Categories
ବିଶେଷ ଖବର ରାଜ୍ୟ ଖବର

ଜୱାଦ କ୍ଷୟକ୍ଷତି ଆକଳନ କଲେ କେନ୍ଦ୍ରୀୟ ଟିମ, ଜାଣନ୍ତୁ ରାଜ୍ୟ ସରକାରଙ୍କ ସହ କଣ କଲେ ଆଲୋଚନା

ଭୁବନେଶ୍ୱର: ଘୂର୍ଣ୍ଣିଝଡ ଜୱାଦ କ୍ଷୟକ୍ଷତି ଆକଳନ କରିବାକୁ ଆସିଥିବା କେନ୍ଦ୍ରୀୟ ଦଳ ଦୁଇ ଦିନିଆ କ୍ଷେତ୍ର ପରିଦର୍ଶନ ପରେ ଆଜି ରାଜ୍ୟ ସରକାରଙ୍କ ସହିତ ଆଲୋଚନା କରିଛନ୍ତି। ମୁଖ୍ୟ ଶାସନ ସଚିବ ସୁରେଶ ଚନ୍ଦ୍ର ମହାପାତ୍ର, ଉନ୍ନୟନ କମିଶନର ତଥା ସ୍ବତନ୍ତ୍ର ରିଲିଫ୍ କମିଶନର ପ୍ରଦୀପ କୁମାର ଜେନା ରାଜ୍ୟର ବରିଷ୍ଠ ଅଧିକାରୀଙ୍କ ସହ ଆଲୋଚନା କରିଛନ୍ତି।

ଗ୍ରାଉଣ୍ଡ ଜିରୋ ସ୍ତରରେ ପରିସ୍ଥିତି ଦେଖିବା ପରେ ସେମାନେ ଲୋକସେବା ଭବନରେ ଆୟୋଜିତ ଏହି ଉଚ୍ଚ ସ୍ତରୀୟ ବୈଠକରେ ରାଜ୍ୟର ବରିଷ୍ଠ ଅଧିକାରୀଙ୍କ ସହ କ୍ଷୟକ୍ଷତି ସମ୍ପର୍କରେ ଆଲୋଚନା କରିଥିଲେ। ମୁଖ୍ୟ ଶାସନ ସଚିବ ଶ୍ରୀ ମହାପାତ୍ର ସୂଚନା ଦେଇଛନ୍ତି ଯେ ଚଳିତ ବର୍ଷ ଫସଲ ଋତୁରେ ପ୍ରାରମ୍ଭିକ ମାସରେ ନିଅଣ୍ଟ ବର୍ଷା ହେତୁ ଅନେକ ଜିଲ୍ଲାରେ ବମ୍ପର ଫସଲ ହୋଇଥିଲା।

ଫସଲଗୁଡିକ ପାଚିବା ଅବସ୍ଥାରେ ଥିବା ବେଳେ ପ୍ରବଳ ବର୍ଷା ସହିତ ଓଡ଼ିଶା ଉପକୂଳ ସୃଷ୍ଟ ଏହି ଘୂର୍ଣ୍ଣିବଳୟ ବହୁ କ୍ଷତି କରିଛି । ଭାରତୀୟ ପାଣିପାଗ ବିଭାଗର ପୂର୍ବାନୁମାନ ଅନୁଯାୟୀ ଚାଷୀଙ୍କୁ ଫସଲ ଅମଳ କରି ନିରାପଦ ସ୍ଥାନକୁ ଆଣିବା ପାଇଁ ଉପଦେଶ ଦିଆଯାଇଥିଲା। ଫଳରେ କୃଷକମାନେ ମଧ୍ୟ ଯଥାସମ୍ଭବ ଚେଷ୍ଟା କରିଥିଲେ। କିନ୍ତୁ ସମସ୍ତ ପାଚିଲା ଫସଲ ଅଳ୍ପ ସମୟ ମଧ୍ୟରେ ଅମଳ କରାଯାଇ ସଂଗ୍ରହ କରାଯାଇ ପାରିଲା ନାହିଁ।

