Categories
ଆଜିର ଖବର ରାଜ୍ୟ ଖବର

ଚିଲିକାରେ କେନ୍ଦ୍ରୀୟ ବିଶେଷଜ୍ଞ ଦଳ: ବାର୍ଡ଼ ଫ୍ଲୁ ରୋକିବା ଲାଗି ପକ୍ଷୀମାନଙ୍କଠାରୁ କଲେ ନମୁନା ସଂଗ୍ରହ

ସୀତାରାମ ଅଗ୍ରୱାଲ

ଚିଲିକା: ବାର୍ଡ଼ ଫ୍ଲୁ କୁ ରୋକିବା ପାଇଁ କେନ୍ଦ୍ର ସରକାରଙ୍କ ଆଗୁଆ ପଦକ୍ଷେପ ସ୍ୱରୂପ ବିଭିନ୍ନ ପକ୍ଷୀମାନଙ୍କ ନମୁନା ସଂଗ୍ରହ ନିମନ୍ତେ ଏକ କେନ୍ଦ୍ରୀୟ ବିଶେଷଜ୍ଞ ଦଳ ଆଜି ଦୁଇ ଦିନିଆ ଚିଲିକା ଗସ୍ତରେ ଆସିଛନ୍ତି। ଉକ୍ତ ଟିମରେ ଭୋପାଳ ସ୍ଥିତ ଏଚ.ଏସ.ଏ.ଡ଼ି.ଏଲ ର ବୈଜ୍ଞାନିକ ଡ଼ା ଚକ୍ରଧର ତୋଷ, କଟକ ସ୍ଥିତ ଏ.ଡ଼ି.ଆର.ଆଇ ର ବୈଜ୍ଞାନିକ ଡ଼ା ଜ୍ୟୋତି ମିଶ୍ର, ବାଲୁଗାଁ ଅତିରିକ୍ତ ପ୍ରାଣୀଧନ ଅଧିକାରିଣୀ ଡ଼ା ସମାପିକା ମହାପାତ୍ର ଏବଂ ଚିଲିକା ବ୍ଲକ ପ୍ରାଣୀଧନ ବିଶେଷଜ୍ଞ ଡ଼ା ଦେବାଶିଷ ଦାସ ଆଦି ସାମିଲ ଥିଲେ।

ତେବେ ଆଜି ପ୍ରଥମ ଦିନରେ ଉକ୍ତ ଟିମ ଚିଲିକା ବନ୍ୟପ୍ରାଣୀ ଡିଭିଜନ ଅଧିକାରୀଣି ଆଇଏଫଏସ ଜ୍ୟୋତି କୋଟାଲଙ୍କ ଉପସ୍ଥିତିରେ ନଳବଣ ଅଞ୍ଚଳରୁ ୬୯ ଗୋଟି ବିଭିନ୍ନ ପ୍ରଜାତିର ପକ୍ଷୀ ମାନଙ୍କ ନମୁନା ସଂଗ୍ରହ କରିଥିଲେ। ସେହିପରି ଭାବେ ଚିଲିକା ତଟବର୍ତ୍ତୀ ଅଞ୍ଚଳରୁ ପ୍ରାଣୀସମ୍ପଦ ବିଭାଗ ପକ୍ଷରୁ ୧୬୦ ଗୋଟି ପକ୍ଷୀମାନଙ୍କ ନାସିକାରୁ ନମୁନା ସଂଗ୍ରହ କରାଯାଇଥିଲା।

ତେବେ ଉକ୍ତ କାର୍ଯ୍ୟକ୍ରମଟି ଜିଲ୍ଲା ମୁଖ୍ୟ ପ୍ରାଣୀ ସମ୍ପଦ ଅଧିକାରୀ ଡ଼ା ଆଶିଷ କୁମାର ଶତପଥୀଙ୍କ ତତ୍ୱାବଧାନରେ ଅନୁଷ୍ଠିତ ହୋଇଥିବାବେଳେ ଉକ୍ତ ଟିମ ଆସନ୍ତାକାଲି ଟାଙ୍ଗୀ, ମଙ୍ଗଳାଯୋଡି ଯାଇ ସେଠାରୁ ବିଭିନ୍ନ ପକ୍ଷୀଙ୍କ ନମୁନା ସଂଗ୍ରହ କରିବ ବୋଲି ସୂଚନା ମିଳିଛି।

