Categories
ଜାତୀୟ ଖବର ବିଶେଷ ଖବର ରାଜ୍ୟ ଖବର

ବିଆରଏସ ଓ ବିଜେପିରେ ବିଫଳ ହେବା ପରେ ପୁଣି କଂଗ୍ରେସକୁ ଫେରିବେ ଗମାଙ୍ଗ ବାପପୁଅ !

ଭୁବନେଶ୍ବର: ପୁଣି ଥରେ ତାଙ୍କର ରାଜନୈତିକ ଘର କଂଗ୍ରେସ ଦଳକୁ ଫେରିବେ ଗମାଙ୍ଗ ବାପପୁଅ। ଓଡିଶାର ପୂର୍ବତନ ମୁଖ୍ୟମନ୍ତ୍ରୀ ଗିରିଧର ଗମାଙ୍ଗ ଏବଂ ପୁଅ ଶିଶିର ଗମାଙ୍ଗ କଂଗ୍ରେସ ଫେରିବେ ବୋଲି ଚାଲିଛି ଜୋରଦାର ଚର୍ଚ୍ଚା। ସେଥିପାଇଁ ଉଭୟ କୁଆଡେ ବାରମ୍ବାର ଦିଲ୍ଲୀ ଗସ୍ତ କରୁଛନ୍ତି ବୋଲି ଜଣାପଡିଛି। ହେଲେ ରାହୁଳ ଗାନ୍ଧି ସାଂସଦ ପଦ ଫେରିବା ମାମଲାରେ ବ୍ୟସ୍ତ ରହୁଥିବାର ତାଙ୍କର ଦେଖା ମିଳିପାରି ନାହିଁ।

ଏମାନେ କଂଗ୍ରେସର ଯୋଗ ନେବା ନେଇ ଦଳର କେତେକ ନେତା କୁଆଡେ ସମର୍ଥନ ମଧ୍ୟ କରୁଛନ୍ତି। ମୁଖ୍ୟତଃ ଶରତ ପଟ୍ଟନାୟକଙ୍କ ବିରୋଧୀ ଗୋଷ୍ଠୀ ଏଥିରେ ପ୍ରମୁଖ ଭୂମିକା ଗ୍ରହଣ କରିଛନ୍ତି। ଗିରିଧର ଗମାଙ୍ଗ କଂଗ୍ରେସରେ ବେଶ ଭଲ ପରିଚୟ ରହିଛି ଏବଂ ସେ ପୂର୍ବତନ ମୁଖ୍ୟମନ୍ତ୍ରୀ ହିସାବରେ କଂଗ୍ରେସ ତାଙ୍କୁ ନିଶ୍ଚିତ ଗୁରୁତ୍ବ ଦେବ। ସେହି ଆଶାରେ ଏହି ଗୋଷ୍ଠୀ ଗମାଙ୍ଗ କଂଗ୍ରେସରେ ଯୋଗ ଦେବା ପାଇଁ ଉଦ୍ୟମ ଆରମ୍ଭ କରିଛନ୍ତି। ଯଦି ସବୁ ଠିକଠାକ୍ ହୁଏ ତେବେ ଗମାଙ୍ଗ ବାପପୁଅ ଏହି ମାସରେ କଂଗ୍ରେସରେ ସାମିଲ ହେବେ।

ନିକଟରେ ଉଭୟ ବିଜେପିରୁ ଇସ୍ତଫା ଦେଇ ତେଲଙ୍ଗାନା ମୁଖ୍ୟମନ୍ତ୍ରୀ କେ ଚନ୍ଦ୍ରଶେଖର ରାଓଙ୍କ ଦଳ ଭାରତୀୟ ରାଷ୍ଟ୍ରୀୟ ସମିତିରେ ଯୋଗଦେଇ ଥିଲେ। ତାଙ୍କ ସହିତ କେତେକ ପୁରୁଣା କଂଗ୍ରେସ ନେତା ତଥା ପୂର୍ବତନ ବିଧାୟକଙ୍କୁ ମଧ୍ୟ ସାମିଲ ହୋଇଥିଲେ। ଏହାପରେ ଭୁବନେଶ୍ବରରେ ଏକ ସାମ୍ବାଦିକ ସମ୍ମିଳନୀ ବ୍ୟତିତ ଏହି ଦଳ ତରଫରୁ ଆଉ କିଛି ହୋଇପାରିଲା ନାହିଁ।

