ନୂଆଦିଲ୍ଲୀ, ଆରବ ସାଗରରେ ସୃଷ୍ଟି ହୋଇଥିବା ବାତ୍ୟା ‘ତାଉତେ’ ଧିରେ ଧିରେ ଘନିଭୂତ ହେବାରେ ଲାଗିଛି। ବର୍ତ୍ତମାନ ଏହା ପ୍ରବଳରୁ ଅତି ପ୍ରବଳ ରୂପକୁ ଧାରଣ କରିବାରେ ଲାଗିଛି। ବର୍ତ୍ତମାନ ଏହା ସ୍ଥଳଭାଗ ଆଡକୁ ମାଡିଆସୁଛି। ଭାରତୀୟ ପାଣିପାଗ ବିଭାଗର ସୂଚନା ଅନୁସାରେ ଏହି ସାମୁଦ୍ରିକ ଘୂର୍ଣ୍ଣିବାତ୍ୟା “ତାଉତେ’ ଗୁଜରାଟର ପୋରବନ୍ଦର ଏବଂ ନଲିୟା ମଧ୍ୟରେ ମେ ୧୮ ତାରିଖ ଅପରାହ୍ଣ କିମ୍ବା ସନ୍ଧ୍ୟା ମଧ୍ୟରେ ସ୍ଥଳଭାଗ ଛୁଇଁବ । ସ୍ଥଳଭାଗ ଛୁଇଁଲା ବେଳକୁ ଏହାର ଘଣ୍ଟାପ୍ରତି ବେଗ ପ୍ରାୟ ୧୭୫ କିଲୋମିଟର ହୋଇପାରେ ବୋଲି ପୂର୍ବନୁମାନ କରାଯାଇଛି ।
ଏହାର ପ୍ରଭାବରେ ଗୁଜରାଟର ତଟୀୟ ଜିଲ୍ଲାମାନଙ୍କରେ ପ୍ରବଳ ବର୍ଷା ସହ ଜୁନାଗଡ଼ ଓ ଗୀର ସୋମନାଥ ଅଞ୍ଚଳରେ ଅତି ପ୍ରବଳ ବର୍ଷା ଏବଂ ସୌରାଷ୍ଟ୍ର, କଚ୍ଛ ଓ ଡିଉର ଗୀର ସୋମନାଥ, ଡିଉ, ଜୁନାଗଡ଼, ପୋରବନ୍ଦର, ଦେବଭୂମି ଦ୍ୱାରକା, ଆମରେଲି, ଜାମନଗର ଆଦି ସ୍ଥାନରେ ଅତି ପ୍ରବଳ ବର୍ଷା ହେବାର ସମ୍ଭାବନା ରହିଛି ।
ଭାରତୀୟ ପାଣିପାଗ ବିଭାଗ ପକ୍ଷରୁ ଆହୁରି ଚେତାବନୀ ଦିଆଯାଇଛି ଯେ ଘୂର୍ଣ୍ଣିବାତ୍ୟା ସମୟରେ ସମୁଦ୍ରରେ ୨- ୩ ମିଟର ଉଚ୍ଚତାର ଜୁଆର ଉଠିବ ଏବଂ ତାହା ମୋରବୀ, କଚ୍ଛ, ଦେବଭୂମି ଦ୍ୱାରକା ଓ ଜାମନଗର ଜିଲ୍ଲାର ତଳିଆ ଅଞ୍ଚଳରେ ପ୍ରବେଶ କରିପାରେ । ସେହିଭଳି ପୋରବନ୍ଦର, ଜୁନାଗଡ଼, ଡିଉ, ଗୀର ସୋମନାଥ, ଆମରେଲି, ଭାବନଗର ଆଦି ଉପକୂଳରେ ୧- ୨ ମିଟର ଉଚ୍ଚତାର ଜୁଆର ଉଠିବ ଏବଂ ରାଜ୍ୟର ଅବଶିଷ୍ଟ ତଟୀୟ ଜିଲ୍ଲାର ଉପକୂଳରେ ୦.୫ ମିଟର ଉଚ୍ଚତାର ଜୁଆର ସୃଷ୍ଟି ହେବ ।
ଏହି ଜୁଆର ମେ ୧୮ ତାରିଖ ଅପରାହ୍ନ କିମ୍ବା ସନ୍ଧ୍ୟାରେ ହିଁ ସୃଷ୍ଟି ହେବ । ଏହି ସମୟରେ ଘୂର୍ଣ୍ଣବାତ୍ୟା ସ୍ଥଳଭାଗ ସ୍ପର୍ଶ କରିବାର ପୂର୍ବାନୁମାନ କରାଯାଇଛି । ପାଣିପାଗ ବିଭାଗ ପକ୍ଷରୁ ଏଥିପାଇଁ ମେ ୧୩ ତାରିଖ ଠାରୁ ପ୍ରତି ତିନି ଘଣ୍ଟାରେ ଗୋଟିଏ ଲେଖାଏଁ ବୁଲେଟିନ୍ ଜାରି କରାଯାଉଛି ଏବଂ ସମସ୍ତ ସମ୍ଭାବ୍ୟ ପ୍ରଭାବିତ ରାଜ୍ୟମାନଙ୍କୁ ଘୂର୍ଣ୍ଣିବାତ୍ୟା “ତାଉତେ”ର ସଦ୍ୟତମ ସ୍ଥିତି ସମ୍ପର୍କରେ ସୂଚୀତ କରାଯାଉଛି ।