କୃଷି ଏବଂ କୃଷକ ସଶକ୍ତିକରଣ ସଚିବ ସୁରେଶ କୁମାର ବଶିଷ୍ଟା ଆକଳନ କରିଛନ୍ତି ଯେ ଧାନ ଏବଂ ଅନ୍ୟାନ୍ୟ ପ୍ରମୁଖ ଖରିଫ ଫସଲ ବ୍ୟତୀତ ପ୍ରବଳ ବର୍ଷା ଦ୍ବାରା ବାଇଗଣ , କୋବି, ଆଳୁ, ଚିନାବାଦାମ ଏବଂ ଅନ୍ୟାନ୍ୟ ପ୍ରମୁଖ ପନିପରିବା ମଧ୍ୟ ଗୁରୁତର କ୍ଷତି ଘଟାଇଛି।

ଉନ୍ନୟନ କମିଶନର ଜେନା କହିଛନ୍ତି ଜମିରେ ଜଳ ଥିବାରୁ ଚାଷୀମାନେ ମଧ୍ୟ ରବି ଫସଲ ପାଇଁ ବିହନ ବୁଣି ପାରିବେ ନାହାଁନ୍ତି। ଶ୍ରୀ ଜେନା ଆହୁରି ମଧ୍ୟ କହିଛନ୍ତି, ଫେବୃଆରୀ ମଧ୍ୟ ଭାଗରେ ତାପମାତ୍ରା ବଢୁଥିବାରୁ ବିଳମ୍ବିତ ରବି ଫସଲ ପାଇଁ ଓଡ଼ିଶାର ଜଳବାୟୁ ମଧ୍ୟ ଅନୁକୂଳ ହୋଇପାରିବ ନାହିଁ।

ବାତ୍ୟା ବର୍ଷା ଯୋଗୁଁ ତ୍ରୁଣମୂଳ ସ୍ତରରେ ଚାଷୀଙ୍କ ପାଇଁ ବହୁ କ୍ଷୟକ୍ଷତି ହୋଇଥିବା ଏହି ଦଳ ମୁଖ୍ୟ ଯୁଗ୍ମ ସଚିବ ସୌରଭ ରାୟ ଉଲ୍ଲେଖ କରିଛନ୍ତି। ସେ କହିଛନ୍ତି ଯେ କ୍ଷତିଗ୍ରସ୍ତ ପରିବାରମାନେ ସରକାରୀ ସହାୟତା ଏବଂ ସାହାଯ୍ୟ ଆବଶ୍ୟକ ରହିଛି।

ବୈଠକରେ ହୋଇଥିବା ଆଲୋଚନାରେ ଦର୍ଶାଯାଇଛି ଯେ ଆଖି ଦେଖା ଆକଳନ ଅନୁଯାୟୀ ବାରଟି ଜିଲ୍ଲାର ପ୍ରାୟ 131 ଟି ବ୍ଲକର 5.78 ଲକ୍ଷରୁ ଅଧିକ ହେକ୍ଟରରେ ପାଚିଲା ଫସଲ ଗୁରୁତର ଭାବରେ କ୍ଷତିଗ୍ରସ୍ତ ହୋଇଛି। ଏହି ଜିଲ୍ଲାଗୁଡ଼ିକ ହେଲା ଗଞ୍ଜାମ, ଭଦ୍ରକ, ପୁରୀ, କଟକ, ବାଲେଶ୍ବର, କେନ୍ଦ୍ରାପଡା, କେଉଁଝର, ଖୋର୍ଦ୍ଧା, ଜଗତସିଂହପୁର, ନୟାଗଡ଼, ଯାଜପୁର ଏବଂ ମୟୂରଭଞ୍ଜ। କ୍ଷେତ୍ର ପରିଦର୍ଶନ ସ୍ତରର ମୂଲ୍ୟାୟନ କରାଯାଉଛି ଏହା ସାତ ଦିନ ମଧ୍ୟରେ ସମ୍ପୂର୍ଣ୍ଣ ହେବ ବୋଲି ବୈଠକରେ କୁହାଯାଇଛି। ଏହି ମୂଲ୍ୟାୟନ ଶେଷ ହେବା ପରେ ସବିଶେଷ କ୍ଷୟକ୍ଷତି ରିପୋର୍ଟ ଦଳକୁ ପଠାଯିବ ବୋଲି କୁହାଯାଇଛି।