ବିଶେଷ ସୁତ୍ର ଅନୁସାରେ ଗିରିଧର ଗମାଙ୍ଗ ବିଆରଏସ ରେ ଯୋଗ ଦେବା ପରେ ତାଙ୍କ ବିରୋଧରେ କୁଆଡେ ବିଭିନ୍ନ କ୍ଷେତ୍ରରୁ ଚନ୍ଦ୍ରଶେଖରଙ୍କ ପାଖକୁ ଖବର ଗଲା। ସେଥିରେ କୁହାଯାଇଥିଲା ଯେ, ଗିରିଧର ଗମାଙ୍ଗଙ୍କର ଓଡିଶାର ଆଉ କୌଣସି ଗୁରୁତ୍ବ ନାହିଁ। ତାଙ୍କର ନିଜସ୍ବ ସଂଗଠନ ନାହିଁ। ଏପରିକି ସେ କୌଣସି ସଂଗଠନ କରିପାରିବେ ନାହିଁ। ଓଡିଶାର ଜନସାଧାରଣ ତାଙ୍କ ଉପରେ ଆଉ ଭରସା କରୁ ନାହାଁନ୍ତି।

ଚନ୍ଦ୍ରଶେଖର ଏହି ଖବର ପାଇବା ପରେ ସଂଗଠନ ପାଇଁ ଯେଉଁ ଅର୍ଥ ଦେବା କଥା ତାହା ଦେଲେ ନାହିଁ ବୋଲି ଜଣାପଡିଛି। ଏପରିକି ସେ ଗିରିଧର ଗମାଙ୍ଗ ସହିତ ଆଉ ଯୋଗାଯୋଗ ମଧ୍ୟ କଲେ ନାହିଁ। ଏପରି ପରିସ୍ଥିତିରେ ଗମାଙ୍ଗ ବିଆରଏସରୁ ମୁହଁ ଫେରାଇ ନେଇ ସେ ତାଙ୍କର ସେହି ପୁରୁଣା ଘରକୁ ଫେରିବା ପାଇଁ ଦିଲ୍ଲୀରେ ଲବି ଆରମ୍ଭ କରିଛନ୍ତି।

କଂଗ୍ରେସରୁ ନିଜର ରାଜନୈତିକ ଜୀବନ ଆରମ୍ଭ କରିଥିବା ଏହି ଗମାଙ୍ଗ ବାପପୁଅ ୨୦୧୫ ମସିହାରେ ବିଜେପିରେ ଯୋଗ ଦେଇଥିଲେ। ହେଲେ ପରବର୍ତ୍ତି ସମୟରେ ଏହି ଦୁଇଜଣଙ୍କ ଉପରେ ବିଜେପି କୌଣସି ଭରସା କରିପାରିଲା ନାହିଁ। ଫଳରେ ଉଭୟ ବିଜେପିରେ କଣଠୋସା ହୋଇପଡି ରହିଥିଲେ। ବର୍ତ୍ତମାନ ବିଜେପି ଏବଂ ବିଆରଏସରରୁ ବିଫଳ ହେବା ପରେ ଏବେ ଘରବାହୁଡା ପାଇଁ ଉଭୟ ବାପପୁଅ ଉଦ୍ୟମ ଜାରି ରଖିଛନ୍ତି।

Categories
ଆଜିର ଖବର ଜାତୀୟ ଖବର

ତେଲେଙ୍ଗାନା ମୁଖ୍ୟମନ୍ତ୍ରୀଙ୍କୁ ଝଟକା, ପୂର୍ବତନ ସାଂସଦଙ୍କ ସମେତ ଅନେକ ନେତା କଂଗ୍ରେସରେ ସାମିଲ