Categories
ଆଜିର ଖବର ଜାତୀୟ ଖବର ବ୍ୟବସାୟ ରାଜ୍ୟ ଖବର

ବାର୍ଡ ଫ୍ଲୁ ପାଇଁ ଅଧା ଖସିଗଲା ଚିକେନ ଓ ଅଣ୍ଡା ଦାମ, ମୁଣ୍ଡରେ ହାତ ଦେଲେ ବ୍ୟବସାୟୀ

ନୂଆଦିଲ୍ଲୀ, ବର୍ତ୍ତମାନ ଦେଶର 4ଟି ରାଜ୍ୟର 12ଟି ସ୍ଥାନରେ ବାର୍ଡ ଫ୍ଲୁ ଆତଙ୍କ ଦେଖାଦେଇଛି। ଏହାକୁ ରୋକିବା ପାଇଁ ସରକାରଙ୍କ ତରଫରୁ ସମୁହ କୁକୁଡା ହତ୍ୟା କରାଯାଉଛି। ତେବେ ଏହି ଖବର ପ୍ରସାର ହେବା ପରେ ବର୍ତ୍ତମାନ ବିଭିନ୍ନ ସ୍ଥାନରେ ଚିକେନ ଓ ଅଣ୍ଡା  କିଣିବାକୁ ଲୋକେ ଆଗ୍ରହ ପ୍ରକାଶ କରୁ ନାହିଁନ୍ତି। ଫଳରେ ବର୍ତ୍ତମାନ ଚିକେନ କିଲୋ ପିଛା ଦର ଅଧାକୁ ଖସି ଆସିଛି।

ଦିଲ୍ଲୀରେ ଚିକେନ କିଲୋ ପିଛା 200 ଟଙ୍କାରୁ 210 ଟଙ୍କାରେ ବିକ୍ରି ହେଉଥିଲା। ବର୍ତ୍ତମାନ ଏହା 100 ରୁ 110 ଟଙ୍କାକୁ ଖସି ଆସିଛି। ସେହିପରି ଅଣ୍ଡା ଦର ମଧ୍ୟ ହ୍ରାସ ପାଇଛି। ତେବେ ଯେଉଁ ସ୍ଥାନରେ ଏହି ରୋଗ ଦେଖାଦେଇଛି କେବେଳ ସେଠାରେ ନୁହେଁ, ଅନ୍ୟ ସ୍ଥାନରେ ମଧ୍ୟ ଏହାର ପ୍ରଭାବ ପଡିଛି। କାଳେ ବାର୍ଡ ଫ୍ଲୁ ହୋଇଥିବ ଭାବି ବର୍ତ୍ତମାନ ଅନେକ ସ୍ଥାନରେ ଲୋକେ ଚିକେନ ଖାଉ ନାହାଁନ୍ତି।

କରୋନା ପାଇଁ ଗତ ସାତମାସ ଧରି ଚିକେନ ଅଣ୍ଡା ବେପାର ବନ୍ଦ ରହିଥିଲା। ବର୍ତ୍ତମାନ ଧିରେ ଧିରେ ଏହି ବେପାର ଆରମ୍ଭ ହେବାକୁ ଯାଉଥିବା ବେଳେ ବାର୍ଡ ଫ୍ଲୁ ମାଡ ସେମାନଙ୍କ ଅଣ୍ଟା ଭାଙ୍ଗି ଦେଇଛି।

Categories
ଆଜିର ଖବର ଜାତୀୟ ଖବର

ଚାଷୀ ଆନ୍ଦୋଳରେ ଚିକେନ ବିରିୟାନୀ ଖାଇ ବାର୍ଡ ଫ୍ଲୁ ସଂକ୍ରମଣ କରିବା ଷଡଯନ୍ତ୍ର: ବିଜେପି ବିଧାୟକ