ଗୃହ ବିଭାଗ ମନ୍ତ୍ରଣାଳୟର ଯୁଗ୍ମ ସଚିବ ସୌରଭ ରାୟଙ୍କ ନେତୃତ୍ୱରେ ଛଅ ଜଣଆ ଦଳ ଓଡିଶାରେ ପହଞ୍ଚିବା ପରେ ପ୍ରଥମେ ସ୍ବତନ୍ତ୍ର ରିଲିଫ୍ କମିଶନର ଶ୍ରୀ ଜେନାଙ୍କ ସହ ପ୍ରାଥମିକ ଆଲୋଚନା କରିଥିଲେ। ଏହା ପରେ ତିନୋଟି ଉପ-ଦଳରେ ବିଭକ୍ତ ହୋଇ ସେମାନେ ବିଭିନ୍ନ ଜିଲ୍ଲା ପରିଦର୍ଶନ କରିଥିଲେ। ଏମାନେ ଗଞ୍ଜାମ, ପୁରୀ, ଜଗତସିଂହପୁର, କଟକ, ଯାଜପୁର ଏବଂ କେନ୍ଦ୍ରାପଡା ଜିଲ୍ଲାର ପ୍ରଭାବିତ ଅଞ୍ଚଳ ପରିଦର୍ଶନ କରିଥିଲେ।

Categories
ଜାତୀୟ ଖବର ବିଶେଷ ଖବର ରାଜ୍ୟ ଖବର

BREAKING: ବାତ୍ୟା ‘ୟାସ’ ପ୍ରଭାବିତ କୃଷକଙ୍କ ପାଇଁ ମୁଖ୍ୟମନ୍ତ୍ରୀଙ୍କ ପ୍ୟାକେଜ ଘୋଷଣା,ଜାଣନ୍ତୁ କଣ ଅଛି

ଭୁବନେଶ୍ବର, ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକ ଆଜି ବାତ୍ୟା ୟାସ ପ୍ରଭାବିତ ଅଞ୍ଚଳର କୃଷକ ମାନଙ୍କ ପାଇଁ ସହାୟତା ଘୋଷଣା କରିଛନ୍ତି। ସୂଚନାଯୋଗ୍ୟ ଯେ ମଇ ୨୬ ତାରିଖ ଦିନ ବାତ୍ୟା ୟାସ ଯୋଗୁଁ ଅନେକ ଜିଲ୍ଲାରେ ଫସଲ ନଷ୍ଟ ହେବା ସହିତ ପଶୁସଂପଦ, ମତ୍ସ୍ୟ, ହସ୍ତତନ୍ତ ଓ ରେଶମ ଚାଷ ଆଦି ବିଭିନ୍ନ କ୍ଷେତ୍ରରେ ବ୍ୟାପକ କ୍ଷତି ହୋଇଛି। ଚାଷୀ ମାନଙ୍କର କ୍ଷତି ଭରଣା ପାଇଁ ମୁଖ୍ୟମନ୍ତ୍ରୀ ପ୍ୟାକେଜ ଘୋଷଣା କରି ଏହାକୁ ତୁରନ୍ତ କାର‌୍ୟ୍ୟକାରୀ କରିବାକୁ ନିର୍ଦ୍ଦେଶ ଦେଇଛନ୍ତି।

