Categories
ଆଞ୍ଚଳିକ

ବଦଳିଲେ ବାଣପୁର ତହସିଲଦାର କୁଞ୍ଜବିହାରୀ ବଡ଼ଜେନା, ଚିଲିକା ପାଇଁ ନିଯୁକ୍ତ ହେଲେ ଚକ୍ରଧର ପାଢ଼ୀ

ବାଣପୁର (ସୀତାରାମ ଅଗ୍ରୱାଲ): ଖୋର୍ଦ୍ଧା ଜିଲ୍ଲା ବାଣପୁର ତହସିଲଦାର କୁଞ୍ଜବିହାରୀ ବଡ଼ଜେନାଙ୍କ ବଦଳି ହୋଇଛି। ଶ୍ରୀ ବଡ଼ଜେନାଙ୍କ କେନ୍ଦ୍ରାପଡ଼ା ଜିଲ୍ଲା ଡେରାବିଶ ତହସିଲଦାର ଭାବେ ବଦଳି ହୋଇଛି। ଶ୍ରୀ ବଡ଼ଜେନାଙ୍କ ନିଜ ଜିଲ୍ଲା ଖୋର୍ଦ୍ଧା ହୋଇଥିବାରୁ ସାଧାରଣ ନିର୍ବାଚନକୁ ଦୃଷ୍ଟିରେ ରଖି ଉକ୍ତ ବଦଳି ହୋଇଥିବା ଆଲୋଚନା ହେଉଛି।

ଶ୍ରୀ ବଡ଼ଜେନା ବାଣପୁରରେ ଏକ ବର୍ଷ ଦଶ ମାସ କାର୍ଯ୍ୟକାଳ ମଧ୍ୟରେ ବହୁ ଉଲ୍ଲେଖନୀୟ କାର୍ଯ୍ୟ କରିଛନ୍ତି। ଜନସାଧାରଣଙ୍କୁ ତହସିଲ ସେବା କିପରି ହାତ ପାହାନ୍ତାରେ ମିଳିପାରିବ ସେ ଦିଗରେ ଯଥେଷ୍ଟ କାର୍ଯ୍ୟ କରିଛନ୍ତି ଶ୍ରୀ ବଡ଼ଜେନା।

ଅନୁରୂପ ଭାବେ ୫-ଟି ଉପକ୍ରମରେ ବିଭିନ୍ନ ରାଜସ୍ବ ସେବା କିପରି ସରଳ ଭାବେ ଜନସାଧାରଣ ମାନେ ପାଇପାରିବେ ସେ ଦିଗରେ ଶ୍ରୀ ବଡ଼ଜେନା କାର୍ଯ୍ୟ କରିଛନ୍ତି।  ବେଆଇନ ଲଘୁ ଖଣିଜ ଦ୍ରବ୍ୟ ଚାଲାଣ ରୋକ ଦିଗରେ ମଧ୍ୟ ଶ୍ରୀ ବଡ଼ଜେନା ଏକାଧିକ କାର୍ଯ୍ୟାନୁଷ୍ଠାନ ନେଇଥିବାର ନଜିର ଅଛି।

ମୂଳତଃ ଶିକ୍ଷକରୁ ପ୍ରଶାସକ ହୋଇଥିବା ତହସିଲଦାର ଶ୍ରୀ ବଡ଼ଜେନା ନିଜର ବ୍ୟବହାର ଏବଂ ସରଳତା ପାଇଁ ସମସ୍ତଙ୍କ ନିକଟରେ ଆଦୃତ ହୋଇପାରିଛନ୍ତି। ତେବେ ବାଣପୁରକୁ ନୂତନ ତହସିଲଦାର ନିଯୁକ୍ତି ବିଜ୍ଞପ୍ତି ପ୍ରକାଶ ହୋଇନାହିଁ।

ଅନୁରୂପ ଭାବେ ଚିଲିକା ତହସିଲଦାର ଦିଲ୍ଲୀପ କୁମାର ଷଡ଼ଙ୍ଗୀଙ୍କ ବଦଳି ହୋଇଥିବା ବେଳେ ତାଙ୍କ ବଦଳରେ ନୂତନ ତହସିଲଦାର ଭାବେ ଗଜପତି ଜିଲ୍ଲା ଡେପୁଟି କଲେକ୍ଟର ଚକ୍ରଧର ପାଢ଼ୀଙ୍କୁ ନିଯୁକ୍ତି ଦିଆଯାଇଛି।

ସୂଚନା ଥାଉକି ସାଧାରଣ ନିର୍ବାଚନକୁ ଦୃଷ୍ଟିରେ ରଖି ରାଜ୍ୟ ସରକାର ଗତକାଲି ଏକକାଳୀନ ଭାବେ ମୋଟ ୨୯୫ ଜଣ ଓଏଏସ ଅଧିକାରୀଙ୍କ ବଦଳି କରିଛନ୍ତି। ତନ୍ମଧ୍ୟରୁ ୧୦୬ ଜଣ ବିଡ଼ିଓ ଏବଂ ୧୮୯ ଜଣ ତହସିଲଦାର ଅଛନ୍ତି।

ଗତକାଲି ରାତିରେ ରାଜସ୍ୱ ଓ ବିପର୍ଯ୍ୟୟ ପରିଚାଳନା ଏବଂ ପଞ୍ଚାୟତରାଜ ଓ ପାନୀୟଜଳ ବିଭାଗ ପକ୍ଷରୁ ଉକ୍ତ ବଦଳି ନିର୍ଦ୍ଦେଶନାମା ପ୍ରକାଶ ପାଇଛି।

Categories
ଆଞ୍ଚଳିକ

ମନ୍ଦିର ଭିତରେ ପାଣି: ବର୍ଷା ଜଳ ନିଷ୍କାସନ ନେଇ ଗ୍ରାମବାସୀ ବାଣପୁର ତହସିଲଦାରଙ୍କ ଦ୍ୱାରସ୍ଥ

ସୀତାରାମ ଅଗ୍ରୱାଲ
ବାଣପୁର: ବାଣପୁର ତହସିଲ ଅନ୍ତର୍ଗତ ନରେନ୍ଦ୍ରପୁର ଗ୍ରାମର ମନ୍ଦିର ଦୁଇଦିନ ଧରି ଜଳବନ୍ଦୀରେ ରହିଥିବା ଜଣାପଡିଛି। ଠାକୁର ରାଧାମୋହନ ଦେବଙ୍କ ମନ୍ଦିର ଭିତରେ ଆଣ୍ଠୁଏ ଉଚ୍ଚରେ ଜଳ। ତତସହିତ ଗ୍ରାମରାସ୍ତାରେ ବର୍ଷାଜଳ ଲହଡି ଭାଙ୍ଗୁଛି। ଏପରିକି ନାଳ ନର୍ଦ୍ଦମା ଜଳ ମନ୍ଦିରର ଗର୍ଭଗୃହରେ ପ୍ରବେଶ କରିଛି।

