Categories
ଜାତୀୟ ଖବର ବିଶେଷ ଖବର ବ୍ୟବସାୟ

ବିଧାନସଭାରେ ୨୮ ହଜାର ୨୦୦ କୋଟି ଟଙ୍କାର ଅତିରିକ୍ତ ବଜେଟ ଉପସ୍ଥାପନା କଲେ ଅର୍ଥମନ୍ତ୍ରୀ

ଭୁବନେଶ୍ୱର: ଆଜି ବିଧାନସଭାରେ ଅର୍ଥମନ୍ତ୍ରୀ ବିକ୍ରମ କେଶରୀ ଆରୁଖ ୨୦୨୩-୨୪ ଆର୍ଥିକ ବର୍ଷ ପାଇଁ ଅତିରିକ୍ତ ବଜେଟ ଉପସ୍ଥାପନ କରିଛନ୍ତି। ଅତିରିକ୍ତ ବଜେଟର କଳେବର ୨୮ ହଜାର ୨୦୦ କୋଟି ଟଙ୍କା ରହିଛି। ମୂଳ ବଜେଟର ଆକାର ୨ ଲକ୍ଷ ୩୦ ହଜାର କୋଟି ଟଙ୍କା ଥିଲା। ଫଳରେ ୨୦୨୩-୨୪ ଆର୍ଥିକ ବର୍ଷର ମୋଟ ବଜେଟ ଆକାର ୨ ଲକ୍ଷ ୫୮ ହଜାର ୨୦୦ କୋଟି ଟଙ୍କାରେ ପହଁଚିଛି।

ଅତିରିକ୍ତ ବଜେଟରେ ଅନେକ ନୂତନ ଯୋଜନା ପାଇଁ ବ୍ୟୟ ବରାଦ କରାଯାଇଛି। ସେହିପରି ରାଜ୍ୟର ଋଣ ଭାର ୮୮ ହଜାର ୪୮୭ କୋଟି ଟଙ୍କା ଥିବାବେଳେ ରାଜ୍ୟର ମୁଣ୍ଡପିଛା ଋଣ ଭାର ୧୯ ହଜାର ୧୭୧ ଟଙ୍କା ରହିଛି। ଏହାଛଡ଼ା ସାମଗ୍ରୀକ ବ୍ୟୟ ୩୯ ପ୍ରତିଶତ ବୃଦ୍ଧି ପାଇଥିବାବେଳେ କାର୍ଯ୍ୟକ୍ରମ ବ୍ୟୟ ୭୦ ପ୍ରତିଶତ ଓ ପୁଞ୍ଜି ବ୍ୟୟ ୭୫ ପ୍ରତିଶତ ବୃଦ୍ଧି ପାଇଛି । ଅଗଷ୍ଟ ସୁଦ୍ଧା ନିଜସ୍ୱ ରାଜସ୍ୱ ୪୧ ହଜାର ୨୩୧ କୋଟି ଟଙ୍କା ସଂଗ୍ରହ ହୋଇପାରିଛି ବୋଲି ଅର୍ଥମନ୍ତ୍ରୀ ବିକ୍ରମ କେଶରୀ ଆରୁଖ ସୂଚନା ଦେଇଛନ୍ତି ।

ଯେଉଁ ବିଭାଗକୁ ଏହି ଅତିରିକ୍ତ ବଜେଟରେ ବ୍ୟୟ ବରାଦ କରାଯାଇଛି ତାହା ହେଲା

ଆମ ଓଡ଼ିଶା ନବୀନ ଓଡ଼ିଶା ପାଇଁ ୧୩୦୨ କୋଟି ଟଙ୍କା
ଲକ୍ଷ୍ମୀ ଯୋଜନା ପାଇଁ ୫୫୬ କୋଟି ଟଙ୍କା
ଓଡ଼ିଶା ମେଟ୍ରୋ ରେଳ ପରିବହନ ନିମନ୍ତେ ୨୧୦ କୋଟି ଟଙ୍କା
ପଂଚାୟତର ଆଇଟି ଭିତିଭୂମି ସକାଶେ ୨୫୨ କୋଟି ଟଙ୍କା
ନିର୍ବାଚନ ପରିଚାଳନା ପାଇଁ ୧୯୬ କୋଟି ଟଙ୍କା
ମିଶନ ଶକ୍ତି ପାଇଁ ୭୮୩ କୋଟି ଟଙ୍କା
ସ୍ୱତନ୍ତ୍ର ବିକାଶ ପରିଷଦ ନିମନ୍ତେ ୨୨୪ କୋଟି ଟଙ୍କା
ଅଣସରକାରୀ ଉଚ୍ଚ ବିଦ୍ୟାଳୟ ପାଇଁ ୬୦୦ କୋଟି ଟଙ୍କା
ଶିଳ୍ପ ଓ ଏମଏସଏମଇ ପାଇଁ ୩୨୦୫ କୋଟି ଟଙ୍କା
ଭିତିଭୂମି ବିକାଶ ନିମନ୍ତେ ୧୬୩୧ କୋଟି ଟଙ୍କା

ବିଧାନସଭାରେ ଅର୍ଥମନ୍ତ୍ରୀ ବିକ୍ରମ କେଶରୀ ଆରୁଖ ପ୍ରଥମ ଥର ପାଇଁ ଅତିରିକ୍ତ ବଜେଟ ଉପସ୍ଥାପନ କରିଥିଲେ। ଅତିରିକ୍ତ ବଜେଟରେ ୨୮ ହଜାର ୨୦୦ କୋଟି ଟଙ୍କାର ପ୍ରାବଧାନ କରାଯାଇଛି। ସେଥିମଧ୍ୟରେ ପ୍ରଶାସନିକ ବ୍ୟୟ ବାବଦରେ ୨୮୬୪ କୋଟି, କାର୍ଯ୍ୟକ୍ରମ ବ୍ୟୟ ବାବଦରେ ୨୦ ହଜାର ୧୦୦ କୋଟି, ବିପର୍ଯ୍ୟୟ ପ୍ରଶମନ ପାଣ୍ଠି ସକାଶେ ୪୬୬୪ କୋଟି ଟଙ୍କା ଓ ରାଜ୍ୟ ବଜେଟରୁ ସ୍ଥାନାନ୍ତର ନିମନ୍ତେ ୫୭୨ କୋଟି ଟଙ୍କାର ବ୍ୟୟ ଅଟକଳ କରାଯାଇଛି।

ବିଭିନ୍ନ ପ୍ରକଳ୍ପ ସମ୍ପୂର୍ଣ୍ଣ ପାଇଁ ଅତିରିକ୍ତ ପାଣ୍ଠିର ଆବଶ୍ୟକତା, ଓଡ଼ିଶା ଆକସ୍ମିକ ପାଣ୍ଠିରୁ ନିଆଯାଇଥିବା ଅଗ୍ରୀମ ଅର୍ଥର ଭରଣା ଆଦିକୁ ଆଖି ଆଗରେ ରଖି ଅତିରିକ୍ତ ବଜେଟର ପ୍ରାବଧାନ କରାଯାଇଛି। କାର୍ଯ୍ୟକ୍ରମ ବ୍ୟୟ ନିମନ୍ତେ ଥିବା ୨୦ ହଜାର ୧୦୦ କୋଟିରୁ ୩୨୨୫ କୋଟି ଟଙ୍କା ସହବନ୍ଧିତ ସମ୍ବଳ ସୂତ୍ରରୁ ଓ ବଳକା ଅତିରିକ୍ତ ରାଜସ୍ୱ ଅର୍ଥ ସମର୍ପଣ ଦ୍ୱାରା ଭରଣା କରାଯିବ।