ନୂଆଦିଲ୍ଲୀ: ଦିଲ୍ଲୀ ସୀମାରେ କୃଷକ ଆନ୍ଦୋଳନ ଜାରି ରହିଛି। ଏହାକୁ ନେଇ ରାଜସ୍ଥାନର ବିଜେପି ବିଧାୟକ ମଦନ ଦିଲାବର ଏକ ବିବାଦିତ ବୟାନ ଦେଇଛନ୍ତି। ଆନ୍ଦୋଳନରେ ଚିକେନ ବିରିୟାନୀ ଖୁଆଇ ବାର୍ଡ ଫ୍ଲୁ ସଂକ୍ରମଣ ବଢାଇବା ପାଇଁ ଷଡଯନ୍ତ୍ର ଚାଲିଛି ବୋଲି ଦିଲାବର କହିଛନ୍ତି। ସେଥିପାଇଁ କେନ୍ଦ୍ର ସରକାର ତୁରନ୍ତ ଏହି ଆନ୍ଦୋଳନକୁ ରୋକିବାକୁ ଚେଷ୍ଟା କରନ୍ତୁ, ଯଦ୍ୱାରା ଦେଶରେ ବାର୍ଡ ଫ୍ଲୁ ସଂକ୍ରମଣକୁ ରୋକା ଯାଇପାରିବ।

ବିଜେପି ବିଧାୟକ ଦିଲାବରଙ୍କ ବୟାନ ଅନୁଯାୟୀ, ଆନ୍ଦୋଳନରେ ବସିଥିବା ଲୋକ ପ୍ରତ୍ୟେକ ଦିନ ଚିକେନ ବିରିୟାନୀ ଖାଉଛନ୍ତି। ଫଳରେ ବାର୍ଡ଼ ଫ୍ଲୁ ବ୍ୟାପିବା ଆଶଙ୍କା ବଢୁଛି। ଏପରି କିଛି ଲୋକଙ୍କୁ ଦେଶ ଚିନ୍ତା ନାହିଁ। ସେଠାରେ କୃଷକ ଆନ୍ଦୋଳନ କରାନଯାଇ ପିକିନିକ କରାଯାଉଛି।

ଏହା ସହିତ କୃଷକ ଆନ୍ଦୋଳନରେ ଆତଙ୍କବାଦୀ ଲୁଚି ରହିଥିବା ଆଶଙ୍କା କରିଛନ୍ତି ବିଜେପି ବିଧାୟକ ଦିଲାବର। ସେମାନଙ୍କ ମଧ୍ୟରେ ଚୋର, ଲୁଟେରା, ଆତଙ୍କବାଦୀ, ଏବଂ ଚାଷୀ ବିରୋଧୀ ଲୋକ ସାମିଲ ହୋଇ ଥାଇପାରନ୍ତି। ଏଭଳି ଲୋକଗୁଡିକ ଦେଶର କ୍ଷତି ଚାହାନ୍ତି। ତେଣୁ ସରକାର ଏହା ଉପରେ ଯଥା ଶୀଘ୍ର କାର୍ଯ୍ୟାନୁଷ୍ଠାନ ନେଇ ଆନ୍ଦୋଳନକୁ ହଟାଇବା ଉଚିତ। ବିଧାୟକ ଦିଲାବରଙ୍କ ଏହି ବିବାଦିତ ବୟାନରେ ରାଜନୀତି ଗରମ ହୋଇଯାଇଛି। ଏହାକୁ ନେଇ ବହୁ ଆଲୋଚନା ଏବଂ ସମାଲୋଚନା ହେଉଛି। ସେ କେବଳ ରାଜସ୍ଥାନର ବିଧାୟକ ନୁହନ୍ତି, ଦିଲାବର ରାଜସ୍ଥାନ ବିଜେପିର ମହାମନ୍ତ୍ରୀ ମଧ୍ୟ ଅଛନ୍ତି।