କୃଷିକ୍ଷେତ୍ର –

1-୩୩ ପ୍ରତିଶତ ବା ଅଧିକ କ୍ଷତି ହୋଇଥିବା ଫସଲ ପାଇଁ ଅଣଜଳସେଚିତ ଅଞ୍ଚଳରେ ଛୋଟ ଓ ନାମମାତ୍ର ଚାଷୀ ଙ୍କୁ ହେକ୍ଟର ର ପିଚ୍ଛା ୬୮୦୦ ଟଙ୍କା ଇନ୍‌ପୁଟ ସବ୍‌ସିଡି ଦିଆଯିବ। ଜଳସେଚିତ ଅଞ୍ଚଳରେ ହେକ୍ଟର ପିଚ୍ଛା ୧୩,୫୦୦ ଟଙ୍କା ଏବଂ ସମସ୍ତ ପ୍ରକାର ସବୁଦିନିଆ ଫସଲ ପାଇଁ ହେକ୍ଟର ପିଚ୍ଛା ୧୮,୦୦୦ ଟଙ୍କା ଇନ୍‌ପୁଟ ସବ୍‌ସିଡି ଦିଆଯିବ। ଆମ୍ବ, କାଜୁ, ନଡିଆ, କେତକୀ, ପାନ ଆଦି ଫସଲ ସବୁଦିନିଆ ଫସଲ ଶ୍ରେଣୀରେ ଅନ୍ତର୍ଭୁକ୍ତ। କେବଳ ପ୍ରକୃତ ଚାଷୀ ମାନଙ୍କୁ ଏହି ସହାୟତା ପ୍ରଦାନ କରାଯିବ।

2-ସବୁଦିନିଆ ଫସଲ ପାଇଁ ଚାଷୀ ମାନଙ୍କୁ ସର୍ବନିମ୍ନ ୨୦୦୦ ଟଙ୍କା ଓ ଅନ୍ୟ ଫସଲ ପାଇଁ ସର୍ବନିମ୍ନ ୧୦୦୦ ଟଙ୍କା ଇନ୍‌ପୁଟ ସବ୍‌ସିଡି ମିଳିବ।

3-ପ୍ରଭାବିତ ଜିଲ୍ଲାର ଚାଷୀମାନଙ୍କୁ ୨୦୨୧ ଖରିଫ ଋତୁ ପାଇଁ ବର୍ତ୍ତମାନ ଦିଆଯାଉଥିବା ରିହାତିର ଅଧିକ ୨୫ ପ୍ରତିଶତ ରିହାତି ସହିତ ଦେଢ ଲକ୍ଷ କ୍ବିଣ୍ଟାଲ ଉନ୍ନତ ମାନର ପ୍ରାମାଣିକ ଧାନ ବିହନ ଯୋଗାଇ ଦିଆଯିବ। ଏହି ରିହାତି ସିଧାସଳଖ DBT ଜରିଆରେ ଚାଷୀଙ୍କ ଆକାଉଣ୍ଟକୁ ଦିଆଯିବ।

4-ଖରିଫ ଋତୁରେ ଅଧିକ ଅମଳ ପାଇଁ ଏକ ଲକ୍ଷ ଏକର ଜମି ପାଇଁ ଏକ ଲକ୍ଷ ଚାଷୀଙ୍କୁ ବିହନ ବିଶୋଧନ ପ୍ରଦର୍ଶନ କାର‌୍ୟ୍ୟକ୍ରମରେ ଅନ୍ତର୍ଭୁକ୍ତ କରାଯିବ।

5-ଖରିଫ ଋତୁରେ ଧାନ,ଝୋଟ ଓ ଡାଲିଜାତୀୟ ଫସଲ ପାଇଁ ପ୍ରଭାବିତ ଅଞ୍ଚଳରେ ୨୫ ହଜାର ଏକର ଜମିରେ ପ୍ରଦର୍ଶନ କାର‌୍ୟ୍ୟକ୍ରମ ଗ୍ରହଣ କରାଯିବ।

6-ଧାଡି ବୁଣା ଓ ଧାଡି ରୁଆ ଆଦି ଉନ୍ନତ ଚାଷ ପ୍ରଣାଳୀ ଅବଲମ୍ବନ କରୁଥିବା ଚାଷୀ ମାନଙ୍କୁ ୩୬ ହଜାର ଏକର ଜମି ପାଇଁ ହେକ୍ଟର ପିଚ୍ଛା ୧୫୦୦ ଟଙ୍କା ପ୍ରୋତ୍ସାହନ ରାଶି ଦିଆଯିବ।