Categories
ଆଜିର ଖବର ରାଜ୍ୟ ଖବର

କ୍ୟାବିନେଟ ମନ୍ତ୍ରୀ ହେବା ପାଇଁ ନବୀନ ନିବାସରୁ ତିନିଜଣଙ୍କ ପାଖକୁ ଗଲା ଫୋନ

ଭୁବନେଶ୍ବର: ଶେଷରେ ତିନିଜଣଙ୍କୁ କ୍ୟାବିନେଟ ମନ୍ତ୍ରୀ କରାଯିବ ବୋଲି ତାଙ୍କ ନାମ ବର୍ତ୍ତମାନ ପ୍ରକାଶ ପାଇଛି। ଆସନ୍ତାକାଲି ଶପଥ ଗ୍ରହଣ ବେଳେ ଏହି ତିନିଜଣ କ୍ୟାବିନେଟ ମନ୍ତ୍ରୀ ଭାବେ ଶପଥ ଗ୍ରହଣ କରିବେ। ସେମାନେ ହେଲେ ବିକ୍ରମ କେଶରୀ ଆରୁଖ, ସାରଦା ପ୍ରସନ୍ନ ନାୟକ ଏବଂ ସୁଦାମ ମାରାଣ୍ଡି। ଏହି ତିନିଜଣ ପୂର୍ବରୁ ନବୀନଙ୍କ ମନ୍ତ୍ରୀ ମଣ୍ଡଳରେ ମନ୍ତ୍ରୀ ଥିଲେ।

ଆସନ୍ତାକାଲି ସକାଳ ୯ ଟା ୫୦ରେ ଲୋକସଭା ଭବନରେ ଥିବା ପ୍ରେକ୍ଷାଳୟରେ ଏମାନେ ଶପଥ ନେବେ। ରାଜ୍ୟପାଳ ପ୍ରଫେସର ଗଣେଷୀଲାଲ ତାଙ୍କୁ ଶପଥପାଠ କରାଇବେ। ପୂର୍ବରୁ ଆଶା କରାଯାଉଥିଲା ଯେ, ନବୀନ ଗଂଜାମ ଜିଲ୍ଲାର ସଂଗଠନ ପାଇଁ କାହାକୁ ମନ୍ତ୍ରୀ କରିବେ। ସେଥିପାଇଁ ବିକ୍ରମ କେଶରୀ ଆରୁଖଙ୍କୁ ମନୋନିତ କରାଯାଇଛି। ସେହିପରି ପଶ୍ଚିମ ଓଡିଶା ଏବଂ ମୟୁରଭଂଜ ସଂଗଠନ ପାଇଁ ନବୀନ ସାରଦା ନାୟକ ଏବଂ ସୁଦାମ ମାରାଣ୍ଡିଙ୍କୁ ମନୋନିତ କରିଛନ୍ତି।

Categories
ଆଜିର ଖବର ରାଜ୍ୟ ଖବର

ଇସ୍ତଫା ଦେଲେ ଓଡିଶା ବିଧାନସଭା ବାଚସ୍ପତି ବିକ୍ରମ କେଶରୀ ଆରୁଖ

ଭୁବନେଶ୍ଵର: ଆଜି ଓଡିଶା ବିଧାନସଭାର ବାଚସ୍ପତି ବିକ୍ରମ କେଶରୀ ଆରୁଖ ନିଜ ପଦବୀରୁ ଇସ୍ତଫା ଦେଇଛନ୍ତି। ଉପ-ବାଚସ୍ପତିଙ୍କୁ ସେ ଇସ୍ତଫା ପତ୍ର ପ୍ରଦାନ କରିଛନ୍ତି। ସାମ୍ବାଦିକ ସମ୍ମିଳନୀରେ ଏନେଇ ବିକ୍ରମ କେଶରୀ ଆରୁଖ ସୂଚନା ଦେଇଛନ୍ତି।

ବ୍ୟକ୍ତିଗତ କାରଣରୁ ସେ ବାଚସ୍ପତି ପଦବୀରୁ ଇସ୍ତଫା ଦେଇଥିବା କହିଛନ୍ତି। ଆଗକୁ ଦଳ ଯେଉଁ ଦାୟିତ୍ଵ ଦେବ, ତାହାକୁ ସେ ନିଷ୍ଠାର ସହ ପାଳନ କରିବେ ବୋଲି କହିଛନ୍ତି।

ତେବେ ଏହାକୁ ନେଇ ଅନେକ କଳ୍ପନା ଜଳ୍ପନା ଆରମ୍ଭ ହୋଇଯାଇଛି। ଆଗାମୀ ଦିନରେ ରାଜ୍ୟରେ ନୂଆ ମନ୍ତ୍ରୀମଣ୍ଡଳ ଗଠନ ହେବ ବୋଲି ଅନୁମାନ କରାଯାଉଛି। ତେଣୁ ବିକ୍ରମ କେଶରୀଙ୍କୁ ନୂତନ ମନ୍ତ୍ରୀମଣ୍ଡଳରେ ସ୍ଥାନ ମିଳିବ ବୋଲି ଚର୍ଚ୍ଚା ହେଉଛି।

Categories
ଆଞ୍ଚଳିକ ଧର୍ମ

ମଇ ୩ ତାରିଖରୁ ଭଞ୍ଜନଗର ଠାକୁରାଣୀ ଯାତ୍ରା ଆରମ୍ଭ

କୈଲାଶ ଚନ୍ଦ୍ର ଚୌଧୁରୀ

ଭଞ୍ଜନଗର: ଐତିହାସିକ ଭଞ୍ଜନଗର ଠାକୁରାଣୀ ଯାତ୍ରା ପାଇଁ ଏକ ପ୍ରସ୍ତୁତି ବୈଠକ ସ୍ଥାନୀୟ ରଘୁନାଥ ମନ୍ଦିରରେ ଅନୁଷ୍ଠିତ ହୋଇଛି। ଉକ୍ତ ବୈଠକରେ ଯାତ୍ରା କମିଟି ଉପଦେଷ୍ଟା ତଥା ବାଚସ୍ପତି ବିକ୍ରମ କେଶରୀ ଆରୁଖ ହେବାକୁ ଥିବା ପ୍ରସିଦ୍ଧ ଠାକୁରାଣୀ ଯାତ୍ରା ର ସୁଚାରୁରୂପେ ସମ୍ପାଦନା ପାଇଁ ସମସ୍ତ ଙ୍କ ସହଯୋଗ କାମନା କରିଥିଲେ। ଏହି ବୈଠକରେ ଅନ୍ୟମାନଙ୍କ ମଧ୍ୟରେ ଉପଜିଲ୍ଲାପାଳ ଜ୍ୟୋତି ଶଙ୍କର ରାୟ, ତହସିଲଦାର ଅଚ୍ୟୁତାନନ୍ଦ ଜାନୀ, ନିର୍ବାହୀ ଅଧିକାରୀ ଆଶୁତୋଷ କର, ଥାନା ଅଧିକାରୀ ଧିରେଶ ଦାସ, ବିଦ୍ୟୁତ ବିଭାଗ ଅଧିକ୍ଷଣ ଯନ୍ତ୍ରୀ ନ୍ରୁସିଂହାନନ୍ଦ ପଣ୍ଡା ପ୍ରମୁଖ ଯୋଗ ଦେଇଥିଲେ। ଆସନ୍ତା ମାର୍ଚ୍ଚ ୨୬ ତାରିଖ ରେ ଶୁଭଖୁଣ୍ଟି ସ୍ଥାପନ ସହ ମଇ ୩ ତାରିଖରୁ ୨୧ ଦିନ ବ୍ୟାପୀ ଯାତ୍ରା ଅନୁଷ୍ଠିତ ହେବ ବୋଲି କମିଟି ନିଷ୍ପତ୍ତି ନେଇଥିଲେ।