Categories
ଆଜିର ଖବର ରାଜ୍ୟ ଖବର ସ୍ବାସ୍ଥ୍ୟ

ଓଡ଼ିଶାରେ ବାର୍ଡ‌ ଫ୍ଲୁର ଭୟ ନାହିଁ: ମାଂସ ଓ ଅଣ୍ଡା ଖାଇବାକୁ ଅନୁରୋଧ କଲେ ସରକାର

ଭୁବନେଶ୍ୱର: ଦେଶରେ କରୋନା ସଂକ୍ରମଣ ଧୀରେ ଧୀରେ କମୁଥିବା ବେଳେ ବାର୍ଡ ଫ୍ଲୁକୁ ନେଇ ଚିନ୍ତା ବଢିଛି। ଏହି ବାର୍ଡ ଫ୍ଲୁକୁ ନେଇ ଓଡିଶାରେ ଲୋକେ ଭୟଭୀତ ଅଛନ୍ତି। ଦୁଇ ଦିନ ତଳେ ଖୋର୍ଦ୍ଧା ଜିଲ୍ଲାର ବେଗୁନିଆ ବ୍ଲକ ଅନ୍ତର୍ଗତ ଗୋବିନ୍ଦପୁର ଗ୍ରାମରେ ଶହ ଶାହ କୁକୁଡା ମରିଥିବାର ଦେଖିବାକୁ ମିଳିଥିଲା। ଯଦ୍ୱାରା ରାଜ୍ୟରେ ବାର୍ଡ ଫ୍ଲୁ  ବ୍ୟାପିଥିବାର ଆଶଙ୍କା କରାଯାଉଛି। ହେଲେ ଏନେଇ ରାଜ୍ୟ ସରକାରଙ୍କ ପକ୍ଷରୁ ଏନେଇ ଏକ ସ୍ପଷ୍ଟିକରଣ ମିଳିଛି। ଓଡ଼ିଶାରେ ବାର୍ଡ‌ ଫ୍ଲୁର ଭୟ ନାହିଁ ବୋଲି ରାଜ୍ୟ ସରକାର ସ୍ପଷ୍ଟ କରିଛନ୍ତି। ଆଜି ମତ୍ସ୍ୟ ଓ ପ୍ରାଣୀ ସମ୍ପଦ ବିକାଶ ବିଭାଗ ଏନେଇ ସ୍ପଷ୍ଟ କରିଛି। ଜନସାଧାରଣ ଭୟଭୀତ ନହୋଇ କୁକୁଡ଼ା ମାଂସ ଓ ଅଣ୍ଡାକୁ ଭଲ ଭାବେ ସିଝାଇ ଖାଇବାକୁ ବିଭାଗ ପକ୍ଷରୁ ଅନୁରୋଧ କରାଯାଇଛି।

Categories
ବିଶେଷ ଖବର ସ୍ବାସ୍ଥ୍ୟ

କରୋନା ନ ଯାଉଣୁ ୪ଟି ରାଜ୍ୟରେ ବର୍ତ୍ତମାନ ବାର୍ଡ ଫ୍ଲୁ ର ଆତଙ୍କ, ଜାଣନ୍ତୁ ଏହି ରୋଗ କଣ ଓ ଏହାର ସ୍ଥିତି

ନୂଆଦିଲ୍ଲୀ,  ଆଭିଏନ ଇନ୍‍ଫ୍ଲୁଏଞ୍ଜା  ବା ବାର୍ଡ ଫ୍ଲୁ ବା ପକ୍ଷୀ ଜ୍ବର ଭୂତାଣୁ ଶତାବ୍ଦୀ ଶତାବ୍ଦୀ ଧରି ବିଶ୍ୱବ୍ୟାପୀ ଘୁରି ବୁଲୁଛି । ଗତ ଶତାବ୍ଦୀରେ ଏହି ପକ୍ଷୀଜ୍ୱର ବିଶ୍ୱରେ ୪ ଥର ବଡ଼ ଧରଣର ବ୍ୟାପିଥିଲା । ୨୦୦୬ରେ ଭାରତ ପ୍ରଥମେ ଆଭିଏନ ଇନ୍‍ଫ୍ଲୁଏଞ୍ଜା ସଂକ୍ରମଣ ଦେଖାଦେଇଥିଲା। ଯାହାକୁ  ସରକାରୀ ଭାବେ ବିଜ୍ଞପ୍ତି ପ୍ରକାଶ କରି ଏହି ରୋଗ ସଂପର୍କରେ କୁହାଯାଇଥିଲା ।