ଉକ୍ତ ଘଟଣାକୁ ନେଇ ଗ୍ରାମରେ ଚାପା ଉତ୍ତେଜନା ପ୍ରକାଶ ପାଇଛି। ଘଟଣାର ସମାଧାନ ପାଇଁ ଗ୍ରାମବାସୀ ତହସିଲଦାର ଓ ବାଣପୁର ଥାନାର ଦ୍ଵାରସ୍ଥ ହୋଇଛନ୍ତି। ଆଜି ତହସିଲଦାର କୁଞ୍ଜ ବିହାରୀ ବଡ଼ଜେନା ମନ୍ଦିର ନିକଟରେ ପହଞ୍ଚି ସ୍ଥିତି ପରଖିଥିଲେ ମଧ୍ୟ କୌଣସି ସମାଧାନର ରାସ୍ତା ବାହାରି ପାରି ନାହିଁ।

ଘଟଣାରୁ ପ୍ରକାଶ ନରେନ୍ଦ୍ରପୁର ଗ୍ରାମ ମନ୍ଦିର ନିକଟରେ ବର୍ଷା ଜଳ ନିଷ୍କାସନ ନିମନ୍ତେ ଏକ ଶଙ୍ଖ ଅଛି। ଶଙ୍ଖରେ ଏକର ଏକର ଜମିର ବର୍ଷାଜଳ ଦୀର୍ଘବର୍ଷ ଧରି ନିଷ୍କାସନ ହୁଏ।  ବର୍ଷାଜଳ ନିଷ୍କାସନର ସୁବିଧା ପାଇଁ ବ୍ଲକ ଅନୁଦାନରେ ଗ୍ରାମବାସୀ ଶଙ୍ଖ ନିକଟରୁ ଏକ ଡ୍ରେନ ନିର୍ମାଣ କରୁଛନ୍ତି। କିନ୍ତୁ ଡ୍ରେନଟି ଅଧାରେ ଅଟକିଥିବା ଜଣାଯାଇଛି।

ଗ୍ରାମବାସୀଙ୍କ ଅଭିଯୋଗ ମୁତାବକ ଗ୍ରାମର ସଂଗ୍ରାମ କେଶରୀ ମହାରଥୀ ଡ୍ରେନ ନିର୍ମାଣକୁ ବିରୋଧ କରି ଡ୍ରେନ ଆଗରେ ମାଟି ପକାଇଥିବାରୁ ପାଣି ନିଷ୍କାସନ ନ ହୋଇ ମନ୍ଦିର ଓ ରାସ୍ତାରେ ଅଟକି ରହିଛି। କିନ୍ତୁ ତହସିଲଦାର, ଆରଆଇ ମିଳିତ ଭାବରେ ସ୍ଥିତି ପରଖିବା ବେଳେ ଜଣାଯାଇଛି କି ଡ୍ରେନ ଯିବାକୁ ଥିବା ରାସ୍ତାରେ କୌଣସି ସରକାରୀ ଜାଗା ନାହିଁ।

ଗ୍ରାମବାସୀ ପାଣି ନିଷ୍କାସନ ନିମନ୍ତେ ବ୍ୟକ୍ତି ଜଣକଙ୍କ ନିଜ ଜାଗା ଉପରେ ଡ୍ରେନ ନିର୍ମାଣ କରିବାକୁ ଚାହୁଁଛନ୍ତି। ଏପରିକି ଗ୍ରାମବାସୀଙ୍କ ତରଫରୁ ଜାଗା ଛାଡ଼ିବା ପାଇଁ ଅନୁରୋଧ ବି କରାଯାଇଛି। କିନ୍ତୁ ସଂଗ୍ରାମଙ୍କ ଘର ପ୍ରତି ବିପଦ ଥିବାରୁ ସେ ଘର ଆଗ ଦେଇ ଡ୍ରେନ ନିର୍ମାଣକୁ ବିରୋଧ କରି ରାସ୍ତା ଛାଡ଼ୁନାହାନ୍ତି।

ଯାହାଫଳରେ ଏ ପ୍ରକାର ଅପ୍ରିତିକର ପରିସ୍ଥିତି ଉପୁଜିଛି। ତହସିଲଦାର ଶ୍ରୀଯୁକ୍ତ ବଡ଼ଜେନା ସେଠାରେ କୌଣସି ସରକାରୀ ଜାଗା ନ ଥିବାରୁ ପ୍ରଶାସନ କାହାକୁ ଜୋର କରି ଜାଗା ଛାଡିବାକୁ କହିପାରିବ ନାହିଁ ବୋଲି କହିଛନ୍ତି। ତେଣୁ ବୁଝାମଣା ଭିତରେ ଡ୍ରେନ ନିର୍ମାଣ ହୋଇପାରିଲେ ସମସ୍ୟାର ସମାଧାନ ହୋଇପାରିବ। ପରିସ୍ଥିତିକୁ ଦେଖି ତହସିଲଦାର ତାଙ୍କୁ ଏହାର ଆପୋଷ ସମାଧାନ ନିମନ୍ତେ ଅନୁରୋଧ କରିଥିଲେ ମଧ୍ୟ ସେ ଗ୍ରହଣ କରିନଥିବା ଜଣାଯାଇଛି।