ନୂଆଦିଲ୍ଲୀ: ତେଲେଙ୍ଗାନା ମୁଖ୍ୟମନ୍ତ୍ରୀ କେସିଆର ପାର୍ଟି ବିଆରଏସକୁ କଂଗ୍ରେସ ଏକ ବଡ ଝଟକା ଦେଇଛି। ଆଜି ପୂର୍ବତନ ସାଂସଦ ପୋଙ୍ଗୁଲେଟି ଶ୍ରୀନିବାସ ରେଡ୍ଡୀ, ତେଲେଙ୍ଗାନାର ପୂର୍ବତନ ମନ୍ତ୍ରୀ ଜୁପଲି କୃଷ୍ଣ ରାଓଙ୍କ ସମେତ ଅନେକ ନେତା କଂଗ୍ରେସରେ ଯୋଗ ଦେଇଛନ୍ତି। କଂଗ୍ରେସ ସଭାପତି ମଲ୍ଲିକାର୍ଜୁନ ଖଡଗେ ଏବଂ ରାହୁଲ ଗାନ୍ଧୀଙ୍କ ଉପସ୍ଥିତିରେ ଏହି ନେତାମାନେ ଦଳ ସହ ହାତ ମିଳାଇଛନ୍ତି।

ଏହି ସମୟରେ କଂଗ୍ରେସର ସାଧାରଣ ସମ୍ପାଦକ କେ.ସି ଭେନୁଗୋପାଲ, ଦଳର ରାଜ୍ୟ ପ୍ରଭାରୀ ମାଣିକରାଓ ଠାକରେ ଏବଂ ପ୍ରଦେଶ କଂଗ୍ରେସ କମିଟି ସଭାପତି ରେଭନ୍ତ ରେଡ୍ଡୀ ଉପସ୍ଥିତ ଥିଲେ। ମଲ୍ଲିକାର୍ଜୁନ୍ ଖଡଗେ ଏବଂ ରାହୁଲ ଗାନ୍ଧୀ ମଧ୍ୟ ଏଆଇସିସି କାର୍ଯ୍ୟାଳୟରେ ତେଲେଙ୍ଗାନା କଂଗ୍ରେସ ନେତାଙ୍କୁ ଭେଟିଥିଲେ।

ପୋଙ୍ଗୁଲେଟି ଶ୍ରୀନିବାସା ରେଡ୍ଡୀ କିଏ?:

ପୋଙ୍ଗୁଲେଟି ଶ୍ରୀନିବାସା ରେଡ୍ଡୀ ଖମମ ଲୋକସଭା ଆସନର ପୂର୍ବତନ ସାଂସଦ। ରେଡ୍ଡୀ ଲୋକସଭା ନିର୍ବାଚନରେ ​​YSR କଂଗ୍ରେସ ଟିକେଟରେ ଜିତିଥିଲେ। ଏହା ପରେ ସେ କେସିଆର ପାର୍ଟିରେ ଯୋଗ ଦେଇଥିଲେ। ତେଲେଙ୍ଗାନାର ଚନ୍ଦ୍ରଶେଖର ରାଓ ସରକାରରେ କୃଷ୍ଣ ରାଓ ଗ୍ରାମୀଣ ବିକାଶ ମନ୍ତ୍ରୀ ରହିଛନ୍ତି। ଦଳ ବିରୋଧୀ କାର୍ଯ୍ୟକଳାପ ଅଭିଯୋଗରେ ଏହି ଦୁଇ ନେତାଙ୍କୁ କିଛି ମାସ ପୂର୍ବରୁ ଭାରତ ରାଷ୍ଟ୍ର ସମିତିରୁ ନିଲମ୍ବିତ କରାଯାଇଥିଲା।