7-୬୦,୦୦୦ ହେକ୍ଟର ଜମିରେ ରୋଗପୋକ ମାରିବା ପାଇଁ ଆବଶ୍ୟକତା ଭିତ୍ତିରେ ଇନ୍‌ପୁଟ ସବ୍‌ସିଡି ଚାଷୀ ମାନଙ୍କ ଆକାଉଣ୍ଟକୁ ଦିଆଯିବ।

8-ଉନ୍ନତମାନର କୃଷି ଯନ୍ତ୍ରପାତି କିଣିବାପାଇଁ ପ୍ରଭାବିତ ଜିଲ୍ଲାରେ ଚାଷୀ ମାନଙ୍କୁ ୨୦ କୋଟି ଟଙ୍କାର ରିହାତି DBT ଜରିଆଇ ଦିଆଯିବ।

9-ପ୍ରଭାବିତ ଅଞ୍ଚଳରେ ଚାଷୀ ମାନଙ୍କୁ ରିହାତି ଦରରେ ୨୦୦୦ ପମ୍ପସେଟ୍ ଓ ୩୦୦୦ ସ୍ପ୍ରେୟର ଯୋଗାଇ ଦିଆଯିବ। ପମ୍ପସେଟ୍ ପାଇଁ ୫୦ ପ୍ରତିଶତ ରିହାତିରେ ସର୍ବାଧିକ ୧୫,୦୦୦ ଟଙ୍କା, ପାୱାର ସ୍ପ୍ରେୟର ପାଇଁ ୫୦ ପ୍ରତିଶତ ରିହାତିରେ ସର୍ବାଧିକ ୩୮୦୦ ଟଙ୍କା ଓ ହାତରେ ଚାଲୁଥିବା ସ୍ପ୍ରେୟର ପାଇଁ ସର୍ବାଧିକ ୭୫୦ ଟଙ୍କା ରିହାତି ଦିଆଯିବ।

10-ଭଦ୍ରକ ଓ ବାଲେଶ୍ବର ଜିଲ୍ଲାରେ କେତେକ ସ୍ଥାନରେ ଜମିରେ ଲୁଣି ପାଣି ମାଡିଯାଇଥିବାରୁ ଚାଷୀମାନେ କ୍ଷତିଗ୍ରସ୍ତ ହୋଇଛନ୍ତି। ତେଣୁ ଏପରି ଜମିର ପୋଷକତତ୍ତ୍ବର ପରିଚାଳନା ଓ ମାଟିର ମାନରେ ଉନ୍ନତି ପାଇଁ (Nutrient Management & Soil Ameliorants) ହେକ୍ଟର ପିଚ୍ଛା ୭୫୦ ଟଙ୍କା ସହାୟତା ଦିଆଯିବ। ସମୁଦାୟ ୧୦ ହଜାର ହେକ୍ଟର ଜମି ପାଇଁ ସହାୟତା ପ୍ରଦାନ କରାଯିବ।

11-ପାନବରଜ ଚାଷ କରୁଥିବା ୧୨୫ ଜଣ ଚାଷୀଙ୍କୁ ଜଣ ପିଚ୍ଛା ୧୫,୦୦୦ ଟଙ୍କା ପ୍ରୋତ୍ସାହନ ରାଶି DBT ଜରିଆରେ ଦିଆଯିବ।

12-୧୦ ହଜାର କ୍ଷତିଗ୍ରସ୍ତ ଚାଷୀଙ୍କୁ ସେମାନଙ୍କ ବାଡିରେ ପରିବା ଚାଷ ପାଇଁ ଉନ୍ନତ ମାନର ଚାରା ୧୧୫ ଟଙ୍କାରେ ଯୋଗାଇ ଦିଆଯିବ।

13-ବାତ୍ୟାରେ କ୍ଷତିଗ୍ରସ୍ତ ୫୦ଟି ଛତୁ ଚାଷ ୟୁନିଟ୍‌କୁ ୪୦,୦୦୦ ଟଙ୍କା ଲେଖାଏ ଯୋଗାଇ ଦିଆଯିବ । ଏଥିରେ କ୍ଷତିଗ୍ରସ୍ତ ଚାଷୀମାନେ ସେମାନଙ୍କ ଛତୁ ଚାଷ ୟୁନିଟର ପୁନରୁଦ୍ଧାର କରିପାରିବେ । ଏହି ସହାୟତା ଚାଷୀର ବ୍ୟାଙ୍କ ଆକାଉଣ୍ଟରେ ସିଧାସଳଖ ପ୍ରଦାନ କରାଯିବ।