ଅନୁଷ୍ଠିତ ବୈଠକରେ ସର୍ବସମ୍ମତିକ୍ରମେ ଯାତ୍ରା କମିଟି ସଭାପତି ଭାବେ ରାଜେନ୍ଦ୍ର ବିଷୋୟୀ, ଉପସଭାପତି ଭାବେ ବିନୟ ରଥ ଓ ଶାନ୍ତନୁ ଦାସ, ସଙ୍ଗଠନ ସମ୍ପାଦକ ଭାବରେ ନଗରପାଳ ଗୋପବନ୍ଧୁ ମହାପାତ୍ର ଓ ସାଧାରଣ ସମ୍ପାଦକ ଭାବେ ସୁଧୀର ବେହେରା ପ୍ରମୁଖ ମନୋନୀତ ହୋଇଛନ୍ତି।

ପ୍ରକାଶ ଥାଉକି ଘୁମୁସର ଅଞ୍ଚଳର ଅଧିଷ୍ଠାତ୍ରୀ ଦେବୀ ବ୍ୟାଘ୍ର ଦେବୀ ଠାକୁରାଣୀ ଓ ଭଞ୍ଜନଗର ର ଗ୍ରାମଦେବତୀ ଠାକୁରାଣୀ ଙ୍କୁ ମୁଖ୍ୟ ରାସ୍ତାରେ ଏକ ଅସ୍ଥାୟୀ ମଣ୍ଡପରେ ସ୍ଥାପନା କରି ଏହି ଯାତ୍ରା ହେଉଛି।

Categories
ଆଜିର ଖବର ସଂସ୍କୃତି

ମହାନ ସଂଗ୍ରାମୀ ଚକରା ବିଷୋୟୀଙ୍କ ରାଜ୍ୟସ୍ତରୀୟ ଜୟନ୍ତୀ ପାଳିତ

ଭୁବନେଶ୍ୱର: ଚକରା ବିଷୋୟୀଙ୍କ ଦେଶ ମାତୃକା ପାଇଁ ସଂଗ୍ରାମ ଓ ତ୍ୟାଗ ଆଜି ଦିନରେ ବିରଳ ବୋଲି ବାଚସ୍ପତି ଶ୍ରୀ ବିକ୍ରମ କେଶରୀ ଆରୁଖ ପ୍ରକାଶ କରିଛନ୍ତି । ରାଜ୍ୟ ସୂଚନା ଓ ଲୋକସମ୍ପର୍କ ବିଭାଗ ଓ ଭଞ୍ଜନଗରର ତରୁଣ କଳାକାର ସଂସ୍ଥାର ମିଳିତ ଆନୁକୂଲ୍ୟରେ ଆଜି ସଂଧ୍ୟାରେ ସ୍ଥାନୀୟ ଜୟଦେବ ଭବନଠାରେ ଅନୁଷ୍ଠିତ ରାଜ୍ୟସ୍ତରୀୟ ଚକରା ବିଷୋୟୀଙ୍କ ୨୦୦ତମ ଜୟନ୍ତୀ କାର୍ଯ୍ୟକ୍ରମରେ ମୁଖ୍ୟ ଅତିଥି ଭାବରେ ଯୋଗଦେଇ ବାଚସ୍ପତି ଶ୍ରୀ ଆରୁଖ ଏହା କହିଛନ୍ତି ।

ଓଡିଶା ସଂଗୀତ ନାଟକ ଏକାଡେମୀର ଉପସଭାପତି ତଥା ବିଶିଷ୍ଟ ଗବେଷକ ଓ ନାଟ୍ୟକାର ଶ୍ରୀ ମନ୍ମଥ କୁମାର ଶତପଥୀ ସମ୍ମାନିତ ଅତିଥି ଭାବରେ ଯୋଗଦେଇ ଚକରା ବିଷୋୟୀଙ୍କ ସଂଗ୍ରାମୀ ବ୍ୟକ୍ତିତ୍ୱ ଉପରେ ବିସ୍ତୃତ ଭାବରେ ଆଲୋକପାତ କରିଥିଲେ। ସୂଚନା ଓ ଲୋକସଂପର୍କ ବିଭାଗର ନିର୍ଦ୍ଦେଶକ ଶ୍ରୀ ଇନ୍ଦ୍ରମଣି ତ୍ରିପାଠୀ କାର୍ଯ୍ୟକ୍ରମରେ ଅଧ୍ୟକ୍ଷତା କରିବା ସହିତ ସ୍ୱାଗତ ଭାଷଣ କ୍ରମରେ ଚକରା ବିଷୋୟୀଙ୍କ ଜୀବନୀ ବର୍ତ୍ତମାନ ତଥା ଭବିଷ୍ୟତ ପିଢି ନିମନ୍ତେ ପ୍ରେରଣାର ଉତ୍ସ ହୋଇ ରହିବ ବୋଲି ପ୍ରକାଶ କରିଥିଲେ ।

ଭଞ୍ଜନଗର କବି ସମ୍ରାଟ ଉପେନ୍ଦ୍ର ଭଞ୍ଜ ମହାବିଦ୍ୟାଳୟର ପ୍ରାକ୍ତନ ଅଧ୍ୟକ୍ଷ ଡଃ. ବିଚିତ୍ରାନନ୍ଦ ଦାସ ମୁଖ୍ୟ ବକ୍ତା ଭାବରେ ବକ୍ତବ୍ୟ ରଖି ଚକରା ବିଷୋୟୀଙ୍କ ସଶସ୍ତ୍ର ସଂଗ୍ରାମ ଉପରେ ଆଲୋଚନା କରିଥିଲେ । କାର୍ଯ୍ୟକ୍ରମ ଆରମ୍ଭରେ ଅତିଥି ମାନେ ପ୍ରଦୀପ ପ୍ରଜ୍ଜ୍ୱଳନ ପୂର୍ବକ ଚକରା ବିଷୋୟୀଙ୍କ ଫଟୋଚିତ୍ରରେ ଶ୍ରଦ୍ଧାସୁମନ ଅର୍ପଣ କରିଥିଲେ । ସହକାରୀ ନିର୍ଦ୍ଦେଶକ(କ୍ଷେତ୍ର) ଶ୍ରୀମତୀ ସୂଚେତା ପ୍ରିୟଦର୍ଶିନୀଙ୍କ ସଂଯୋଜନାରେ ଅନୁଷ୍ଠିତ ଏହି କାର‌୍ୟ୍ୟକ୍ରମରେ ତରୁଣ କଳାକାର ସଂସ୍ଥାର କାର୍ଯ୍ୟକର୍ତ୍ତା ତଥା ଖ୍ୟାତିସଂପନ୍ନ ଅନୁବାଦକ ଡଃ. ଅଜୟ କୁମାର ପଟ୍ଟନାୟକ ଧନ୍ୟବାଦ ଅର୍ପଣ କରିଥିଲେ ।

ଶେଷରେ ଢେଙ୍କାନାଳର ଅଲଟରନେଟିଭ୍ ରିଦମ୍ ଥିଏଟରର ଶିଳ୍ପୀମାନଙ୍କ ଦ୍ୱାରା ଚକରାବିଷୋୟୀଙ୍କ ଜୀବନୀ ଆଧାରିତ “ ମୁଁ ଚକରା କହୁଛି” ନାଟକ ପରିବେଷଣ କରାଯାଇଥିଲା । ନାଟକର ନିର୍ଦ୍ଦେଶକ ଶ୍ରୀ ଦୀନେଶ ଦାସଙ୍କୁ ମୁଖ୍ୟ ଅତିଥି ସମ୍ବର୍ଦ୍ଧିତ କରିଥିଲେ ।