Categories
ଆଞ୍ଚଳିକ

ପାହାଡ଼ ନିଲାମୀ ପରବର୍ତ୍ତୀ ସମସ୍ୟା: ବାଣପୁର ତହସିଲଦାରଙ୍କୁ ଭେଟିଲେ ବିଜେପି ନେତା ପୃଥ୍ଵୀରାଜ

ସୀତାରାମ ଅଗ୍ରୱାଲ

ବାଣପୁର: ଖୋର୍ଦ୍ଧା ଜିଲ୍ଲା ବାଣପୁର ବ୍ଲକ ଅଧିନସ୍ଥ କୁଲେଇ ଗ୍ରାମପଞ୍ଚାୟତର ନୀଳକଣ୍ଠପୁର ମୌଜାରେ ଅଛି ବସବାଗୁଲି ପାହାଡ଼। ସରକାରଙ୍କ ନିର୍ଦ୍ଦେଶ ମୁତାବକ ଉକ୍ତ ପାହାଡ଼ରୁ ପଥର ନେବାପାଇଁ ଜନୈକ ନିଲାମଧାରୀ ଲିଜ ଗ୍ରହଣ କରିଛନ୍ତି। ପଥର ଫଟାଇବା ପରେ ସ୍ଥାନୀୟ ଅଧିବାସୀ ଉକ୍ତ ନୀଲାମକୁ ବିରୋଧ କରିଛନ୍ତି। ଗ୍ରାମବାସୀ ଜିଲ୍ଲାପାଳ ଓ ତହସିଲଦାରଙ୍କୁ ପୂର୍ବରୁ ଅଭିଯୋଗ ପ୍ରଦାନ କରାଯାଇଥିବା ବେଳେ ବୁଧବାର ଅପରାହ୍ନରେ ବିଜେପି ରାଜ୍ୟ ସାଧାରଣ ସମ୍ପାଦକ ପୃଥ୍ୱୀରାଜ ହରିଚନ୍ଦନ, ବ୍ଲକ ଅଧକ୍ଷ ଅମରେନ୍ଦ୍ର ରଣସିଂହ, ବହୁ ବିଜେପି ସମର୍ଥିତ ସରପଞ୍ଚ, ସମିତି ସଭ୍ୟ ଓ ୧୪ ନମ୍ବର ଜୋନ ଜିଲ୍ଲାପରିଷଦ ସଭ୍ୟ ତହସିଲଦାରଙ୍କୁ ଭେଟି ଉକ୍ତ ଲିଜ ଉପରେ ରୋକ ଲଗାଇବା ନିମନ୍ତେ ଆଲୋଚନା କରିଥିଲେ।

ଜିଲ୍ଲାପାଳଙ୍କୁ ଗ୍ରାମବାସୀମାନ କରିଥିବା ଅଭିଯୋଗ ଅନୁଯାୟୀ ଉକ୍ତ ପାହାଡରେ ବିଭିନ୍ନ ପ୍ରକାର ଔଷଧ ଜାତୀୟ ବୃକ୍ଷ ଏବଂ ନାନା ପ୍ରଜାତିର ବନ୍ୟ ଜୀବଜନ୍ତୁ ବାସକରନ୍ତି। ୫୦ ହେକ୍ଟର ପାହାଡ଼ ଜାଗାରେ ଟାଙ୍ଗୀ ଓ ଖୋର୍ଦ୍ଧା ବନାଞ୍ଚଳ ଅଧିକାରୀଙ୍କ ତରଫରୁ ବୃକ୍ଷ ରୋପଣ କରାଯାଇଥିବା ବେଳେ ଗ୍ରାମବାସୀଙ୍କୁ ପ୍ରକୃତିମିତ୍ରର ଉପାଧି ମଧ୍ୟ ମିଳିଛି। ଅଂଚଳର ମାଟି କଳାମାଟି ହୋଇଥିବାରୁ ପଥର ଫଟାଇବା ଦ୍ୱାରା ଘର ଗୁଡିକ ଉପରେ ବିପଦ ସୃଷ୍ଟି କରିବ।

ପାହାଡ଼ର ଚାରିପଟେ କୁଲେଇ, ଗୋତପଲି, ଗମେଇ, ଦୀନବନ୍ଧୁପୁର, ମନେଇ ମାନସିଂହପୁର ଗ୍ରାମର ପ୍ରାୟ ୨୦୦୦ ରୁ ଅଧିକ ଜନବସତି ବାସ କରନ୍ତି। ବହୁ ବୟସ୍କ ବୃଦ୍ଧ ଓ ବୃଦ୍ଧା ତତସହିତ ହୃଦରୋଗୀ ଅଛନ୍ତି। ପାହାଡର ସଂଗୃହିତ ଜଳକୁ ସଂରକ୍ଷିତ ରଖି ଚାଷ କାର୍ଯ୍ୟରେ ବିନିଯୋଗ କରାଯାଏ। ହଜାର ହଜାର ସଂଖ୍ୟରେ ଗାଈଗୋରୁଙ୍କର ଉକ୍ତ ପାହାଡ଼ ଚରାଭୂଇଁ l ସେମାନଙ୍କ ଅବସ୍ଥା କଣ ହେବ।

୧୯୯୭ ମସିହାଠାରୁ ବସୁବାଗୁଲି ପାହାଡକୁ ଜଙ୍ଗଲ କମିଟି ତରଫରୁ ଚାରିଜଣ ଲେଖା ଜଗି ଆସୁଛନ୍ତି। ଉକ୍ତ ପାହାଡ଼ ନୀଲାମ ଜଙ୍ଗଲ ଆଇନର ବିରୁଦ୍ଧଚାରଣ କରିବା ସହ ମାନ୍ୟବର ଉଚ୍ଚତମ ନ୍ୟାୟାଳୟଙ୍କ ଡବ୍ଲୁପିସି ନମ୍ବର ୨୦୨/୯୫ କୁ ବିରୁଦ୍ଧଚରଣ କରୁଛି। ଏ ନେଇ ବାଣପୁର ତହସିଲଦାର କୁଞ୍ଜବିହାରୀ ବଡ଼ଜେନା ଙ୍କୁ ପଚାରିବାରୁ ଜନୈକ ଲିଜ ଧାରୀ ସମସ୍ତ ସରକାରୀ ପ୍ରକ୍ରିୟାକୁ ପୂରଣ କରି ଲିଜ ନେଇଛନ୍ତି। ତଥାପି ବିଜେପିର ଉକ୍ତ ମୌଖିକ ଅଭିଯୋଗକୁ ସେ ଉଚ୍ଚପଦସ୍ଥ ଅଧିକାରୀଙ୍କୁ ଅବଗତ କରାଇବେ ବୋଲି କହିଛନ୍ତି।

Categories
ଆଜିର ଖବର ରାଜ୍ୟ ଖବର

ପ୍ରସିଦ୍ଧ ଶକ୍ତିପିଠ ମା’ ଭଗବତୀ ମନ୍ଦିର ହେବ ଜବରଦଖଲ ମୁକ୍ତ, ଆରମ୍ଭ ହେଲା ପକ୍ରିୟା

ରିପୋର୍ଟ- ସୀତାରାମ ଅଗ୍ରୱାଲା

ବାଣପୁର: ରାଜ୍ୟ ସରକାର ଓଡିଶାର ଥିବା ବିଭିନ୍ନ ଧର୍ମପିଠଗୁଡିକର ନବୀକରଣ କାର୍ଯ୍ୟ ହାତକୁ ନେଉଛନ୍ତି। ସେହି ପରିପ୍ରେକ୍ଷୀରେ ଖୋର୍ଦ୍ଧା ଜିଲ୍ଲା ବାଣପୁରରେ ଥିବା ପ୍ରସିଦ୍ଧ ଶକ୍ତିପିଠ ମା ଭଗବତୀ ମନ୍ଦିରର ସୌନ୍ଦର୍ଯ୍ୟ କରଣ ହେବ। ସେଥିପାଇଁ ପ୍ରାରମ୍ଭିକ ପର୍ଯ୍ୟାୟରେ ଏହି ମନ୍ଦିରକୁ ଜବରଦଖଲ ମୁକ୍ତ କାର୍ଯ୍ୟ ଆରମ୍ଭ କରାଯାଇଛି।