ତେବେ ଭାରତରେ ଏଥର ଏଯାଏଁ କୌଣସି ମଣିଷ ଏହି ରୋଗରେ ଆକ୍ରାନ୍ତ ହୋଇଥିବା ଖବର ମିଳିନାହିଁ । ଏହି ରୋଗଟି ଜୁନୋଟିକ୍‍ ବା ଏକ ପଶୁଜନ୍ୟ ରୋଗ । ହେଲେ ସଂକ୍ରମିତ କୁକୁଡା, ବତକ ମାଂସ ଓ ଅଣ୍ଡା ଆଦି ଖାଇଲେ ଏହି ଭୂତାଣୁ ମଣିଷକୁ ସଂକ୍ରମିତ କରିବାର କୌଣସି ପ୍ରତ୍ୟକ୍ଷ ପ୍ରମାଣ ଏ ଯାଏଁ ମିଳିନାହିଁ ।ତେବେ ଏଥିପାଇଁ ସଚେତନ ହେବାର ଆବଶ୍ୟକ।

ତଥାପି ଏହି ଭୂତାଣୁ ସଂକ୍ରମଣକୁ ରୋକିବା ପାଇଁ କେତେକ ସତର୍କତା ଅବଲମ୍ବନ ଜରୁରୀ । ସେଗୁଡିକ ମଧ୍ୟରେ ରହିଛି ଜୈବ ନିରାପତ୍ତା ପାଳନ, ବ୍ୟକ୍ତିଗତ ସ୍ୱାସ୍ଥ୍ୟରକ୍ଷା ନିୟମ ପାଳନ, ପରିଚ୍ଛନ୍ନତା ଓ ବିଶୋଧନ, ରୋଷେଇ କରିବାର ପ୍ରଣାଳୀ ଇତ୍ୟାଦି । ଏହାକୁ ମାନି ଚଳିଲେ ଏହି ରୋଗକୁ ଦୂରେଇ ରଖିହେବ ।

ଭାରତରେ ଏହି ରୋଗ ମୁଖ୍ୟତଃ ଶୀତକାଳରେ ବ୍ୟାପୀଥାଏ। ଶୀତଦିନେ ସେପ୍‍ଟେମ୍ବରରୁ ଅକ୍ଟୋବର ଓ ଫେବୃୟାରୀରୁ ମାର୍ଚ୍ଚ ପର୍ଯ୍ୟନ୍ତ ଆତଯାତ କରୁଥିବା ବିଦେଶ ପକ୍ଷୀଙ୍କ ଦ୍ୱାରା ଏହି ରୋଗ ମୁଖ୍ୟତଃ ବ୍ୟାପେ । ଦ୍ୱିତୀୟରେ ସଂକ୍ରମଣକାରୀ ପଦାର୍ଥ ସଂସ୍ପର୍ଶରେ ମଣିଷ ଆସିଲେ ଏହା ମଧ୍ୟ ବ୍ୟାପିଥାଏ ।

ଏହି ଆଭିଏନ ଇନ୍‍ଫ୍ଲୁଏଞ୍ଜା ବିଶ୍ୱବ୍ୟାପୀ ସଂକ୍ରମିତ ହେବାର ଆଂଶକା ଦେଖାଦେବା ପରେ ୨୦୦୫ରେ ଭାରତ ସରକାରଙ୍କ ପଶୁସଂପଦ ଓ ଦୁଗ୍ଧ ବିଭାଗ ପକ୍ଷରୁ ଏକ କାର୍ଯ୍ୟାନୁଷ୍ଠାନ ଯୋଜନା ପ୍ରସ୍ତୁତ କରାଯାଇଥିଲା । ଏହାକୁ ପରିସ୍ଥିତିର ଆବଶ୍ୟକତା ଅନୁସାରେ ୨୦୦୬, ୨୦୧୨, ୨୦୧୫ ଏବଂ ୨୦୨୧ରେ ସଂଶୋଧନ କରାଯାଇ ରାଜ୍ୟ ସରକାରମାନଙ୍କୁ ଏହି ରୋଗ ରୋକିବା ପାଇଁ ନିର୍ଦେଶାବଳୀ ଜାରି କରାଯାଇଛି ।