Categories
ଆଜିର ଖବର ଜାତୀୟ ଖବର ରାଜ୍ୟ ଖବର

ବିଷ୍ଣୁ ସେଠୀଙ୍କ ପରଲୋକରେ ଧାମନଗର ବିଧାନସଭା ଆସନ ଖାଲି, ଜାରୀ ହେଲା ବିଜ୍ଞପ୍ତି

ଭୁବନେଶ୍ୱର: ରାଜ୍ୟ ବିଧାନସଭାର ଭଦ୍ରକ ଜିଲ୍ଲାର ୪୬-ଧାମନଗର (ଏସ୍‌ସି) ବିଧାନସଭା ନିର୍ବାଚନ ମଣ୍ଡଳୀ ଆସନରୁ ଷୋଡ଼ଶ ବିଧାନସଭାକୁ ନିର୍ବାଚିତ ଆସୀନ ସଦସ୍ୟ ବିଷ୍ଣୁ ଚରଣ ସେଠୀଙ୍କ ବିୟୋଗରେ ବାଚସ୍ପତି ଶ୍ରୀ ବିକ୍ରମ କେଶରୀ ଆରୁଖ ଗଭୀର ଦୁଃଖ ପ୍ରକାଶ କରିଛନ୍ତି । ଏହି ମର୍ମରେ ତାଙ୍କ ବିୟୋଗରେ ଓଡ଼ିଶା ବିଧାନସଭାରେ ଏକ ଶୂନ୍ୟସ୍ଥାନ ସୃଷ୍ଟି ହେବା ସଂକ୍ରାନ୍ତରେ ବିଧାନସଭାର ସ୍ୱତନ୍ତ୍ର କାର୍ଯ୍ୟରତ ଅଧିକାରୀ ତଥା ସଚିବ ଶ୍ରୀ ଦାଶରଥି ଶତପଥୀ ଏକ ବିଜ୍ଞପ୍ତି ଜାରି କରିଛନ୍ତି ।

ଏହା ଓଡ଼ିଶା ଗେଜେଟ୍‌ର ଅସାଧାରଣ ପ୍ରସଙ୍ଗରେ ସ୍ଥାନିତ କରିବା ପାଇଁ ପତ୍ର ପଠାଯିବା ସହ ଏହାର ନକଲ ମୁଖ୍ୟ ନିର୍ବାଚନ ଆୟୁକ୍ତ, ନୂଆଦିଲ୍ଲୀ, ମୁଖ୍ୟ ନିର୍ବାଚନ ଅଧିକାରୀ, ଓଡ଼ିଶା, ସମସ୍ତ ମାନ୍ୟବର ବିଧାୟକ/ସାଂସଦ, ଲୋକସଭା ଏବଂ ରାଜ୍ୟସଭାର ମହାସଚିବ, ମାନ୍ୟବର ରାଜ୍ୟପାଳଙ୍କ ପ୍ରମୁଖ ଶାସନ ସଚିବ, ମାନ୍ୟବର ମୁଖ୍ୟମନ୍ତ୍ରୀଙ୍କ ଅତିରିକ୍ତ ଶାସନ ସଚିବ ଏବଂ ଏଥି ସଂପୃକ୍ତ ସମସ୍ତଙ୍କ ଅବଗତି ନିମନ୍ତେ ପ୍ରେରଣ କରାଯାଇଛି ।

Categories
ଆଜିର ଖବର ରାଜ୍ୟ ଖବର

ଘୋଷଣା ହେବ ଓଡିଶାର ଶ୍ରେଷ୍ଠ ବିଧାୟକ, ବସିଲା ଚୟନ କମିଟର ପ୍ରଥମ ବୈଠକ

ଭୁବନେଶ୍ବର: ଓଡ଼ିଶା ବିଧାନସଭାର ବାଚସ୍ପତି ଶ୍ରୀ ବିକ୍ରମ କେଶରୀ ଆରୁଖଙ୍କ ଅଧ୍ୟକ୍ଷତାରେ ବିଧାନସଭାସ୍ଥିତ ତାଙ୍କ କାର୍ଯ୍ୟାଳୟ ପ୍ରକୋଷ୍ଠରେ ଶ୍ରେଷ୍ଠ ବିଧାୟକ ଚୟନ କମିଟିର ପ୍ରଥମ ବୈଠକ ଅନୁଷ୍ଠିତ ହୋଇଯାଇଛି।

ବୈଠକରେ ଚୟନ କମିଟିର ସଦସ୍ୟ ଭାବେ ଓଡ଼ିଶା ବିଧାନସଭାର ଉପବାଚସ୍ପତି ଶ୍ରୀ ରଜନୀକାନ୍ତ ସିଂହ, କଂଗ୍ରେସ ଦଳର ବରିଷ୍ଠ ବିଧାୟକ ଶ୍ରୀ ନରସିଂହ ମିଶ୍ର, ପୂର୍ବତନ ବିଧାୟକ ଶ୍ରୀ ପ୍ରଫୁଲ୍ଲ ଚନ୍ଦ୍ର ଘଡେଇ, ପୂର୍ବତନ ବିଧାୟକ ଶ୍ରୀ ନଗେନ୍ଦ୍ର କୁମାର ପ୍ରଧାନ ଏବଂ ବରିଷ୍ଠ ସାମ୍ବାଦିକ ଶ୍ରୀ ଶ୍ରୀରାମ ଦାଶ ଉପସ୍ଥିତ ଥିଲେ।

ପ୍ରକାଶଯୋଗ୍ୟ ଯେ କୋଭିଡ୍‌ ସଂକ୍ରମଣ ପାଇଁ ଗତ ତିନିବର୍ଷ ଧରି ଏ ବାବଦରେ କୌଣସି ବୈଠକ ଅନୁଷ୍ଠିତ ହୋଇନଥିଲା। ଚଳିତ ବର୍ଷ ୨୦୧୭ରୁ ୨୦୨୧ ପର୍ଯ୍ୟନ୍ତ ୫ ବର୍ଷର ଶ୍ରେଷ୍ଠ ବିଧାୟକଙ୍କୁ ଚୟନ କରାଯିବ। ପ୍ରତିବର୍ଷ ଓଡ଼ିଶା ବିଧାନସଭା ପକ୍ଷରୁ ୩ଟି ବର୍ଗରେ ଏହି ସମ୍ମାନ ପ୍ରଦାନ କରାଯାଇଥାଏ।

ପଣ୍ଡିତ ନୀଳକଣ୍ଠ ସମ୍ମାନରେ ବର୍ତ୍ତମାନର ବିଧାୟକ, ଉତ୍କଳଗୌରବ ମଧୁସୂଦନ ସମ୍ମାନରେ ପୂର୍ବତନ ବିଧାୟକ ଏବଂ ଉତ୍କଳମଣି ଗୋପବନ୍ଧୁ ପ୍ରତିଭା ସମ୍ମାନରେ ନବନିର୍ବାଚିତ ବିଧାୟକଙ୍କୁ ସମ୍ମାନିତ କରାଯାଇଥାଏ। ରାଜ୍ୟ ପ୍ରତି ଥିବା ଦାୟିତ୍ୱବୋଧ ଓ ନିଷ୍ଠା ସହ ବିଧାନସଭା ଗୃହକାର୍ଯ୍ୟରେ ବିଧାୟକଙ୍କର ଉଲ୍ଲେଖନୀୟ ପ୍ରଦର୍ଶନଆଧାରରେ ଚୟନ କମିଟି ଶ୍ରେଷ୍ଠ ବିଧାୟକଙ୍କୁ ମନୋନୀତ କରିଥାନ୍ତି।

