ସୀତାରାମ ଅଗ୍ରୱାଲ
ବାଣପୁର: ବର୍ତ୍ତମାନ ପଦମପୁରକୁ ଜିଲ୍ଲା ଘୋଷଣା ହେବ ବୋଲି ଯୋଜନା ଚାଲିଛି। ଏହି ସମୟରେ ଅନ୍ୟ କେତେକ ଅଞ୍ଚଳକୁ ମଧ୍ୟ ଜିଲ୍ଲା ଘୋଷଣା କରିବା ଦାବୀ ଆରମ୍ଭ ହୋଇଯାଇଛି। ଏପରିକି କେତେ ଅଞ୍ଚଳବାସୀ ସବଡିଭିଜନ ଏବଂ କେତେକ ଏନଏସି ଘୋଷଣା ପାଇଁ ମଧ୍ୟ ଦାବୀ କରିବା ଆରମ୍ଭ କରିଦେଇଛନ୍ତି।
ତେବେ ଏ ସବୁ ଦାବୀ ଭିତରେ ଯଦି ନୂତନ ଉପଖଣ୍ଡ ବା ସବଡିଭିଜନ ମାନ୍ୟତା ତାଲିକା ଦେଖାଯିବ ତେବେ ରାଜ୍ୟରେ ସର୍ବାଗ୍ରେ ରହିବ ଖୋର୍ଦ୍ଧା ଜିଲ୍ଲା ବାଣପୁର ନାମ। କାରଣ ଇତିହାସର ପୃଷ୍ଠା ଯଦି ଓଲଟାଇବା ତେବେ ବାଣପୁରର ସ୍ଥାନ ସ୍ଵତନ୍ତ୍ର। ଏଠାର ମୁଖ୍ୟ ଆକର୍ଷଣ ହେଉଛି ଓଡ଼ିଶାର ପ୍ରସିଦ୍ଧ ଶକ୍ତିପୀଠ ବାଣପୁର ଅଧିଷ୍ଠାତ୍ରୀ ଦେବୀ ମା’ ଭଗବତୀ ମନ୍ଦିର।
ଏଥିସହିତ ବେତ ତିଆରି କଳା ହସ୍ତଶିଳ୍ପୀ ପାଇଁ ସାର ଦେଶରେ ବାଣପୁରର ଏକ ନିଆରା ପରିଚୟ ସୃଷ୍ଟି କରିଛି। ଶାଳିଆ ଡ୍ୟାମ, ଦକ୍ଷେଶ୍ୱର ମନ୍ଦିର, ଡୁଡୁଆ ଜଳପ୍ରପାତ, ବରବରା ସ୍ଥିତ ଏସିଆର ସର୍ବବୃହତ ଶାଗୁଆନ ଜଙ୍ଗଲ ଆଦି ଓଡ଼ିଶାର ପର୍ଯ୍ୟଟନ ମାନଚିତ୍ରରେ ବାଣପୁରର ମାନକୁ ଆହୁରି ବୃଦ୍ଧି କରୁଛି।
ଐତିହାସିକ ଗୁରୁତ୍ୱ ଅନୁଯାୟୀ, ବାଣପୁର ଥିଲା ପାଇକ ବିଦ୍ରୋହର ଏକ କେନ୍ଦ୍ରସ୍ଥଳୀ। ପଲଟନ ପଡିଆ ଏହାର ମୂକସାକ୍ଷୀ। ସ୍ଵାଧୀନତା ପୂର୍ଵରୁ ଓ ପରେ ବହୁ ସୁଯୋଗ୍ୟ ସନ୍ତାନମାନଙ୍କୁ ସୃଷ୍ଟି କରିଛି ଏ ମାଟି। ଏହି ମାଟିରୁ ବହୁ ସ୍ଵାଧୀନତା ସଂଗ୍ରାମୀ, ଲେଖକ, କବି, ସମାଜସେବୀ, ମନ୍ତ୍ରୀ, ରାଜନେତା ସର୍ବଭାରତୀୟ ସ୍ତରରେ ସକ୍ରିୟ ଥିଲେ ଏବଂ ଏବେ ମଧ୍ୟ ରହିଛନ୍ତି।
ବାଣପୁରକୁ ସବଡିଭିଜନ ଦାବୀ କରିବା ଭୌଗଳିକ ଦୃଷ୍ଟି କୋଣରୁ ମଧ୍ୟ ଯଥାର୍ଥତା ରହିଛି। କାରଣ ଛୋଟ ଛୋଟ କାର୍ଯ୍ୟ ପାଇଁ ଜନସାଧାରଣଙ୍କୁ ଦୀର୍ଘ ୭୦ କିଲୋମିଟର ଦୂର ଖୋର୍ଦ୍ଧା ସବଡିଭିଜନକୁ ଯିବାକୁ ପଡୁଛି। ବହୁତ ଉନ୍ନୟନ ମୂଳକ କାର୍ଯ୍ୟର ଅଧିକାରୀଙ୍କ ଦସ୍ତଖତ ଲାଗି ମାସେ ମାସେ ଧରି ପଡ଼ି ରହୁଛି। ଗରିବ, ନିଷ୍ପେସିତ ଲୋକମାନେ ନିଜର ଅଭିଯୋଗ ଲାଗି ଖର୍ଚ୍ଚାନ୍ତ ହୋଇ ଖୋର୍ଦ୍ଧା ଯାଉଛନ୍ତି। ଉପଖଣ୍ଡ ବା ସବଡିଭିଜନ ହେଲେ ଏଠାରେ ବହୁତ ବିକାଶର ଚିତ୍ର ଆଙ୍କି ହୋଇପାରନ୍ତି।
