ଚାଷୀ ଆନ୍ଦୋଳରେ ଚିକେନ ବିରିୟାନୀ ଖାଇ ବାର୍ଡ ଫ୍ଲୁ ସଂକ୍ରମଣ କରିବା ଷଡଯନ୍ତ୍ର: ବିଜେପି ବିଧାୟକ

Published: Jan 10, 2021, 1:17 pm IST

ନୂଆଦିଲ୍ଲୀ: ଦିଲ୍ଲୀ ସୀମାରେ କୃଷକ ଆନ୍ଦୋଳନ ଜାରି ରହିଛି। ଏହାକୁ ନେଇ ରାଜସ୍ଥାନର ବିଜେପି ବିଧାୟକ ମଦନ ଦିଲାବର ଏକ ବିବାଦିତ ବୟାନ ଦେଇଛନ୍ତି। ଆନ୍ଦୋଳନରେ ଚିକେନ ବିରିୟାନୀ ଖୁଆଇ ବାର୍ଡ ଫ୍ଲୁ ସଂକ୍ରମଣ ବଢାଇବା ପାଇଁ ଷଡଯନ୍ତ୍ର ଚାଲିଛି ବୋଲି ଦିଲାବର କହିଛନ୍ତି। ସେଥିପାଇଁ କେନ୍ଦ୍ର ସରକାର ତୁରନ୍ତ ଏହି ଆନ୍ଦୋଳନକୁ ରୋକିବାକୁ ଚେଷ୍ଟା କରନ୍ତୁ, ଯଦ୍ୱାରା ଦେଶରେ ବାର୍ଡ ଫ୍ଲୁ ସଂକ୍ରମଣକୁ ରୋକା ଯାଇପାରିବ।

ବିଜେପି ବିଧାୟକ ଦିଲାବରଙ୍କ ବୟାନ ଅନୁଯାୟୀ, ଆନ୍ଦୋଳନରେ ବସିଥିବା ଲୋକ ପ୍ରତ୍ୟେକ ଦିନ ଚିକେନ ବିରିୟାନୀ ଖାଉଛନ୍ତି। ଫଳରେ ବାର୍ଡ଼ ଫ୍ଲୁ ବ୍ୟାପିବା ଆଶଙ୍କା ବଢୁଛି। ଏପରି କିଛି ଲୋକଙ୍କୁ ଦେଶ ଚିନ୍ତା ନାହିଁ। ସେଠାରେ କୃଷକ ଆନ୍ଦୋଳନ କରାନଯାଇ ପିକିନିକ କରାଯାଉଛି।

ଏହା ସହିତ କୃଷକ ଆନ୍ଦୋଳନରେ ଆତଙ୍କବାଦୀ ଲୁଚି ରହିଥିବା ଆଶଙ୍କା କରିଛନ୍ତି ବିଜେପି ବିଧାୟକ ଦିଲାବର। ସେମାନଙ୍କ ମଧ୍ୟରେ ଚୋର, ଲୁଟେରା, ଆତଙ୍କବାଦୀ, ଏବଂ ଚାଷୀ ବିରୋଧୀ ଲୋକ ସାମିଲ ହୋଇ ଥାଇପାରନ୍ତି। ଏଭଳି ଲୋକଗୁଡିକ ଦେଶର କ୍ଷତି ଚାହାନ୍ତି। ତେଣୁ ସରକାର ଏହା ଉପରେ ଯଥା ଶୀଘ୍ର କାର୍ଯ୍ୟାନୁଷ୍ଠାନ ନେଇ ଆନ୍ଦୋଳନକୁ ହଟାଇବା ଉଚିତ। ବିଧାୟକ ଦିଲାବରଙ୍କ ଏହି ବିବାଦିତ ବୟାନରେ ରାଜନୀତି ଗରମ ହୋଇଯାଇଛି। ଏହାକୁ ନେଇ ବହୁ ଆଲୋଚନା ଏବଂ ସମାଲୋଚନା ହେଉଛି। ସେ କେବଳ ରାଜସ୍ଥାନର ବିଧାୟକ ନୁହନ୍ତି, ଦିଲାବର ରାଜସ୍ଥାନ ବିଜେପିର ମହାମନ୍ତ୍ରୀ ମଧ୍ୟ ଅଛନ୍ତି।

Related posts