Categories
ଜାତୀୟ ଖବର ବିଶେଷ ଖବର ରାଜ୍ୟ ଖବର

ସର୍ବଦଳୀୟ ବିଧାୟକଙ୍କ ଆଗରେ ନବୀନଙ୍କୁ ପୁଣି ଥରେ ଧନ୍ୟବାଦ ଦେଲେ ରାଷ୍ଟ୍ରପତି ଦ୍ରୌପଦୀ ମୁର୍ମୁ

ଭୁବନେଶ୍ୱର: ଆଜି ପୂର୍ବାହ୍ନରେ ଓଡ଼ିଶା ବିଧାନସଭାର ବାଚସ୍ପତି ଶ୍ରୀ ବିକ୍ରମ କେଶରୀ ଆରୁଖଙ୍କ ନେତୃତ୍ୱରେ ଓଡ଼ିଶା ବିଧାନସଭାର ସର୍ବଦଳୀୟ ବିଧାୟକ ଦଳ ନୂଆଦିଲ୍ଲୀସ୍ଥିତ ରାଷ୍ଟ୍ରପତି ଭବନଠାରେ ରାଷ୍ଟ୍ରପତି ଦ୍ରୌପଦୀ ମୁର୍ମୁଙ୍କୁ ଭେଟି ଅଭିନନ୍ଦନ ଓ ଶୁଭେଚ୍ଛା ଜ୍ଞାପନ କରିଛନ୍ତି।

ଏହି ଅବସରରେ ଓଡ଼ିଶା ବିଧାନସଭାରେ ରାଷ୍ଟ୍ରପତିଙ୍କୁ ଅଭିନନ୍ଦନ ଜ୍ଞାପନ ଉଦ୍ଦେଶ୍ୟରେ ପାରିତ ହୋଇଥିବା ସଂକଳ୍ପପତ୍ର ରାଷ୍ଟ୍ରପତିଙ୍କୁ ପ୍ରଦାନ କରାଯାଇଥିଲା। ବିଧାୟକମାନଙ୍କ ପକ୍ଷରୁ ବାଚସ୍ପତି ଶ୍ରୀ ଆରୁଖ ରାଷ୍ଟ୍ରପତିଙ୍କୁ ଉପହାର ପ୍ରଦାନପୂର୍ବକ ସମ୍ବର୍ଦ୍ଧିତ କରିଥିଲେ।

ରାଷ୍ଟ୍ରପତି ଶ୍ରୀମତୀ ମୁର୍ମୁ ଓଡ଼ିଶାବାସୀଙ୍କୁ ଧନ୍ୟବାଦ ଜଣାଇବା ସହ ସାମ୍ବିଧାନିକ ବିଧିବ୍ୟବସ୍ଥା ମୁତାବକ ଓଡ଼ିଶାର ବିକାଶ ପାଇଁ ତାଙ୍କର ପୂର୍ଣ୍ଣ ସହଯୋଗ ରହିବ ବୋଲି ପ୍ରକାଶ କରିଥିଲେ। ଏଥି ସହିତ ରାଷ୍ଟ୍ରପତି ନିର୍ବାଚନ ପୂର୍ବରୁ ତାଙ୍କ ପ୍ରତି ଓଡ଼ିଶାର ମୁଖ୍ୟମନ୍ତ୍ରୀ ଶ୍ରୀଯୁକ୍ତ ନବୀନ ପଟ୍ଟନାୟକ ପ୍ରଥମ କରି ଶୁଭେଚ୍ଛା ଓ ସହଯୋଗର ହାତ ବଢ଼ାଇଥିବାରୁ ରାଷ୍ଟ୍ରପତି ଶ୍ରୀମତୀ ମୁର୍ମୁ ମୁଖ୍ୟମନ୍ତ୍ରୀଙ୍କୁ ମଧ୍ୟ ଧନ୍ୟବାଦ ଜଣାଇଥିଲେ।

ରାଷ୍ଟ୍ରପତିଙ୍କ ସହ ସାକ୍ଷାତକୁ ଅତ୍ୟନ୍ତ ଆନନ୍ଦଦାୟକ, ଗର୍ବ ଓ ଗୌରବର ଅବସର ବୋଲି ବାଚସ୍ପତି ଶ୍ରୀ ଆରୁଖ ଉଲ୍ଲେଖ କରିଛନ୍ତି। ଏଥି ସହ ଓଡ଼ିଶାବାସୀଙ୍କ ଉନ୍ନତି ପାଇଁ ରାଷ୍ଟ୍ରପତି ଆନ୍ତରିକତାର ସହ କାର୍ଯ୍ୟ କରିବେ ବୋଲି ପ୍ରତିଶ୍ରୁତି ଦେଇଥିବାରୁ ଶ୍ରୀ ଆରୁଖ ତାଙ୍କୁ କୃତଜ୍ଞତା ଜଣାଇଛନ୍ତି।

ବାଚସ୍ପତିଙ୍କ ନେତୃତ୍ୱରେ ଦିଲ୍ଲୀ ଯାଇଥିବା ଏହି ସର୍ବଦଳୀୟ କମିଟିରେ ଅର୍ଥ ଓ ସଂସଦୀୟ ବ୍ୟାପାର ମନ୍ତ୍ରୀ ଶ୍ରୀ ନିରଞ୍ଜନ ପୂଜାରୀ,  ରାଜସ୍ୱ ଓ ବିପର୍ଯ୍ୟୟ ପରିଚାଳନା ମନ୍ତ୍ରୀ ଶ୍ରୀମତୀ ପ୍ରମିଳା ମଲ୍ଲିକ, ସରକାରୀ ଦଳ ମୁଖ୍ୟ ସଚେତକ ଶ୍ରୀ ପ୍ରଶାନ୍ତ କୁମାର ମୁଦୁଲି, ବିରୋଧି ଦଳର ମୁଖ୍ୟ ସଚେତକ ଶ୍ରୀ ମୋହନ ଚରଣ ମାଝୀ,  ବିରୋଧି ଦଳର ଉପନେତା ଶ୍ରୀ ବିଷ୍ଣୁଚରଣ ସେଠୀ, କଂଗ୍ରେସ ଦଳର ବରିଷ୍ଠ ବିଧାୟକ ଶ୍ରୀ ତାରାପ୍ରସାଦ ବାହିନୀପତି ଓ ଶ୍ରୀ ସନ୍ତୋଷ ସିଂ ସାଲୁଜାଙ୍କ ସମେତ ସର୍ବଦଳୀୟ କମିଟିର ୨୪ ଜଣ ସଦସ୍ୟ ରାଷ୍ଟ୍ରପତିଙ୍କୁ ସାକ୍ଷାତ କରିଥିଲେ ଓ ରାଷ୍ଟ୍ରପତି ଭବନ ବୁଲି ଦେଖିଥିଲେ।