ଖୋର୍ଦ୍ଧା ଜିଲ୍ଲାପାଳଙ୍କ ନିର୍ଦେଶକ୍ରମେ ଗତକାଲି ଅପରାହ୍ନରେ ବାଣପୁର ତହସିଲଦାର କୁଞ୍ଜବିହାରୀ ବଡ଼ଜେନା ମା’ ଭଗବତୀ ମନ୍ଦିର ସମ୍ମୁଖରେ ପହଞ୍ଚି ଏନଏସି ପ୍ରଶାସନ ଏବଂ ଏଣ୍ଡାଓମେଣ୍ଟର ଉପସ୍ଥିତିରେ ଆରଆଇ ଏବଂ ଅମିନଙ୍କ ସହଯୋଗରେ ସରକାରୀ ଜାଗା ଚିହ୍ନଟ କରିଥିଲେ।

ସୌନ୍ଦର୍ଯ୍ୟକରଣ ପାଇଁ ମନ୍ଦିର ସମ୍ମୁଖରେ ଥିବା ପତିତପାବନ ଦେବଙ୍କ ମଣ୍ଡପକୁ ସ୍ଥାନାନ୍ତରିତ କରାଯିବ ବୋଲି ସୂଚନା ମିଳିଛି। ସେହିପରି ଭାବେ ମନ୍ଦିର ପାର୍ଶ୍ୱ ଏବଂ ସମ୍ମୁଖରେ ଥିବା କିଛି ଦୋକାନ ମଧ୍ୟ ଉଛେଦ ହୋଇପାରେ ବୋଲି ତହସିଲଦାର କହିଛନ୍ତି।

ଭଗବତୀ ମନ୍ଦିରର ଉନ୍ନତିକରଣ ଓ ସୌନ୍ଦର୍ଯ୍ୟକରଣ ପାଇଁ ପୂର୍ବରୁ ରାଜ୍ୟ ସରକାର 50 ଲକ୍ଷ ଟଙ୍କାର ଅନୁଦାନ ଦେଇସାରିଛନ୍ତି। ଜବରଦଖଲ ମୁକ୍ତ ପରେ ଉକ୍ତ ଟଙ୍କାକୁ ମନ୍ଦିରର ଆଭ୍ୟନ୍ତରୀଣ ଏବଂ ବାହ୍ୟ ଅଞ୍ଚଳର ବିକାଶ ଓ ସୌନ୍ଦର୍ଯ୍ୟକରଣରେ ବିନିଯୋଗ କରାଯିବ ବୋଲି ନିଷ୍ପତି ହୋଇଛି।

Categories
ଆଞ୍ଚଳିକ

ବାଣପୁର: ତହସିଲଦାରଙ୍କ ନିକଟରେ ଆପତ୍ତି ଓ ଅଭିଯୋଗ ଜଣାଇଲେ ଶତାଧିକ ଆଦିବାସୀ ମହିଳା ଓ ପୁରୁଷ

ସୀତାରାମ ଅଗ୍ରୱାଲ

ବାଣପୁର: ଖୋର୍ଦ୍ଧା ଜିଲ୍ଲା ବାଣପୁର ବ୍ଲକ ଅନ୍ତର୍ଗତ ନୀଳାଦ୍ରିପ୍ରସାଦ ଓ ଦାମିଆ ବରବରା ପଞ୍ଚାୟତର ଶତାଧିକ ମହିଳା ଓ ପୁରୁଷ ତହସିଲଦାରଙ୍କୁ ଭେଟି ସେମାନଙ୍କ ଆପତ୍ତି ଓ ଅଭିଯୋଗ ଜଣାଇଛନ୍ତି। ପ୍ରବଳ ବର୍ଷା ସତ୍ତ୍ୱେ ବାଣପୁର ଆସି ସେମାନେ ତହସିଲଦାରଙ୍କ ନିକଟରେ ଆପତ୍ତି ଓ ଅଭିଯୋଗ ଜଣାଇଛନ୍ତି।

ଦୀର୍ଘଦିନ ହେବ ଦୁଇଟି ଆଦିବାସୀ ଅଧ୍ୟୁଷିତ ପଞ୍ଚାୟତର ଆଦିବାସୀମାନେ ନିଜର ସାମ୍ବିଧାନିକ ଅଧିକାର ତଥା ଜୀବନଜୀବିକା ପାଇଁ ସଙ୍ଘର୍ଷ କରିଆସୁଛନ୍ତି। ସେମାନଙ୍କର ବାପା ଅଜା ଅମଳରୁ ଚାଷ ବାସ କରି ଚଳି ଆସୁଥିବା ଜଙ୍ଗଲ ଜମିକୁ ନିଜ ନାମରେ କରିବା ପାଇଁ ଆବେଦନ କରିଆସୁଥିଲେ ମଧ୍ୟ ଆଜିଯାଏଁ ହାତ ଗଣତି କିଛି ଆଦିବାସୀଙ୍କୁ ମିଳିଥିବାବେଳେ ଅନ୍ୟମାନଙ୍କୁ ଆଜି ପର୍ଯ୍ୟନ୍ତ ଜମି ପଟ୍ଟା ମିଳିପାରି ନାହିଁ।

ରାଜ୍ୟ ସରକାରଙ୍କ ୨୦୦୬ ଜଙ୍ଗଲ ଅଧିକାର ଆଇନ୍ ମୁତାବକ ନିଜ ଗ୍ରାମରେ ଗ୍ରାମସଭା ଜଙ୍ଗଲ କମିଟି ମାଧ୍ୟମରେ ପଟ୍ଟା ପାଇଁ ଆବେଦନ କରାଯାଇଛି। ଜଙ୍ଗଲରେ ଥିବା ଜମିକୁ ଉଭୟ ରାଜସ୍ବ ଓ ଜଙ୍ଗଲ ବିଭାଗ ପକ୍ଷରୁ ମାପ ଚିହ୍ନଟ କରି ପ୍ରତ୍ୟେକ ଆଦିବାସୀଙ୍କୁ ତାଙ୍କ ଦଖଲ ଜମିର ବ୍ୟକ୍ତିଗତ ଅଧିକାର ଓ ଭୋଗ କରୁଥିବା ଜଙ୍ଗଲକୁ ଗୋଷ୍ଠୀ ଅଧିକାର ରୁପେ ପ୍ରଦାନ କରାଯିବା କଥା। କିନ୍ତୁ ଆଇନ ହେବାର ଦୀର୍ଘ ୧୫ ବର୍ଷ ବିତିଯାଇଥିଲେ ମଧ୍ୟ ବାଣପୁରର ଆଦିବାସୀ ଅଧ୍ୟୁଷିତ ଅଞ୍ଚଳରେ ଉକ୍ତ ଆଇନ କାଯ୍ୟକାରିତାର କୌଣସି ସୁଫଳ ଦେଖିବାକୁ ମିଳିପାରିନାହିଁ।