୨୦୨୦ରେ ଏହି ଇନ୍‍ଫ୍ଲୁଏଞ୍ଜା ନିୟନ୍ତ୍ରଣ କାର୍ଯ୍ୟକ୍ରମ ଅଧୀନରେ ତଦାରଖ ବ୍ୟବସ୍ଥା ଆରମ୍ଭ କରାଯାଇଥିଲା । ଏହି ତଦାରଖ ବ୍ୟବସ୍ଥା ପରେ ଦେଶରେ ଆଭିଏନ ଇନ୍‍ଫ୍ଲୁଏଞ୍ଜାର ଭୟ ନାହିଁ ବୋଲି ୨୦୨୦ ସେପ୍‍ଟେମ୍ବର ୩୦ରେ ଘୋଷଣା କରାଯାଇଥିଲା ।

ଏହି ଶୀତକାଳୀନ ରୋଗର ପୁରୁଣା ଅଭିଜ୍ଞତାକୁ ଦୃଷ୍ଟିରେ ରଖି କେନ୍ଦ୍ର ସରକାରଙ୍କ ପକ୍ଷରୁ ସବୁ ରାଜ୍ୟ ଓ କେନ୍ଦ୍ର ଶାସିତ ଅଞ୍ଚଳକୁ ନିୟମିତ ବ୍ୟବଧାନରେ ନିର୍ଦେଶାବଳୀ ଓ ସତର୍କତାମାନ ଜାରି କରାଯାଉଛି । ଶୀତଦିନ ଆରମ୍ଭ ପୂର୍ବରୁ ଏଥିପାଇଁ ଲୋକଙ୍କୁ ସଚେତନ କରାଇବା ସହ ସମ୍ଭାବ୍ୟ ରୋଗ ସଂକ୍ରମଣକୁ ଦୃଷ୍ଟିରେ ରଖି ସ୍ୱାସ୍ଥ୍ୟ ବିଭାଗ ପିପିଇ କିଟ୍ସ ଓ ଅନ୍ୟାନ୍ୟ ଉପକରଣ ଆଦି ପ୍ରସ୍ତୁତ କରି ରଖୁଛନ୍ତି ।

ଏ କ୍ଷେତ୍ରରେ ରାଜ୍ୟମାନଙ୍କୁ ମଧ୍ୟ କେନ୍ଦ୍ର ପକ୍ଷରୁ ସାହାଯ୍ୟ ସହଯୋଗ ଯୋଗାଇ ଦିଆଯାଉଛି। ଏହା ବ୍ୟତୀତ ରାଜ୍ୟମାନଙ୍କୁ ଭୋପାଳସ୍ଥିତ ଆଇସିଏଆର-ନିହିସାଦ ରେଫରାଲ ଲ୍ୟାବ୍‍ ପକ୍ଷରୁ ବୈଷୟିକ ସହାୟତା ଯୋଗାଇ ଦିଆଯାଉଛି । କୁକୁଡା, ବତକ ଆଦିଙ୍କୁ ମାରିବା ଏବଂ ସେ ବାବଦରେ ମାଲିକମାନଙ୍କୁ କ୍ଷତିପୂରଣ ଦେବାକୁ ରାଜ୍ୟ ସରକାରମାନଙ୍କୁ କେନ୍ଦ୍ର ସରକାର ଅର୍ଥ ଯୋଗାଉଛି । ୨୦୨୦ ଅକ୍‍ଟୋବର ୨୨ ତାରିଖରେ ଏହି ରୋଗ ସଂପର୍କରେ ରାଜ୍ୟ ଓ କେନ୍ଦ୍ର ଶାସିତ ଅଞ୍ଚଳଗୁଡିକୁ ପ୍ରସ୍ତୁତ ରହିବାକୁ ଶେଷ ନିର୍ଦେଶାବଳୀ ଜାରି କରାଯାଇଥିଲା ।