Categories
ଜାତୀୟ ଖବର ବିଶେଷ ଖବର ରାଜ୍ୟ ଖବର

ରାଷ୍ଟ୍ରପତିଙ୍କୁ ଭେଟିଲେ ଓଡିଶାର ୨୪ ବିଧାୟକ, ପରିବେଶ ଥିଲା ବେଶ୍ ଭାବ ବିହ୍ବୋଳ

ନୂଆଦିଲ୍ଲୀ: ଆଜି ରାଷ୍ଟ୍ରପତି ଦ୍ରୌପଦୀ ମୁର୍ମୁଙ୍କୁ ରାଷ୍ଟ୍ରପତି ଭବନରେ ସାକ୍ଷାତ କରିଛନ୍ତି ଓଡିଶାର ୨୪ ଜଣ ବିଧାୟକ। ବାଚସ୍ପତି ବିକ୍ରମ କେଶରୀ ଆରୁଖଙ୍କ ନେତୃତ୍ବରେ ଏହି ଦଳ ନୂଆଦିଲ୍ଲୀ ଗସ୍ତ କରିଥିଲେ। ଆଜି ସେମାନେ ୧୦ଟା ୪୫ ରେ ସାକ୍ଷାତ କରିଛନ୍ତି।

ଏହି ସମୟରେ ରାଷ୍ଟ୍ରପତିଙ୍କୁ ଦେଖି ବିଧାୟକଗଣ ବେଶ ଭାବ ବିହ୍ବୋଳ ହୋଇପଡିଥିଲେ। କାରଣ ଓଡିଶାର ଜଣେ ଆଦିବାସୀ ଝିଅ ରାଷ୍ଟ୍ରପତି ଭବନରେ ରାଷ୍ଟ୍ରପତିଙ୍କ ଆସନରେ ବସିବା ଦେଖି ଏମାନେ ବେଶ ଉଲ୍ଲସିତ ହୋଇଥିଲେ। ଏହାପରେ ସମସ୍ତେ ଓଡିଆପେ ରାଷ୍ଟ୍ରପତିଙ୍କ ସହିତ କଥା ହୋଇଥିଲେ। ରାଷ୍ଟ୍ରପତି ଭବନ ଅଧିକାରୀଙ୍କ ପୂର୍ବ ପ୍ରସ୍ତୁତି ଅନୁସାରେ ସମସ୍ତେ ରାଷ୍ଟ୍ରପତି ଭବନ ଲନରେ ଏକ ଗ୍ରୁପ ଫଟୋ ମଧ୍ୟ ଉଠାଇଥିଲେ।

ଏହି ବିଧାୟକ ଦଳରେ ବାଚସ୍ପତିଙ୍କ ସହିତ ଅର୍ଥମନ୍ତ୍ରୀ ନରଂଜନ ପୂଜାରୀ, ରାଜସ୍ବ ମନ୍ତ୍ରୀ ପ୍ରମିଳା ମଲ୍ଲିକ, ସରକାରୀ ମୁଖ୍ୟସଚେତକ ପ୍ରଶାନ୍ତ ମୁଦୁଲି, ଦେବୀ ପ୍ରସାଦ ମିଶ୍ର. ତାରା ବାହିନୀପତି, ବିଷ୍ଣୁ ସେଠୀ ପ୍ରମୁଖ ସାମିଲ ହୋଇଥିଲେ। ଏହି ଦଳରେ ଚାରିଜଣ ମହିଳା ସାମିଲ ଥିଲେ।

Categories
ଜାତୀୟ ଖବର ବିଶେଷ ଖବର ରାଜ୍ୟ ଖବର

ରାଷ୍ଟ୍ରପତିଙ୍କୁ ଅଭିନନ୍ଦନ ଜଣାଇବା ପାଇଁ ଓଡିଶା ବିଧାନସଭା ତରଫରୁ ଦିଲ୍ଲୀ ଯିବେ ୨୬ ବିଧାୟକ

ଭୁବନେଶ୍ବର: ଓଡିଶା ମାଟିର ଝିଅ ଦ୍ରୌପଦୀ ମୁର୍ମୁ ରାଷ୍ଟ୍ରପତି ହୋଇଥିବାରୁ ଓଡିଶା ବିଧାନସଭା ତରଫରୁ ତାଙ୍କୁ ଅଭିନନ୍ଦନ ଜଣାଯିବ। ସେଥିପାଇଁ ବାଚସ୍ପତି ବିକ୍ରମ ଆରୁଖଙ୍କ ନେତୃତ୍ବରେ ପ୍ରାୟ ୨୬ ଜଣ ବିଧାୟକ ନୂଆଦିଲ୍ଲୀ ଗସ୍ତରେ ଯିବେ। ଏମାନେ ଆସନ୍ତା ୨ ତାରିଖରେ ନୂଆଦିଲ୍ଲୀରେ ପହଞ୍ଚିବେ। ୩ ତାରିଖରେ ରାଷ୍ଟ୍ରପତିଙ୍କୁ ସାକ୍ଷାତ ପରେ ୪ ତାରିଖରେ ଫେରି ଆସିବେ।

ଏହି ଦଳରେ ବାଚସ୍ପତିଙ୍କ ସହିତ ଉପବାଚସ୍ପତି ରଜନୀକାନ୍ତ ସିଂ, ମନ୍ତ୍ରୀ ନିରଂଜନ ପୂଜାରୀ, ପ୍ରମିଳା ମଲ୍ଲିକ, ପ୍ରତାପ ଦେବ, ପ୍ରଶାନ୍ତ ମୁଦୁଲୀ, ନରସିଂହ ମିଶ୍ର, ମୋହନ ମାଝି, ଦେବୀ ମିଶ୍ର, ଜୟନାରାୟଣ ମିଶ୍ର, ତାରାପ୍ରସାଦ ବାହିନୀପତି, ପଦ୍ମନୀ ଦିଆନ, ସୁବାସ ଚନ୍ଦ୍ର ପାଣିଗ୍ରାହୀ, ସୁଧୀର କୁମାର ସାମଲ, ଅନନ୍ତ ନାରାୟଣ ଜେନା ପ୍ରମୁଖ ସାମିଲ ହେବେ।

ଏହା ଦ୍ବାରା ଆସନ୍ତାକାଲି ଅର୍ଥାତ ୧ ତାରିଖରେ ବିଧାନସଭା ବନ୍ଦ ହୋଇଯିବ। ଏହି ଅଧିବେସନ ୪ ତାରିଖ ପର୍ଯ୍ୟନ୍ତ ଚାଲିବାର ଥିଲା। ହେଲେ ବିଧାୟକମାନେ ୨ ତାରିଖରେ ନୂଆଦିଲ୍ଲୀ ଯାଉଥିବାରୁ ଆଉ ବିଧାନସଭା ଚାଲିପାରିବ ନାହିଁ ବୋଲି ଜଣପଡିଛି। ବିଧାୟକମାନଙ୍କର ଏହି ଗସ୍ତ ଖର୍ଚ୍ଚ ବିଧାନସଭା ତରଫରୁ ଯୋଗାଇ ଦିଆଯିବ।

Categories
ଆଜିର ଖବର ଜାତୀୟ ଖବର ରାଜ୍ୟ ଖବର

ନୂଆ ବାଚସ୍ପତିଙ୍କ ଅଧ୍ୟକ୍ଷତାରେ ଆରମ୍ଭ ହେଲା ବିଧାନସଭା, ଆସିଲା ଶୋକ ପ୍ରସ୍ତାବ

ଭୁବନେଶ୍ବର: ନୂଆ ବାଚସ୍ପତି ଭାବେ ନିର୍ବାଚତ ହେବ ପରେ ଆଜି ପ୍ରଥମ ଥର ପାଇଁ ଗୃହ ପରିଚାଳନା କରିଛନ୍ତି ବିକ୍ରମ ଆରୁଖ। ଆଜି ପୂର୍ବ ନିର୍ଦ୍ଧାରିତ ସମୟରେ ବାଚସ୍ପତି ଗୃହ କାର୍ଯ୍ୟ ଆରମ୍ଭ କରିଥିଲେ। ଏଥିରେ ମୁଖ୍ୟମନ୍ତ୍ରୀ ନବୀନ ନିବାସରୁ ଭିଡିଓ କନଫ୍ରେସିଂ ଜରିଆରେ ସାମିଲ ହୋଇ ଶୋକ ପ୍ରସ୍ତାବ ଆଗତ କରିଥିଲେ।