14-କ୍ଷତିଗ୍ରସ୍ତ ଅଞ୍ଚଳର ଚାଷୀ ମାନଙ୍କୁ କିଟ୍ ପିଚ୍ଛା ୧୧୦ ଟଙ୍କାର ୧୦ ହଜାର ପରିବା ମିନି କିଟ୍ ମାଗଣାରେ ଯୋଗାଇ ଦିଆଯିବ।

15-ପ୍ରଧାନମନ୍ତ୍ରୀ ଫସଲ ବୀମା ଯୋଜାନାରେ ବୀମାଭୁକ୍ତ ହୋଇଥିବା କ୍ଷତିଗ୍ରସ୍ତ ଚାଷୀ ମାନଙ୍କର ଦାବୀ ଯେପରି ସମାଧାନ ହୋଇପାରିବ, ସେଥିପାଇଁ ଫସଲ କଟା ରିପୋର୍ଟ ତ୍ବରାନ୍ବିତ ଭାବରେ ପ୍ରସ୍ତତ କରିବା ପାଇଁ ପଦକ୍ଷେପ ନିଆଯିବ।

16-କ୍ଷତିଗ୍ରସ୍ତ ଅଞ୍ଚଳର ୩୩ ପ୍ରତିଶତରୁ ଅଧିକ କ୍ଷତି ସହିଥିବା ଚାଷୀମାନଙ୍କର ସ୍ବଳ୍ପ ମିଆଦୀ ଖରିଫ ଋଣକୁ ମଧ୍ୟମ ମିଆଦୀ ଋଣରେ ପରିଣତ କରାଯିବ।

Categories
ଆଜିର ଖବର ଜାତୀୟ ଖବର ରାଜ୍ୟ ଖବର

କେନ୍ଦ୍ରୀୟ ଟିମକୁ ବାତ୍ୟା ୟଶର ପ୍ରଥାମିକ ହିସାବ ଦେଲେ ରାଜ୍ୟ ସରକାର, ଜାଣନ୍ତୁ କେତେ ହୋଇଛି କ୍ଷତି

ଭୁବନେଶ୍ବର, ବାତ୍ୟା ୟଶ କ୍ଷୟକ୍ଷତି ଅନୁଧ୍ୟାନ କରିବାକୁ ଆସିଥିବା କେନ୍ଦ୍ରୀୟ ଦଳ ନିଟକରେ ରାଜ୍ୟ ସରକାର ପ୍ରାଥମିକ ରିପୋର୍ଟ ଉପସ୍ଥାପିତ କରିଛନ୍ତି। ପ୍ରାଥମିକ ଆକଳନ ଅନୁସାରେ ୧୧ ଟି ଜିଲ୍ଲାର ୨୧୩୮ ଟି ଗ୍ରାମ ପଞ୍ଚାୟତ ଅନ୍ତର୍ଗତ ପ୍ରାୟ ୧୦୬୪୪ ଗ୍ରାମ ଏବଂ  ୩୦ ଟି ସହରାଞ୍ଚଳର  ପ୍ରାୟ ୪୨୫ ଟି  ଓ୍ୱାର୍ଡ ଏହି ବାତ୍ୟାରେ କ୍ଷତିଗ୍ରସ୍ତ ହୋଇଛନ୍ତି ।ଏଥିରେ ପ୍ରାୟ ୭୫ ଲକ୍ଷରୁ  ଅଧିକ ଲୋକ କ୍ଷତିଗ୍ରସ୍ତ ହୋଇଛନ୍ତି। ୨୬୭୮୧ ଘର ଭାଙ୍ଗି ଯାଇଛି ଏବଂ ୧୨.୭୭ ଲକ୍ଷ ପ୍ରାଣୀ ସଂପଦ ପ୍ରଭାବିତ ହୋଇଛନ୍ତି ବୋଲି ରାଜ୍ୟ ସରକାର ଜଣାଇଛନ୍ତି।