ଏହି ଦୁଇ ନେତାଙ୍କ ବ୍ୟତୀତ ପୂର୍ବତନ ବିଧାୟକ ଏମଏଲସି ଦାମୋଦର ରେଡ୍ଡୀଙ୍କ ସମେତ ପ୍ରାୟ ୧୮ ଜଣ ନେତା କଂଗ୍ରେସରେ ଯୋଗ ଦେଇଛନ୍ତି। କର୍ଣ୍ଣାଟକରେ ବିଜୟ ପରେ ତେଲେଙ୍ଗାନାରେ ଶାସକ ବିଆରଏସରେ କଂଗ୍ରେସ ଯେଉଁଭଳି ଆଭିମୁଖ୍ୟ ଗ୍ରହଣ କରିଛି ତାହା ପ୍ରତିଯୋଗିତାକୁ ଆକର୍ଷଣୀୟ କରିଛି। ଚଳିତ ବର୍ଷ ଶେଷରେ ତେଲେଙ୍ଗାନାରେ ବିଧାନସଭା ନିର୍ବାଚନ ଅନୁଷ୍ଠିତ ହେବ।

Categories
ଜାତୀୟ ଖବର ବିଶେଷ ଖବର

ତେଲେଙ୍ଗାନାରେ ପ୍ରଧାନମନ୍ତ୍ରୀ ମୋଦୀ, ଆସିଲେନି ମୁଖ୍ୟମନ୍ତ୍ରୀ, ଚାଲିଛି ଶୀତଳ ଯୁଦ୍ଧ

ନୂଆଦିଲ୍ଲୀ: ତେଲେଙ୍ଗାନା ମୁଖ୍ୟମନ୍ତ୍ରୀ କେ ଚନ୍ଦ୍ରଶେଖର ରାଓ ବା କେସିଆର ଶନିବାର ଦିନ ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦୀଙ୍କ କାର୍ଯ୍ୟକ୍ରମରୁ ନିଜକୁ ଦୂରେଇ ରଖିଛନ୍ତି। ଏପରିକି ପ୍ରୋଟକଲ ଭାଙ୍ଗି ସେ ବିମାନବନ୍ଦରକୁ ମଧ୍ୟ ସ୍ବାଗତ କରିବା ପାଇଁ ଗଲେ ନାହିଁ। ପୂର୍ବରୁ ମଧ୍ୟ କେସିଆର ଏହିପରି ପ୍ରଧାନମନ୍ତ୍ରୀଙ୍କ କାର୍ଯ୍ୟକ୍ରମରେ ଯୋଗ ନ ଦେଇ ଚର୍ଚ୍ଚାରେ ଅଛନ୍ତି।

ଶନିବାର ଦିନ ତେଲେଙ୍ଗାନା ରାଜ୍ୟ ପାଇଁ ପ୍ରଧାନମନ୍ତ୍ରୀ ମୋଦୀ ଅନେକ ବିକାଶ ପ୍ରକଳ୍ପର ଉଦଘାଟନ କରିଛନ୍ତି। ସେଥିପାଇଁ ପ୍ରୋଟୋକଲ ଅନୁଯାୟୀ ଏହି କାର୍ଯ୍ୟକ୍ରମରେ ରାଜ୍ୟର ମୁଖ୍ୟମନ୍ତ୍ରୀ ଭାବେ କେସିଆର ଯୋଗଦେବା କଥା। ହେଲେ ତାହା ସେ କଲେ ନାହିଁ। କେନ୍ଦ୍ର ସରାକରଙ୍କ ତରଫରୁ ମୁଖ୍ୟମନ୍ତ୍ରୀଙ୍କ କାର୍ଯ୍ୟାଳୟକୁ ଏକ ସରକାରୀ ନିମନ୍ତ୍ରଣ ପଠାଯାଇଥିଲା। ହେଲେ ମଧ୍ୟ କେସିଆର ପ୍ରଧାନମନ୍ତ୍ରୀଙ୍କ ସାଥୀରେ ରହିଲେ ନାହିଁ।