ସେ ଗୃହର ସଦସ୍ୟ ଥିବା ସୁରେନ୍ଦ୍ର କଅଁରଙ୍କ ପରଲୋକରେ ଶୋକ ପ୍ରସ୍ତାବ ଆଗତ କରିଥିଲେ। ଏଥିରେ ବିରୋଧୀ ଦଳର ଉପନେତା ବିଷ୍ଣୁ ସେଠୀ, କଂଗ୍ରେସ ବିଧାୟକ ଦଳ ନେତା, କମ୍ୟୁନିଷ୍ଟ ପାର୍ଟି ପକ୍ଷରୁ ଲକ୍ଷ୍ମଣ ମୁଣ୍ଡା ଶୋକ ପ୍ରସ୍ତାବକୁ ସମର୍ଥନ କରିବା ସହ ଶ୍ରଦ୍ଧାଞ୍ଜଳି ଜଣାଇଥିଲେ। ଏହାପରେ ପ୍ରଶ୍ନ ଉତ୍ତର କାର୍ଯ୍ୟକ୍ରମ ଆରମ୍ଭ ହୋଇଥିଲା।

Categories
ବିଶେଷ ଖବର ରାଜ୍ୟ ଖବର

ସରିଲା ବନଖଣ୍ଡ ଅଧିକାରୀ ସମ୍ମିଳନୀ, ବନ ସୁରକ୍ଷାରେ ଗରିବ ଲୋକଙ୍କୁ ଅଧିକ ସଂପୃକ୍ତ କରିବାକୁ ନିଷ୍ପତି

ଭୁବନେଶ୍ୱର: ଜଙ୍ଗଲ ସଂପଦର ସଂରକ୍ଷଣ ଓ ଅଭିବୃଦ୍ଧି ସମେତ ବନ୍ୟଜନ୍ତୁଙ୍କ ସୁରକ୍ଷା ଉପରେ ବନଖଣ୍ଡ ଅଧିକାରୀମାନେ ପ୍ରାଥମିକତା ଦେବାକୁ ଜଙ୍ଗଲ, ପରିବେଶ ଓ ଜଳବାୟୁ ପରିବର୍ତ୍ତନ, ସଂସଦୀୟ ବ୍ୟାପାର ମନ୍ତ୍ରୀ ଶ୍ରୀ ବିକ୍ରମ କେଶରୀ ଆରୁଖ ପରାମର୍ଶ ଦେଇଛନ୍ତି ।

ତୃଣମୂଳସ୍ତରରେ ବନସୁରକ୍ଷା ସମିତି ଏବଂ ଗରିବ ଲୋକମାନଙ୍କୁ ଅଧିକ ସଂଖ୍ୟାରେ ସଂପୃକ୍ତ କରାଗଲେ ଆମ ଜଙ୍ଗଲ ସଂପଦର ବ୍ୟାପକ ଅଭିବୃଦ୍ଧି ଘଟିବ ବୋଲି ମନ୍ତ୍ରୀ ପ୍ରକାଶ କରିଛନ୍ତି। ଉଦ୍‌ଯାପିତ ରାଜ୍ୟସ୍ତରୀୟ ବନଖଣ୍ଡ ସମ୍ମିଳନୀରେ ଯୋଗଦେଇ ମନ୍ତ୍ରୀ ଶ୍ରୀ ଆରୁଖ ଉପରୋକ୍ତ ମର୍ମରେ ସମ୍ମିଳନୀରୁ ଉପଲବ୍ଧ ଜ୍ଞାନକୁ ବନଖଣ୍ଡ ଅଧିକାରୀମାନେ ଯଥାର୍ଥ ଭାବେ ବିନିଯୋଗ କରିବାକୁ ମତ ଦେଇଛନ୍ତି ।

ଲୋକସେବା ଭବନ କନ୍‌ଭେନ୍‌ସନ୍‌ ସେଣ୍ଟରରେ ଆୟୋଜିତ ଦୁଇଦିନିଆ ରାଜ୍ୟସ୍ତରୀୟ ବନଖଣ୍ଡ ଅଧିକାରୀ ସମ୍ମିଳନୀ ଆଜି ଉଦ୍‌ଯାପିତ ହୋଇଯାଇଛି।ଏହି ଦୁଇଦିନିଆ ସମ୍ମିଳନୀରେ ରାଜ୍ୟରେ ଜଙ୍ଗଲ ସୁରକ୍ଷା, ଜଙ୍ଗଲର ପୋଷଣୀୟ ପରିଚାଳନା, ବ୍ୟାପକ ବନୀକରଣ, ‘କାମ୍ପା’ ପାଣ୍ଠିର ସମୁଚିତ ଉପଯୋଗ, ଓଡ଼ିଶା ବାଉଁଶ ଉନ୍ନୟନ ସଂସ୍ଥା ଦ୍ୱାରା କାର୍ଯ୍ୟକାରୀ ହେଉଥିବା ବିଭିନ୍ନ କାର୍ଯ୍ୟକ୍ରମ, ଜଙ୍ଗଲ ଜମିର କିସମ ପରିବର୍ତ୍ତନ, ବନ୍ୟଜନ୍ତୁ ସୁରକ୍ଷା ସହିତ ଜଙ୍ଗଲ ନିଆଁ ନିୟନ୍ତ୍ରଣ ସମ୍ବନ୍ଧୀୟ ପ୍ରସଙ୍ଗଗୁଡ଼ିକ ଉପରେ ବହୁବିଧ ପ୍ରସ୍ତାବ ଏବଂ ମତାମତସମ୍ବଳିତ ଆଲୋଚନା ଓ ସମୀକ୍ଷା କରାଯାଇଛି ।

ମନ୍ତ୍ରୀ ଶ୍ରୀ ଆରୁଖ କହିଛନ୍ତି ଯେ ଜଙ୍ଗଲ ନିଆଁ ହ୍ରାସ ଦିଗରେ ତତ୍କାଳ କାର୍ଯ୍ୟାନୁଷ୍ଠାନ ଗ୍ରହଣ କରିବା ପାଇଁ ବନଖଣ୍ଡ ଅଧିକାରୀମାନେ ପ୍ରସ୍ତୁତ ରହିବା ଆବଶ୍ୟକ। ଜଙ୍ଗଲ ପାଶ୍ୱର୍ବର୍ତ୍ତୀ ଅଞ୍ଚଳରେ ବ୍ୟାପକ ଜନସେଚତନତା ସୃଷ୍ଟି ସମେତ ରାଜ୍ୟ ସରକାରଙ୍କ ବିଭିନ୍ନ ଜନକଲ୍ୟାଣକାରୀ ପ୍ରକଳ୍ପଗୁଡ଼ିକର ସଫଳ ରୂପାୟନ ପାଇଁ ଅଧିକ କ୍ରିୟାଶୀଳ ହେବାକୁ ମନ୍ତ୍ରୀ ପରାମର୍ଶ ଦେଇଥିଲେ ।

