ପ୍ରସିଦ୍ଧ ଶକ୍ତିପିଠ ମା’ ଭଗବତୀ ମନ୍ଦିର ହେବ ଜବରଦଖଲ ମୁକ୍ତ, ଆରମ୍ଭ ହେଲା ପକ୍ରିୟା

Published: Jan 5, 2022, 12:10 pm IST

ରିପୋର୍ଟ- ସୀତାରାମ ଅଗ୍ରୱାଲା

ବାଣପୁର: ରାଜ୍ୟ ସରକାର ଓଡିଶାର ଥିବା ବିଭିନ୍ନ ଧର୍ମପିଠଗୁଡିକର ନବୀକରଣ କାର୍ଯ୍ୟ ହାତକୁ ନେଉଛନ୍ତି। ସେହି ପରିପ୍ରେକ୍ଷୀରେ ଖୋର୍ଦ୍ଧା ଜିଲ୍ଲା ବାଣପୁରରେ ଥିବା ପ୍ରସିଦ୍ଧ ଶକ୍ତିପିଠ ମା ଭଗବତୀ ମନ୍ଦିରର ସୌନ୍ଦର୍ଯ୍ୟ କରଣ ହେବ। ସେଥିପାଇଁ ପ୍ରାରମ୍ଭିକ ପର୍ଯ୍ୟାୟରେ ଏହି ମନ୍ଦିରକୁ ଜବରଦଖଲ ମୁକ୍ତ କାର୍ଯ୍ୟ ଆରମ୍ଭ କରାଯାଇଛି।

ଖୋର୍ଦ୍ଧା ଜିଲ୍ଲାପାଳଙ୍କ ନିର୍ଦେଶକ୍ରମେ ଗତକାଲି ଅପରାହ୍ନରେ ବାଣପୁର ତହସିଲଦାର କୁଞ୍ଜବିହାରୀ ବଡ଼ଜେନା ମା’ ଭଗବତୀ ମନ୍ଦିର ସମ୍ମୁଖରେ ପହଞ୍ଚି ଏନଏସି ପ୍ରଶାସନ ଏବଂ ଏଣ୍ଡାଓମେଣ୍ଟର ଉପସ୍ଥିତିରେ ଆରଆଇ ଏବଂ ଅମିନଙ୍କ ସହଯୋଗରେ ସରକାରୀ ଜାଗା ଚିହ୍ନଟ କରିଥିଲେ।

ସୌନ୍ଦର୍ଯ୍ୟକରଣ ପାଇଁ ମନ୍ଦିର ସମ୍ମୁଖରେ ଥିବା ପତିତପାବନ ଦେବଙ୍କ ମଣ୍ଡପକୁ ସ୍ଥାନାନ୍ତରିତ କରାଯିବ ବୋଲି ସୂଚନା ମିଳିଛି। ସେହିପରି ଭାବେ ମନ୍ଦିର ପାର୍ଶ୍ୱ ଏବଂ ସମ୍ମୁଖରେ ଥିବା କିଛି ଦୋକାନ ମଧ୍ୟ ଉଛେଦ ହୋଇପାରେ ବୋଲି ତହସିଲଦାର କହିଛନ୍ତି।

ଭଗବତୀ ମନ୍ଦିରର ଉନ୍ନତିକରଣ ଓ ସୌନ୍ଦର୍ଯ୍ୟକରଣ ପାଇଁ ପୂର୍ବରୁ ରାଜ୍ୟ ସରକାର 50 ଲକ୍ଷ ଟଙ୍କାର ଅନୁଦାନ ଦେଇସାରିଛନ୍ତି। ଜବରଦଖଲ ମୁକ୍ତ ପରେ ଉକ୍ତ ଟଙ୍କାକୁ ମନ୍ଦିରର ଆଭ୍ୟନ୍ତରୀଣ ଏବଂ ବାହ୍ୟ ଅଞ୍ଚଳର ବିକାଶ ଓ ସୌନ୍ଦର୍ଯ୍ୟକରଣରେ ବିନିଯୋଗ କରାଯିବ ବୋଲି ନିଷ୍ପତି ହୋଇଛି।

Related posts