ପ୍ରଧାନମନ୍ତ୍ରୀ ଶନିବାର ସକାଳେ ହାଇଦ୍ରାବାଦ ବିମାନ ବନ୍ଦରରେ ପହଞ୍ଚିବା ପରେ ସେଠାରେ ତେଲେଙ୍ଗାନା ରାଜ୍ୟପାଳ ତାମିଲସାଇ ସୁନ୍ଦରରଂଜନ, କେନ୍ଦ୍ରମନ୍ତ୍ରୀ ଜି କିଶନ ରେଡ୍ଡୀ, ରାଜ୍ୟ ବିଜେପି ସଭାପତି ବନ୍ଦି ସଂଜୟ କୁମାର ସ୍ବାଗତ କରିଥିଲେ। ତେବେ ରାଜ୍ୟ ସରକାରଙ୍କ ତରଫରୁ ମୁଖ୍ୟମନ୍ତ୍ରୀ କେସିଆର ନ ଆସି ତାଙ୍କ ବଦଳରେ ମନ୍ତ୍ରୀ ତାଲାସାନ ଶ୍ରୀନିବାସ ଯାଦବ ସ୍ବାଗତ କରିଥିଲେ।

ତେବେ ଭାରତ ରାଷ୍ଟ୍ର ସମିତି (ବିଆରଏସ) ପ୍ରଧାନମନ୍ତ୍ରୀଙ୍କ ଗସ୍ତକୁ ନେଇ ସମାଲୋଚନା କରିଛି। ଦଳ କହିଛି ଯେ, ତେଲେଙ୍ଗାନା ପ୍ରତି ପ୍ରଧାନମନ୍ତ୍ରୀ ମୋଦୀଙ୍କ ବୈମାତୃକ ମନୋଭାବ ରହିଛି। ଏକ ଟୁଇଟ କରି ଦଳ କହିଛି  “ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦୀ ଆମ ତେଲେଙ୍ଗାନା ରାଜ୍ୟ ବିରୋଧରେ କାହିଁକି ପକ୍ଷପାତ ନୀତି ଅବଲମ୍ବନ କରୁଛନ୍ତି। ସେଥିପାଇଁ ତେଲେଙ୍ଗାନାବାସୀ ପ୍ରଧାନମନ୍ତ୍ରୀଙ୍କୁ ନିନ୍ଦା କରୁଛନ୍ତି। ”

ପ୍ରଧାନମନ୍ତ୍ରୀ ହାଇଦ୍ରାବାଦରେ ପହଞ୍ଚିବା ପରେ ସେଠାରୁ ସେ ସିକନ୍ଦରାବାଦ ରେଳ ଷ୍ଟେସନ ଯାଇଥିଲେ। ସେଠାରେ ସେ ଷ୍ଟେସନର ନବୀକରଣକୁ ଉଦଘାଟନ କରିବା ସହିତ ବନ୍ଦେ ଭାରତ ଏକ୍ସପ୍ରେସର ଶୁଭାରମ୍ଭ କରିଛନ୍ତି। ପ୍ରଧାନମନ୍ତ୍ରୀଙ୍କ ଗସ୍ତକୁ ଦେଖି ରାଜ୍ୟ ବିଜେପି ତରଫରୁ ହାଇଦ୍ରାବାଦଠାରୁ ସିକନ୍ଦରାବାଦ ରାସ୍ତାରେ ଦଳୀୟ ପତାକା ସହିତ ମୋଦୀଙ୍କ ପୋଷ୍ଟର ଲଗାଇଛନ୍ତି। ତାହାକୁ ଲକ୍ଷ୍ୟ କରି ବିଆରଏସ ମଧ୍ୟ ତାଙ୍କର ଦଳୀୟ ପତାକା ଏବଂ କେସିଆରଙ୍କ ଫଟୋ ଥିବା ପୋଷ୍ଟର ଛାଇ ଦେଇଛନ୍ତି।