ତେଣୁ ଆଜି ଉକ୍ତ ଅଞ୍ଚଳର ଯୁବସାଥି ନୀଳକଣ୍ଠ ଶବର, ପ୍ରଦୀପ ଶବର, ରୋହିତ ଶବର, ଲକ୍ଷ୍ମଣ ଶବର, ସଲମନ ଶବର, ହରମୋହନ ଜାନି, ସାବିତ୍ରୀ ଶବର ଓ ମାଣିକ ଶବରଙ୍କ ନେତୃତ୍ଵରେ ଆଦିବାସୀ ମାନେ ନିଜ ସମସ୍ୟା ସମ୍ପର୍କରେ ତହସିଲଦାରଙ୍କ ସହ ଆଲୋଚନା କରିବା ସହିତ ସେମାନଙ୍କର ନିଜ ଜମି ପଟ୍ଟାରେ ତ୍ରୁଟିପୂର୍ଣ୍ଣ ଜାତି ଲେଖାଯାଇଥିବା ପ୍ରାୟ ୫୦ରୁ ଉର୍ଦ୍ଧ ପଟ୍ଟାଗୁଡିକର ସଂଶୋଧନ ନିମନ୍ତେ ତହସିଲଦାରଙ୍କୁ ପଟ୍ଟା ସମ୍ବନ୍ଧୀୟ କାଗଜପତ୍ର ପ୍ରଦାନ କରିଛନ୍ତି।

ଉକ୍ତ କାର୍ଯ୍ୟକର୍ମରେ ଏକତା ପରିଷଦ ଟ୍ରଷ୍ଟ, ବାଣପୁରର ଅଧ୍ୟକ୍ଷା ସନ୍ଧ୍ୟାଦେବି ଏବଂ କର୍ମକର୍ତ୍ତା ମାନେ ଯଥା ତାରାପ୍ରସାଦ ବାରିକ୍, ଜିତେନ୍ଦ୍ର ବରାଳ, ଟୁନି ଦାସ ଇତ୍ୟାଦି ଉପସ୍ଥିତ ରହି ସେମାନଙ୍କୁ ସହଯୋଗ କରିଥିଲେ।

Categories
ଆଜିର ଖବର ଆଞ୍ଚଳିକ ରାଜ୍ୟ ଖବର

ଚିଲିକାରେ ମାସ୍କ ଯାଞ୍ଚ ହେଲା କଡ଼ାକଡ଼ି: ବହୁ ଅମାନିଆ ଗଣିଲେ ତଣ୍ଡ

ସୀତାରାମ ଅଗ୍ରୱାଲ

ଚିଲିକା: ଦିନକୁ ଦିନ ରାଜ୍ୟରେ କରୋନା ସଂକ୍ରମଣ ଉପରମୁହାଁ ହେଉଥିବାବେଳେ କିଛି ଦିନ ହେଲା ଖୋର୍ଦ୍ଧା ଜିଲ୍ଲାରେ ସଂକ୍ରମଣ ସଂଖ୍ୟା ଏକ ନମ୍ବରରେ ରହୁଛି। ତେଣୁ ଖୋର୍ଦ୍ଧା ଜିଲ୍ଲାପାଳ କରୋନା କଟକଣାକୁ କଡ଼ାକଡି କରିଛନ୍ତି।  ଜିଲ୍ଲାପାଳ ସନତ କୁମାର ମହାନ୍ତିଙ୍କ ନିର୍ଦ୍ଦେଶକ୍ରମେ ବର୍ତ୍ତମାନ ଚିଲିକା ନିର୍ବାଚନମଣ୍ଡଳୀରେ କୋଭିଡ ଯାଞ୍ଚ ଜୋରଦାର କରାଯାଇଛି।

ଏହି ପରିପ୍ରେକ୍ଷୀରେ ଆଜି ପୂର୍ବାହ୍ନରେ ବାଣପୁର ତହସିଲଦାର ମନ୍ମଥ ବେହେରାଙ୍କ ନେତୃତ୍ୱରେ ଏବଂ ନାଚୁଣୀ ଫାଣ୍ଡି ଅଧିକାରୀ ଉମାକାନ୍ତ ସାହୁଙ୍କ ସହଯୋଗରେ ନାଚୁଣୀ ବଜାରରେ କଡ଼ାକଡ଼ି କୋଭିଡ ଚେକିଂ ଆରମ୍ଭ ହୋଇଥିଲା। ପାଖାପାଖି ୨ ଘଣ୍ଟା ଧରି ଉକ୍ତ ଚଢ଼ାଉ ଜାରି ରହି ୨୧ ଜଣ ଅମାନିଆଙ୍କଠୁ ୪ ହଜାର ୨୦୦ ଟଙ୍କା ଜରିମାନା ଆଦାୟ କରାଯାଇଛି। ଏନେଇ ତହସିଲଦାର ଶ୍ରୀ ବେହେରା ସୂଚନା ଦେଇଛନ୍ତି।

ତତସହିତ ତହସିଲଦାର ଏବଂ ଫାଣ୍ଡି ଅଧିକାରୀ ସମସ୍ତ ଜନସାଧାରଣଙ୍କୁ ମାସ୍କ ପିନ୍ଧିବା ସହ ସାମାଜିକ ଦୂରତ୍ୱ ଅବଲମ୍ବନ କରିବା ପାଇଁ ଅନୁରୋଧ କରିଛନ୍ତି। ତେବେ ଆଗାମୀ ଦିନରେ କୋଭିଡ ଯାଞ୍ଚକୁ ଆହୁରି ଜୋରଦାର କରାଯିବ ବୋଲି ତହସିଲଦାର ଶ୍ରୀ ବେହେରା ସୂଚନା ଦେଇଛନ୍ତି।

ଆଜିର ଚଢ଼ାଉରେ ବାଣପୁର ତହସିଲ କାର୍ଯ୍ୟାଳୟର ଉପ ନିବନ୍ଧକ ବସନ୍ତ ବେଦମତ୍ତା, କର୍ମଚାରୀ ବୀରେନ୍ଦ୍ର ପଣ୍ଡା ଏବଂ ନାଚୁଣୀ ଫାଣ୍ଡି କର୍ମଚାରୀ ଆଦି ସାମିଲ ଥିଲେ।