ବର୍ତ୍ତମାନର ସଂକ୍ରମଣର ସ୍ଥିତି

ଆଇସିଏଆର ନିହିସାଦ ଦ୍ୱାରା ଏହି ପକ୍ଷୀ ଇନ୍‍ଫ୍ଲୁଏଞ୍ଜାର ପଜିଟିଭ ସାମ୍ପୁଲ ମିଳିବା ନିଶ୍ଚିତ ହେବା ପରେ ଦେଶର ବିଭିନ୍ନ ରାଜ୍ୟର ୧୨ଟି ସ୍ଥାନରେ ଏହି ସଂକ୍ରମଣ ବ୍ୟାପିଥିବା ଜଣାପଡିଛି । ସେଗୁଡିକ ହେଲା ରାଜସ୍ଥାନର ବାରନ୍‍, କୋଟା ଓ ଝଲୱାର; ମଧ୍ୟପ୍ରଦେଶର ମଣ୍ଡସୋର, ଇନ୍ଦୋର ଓ ମାଲୱା; ହିମାଚଳ ପ୍ରଦେଶର କାଙ୍ଗଡା; କେରଳର କୋଟାୟମ ଓ ଆଲ୍‍ପୁଝା ।

ଏହି ୪ଟି ରାଜ୍ୟ ମଧ୍ୟରୁ ରାଜସ୍ଥାନ ଓ ମଧ୍ୟପ୍ରଦେଶରେ କାଉମଡକ ଦେଖାଦେଇଥିବାବେଳେ ହିମାଚଳ ପ୍ରଦେଶରେ ବିଦେଶୀ ପକ୍ଷୀଙ୍କ ମୃତ୍ୟୁ ଘଟିଛି। ଅପରପକ୍ଷରେ କେରଳରେ କୁକୁଡା ଓ ବତକ ବହୁସଂଖ୍ୟାରେ ମରିଛନ୍ତି। ତଦନୁସାରେ ରାଜସ୍ଥାନ ଓ ମଧ୍ୟପ୍ରଦେଶ ସରକାରଙ୍କୁ ୨୦୨୧ ଜାନୁୟାରୀ ପହିଲାରେ ସ୍ୱାସ୍ଥ୍ୟ ପରାମର୍ଶ ଜାରି କରାଯାଇଥିଲା। ରୋଗ ଯେପରି ଅଧିକ ନ ବ୍ୟାପେ ସେଥିପାଇଁ ପଦକ୍ଷେପ ନେବାକୁ ଏଥିରେ କୁହାଯାଇଥିଲା। ମଧ୍ୟପ୍ରଦେଶ ଓ ରାଜସ୍ଥାନ ସରକାର କେନ୍ଦ୍ରୀୟ ନିର୍ଦେଶାବଳୀ ଅନୁସାରେ ଏହି ସଂକ୍ରମଣକୁ ରୋକିବାକୁ ପଦକ୍ଷେପମାନ ନେଉଛନ୍ତି ।

ସେହିଭଳି ହିମାଚଳ ପ୍ରଦେଶରେ ଏହି ରୋଗ ଦେଖାଦେବା ପରେ ସେଠା ସରକାରଙ୍କୁ ୨୦୨୧ ଜାନୁୟାରୀ ୫ରେ ସ୍ୱାସ୍ଥ୍ୟ ପରାମର୍ଶ ଜାରି କରାଯାଇଥିଲା । ଏହି ରୋଗ ଯେପରି କୁକୁଡା, ବତକଙ୍କୁ ନ ବ୍ୟାପେ ସେଥିପାଇଁ ପଦକ୍ଷେପ ନେବାକୁ କୁହାଯାଇଛି । କେରଳରୁ ମିଳିଥିବା ତଥ୍ୟ ଅନୁସାରେ ସେଠା ସରକାର ଗତ ୫ ତାରିଖଠାରୁ ଏହି ରୋଗର ନିୟନ୍ତ୍ରଣ ପଦକ୍ଷେପ ଆରମ୍ଭ କରିଛନ୍ତି ।