ଆସନ୍ତା ବର୍ଷ ତେଲେଙ୍ଗାନା ରାଜ୍ୟର ବିଧାନସଭା ଏବଂ ଲୋକସଭା ନିର୍ବାଚନ ହେବ। ଯେଉଁଥିରେ କେସିଆରଙ୍କ ବିଆରଏସ ସହିତ ବିଜେପିର କଡା ମୁକାବିଲା ହେବ। ଜାତୀୟ ସ୍ତରରେ ରାଜନୀତି କରିବା ପାଇଁ କେସିଆର ନିଜର ଦଳକୁ ଆଞ୍ଚଳିକ ନାମରୁ ଜାତୀୟ ନାମକରଣ କରିଛନ୍ତି। ପୂର୍ବରୁ ଟିଆରଏସ ରୁ ଦଳର ନୂଆ ନାମ ବିଆରଏସ ବା ଭାରତ ରାଷ୍ଟ୍ର ସମିତି କରାଯାଇଛି। ଆସନ୍ତା ବର୍ଷର ନିର୍ବାଚନ ଯୁଦ୍ଧକୁ ଦୃଷ୍ଟିରେ ରଖି କେସିଆର ଏବେଠାରୁ ବିଜେପି ସହିତ ଶୀତଳ ଯୁଦ୍ଧ ଆରମ୍ଭ କରିଛନ୍ତି।

Categories
ଜାତୀୟ ଖବର ବିଶେଷ ଖବର ରାଜ୍ୟ ଖବର

ଜାତୀୟ ଫୋକସରେ କେସିଆରଙ୍କ ମହାସମାବେଶ, ଓଡିଶା ନେତାଙ୍କ ଯୋଗଦାନ ନେଇ ଚର୍ଚ୍ଚା

ନୂଆଦିଲ୍ଲୀ: ଚଳିତ ବର୍ଷ ଶେଷ ଭାଗରେ ତେଲେଙ୍ଗାନାର ବିଧାନସଭା ନିର୍ବାଚନ ଅନୁଷ୍ଠିତ ହେବା। ଏହି ନିର୍ବାଚନରେ ଚଳିତ ଥର ଶାସକ ଦଳ ମୁଖ୍ୟ କେ ଚନ୍ଦ୍ରଶେଖର ରାଓଙ୍କ ଭାରତ ରାଷ୍ଟ୍ର ସମିତି ବା ବିଆରଏସ କୁ କଡ଼ା ଚ୍ୟାଲେଞ୍ଜ ସମ୍ମୁଖୀନ ହେବାକୁ ପଡିବ। କାରଣ ଏଥର ବିଜେପି ତେଲେଙ୍ଗାନା ରାଜ୍ୟକୁ ମୁଖ୍ୟ ଫୋକସରେ ରଖିଛି। ସେଥିପାଇଁ ରାଜ୍ୟରେ ରାଜନୀତି ବେଶ ଗରମ ହେବାରେ ଲାଗିଛି।

ତେବେ ତେଲେଙ୍ଗାନା ମୁଖ୍ୟମନ୍ତ୍ରୀ କେ ଚନ୍ଦ୍ରଶେଖର ଆସନ୍ତା ଅଠର ତାରିଖରେ ଖମ୍ମା ଠାରେ ଏକ ବିଶାଳ ସମାବେଶର ଆୟୋଜନ କରୁଛନ୍ତି।  ବିଆରଏସର ଏହି ସମ୍ମିଳନୀକୁ ଜାତୀୟ ରାଜନୀତି ମଧ୍ୟ ନଜରରେ ରଖିଛି। କାରଣ କେସିଆରଙ୍କ ଏହି ମେଗା ସୋ ମାଧ୍ୟମରେ ଜାତୀୟ ରାଜନୀତିରେ ଦଳର ପ୍ରତିଷ୍ଠା ଜାହିର କରିବେ ବୋଲି କୁହାଯାଇଛି।