ବର୍ତ୍ତମାନ ବାଣପୁରକୁ ପରିବହନ ଓ ଯୋଗାଯୋଗ ପାଇଁ ବହୁତ ସୁବିଧା ଅଛି। ସମସ୍ତ ଗୁରୁତ୍ୱପୂର୍ଣ୍ଣ ସରକାରୀ କାର୍ଯ୍ୟାଳୟ ମଧ୍ୟ ଅଛି। ବାଣପୁର ମେଡିକାଲ ୧୮୬୮ ମସିହାରେ କାର୍ଯ୍ୟକ୍ଷମ ହୋଇଥିବା ବେଳେ ଅନୁରୂପ ଭାବେ ବାଣପୁର ତହସିଲ ତାହାର ବହୁ ପୁର୍ବରୁ କାର୍ଯ୍ୟକ୍ଷମ ହୋଇଥିବାର ଲୋକକଥା ଅଛି। ଏତେ ପୁରୁଣା ବ୍ରିଟିଶ ଅମଳର ତହସିଲରେ ଜନସଂଖ୍ୟା ହୁ ହୁ ବଢୁଛି। କିଂତୁ ସବୁ ବ୍ୟବସ୍ଥା ପରେ ବି ଇଛା ଶକ୍ତି ନଥିବାରୁ ବାଣପୁର ଉପଖଣ୍ଡ ବା ସବଡିଭିଜନ ହୋଇ ପାରୁନାହିଁ।
ଗତ ବିଧାନସଭା ନିର୍ବାଚନରେ ମୁଖ୍ୟମନ୍ତ୍ରୀ ବାଣପୁରର ଐତିହାସିକ ପଲଟନ ପଡିଆକୁ ପ୍ରଚାରରେ ଆସିଥିବା ବେଳେ ଏହାକୁ ସବଡିଭିଜନ ଘୋଷଣା କରାଯିବ ବୋଲି ପ୍ରତିଶୃତି ଦେଇଥିଲେ। ବାଣପୁରବାସୀ ସ୍ଥାନୀୟ ମୁଖ୍ୟମନ୍ତ୍ରୀଙ୍କ ପ୍ରତିନିଧିଙ୍କୁ ବହୁ ମତରେ ବିଜୟ ମଧ୍ୟ କରାଇଲେ। କିନ୍ତୁ ବର୍ତ୍ତମାନ ସରକାର ଗଠନ ହେବାର ୪ ବର୍ଷ ବିତିଯାଇଥିଲେ ମଧ୍ୟ ଏହା କାର୍ଯ୍ୟକାରୀ ହୋଇପାରିଲା ନାହିଁ।
ମୁଖ୍ୟମନ୍ତ୍ରୀଙ୍କ ପୂର୍ଵରୁ ଏହି ସ୍ଥାନକୁ କେନ୍ଦ୍ରମନ୍ତୀ ବି ନିର୍ବାଚନ ପ୍ରଚାର ପାଇଁ ଆସିଥିଲେ, ସେହି ପ୍ରତିଶୃତି ମଧ୍ୟ ଦେଇଥିଲେ। ଅବଶ୍ୟ ସେମାନେ ଏଠାରୁ ଜନମତ ପାଇ ପାରି ନ ଥିଲେ ସତ କିନ୍ତୁ ପରାଜୟ ପରେ ସେମାନେ ମଧ୍ୟ କେବେ ଏ ବିଷୟରେ ଆଉ ସ୍ବର ଉତ୍ତୋଳନ କଲେ ନାହିଁ। ଅନ୍ୟପକ୍ଷରେ ନିର୍ବାଚନ ପୂର୍ଵରୁ ଯେଉଁ ବୁଦ୍ଧିଜୀବିମାନେ ବାଣପୁର ଉପଖଣ୍ଡ ପାଇଁ ଆନ୍ଦୋଳନ କରୁଥିଲେ ସେମାନେ ସମସ୍ତେ ମଧ୍ୟ ପ୍ରାୟ ନିଷ୍କ୍ରିୟ ହୋଇଗଲା ପରି ମନେହୁଏ।
ତେବେ ଆଗାମୀ ଦିନରେ ପୁଣି ସାଧାରଣ ନିର୍ବାଚନ ଆସୁଥିବା ବେଳେ ପୁନଶ୍ଚ ନେତାମାନେ ଏହି ନିର୍ବାଚନୀ ଧୂଆଁ ବାଣ ଛାଡ଼ିବେ, ଏଥିରେ କୌଣସି ସନ୍ଦେହ ନାଇଁ। କିନ୍ତୁ ଜନତା ଏଥର ଫାଙ୍କା ପ୍ରତିଶୃତିରେ ଆସିବେ ନାହିଁ ବୋଲି କହିଲେଣି। ବେଳ ଥାଉ ଥାଉ ବେଣୀ ବାନ୍ଧିଲା ପରି ଯଦି ନିର୍ବାଚନ ପୂର୍ବରୁ ଏହି ଦାବି ପୁରଣ ନ ହୁଏ ତେବେ ଭୋଟର ବି ତାଙ୍କ ଆକ୍ରୋଶ ଭୋଟରେ ଦେଖାଇବେ ବୋଲି ଚର୍ଚ୍ଚା ଜୋର ଧରିଛି।