ୍ୟନାରାୟଣ ମହାପାତ୍ର ଏବଂ ଉର୍ମିଳା ମହାପାତ୍ରଙ୍କ ନାତୁଣୀ ଏବଂ ଆଇନଜୀବୀ ସନ୍ଦୀପ କୁମାର ମହାପାତ୍ର ଓ ସରିତା ମହାପାତ୍ରଙ୍କ କନିଷ୍ଠ କନ୍ୟା ଅଟନ୍ତି। ତେବେ ସଂକୃତିଙ୍କ ଉକ୍ତ ସଫଳତା ପାଇଁ ବାଣପୁରବାସୀ ଗର୍ବ ଅନୁଭବ କରିଥିବା ବେଳେ ତାଙ୍କର ଉତ୍ତୋରତର ଉନ୍ନତି କାମନା କରିଛନ୍ତି।

Related posts