ପାନୀୟ ଜଳଯୋଗାଣ, ନୂଆ ରେଳପଥ ନିର୍ମାଣର ଉଦାହରଣ ଦେଇ ସେ ସଂପର୍କିତ ପ୍ରତିବନ୍ଧକ ଦୂର କରିବା ଦିଗରେ ଅଧିକାରୀମାନେ ଉଦ୍ୟମ କରିବାକୁ ସେ କହିଥିଲେ ୨୦୨୨-୨୩ ବର୍ଷର ଆକ୍ସନ୍‌ ପ୍ଲାନ୍‌ ଅନୁଯାୟୀ ଆଗାମୀ ବର୍ଷାଋତୁରେ ବନୀକରଣ ଓ ଚାରାରୋପଣ କାର୍ଯ୍ୟକୁ ତ୍ୱରାନ୍ୱିତ କରିବାକୁ ମନ୍ତ୍ରୀ କହିଥିଲେ । ରାଜ୍ୟର ବୃହତ୍ତର ସ୍ୱାର୍ଥ ନିମନ୍ତେ ବନଖଣ୍ଡ ଅଧିକାରୀମାନେ ନିଷ୍ଠା ଓ ଆନ୍ତରିକତାର ସହ କର୍ତ୍ତବ୍ୟ ସଂପାଦନ କରିବା ସହିତ ଅବସରପ୍ରାପ୍ତ କର୍ମଚାରୀମାନଙ୍କ ପେନ୍‌ସନ୍‌ ସଂକ୍ରାନ୍ତୀୟ ମାମଲାଗୁଡ଼ିକର ଫଏସଲା ଉପରେ ମନ୍ତ୍ରୀ ଶ୍ରୀ ଆରୁଖ ଗୁରୁତ୍ୱ ଦେଇଥିଲେ ।

ବିଭାଗୀୟ ଅତିରିକ୍ତ ମୁଖ୍ୟ ଶାସନ ସଚିବ ଡ. ମୋନା ଶର୍ମା କହିଥିଲେ ଯେ ନିଜ ବନଖଣ୍ଡରେ ହେଉଥିବା କାର୍ଯ୍ୟ ପାଇଁ ବନଖଣ୍ଡ ଅଧିକାରୀମାନେ ଅନ୍ୟ ସହଯୋଗୀ ବିଭାଗ ସହ ନିୟମିତ ଭାବେ ଆଲୋଚନାପୂର୍ବକ ବିଭିନ୍ନ ସମସ୍ୟାର ସମାଧାନ କରିପାରିବେ । ଜଙ୍ଗଲ ଜମିର କ୍ଷତିଭରଣା କରିବା ପାଇଁ ଅଧିକରୁ ଅଧିକ ଲ୍ୟାଣ୍ଡବ୍ୟାଙ୍କ ସୃଷ୍ଟି, ବ୍ୟାପକ ଚାରା ଉତ୍ପାଦନ କାର୍ଯ୍ୟରେ ବନ ସୁରକ୍ଷା ସମିତି ଓ ସ୍ୱୟଂ ସହାୟକ ଗୋଷ୍ଠୀଙ୍କ ସଂପୃକ୍ତି ଉପରେ ଅତିରିକ୍ତ ମୁଖ୍ୟ ଶାସନ ସଚିବ ଡ. ଶର୍ମା ଗୁରୁତ୍ୱାରୋପ କରିଥିଲେ ।

ଏହି ଦୁଇଦିନିଆ ସମ୍ମିଳନୀରେ ପ୍ରଧାନ ମୁଖ୍ୟ ବନସଂରକ୍ଷକ ତଥା ବନବାହିନୀ ମୁଖ୍ୟ ଶ୍ରୀ ଶିଶିର କୁମାର ରଥ ସମସ୍ତ ଅଧିକାରୀଙ୍କ ସଂପୃକ୍ତ ବନଖଣ୍ଡରେ କାର୍ଯ୍ୟାବଳୀ ସମୀକ୍ଷା କରିବା ସହ ବିଭିନ୍ନ ବିଷୟ ନେଇ ସୁଚିନ୍ତିତ ପରାମର୍ଶ ଦେଇଥିଲେ ।

ସମ୍ମିଳନୀରେ ପ୍ରଧାନ ମୁଖ୍ୟ ବନସଂରକ୍ଷକ (ବନ୍ୟପ୍ରାଣୀ) ଶ୍ରୀ ଶଶି ପଲ୍‌, ପ୍ରଧାନ ମୁଖ୍ୟ ବନସଂରକ୍ଷକ (କେନ୍ଦୁପତ୍ର) ଶ୍ରୀ ସୁଶୀଲ କୁମାର ପପ୍‌ଲି, ଓଡ଼ିଶା ବନ ଉନ୍ନୟନ ନିଗମର ପରିଚାଳନା ନିର୍ଦ୍ଦେଶକ ଶ୍ରୀ ସୁରେଶ ପନ୍ଥ, ଅତିରିକ୍ତ ପ୍ରଧାନ ମୁଖ୍ୟ ବନ ସଂରକ୍ଷକ ଶ୍ରୀ ଓମ୍‌ ପ୍ରକାଶ ସିଂ ଏବଂ ଅନ୍ୟାନ୍ୟ ବରିଷ୍ଠ ଅଧିକାରୀବୃନ୍ଦ ଉପସ୍ଥିତ ଥିବାବେଳେ ‘କାମ୍ପା’ର ମୁଖ୍ୟ କାର୍ଯ୍ୟନିର୍ବାହୀ ଅଧିକାରୀ ଡ. ପ୍ରଦୀପ ରାଜ୍‌ କରାଟ୍‌ ଧନ୍ୟବାଦ ଅର୍ପଣ କରିଥିଲେ ।

Categories
ଆଞ୍ଚଳିକ

କନ୍ଧମାଳରେ ୭୫ତମ ଜିଲ୍ଲାସ୍ତରୀୟ ସ୍ୱାଧୀନତା ଦିବସ ପାଳିତ

କନ୍ଧମାଳ, ଜିଲ୍ଲା ସଦର ମହକୁମା ଫୁଲବାଣୀସ୍ଥିତ ରିଜର୍ଭ ପୋଲିସ ପଡ଼ିଆଠାରେ ଆୟୋଜିତ ୭୫ତମ ଜିଲ୍ଲାସ୍ତରୀୟ ସ୍ୱାଧୀନତା ଦିବସରେ ରାଜ୍ୟ ଜଙ୍ଗଲ, ପରିବେଶ ଓ ଜଳବାୟୁ ପରିବର୍ତ୍ତନ, ସଂସଦୀୟ ବ୍ୟପାର ମନ୍ତ୍ରୀ ଶ୍ରୀଯୁକ୍ତ ବିକ୍ରମ କେଶରୀ ଆରୁଖ ଜାତୀୟ ପତାକା ଉତ୍ତୋଳନ କରି ଅଭିବାଦନ ଗ୍ରହଣ କରୁଛନ୍ତି ।

କନ୍ଧମାଳ ଜିଲ୍ଲା ସଦର ମହକୁମାଠାରେ ଆୟୋଜିତ ୭୫ତମ ଜିଲ୍ଲାସ୍ତରୀୟ ସ୍ୱାଧୀନତା ଦିବସରେ ରାଜ୍ୟ ଜଙ୍ଗଲ, ପରିବେଶ ଓ ଜଳବାୟୁ ପରିବର୍ତ୍ତନ, ସଂସଦୀୟ ବ୍ୟପାର ମନ୍ତ୍ରୀ ଶ୍ରୀଯୁକ୍ତ ବିକ୍ରମ କେଶରୀ ଆରୁଖ ଜିଲ୍ଲାର କୋଭିଡ୍‌ ଯୋଦ୍ଧାମାନଙ୍କୁ ସମ୍ବର୍ଦ୍ଧିତ କରୁଛନ୍ତି