ଅନୁରୂପ ଭାବେ ଆଜି ଚିଲିକା ବ୍ଲକ ବଡକୁଳ ଅଞ୍ଚଳରେ ତହସିଲଦାର ପୁନମ ମହାପାତ୍ରଙ୍କ ନେତୃତ୍ୱରେ କୋଭିଡ ଯାଞ୍ଚ ହୋଇଥିଲା। ଯେଉଁଥିରେ ସମୁଦାୟ ୮ ଜଣ ଅମାନିଆଙ୍କଠାରୁ ୧ହଜାର ୬ ଶହ ଟଙ୍କା ଜରିମାନା ଆଦାୟ ହୋଇଥିବାର ସୂଚନା ମିଳିଛି।

Categories
ଆଜିର ଖବର ଆଞ୍ଚଳିକ ରାଜ୍ୟ ଖବର

ଚଳିତ ବର୍ଷ ବିନା ଭକ୍ତରେ ଅନୁଷ୍ଠିତ ହେବ ଓଡିଶା ପ୍ରସିଦ୍ଧ ବାଣପୁର ପଞ୍ଚଦୋଳ ଯାତ୍ରା

ସୀତାରାମ ଅଗ୍ରୱାଲ

ବାଣପୁର: ଓଡିଶା ପ୍ରସିଦ୍ଧ ପଞ୍ଚଦୋଳ ଉତ୍ସବ ନିମନ୍ତେ ଏକ ଜରୁରୀକାଳୀନ ବୈଠକ ଅନୁଷ୍ଠିତ ହୋଇଯାଇଛି। ଆଜି ଅପରାହ୍ନରେ ଖୋର୍ଦ୍ଧା ଜିଲ୍ଲା ଅନ୍ତର୍ଗତ ବାଣପୁରର ସ୍ଥାନୀୟ ଛାୟା ମଣ୍ଡପ ଠାରେ ଏହି ବୈଠକ ଅନୁଷ୍ଠିତ ହୋଇଯାଇଛି। ଉକ୍ତ ବୈଠକର ଅଧ୍ୟକ୍ଷତା କରିଥିଲେ ବାଣପୁର ତହସିଲଦାର ମନ୍ମଥ ବେହେରା।

ଚଳିତ ବର୍ଷ ପଞ୍ଚଦୋଳ ଉତ୍ସବ ଏପ୍ରିଲ ୨ ତାରିଖ ମଧ୍ୟରାତ୍ରିରୁ ଆରମ୍ଭ ହୋଇ ଏପ୍ରିଲ ୩ ତାରିଖ ଅପରାହ୍ନରେ ଶେଷ ହେବ। କରୋନା କଟକଣାକୁ ଦୃଷ୍ଟିରେ ରଖି କିପରି ଉକ୍ତ ଉତ୍ସବ ପାଳନ କରାଯିବ ଏ ନେଇ ପଞ୍ଚୁଦୋଳ କମିଟି ସଭ୍ୟ ଏବଂ ସାମ୍ବାଦିକମାନଙ୍କ ମତାମତ ଲୋଡ଼ିଥିଲେ ତହସିଲଦାର। ତତସହିତ ପଞ୍ଚଦୋଳ ଉତ୍ସବ ସମୟରେ କରୋନା କଟକଣା ଲାଗୁ କରିବା ନେଇ ତହସିଲଦାର ଏବଂ ବାଲୁଗାଁ ଏସଡ଼ିପିଓ ମତାମତ ଲୋଡ଼ିଥିଲେ।

ତେବେ ସର୍ବସମ୍ମତି କ୍ରମେ ସରକାରଙ୍କ କୋଭିଡ କଟକଣା ଅନୁଯାୟୀ ଚଳିତ ବର୍ଷ ପଞ୍ଚଦୋଳ ପାଳନ କରିବା ପାଇଁ ନିଷ୍ପତି ହୋଇଛି। କେବଳ ଠାକୁରଙ୍କ ରୀତିନୀତି ହେବା ପାଇଁ ସ୍ଥିର ହୋଇଛି।

କ’ଣ ରହିଛି କଟକଣା?: 

୧- ପ୍ରତ୍ୟେକ ଦୋଳ/ବିମାନ ବାହାନକୁ ଧରି ସୀମିତ ସେବାୟତଙ୍କୁ ନେଇ(କମିଟି ଦ୍ୱାରା ନିର୍ଦ୍ଧାରିତ) ପଡିଆକୁ ଆସିବେ।

୨- ବିମାନଯାତ୍ରା ସହ କୌଣସି ଆତସ ବାଜି, ପଟୁଆର, ରୋଷଣୀ, ଡ଼ିଜେ ଓ ଜେନେରେଟର ଆଣିବାକୁ ବାରଣ କରାଯାଇଛି।

୩- କେବଳ ସୀମିତ ସଂଖ୍ୟାରେ (କମିଟି ଦ୍ୱାରା ନିର୍ଦ୍ଧାରିତ) ଘଣ୍ଟ, କାହାଳି, ଦିହୁଡି, ପୂଜକ ସେବକ ପଡିଆକୁ ଆସିବେ।

୪- ଯାତ୍ରା ଦିନ ପଡିଆର ସମସ୍ତ ଦୋକାନ ବଜାର ସମ୍ପୂର୍ଣ୍ଣ ବନ୍ଦ ରହିବ।

୫- ମିନାବଜାର, ଉଠା ଦୋକାନ ଆଦିକୁ ମନା।

୬- ସମସ୍ତଙ୍କୁ ମାସ୍କ, ସାନିଟାଇଜର ବ୍ୟବହାର କରିବା ସହ ସାମାଜିକ ଦୂରତ୍ୱ ରକ୍ଷା କରିବାକୁ ବାଧ୍ୟତାମୂଳକ କରାଯାଇଛି।

୭- କୋଭିଡ ଲକ୍ଷଣ ଥିବା ସେବାୟତ ପଡିଆକୁ ଆସିପାରିବେ ନାହିଁ।

୮- ବାଣପୁର ଗୋଷ୍ଠୀ ସ୍ୱାସ୍ଥ୍ୟ କେନ୍ଦ୍ର ଦ୍ୱାରା ସମସ୍ତଙ୍କ ସ୍କ୍ରିନିଂ ବ୍ୟବସ୍ଥା ବାଧ୍ୟତାମୂଳକ କରାଯାଇଛି।

୯- ସାଧାରଣ ଲୋକଙ୍କୁ ପଡିଆ ମଧ୍ୟକୁ ଯିବା ଅନୁମତି ନାହିଁ।

ଆସନ୍ତାକାଲି ସମ୍ପୂର୍ଣ୍ଣ କଟକଣା ବିବରଣୀ ପଞ୍ଚଦୋଳ କମିଟି ଦ୍ୱାରା ପ୍ରକାଶ କରାଯିବ ବୋଲି ସୂଚନା ମିଳିଛି। ସରକାରଙ୍କ ଦ୍ୱାରା ଯଦି କିଛି ନୂତନ ଗାଇଡଲାଇନ ଜାରି ହୁଏ, ତେବେ ସେହି ଗାଇଡଲାଇନ ଆଧାରରେ ଉକ୍ତ ନିୟମର ପରିବର୍ତ୍ତନ କରାଯିବ ବୋଲି କମିଟି ପ୍ରକାଶ କରିଛି।

