Categories
ଆଞ୍ଚଳିକ

ବାଣପୁର ରଙ୍କନାଥ ଦେବଙ୍କ ନିକଟରେ ପାଳିତ ହେଲା ସ୍ନାନ ପୂର୍ଣ୍ଣିମା

ସୀତାରାମ ଅଗ୍ରୱାଲ

ବାଣପୁର: ଆଜି ପବିତ୍ର ସ୍ନାନପୁର୍ଣିମା ଉପଲକ୍ଷେ ବାଣପୁରର ଶ୍ରୀ ଶ୍ରୀ ରଙ୍କନାଥ ଦେବଙ୍କ ସ୍ନାନନୀତି ମନ୍ଦିର ପରିସରରେ ପରମ୍ପରା ଅନୁଯାୟୀ ଅନୁଷ୍ଠିତ ହୋଇଯାଇଛି। ପୁରୀ ଶ୍ରୀ ଜଗନ୍ନାଥଙ୍କ ନୀତିକାନ୍ତି ଅନୁସାରେ ପ୍ରଭୁ ସ୍ନାନମଣ୍ଡପରେ ଉଭାହୋଇ 108 ଗରା ସୁବାସିତ ଜଳ ଚତୁର୍ଦ୍ଧାମୂର୍ତ୍ତିଙ୍କୁ ଲାଗି ହୋଇଥିଲା।

ସ୍ନାନମଣ୍ଡପରେ ସକାଳ ଧୂପ ହୋଇ ଭୋଗ ଗ୍ରହଣ କରିଥିଲେ ମହାପ୍ରଭୁ। ଏହି ମାନବୀୟ ଲୀଳାକୁ ଶ୍ରଦ୍ଧାଳୁମାନେ ଦେଖି ବିଭୋର ହୋଇଯାଇଥଲେ। ଏହି ସବୁର କାର୍ଯ୍ୟକ୍ରମ ପାଇଁ ଗତକାଲି ଠାରୁ ସମସ୍ତ ପ୍ରସ୍ତୁତି କାର୍ଯ୍ୟ ଶେଷ ହୋଇଥିଲା। ସନ୍ଧ୍ୟା ସମୟରେ ପ୍ରଭୁଙ୍କୁ ହାତୀବେଶରେ ଭକ୍ତମାନେ ଦର୍ଶନ କରିଥିଲେ.

ସ୍ନାନପୁର୍ଣିମା ରାତିରେ ପ୍ରଭୁ ଅଣସର ପିଣ୍ଡିରେ ବିଜେ ହେବେ l ଆଜିଠାରୁ ରଙ୍କନାଥ ଦେବଙ୍କ ଅଣସର କାଳୀନ ଗୁପ୍ତପୂଜା ହେବ। ପିଣ୍ଡି ସମ୍ମୁଖରେ ପଟିଦିଅଁ ପୂଜା ପାଇବେ l ଠାକୁରଙ୍କ ପାରମ୍ପରିକ ସେବକ ପଟିଦିଅଁଙ୍କୁ ପ୍ରସ୍ତୁତ କରିଛନ୍ତି। ବିଳମ୍ବିତ ରାତିରେ ମନ୍ଦିରକୁ ପଟିଦିଅଁ ବିଜେ ହେବେ। ଗୁପ୍ତପୂଜା ସମୟରେ ଶ୍ରୀ ବିଗ୍ରହଙ୍କ ଦର୍ଶନ ବାରଣ ଥିବାରୁ ଏହି ସମୟରେ ପଟିଦିଅଁଙ୍କୁ ପୂଜା କରାଯାଏ।

ପଟିଦିଅଁ ସ୍ୱରୂପ ଶ୍ରୀ ଜଗନ୍ନାଥଙ୍କ ସ୍ଥାନରେ ଶ୍ରୀ ନାରାୟଣ, ଦେବୀ ସୁଭଦ୍ରାଙ୍କ ସ୍ଥାନରେ ଭୁବନେଶ୍ୱରୀ ଓ ଶ୍ରୀ ବଳଭଦ୍ରଙ୍କ ସ୍ଥାନରେ ଅନନ୍ତ ବାସୁଦେବଙ୍କୁ ପଟିଦିଅଁ ରୂପେ ପୂଜା କରାଯିବାର ପରମ୍ପରା ଥିବା ମନ୍ଦିର ପରିଚାଳନା କମିଟି ସୂତ୍ରରୁ ପ୍ରକାଶ। ଭକ୍ତମାନେ ପଟିଦିଅଁଙ୍କୁ ଦର୍ଶନ କରି ପୂଜା କରିବାର ଵିଧି ଅଛି।