ସବୁଠାରୁ ବଡ କଥା ହେଲା କେସିଆରଙ୍କ ଏହି ସମ୍ମିଳନୀରେ ତିନୋଟି ରାଜ୍ୟର ମୁଖ୍ୟମନ୍ତ୍ରୀ ଯୋଗଦେବେ ବୋଲି ଚର୍ଚ୍ଚା ଚାଲିଛି।  କେସିଆରଙ୍କ ସହିତ ତିନି ମୁଖ୍ୟମନ୍ତ୍ରୀ – ପିନାରାଇ ଭାଇଜାନ, ଅରବିନ୍ଦ କେଜ୍ରିୱାଲ, ଏବଂ ଭଗବନ୍ତ ସିଂ ମନ୍  ଯୋଗଦେବାର କାର୍ଯ୍ୟକ୍ରମ ରହିଛି। ସେହିପରି ଉତ୍ତରପ୍ରଦେଶର ପୂର୍ବତନ ମୁଖ୍ୟମନ୍ତ୍ରୀ ଅଖିଳେଶ ଯାଦବଙ୍କ ସମେତ ଅନ୍ୟ ଅନେକ ଜାତୀୟ ନେତା ମଧ୍ୟ ଯୋଗଦେବେ। ଫଳରେ ଏହା ଜାତୀୟ ରାଜନୀତିକୁ ବେଶ୍ ସରଗରମ କରିବ ବୋଲି ଆଶା କରାଯାଉଛି।

ସେହିପରି ଓଡିଶାର ପୂର୍ବତନ ମୁଖ୍ୟମନ୍ତ୍ରୀ ତଥା ବରିଷ୍ଠ ବିଜେପି ନେତା ଗିରିଧର ଗମାଙ୍ଗ ମଧ୍ୟ ଏହି ସମାବେଶରେ ଯୋଗଦେଉଛନ୍ତି ବୋଲି ଜଣାପଡିଛି। କାରଣ ଗତ ଶୁକ୍ରବାର ଦିନ ହାଇଦ୍ରାବାଦର ପ୍ରଗତି ଭବନରେ କେ.ସି.ଆର ଙ୍କ ସହିତ ସେ ସାକ୍ଷାତ କରିଛନ୍ତି। ଏଥିରେ ତାଙ୍କ ପୁଅ ଶିଶିର ଗମାଙ୍ଗ ଏବଂ ଅନ୍ୟମାନେ ମଧ୍ୟ କେସିଆରଙ୍କୁ ସାକ୍ଷାତ କରିଥିଲେ। ଅନ୍ୟପକ୍ଷରେ ଦକ୍ଷିଣ ଓଡିଶାର ଅନ୍ୟତମ ନେତା ଜୟରାମ ପାଙ୍ଗୀ ମଧ୍ୟ କେସିଆରଙ୍କୁ ସାକ୍ଷାତ କରିଛନ୍ତି। ଏହି ତିନି ନେତା ଖମ୍ମାରେ ହେବାକୁ ଥିବା ସମ୍ମିଳନୀରେ ମଧ୍ୟ ଯୋଗ ଦେଉଛନ୍ତି ବୋଲି ଜଣାପଡିଛି।

ଚର୍ଚ୍ଚା ଅନୁସାରେ ଓଡିଶାର ଏହି ତିନି ନେତା ବିଜେପିରୁ ଇସ୍ତଫା ଦେଇ ସେହି ଖମ୍ମା ସମାବେଶରେ ଭାରତ ରାଷ୍ଟ୍ର ସମିତିରେ ଯୋଗ ଦେବେ। ଏ ନେଇ କେସିଆର ତିନି ନେତାଙ୍କ ସହିତ ବିସ୍ତୁତ ଆଲୋଚନା ମଧ୍ୟ କରିଛନ୍ତି। ଓଡିଶାରେ ବିଆରଏସ କୁ ସୁଦୃଢ କରିବା ପାଇଁ ଏମାନେ କେସିଆରଙ୍କୁ ପ୍ରତିଶୃତି ମଧ୍ୟ ଦେଇଛନ୍ତି। ବର୍ତ୍ତମାନ ଏହି ତିନି ନେତା ବିଜେପିରୁ କଣଠୋସା ହୋଇ ରହିଛନ୍ତି। ସେଥିପାଇଁ ସେମାନେ କେସିଆରଙ୍କ ସହିତ ହାତ ମିଳାଇ ପାରନ୍ତି ବୋଲି ଜଣାପଡିଛି।