 

ଉକ୍ତ ବୈଠକରେ ତହସିଲଦାରଙ୍କ ସମେତ ବାଲୁଗାଁ ଏସଡ଼ିପିଓ ମାନସ ରଞ୍ଜନ ବାରିକ, ବାଣପୁର ଆଇଆଇସି ସଞ୍ଜୟ କୁମାର ପଟ୍ଟନାୟକ, ବାଣପୁର ଏନଏସି କାର୍ଯ୍ୟନିର୍ବାହୀ ଅଧିକାରୀ ଅବିନାଶ ମହାନ୍ତି, ବାଣପୁର ଅଗ୍ନିଶମ ଅଧିକାରୀ ବିବେକାନନ୍ଦ ଦାସ, ବାଣପୁର ଗୋଷ୍ଠୀ ସ୍ୱାସ୍ଥ୍ୟ କେନ୍ଦ୍ର ଅଧିକାରୀ ଡ଼ା. ଧୂର୍ଜଟି ପ୍ରସାଦ ମହାପାତ୍ର, ପଞ୍ଚଦୋଳ କମିଟି ଉପସଭାପତି ପ୍ରଫେସର ନଳିନୀକାନ୍ତ ପଟ୍ଟନାୟକ, ବୀରଭଦ୍ର କାଣ୍ଡି, କମିଟି ସମ୍ପାଦକ ମାଧବ ଚନ୍ଦ୍ର ବାରିକ, କୋଷାଧକ୍ଷ ନବ ପ୍ରଧାନ, ସୁବ୍ରତ ଜେନା, ସହ ସମ୍ପାଦକ ମହେଶ୍ୱର ଜେନା, ଶେଖ୍ ମୋଇନିଉଲ୍ ହକ୍, ବାଣପୁର ଏବିଡ଼ିଓ ସୀମାଦ୍ରୀ ପାତ୍ର, ସାଂସଦ ପ୍ରତିନିଧି ମାନସ ପ୍ରଧାନ, ବିଧାୟକ ପ୍ରତିନିଧି ଗୋପୀନାଥ ମହାରଣା, ବିଦ୍ୟୁତ ବିଭାଗ କନିଷ୍ଠ ଯନ୍ତ୍ରୀ ଅନିଲ କୁମାର ରାଜ, କେଦାରେଶ୍ୱର ନନ୍ଦ, ଅବସର ପ୍ରାପ୍ତ ଶିକ୍ଷକ ବାଳମୁକୁନ୍ଦ ଦାସଙ୍କ ସମେତ ବହୁ ମାନଗଣ୍ୟ ବ୍ୟକ୍ତି ଉପସ୍ଥିତ ଥିଲେ।

Categories
ଆଞ୍ଚଳିକ

ବାଣପୁରରେ କରୋନା ସଂକ୍ରମଣ ରୋକିବାକୁ ହେଲେ ଅମାନିଆଙ୍କ ପ୍ରତି କଡା ଆଭିମୁଖ୍ୟ ଜରୁରୀ: ତହସିଲଦାର

ସୀତାରାମ ଅଗ୍ରୱାଲ

ବାଣପୁର: କରୋନା ମହାମାରୀ ବର୍ତ୍ତମାନ ଖୋର୍ଦ୍ଧା ଜିଲ୍ଲା ବାଣପୁର ଅଞ୍ଚଳରେ ବେଶୀ ବ୍ୟାପୁଥିବାବେଳେ ସ୍ଥାନୀୟ ପ୍ରଶାସନ ଏହାକୁ ନିୟନ୍ତ୍ରଣ କରିବା ପାଇଁ ଯଥାସମ୍ଭବ ଚେଷ୍ଟା କରୁଛି। ବାଣପୁର ତହସିଲଦାର ତଥା କୋଭିଡ ଏନ୍ଫୋର୍ସମେଣ୍ଟ କମିଟି ଚେୟାରମ୍ୟାନ ଶ୍ରୀ ମନ୍ମଥ ବେହେରା ନିକଟରେ ମହାମାରୀ କରୋନାରେ ଆକ୍ରାନ୍ତ ହୋଇ ସୁସ୍ଥ ହୋଇଛନ୍ତି।  ତଥାପି କରୋନାକୁ ଭୃକ୍ଷେପ ନକରି ନିଜ କର୍ତ୍ତବ୍ୟ ପ୍ରତି ଧ୍ୟାନ ଦେଉଛନ୍ତି। ପ୍ରତିଦିନ ବାଣପୁରରେ ପୋଲିସ, ଏନ.ଏ.ସି ଏବଂ ତହସିଲ ପକ୍ଷରୁ ପୃଥକ ପୃଥକ ଭାବେ କୋଭିଡ ନିୟମର କଡ଼ାକଡ଼ି ଯାଞ୍ଚ ହେଉଛି। ହେଲେ ଏକାକୀ ତହସିଲ ପ୍ରଶାସନ ଦ୍ୱାରା ତିନି ଗୋଟି ଏନ୍ଫୋର୍ସମେଣ୍ଟ ଟିମ ଗଠନ କରାଯାଇଅଛି। ଯାହା ସମ୍ପୂର୍ଣ ତହସିଲ ଅଞ୍ଚଳରେ ଦିନ ତମାମ କୋଭିଡ ନିୟମର କଡ଼ାକଡ଼ି ଯାଞ୍ଚ କରୁଛି।

ବାଣପୁର ରେ କୋଭିଡ ସଂକ୍ରମଣକୁ କମେଇବାକୁ ହେଲେ ଅମାନିଆଙ୍କ ପ୍ରତି କଡା ଆଭିମୁଖ୍ୟ ଗ୍ରହଣ କରାଯିବ ବୋଲି ତହସିଲଦାର ଶ୍ରୀ ବେହେରା କହିଛନ୍ତି। କୋଭିଡ ନିୟମ ତଥା ସାମାଜିକ ଦୁରତ୍ଵ ଏବଂ ମାସ୍କ ପିନ୍ଧିବା କଟକଣାକୁ ଅମାନିଆମାନେ ବେଖାତିରି କରି ନିଜେ ଏବଂ ନିଜ ପରିବାର ପ୍ରତି ବିପଦ ସୃଷ୍ଟି କରୁଛନ୍ତି। ସେମାନଙ୍କୁ ବାରମ୍ବାର ସଚେତନ କଲେ ମଧ୍ୟ କର୍ଣ୍ଣପାତ କରୁନାହାନ୍ତି। ତେଣୁ ଆମକୁ ବାଧ୍ୟ ହୋଇ ଜରିମାନା ଆଦାୟ କରିବାକୁ ପଡୁଛି ବୋଲି ତହସିଲଦାର କ୍ଷୋଭର ସହ କହିଛନ୍ତି।