ଉପକୂଳବର୍ତ୍ତୀ ଗ୍ରାମ ଓ ସମ୍ବେଦନଶୀଳ ସ୍ଥାନମାନଙ୍କରେ ବସବାସ କରୁଥିବା ଲୋକମାନଙ୍କର ସୁରକ୍ଷା ନିମନ୍ତେ ପ୍ରାୟ ୭.୧୦ ଲକ୍ଷ ଲୋକଙ୍କୁ ନିରାପଦ ଆଶ୍ରୟସ୍ଥଳକୁ ସ୍ଥାନାନ୍ତର କରାଯାଇ ଥିଲା। ଏହାଛଡା ପ୍ରାୟ ୬୩୪୮.୪ ହେକ୍ଟର ଚାଷଜମିରେ ଫସଲ ନଷ୍ଟ ହୋଇଛି। ବାତ୍ୟା ଦ୍ୱାରା ହୋଇଥିବା କ୍ଷୟକ୍ଷତିର ସଠିକ୍ ଆକଳନ କରାଯାଉଛି ଏବଂଏହା ଚଳିତ ସପ୍ତାହ ମଧ୍ୟରେ ଶେଷ ହେବ ବୋଲି ସ୍ବତନ୍ତ୍ର ରିଲିଫ କମିଶନର ପ୍ରଦୀପ ଜେନା କହିଥିଲେ।

Categories
ଆଜିର ଖବର ଜାତୀୟ ଖବର ରାଜ୍ୟ ଖବର

ବାତ୍ୟା କ୍ଷୟକ୍ଷତିକୁ ନେଇ ମୁଖ୍ୟମନ୍ତ୍ରୀଙ୍କ ସମୀକ୍ଷା: ପ୍ରଭାବିତ ଗାଁର ଲୋକଙ୍କୁ ୭ ଦିନ ରିଲିଫ ଦେବାକୁ ନିର୍ଦ୍ଦେଶ

ଭୁବନେଶ୍ବର: ବାତ୍ୟା କ୍ଷୟକ୍ଷତିକୁ ନେଇ ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକ ସମୀକ୍ଷା କରିଛନ୍ତି। ବାତ୍ୟା ପ୍ରଭାବିତ ୧୨୮ ଟି ଗାଁର ଲୋକଙ୍କୁ ୭ ଦିନ ରିଲିଫ ଦେବାକୁ ମୁଖ୍ୟମନ୍ତ୍ରୀ ଘୋଷଣା କରିଛନ୍ତି। ୨୪ ଘଣ୍ଟା ଭିତରେ କ୍ଷତିଗ୍ରସ୍ତ ମୁଖ୍ୟ ରାସ୍ତାର ମରାମତି କରିବାକୁ ମୁଖ୍ୟମନ୍ତ୍ରୀ ନିର୍ଦ୍ଦେଶ ଦେଇଛନ୍ତି।

ଏହା ସହ ୨୪ ଘଣ୍ଟା ମଧ୍ୟରେ ୮୦ ପ୍ରତିଶତ ବିଦ୍ୟୁତ ଯୋଗାଣକୁ ସ୍ଵାଭାବିକ କରିବାକୁ ମଧ୍ୟ ମୁଖ୍ୟମନ୍ତ୍ରୀ ନିର୍ଦ୍ଦେଶ ଦେଇଛନ୍ତି। ବାତ୍ୟା ମୁକାବିଲା ଲାଗି ପ୍ରଶାସନ ଏବଂ ପଞ୍ଚାୟତ ପ୍ରତିନିଧିମାନଙ୍କୁ ମୁଖ୍ୟମନ୍ତ୍ରୀ ଧନ୍ୟବାଦ ଜଣାଇଛନ୍ତି। ଏଥିସହିତ ପୋଲିସ ଓ ସ୍ୱାସ୍ଥ୍ୟକର୍ମୀମାନଙ୍କୁ ମଧ୍ୟ ମୁଖ୍ୟମନ୍ତ୍ରୀ ଧନ୍ୟବାଦ ଦେଇଛନ୍ତି।