ଯେଉଁଠି ବ୍ଳାର୍ଡ ଫ୍ଲୁ ଦେଖାଦେଇଛି ସେଠାରେ କୁକୁଡା, ବତକ ମାରିବା କାମ ଆରମ୍ଭ କରାଯାଇଛି । କେନ୍ଦ୍ର ପଶୁଧନ ଓ ଡାଏରି ବିଭାଗ ମଧ୍ୟ ଏହି ରୋଗ ପାଇଁ ନୂଆଦିଲ୍ଲୀରେ ନିୟନ୍ତ୍ରଣକକ୍ଷ ସ୍ଥାପନ କରି ଦୈନିକ ଗ୍ରହଣ କରାଯାଉଥିବା ସଂକ୍ରମଣ ବିରୋଧୀ କାର୍ଯ୍ୟାନୁଷ୍ଠାନର ତଦାରଖ କରୁଛି । ଏଥିପାଇଁ ରାଜ୍ୟ ସରକାରଙ୍କ ସହ ସମନ୍ୱୟ ରକ୍ଷା କରାଯାଉଛି ।

ଯେଉଁସବୁ ରାଜ୍ୟରେ ଏହି ରୋଗ ସଂକ୍ରମଣ ଆରମ୍ଭ ହୋଇଛି ସେଠାରେ ଏହା ଯେପରି ଅଧିକ ନ ବ୍ୟାପେ ସେଥିପ୍ରତି ଦୃଷ୍ଟି ଦେବା ସହିତ ନିରାକରଣ ପ୍ରକ୍ରିୟା ଉପରେ ଗୁରୁତ୍ୱ ଦିଆଯାଉଛି । କେନ୍ଦ୍ର ଦ୍ୱାରା ଧାର୍ଯ୍ୟ ନିର୍ଦେଶାବଳୀ ଅନୁସାରେ କାମ ଚାଲିଛି । ସଂକ୍ରମିତ ଅଞ୍ଚଳରେ କୁକୁଡା, ବତକ ଆଦିକୁ ହତ୍ୟାକରି ସେଗୁଡିକୁ ପୋତି ଦିଆଯାଉଛି । ଯେଉଁ ପକ୍ଷୀମାନେ ଆକ୍ରାନ୍ତ ହୋଇ ଏଠିସେଠି ମରି ପଡୁଛନ୍ତି ସେ ସବୁକୁ ସଫା କରାଯାଇ ପୋତି ଦିଆଯାଉଛି। ସଂକ୍ରମିତ ଅଞ୍ଚଳରେ ବିଶୋଧନ ଓ ସଫେଇ କାର୍ଯ୍ୟ କରାଯାଉଛି ।

ନିୟମିତ ବ୍ୟବଧାନରେ ପକ୍ଷୀଙ୍କ ନମୁନା ସଂଗ୍ରହ କରାଯାଇ ସଂକ୍ରମଣ ଉପରେ ନଜର ରଖାଯାଇଛି। ଲୋକମାନଙ୍କୁ କୁକୁଡା, ବତକ ମାଂସ ଓ ଅଣ୍ଡା ଆଦି ଖାଇବାବେଳେ ସାବଧାନତା ଅବଲମ୍ବନ କରିବାକୁ କୁହାଯାଉଛି । ସବୁଠୁ ବଡ଼ କଥା ହେଲା ବ୍ୟକ୍ତିଗତ ସ୍ୱାସ୍ଥ୍ୟରକ୍ଷା ଓ ସଚେତନତା ଉପରେ ଅଧିକ ଗୁରୁତ୍ୱ ଦିଆଯାଉଛି । ସଂକ୍ରମିତ ପକ୍ଷୀ ଏବଂ ମଣିଷଙ୍କଠାରୁ ନିରାପଦ ଦୂରତା ରକ୍ଷା କରିବାକୁ କୁହାଯାଉଛି । ଯଦି କେଉଁଠି ଅସ୍ୱାଭାବିକ ପକ୍ଷୀ ମୃତ୍ୟୁର ଖବର ମିଳୁଛି ସେ ସଂପର୍କରେ ଅନୁଧ୍ୟାନ କରି ତୁରନ୍ତ କାର୍ଯ୍ୟାନୁଷ୍ଠାନ ଗ୍ରହଣ କରିବାକୁ ଜଙ୍ଗଲ ବିଭାଗକୁ ନିର୍ଦେଶ ଦିଆଯାଇଛି ।