ଆଜି ଦିନ ତମାମ ବାଣପୁର ତହସିଲ ପକ୍ଷରୁ ତହସିଲର ବିଭିନ୍ନ ଅଞ୍ଚଳ ଚଢ଼ାଉ ହୋଇଥିବାସ୍ଥଳେ ସନ୍ଧ୍ୟାରେ ଖୋଦ ତହସିଲଦାର ଶ୍ରୀ ବେହେରା ତହସିଲର ଏନ୍ଫୋର୍ସମେଣ୍ଟ ଟିମ ସହ ବାଣପୁର ବଜାର ବୁଲି ଗୋଟି ଗୋଟି ଦୋକାନରେ କୋଭିଡ ନିୟମର ଯାଞ୍ଚ କରିଥିଲେ। ଆଜି ସନ୍ଧ୍ୟା ସୁଦ୍ଧା ବାଣପୁର ତହସିଲରୁ କୋଭିଡ ଆଇନ ଉଲଂଘନକାରୀଙ୍କ ଠାରୁ ୮୦୦୦ ଟଙ୍କା ଜରିମାନା ଆଦାୟ ହୋଇଥିବା ତହସିଲଦାର ସୂଚନା ଦେଇଛନ୍ତି।

ଅପରପକ୍ଷରେ ଦେଖିବାକୁ ଗଲେ ବାଣପୁରରେ ଏବେ ପ୍ରାୟ ସମସ୍ତ ଜନସାଧାରଣ ସଚେତନ ହେଲେଣି ଏବଂ ମାସ୍କ ବ୍ୟବହାର କରିବା ସହ ଦୋକାନୀମାନେ ମଧ୍ୟ ସାମାଜିକ ଦୂରତ୍ୱ ରକ୍ଷାକରୁଛନ୍ତି।  ଯଦି ବାଣପୁରବାସି ଏହିପରି କଟକଣା ଗୁଡିକୁ କଡ଼ାକଡ଼ି ଭାବେ ପାଳନ କରିବେ ଯଥା ମାସ୍କ ବ୍ୟବହାର କରିବେ, ସାମାଜିକ ଦୂରତ୍ୱ ରକ୍ଷା କରିବେ, ଭିଡ଼ ଜମେଇବେ ନାହିଁ ତେବେ ଖୁବ ଶୀଘ୍ର ବାଣପୁର କରୋନାରୁ ମୁକ୍ତ ହୋଇପାରିବ ବୋଲି ତହସିଲଦାର ସୂଚନା ଦେବାସହ କଟକଣାଗୁଡିକୁ ମାନିବା ପାଇଁ ଲୋକଙ୍କୁ ଅନୁରୋଧ କରିଛନ୍ତି।

Categories
ଆଞ୍ଚଳିକ

ବାଣପୁର ତହସିଲଦାରଙ୍କୁ କରୋନା

ସୀତାରାମ ଅଗ୍ରଓ୍ବାଲ

ବାଣପୁର : ରାଜ୍ୟରେ କରୋନା ମାମଲା ବୃଦ୍ଧି ପାଉଥିବାବେଳେ ଖୋର୍ଦ୍ଧା ଜିଲ୍ଲାରେ ସର୍ବାଧିକ କରୋନା ଆକ୍ରାନ୍ତ ଚିହ୍ନଟ ହେଉଛନ୍ତି। ସେହିପରି ଖୋର୍ଦ୍ଧା ଜିଲ୍ଲାର ବାଣପୁର ବ୍ଲକରେ ମଧ୍ୟ ଦିନକୁ ଦିନ ଅଧିକ ସଂଖ୍ୟକ କରୋନା ଆକ୍ରାନ୍ତ ଚିହ୍ନଟ ହେଉଛନ୍ତି। ଆଜି ବାଣପୁର ବ୍ଲକରୁ  ଚିହ୍ନଟ ପଜିଟିଭଙ୍କ ମଧ୍ୟରେ ବାଣପୁର ତହସିଲଦାର୍‌ ମନ୍ମଥ ବେହେରା ରହିଛନ୍ତି। ତହସିଲଦାର୍‌ଙ୍କ ସମେତ ତହସିଲ କାର୍ଯ୍ୟାଳୟର ଅନ୍ୟ ଚାରିଜଣ କର୍ମଚାରୀ ମଧ୍ୟ କରୋନାରେ ଆକ୍ରାନ୍ତ ହୋଇଥିବା ସୂଚନା ରହିଛି। ଶ୍ରୀ ବେହେରା ହୋମ୍‌ କ୍ବାରେଣ୍ଟାଇନ୍‌ରେ ରହିଥିବାବେଳେ ତାଙ୍କର କରୋନା ପଜିଟିଭ୍‌ ଆସିଥିବା ନେଇ ସେ ସୂଚନା ଦେବା ସହ ତାଙ୍କ ସଂସ୍ପର୍ଶରେ ଆସିଥିବା ସମସ୍ତ ଲୋକଙ୍କୁ ହୋମ୍‌ କ୍ବାରେଣ୍ଟାଇନ୍‌ରେ ରହିବା ସହିତ କରୋନା ପରୀକ୍ଷା କରିବାକୁ ନିବେଦନ କରିଛନ୍ତି।

ଜଣେ ଉତ୍ତମ ତହସିଲଦାର ଭାବେ ନିଜ ଦାୟିତ୍ବ ସମ୍ପାଦନ କରୁଥିବା ଶ୍ରୀ ବେହେରା କରୋନା ଆକ୍ରାନ୍ତ ହେବା ପରେ ସ୍ଥାନୀୟ ଜନସାଧାରଣଙ୍କୁ ସତର୍କ ଓ ସଚେତନ ରହିବାକୁ ପରାମର୍ଶ ଦେଇଛନ୍ତି। କାମ ନଥିଲେ ଅଯଥାରେ ବାହାରକୁ ଆସି କରୋନାକୁ ସାଥୀରେ ନେଇ ଘରକୁ ଯାଆନ୍ତୁନି ବୋଲି କହିଛନ୍ତି ଶ୍ରୀ ବେହେରା। ତେବେ ବାଣପୁର ତହସିଲଦାରଙ୍କ କରୋନା ଆକ୍ରାନ୍ତ ହେବା ପରେ ତାଙ୍କର ଆଶୁ ଆରୋଗ୍ୟ ଲାଗି କାମନା କରିଛନ୍ତି ବାଣପୁରବାସୀ।